Unknown

 

 

 

 

 

 

 

 

 

 

 

ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନ ମାଳା

ମହାପାତ୍ର ନୀଳମଣି ସାହୁ

 

୧୯୨୬ ମସିହାରେ କଟକ ଜିଲ୍ଲାର ନିଆଳୀ ଗ୍ରାମରେ ଜନ୍ମ । ୩୨ ବର୍ଷ କାଳ ବିଭିନ୍ନ କଲେଜରେ ଓଡ଼ିଆ ସାହିତ୍ୟରେ ଅଧ୍ୟାପନା କରିଛନ୍ତି । ବିଭିନ୍ନ ସମୟରେ ‘ଝଂକାର’ ‘ଉତ୍କଳ ପ୍ରସଙ୍ଗ’ ଓ ‘ଇଂରାଜୀ Orissa Review ପ୍ରତିକା ସଂପାଦନା କରିଛନ୍ତି । ବହୁ ସାମାଜିକ, ସାହିତ୍ୟିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ଜୀବନ ସଂଶ୍ଳିଷ୍ଟ । ଜଣେ ଜନପ୍ରିୟ ବାଗ୍ମୀ ଭାବରେ ମଧ୍ୟ ସେ ସାରା ରାଜ୍ୟରେ ସୁପରିଚିତ । ଜୀବନ–ଚର୍ଯ୍ୟାରେ ନାନାବିଧ ମୁକ୍ତ ପରୀକ୍ଷା ନିରୀକ୍ଷାରେ ସେ ବିଶ୍ଵାସୀ । ଆମ ସାହିତ୍ୟର ବିଭିନ୍ନ ବିଭାଗକୁ ତାଙ୍କର ଅବଦାନ ଖୁବ୍‍ ସମୃଦ୍ଧ କରିଛି । ଏ ଯାବତ୍‍ ତାଙ୍କର ପ୍ରାୟ ଚାଳିଶଖଣ୍ଡ ।

☆☆☆

 

ଭୂମିକା

 

୧୯୯୦ ମସିହାର ଶେଷ ଆଡ଼କୁ ମୁଁ ମୋର ସାନପୁଅ ଶ୍ରୀମାନ୍‍ ଗୁରୁପ୍ରସାଦ ପାଖରେ ଗୁଜୁରାଟର ସୁରେନ୍ଦ୍ର ନଗର ସହରରେ ପ୍ରାୟ ତିନିମାସ କାଳ ଅବସ୍ଥାନ କରୁଥିଲାବେଳେ, ଏହି ଅଭିନବ ପ୍ରବଚନ ଗୁଡ଼ିକର ଲେଖା ଆରମ୍ଭ କରିଥିଲି । ୧୯୯୧ ମସିହା ମାର୍ଚ୍ଚ ମାସରେ ଭୁବନେଶ୍ୱର ଫେରିଲାପରେ ‘‘ଧରିତ୍ରୀ’’ ସମ୍ବାଦପତ୍ରର ପ୍ରତି ରବିବାର ସଂଖ୍ୟାରେ ଏଗୁଡ଼ିକ ୧୯୯୨ ମସିହା ଶେଷ ପର୍ଯ୍ୟନ୍ତ ଧାରାବାହିକ ଭାବେ ପ୍ରକାଶ ପାଇଲା ଓ ଅଚିରେ ବହୁ ପାଠକପାଠିକା ମାନଙ୍କର ସାଗ୍ରହ ଦୃଷ୍ଟି ଆକର୍ଷଣ କଲା । ଏଥିପାଇଁ ଧରିତ୍ରୀ–ସମ୍ପାଦକ ଶ୍ରୀମାନ୍‍ ତଥାଗତ ଶତପଥୀ ନିଶ୍ଚୟ ସାଧୁବାଦାର୍ହ ।

 

ମୋ ବ୍ୟକ୍ତିତ୍ୱର ମୂଳ ସତ୍ତାରେ ରହସ୍ୟବାଦ, ଆଧ୍ୟାତ୍ମବାଦ ଓ ଭକ୍ତିବାଦ ପ୍ରତି ପ୍ରବଳ ବିହ୍ଵଳ ପ୍ରବଣତା ଥିଲେ ବି, ମୋ ଭିତରେ ଏକ ସ୍ୱତନ୍ତ୍ର ଦ୍ରଷ୍ଟା-ବ୍ୟକ୍ତିତ୍ୱର ଉପସ୍ଥିତି ମୁଁ ସର୍ବଦା ଅନୁଭବ କରିଥାଏ । ମୋର ଏହି ଦ୍ରଷ୍ଟା-ସତ୍ତାଟି ଜୀବନକୁ ଏକ ସୁସ୍ଥ ସୁନ୍ଦର, ନିର୍ମଳ, ମୁକ୍ତ ଶୁଦ୍ଧ ଉଦାର ଓ ନିରପେକ୍ଷ ଦୃଷ୍ଟିରୁ ଦେଖୁଥାଏ ଏବଂ ମୁଁ ଯଦି ମୋ ଜୀବନରେ ସାମାନ୍ୟ ବିଦୂଷକୀ ଢଙ୍ଗ ଦେଖାଇ ନ ଥାନ୍ତି, ତେବେ ଲୋକେ ମୋତେ ନିଶ୍ଚୟ ଜଣେ ସନ୍ଥପୁରୁଷ ଭାବି ପୂଜାଅର୍ଚ୍ଚନା ଆରମ୍ଭ କରି ଦେଇଥାନ୍ତେ ଏବଂ ମୁଁ ଯଦି ମୋ ଜୀବନରେ ସାମାନ୍ୟ ସନ୍ଥ-ସୁଲଭ ଆଚରଣ ଦେଖାଇ ନ ଥାନ୍ତି, ତେବେ ଲୋକେ ମୋତେ ନିଶ୍ଚୟ ଜଣେ ଭାଣ୍ଡ ବିଦୂଷକ ଭାବି ମୋ କଥାକୁ କାନ ଡେରିଥାନ୍ତେ–ମାତ୍ର ମନଧ୍ୟାନ ଦେଇ ନ ଥାନ୍ତେ । ମୋ ଭିତରେ ଥିବା ବାବା ଡହରାନନ୍ଦଙ୍କୁ ଧନ୍ୟବାଦ ଯେ, ସେ ମତେ ଏଇ ଉଭୟ ଅପବାଦରୁ ରକ୍ଷା କରିଛନ୍ତି ।

 

ତା’ର ମୂଲ୍ୟ ବା ଅର୍ଥ କଳନା କରୁଥାଏ । ଶ୍ରେୟ ପ୍ରେୟ ବିଚାରି କରୁଥାଏ । ଅର୍ଜନୀୟ ବା ବର୍ଜନୀୟର ସିଦ୍ଧାନ୍ତ ନେଉଥାଏ । ମୋର ଧାରଣା ହେଲା–ଏହାହିଁ ମଣିଷର ସେହି ନିର୍ମୋହ ନିର୍ଲେପ ବିବେକ–ଯାହାକି ପ୍ରତିଟି ମଣିଷ ଭିତରେ ଜାଗ୍ରତ ହେଲେ ‘‘ମାନବ-ଧର୍ମର’’ ପ୍ରତିଷ୍ଠା ହୋଇଥାଏ । ଭଗବାନ ଅଛନ୍ତି କି ନାହାନ୍ତି–ଯଦି ଥାନ୍ତି, ତାଙ୍କ ସହ ସମ୍ପର୍କ ସମ୍ବନ୍ଧ ସ୍ଥାପିତ ହୋଇ ପାରିବ କି ନାହିଁ ଓ କିପରି ହୋଇପାରିବ–ସେ ପ୍ରସଙ୍ଗ ସଂପୂର୍ଣ୍ଣ ଅଲଗା କଥା । ଜଣେ ମଣିଷ ଭଗବାନଙ୍କ ପିଛା ସାରା ଜୀବନ ଲାଗିଥିଲେ ବି, ଭଗବାନ-ପ୍ରାପ୍ତି ତା’ ହାତରେ ନାହିଁ । କିନ୍ତୁ ସତ୍ୟ, ନ୍ୟାୟ, ସଙ୍ଗତି, ଭଲପାଇବା, କରୁଣା, ଆତ୍ମ-ମର୍ଯ୍ୟାଦାଦି ରକ୍ଷା କରିବା ନିଶ୍ଚିତ ଭାବେ ଆମ ହାତର କଥା । ଏହାକୁ ଇ କୁହାଯାଇଛି–‘‘ଧର୍ମରକ୍ଷା’’ ।

 

ଇଚ୍ଛାକଲେ, ଆମେ ଏ ଧର୍ମ ରଖିପାରୁ ବା ଲଂଘନ କରିପାରୁ । କିନ୍ତୁ ମୋର ଧାରଣା–ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ପିଛା ପଡ଼ୁ କି ନ ପଡ଼ୁ, ଏହି ‘‘ଧର୍ମ’’ ପିଛା ପଡ଼ିବା ଉଚିତ । କାରଣ, ମାନବ ଧର୍ମ ପାଳନ ବିନା ମଣିଷର ମନୁଷ୍ୟତ୍ୱ ରହିବ ନାହିଁ । ବିଚାର ବିଶ୍ଳେଷଣରେ ସତତା, ଉଦାରତା ଓ ନିରପେକ୍ଷତା ହିଁ ମଣିଷ ଭିତରେ ବିବେକକୁ ପ୍ରତିଷ୍ଠା କରେ ଏବଂ କହିବାରେ ଦ୍ଵିଧା ନାହିଁ ଯେ, ଯେ କେହି ମଣିଷ ଯଦି ଏହି ବିବେକର ଅଧିକାରୀ ନହୁଏ–ଅନ୍ୟ ଅର୍ଥରେ ଯଦି ମଣିଷ ଭିତରେ ଏକ ମନସ୍ତାତ୍ତ୍ଵିକ ସମତା ଓ ସଙ୍ଗତି ପ୍ରତିଷ୍ଠିତ ନ ହୁଏ, ତେବେ ସେ ମଣିଷ ଈଶ୍ୱର ଅନ୍ୱେଷଣ କରିବାକୁ ବାହାରିବା ଉଚିତ ନୁହେଁ । ସବୁ ଧର୍ମ-ସଂପ୍ରଦାୟର ସାଧୁ ମହାତ୍ମାମାନେ ଓ ପ୍ରତିଷ୍ଠାତାମାନେ ଈଶ୍ୱର-ବିହ୍ଵଳ ହୋଇଥିଲେ ବି, ମାନସ୍ତତ୍ତ୍ଵିକ ସମତା ସଙ୍ଗତିରେ କେହି ଉଣା ନୁହନ୍ତି । କିମ୍ବା ସେମାନେ କେହି ଶୁଦ୍ଧ ବିଚାରଶକ୍ତିକୁ ହରାଇଥାନ୍ତି ବୋଲି ମନେହୁଏ ନାହିଁ । ମନସ୍ତାତ୍ତ୍ଵିକ ସମତା ଓ ବିବେକଶକ୍ତି ହୀନ ଲୋକ ସଂସାର କ୍ଷେତ୍ରରେ ଯେପରି ପାଗଳାମୀ କରେ, ଧର୍ମାଚାରରେ ବା ଆଧ୍ୟାତ୍ମିକ ସାଧନାକ୍ଷେତ୍ରରେ ବି ସେମିତି ତୁଚ୍ଛା ପାଗଳାଟାଏ ହୋଇ ବାହାରେ ।

 

ମୋର ଏହି ଲେଖା ଗୁଡ଼ିକ ମୋର ବିବେକ–ବିଚାର–ପ୍ରସୂତ ବୋଲି କୁହାଯାଇପାରେ । କିନ୍ତୁ ସାଧାରଣତଃ ‘‘ବିବେକ’’ ପ୍ରସଙ୍ଗ ଉଠିଲେ ଲୋକେ ହଠାତ୍‍ ଖୁବ୍‍ ଗୁରୁ ଗମ୍ଭୀର ହୋଇଉଠନ୍ତି । ନିଜ ଭିତରେ ସୁପ୍ତ ବିବେକକୁ ଜାଗ୍ରତ କରିବା କଥା କହିଲେ–ଅନେକଙ୍କର ଶିରା ପ୍ରଶିରା ଟଣକେଇ ଉଠେ ଓ ସ୍ନାୟୁମଣ୍ଡଳୀ ଶକ୍ତ ଓ ଟିଙ୍ଗା ହୋଇଯାଏ । କପାଳର ଶିରା ସବୁ ଫୁଲିଉଠେ ଏବଂ ନିଃଶ୍ଵାସ ପ୍ରଶ୍ଵାସ ମଧ୍ୟ ଛନ୍ଦ ହରାଏ । କେତେକଙ୍କର ଆଖି ଅସ୍ୱାଭାବିକ ଭାବେ ତରାଟି ହୋଇଯାଏ ଓ ଆଉ କେତେକଙ୍କର ଆଖି ଗୁରୁଭାରରେ ବୁଜି ହୋଇଯାଏ । କାହାକାହାର ରକ୍ତଚାପ ମୁଣ୍ଡକୁ ଉଠିଯାଏ । ଅବା ଆଉ କାହାର ରକ୍ତଚାପ ଛାତିପାଖେ ଅଟକି ଯାଏ । ....ବିବେକ-! ଆରେ ବାପ୍‌ରେ ବିବେକ !! କ’ଣ ସହଜ କଥା ପଡ଼ିଛି ? ବିବେକଟି ? ସୁପ୍ତ ସିଂହ ସେ–ତାକୁ ଜଗାଇ ଦେଲେ କ’ଣ ହେବ ଜାଣିଛ ଟି ? ଗାଉଁ କିନା ମାଡ଼ିବସିବ । ହେ ଭଗବାନ ! ବିବେକ-!!

 

କିନ୍ତୁ ମୋର ଧାରଣା–ଆମ ଭିତରେ ଯେଉଁ ବିବେକଟି ଶୋଇଥାଏ–ସେ ଗୋଟିଏ ସହଜ, ସରଳ, ନିଷ୍ପାପ ନିସ୍ଖଳ ଶିଶୁଟିଏ । ହସି ହସି ଗେଲରେ ଗେଲରେ ତା’ ଗାଲକୁ ଟିକେ ଚିପିଦିଅ, ତା’ କାଖତଳେ କି ପେଟତଳେ ଟିକିଏ କୁତୁକୁତୁ କରିଦିଅ–ତତ୍‌କ୍ଷଣାତ୍‍ ସେ ଖିଲିଖିଲି ହୋଇ ହସି ନିଦରୁ ଉଠି ପଡ଼ିବ ଓ ତୁମ ସଙ୍ଗେ ଗେଲ କଉତୁକ ହେବ । ସେତେବେଳେ ତୁମ ମୁଣ୍ଡରେ ଥିବା ସବୁ ସମସ୍ୟା ବଳେବଳେ ସହଜରେ ସମାଧାନ ହୋଇଯିବ । ତୁମ ହୃଦୟକୁ ରୁନ୍ଧି ଦେଉଥିବା ସବୁ ପବନ ଏକାବେଳକେ ପଦାକୁ ବାହାରିଯିବ । ବିବେକକୁ ଜାଗ୍ରତ କରିବା ଲାଗି ଏତେ ଗୁରୁଗମ୍ଭୀର ହେବା ଅନୁଚିତ । ବରଂ କିଛି ସହଜ ନିର୍ମଳ ହାସପରିହାସ ଓ କିଛି ଚଟୁଳଚପଳ ଶୁଦ୍ଧ ରସିକତାରେ ଚେତନାକୁ ଜୁଡ଼ୁବୁଡ଼ୁ କରିଦେଲେ–ଆମ ଭିତରେ ଶୋଇଥିବା ବିବେକ–ଶିଶୁଟି ଉଠିପଡ଼ିବ ଓ ଆମକୁ ଠିକ୍‍ ଭୁଲ୍‍ ସବୁ କିଛି ସ୍ୱଚ୍ଛନ୍ଦରେ ବତାଇ ଦେବ ।

 

ଆମ ଜୀବନର ବୃହତ୍ତର କ୍ଷେତ୍ରରେ ଯେଉଁସବୁ ସମସ୍ୟାମାନ ଉପୁଜିଥାଏ, ତା’ର ସଂଖ୍ୟା ଅସୁମାରୀ । କେତୋଟି ମୌଳିକ ସମସ୍ୟା ଏଥିରେ ବିଚାର କରାଯାଇଛି । କହିବା ବାହୁଲ୍ୟ ଯେ, ଏହି ଲେଖାଗୁଡ଼ିକର ରଚନା–ଶୈଳୀ ଓ ଭାଷା–ଶୈଳୀ ମୋର ଅନ୍ୟାନ୍ୟ ଲେଖାଠାରୁ ବହୁଭାବରେ ଭିନ୍ନ । ଏହାର ଆସ୍ଵାଦନ ମଧ୍ୟ ଭିନ୍ନ । ଗୁରୁଲଘୁ, ଗମ୍ଭୀର ଚପଳ, ଦ୍ରୁତ ବିଳମ୍ବିତ ମିଶାମିଶି ଛନ୍ଦ ଓ ସ୍ୱରରେ ରଚିତ ଏହି ଲେଖା ଗୁଡ଼ିକ ପାଠକ ପାଠିକାମାନଙ୍କୁ ଯଦି ଆନନ୍ଦଦେବା ସଙ୍ଗେ ସଙ୍ଗେ, କିଛି ଆଲୋକ ମଧ୍ୟ ଦେଇପାରେ, ସେମାନଙ୍କ ଚିନ୍ତା ଓ ଚେତନାରେ ଏକ ମୁକ୍ତ, ଉଦାର, ସୁସ୍ଥ, ପ୍ରାଣବନ୍ତ ଓ ସ୍ୱଚ୍ଛ ବିଚାରଶୀଳତା ଉପସ୍ଥାପିତ କରିପାରେ, ତେବେ ମୁଁ ଓ ମୋର ଲେଖନୀ ଉଭୟ କୃତାର୍ଥ ହେବୁ ।

 

ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା ମୋର ପାଠକ ପାଠିକାମାନଙ୍କ ଅବଗତି ନିମନ୍ତେ ମତେ ପ୍ରକାଶ କରିବାକୁ ପଡ଼ୁଛି । ତାହାହେଲା–ବାବା ଡହରାନନ୍ଦଙ୍କ ଚରିତ୍ରରେ ବା ବ୍ୟକ୍ତିତ୍ୱରେ କିଛି କିଛି ବିଦୂଷକୀ ଢଙ୍ଗ ରହିଛି ଓ ତାହା ମଧ୍ୟ ରହିବାକୁ ବାଧ୍ୟ । ବାବା ଡହରାନନ୍ଦଙ୍କ ଆତ୍ମ–ପରିଚୟ ସଂପର୍କରେ ଏ ବହିର ମୂଳରୁ ଓ ଶେଷରେ କିଛି ବକ୍ତବ୍ୟ ରହିଛି । ପାଠକ ପାଠିକା ତାହା ପଢ଼ିଲା ପରେ ସବୁକଥା ଜାଣିପାରିବେ ।

 

କିନ୍ତୁ ମୋର କେତେକ ବିଶେଷ ଅନୁରକ୍ତ ପାଠକ ପାଠିକା ଏହି ଲେଖା ଗୁଡ଼ିକ ପଢ଼ିସାରି ଉପଭୋଗ କଲାପରେ ମତେ ଗୋଟିଏ ପ୍ରଶ୍ନ ସମସ୍ୱରରେ ପଚାରିଛନ୍ତି । ପ୍ରଶ୍ନଟି ହେଲା–ବାବା ଡହରାନନ୍ଦଙ୍କ ବ୍ୟକ୍ତିତ୍ୱଟି ମୋର ନିଜର ସାମଗ୍ରୀକ ବ୍ୟକ୍ତିତ୍ୱର ଏକ ଅଂଶାବତାର କି ନୁହଁ ? ଏ ପ୍ରଶ୍ନର ଉତ୍ତର ହେଲା–ବାବା ଡହରାନନ୍ଦ ଆଂଶିକ ଭାବେ ନିଶ୍ଚୟ ମୁଁ । ମୋ ନିଜ ସମ୍ବନ୍ଧେ ମୋର ଦୃଢ଼ ଧାରଣା ରହିଛି ଯେ, ମୁଁ ଯଦି ମୋ ଜୀବନରେ କିଞ୍ଚିତ୍‍ ବିଦୂଷକୀ କରି ନଥାନ୍ତି ତେବେ ଲୋକମାନେ ମୋତେ ନିଶ୍ଚୟ ଜଣେ ସନ୍ଥ ପୁରୁଷ ଭାବେ ପୂଜା ଉପାସନା କରିଥାନ୍ତେ । କିନ୍ତୁ ତାହା ମୋ ପାଇଁ ବଡ଼ ଅସ୍ଵସ୍ତିକର ବ୍ୟାପାର ହୋଇଥାନ୍ତା । ସେଥିରୁ ମୁକ୍ତି ପାଇବାକୁ ମୁଁ ଜୀବନରେ କିଛି ବିଦୂଷକୀ କରିଥାଏ । କିନ୍ତୁ ମୋ ଭାଗ୍ୟର ବିଡ଼ମ୍ବନା ହେଲା–ଯେଉଁମାନେ ମତେ ଜଣେ ସନ୍ଥ ପୁରୁଷ ବୋଲି ଭାବି ପୂଜା ଉପାସନା କରିବାକୁ ଚାହାନ୍ତି,ସେମାନେ ମୋର ଏଇ ବିଦୂଷକୀ ଢଙ୍ଗ ଦେଖି ମୋ ଉପରେ ଭୀଷଣ ବିରକ୍ତ ଓ ହତୋତ୍ସାହ ହୋଇଯାନ୍ତି ଏବଂ ଆଉ ଯେଉଁମାନେ ମୋର ବିଦୂଷକୀ ରୂପ ଦେଖି ମୋ ସହିତ କେବଳ ଲଘୁ ରଙ୍ଗରସରେ ମାତି ଆହ୍ଲାଦ ପାଇବାକୁ ଚାହାନ୍ତି–ସେମାନେ ମୋର କିଛି ସନ୍ଥ–ସ୍ଵଭାବ ଦେଖି ଭୀଷଣ ବିଡ଼ମ୍ବନା ବୋଧ କରନ୍ତି ଓ ମୋ ଉପରେ ରାଗି ମଧ୍ୟ ଯାନ୍ତି । କହିବାରେ ଦ୍ଵିଧାନାହିଁ ଯେ–ମୁଁ ମୋର ଉଭୟ ଦଳର ଅନୁରକ୍ତମାନଙ୍କୁ ପୂର୍ଣ୍ଣ ସନ୍ତୋଷ ଦେଇ ପାରି ନାହିଁ ଏବଂ ମୋ ପକ୍ଷରେ ତାହାହିଁ ସ୍ୱାଭାବିକ ଓ ବିହିତ ମଧ୍ୟ । କାରଣ, କାହାକୁ ଅସନ୍ତୁଷ୍ଟ କରିବା ଯେମିତି ମୋର ଆଦତ୍‍ ନୁହଁ–କାହାକୁ ତା’ର ଚାହିଦା ମୁତାବକ ହୋଇ ପୂର୍ଣ୍ଣ ସନ୍ତୋଷ ଦେବାକୁ ଚେଷ୍ଟା କରିବା ମଧ୍ୟ ମୋ ପକ୍ଷରେ ଗ୍ଳାନିକର ହୁଅନ୍ତା । ବରଂ ସନ୍ଥ–ବିଳାସୀ ଓ ବିଦୂଷକ–ବିଳାସୀ–ଉଭୟ ଗୋଷ୍ଠୀଙ୍କୁ ମୁଁ ଯେ କିଛି କିଛି ଅସନ୍ତୁଷ୍ଟ କରିପାରିଛି–ଏଥିରେ ମୁଁ କୃତାର୍ଥ ।

 

ଏ ବହିର ପ୍ରକାଶନରେ ଓଡ଼ିଶାର ସ୍ୱନାମଧନ୍ୟ ଲୋକପ୍ରିୟ କଥାଶିଳ୍ପୀ ମୋର ବହୁ ଶ୍ରଦ୍ଧାଭାଜନ ଅଧ୍ୟାପକ ଡକ୍ଟର ବିଭୂତି ପଟ୍ଟାନାୟକ ଯେଉଁ ଉତ୍ସାହ ଓ ସହାୟତା ପ୍ରଦର୍ଶନ କରିଛନ୍ତି–ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଭୁବନେଶ୍ୱରର ‘‘ଚତୁରଙ୍ଗ ପ୍ରକାଶନୀ’’ ସଂସ୍ଥାର ସଂଚାଳକ ଓ କର୍ମୀମାନଙ୍କୁ ମଧ୍ୟ ଏହାର ପ୍ରକାଶ ଲାଗି ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି ।

 

ମୋ ପାଠକ ପାଠିକାମାନଙ୍କର ମଙ୍ଗଳ ହେଉ । ବିବେକୀ ବ୍ୟକ୍ତିମାନେ ନିର୍ଭୟ ରହନ୍ତୁ । ସତ୍ୟାନୁସନ୍ଧାନୀମାନେ ସର୍ବଦା ଆଲୋକ ଜଳାଇ ରଖନ୍ତୁ । ଭବ–ସମୁଦ୍ର ପାରିହେବା ପାଇଁ ଡଙ୍ଗା ଉଶ୍ୱାସ ହେଉ ଏବଂ ଆରୋହୀମାନେ ବି ଉଶ୍ୱାସ ହୁଅନ୍ତୁ ।

 

 

ମହାପାତ୍ର ନୀଳମଣି ସାହୁ

୨୧–୨–୧୯୯୩

୭୮୭–ଆକାଶ ପାତାଳ

ଶ୍ରୀମାଙ୍କ ଶୁଭଜନ୍ମତିଥି

ସହୀଦନଗର, ଭୁବନେଶ୍ୱର–୭୫୧୦୦୭

☆☆☆

 

 

 

 

 

 

 

 

ମୋର ସୁନାଝିଅ ନୀନୀ (ଅନୁରାଧା) ଓ ମୋର ଆଦରର ଦୁଇ ସୁନାନାକୀ ବୋହୁ ଅନସୂୟା ଓ ଅଂଜଳୀଙ୍କ ହାତରେ...

୨୮ ଜନୁଆରୀ ୧୯୯୩

–ନନା

 

ଶ୍ରୀପଞ୍ଚମୀ

☆☆☆

 

ଲେଖକଙ୍କର କେତେକ ବିଶିଷ୍ଟ ଗ୍ରନ୍ଥ

 

ଉପନ୍ୟାସ : ଧରା ଓ ଧାରା–ତାମସୀ ରାଧା ।

 

ଗଳ୍ପ : ବିଷ୍ଣୁ ମାୟା, ସୁମିତ୍ରାର ହସ, ଅନ୍ୟରୁପ ରୂପାନ୍ତର, ପିଙ୍ଗଳା ସେ ଅନ୍ୟ ଜଣେ, ବୃନ୍ଦାବନର ଶେଷଧୂପ, ଆକାଶ ପାତାଳ, ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ, ନିବେଦିତାର ନୈଶାଭିସାର, ପାପ ଓ ମୁକ୍ତି, ଅଭିଶପ୍ତ ଗନ୍ଧର୍ବ, ଅନ୍ଧରାତିର ସୂର୍ଯ୍ୟ ଇତ୍ୟାଦି ।

 

ହାସ୍ୟ କୌତୁକ : ସେକାଳ ପଖାଳ, ଯା’ ଦେବୀ ମମ ଗୃହେଷୁ, କିଛି ହସ, କିଞ୍ଚିତ୍‍ ପ୍ରଜ୍ଞା ।

 

ପ୍ରବନ୍ଧ ଓ ରମ୍ୟରଚନା : ଆମେ ଓଡ଼ିଆ, ଓଡ଼ିଆ କିଏ ?, ମନୁଷ୍ୟ ସ୍ୱାଧୀନ କି ?, ଏବଂ ଧର୍ମ ନିରପେକ୍ଷ ଧାର୍ମିକ, ଦେବ ଦାସର ଦୃଷ୍ଟିପାତ (୧ମ ଓ ୨ୟ), ଧ୍ଵନି ଧ୍ଵନି ପ୍ରତିଧ୍ଵନି, ଯା’ ନିଶା ସର୍ବ ଭୁତେଷୁ, କଳିଯୁଗର ଶେଷ ବେଳାରେ, ସ୍ୱପ୍ନ, ସ୍ୱପ୍ନ ଅନେକ ସ୍ୱପ୍ନ ଇତ୍ୟାଦି ।

 

ସମାଲୋଚନା : ସାହିତ୍ୟରେ ପାରାପାର, ଆମ କଥା ସାହିତ୍ୟର କଥା ଓ ରମ୍ୟରଚନା, କିଛି ସୂତ୍ର, କିଞ୍ଚିତ ବ୍ୟାଖ୍ୟା ଇତ୍ୟାଦି ।

 

ବିଶେଷ ରଚନା : ପ୍ରେମ ଓ ମୃତ୍ୟୁର ମହାକାବ୍ୟ ‘‘ସାବିତ୍ରୀ’’, ଶ୍ରୀ ଅରବିନ୍ଦ ଇତ୍ୟାଦି ।

☆☆☆

 

ସୂଚୀପତ୍ର

 

ଜୟ ବାବା ଡହରାନନ୍ଦ ॥ ତିନି ହସକୁରା ସାଧୁଙ୍କ କାହାଣୀ ॥ ଅଥ ଝିଟିପିଟି ସମ୍ବାଦ ॥ ଦାମ୍ପତ୍ୟ ରହସ୍ୟ ବିଳାସ ॥ ବେପାରୀ ବୁଦ୍ଧିର ସୂକ୍ଷ୍ମ ରହସ୍ୟ ॥ ନଦୀଭଳି ବହିଯାଅ ॥ ପଞ୍ଚଧୂର୍ତ୍ତ ଓ ସରଳ ଚାଷୀ ସମ୍ବାଦ ॥ ଦୀର୍ଘଜୀବନ ଲାଭର ଉପାୟ ଓ ଅପାୟ ॥ ଆସିବା ଓ ଯିବା ପ୍ରସଙ୍ଗ ॥ ପବିତ୍ର ଦାରିଦ୍ର୍ୟ ॥ କରି କରାଉ ଥାଇ ମୁହିଁ ॥ ମୁକ୍ତ ମଣିଷ କାହାକୁ କହିବା ॥ ବାକ୍ୟବୀର ଶୁଆ ଓ କର୍ମବୀର ଗଞ୍ଜା ପ୍ରସଙ୍ଗ ॥ ଏକ ହତଭାଗ୍ୟ ଓ ଆରେକ ପେତିନୀ ଦୁଃସମ୍ବାଦ ॥ ଆକାଶର ଚନ୍ଦ୍ର ଓ ଦର୍ପଣର ଚାନ୍ଦ ॥ ହାୟ ଭଗବାନ ! ହାୟ ମଣିଷ ! ॥ କ୍ରୁଦ୍ଧ ପ୍ରେମିକ, ସନ୍ଦେହୀ ସ୍ୱାମୀ ଓ ବୋକୀ ସ୍ତ୍ରୀ ବୃତ୍ତାନ୍ତ ॥ ମୋହାନ୍ଧ ପଣ୍ଡିତଙ୍କ ଅପକର୍ମ ଦୃଷ୍ଟାନ୍ତ ॥ ହସୁକୁରା କୋକୀ ଓ ଘରଚଟିଆ ପ୍ରସଙ୍ଗ ॥ ମହାତ୍ମାଙ୍କୁ କିଏ ଦେଖିଛି ? ॥ ଧର୍ମ ଉପଦେଶ ଦରକାର କି ? ॥ ସୁବୋଧ ସ୍ୱାମୀ ଓ ଅସନ୍ତୁଷ୍ଟା ସ୍ତ୍ରୀ ଉପାଖ୍ୟାନ ॥ ହାତଧରାଧରି ପ୍ରସଙ୍ଗ ॥ ଭାଗ୍ୟଦେବୀଙ୍କ ବରଦାନ ॥ ତିନି ଭୂତଙ୍କ କାହାଣୀ ॥ ଦୁଇ ଡକାଏତ ଓ ସତ୍ୟ ଧର୍ମ ନ୍ୟାୟ ପ୍ରସଙ୍ଗ ॥ ଭୂତର ଧର୍ମନିଷ୍ଠା ॥ ଦୁଇ ଡାହାଣୀ ଓ ଗୋଟିଏ ଭୂତ ଦୁଃସମ୍ବାଦ ॥ ଦୁଇ ସଉତୁଣୀଙ୍କ ଭାଗବଣ୍ଟା ॥ ମୂଷାଟା ମୂଷା ଓ ବାଘ ହିଁ ବାଘ ॥ ମୂଷିକ–ହୃଦୟ ଛୁଆଳ ସିଂ ବୃତ୍ତାନ୍ତ ॥ ହନୁମାନଜୀ କୋଉଠି ଥିଲେ ? ନନ୍ଦଲାଲ ! କ’ଣ ଦେଖୁଛ ॥ ଗାଈ ଅଦୃଶ୍ୟ, ଘାସ ବି ଅଦୃଶ୍ୟ ॥ ସଂଶୟୀ ମା’ ଓ ପୋଷାବାଘୁଣୀ ଦୁଃସମ୍ବାଦ ॥ ଘରଚଟିଆର ଆଶା ଓ ଦୁରାଶା-॥ ବଣର ବାଘ ନା ବ୍ୟାକରଣର ବ୍ୟାଘ୍ର ? ॥ ବୋଝବୁହ, ବୋଝିଆ ହୁଅନା ॥ ପଥର କଟାଳୀର କର୍ମଯୋଗ ॥ ହଜିବା, ଖୋଜିବା ଓ ପାଇବା ପ୍ରସଙ୍ଗ ॥ ଦିଆନିଆ ଓ ଦେଣନେଣ ସଂପର୍କରେ-॥ ଆଲ୍ଲାଙ୍କ ମୁଲ୍ଲା ନା ମୁଲ୍ଲାଙ୍କ ଆଲ୍ଲା ॥ ଭାଗ୍ୟର ବିଡ଼ମ୍ବନା ॥ ଦୁର୍ଭାଗ୍ୟର ଘେରରୁ ମୁକ୍ତିର ସୁସମ୍ବାଦ-॥ ଯମ ଓ ଘରଚଟିଆ ଆଖ୍ୟାନ ॥ ବୁଢ଼ାଙ୍କର ଘୋଡ଼ାରୋଗ ॥ ବଡ଼ ମଣିଷଙ୍କ ମଳ ପରୀକ୍ଷା-॥ ସଫଳ ଜୀବନର ଗୁମର କଥା ॥ ଅସ୍ଥିରତାର ଅନ୍ତରାଳରେ ॥ କିଏ ପତ୍ନୀ, କିଏ ପ୍ରେମିକା-?-॥ ସତରୁ ମିଛ ନା ମିଛରୁ ସତ ? ॥ ତୃତୀୟ ଚାପୁଡ଼ା କାହା ଗାଲରେ ? ॥ ସ୍ୱପ୍ନ ସତ୍ୟ ନା ବାସ୍ତବ ସତ୍ୟ ॥ ନଦୀକୁ ପଚାର, ପାହାଡ଼କୁ ପଚାର ! ॥ ଉଚ୍ଚାକାଂକ୍ଷାର ଉତ୍‌ଥାନ ଓ ପତନ-॥ ନୃଶଂସରାଜା ଓ ହସୁକୁରା ସାଧୁ ସଂବାଦ ॥ ବିବ୍ରତ ଦରଜୀ ନା ବିବ୍ରତ ଯୁଗ ? ॥ ଜୀବନ-ବୀମା କାହା ପାଖେ ? ॥ ନ ଦେଖି ବିଶ୍ୱାସ, ନା ଦେଖି ବିଶ୍ୱାସ ? ॥ କିଏ କାହାର ଶତ୍ରୁ ? ॥ ଯମ ଓ ଚତୁରୀ ନାରୀ ପ୍ରହସନ ॥ ସତୀନାରୀ ଓ ସ୍ୱର୍ଗ ନରକ ସମସ୍ୟା ॥ କର୍ମର ଚାପ ନା ଫଳର ଚାପ-? ପାଗଳୀ ବୁଢ଼ୀ ଓ ଧର୍ମଦେବତା ॥ ଶିବଙ୍କର ମଦ୍ୟାଭିଷେକ ॥ ନରେଽବା ବାନରେଽବା ॥ ବାବା ଡହରାନନ୍ଦଙ୍କ ଆତ୍ମ-ପରିଚୟ ॥

☆☆☆

 

ଜୟ ବାବା ଡହରାନନ୍ଦ

 

ଆପଣମାନେ ଏହି ବାବା ଡହରାନନ୍ଦଙ୍କ ନାମ ନିଶ୍ଚୟ ନୂଆ କରି ଶୁଣୁଛନ୍ତି । କାରଣ ଆଜିକାଲି ଏତେ ସଂଖ୍ୟକ ମହା ମହା ବାବାମାନଙ୍କର ଆବିର୍ଭାବ ହେଲାଣି ଯେ, ଏବଂ ସେମାନଙ୍କର କୀର୍ତ୍ତିକଳାପ, ମହିମା ପ୍ରାକର୍ମକୁ ନେଇ ସେମାନଙ୍କ ଭକ୍ତବୃନ୍ଦ ଓ ଖବରକାଗଜ ବାଲାଏ ଏତେ ହଟ୍ଟଗୋଳ କରୁଛନ୍ତି ଯେ, ସେହି ମହାରୋଳ ଭିତରେ ବାବା ଡହରାନନ୍ଦଙ୍କ କଥା ମୁଁ ଯେତେ ଉଚ୍ଚସ୍ୱରରେ ଘୋଷଣା କଲେ ବି ତାହା କାହାକୁ ଶୁଭିବ ନାହିଁ । ତା’ଛଡ଼ା ନିଜେ ବାବା ଡହରାନନ୍ଦ ମଧ୍ୟ ଏହି ସବୁ ହୋ ହୋ, ଘୋ ଘୋ, ସାଇଁ ସରସର, ଜିଜାଇଁ ଜାଇଁ, ଧିନ୍ଦାକ ଧିନ୍ଦାକ ପବ୍ଲିସିଟିକୁ ଆଦୌ ସୁଖ ପା’ନ୍ତି ନାହିଁ ।

 

ବାବା ଡହରାନନ୍ଦଙ୍କ ନାମ ଶୁଣି, କେହି ଯେପରି ତାଙ୍କୁ ସିରିଅସ୍‌ଲି ଜଣେ ବ୍ରହ୍ମଜ୍ଞାନୀ, ଯୋଗାବର ବା ଗଡ଼୍‌ମ୍ୟାନ ବୋଲି ନ ଭାବନ୍ତି । ସେ ନିଜକୁ ଏହି ପର୍ଯ୍ୟାୟର ମଣିଷ ବୋଲି କେବେ ବି ଭାବନ୍ତି ନାହିଁ । ବରଂ ଏହିସବୁ ପରିଚୟ ପ୍ରତି ତାଙ୍କର ଗୋଟେରକମ ଆଲର୍ଜି ଅଛି । ତେବେ ଏ କଥା ଠିକ୍‍ ଯେ, ବାବା ଡହରାନନ୍ଦ ଜଣେ ତୁମ ଆମ ଭଳି ସାଧାରଣ ମଣିଷ ସ୍ତରରେ ନ ଥାନ୍ତି । କିନ୍ତୁ ଏହା ବୋଲି ତୁମେ ତାଙ୍କୁ କୌଣସି ଗୋଟେ ମାର୍କାମରା ସ୍ଥିତିରେ ରଖି ପାରିବ ନାହିଁ । ତାଙ୍କର ଚାଲିଚଳନ, ଖିଆପିଆ, କଥାବାର୍ତ୍ତା, ପୋଷାକ ପରିଚ୍ଛଦ, ଆଚାର ବ୍ୟବହାର, ମଣିଷ ସହ ସଂପର୍କ ସମ୍ବନ୍ଧାଦି ବ୍ୟାପାରରେ ସେ ସର୍ବଦା ମୁକ୍ତ ଓ ସ୍ୱାଧୀନ । କିଞ୍ଚିତ୍‍ ପରିମାଣରେ ସ୍ଵେଚ୍ଛାଚାରୀ ମଧ୍ୟ । ଦେଖିବାକୁ ସେ ମଧ୍ୟମ ଉଚ୍ଚତାର ମଣିଷ । ମୁଣ୍ଡରେ ବାବୁରି ବାଳ । କିନ୍ତୁ ଗାଲରେ ଦାଢ଼ି ନିଶ ନାହିଁ । ମୁହଁଟି କିଞ୍ଚିତ୍‍ ନାରୀସୁଲଭ । ଆଖିର ଚାହାଣିରେ ଏକାବେଳକେ ବୈରାଗ୍ୟ ଓ କୌତୁକ ଝଲମଲ କରୁଥାଏ । ଓଠ ଦିଓଟି କିଞ୍ଚିତ୍‍ ସ୍ଥୂଳ; କିନ୍ତୁ ସ୍ଥିର ନୁହେଁ । ପାଟି ଭିତରେ ଜିଭଟି ସବୁବେଳେ ଗପିବାକୁ ଖଲଖଲ ହେଉଥାଏ ।

 

ବାବା ଡହରାନନ୍ଦ ଫୁଲପ୍ୟାଣ୍ଟ ପିନ୍ଧନ୍ତି ପ୍ରାୟତଃ ଧଳାରଂଗର । କିନ୍ତୁ ତା’ ଉପରେ ପିନ୍ଧିଥାନ୍ତି କେବେ ବା ଢାଉରଙ୍ଗର, କେବେ ପୁଣି ବାଇଗଣି ରଙ୍ଗର ଲମ୍ବା ପଞ୍ଜାବିଟିଏ ଯାହା ପ୍ରାୟଶଃ ଆଲଖାଲା ଭଳି ଦିଶେ । ତାଙ୍କର ସବୁଠାରୁ ଆକର୍ଷଣୀୟ ହେଲା–ତାଙ୍କ ବେକରେ ଲମ୍ବିଥିବା ବିଭିନ୍ନ ପ୍ରକାର ମାଳି । ରୁଦ୍ରାକ୍ଷ, ଭଦ୍ରାକ୍ଷ, ତୁଳସୀ, ପଦ୍ମକେଶର, ସ୍ଫଟିକ, ବୈଜୟନ୍ତୀ, ଚନ୍ଦନ, ରକ୍ତଚନ୍ଦନ–ଆଉ ପୁଣି କେବେ କେବେ ହିପ୍‌ପିମାନେ ବ୍ୟବହାର କରୁଥିବା ବିଭିନ୍ନ ରଙ୍ଗର ବିଭିନ୍ନ ଢଙ୍ଗର ପଥର–ମାଳି । ମଥାରେ ମଧ୍ୟ ସେ ନାନାବିଧ ଟୋପି ପିନ୍ଧନ୍ତି । କାନ୍ଧରେ ଝୁଲୁଥାଏ ଝୁଲାମୁଣିଟିଏ ଏବଂ ସେଥିରେ କାମଶାସ୍ତ୍ରଠାରୁ ଆରମ୍ଭ କରି ଲାଇଫ୍‍ ଡିଭାଇନ ପର୍ଯ୍ୟନ୍ତ ବହି ପଶିଥାଏ ଓ ତିନି ଚାରୋଟି ସିଗ୍ରେଟ ପାକେଟ ଓ ଡିଆସିଲ୍‍ ଥାଏ । ସେ ହାତରେ ମଧ୍ୟ ସର୍ବଦା ବାଡ଼ିଟିଏ ଧରିଥାନ୍ତି । ତାଙ୍କର ଏହି ବିଚିତ୍ର ବେଶ ଦେଖି ଥରେ ଗୋଟିଏ ସହରର ଯୁବକମାନେ ଗୋଟିଏ ପାର୍କରେ ସଭାକରି ସେଥିରେ ସର୍ବସମ୍ମତିକ୍ରମେ ତାଙ୍କୁ ‘ସେଣ୍ଟଲି ଜୋକର’ ବା ‘ସନ୍ନ୍ୟାସୀ ବିଦୂଷକ’ ଉପାଧିରେ ଭୂଷିତ କରିଥିଲେ । ବାବା ଡହରାନନ୍ଦ କୌଣସି ପଦପଦବୀ ଗ୍ରହଣ କରିବାକୁ ସର୍ବଦା କୁଣ୍ଠିତ ଥିଲେ ବି ଯୁବକମାନଙ୍କ ହୃଦୟରୁ ସ୍ୱତଃ ଉତ୍ସାରିତ ଓ ସ୍ୱଚ୍ଛନ୍ଦ ପ୍ରଦତ୍ତ ଏହି ‘ସନ୍ନ୍ୟାସୀ ବିଦୂଷକ’ ବା ‘ସେଣ୍ଟଲି ଜୋକର’ ଉପାଧିକୁ ହସିହସି ନମ୍ରଭାବେ ଗ୍ରହଣ କରିଥିଲେ । ଏକଥା ସତ ଯେ ବାବା ଡହରାନନ୍ଦଙ୍କ ସଙ୍ଗେ ମିଶିଲେ ଆପଣ ତାଙ୍କୁ ଜଣେ ସନ୍ଥ ପୁରୁଷ ନ କହି ରହିପାରିବେ ନାହିଁ । କିନ୍ତୁ ତାଙ୍କର କଥାବାର୍ତ୍ତା ଓ ଚାଲିଚଳନକୁ ମଧ୍ୟ ଆପଣ ବିଦୂଷକୀ ନ କହି ଆଉ କ’ଣ କହିପାରିବେ ? ସଚରାଚର ଆମେ ସନ୍ଥ ସନ୍ନ୍ୟାସୀଙ୍କ ଭିତରେ ବିଦୂଷକଟିଏ ପାଇବା ନାହିଁ । କାରଣ ସେମାନେ ଭାରି ଗୁରୁଗମ୍ଭୀର ଆଉ ଓଜନଦାର ମଣିଷ । ସେମିତି ମଧ୍ୟ ଆମେ ବିଦୂଷକମାନଙ୍କ ଭିତରେ ସନ୍ଥ ସନ୍ନ୍ୟାସୀଟିଏ ପାଇବା ନାହିଁ । କାରଣ ବିଦୂଷକମାନେ ସଚରାଚର ଲୋଭୀ, ପେଟୁ, ଅସଂଯତ ଆଉ ମୂର୍ଖ । କେହି କେହି ବିଦୂଷକ ଘୋର ମିଥ୍ୟାଚାରୀ ଓ କାମୁକ ମଧ୍ୟ ହୋଇଥାନ୍ତି । ମାତ୍ର ଆମର ବାବା ଡହରାନନ୍ଦ ସେ ଦୃଷ୍ଟିରୁ ଏକ ବ୍ୟତିକ୍ରମ ଏବଂ ଅସାଧାରଣ । ବର୍ତ୍ତମାନ ସାରା ଓଡ଼ିଶାରେ ଯଦିଓ ହଜାର ହଜାର ଯୁବକଯୁବତୀ ବାବା ଡହରାନନ୍ଦଙ୍କ ସଙ୍ଗେ ମିଶିବାକୁ ଓ ତାଙ୍କ କଥା ଶୁଣିବାକୁ ବ୍ୟଗ୍ର ହୋଇ ଉଠିଲେଣି–ତଥାପି ଏହି ଗତ ପନ୍ଦରବର୍ଷ ଭିତରେ ସାରା ଓଡ଼ିଶାରେ ମୋତେ ମିଶାଇ ତାଙ୍କର ଏକୋଇଶି ଜଣ ମାତ୍ର ଅନ୍ତରଙ୍ଗ ଶିଷ୍ୟ ଅଛନ୍ତି-। ମାତ୍ର ଡହରାନନ୍ଦ ଆମକୁ ତାଙ୍କର ଶିଷ୍ୟ ବୋଲି କହନ୍ତି ନାହିଁ । ସେ ଶିଷ୍ୟବାଦକୁ ଘୃଣା କରନ୍ତି-। ବରଂ ଚାମଚାବାଦ ଉପରେ ତାଙ୍କର ଖୁବ୍‍ ଆସ୍ଥା । ତେଣୁ ସେ ଆମ ଏକୋଇଶି ଜଣଙ୍କୁ ତାଙ୍କର ଚାମଚା ବୋଲି କହନ୍ତି । ତାଙ୍କ ମତରେ ଗୁରୁଶିଷ୍ୟ ସମ୍ବନ୍ଧ ଭିତରେ ଉଦ୍ଦେଶ୍ୟ ଥାଏ-। ଗୁରୁ ସବୁବେଳେ ଶିଷ୍ୟକୁ କିଛି ଦେବାକୁ ହଙ୍କହଙ୍କ ହେଉଥାନ୍ତି ଏବଂ ସେଇବାଟରେ ଶିଷ୍ୟକୁ ତାଙ୍କର ଅବନତ କରିବାର ଚେଷ୍ଟାରେ ଥାନ୍ତି । ଏବଂ ଶିଷ୍ୟ ମଧ୍ୟ ସବୁବେଳେ କିଛି ନେଇଯିବାକୁ ଓର ଉଣ୍ଡୁଥାଏ ଓ ସେଇବାଟରେ ଗୁରୁକୁ ଦେବାଲିଆ କରି ତାକୁ କବଳିତ କରିବା ଚେଷ୍ଟାରେ ଥାଏ-। କିନ୍ତୁ ଚାମଚାଗିରି ଖୁବ୍‍ ସୁନ୍ଦର କଥା । ଏହା ଏକ ନିଚ୍ଛକ ମନସ୍ତାତ୍ତ୍ଵିକ ବ୍ୟାପାର । ତୁମକୁ ଜଣେ ଭଲ ଲାଗିଲା–ବେଶ ତୁମେ ତା’ର ସ୍ୱତଃ ଜଣେ ଗୋଡ଼ାଣିଆ ବା ଚାମଚା ହେଲ–ତାକୁ ତୁମେ ‘ଗୁରୁ’ ‘ବାବା’, ‘ଦାଦା’, ‘ବଡ଼ଭାଇ’, ଅଥବା ‘ମାଷ୍ଟର’ ବୋଲି ଡାକିପାର । ମାତ୍ର ସେ ତୁମକୁ କିଛି ଦୀକ୍ଷା ଦେବ ନାହିଁ । ତୁମର ଦାୟିତ୍ୱ ନେବ ନାହିଁ । କିଛି ମନ୍ତ୍ର ଯନ୍ତ୍ର ବତାଇବ ନାହିଁ । ଖଣ୍ଡିଏ କବଚ ବା ଡେଉଁରିଆ ମଧ୍ୟ ଦେବ ନାହିଁ । ତାକୁ ମଧ୍ୟ ତା’ର ଚାମଚାମାନେ କେବଳ ଭଲ ଲାଗୁଥିବେ-। ଏହି ‘ଭଲ ଲାଗିବା’ ଭଳି ମନସ୍ତାତ୍ତ୍ଵିକ ଆବେଗଟିଏ ଛଡ଼ା ସେ ଦୁଇଜଣଙ୍କ ଭିତରେ ଆଉ କୌଣସି ପ୍ରକାର ଜଟିଳ ଦାବି, ଆଶା, ପ୍ରତ୍ୟାଶା ବା ଦାୟିତ୍ୱବୋଧ ନ ଥିବ ।

 

ଆମେ ଯେଉଁ ଏକୋଇଶିଜଣ ଅନ୍ତରଙ୍ଗ ଚେଲା ବା ଚାମଚା ବାବା ଡହରାନନ୍ଦଙ୍କୁ ଗତ ପନ୍ଦରବର୍ଷ ହେଲା ଘେରି କରି ରହିଛୁ–ଆମର କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ବା ଗୋଷ୍ଠିବାଦ ନାହିଁ । ଆମ୍ଭେମାନେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ମତବାଦର ପୃଷ୍ଠପୋଷକ ବା ସ୍ଳୋଗାନଧାରୀ ନୋହୁଁ । ଆମର ମାଷ୍ଟର ଡହରାନନ୍ଦ ଆମକୁ କେବଳ ତିନୋଟି କଥା ଉପରେ ନଜର ରଖିବାକୁ କହନ୍ତି । ପ୍ରଥମଟି ହେଲା–ସବୁକଥାରେ ହସ ଓ ସବୁକଥାକୁ ହସିକରି ଉଡ଼ାଅ । ଦ୍ଵିତୀୟ କଥାଟି ହେଲା–ପ୍ରତି ମୁହୂର୍ତ୍ତରେ ନିଜର କାଣ୍ଡଜ୍ଞାନ ବଢ଼ାଇଚାଲ । ତୃତୀୟ କଥାଟି ହେଲା–କେବେ ବି ଏମିତି ଜିନିଷ ମୁଣ୍ଡ ଉପରେ ରଖ ନାହିଁ, ଯାହା ତୁମକୁ ବୋଝ ଭଳି ଲାଗିବ–ଅଥବା ଯାହା ତୁମ ମୁଣ୍ଡରେ ଲଦି ହୋଇ ରହିଥିବ ଓ ତୁମେ ତାକୁ ଓହ୍ଲାଇ ପାରୁ ନ ଥିବ ।

 

ବାବା ଡହରାନନ୍ଦଙ୍କ ମତରେ ବର୍ତ୍ତମାନ ସମାଜରେ ମଣିଷମାନଙ୍କ ଭିତରେ ଏଇ ତିନୋଟି କଥାର ଘୋର ଅଭାବ ଦେଖାଦେଇଛି । ଯେତେଲୋକ ଏହି ତିନୋଟି ମହାବାକ୍ୟକୁ ନିଜ ଜୀବନରେ ଯେତେଦୂର ଅର୍ଜନ କରିବେ, ସମାଜରେ ମଣିଷର ଜୀବନ ସେତେକି ସୁଖମୟ ଓ ସ୍ୱଚ୍ଛନ୍ଦ ହୋଇ ଉଠିବ । ଏତେକ ନ ହେଲେ ମଣିଷ ଜୀବନରେ ଆଉ ସୁଖସ୍ୱାଚ୍ଛନ୍ଦ୍ୟର ଆଶା ନାହିଁ ।

 

ଜୀବନକୁ ସୁଖମୟ କରିବା ପାଇଁ ବାବା ଡହରାନନ୍ଦ ଏଇ ଯେଉଁ ମାତ୍ର ତିନୋଟି ସୂତ୍ର ବତାଇଛନ୍ତି–ତାହା ସେ କେଉଁଠି ତପସ୍ୟା ଫପସ୍ୟା କରି ପାଇନାହାନ୍ତି । କାରଣ ଜୀବନରେ ସେ କେବେ ଧ୍ୟାନ, ତପସ୍ୟା ବା ଯୋଗ ଫୋଗ କରିନାହାନ୍ତି । ଅତି ସାଧାରଣ ସଂସାରୀ ମଣିଷଟିଏ ଭଳି ସବୁ ସାଂସାରିକ ଝଡ଼ଝଞ୍ଜା ସହି ସେ ଜୀବନ ବଞ୍ଚି ଆସିଛନ୍ତି ଓ ଜୀବନରେ ସବୁପ୍ରକାର ନେଣଦେଣ ଛିଡ଼ାଇ ସାରି ସେ ବର୍ତ୍ତମାନ ସାରା ଓଡ଼ିଶା ବୁଲୁଛନ୍ତି ଓ ଅତ୍ୟନ୍ତ ଗୋପନରେ ଯୁବକଯୁବତୀମାନଙ୍କୁ ତାଙ୍କର ଏହି ଜୀବନଦର୍ଶନ ଶୁଣାଇ ଯାଉଛନ୍ତି । ପ୍ରୌଢ଼, ବୃଦ୍ଧ, ଜ୍ଞାନୀ, କର୍ମୀ, ଭକ୍ତ, ଭାବୁକ ଓ ଗୁଣୀ ଲୋକମାନଙ୍କୁ ସେ କେବେ କିଛି କହନ୍ତି ନାହିଁ । କାରଣ ତାଙ୍କ ମତରେ–ହସିବା ଓ ହସାଇବା, ବୋଝ ନ ବୋହିବା ଓ କାଣ୍ଡଜ୍ଞାନ ଅର୍ଜନ କରିବା–ଏହି ତିନୋଟି କଥାର ଗୁରୁତ୍ୱ ବା ଜୀବନରେ ଆବଶ୍ୟକତା ସେମାନଙ୍କୁ କେହି ବୁଝାଇ ପାରିବ ନାହିଁ । ସେମାନେ କେବେ ବି ଏକଥା ବୁଝିବେ ନାହିଁ । ବରଂ ଯୁବକଯୁବତୀମାନେ ହିଁ ଏ ସ୍ଥଳେ ବେଶ୍‍ ଉଦାର ଆଉ ଗ୍ରହଣଶୀଳ ।

 

ବାବା ଡହରାନନ୍ଦଙ୍କ ଜୀବନର ବିଶେଷତ୍ୱ ହେଲା–ସେ ବହୁ ବିଚିତ୍ର ନର ନାରୀଙ୍କ ସହ ଆନ୍ତରିକଭାବେ ମିଶିଛନ୍ତି । ମଣିଷ ଜୀବନର ବହୁ ରହସ୍ୟ, ରୋମାଞ୍ଚ ଓ ଖାଲଢ଼ିପ କଥା ତାଙ୍କୁ ବେଶ ଜଣାଅଛି । ବହୁ ଗଳ୍ପ ଓ କାହାଣୀ ମଧ୍ୟ ସେ ମନେ ରଖିଥାନ୍ତି ଓ ନିଜେ ମଧ୍ୟ ବହୁ କାହାଣୀ ସେ ତତ୍‌‌କ୍ଷଣାତ୍‍ ମନରୁ ଫାନ୍ଦି କହି ଦେଇ ପାରନ୍ତି । ପ୍ରକୃତରେ ସେ କାହାକୁ ତତ୍ତ୍ୱ ଫତ୍ୱ କହନ୍ତି ନାହିଁ । ସେ କେବଳ ଗଳ୍ପ କି କାହାଣୀଟିଏ କହନ୍ତି ଓ ତା’ ଭିତରେ ଜୀବନକୁ ବୁଝିବା ପାଇଁ ବେଶ କିଛି ମାଲ ମସଲା ଥାଏ । କିନ୍ତୁ ସେ ଯୋଉ ଗପ କହନ୍ତି ସେ ଗୁଡ଼ିକ ଆଦୌ ଗୁରୁଗମ୍ଭୀର କାହାଣୀ ନୁହଁ । ବରଂ ସବୁ ଗୁଡ଼ିକ ଊଣାଅଧିକେ ହସକଥା, ରସକଥା ନତୁବା ଥଟଲି କଥା । ଅସଂଖ୍ୟ ମଜାଗପ ସେ ଆମକୁ ଆଜି ପର୍ଯ୍ୟନ୍ତ ଶୁଣାଇ ଆସିଛନ୍ତି । ସେଥିରୁ ଯୋଉ ଗପଟି ମୋର ଯେତେବେଳେ ମନପଡ଼ିବ–ମୁଁ ତାହା ଆଗ୍ରହୀ ପାଠକପାଠିକାମାନଙ୍କୁ ପ୍ରତି ରବିବାର ଦିନ ନିଶ୍ଚୟ ଶୁଣାଇବି ।

 

....ଏବେ ପ୍ରଥମେ ଆମେ ବାବା ଡହରାନନ୍ଦଙ୍କ କଥିତ ସେହି ମଜା ଗପଟି ଆରମ୍ଭ କରିବା–ଯୋଉ ଗପଟିକୁ ସେ ଥରେ ଏକ ଗ୍ରୀଷ୍ମ ସନ୍ଧ୍ୟାରେ ଭୁବନେଶ୍ୱର ଇନ୍ଦିରା ପାର୍କରେ ବସିଥିବା କତିପୟ ଯୁବକମାନଙ୍କ ଆଗରେ କହିଥିଲେ ।

 

ତିନି ହସକୁଡ଼ା ସାଧୁଙ୍କ କାହାଣୀ

 

ଭୁବନେଶ୍ୱରର ଗୋଟିଏ ଗ୍ରୀଷ୍ମସନ୍ଧ୍ୟା । ଶୀତଳପବନ ବହୁଥାଏ । ଇନ୍ଦିରା ପାର୍କରେ ସେଦିନ ବହୁଲୋକ ଏଠି ସେଠି ଜମାହୋଇ କ୍ଳାନ୍ତି ଅପନୋଦନ କରୁଥାନ୍ତି । ଗୋଟିଏ ଗଛମୂଳେ ଚାରିପାଞ୍ଚଜଣ ଯୁବକ ଚୁପ୍‌ଚାପ୍‍ ବସି ଚିନାବାଦାମ ଖାଉଥିଲେ । ବାବା ଡହରାନନ୍ଦ ସେମାନଙ୍କ ପାଖରେ ଯାଇ ଠିଆହେଲେ । ଜଣେ ଯୁବକ ଏହି ଅଦ୍ଭୁତ ବେଶଧାରୀ ମଣିଷଟିକୁ ଦେଖି ପଚାରିଲେ–କ’ଣ ଆପଣ ଚାହାନ୍ତି ? ଆପଣ କିଏ ? ଆପଣଙ୍କୁ ଦେଖିଲେ ମନେ ହେଉଛି ଆପଣ ଜଣେ ସନ୍ନ୍ୟାସୀ ହୋଇପାରନ୍ତି–କିମ୍ବା ପାଗଳ ହୋଇପାରନ୍ତି–କିମ୍ବା ଜଣେ ଜୋକର ମଧ୍ୟ ହୋଇପାରନ୍ତି । କାହିଁକି ଆପଣ ଏଠି ଆମ ଆଡ଼କୁ ଚାହିଁ ଠିଆ ହୋଇଛନ୍ତି ?

 

ବାବା ଡହରାନନ୍ଦ ନିଜର ପରିଚୟ ଦେଇ କହିଲେ–ଆପଣମାନେ ଠିକ୍‍ ଠଉରାଇଛନ୍ତି । ମୁଁ ଏକାଧାରରେ ଜଣେ ସନ୍ନ୍ୟାସୀ ଓ ଜୋକର୍‍ ବା ବିଦୂଷକ ମଧ୍ୟ । କିନ୍ତୁ ପ୍ରଚଳିତ ଅର୍ଥରେ ଆଦୌ ପାଗଳ ନୁହେଁ । ମୋର କିଛିମାତ୍ର ମତଲବ ନାହିଁ । ମୁଁ କେବଳ କିଛି ସମୟ ଲାଗି ଆପଣମାନଙ୍କ ସହ ସାଙ୍ଗ ହୋଇ ବସିବାକୁ ଚାହୁଁଛି । ମୁଁ ମଜାଗପ କହିପାରେ । ଆପଣମାନେ ଚାହିଁଲେ, ମୁଁ ଆପଣମାନଙ୍କୁ ମଜା ଗପଟିଏ କହିସାରି ପୁଣି ଆପଣା ବାଟରେ ଚାଲିଯିବି । ବିନିମୟରେ ଆପଣମାନଙ୍କଠାରୁ ଚିଦାବାଦାମଟିଏ ନେବି ନାହିଁ ।

 

ଯୁବକମାନେ ଏ କଥାରେ ଖୁବ୍‍ କୌତୁକ ଓ କୌତୁହଳ ବୋଧକଲେ । ଡହରାନନ୍ଦଙ୍କ ଚେହେରା ଓ କଥାବାର୍ତ୍ତାରେ ଏକପ୍ରକାର ସରଳତା ଓ ନିରୀହତା ଥିଲା । ଆଉ ମଧ୍ୟ ବେଶ୍‍ ସରସ ଭଦ୍ରତା ଥିଲା । ତେଣୁ ସେମାନେ ଡହରାନନ୍ଦଙ୍କୁ ପାଖକୁ ଡାକି ବସାଇଲେ ଓ ମଜାଗପଟି କହିବାକୁ ଅନୁରୋଧ କଲେ । ଡହରାନନ୍ଦ ଗପଟିଏ କହିବାକୁ ପାଟି ଖୋଲିଛନ୍ତି କି ନାହିଁ–ହଠାତ୍‍ ଯୁବକଟିଏ ପଚାରିଦେଲା–ଆଚ୍ଛା ବାବାଜି ! ମୋର ଏଇ ଗୋଟିଏ ପ୍ରଶ୍ନର ଉତ୍ତର ସଂକ୍ଷେପରେ ଦେଇସାରି ଗଳ୍ପଟି ଆରମ୍ଭ କର । ମୋ ପ୍ରଶ୍ନଟି ହେଲା–ମଣିଷ ଜୀବନର ପ୍ରକୃତ ଉଦ୍ଦେଶ୍ୟ କ’ଣ ?

 

ଡହରାନନ୍ଦ ହସି ହସି କହିଲେ–ମୋତେ ତାହା ଜଣା ନାହିଁ । ତେବେ ଜନ୍ମ ହୋଇସାରିଲେଣି ଯଦି, ତେବେ ହସିହସି ବଞ୍ଚିବା ଓ ହସିହସି ମଧ୍ୟ ମରିବା ।

 

ଯୁବକଟି ପଚାରିଲା–ଏହା ସହଜକଥା ନୁହେଁ । ତେବେ କିଛି ପରିମାଣରେ ହସିହସି ବଞ୍ଚିହେବ । କିନ୍ତୁ ହସି ହସି ମରିବା ସହଜ କଥା ନୁହେଁ ।

 

ଡହରାନନ୍ଦ କହିଲେ–କେବଳ ନିଜେ ହସି ହସି ମରିବ ନାହିଁ–ତୁମେ ମଲାବେଳେ କେମିତି ଅନ୍ୟମାନେ ହସିହସି ବେଦମ୍‍ ହେବେ, ତା’ ଚେଷ୍ଟା ମଧ୍ୟ କରିବା ଉଚିତ୍‍ । ଶୁଣ–ମୁଁ ତୁମକୁ ମଜାକଥାଟିଏ କହୁଛି–ସେଇଥିରୁ ତୁମେମାନେ ସବୁ କଥା ବୁଝିଯିବ । ଶୁଣ–

 

ଗୋଟିଏ ରାଜ୍ୟରେ ତିନିଜଣ ହସୁକୁରା ସାଧୁ ଥିଲେ । ସେମାନେ ଗ୍ରାମରୁ ଗ୍ରାମାନ୍ତର ବୁଲୁଥାନ୍ତି ଏବଂ ସେଇ ସବୁ ଦୁଃଖ ଆଉ ନେଫେଡ଼ାମୁହାଁ ମଣିଷମାନଙ୍କୁ ହାସ୍ୟରସ ବା ହାସ୍ୟଯୋଗ ମାଧ୍ୟମରେ ଭଗବାନଙ୍କୁ ପାଇବାର କୌଶଳ ବତାଉଥାନ୍ତି ।

 

ସେମାନେ କ’ଣ କରନ୍ତି ନା, ପ୍ରତି ଗ୍ରାମ ବା ସହରର ହାଟ ବା ବଜାରଛକ ଉପରେ ବସି ହସିବାକୁ ଆରମ୍ଭ କରିଦିଅନ୍ତି । ଏହା ଦେଖି ତାଙ୍କ ଚାରିପଟେ ଲୋକେ ଆସି ଘେରିଯାନ୍ତି ଓ ସେହିଁ ସାଧୁମାନଙ୍କର ଅନର୍ଗଳ ହସଦ୍ୱାରା ସଂକ୍ରମିତ ହୋଇ ନିଜେ ନିଜେ ହସିବାକୁ ଲାଗନ୍ତି । ସେ ହସ କ୍ରମେ ଏତେ ପ୍ରବଳ ଆଉ ତୁମୁଳ ହୁଏ ଯେ, ସେମାନଙ୍କ ଭିତରୁ କାହାର ହସୁହସୁ କାନ୍ଦ ଆରମ୍ଭ ହୋଇଯାଏ–କାହାକାହାର ହସୁହସୁ ଶ୍ଵାସ ବାହାରିପଡ଼େ–ଏବଂ କେହି କେହି ହସୁହସୁ ପରିସ୍ରା ମଧ୍ୟ କରିପକାନ୍ତି । ଏହି ଭାବରେ ପ୍ରାୟ ଅଧଘଣ୍ଟାଏ ହସିଲାପରେ ସମସ୍ତେ ହଠାତ୍‍ ନୀରବ ହୋଇଯାନ୍ତି । ଏବଂ କ୍ଳାନ୍ତ ହୋଇ ଘୁମାଇପଡ଼ନ୍ତି । ସେହି ଘୁମାଇବା ଅବସ୍ଥାରେ ସେମାନଙ୍କୁ ଲାଗେ ସତେ କି ସେମାନେ ଅପୂର୍ବ ଏକ ଶାନ୍ତିଧାମରେ ପହଞ୍ଚିଯାଇଛନ୍ତି ଏବଂ ଭଗବାନଙ୍କ ଭଳି କେହିଜଣେ ସେମାନଙ୍କୁ ଆଉଁସି ଆଉଁସି ଶୁଆଇ ପକାଉଛନ୍ତି । ସେ ଆନନ୍ଦ କଥାରେ କହି ହେବନାହିଁ ।

 

କହିବା ବାହୁଲ୍ୟ ଯେ, ସେହି ହସୁକୁରା ସାଧୁ ମାନଙ୍କର ଲୋକପ୍ରିୟତା ବଢ଼ିଗଲା । ଗ୍ରାମେ ଗ୍ରାମେ ସହରେ ସହରେ ସେମାନଙ୍କ ଭକ୍ତ ସଂଖ୍ୟା ମଧ୍ୟ ବଢ଼ିଚାଲିଲେ । ସୁଖର କଥା ହେଲା–ସେମାନେ ଯେଉଁ ଗ୍ରାମ ବା ସହରକୁ ଯାଉଥିଲେ, ସେଠାରେ ସେମାନେ ଥିବା ପର୍ଯ୍ୟନ୍ତ ଉଚ୍ଚକିତ ହାସ୍ୟରୋଳ ବ୍ୟତୀତ ଆଉ କୌଣସି ରୋଳ ଶୁଣାଯାଉ ନ ଥିଲା । ଜପ ଜତପ ଭଜନ କୀର୍ତ୍ତନ ଧ୍ୟାନ ଧାରଣା ଓ ବ୍ରହ୍ମଚର୍ଯ୍ୟାଦି ଏଣୁତେଣୁ ବାଜେ ଦୁଷ୍କର ବିଷୟ ନଥିବାରୁ କ୍ରମଶଃ ସ୍କୁଲକଲେଜର ଯୁବଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ବହୁ ସଂଖ୍ୟାରେ ଆସି ସେହି ହସୁକୁରା ତିନିସାଧୁଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ଏବଂ ସେହି ହାସ୍ୟ–କୀର୍ତ୍ତନରେ ଯୋଗଦେଲେ । ଏହିଭାବେ ଏହି ବ୍ୟାପାରଟି ଚତୁର୍ଦ୍ଦିଗରେ ବ୍ୟାପିବାକୁ ଲାଗିଲା......

 

ଦିନକର କଥା, ସେହି ହସୁକୁରା ସାଧୁତ୍ରୟୀ ଗୋଟିଏ ଗ୍ରାମରେ ଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣେ ସାଧୁ ପ୍ରବଳ ହାସ୍ୟକୀର୍ତ୍ତନରେ ନିମଗ୍ନ ଥିଲାବେଳେ, ହଠାତ୍‍ ତାଙ୍କର ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇଯିବାର ଉପକ୍ରମ ହେଲା ଏବଂ ସେ ହସି ହସି ଏହି ହାସ୍ୟଲୀଳା ସମ୍ବରଣ କଲେ । ଅର୍ଥାତ୍‍ ଆମ ଭାଷାରେ ମରିଗଲେ । ତାଙ୍କ ଶବସତ୍କାର ଲାଗି ସେ ସ୍ଥାନରେ ବିପୁଳ ସଂଖ୍ୟାରେ ଲୋକ ଆସି ଜମାହେଲେ । ସେମାନେ ଆସି ଦେଖିଲେ ଯେ, ଗୋଟିଏ ସାଧୁ ମରି ମରିପଡ଼ିଛନ୍ତି ଓ ଅନ୍ୟ ସାଧୁଦ୍ୱୟ ହସି ହସି ସେ ଶବଉପରେ ଲୋଟି ପଡ଼ୁଛନ୍ତି । ସେହି ଗ୍ରାମବାସୀମାନେ ପୂର୍ବରୁ ହାସ୍ୟଯୋଗରେ ଦୀକ୍ଷିତ ହୋଇଥିଲେ ବି ଏପରି ଶୋକପ୍ରଦ ଅବସ୍ଥାରେ ସାଧୁଦ୍ୱୟଙ୍କର ଏପରି ହସ୍ୟକର ବ୍ୟବହାର ଦେଖି ସେମାନେ କିଞ୍ଚିତ୍‍ ରୁଷ୍ଟ ଆଉ ଅସନ୍ତୁଷ୍ଟ ହେଲେ-। କିନ୍ତୁ ସେମାନେ ଆଉ ଅଧିକ କାଳକ୍ଷେପଣ ନ କରି ଯଥାବିଧିରେ ମୃତ–ସାଧୁଙ୍କର ଶବସତ୍କାରର ବ୍ୟବସ୍ଥା ଆରମ୍ଭ କଲେ । ଏହା ଦେଖି ଜୀବିତ ସାଧୁଦୁଇଜଣଙ୍କ ଭିତରୁ ଜଣେ କହିଲେ–

 

ହେ ହାସ୍ୟ ପରାୟଣ ଭକ୍ତବୃନ୍ଦ !

 

ତୁମେମାନେ ଏହି ମୃତସାଧୁଙ୍କୁ ମାଟିତଳେ ସମାଧି ଦିଅନାହିଁ । ଚିତାଗ୍ନି ପ୍ରସ୍ତୁତ କରି ସେଥିରେ ଏହି ଶବକୁ ଦଗ୍‌ଧ କର ।

 

ଭକ୍ତମାନେ ସେହି ବ୍ୟବସ୍ଥା କଲେ । ମାତ୍ର ଜୀବିତ ସାଧୁଦ୍ୱୟଙ୍କ ଭିତରୁ ଜଣେ ପୁଣିଥରେ କହିଲେ–

 

ହେ ହାସ୍ୟ ବିନୋଦୀ ଭକ୍ତମାନେ ! ଏହି ମୃତ ସାଧୁଙ୍କର ସମସ୍ତ ବ୍ୟବହୃତ କନ୍ଥାକମ୍ବଳାଦି ଏଠାରେ ଅଛି । ତୁମେମାନେ ସେଗୁଡ଼ିକ ଯେପରି ଅଛି, ସେହିପରି ଭାବରେ ନେଇ ତାଙ୍କ ଶବଉପରେ ରଖ ଓ ତା’ ପରେ ଶବଦେହରେ ଅଗ୍ନିସଂଯୋଗ କର । କାରଣ, ଏହା ହିଁ ଥିଲା ସେହି ସାଧୁମହାତ୍ମାଙ୍କର ଅନ୍ତିମ ଇଚ୍ଛା ।

ଏହା ଶୁଣି ଶବସତ୍କାରମାନେ ସେହି ମୃତ ସାଧୁଙ୍କର ପରିତ୍ୟକ୍ତା କନ୍ଥାକମ୍ବଳାଦି ଆଣି ଚିତାଉପରେ ଶାୟିତ ସାଧୁଙ୍କ ଶବଉପରେ ଜମା କଲେ । ଏହାପରେ ଅଗ୍ନି ସଂଯୋଗ କରନ୍ତେ ଶବଟି ପ୍ରବଳ ବେଗରେ ଜଳିବାକୁ ଲାଗିଲା ।

କିନ୍ତୁ ଏ କ’ଣ ? ଏ କ’ଣ ? ଏ କ’ଣ ହେଲା ? ଯେତେବେଳେ ସେହି ପରିତ୍ୟକ୍ତ କନ୍ଥାକମ୍ବଳ ଭିତରେ ନିଆଁ ଧରିଲା, ସେତେବେଳେ ସେଥିରୁ ହଠାତ୍‍ ଢୋଢ଼ା ହୋଇ ଶବ୍ଦମାନ ଉଠିଲା ଏବଂ ସେହି ଶବ୍ଦସହିତ ତା’ ଭିତରୁ କୁଂପିବାଣ, ହାବେଳୀ, ଚକ୍ରୀ ଇତ୍ୟାଦି ଅସଂଖ୍ୟ ଆତସବାଜୀ ଫୁଟି ଚତୁର୍ଦ୍ଦିଗକୁ ପ୍ରସରିଗଲେ ଏବଂ ଚତୁର୍ଦ୍ଦିଗ ସେହି ଆତସବାଜୀ ବିସ୍ଫୋରଣର ଶବ୍ଦ ଓ ଆଲୋକରେ ହାଲୋଳମୟ ହୋଇଉଠିଲା । ଏହା ଦେଖି ଓ ଶୁଣି ସେହି ଜୀବିତ ସାଧୁଦ୍ୱୟ ପ୍ରବଳ ବେଗରେ ହସିବାକୁ ଆରମ୍ଭ କଲେ । ସମବେତ ଶୋକାଭିଭୂତ ଜନତା ପ୍ରଥମେ ଏହି ଅଭାବିତ କାଣ୍ଡ ଦେଖି ଚକିତ ହୋଇଗଲେ । କିନ୍ତୁ ସେହି ଚକିତଭାବ ନିମିଷକେ ଉଭାଇଗଲା ଏବଂ ସେମାନେ ସମସ୍ତେ ହଠାତ୍‍ ହସିବାକୁ ଆରମ୍ଭ କରିଦେଲେ । ହସିହସି ସେମାନେ ଭୂଇଁରେ ଲୋଟିବାକୁ ଲାଗିଲେ । ଅତଃପର ସେଠାରେ ସମବେତ ସମସ୍ତ ନରନାରୀ ମଣ୍ଡଳାକାରରେ ତାଳିମାରି ସେହି ପ୍ରଜ୍ଵଳିତ ଚିତାଗ୍ନି ଚାରିପଟେ ହାସ୍ୟକୀର୍ତ୍ତନ କରି ଘୂରିବାକୁ ଲାଗିଲେ ଓ ନୃତ୍ୟ ମଧ୍ୟ କରିବାକୁ ଲାଗିଲେ । ପ୍ରକୃତରେ ଶବସତ୍କାରର ଏହି ଦୃଶ୍ୟଟି ଥିଲା ଯେପରି ଅଭିନବ, ସେହିପରି ହାସ୍ୟକର ।

ଅସଲ କଥାଟି କିନ୍ତୁ ହେଲା–ସେହିସବୁ କନ୍ଥାକମ୍ବଳ ଭିତରେ ଜୀବିତ ସାଧୁଦ୍ୱୟ ବହୁପ୍ରକାର ଆତସବାଜି ରଖି ସେଗୁଡ଼ିକୁ ସିଲାଇ କରି ଦେଇଥିଲେ, ଏହା କିନ୍ତୁ କାହାକୁ ଜଣା ନ ଥିଲା । ବର୍ତ୍ତମାନ ଏହି ଶବସତ୍କାର କ୍ରିୟାଟି ଗୋଟିଏ ଆନନ୍ଦମୁଖର ଅଗ୍ନିତ୍ସବରେ ପରିଣତ ହେଲା ।

ଏତିକି କହି ବାବା ଡହରାନନ୍ଦ କହିଲେ–ଏଣିକି ଶବସତ୍କାର ପ୍ରୋସେସନ ଓ ବିବାହ ପ୍ରୋସେସନ ଭିତରେ କୌଣସି ତଫାତ୍‍ ରହିବ ନାହିଁ । ବର ବାହାହେବାକୁ ଗଲାବେଳେ ଯେମିତି ବାଜାବଜାଇ, ବାଣଫୁଟାଇ ଯାଏ–ଏଣିକି ଶବକୁ ମଶାଣିକୁ ନେଲାବେଳେ ଏହିଭଳି ବାଜା ଓ ବାଣଫୁଟା ଚାଲିବ । ତା’ହେଲେ ଯାଇ ତୁମେ ବୁଝିବ ସେ କିପରି ହସି ହସାଇ ମରିବାକୁ ହୁଏ ।

ଜଣେ ଯୁବକ ହସିହସି ପଚାରିଲେ–କିପରି ହସି ହସାଇ ମରିବାକୁ ହୁଏ ଜାଣିଲୁ–କିନ୍ତୁ ଏହି ଦୁଃଖ ବିପଦପୂର୍ଣ୍ଣ ଜୀବନରେ କିପରି ଭଲ ସର୍ବଦା ହସି ହସାଇ ବଞ୍ଚିବାକୁ ହେବ ?

ପ୍ରଶ୍ନଶୁଣି ବାବା ଡହରାନନ୍ଦ କହିଲେ–ଆସନ୍ତାକାଲି ସନ୍ଧ୍ୟାବେଳେ ତୁମେମାନେ ପୁନର୍ବାର ଏଠାକୁ ଆସିବ । ମୁଁ ତୁମମାନଙ୍କୁ ଆଉ ଗୋଟିଏ ମଜାକଥା କହିବି–ସେଥିରୁ ତୁମେମାନେ ତୁମ ପ୍ରଶ୍ନର ଉତ୍ତର ପାଇଯିବ ।

☆☆☆

 

ଅଥ ଝିଟିପିଟି ସମ୍ବାଦ

 

ତା’ପରଦିନ ଠିକ୍‍ ଛଅଟା ବେଳକୁ ବାବା ଡହରାନନ୍ଦ ଇନ୍ଦିରା ପାର୍କରେ ପହଁଚି ଦେଖିଲେ ଯେ ଗତକାଲିର ଯୁବକମାନେ ସମସ୍ତେ ତାଙ୍କଠାରୁ ଗଳ୍ପ ଶୁଣିବା ପାଇଁ ଆଗରୁ ଆସି ସେଠାରେ ଅପେକ୍ଷା କରିଛନ୍ତି । ଯୁବକମାନଙ୍କର ଆଗ୍ରହ ଦେଖି ତାଙ୍କୁ ଖୁବ୍‍ ଉତ୍ସାହିତ ଲାଗିଲା । ସେମାନେ ମଧ୍ୟ ସମସ୍ତେ ବସିଲା ଥାନରୁ ଉଠିଆସି ଡହରାନନ୍ଦଙ୍କୁ ମହୋଲ୍ଲାସରେ ସ୍ୱାଗତ କରିନେଲେ । ପୁନର୍ବଦିନର ସେହି କୁଦ ଉପରେ ସମସ୍ତେ ବସନ୍ତେ–ଜଣେ ଯୁବକ କହିଲେ–ବାବା-! ଜଣେ କିପରି ହସି ହସାଇ ମରିପାରିବ, ସେ ଗଳ୍ପ ଆପଣଙ୍କଠାରୁ କାଲି ଶୁଣିଛୁ । ଆମର ପ୍ରଶ୍ନ ଥିଲା–ଜଣେ କିପରି ହସି ହସାଇ ବଞ୍ଚିବ ? ଆପଣ ଆମକୁ ସେହି ମର୍ମରେ ଗଳ୍ପଟିଏ କହନ୍ତୁ-

 

ଡହରାନନ୍ଦ କହିଲେ–ବତ୍ସଗଣ ! ମୁଁ ତୁମକୁ ଝିଟିପିଟିମାନଙ୍କୁ ନେଇ ଗଳ୍ପଟିଏ କହୁଛି–ଶୁଣ ।

 

ପୂର୍ବ ଭାରତର କୌଣସି ଏକ ରାଜ୍ୟରେ ଜଣେ ସନ୍ନ୍ୟାସୀ ଥିଲେ । ସେ ଆଗତ ଭବିଷ୍ୟତ କହିପାରୁଥିବାରୁ ତାଙ୍କ ପାଖକୁ ବହୁ ଲୋକସମାଗମ ହେଉଥିଲା । ପ୍ରତିମାସର ସଂକ୍ରାନ୍ତି, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସେହି ଯୋଗୀବର ଅନ୍ନକୂଟ ମହୋତ୍ସବ କରନ୍ତି । ଏବଂ ସେଥିରେ ବହୁ ଭକ୍ତ ଯୋଗ ଦିଅନ୍ତି । ଦିନରାତି ନାମ ସଂକୀର୍ତ୍ତନ, ଭଜନ କୀର୍ତ୍ତନ ଚାଲିଥାଏ । ଏବଂ ହଣ୍ଡା ହଣ୍ଡା ଅନ୍ନ ବ୍ୟଞ୍ଜନ ରନ୍ଧାହୋଇ ଅହୋରାତ୍ର ପ୍ରସାଦସେବନ ମଧ୍ୟ ଚାଲିଥାଏ । ଏହି ଉପଲକ୍ଷେ ବହୁ ଭକ୍ତ ବସ୍ତାବସ୍ତା ଚାଉଳ, ଗହମ, ଡାଲି, ପରିବା, ଦୁଧ ଇତ୍ୟାଦି ଆଣି ସନ୍ନ୍ୟାସୀଙ୍କ ପାଖେ ଭେଟି ଦିଅନ୍ତି ।

 

ଦିନେ ସେହି ସନ୍ନ୍ୟାସୀ ତାଙ୍କ ମଠରେ ବସିଥାନ୍ତି । ଏମନ୍ତ ସମୟରେ ଜଣେ ଭକ୍ତ ବସ୍ତାଏ ସରୁ ଅରୁଆ ଚାଉଳ ଆଣି ତାଙ୍କ ପାଖେ ରଖି ପ୍ରଣାମ କଲେ । ସନ୍ନ୍ୟାସୀ କହିଲେ–ବତ୍ସ ! ବସ୍ତାଟି ଚଞ୍ଚଳ ଖୋଲିଦିଅ । ଭକ୍ତ ଜଣକ ବସ୍ତାଟି ଖୋଲିଦେଲା ମାତ୍ରେ ତା’ ଭିତରୁ ସୁସ୍ଥ ସବଳ ଅଣ୍ଡିରା ଝିଟିପିଟିଟିଏ ବାହାରି ସନ୍ନ୍ୟାସୀଙ୍କ କୋଳରେ ପଡ଼ିଲା । ସନ୍ନ୍ୟାସୀ ପରମ କଲ୍ୟାଣରେ ତାକୁ ଆଉଁସି ଦେଲେ ଏବଂ କହିଲେ–ଯା ବାବା ଯା–କାନ୍ଥ ଉପରକୁ ଉଠିଯା । ଖୁବ୍‍ ଶୀଘ୍ର ପନ୍ଦର ମିନିଟ୍‍ ଭିତରେ ତୋ’ ଜୀବନ–ସାଥୀ ଆସି ତୋ’ ପାଖରେ ହାଜର ହୋଇଯିବ । ଯା କାନ୍ଥରେ ବସି ତାକୁ ଅପେକ୍ଷା କର । ଆଦେଶ ପାଇବା ମାତ୍ରେ ଝିଟିପିଟି ତାଙ୍କ କୋଳରୁ ତଳକୁ ଡେଇଁ ପଡ଼ିଲା ଓ ସରସର ହୋଇ ତୀରବେଗରେ କାନ୍ଥ ଉପରକୁ ଉଠିଗଲା ।

 

ଝିଟିପିଟି ବସ୍ତାରୁ ବାହାରିବା–ସନ୍ନ୍ୟାସୀଙ୍କ କୋଳକୁ ଡେଇଁବା–ସନ୍ନ୍ୟାସୀ ତାକୁ ଆଉଁସିବା ଓ ତାକୁ ଏପରି ଗୂଢ଼କଥା କହିବା ଇତ୍ୟାଦି ବ୍ୟାପାର ଦେଖି ଶୁଣି ଭକ୍ତଟି ବଡ଼ ଆଶ୍ଚର୍ଯ୍ୟ ହେଉଥାଏ ଓ ପରବର୍ତ୍ତୀ ଅଲୌକିକ ଘଟଣାଟିକୁ ଅପେକ୍ଷା କରୁଥାଏ । ଠିକ୍‍ ପନ୍ଦରମିନିଟ୍‍ ଭିତରେ ଆଉ ଜଣେ ଭକ୍ତ ବସ୍ତାଏ ମୁଗଡ଼ାଲି ଆଣି ସେଠାରେ ପହଞ୍ଚିଲେ ଏବଂ ବସ୍ତାଟିକୁ ଥୋଇବା ମାତ୍ରେ ସନ୍ନ୍ୟାସୀ କହିଲେ–ଆଗ ଚଞ୍ଚଳ ବସ୍ତା ମୁହଁଟି ଖୋଲିଦିଅ । ଭକ୍ତଟି ତା’ ବସ୍ତା ମୁହଁଟିକୁ ଖୋଲିଦେବା ମାତ୍ରେ ତା’ ଭିତରୁ ମଧ୍ୟ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣା ଯୌବନାବତୀ ମାଈ ଝିଟିପିଟିଟିଏ ବାହାରି ପଡ଼ି ସନ୍ନ୍ୟାସୀଙ୍କ କୋଳକୁ ଡେଇଁ ପଡ଼ିଲା । ସନ୍ନ୍ୟାସୀ ତାକୁ ମଧ୍ୟ ପୂର୍ବବତ୍‍ ପରମ କଲ୍ୟାଣରେ ଆଉଁସି ଆଉଁସି ହସି ହସି କହିଲେ–ଯା’ ମା ! ଯା ! କାନ୍ଥ ଉପରକୁ ଉଠିଯା । ଦେଖ୍‍–ସେଠି କାନ୍ଥ ଉପରେ ତୋ ଭାବୀ ଗେରସ୍ତ ତୋ ଲାଗି ଅପେକ୍ଷା କରି ବସିଛି । ଶୁଣିବା ମାତ୍ରେ ସେହି ମାଇ ଝିଟିପିଟି କ୍ଷିପ୍ରବେଗରେ ସନ୍ନ୍ୟାସୀଙ୍କ କୋଳରୁ ଡେଇଁ ପଡ଼ି କାନ୍ଥ ଉପରକୁ ଉଠିଗଲା–ଏବଂ ସେଠାରେ ତଳକୁ ମୁହଁ କରି ଅପେକ୍ଷା କରିଥିବା ଅଣ୍ଡିରା ଝିଟିପିଟି ପାଖରେ ଯାଇ ପହଁଚିବା ପୂର୍ବରୁ, ଅଣ୍ଡିରା ଝିଟିପିଟି କିଞ୍ଚିତ୍‍ ତଳକୁ ଖସିଆସି ମାଈ ଝିଟିପିଟିକୁ ପ୍ରଚଣ୍ଡ କାମାବେଗରେ ଆଲିଙ୍ଗନ କଲା ଏବଂ ପ୍ରାୟ ରେପ୍‍କଲା ଭଳି ତାହା ସହ ଯୌନ ସଙ୍ଗମ ଆରମ୍ଭ କରିଦେଲା । ମାଈ ଝିଟିପିଟି ଏହି ବଳାତ୍କାର ପ୍ରାଣିତ ରମଣକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କଲା ।

 

ଅତଃପର ସେ ଦୁହେଁ କିଲିକିଲିଆ ହୋଇ ସିନେମାରେ ନାୟକନାୟିକା ଗୋଡ଼ିଆଗୋଡ଼ି ହେଲାପରି କାନ୍ଥଜାକ ଘୂରି ଘୂରି ପ୍ରେମଖେଳ ଖେଳିଲେ । ଏବଂ କିଛିକ୍ଷଣ ପରେ କାନ୍ଥର ଗୋଟିଏ କୋଣରେ ଦୁହେଁଯାକ ଲଗାଲାଗି ହୋଇ ଶୋଇ ପଡ଼ିଲେ । ଏଣେ, ସନ୍ନ୍ୟାସୀଙ୍କ ସହିତ ସେହି ଭକ୍ତ ଦୁଇଜଣ ଝିଟିପିଟିମାନଙ୍କର ଏହି ଚମତ୍କାର ପ୍ରାଣଲୀଳା ଦେଖି ଆହ୍ଲାଦିତ ହେଉଥାନ୍ତି । ବର୍ତ୍ତମାନ ସନ୍ନ୍ୟାସୀ ସେଇ ଭକ୍ତଦ୍ୱୟଙ୍କ ଉଦ୍ଦେଶ୍ୟରେ କହିଲେ–ଏବେ ତୁମେମାନେ ନିଜ ଗୃହକୁ ଫେରିଯାଇ ନିଜ ନିଜ ସ୍ତ୍ରୀମାନଙ୍କ ସହିତ ଏହି ଆନନ୍ଦମୟ ଝିଟିପିଟି ମାନଙ୍କପରି ଦାମ୍ପତ୍ୟ ସୁଖ ଉପଭୋଗ କର । ଭକ୍ତଦ୍ୱୟ ଏହି ଉପଦେଶକୁ ମନରେ ଧରି ଯେ ଯାହାର ଗୃହକୁ ଫେରିଗଲେ ।

 

ବାସ୍‍–ସେଇଦିନଠୁଁ ସେହି ଝିଟିପିଟି ଦମ୍ପତି ମହାନନ୍ଦରେ ସନ୍ନ୍ୟାସୀଙ୍କ କୋଠରୀରେ ବାସକଲେ । ସେ ଘରେ ଠାକୁରଙ୍କ ପାଖେ ଦୁଇଟି ଦୀପ ଜଳୁଥାଏ ଓ ତା’ ଚାରିପଟେ ଅସଂଖ୍ୟ ପୋକ ଜମା ହୁଅନ୍ତି । ସେହି ପୋକମାନଙ୍କୁ ଖାଇ ଓ ଭଣ୍ଡାର ଘରେ ଜମିଥିବା ଅସରପାମାନଙ୍କୁ ଉଦରସ୍ଥ କରି ସେମାନେ ବେଶ୍‍ ସୁସ୍ଥସବଳ ଜୀବନ କଟାଉଥାନ୍ତି । ମଧ୍ୟେ ମଧ୍ୟେ ଯୌନ ସଙ୍ଗମ ସୁଖ ଭୋଗ କରିସାରି ଚୁପ୍‌ଚାପ୍‍ ଶୋଇରହନ୍ତି । ସେମାନଙ୍କର ଆଉ କୌଣସି ଚିନ୍ତା ନଥାଏ । ବିପଦ ଆପଦର ଆଶଙ୍କା ବା ଭୟ ମଧ୍ୟ ନଥାଏ । ସେମାନଙ୍କର ବର୍ଷକୁ ଥରେ ଦୁଇଟି କରି ଛୁଆ ହୁଅନ୍ତି ଓ ସେମାନେ କିଞ୍ଚିତ୍‍ ବଡ଼ ହେଲା ମାତ୍ରେ ଅନ୍ୟ କୋଠରୀକୁ ଜୀବନଲୀଳା ସମ୍ପାଦନ କରିବା ପାଇଁ ଚାଲିଯାନ୍ତି । କିନ୍ତୁ ସେ ଦୁଇଜଣ ଆଉ ସେ କୋଠରୀ ଛାଡ଼ି କୁଆଡ଼େ ଯାନ୍ତି ନାହିଁ । ସବୁବେଳେ ସେ ଦୁହେଁ ଏକାଠି ଥାନ୍ତି । ସେମାନଙ୍କର ମଧ୍ୟ ଆଉ କିଛି ଅଭିଳାଷ ନଥାଏ । ସେମାନଙ୍କ ଜୀବନରେ ମିଥ୍ୟାଚାର ବା ଛଳନା ନଥାଏ । ଅଧିକା କିଛି ଅଧିକାର ବା ସଂଗ୍ରହ କରିବା ଲାଗି ଆଗ୍ରହ ମଧ୍ୟ ନଥାଏ । ସେମାନେ ସବୁବେଳେ ସେ କୋଠରୀରେ ରହୁଥିଲେ ବି, ନିଜଆଡ଼ୁ କୌଣସି ଉତ୍ପାତ ବା ସଂଘାତ କରୁନଥିଲେ । କୋଳାହଳ କରୁ ନଥିଲେ । ଏତେ ନୀରବ ନିଃଶବ୍ଦ ଭାବରେ ସେମାନେ ରହୁଥିଲେ ଯେ, ସେମାନେ ଅଛନ୍ତି କି ନାହାନ୍ତି ମଧ୍ୟ ଜଣା ପଡ଼ୁନଥିଲା-। ଯେତେବେଳେ ସନ୍ନ୍ୟାସୀ କୌଣସି ଭକ୍ତ ବା ଭକ୍ତମାନଙ୍କୁ କିଛି ସତ୍ୟ ଉପଦେଶ ଦେଉଥାନ୍ତି–ତାଙ୍କ ବାକ୍ୟ ଶେଷ ହେଲାମାତ୍ରେ ଅଣ୍ଡିରା ଝିଟିପିଟି ହଠାତ୍‍ ନେପଥ୍ୟରୁ ଉଚ୍ଚସ୍ୱରରେ ଟିକ୍‍ ଟିକ୍‍ ଟିକ୍‍ ଶବ୍ଦ କରିଦିଏ । ଏହା ଶୁଣୁ ଶୁଣୁ ଭକ୍ତମାନେ ସତ୍‍ ସତ୍‍ ସତ୍‍ ବୋଲି ପାଟି କରିଉଠନ୍ତି ଏବଂ ସନ୍ନ୍ୟାସୀଙ୍କ ବାକ୍ୟକୁ ମହାସତ୍ୟ ରୂପେ ଗ୍ରହଣ କରିନିଅନ୍ତି । ସନ୍ନ୍ୟାସୀ ମଧ୍ୟ ଝିଟିପିଟିମାନଙ୍କର ଏହି ସମୟ ଉପଯୋଗୀ ଯଥାଯଥ ନୀରବ ସହଯୋଗ ସମର୍ଥନ ଲାଭ କରି ନିଜ ଭିତରେ ସେମାନଙ୍କ ପ୍ରତି ପରମ ପ୍ରସନ୍ନତା ଅନୁଭବ କରନ୍ତି । ଏହିପରିଭାବେ ସନ୍ନ୍ୟାସୀ ଓ ଝିଟିପିଟିମାନେ ସେହି କୋଠରୀରେ ପରସ୍ପର ପ୍ରତି ପ୍ରସନ୍ନ ଓ କୃତଜ୍ଞ ରହି ଖୁବ୍‍ ଖୁସିରେ ଜୀବ ପରମଙ୍କ ଲୀଳା ସମ୍ପାଦନ କରିଥାନ୍ତି ।

 

ଦିନକର କଥା–ସନ୍ନ୍ୟାସୀ କାନ୍ଥକୁ ଆଉଜି ବସିଥାନ୍ତି ଓ ଆଖିବୁଜି ସଂସାରର ମଙ୍ଗଳ କାମନା କରୁଥାନ୍ତି–ଏମନ୍ତ ସମୟରେ ଗୋଟିଏ ଦମ୍ପତି ଖୁବ୍‍ ଉତ୍ତ୍ୟକ୍ତ ହୋଇ ଆସି ସନ୍ନ୍ୟାସୀଙ୍କ ଆଗରେ ପରସ୍ପର ବିରୋଧରେ ଖୁବ୍‍ ତୀବ୍ର ସ୍ୱରରେ ଅଭିଯୋଗ କରିବସିଲେ । ସ୍ୱାମୀ କହିଲା–ମହାରାଜ ! ଏହି ମାଈକିନା ସହିତ ମୋର ତେତିଶିବର୍ଷ ହେଲା ବିବାହ–ଜୀବନ କଟିଲାଣି । ମୁଁ ଏହାଠାରୁ ଦୁଇପୁଅ ଓ ଦୁଇଝିଅ ଜନ୍ମ କରାଇଛି । ତା’ ନାମରେ ବ୍ୟାଙ୍କରେ ଦୁଇଲକ୍ଷ ଟଙ୍କା ଜମାକରିଦେଇଛି । ତା’ ପିଲାମାନଙ୍କୁ ଯୋଗ୍ୟ କରି ଦେଇଛି ଓ ପ୍ରତ୍ୟେକଙ୍କ ନାମରେ ମଧ୍ୟ ଦୁଇଲକ୍ଷ ଲେଖାଏଁ ଟଙ୍କା ଜମା କରିଦେଇଛି । ତା’ର ଯେତେ ଫାଇଫରମାସ ସବୁ ମୁଁ ପୂରଣ କରି ଆସୁଛି । ତଥାଶ୍ଚ ଏହି ବେଇମାନ ସ୍ତ୍ରୀ ଲୋକ ମତେ ତିରିଶବର୍ଷ ହେଲା ସବୁବେଳେ ଅପମାନ କରି ଆସୁଛି । ଏବଂ ମତେ ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ଯୋଡ଼ି ନାନା ସନ୍ଦେହ ଅବିଶ୍ୱାସର ଭର୍ତ୍ସନା ବାକ୍ୟରେ ମୋର କଲିଜାକୁ କାଟି ଖାଇସାରିଲାଣି । ମୁଁ କିପରି ଏହି ହାରାମ୍‌ଜାଦୀ ସହ ଅବଶିଷ୍ଟ ଜୀବନ କଟାଇବି ମତେ ଏବେ କହନ୍ତୁ ।

 

ସ୍ୱାମୀର କଥା ନ ସରୁଣୁ ସ୍ତ୍ରୀ ଲୋକଟି ଉନ୍ମତ୍ତ କାଳେସୀ ଭଳି ହାତହଲାଇ ବାଳ ମୁକୁଳା କରି ଚିତ୍କାର କଲା–ମହାରାଜ୍‍ ! ଏ ଅଣ୍ଡିରା ଯାହା କହୁଛନ୍ତି ତାହା ସତ । ହେଲେ, ଗତ ତିରିଶବର୍ଷ ହେଲା–ମୁଁ ଯାହା ଦେଖି ଆସୁଛି ସେ ମତେ ମନେ ମନେ ଆଦୌ ପସନ୍ଦ କରନ୍ତି ନାହିଁ । ମୁଁ ତାଙ୍କୁ ଭାରି ଅସୁନ୍ଦରୀ ଦିଶେ । ସେ ମୋତେ ସର୍ବଦା କଡ଼ା କଥା କହନ୍ତି । ଦିନେ ବି ତାଙ୍କଠାରୁ ମୁଁ ଗେଲ ଆଦର ମଧୁର କଥା ଶୁଣିନାହିଁ । ବରଂ ଆଉ କୋଉ ସ୍ତ୍ରୀ ଲୋକ ଦେଖିଲେ ତାଙ୍କ ଦେହ ମୁହଁରୁ ଆଖୁ ଦୋରୁଅ ବୋହିଯାଏ । ମୁଁ ଏଭଳି ପୁରୁଷ ସଙ୍ଗେ ଅବଶିଷ୍ଟ ଜୀବନ କିପରି ଆଉ ରହିପାରିବ ?

 

ସନ୍ନ୍ୟାସୀ ହସି ହସି କାନ୍ଥ ଆଡ଼କୁ ହାତ ଦେଖାଇ କହିଲେ–ତୁମେ ଦୁହେଁ ଚୁପ୍‌ଚାପ୍‍ ବସିଥିବା ସେହି ଝିଟିପିଟି ଦମ୍ପତିଙ୍କୁ ଚାହଁ । ଆଜିକୁ ଚାରିବର୍ଷ ହେଲା–ଏମାନଙ୍କୁ ମୁଁ ମୋ ଘରେ ଆଶ୍ରା ଦେଇଛି । କହିବାକୁ ଗଲେ–ମୁଁ ସେମାନଙ୍କୁ ବିବାହ ଦେଇଛି । ଗତ ଚାରିବର୍ଷ କାଳ ଦିବାରାତ୍ର ସେମାନେ ନୀରବରେ ସେମାନଙ୍କର ଦାମ୍ପତ୍ୟଲୀଳା ଭୋଗ କରି ଆସିଛନ୍ତି । ସେମାନଙ୍କ ଭିତରେ କେବେ କଳହ ହେବାର ମୁଁ ଦେଖିନାହିଁ । ସେମାନେ କେହି କାହା ବିରୁଦ୍ଧରେ କେବେ ବି ମୋ ଆଗରେ ଆସି ଅଭିଯୋଗ କରିନାହାନ୍ତି । ସେମାନେ କେହି କାହାକୁ ସନ୍ଦେହ ମଧ୍ୟ କରନ୍ତି ନାହିଁ । ଏହି ସ୍ୱାମୀ ଝିଟିପିଟିଟି ତା’ ସ୍ତ୍ରୀ ନାମରେ ବ୍ୟାଙ୍କରେ କିଛି ଧନ ଜମା କରିନାହିଁ । ତାକୁ ଶାଢ଼ୀ ଗହଣା ଦେଇନାହିଁ । ସ୍ତ୍ରୀ ଝିଟିପିଟି ମଧ୍ୟ ତା’ ସ୍ଵାମୀପାଇଁ କେବେ ଖାଦ୍ୟପ୍ରସ୍ତୁତି କରେ ନାହିଁ । ସ୍ୱାମୀର ପାଦସେବା କରେ ନାହିଁ । ସେମାନେ ପରସ୍ପର ସ୍ୱାଧୀନ–ଶ୍ରମଶୀଳ ଓ କେହି କାହା ସାହାଯ୍ୟକୁ ଅପେକ୍ଷା କରନ୍ତି ନାହିଁ–କି କାହା ଉପରେ ଅଧିକାର ସାବ୍ୟସ୍ତ କରନ୍ତି ନାହିଁ । ଖାଦ୍ୟ ଅର୍ଜନ–ଖାଦ୍ୟଭୋଜନ ଓ ଯୌନସଙ୍ଗମ କରି ସେମାନେ ଅତ୍ୟନ୍ତ ଆନନ୍ଦରେ ଅଛନ୍ତି । ତୁମେ ଦୁହେଁ ଏହି ଝିଟିପିଟି ଦମ୍ପତିଙ୍କୁ ଆଦର୍ଶ ଭାବେ ଗ୍ରହଣ କର । ତା’ହେଲେ ତୁମମାନଙ୍କ ଜୀବନ ଜୀବନ ସୁଖମୟ ହେବ ।

 

ଏହା ଶୁଣି ସେହି କଳହରତ ଦମ୍ପତି ତଳକୁ ମୁହଁ ପୋତି ଦେଲେ । ଏବଂ କିଛି ସମୟପରେ ପ୍ରଣାମ କରି ସନ୍ନ୍ୟାସୀଙ୍କଠାରୁ ବିଦାୟ ନେଲେ....କଥାଟି ଏଇଠାରେ ସରିଲା । ଏ କଥାର ମର୍ମ ହେଉଛି–ଝିଟିପିଟି ଭଳି ସରଳ, ନୀରବ ଓ ନିରୁପଦ୍ରବ ପ୍ରାଣମୟ ଜୀବନଟିଏ ବଞ୍ଚିପାରିଲେ ତୁମେ ହସି ହସାଇ ଏ ଜୀବନଟିକୁ ଆନନ୍ଦରେ କାଟିଦେଇ ପାରିବ ।

 

ଏହା ଶୁଣି ଜଣେ ଯୁବକ ପଚାରିଲେ–ଡହରାନନ୍ଦ ଜି ! ଏ ପୃଥିବୀରେ ମଣିଷର ସ୍ଥାନ କେତେ ଉଚ୍ଚରେ ! ଆପଣ କ’ଣ ଏଇ ଛାର ଝିଟିପିଟିଙ୍କ ସଙ୍ଗେ ଆମର ତୁଳନା କରିବେ ?

 

ଡହରାନନ୍ଦ କହିଲେ–ଶତକଡ଼ା ଅଠାନବେ ଜଣ ମଣିଷ ଏହି ଝିଟିପିଟିମାନଙ୍କ ପରି । କିନ୍ତୁ ଦୁର୍ଭାଗ୍ୟର କଥା ହେଲା–ଏକଥା ସେମାନେ ଜାଣିପାରନ୍ତି ନାହିଁ । ତେଣୁ ବୃଥା ଏତେ ଅଶାନ୍ତି ଭୋଗନ୍ତି ଓ ଅନ୍ୟପାଇଁ ଅଶାନ୍ତି ସୃଷ୍ଟି କରି ବସନ୍ତି । ସ୍ତ୍ରୀ ଭାବେ–ସେ ନିଶ୍ଚୟ ସୀତା କି ସାବିତ୍ରୀ । କିନ୍ତୁ ତା’ ସ୍ୱାମୀର ରାମ କି ସତ୍ୟବାନ ହେବାର ଯୋଗ୍ୟତା ନାହିଁ । ସ୍ୱାମୀ ମଧ୍ୟ ନିଜକୁ ରାମ କି ସତ୍ୟବାନ ବୋଲି ଭାବିନେଇ ତା’ ସ୍ତ୍ରୀଠାରୁ ସୀତା କି ସାବିତ୍ରୀତ୍ୱ ଦାବି କରୁଥାଏ । ମାତ୍ର ଝିଟିପିଟିମାନଙ୍କର ଏ ଜଞ୍ଜାଳ ନାହିଁ । ସେମାନେ ଭଲଭାବେ ଜାଣନ୍ତି ଯେ, ସେମାନେ ଝିଟିପିଟି । ଆଉ କିଛି ନୁହନ୍ତି । ତେଣୁ ସେମାନେ ନୀରବରେ ବିନା ଉତ୍ପାତରେ ହସି ହସାଇ ଜୀବନଟିକୁ ବଞ୍ଚୁଥାନ୍ତି ।

☆☆☆

 

ଦାମ୍ପତ୍ୟ ରହସ୍ୟ ବିଳାସ

 

ଥରେ ବାବା ଡହରାନନ୍ଦ କୌଣସି କାର୍ଯ୍ୟୋପଲକ୍ଷରେ ବାଲେଶ୍ଵର ଯାଇଥିଲେ । କାର୍ଯ୍ୟ ସରିଗଲା ପରେ ଷ୍ଟେସନ ଆଡ଼କୁ ଯିବାବାଟରେ କେତେକ ଯୁବକଙ୍କ ହାବୁଡ଼ରେ ପଡ଼ିଲେ । ସେମାନଙ୍କ ମଧ୍ୟରେ ଜଣେ ଯୁବକ ତାଙ୍କୁ ଚିହ୍ନିଥିଲା । ସେମାନଙ୍କ ଅନୁରୋଧ ଏଡ଼ି ନ ପାରି, ଡହରାନନ୍ଦ ରିକ୍‌ସାକୁ ବିଦାୟ ଦେଇ ସେମାନଙ୍କ ସହ ପୁଣି ସହର ଆଡ଼କୁ ଫେରିଲେ । ତା’ପରେ ସେମାନେ ଫକୀର ମୋହନଙ୍କ ଶାନ୍ତିକାନନ ଭିତରକୁ ପ୍ରବେଶ କରି ପ୍ରଥମେ ଓଡ଼ିଆ ଗଳ୍ପ ଉପନ୍ୟାସ ସାହିତ୍ୟର ଜନକ ଫକୀର ମୋହନଙ୍କ ମୂର୍ତ୍ତି ପାଖରେ ଠିଆହୋଇ ମସ୍ତକ ଅବନତ କରି ନମସ୍କାର କଲେ । ସେତେବେଳକୁ ସନ୍ଧ୍ୟାହେବାକୁ ବହୁତ ଡେରି ଥିଲା । ଶୀତଦିନ ଥିବାରୁ ଅପରାହ୍ନର ଖରା ଦେହକୁ ଖୁବ୍‍ ଆରାମ ଲାଗୁଥାଏ । ସେମାନେ ଗୋଟିଏ ସ୍ଥାନରେ ବସନ୍ତେ ଜଣେ ଯୁବକ କହିଲେ–

 

ଡହରାନନ୍ଦଜି ! ଆପଣଙ୍କୁ ଟ୍ରେନ୍‌ରୁ ଫେରାଇ ଆଣିଲୁ । କିନ୍ତୁ ଆଉ ଦୁଇଘଣ୍ଟା ପରେ ପୁଣି ଗୋଟେ ଟ୍ରେନ୍‍ ଅଛି । ଆମେ ଆପଣଙ୍କୁ ସେ ଟ୍ରେନ୍‌ରେ ବସାଇ ଦେବୁ । ଆମ ହାତରେ ବେଶି ସମୟ ନାହିଁ । ଆପଣ ବି ଘରକୁ ଫେରିଯିବାଲାଗି ଚଞ୍ଚଳ ହେଲେଣି । କିନ୍ତୁ ଆମର ଗୋଟିଏ ପ୍ରଶ୍ନ ଅଛି । ସଂକ୍ଷେପରେ ହେଲେ ବି ପ୍ରଶ୍ନଟିର ଉତ୍ତର ଦିଅନ୍ତୁ । ଆମେ ଏଠି ଛଅଜଣ ଯୁବକ ଅଛୁ । ଆମ ଭିତରୁ ତିନିଜଣ ଏହି ଛଅମାସ ହେଲା ବିବାହ କରିଛନ୍ତି ଏବଂ ଆଉ ତିନିଜଣଙ୍କର ବିବାହ ନିର୍ବନ୍ଧ ହୋଇଗଲାଣି । ଏଇ ଆସନ୍ତା ମାସେ ଦୁଇମାସ ଭିତରେ ବିବାହ ହେବ । ଆପଣଙ୍କ ଭଳି ବିଜ୍ଞ ଅଭିଜ୍ଞ ସନ୍ନ୍ୟାସୀ ବିଦୂଷକ ଓଡ଼ିଶାରେ ଆଉ ଦ୍ଵିତୀୟ ନାହାନ୍ତି । ଆପଣ ଆମକୁ ଦାମ୍ପତ୍ୟ ଜୀବନର ରହସ୍ୟ ସମ୍ବନ୍ଧେ ଗୋଟିଏ ମାତ୍ର କଥା କହନ୍ତୁ ।

 

ବାବା ଡହରାନନ୍ଦ କିଛି ସମୟ ଆକାଶକୁ ଚାହିଁଲେ ଓ କିଛି ସମୟ ପୃଥିବୀକୁ ଚାହିଁଲେ-। ତା’ପରେ ଯୁବକମାନଙ୍କ ଆଡ଼କୁ ଚାହିଁ ହସିହସି କହିଲେ–ମୁଁ ପ୍ରାୟ ଚାଳିଶବର୍ଷ ହେଲା ଏଇ ଦାମ୍ପତ୍ୟ ଜୀବନ ବିତାଇ ଆସିଲିଣି । କିନ୍ତୁ ସେ ସମ୍ବନ୍ଧେ କିଛି ବିଜ୍ଞତାପୂର୍ଣ୍ଣ ତତ୍ତ୍ୱ କହିବା ମୋ ପକ୍ଷରେ ସମ୍ଭବ ନୁହେଁ । ତେବେ ତୁମେମାନେ ମୁଲ୍ଲା ନାସିରୁଦ୍ଦିନଙ୍କ ନାମ ଶୁଣିଥିବ ଓ ତାଙ୍କ ବିଚିତ୍ର ଜୀବନ ସମ୍ବନ୍ଧେ ବି ଗୋଟେ ଦି’ଟା କଥା ଜାଣିଥିବ । ମୁଁ ତାଙ୍କରି ଜୀବନରୁ ଛୋଟ ଘଟଣାଟିଏ କହୁଛି ଶୁଣ–ସବୁ ବୁଝି ପାରିବ ।

 

ଥରେ ମୁଲ୍ଲା ନାସିରୁଦ୍ଦିନ କିଛି ମାସ ପାଇଁ ତାଙ୍କ ନିଜ ସହର ଛାଡ଼ି ଗୋଟିଏ ଦୂର ସହରକୁ ଯାଇଥିଲେ । ଯେତେବେଳେ ସେ ନିଜ ସହରକୁ ଫେରିଲେ ତାଙ୍କ ମୁହଁରେ ଗୋଛାଏ ଲମ୍ବା ଦାଢ଼ି ହୋଇ ଯାଇଥିଲା । ତାଙ୍କର ବନ୍ଧୁମାନେ ପଚାରିଲେ–ମିଆଁ ସାହେବ ! କେତେଦିନ ବା ଗଲ; ତୁମର ଏତେ ସୁନ୍ଦର ଜନାନାସୁଲଭ ମାଖୁନା ମୁହଁରେ ଏତେ ଲମ୍ବା ଗହଳିଆ ରୁମ ସବୁ କେମିତି ବଢ଼ିଗଲା ? ସେ ସହରରେ କ’ଣ ବାଳକଟା ସେଲୁନ୍‍ ନଥିଲା ? ଆମର ଆଶଙ୍କା ହେଉଛି–ତୁମର ଏଇ ଯେ ଗହଳ ଲମ୍ବା ଦାଢ଼ି ହୋଇଛି ସେଥିରେ ବାଇଚଢ଼େଇ ବା ଘରଚଟିଆ ଚଢ଼େଇ ମାନେ ନିଶ୍ଚେ ଆସି ବସା ବନାଇବେ–ଡିମ୍ବ ପାଡ଼ିବେ ଆଉ ଛୁଆ ଫୁଟାଇବେ ।

 

ମୁଲ୍ଲା ନାସିରୁଦ୍ଦିନ ଏକଥା ଶୁଣି ବିରକ୍ତ ହୋଇ ହାତରେ ନିଜ ଦାଢ଼ିକୁ ଓଟାରିଲା ଭଳି ଭଙ୍ଗୀ କରି ମୁହଁ ଛିଞ୍ଚାଡ଼ି କହିଲେ–ଆଉ କହନା ସେ କଥା । ଏ ଶଳା ବାଳୁଙ୍ଗା ବଣ କେମିତି ମୋ ପଡ଼ିଆ ମୁହଁରେ ଉଠିଲା କେଜାଣି ! ଦିନରାତି ସାଲୁ ସାଲୁ ଲାଗୁଛି । କୁଣ୍ଡେଇ କୁଣ୍ଡେଇ ଆଙ୍ଗୁଠିରୁ ନଖ ସବୁ ଗଲାଣି ।

 

ବନ୍ଧୁମାନଙ୍କ ଭିତରୁ ଜଣେ କହିଲେ–ମିଆଁ ! ତୁମର ବ୍ୟବହାର ଆଶ୍ଚର୍ଯ୍ୟ ଲାଗୁଛି । ଯଦି ତୁମକୁ ଏ ଦାଢ଼ି ଭଲ ଲାଗୁନାହିଁ, ତାହେଲେ ତାକୁ ରଖିଛ କାହିଁକି ? ତା’ ଅଦଉତି ସହୁଛ କାହିଁକି ? କାଟି ଦେଉନ ! ଆସ ଆମ ସାଙ୍ଗରେ ଏଇ ପାଖ ସେଲୁନ୍‌ରେ ତୁମ ଦାଢ଼ିର ଦଫାରଫା କରିଦେବା-

 

ମୁଲ୍ଲା ନାସିରୁଦ୍ଦିନଙ୍କ ଆଖିରେ ଏକ ହିଂସ୍ର ଈର୍ଷାର ନିଆଁ ଜଳିଉଠିଲା । ସେ କଠୋର ସ୍ୱରରେ କହିଲେ–ମୁଁ ଏହାକୁ କାହିଁକି କାଟୁନାହିଁ ଜାଣ ? ମୋ ବିବି (ସ୍ତ୍ରୀ)ର ଏ ଦାଢ଼ି ପ୍ରତି ଭୟଙ୍କର ଘୃଣା । ସବୁଦିନେ ସେ ରାତିରେ ମୋ ପାଖେ ଶୁଏ । ଏବଂ ଏଇ ଚାରିରାତି ହେଲା ତାକୁ ରାତିଜାକ ଆଉ ନିଦ ହେଉନି । ମୋର ଏଇ ଦାଢ଼ି ମୁହଁରେ ତା’ ଆଖିପଡ଼ିଯିବା ମାତ୍ରେ–ସେ ଭୟ ଆଉ ଘୃଣାରେ ଚିରଚିରେଇ ହୋଇ ଉଠୁଛି ଓ ରାତିଜାକ ଘରସାରା ଡେଉଁଛି । ମୁଁ କିନ୍ତୁ ଆରାମରେ ସାରା ରାତି ଶୋଇଯାଉଛି ।

 

ଏହାଶୁଣି ଆଉ ଜଣେ ବନ୍ଧୁ ପଚାରିଲେ–ଏ ବଡ଼ ଅଜବ୍‍ ବାତ୍‍ ମିଆଁ ! ଆମକୁ ଯାହା ଜଣାଥିଲା–ତାହା ହେଲା ତୁମର ଦାମ୍ପତ୍ୟଜୀବନ ସମସ୍ତଙ୍କଠାରୁ ସୁଖମୟ । ତୁମ ସ୍ୱାମୀ ସ୍ତ୍ରୀ ଦି’ଜଣଙ୍କ ଭିତରେ ଯୋଉ ଗଭୀର ପ୍ରେମ ରହିଛି ସେଥିରେ ତୁମେ ଦାଢ଼ିରଖି ତୁମ ‘ସ୍ତ୍ରୀ’କୁ ରାତିସାରା ଏମିତି ଏ ବୟସରେ ଛଟପଟ କରିମାରୁଛ–ଏକଥା ତୁମ ମୁହଁରୁ ଶୁଣି ଆମେ ଭଲା ବର୍ତ୍ତମାନ କୋଉ ସିଦ୍ଧାନ୍ତରେ ପହୁଞ୍ଚିବୁ ? ଛି–ଛି–ଛି ସ୍ତ୍ରୀ ଲୋକଟାକୁ ସାରା ରାତି ଶୁଆଇ ଦେଉନାହିଁ ? ତୁମକୁ ଧିକ୍‍–ତୁମ ଦାଢ଼ିକୁ ଶତଧିକ୍‍ ।

 

ମୁଲ୍ଲା ଏହା ଶୁଣି ହୋ–ହୋ–କରି ହସି ଉଠିଲେ । ଆରେ ତୁମେମାନେ ଆମ ଘରର ଗୁମର ଜାଣିନାହଁ । ମୋ ସ୍ତ୍ରୀଙ୍କର ଆଜିପର୍ଯ୍ୟନ୍ତ କିଛି ରୋଗ ବୈରାଗ ନାହିଁ ବା ନଥିଲା । କେବଳ ଗୋଟିଏ ରୋଗ ସେ ତାଙ୍କ ବାପଘରୁ ତାଙ୍କ ଦେହରେ ନେଇ ଆସିଥିଲେ । ତାହା ହେଲା ଦିନରାତି ଶୋଇବା । ଆଜିକୁ ଚାଳିଶବର୍ଷ ହେଲା ସେ ଦିନରାତି ଚବିଶିଘଣ୍ଟା କେବଳ ଶୋଇ ଶୋଇ ନ ହେଲେ ଘୂମେଇ ଘୂମେଇ କଟାଇ ଆସିଛନ୍ତି । ଅସଲ ବେଳାରେ ବି ଥରେ ଥରେ କାର୍ଯ୍ୟମଝିରେ ହଠାତ୍‍ ତାଙ୍କ ଆଖିକୁ ନିଦ ଘୋଟିଯାଏ ଓ କଣ୍ଠ ଘଡ଼ଘଡ଼ ଡାକେ । ବର୍ଷ ବର୍ଷ ହୋଇ ଚାଳିଶବର୍ଷ ସହି ଆସିଲି । କୌଣସି ଉପାୟରେ ମୁଁ ତାଙ୍କର ଏହି ନିଦ୍ରାରୋଗ ଓ ଘୁମରୋଗ ଛଡ଼ାଇ ପାରିଲିନାହିଁ । ଏବେ ଦେଖିଲି–ଏହି ଦାଢ଼ି–ଏହି ଦାଢ଼ି ହିଁ ତା’ ନିଦକୁ ସାବାଡ଼୍‍ କଲା । ମୋର ଏହି ଦାଢ଼ି ଉପରେ ତା’ ଆଖି ପଡ଼ିଲା ମାତ୍ରେ ତା’ ନାହିମୁଣ୍ଡା ଡେଉଁଛି । ଆଉ ଯଦି ତା’ ଦେହ ମୁହଁରେ ଏ ଦାଢ଼ି କେବେ କେମିତି ବାଜିଗଲା–ତାହେଲେ ଆଉ ରକ୍ଷାନାହିଁ । ହିନ୍ଦୁମାନଙ୍କ କାଳେସୀ ନାଚିଲା ଭଳି ଖାଲି ଫକ୍‍ ଫକ୍‍ ହୋଇ ଡେଇଁବ ।

 

ତା’ପରେ ମୁଲ୍ଲା କଣ୍ଠସ୍ୱରକୁ ଟିକିଏ ନରମ କରି ଫୁସ୍‌ଫୁସ୍‍ ହୋଇ କହିଲେ–ଆଉ ଗୋଟାଏ ଅସଲ ଗୁମର କହୁଛି ଶୁଣ । ଚାଳିଶବର୍ଷ କାଳ କେବଳ ଖାଇପିଇ ଆଉ ଚବିଶଘଣ୍ଟା ଶୋଇ ଘୁମେଇ ମହା ଅଏସ୍‌ରେ ରହିଲାପରେ ମୋ ବିବିର ଅଣ୍ଟା ପେଟରେ ବେଶ୍‍ କିଛି ଚର୍ବି ଜମିଯାଇଥିଲା । ଏଇ ଦାଢ଼ି ତାକୁ ଯେମିତି ଦିନରାତି ନଚେଇଲାଣି, ମୁଁ ଆଶାକରୁଛି–ଦିନ ପନ୍ଦରଟାରେ ସେ ଆପେ ଯେମିତି ‘ପତ୍‌ଲୀ କମର୍‌ବାଲୀ’ ଅପ୍‌ସରୀଟିଏ ଥିଲା–ଫେର୍‍ ସେମିତି ହୋଇଯିବ । ହାଃ ହାଃ ହାଃ–ବୁଝିଲ ଦୋସ୍ତ ! ଗୁମର ବୁଝିଲ ?

 

ଡହରାନନ୍ଦ କହିଲେ କଥାଟି ସରିଗଲା । ଏବେ ଦାମ୍ପତ୍ୟ ଜୀବନ ସମ୍ବନ୍ଧେ କିଛି ବୁଝିଲ କି ? ସମବେତ ଯୁବକଙ୍କ ଭିତରୁ ଜଣେ ଅବିବାହିତ ଯୁବକ ପଚାରିଲା–ଡହରାନନ୍ଦଜି ! ଯାହା ଜଣା ପଡ଼ୁଛି ସେ ଦୁହିଙ୍କ ଭିତରେ ଗଭୀର ଦାମ୍ପତ୍ୟ ପ୍ରେମ ଥିଲା । ତା’ ନ ହେଲେ ଦୁହେଁଯାକ ଗୋଟିଏ ଜିନିଷକୁ ଘୃଣା କରୁଥିଲେ–ଅଥଚ ତାକୁ ରଖିଥିଲେ ଏବଂ ସେ ଦାଢ଼ି ପୁଣି ସ୍ତ୍ରୀଙ୍କର ପରୋକ୍ଷରେ ଉପକାର କରୁଥାନ୍ତା ?

 

ଏହା ଶୁଣି ଆଉ ଜଣେ ଯୁବକ କହିଲେ–ଦାମ୍ପତ୍ୟ ପ୍ରେମ ନା ଚୋପା ! ସ୍ୱାମୀ ସ୍ତ୍ରୀ ଗୋଟିଏ ଜିନିଷକୁ ଘୃଣା କରୁଛନ୍ତି, ଅଥଚ ତାକୁ ରଖିଛନ୍ତି । ଏଥିରୁ କ’ଣ ଜଣାପଡ଼ୁଛି ? ନିଜକୁ ପଛେ କଷ୍ଟ ହେଉ ସ୍ତ୍ରୀ କିନ୍ତୁ ପାନେ ପାଉ । ଅନ୍ୟ ଭାଷାରେ କହିଲେ–‘ଘଇତା ପଛେ ମରୁ–ସଉତୁଣୀ ରାଣ୍ଡହେଉ’ । ନାସିରୁଦ୍ଦିନ ତାଙ୍କ ସ୍ତ୍ରୀଙ୍କ ଅଏସୀ ଜୀବନ ଉପରେ ଚାଳିଶବର୍ଷ ହେଲା ଈର୍ଷା ଓ ଅସନ୍ତୋଷରେ ପୋଡ଼ି ମରୁଥିଲେ । ଏବେ ଦାଢ଼ିରଖି ବୁଢ଼ା ବୟସରେ ତା’ର ପ୍ରତିଶୋଧ ନେଲେ । ଛି–ଛି । ଖୁବ୍‍ ନୀଚ୍ଚତା ।

 

ବାବା ଡହରାନନ୍ଦ ବୈଠକଟି ଚଞ୍ଚଳ ଶେଷ କରିବା ପାଇଁ ତରତର ଭଙ୍ଗୀରେ ମୀମାଂସା ଦେଲେ–

 

ବୁଝିଲ ବତ୍ସମାନେ ! ଦାମ୍ପତ୍ୟପ୍ରେମ ବିଷୟରେ କୌଣସି କଥା ଟାଣକରି କହିହୁଏ ନାହିଁ-। କାରଣ ଏଥିରେ ଦୁଇଜଣ ଯାହା ଭଲ ପାଉଥିବେ ତାକୁ ରଖିଥିବେ । ପୁଣି ଦୁଇଜଣ ଯାହା ଘୃଣା କରୁଥିବେ ତାକୁ ବି ରଖିଥିବେ । କିନ୍ତୁ ଦୁଇଜଣଙ୍କ ଭିତରୁ ଜଣେ ଯାହା ଘୃଣା କରିବ ବା ଜଣେ ଯାହା ଭଲ ପାଇବ କେବଳ ତାକୁଇ ରଖିବା ସମ୍ଭବ ବା ସହଜ ହୁଏ ନାହିଁ । ଏହାପରେ କିନ୍ତୁ ସର୍ବ ସାଧାରଣ ଜାଣିଲେ ଯେ ମୁଲ୍ଲା ନାସିରୁଦ୍ଦିନ ଧାର୍ମିକତା ଦୃଷ୍ଟିରୁ ପରିଣତ ବୟସରେ ଦାଢ଼ି ଛାଡ଼ିଛନ୍ତି । ଏବଂ ତୁମେମାନେ ଶୁଣି ଆଶ୍ଚର୍ଯ୍ୟ ହେବ–ଯେ ତାଙ୍କ ବିବି ମଧ୍ୟ ଏହି ସତ୍ୟକୁ ଚତୁର୍ଦ୍ଦିଗରେ ପ୍ରଚାର କରିବୁଲିଲେ ତାଙ୍କ ଦୀର୍ଘ ଅନିଦ୍ରା ସତ୍ତ୍ୱେ ବି ।

☆☆☆

 

ବେପାରୀ ବୁଦ୍ଧିର ସୂକ୍ଷ୍ମ-ରହସ୍ୟ

 

ନିମ୍ନଲିଖିତ ଗଳ୍ପଟି ଡହରାନନ୍ଦଜି ପୁରୀ ସହରର କେତେକ ବେକାର ଯୁବକଙ୍କ ଆଗରେ ସମୁଦ୍ରକୂଳର ଝାଉଁବଣିଆଠାରେ କହିଥିଲେ ।

 

ସମୟଟି ଥିଲା ବର୍ଷାଋତୁର ପ୍ରାରମ୍ଭ କାଳ । ଜଗନ୍ନାଥେ ତାଙ୍କ ଭାଇ–ଭଉଣୀଙ୍କ ସହ ଅଣସର ଘରେ ଥାନ୍ତି । ଭାରି ଗରମ ଗୁଳୁଗୁଳିଆ ପାଗ । ପବନ ନଥାଏ । ବର୍ଷା ବି ନ ଥାଏ । ଆକାଶଜାକ କିନ୍ତୁ ଧୂଆଁଟିଆ ରଙ୍ଗର ଛେନାଛିଣ୍ଡା ମେଘ ବ୍ୟାପିକରି ରହିଥାଏ । ଝାଳରେ ଦେହ ଜୁଡ଼ୁବୁଡ଼ୁ ହୋଇ ଯାଉଥାଏ । ସାରା ଦେହରେ ଲୁଣ ଫଳି ଯାଉଥାଏ । ସନ୍ଧ୍ୟା ହେବାକୁ କିଛି ସମୟ ବାକି ଥାଏ । ପୁରୀର ସେହି ପାଞ୍ଚ ଛଅଜଣ ବେକାର ଯୁବକ ବାବା ଡହରାନନ୍ଦଙ୍କୁ ଘେରିବସି ପଚାରିଲେ–

 

ଡହରାନନ୍ଦଜି ! କହନ୍ତୁ ଦେଖି–ଆମେ ଓଡ଼ିଆମାନେ କାହିଁକି ବେପାର–ବଣିଜରେ ଏତେ ପଛରେ ପଡ଼ିଛୁ ? ଏହି ବେପାରି–ବୁଦ୍ଧି ଜିନିଷଟି ପ୍ରକୃତରେ କ’ଣ ? ଆମେ ଯଦି ସେ ରହସ୍ୟଟି ବୁଝନ୍ତୁ–ତେବେ ଚାକିରି ପାଇଁ ଚାହିଁ ଚାହିଁ ବୁଢ଼ା ହବାଯାଏ ଏମିତି ବେକାର ହୋଇ ବସନ୍ତୁ ନାହିଁ ।

 

ଅତଃପର ଡହରାନନ୍ଦ ଖଣ୍ଡିଏ ସିଗ୍ରେଟରେ ନିଆ ଧରାଇ ତାକୁ ଦୁଇଥର ଶୋଷି ଧୂଆଁ ଛାଡ଼ୁ ଛାଡ଼ୁ ବଡ଼ ସରସ ଓ ସହଜ ଗଳାରେ କହିଲେ–

 

ବତ୍ସବୃନ୍ଦ ! ଏବେ କାହାଣୀଟିଏ କହୁଛି ଶୁଣ । ସେଥିରୁ ସବୁ ବୁଝିପାରିବ । ଏଟା ହେଲା ଆମେରିକାର ଗୋଟିଏ ସହରରେ ଘଟିଥିବା ଘଟଣା । ଥରେ ଜଣେ ପୁରାତନଦ୍ରବ୍ୟ ସଂଗ୍ରହକାରୀ ସୌଖୀନ ଧନୀଲୋକ ନ୍ୟୁୟର୍କ ସହରର ଏକ ପୁରାତନଦ୍ରବ୍ୟ କାରବାର୍‍ କରୁଥିବା ଦୋକାନରେ ପ୍ରବେଶ କରି ପଚାରିଲେ–ଆମର ବିଶ୍ୱବିଖ୍ୟାତ ଭୂତପୂର୍ବ ପ୍ରେସିଡ଼େଣ୍ଟ ଜର୍ଜ ଓ୍ଵାଶିଙ୍ଗଟନ ତାଙ୍କ ପିଲାଦିନେ ଯେଉଁ କୁରାଢ଼ିଟି ଦ୍ୱାରା ଗଛ କାଟୁଥିଲେ, ସେ କୁରାଢ଼ିଟି ଆପଣଙ୍କ ଦୋକାନରେ ଅଛି କି ? ମୁଁ ତାହା ଯେତେ ଦାମ ପଡ଼ୁ, କିଣିବାକୁ ଚାହେଁ ।

 

ଦୋକାନୀ ତାଙ୍କୁ ଗୋଟିଏ ଚକ ଚକ କରୁଥିବା ସୁନ୍ଦର କୁରାଢ଼ି ଦେଖାଇ କହିଲେ–ଦେଖନ୍ତୁ, ମହାଶୟ ! ଆମର ଏହି ଫାର୍ମରେ ଆମେ ଗତ ତିନିଶବର୍ଷଧରି ଏ ଦେଶରେ ଯେତେ ବଡ଼ ମଣିଷ ଜନ୍ମ ହୋଇଛନ୍ତି ସମସ୍ତଙ୍କର ବହୁ ବହୁ ବ୍ୟବହୃତ ଜିନିଷ ନାନା କଷ୍ଟରେ ନାନାଆଡ଼ୁ ସଂଗ୍ରହ କରି ବିକ୍ରୟ ପାଇଁ ମହଜୁଦ ରଖିଛୁ । ଏବେ ଆଶା ଓ ଆନନ୍ଦର କଥା ଯେ, ଆମ ଦେଶରେ ଆପଣଙ୍କ ଭଳି ଯଥାର୍ଥ ମୂଲ୍ୟବାନ୍‍ ଜିନିଷର ଚିହ୍ନରା ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଆପଣ ଯଦି ଆମ ସାଧୁତା ଉପରେ ବିଶ୍ଵାସ କରନ୍ତି–ତେବେ ଏଇ ଅସାଧାରଣ କୁରାଢ଼ିଟି ହେଉଛି ପ୍ରାତଃ ସ୍ମରଣୀୟ ଜର୍ଜ ଓ୍ଵାଶିଙ୍ଗଟନଙ୍କର ବାଲ୍ୟକାଳରେ ବ୍ୟବହୃତ କୁରାଢ଼ିମାନଙ୍କ ମଧ୍ୟରେ ତୃତୀୟ ଭାଗ୍ୟବାନ କୁରାଢ଼ି । ଅନ୍ୟ ଦୁଇଟି ଆଉ କେଉଁଠି ଗଚ୍ଛିତ ଥାଇପାରେ ବା ବିକ୍ରୀ ହୋଇଯାଇ ଥାଇପାରେ । ମାତ୍ର ଏହି ତୃତୀୟ କୁରାଢ଼ିଟି ତଥାପି ଆମ ପାଖରେ ବିକ୍ରୀ ପାଇଁ ଗଚ୍ଛିତ ଅଛି । ଏହାର ମୂଲ୍ୟ ବର୍ତ୍ତମାନ ପାଇଁ ଏକଲକ୍ଷ ପାଞ୍ଚହଜାର ପାଉଣ୍ଡ ରଖାଯାଇଛି । କିନ୍ତୁ ଏ କୁରାଢ଼ି ଯହୁଁ ଯହୁଁ ପୁରୁଣା ହେଉଥିବ, ଏହାର ଦାମ ସେତିକି ସେତିକି ବଢ଼ି ଯାଉଥିବ । ଉଦାହରଣ ସ୍ୱରୂପ–୧୯୮୦ରେ ଏହାର ଦାମ ଥିଲା ମାତ୍ର ଏକଲକ୍ଷ ପାଉଣ୍ଡ । ମାତ୍ର ୧୯୮୩ ବେଳକୁ ଏହାର ଦାମ ଆହୁରି ପାଞ୍ଚହଜାର ପାଉଣ୍ଡ ଅଧିକ ହୋଇଯାଇଛି । ଆପଣ ଏହାକୁ ଆଜି ମୋଠାରୁ ଏହି ଦାମରେ ହୁଏତ କିଣିନେବେ । କିନ୍ତୁ ଆସନ୍ତାବର୍ଷ ଆପଣ ଏହାକୁ ଆଉ ଅଧିକ ପାଞ୍ଚହଜାର ପାଉଣ୍ଡରେ ବିକ୍ରୀକରି ଦେଇପାରିବେ ।

 

ପୁରାତନ ଦ୍ରବ୍ୟବିଳାସୀ ସେହି ସୌଖୀନ ଧନୀବ୍ୟକ୍ତି ଖୁବ୍‍ ଆନନ୍ଦ ଓ ଗର୍ବ ଭାବରେ କୁରାଢ଼ିଟିକୁ ହାତରେ ଧରି ତାକୁ ଆଉଁସୁ ଆଉଁସୁ କହିଲେ–

 

କିନ୍ତୁ ମୁଁ ଏହି ଅମୂଲ୍ୟ କୁରାଢ଼ିଟିକୁ ବିକ୍ରୀ କରିବାକୁ ନେଉନାହିଁ । ମୋ ଘରେ ଏକ ମହାର୍ଘ ପବିତ୍ର ଦ୍ରବ୍ୟରୂପେ ସାଇତି ରଖିବାକୁ ମୁଁ ଏହାକୁ ନେଉଛି । କାରଣ, ପ୍ରାତଃସ୍ମରଣୀୟ ମହାତ୍ମା ଜର୍ଜ ଓ୍ଵାଶିଙ୍ଗଟନଙ୍କର ବାଲ୍ୟକାଳର କୋମଳ କରସ୍ପର୍ଶର ସୂକ୍ଷ୍ମ ସ୍ପନ୍ଦନ ଏହି କୁରାଢ଼ି ଭିତରୁ ଏବେ ବି ସ୍ପନ୍ଦିତ ହେଉଥିବାର ମୋତେ ବୋଧହେଉଛି ।

 

କୁରାଢ଼ି ବିକ୍ରେତା ଏହାଶୁଣି ହସି ହସି କହିଲେ–

 

ତା’ହେଲେ ମହାଶୟ ! ଏ ସାମାନ୍ୟ କୁରାଢ଼ିଟିର ଦାମ ମାତ୍ର ଦୁଇ ପାଉଣ୍ଡରୁ ଅଧିକ ହେବନାହିଁ । କାରଣ, ଏହି କୁରାଢ଼ିଟିର ମୂଳ ବେଣ୍ଟଟିକୁ ପୋକମାନେ ଅଧା ଖାଇ ଦେଇଥିବାରୁ ଆମେ ଏହାକୁ ବଦଳାଇ ଦେଇଛୁ ଏବଂ ଏହାର ଲୁହା ଅଂଶକୁ ବାରଂବାର ଶାଣ ଦେବା ଫଳରେ ଏହା ଖୁବ୍‍ ସରୁ ଓ ପାତଳା ହୋଇଗଲାଣି । ତେଣୁ ଆପଣଙ୍କ ଡ୍ରଇଂରୁମରେ ଏହାକୁ ଦେଖି କେହି ତାକୁ ଜର୍ଜ ଓ୍ଵାଶିଙ୍ଗଟନଙ୍କ କୁରାଢ଼ି ବୋଲି ବିଶ୍ଵାସ କରିବେ ନାହିଁ । ମାତ୍ର ଆପଣ ଯଦି ମୋ ଭଳି ପୁରାତନ ଦ୍ରବ୍ୟର ବ୍ୟବସାୟ ଖୋଲିଥାନ୍ତି, ତେବେ ଆପଣଙ୍କ ଦୋକାନରେ ଏହାକୁ ବିକ୍ରୀ ଉଦ୍ଦେଶ୍ୟରେ ରଖିଲାମାତ୍ରେ ଓ ଆପଣ ଏହାକୁ ଜର୍ଜ ଓ୍ଵାଶିଙ୍ଗଟନଙ୍କ କୁରାଢ଼ି ବୋଲି ଘୋଷଣା କରିବା ମାତ୍ରେ, ଏହାର ଦାମ ହଠାତ୍‍ ଏହିପରି ଅଲୌକିକ ଭାବେ ବଢ଼ିଯିବ ।...

 

କହିବା ବାହୁଲ୍ୟ ଯେ, ସେହି ଧନିକ ଭଦ୍ରବ୍ୟକ୍ତି ଉକ୍ତ କୁରାଢ଼ିଟିକୁ ଏକଲକ୍ଷ ପାଞ୍ଚ ପାଉଣ୍ଡରେ କିଣିନେଲେ ଏବଂ ତାଙ୍କ ନିଜ ସହରରେ ଯାଇ ନିଜେ ଏକ ପୁରାତନଦ୍ରବ୍ୟର ଦୋକାନ ଖୋଲି ସେଥିରେ ଏହି କୁରାଢ଼ିଟିକୁ ରଖି ତା’ ତଳେ ଜର୍ଜ ଓ୍ଵାଶିଙ୍ଗଟନଙ୍କ ନାମ ଓ ତା’ର ଦାମ୍‍ ଏକଲକ୍ଷ ପଚାଶ ପାଉଣ୍ଡ ବୋଲି ଲେଖିଦେଲେ ।.......

 

ଏହାର କିଛିଦିନ ପରେ, ଆଉ ଜଣେ ପୁରାତନ ଦ୍ରବ୍ୟକ୍ରୟକାରୀ ସୌଖୀନ ଧନୀବ୍ୟକ୍ତି ତାଙ୍କ ଦୋକାନରେ ପ୍ରବେଶ କରି ସେହି କୁରାଢ଼ିଟିକୁ କିଣିବାକୁ ଚାହିଁଲେ ଏବଂ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଠିକ୍‍ ଅବିକଳ ସେହି ପୂର୍ବରାତିରେ କଥୋପକଥନ ହେଲା । ଅବିଶେଷରେ ସେହି ଘୋଷିତ ଦାମରେ ସେ ମଧ୍ୟ ସେହି କୁରାଢ଼ିଟିକୁ କିଣିନେଲେ ଏବଂ ତାଙ୍କ ନିଜ ସହରରେ ସେ ମଧ୍ୟ ତଦ୍ରୂପ ଏକ ପୁରାତନ ଦ୍ରବ୍ୟର ଦୋକାନ ଖୋଲି ସେହି କୁରାଢ଼ିଟିକୁ ସେଠାରେ ବିକ୍ରୀପାଇଁ ରଖିଲେ ଓ ତା’ ତଳେ ତା’ ମୂଲ୍ୟ ଲେଖିଦେଲେ ଦୁଇଲକ୍ଷ ପାଉଣ୍ଡ । ଏହି ଭାବରେ ସେହି କୁରାଢ଼ିଟି ଆଜି ପର୍ଯ୍ୟନ୍ତ ସେ ଦେଶରେ ତା’ର ମୂଲ୍ୟ ବଢ଼ାଇ ଚାଲିଛି ଓ ଏହା କେବେ ତା’ର ସର୍ବୋଚ୍ଚ ମୂଲ୍ୟଶୃଙ୍ଗରେ ଆରୋହଣ କରି ସେଠାରେ ଚିରଦିନ ପାଇଁ ଏକ ମୂଲ୍ୟହୀନ ସାମଗ୍ରୀରୂପେ ପଡ଼ିରହିବ ବା ହଠାତ୍‍ ତଳକୁ ଖସିପଡ଼ି ଏକ ଅତଳ ଗହ୍ୱର ଭିତରେ ତା’ର ପଣ୍ୟଯୋଗ୍ୟତା ହରାଇ ଛାର କୁରାଢ଼ିଟିଏ ଭଳି ପଡ଼ିରହିବ–ସେକଥା କିଏ ବା କହିପାରିବ ?

 

ବାବା ଡହରାନନ୍ଦ କହିଲେ–ଏବେ ମୋ କଥାଟି ସଇଲା । ଏବେ ଏହାର ମର୍ମ ବୁଝିଲ ତ ?

 

ବେକାର ଯୁବକମାନଙ୍କ ମଧ୍ୟରୁ ଜଣେ ନିରାଶ କଣ୍ଠରେ କହିଲା–ଡହରାନନ୍ଦଜି ! ଏ କଥାରୁ ଭଲ ଆମକୁ କି ମୂଲ୍ୟ ମିଳିଲା ? ଏଥିରେ ବେପାର–କୌଶଳଟି କୋଉଠି ରହିଲା–ତାହା ତ’ ମୁଁ ବୁଝିପାରୁନାହିଁ ।

 

ଡହରାନନ୍ଦ କହିଲେ–ତୁମେମାନେ ଏ ଅବେପାରି ଧାତୁରୁ ଜନ୍ମ ହୋଇଛ । ତେଣୁ–କଥାଟିର ସୂକ୍ଷ୍ମମର୍ମ ତୁମ ମଗଜର ଖୋଲମାନଙ୍କରେ ପଶିପାରୁ ନାହିଁ । ବେପାର କାହାକୁ କୁହାଯାଏ ଓ ବେପାର କିପରି କରାଯାଏ–ସେକଥା ଏ କାହାଣୀ ଭିତରୁ ବୁଝିପାରିଲ ନାହିଁ ?

 

ଏହା ଶୁଣି ଆଉ ଜଣେ ବେକାର ଓଡ଼ିଆ ଯୁବକ କାନ୍ଦକାନ୍ଦ ହୋଇ କହିଲା–

 

ହେ ଜଗନ୍ନାଥେ ! ଅନେକ ବର୍ଷହେଲା ଆମ ଚାଳରୁ ଗୋଟାଏ ପୁରୁଣା ଲାଙ୍ଗୁଳ ଓହଳି କରି ରହିଛି ଆଜିଯାଏ । ମୁଁ ଭାବୁଛି–ସେ ଲାଙ୍ଗୁଳଟା ବୋଧହୁଏ ନବକୋଟି କର୍ଣ୍ଣାଟୋତ୍କଳ ଗୌଡ଼େଶ୍ୱର ବୀରାଧି ବୀରବର ଗଜପତି ମାହାର୍ଜା ଲାଙ୍ଗୁଳା ନରସିଂହ ଦେବଙ୍କର ହୋଇଥିବ । ସେ ମହାର୍ଜା ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର ତୋଳାଇଥିଲେ । କିନ୍ତୁ ସେ ଲାଙ୍ଗୁଳକୁ ଏଠି ଆମ ଓଡ଼ିଶାରେ ଏତେ ଏତେ ଟଙ୍ଗା ମୂଲ୍ୟ ଦେଇ କିଣିବ ଭଲା କିଏ ? ....ନା ବାବା ନା–ସେ ବେପାର ଆମର ଏଠି ଓଡ଼ିଶାରେ ଚଳିବ ନାହିଁ ।

 

ଡହରାନନ୍ଦଜି ବିରକ୍ତ ହେଲା ଭଳି କହିଲେ–ଦୁତ୍‍ ତେରୀ ! ତୁମେ ଓଡ଼ିଆଙ୍କ ସାଙ୍ଗେ ସେ ବେପାର କରିବ ବୋଲି କିଆଁ ଭାବୁଛ ? ତୁମର ଜାତିର ରଥୀ ମହାରଥୀମାନଙ୍କର ଯାହାସବୁ ଲାଙ୍ଗୁଳ, ଶିଙ୍ଗ, ଖୁରା, ନଖ, ଦାନ୍ତାଦି ଥିଲା–ସେଗୁଡ଼ିକ ଆଗ ସଂଗ୍ରହ କରିବାରେ ଲାଗିଯାଅ–ଏବଂ ସେସବୁ ନେଇ ସେଇ ସେଇ ଦେଶର ଲୋକମାନଙ୍କ ପାଖେ ବିଜ୍ଞପିତ କର । ଦେଖ ତା’ ପରେ–ବେପାର କେମିତି ଚାଲୁଛି ।

 

ଅତଃପର ସେହି ବେକାର ଯୁବକମାନେ ଏହି ପରାମର୍ଶ ଉପରେ ତଳକୁ ମୁହଁପୋତି ଚିନ୍ତା କରିବାକୁ ଲାଗିଲେ ।

☆☆☆

 

ନଦୀଭଳି ବହିଯାଅ

 

ବାବା ଡହରାନନ୍ଦ ନିମ୍ନଲିଖିତ ଗଳ୍ପଟି ବ୍ରହ୍ମପୁର ସହର ସନ୍ନିକଟ ଭଞ୍ଜବିହାରସ୍ଥ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କେତେକ ସ୍ନାତକୋତ୍ତର ଦର୍ଶନ ବିଭାଗର ଛାତ୍ରମାନଙ୍କ ଆଗରେ କହିଥିଲେ ।

 

ପ୍ରକୃତରେ କିନ୍ତୁ ଡହରାନନ୍ଦ ବିଶ୍ୱବିଦ୍ୟାଳୟ ଭିତରକୁ ଯାଇ ଏହି ଜୀବନଦର୍ଶନଟି ପ୍ରଚାର କରି ନ ଥିଲେ । ସେଦିନ ସନ୍ଧ୍ୟାବେଳେ ସେ ଗୋପାଳପୁର ସମୁଦ୍ରକୂଳରେ ସମୁଦ୍ରକୁ ମୁହଁକରି ବସିଥାନ୍ତି । ସୂର୍ଯ୍ୟ ଅସ୍ତ ହୋଇ ସାରିଥାନ୍ତି । ମାତ୍ର ଖରାଦିନ ହେତୁ ରାତି ହେବାକୁ ଡେରିଥାଏ । ସମୁଦ୍ର ଆଡ଼ୁ ପବନ ବହିବା ଆରମ୍ଭ ହୋଇଯାଏ । ବେଶ୍‍ ଶୀତଳ ଥାଏ ସାମୁଦ୍ରିକ ପରିବେଶଟି । ଡହରାନନ୍ଦ ସମୁଦ୍ର ଆଡ଼କୁ ଚାହିଁ ରହିଥାନ୍ତି । ତାଙ୍କର ମନ ସମୁଦ୍ର ସହିତ ମିଶି ଏକ ହୋଇଯାଏ । ତାଙ୍କୁ ଲାଗୁଥାଏ–ସତେ କି ସେ ନିଜେ ଏଇ ସମୁଦ୍ର ସହିତ ମିଶି ପ୍ରସାରିତ ହୋଇଯାଉଛନ୍ତି ଓ ଦିଗ୍‌ବଳୟଗୁଡ଼ିକୁ ଠେଲି ଠେଲି ଦୂରକୁ ନେଇ ଚାଲିଛନ୍ତି ! ସତେ କି ସେ ସମୁଦ୍ରର ଅସଂଖ୍ୟ ଲହରୀମାନଙ୍କ ଭିତରୁ ଲହରୀଟିଏ ହୋଇ ଉପରକୁ ଉଠୁଛନ୍ତି ଓ କିଛି ବାଟ ମାଡ଼ଯାଇ ପୁଣି ଫାଟି ଛିନ୍‌ଛତର ହୋଇ ଯାଉଛନ୍ତି ଓ ପୁନଶ୍ଚ ଆଉ ଏକ ନୂତନ ଲହରୀ ରୂପେ ସମୁଦ୍ର ଭିତରେ ଉଭା ହୋଇ ଆଗକୁ ଲହରେଇ ଯାଉଛନ୍ତି । ଏହି ଭାବନା ଭିତରେ ମଗ୍ନଥିବା ହେତୁ ସେ ଧ୍ୟାନସ୍ଥ ରହିଲା ପରି ଜଣାପଡ଼ୁଥିଲେ ।

 

ଏହି ସମୟରେ ଭଞ୍ଜବିହାରର କେତେକ ସମୁଦ୍ର ବିଳାସୀ ଦର୍ଶନ ଛାତ୍ର ଏହି ବିଚିତ୍ର ମଣିଷଟିକୁ ଦେଖି ତାଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ଘେରି ଠିଆହେଲେ । ସେମାନଙ୍କ ଭିତରୁ ଜଣେ ଖୁବ୍‍ ସାହସ କରି ପଚାରିଲା–

 

ମହାଶୟ ! କ୍ଷମା କରିବେ । ଆପଣ କ’ଣ ସେହି ବିଖ୍ୟାତ ସନ୍ନ୍ୟାସୀ ବିଦୂଷକ ବାବା ଡହରାନନ୍ଦ ?

 

ଡହରାନନ୍ଦ ହଠାତ୍‍ ପ୍ରକୃତିସ୍ଥ ହୋଇ ସମୁଦ୍ରଆଡ଼ୁ ମୁହଁ ଫେରାଇ ତରୁଣମାନଙ୍କ ଆଡ଼କୁ ଚାହିଁଲେ । ଏବଂ ହସି ହସି କହିଲେ–ହଁ ବତ୍ସ ! ଆମ୍ଭେ ସେହି ସନ୍ନ୍ୟାସୀ ବିଦୂଷକ ବାବା ଡହରାନନ୍ଦ-। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଚିହ୍ନି ପାରିଲ କିପରି ?

 

ଯୁବକଟି କହିଲେ–ଆପଣଙ୍କର ସରସ ଶିକ୍ଷାପ୍ରଦ ଗଳ୍ପଗୁଡ଼ିକ ‘ଧରିତ୍ରୀ’ ପତ୍ରିକାରେ ନିୟମିତ ପ୍ରକାଶିତ ହେଉଛି । ଏବଂ ତା’ ସହିତ ଆପଣଙ୍କର ଏକ ରେଖାଚିତ୍ର ମଧ୍ୟ ରହୁଛି । ତା’ ସହିତ ଆପଣଙ୍କ ଚେହେରା ଅବିକଳ ମିଳିଯାଉଛି । ଆମର ପରମ ସୌଭାଗ୍ୟ । ଆମ୍ଭେମାନେ ଦର୍ଶନ ବିଭାଗର ଛାତ୍ର । ଏଇ ସୁଯୋଗରେ ଆମକୁ ମଣିଷର ଜୀବନ ସମ୍ବନ୍ଧେ କିଛି ତତ୍ତ୍ୱ କଥା ଶୁଣାନ୍ତୁ ।

 

ଯୁବକମାନେ ସମସ୍ତେ ତାଙ୍କୁ ଘେରି କରି ବସିଲେ । ଏବଂ ଡହରାନନ୍ଦ କହିଲେ–

 

ବତ୍ସମାନେ ! ଜୀବନ ବଡ଼ ଜଟିଳ ଓ ଅନନ୍ତ ରହସ୍ୟରେ ପରିପୂର୍ଣ୍ଣ । ମୁଁ ମଧ୍ୟ ଦାର୍ଶନିକ ନୁହେଁ । ତେବେ ଛୋଟ କଥାଟିଏ କହୁଛି ଶୁଣ । ପୂର୍ବକାଳରେ ଜଣେ ଅବଧୂତ ସନ୍ନ୍ୟାସୀ ଥିଲେ । ସେ ତାଙ୍କ ଆଶ୍ରମରେ ସର୍ବଦା ପଦ୍ମାସନରେ ବସି ରହୁଥିଲେ । ତାଙ୍କ ପାଖକୁ ବହୁ ଶିଷ୍ୟଶିଷ୍ୟା ଆସୁଥିଲେ । ଏବଂ ତାଙ୍କୁ ନାନାଦି ପ୍ରଶ୍ନ କରୁଥିଲେ । କିନ୍ତୁ ସମସ୍ତଙ୍କୁ ସେ ଗୋଟିଏ ମାତ୍ର ଉତ୍ତର ଦେଉଥିଲେ–ଯାଅ ! ନଦୀ ଭଳି ବହିଯାଅ । କୋଉଠି ଅଟକି ଯାଅ ନାହିଁ ।

 

ଦିନେ ଜଣେ ଧନୀବ୍ୟକ୍ତି ସଂସାର ଓ ଜୀବନ ପ୍ରତି ବିରକ୍ତ ହୋଇ ତାଙ୍କ ପାଖେ ଆସି ପହଁଞ୍ଚିଲେ ଓ ତାଙ୍କୁ ପ୍ରଶ୍ନ କଲେ–ମହାରାଜ ! ଜୀବନଟା କ’ଣ ? ଓ ତା’ର ଲକ୍ଷ୍ୟ କ’ଣ, ମୋତେ ମାତ୍ର ଗୋଟିଏ ବାକ୍ୟରେ କହନ୍ତୁ ।

 

ଅବଧୂତ କହିଲେ–ମୁଁ ଯାହା ବୁଝିଛି, ଜୀବନ ଗୋଟିଏ ନଦୀ ଓ ତାହା ସ୍ୱଚ୍ଛନ୍ଦରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ସମୁଦ୍ରକୁ ବହିଯିବା ଉଚିତ ।

 

ଏହା ଶୁଣି ସେହି ଜୀବନ–ବିରକ୍ତ ଧନୀବ୍ୟକ୍ତି ଘରକୁ ଫେରିଗଲେ ଏବଂ ସାରାରାତି ଅନିଦ୍ରା ହୋଇ ଅବଧୂତଙ୍କ କଥା ଭାବି ଲାଗିଲେ ଏବଂ ଯେତେ ଭାବିଲେ, ସେତେ ତାଙ୍କର ସନ୍ଦେହ ବଢ଼ିବାକୁ ଲାଗିଲା । କେବେହେଲେ ବି ସେ ଜୀବନ ସଙ୍ଗେ ନଦୀର ସାମ୍ୟ ବୁଝିପାରିଲେ ନାହିଁ । ତା’ ପରଦିନ ସକାଳେ ସେ ପୁନଶ୍ଚ ଅବଧୂତଙ୍କୁ ପଚାରିଲେ–ମହାଶୟ ! ଜୀବନ ସମ୍ପର୍କରେ ଆପଣ କାଲି ଯାହା ମତେ କହିଥିଲେ, ମୁଁ ତାହା ଧରି ପାରିଲି ନାହିଁ ।

 

ଅବଧୂତ ପଚାରିଲେ–କ’ଣ କହିଥିଲି ?

 

ଧନୀବ୍ୟକ୍ତି କହିଲେ–ଆପଣ କହିଥିଲେ ଯେ ଜୀବନ ଏକ ନଦୀ–ଏବଂ ତାହା ସବୁ ବାଧାବିଘ୍ନ ଅତିକ୍ରମ କରି ସ୍ୱଚ୍ଛନ୍ଦରେ ସମୁଦ୍ର ସହ ମିଶିବା ପାଇଁ ବହିଯିବା ଉଚିତ ।

 

ଅବଧୂତ ହସି ହସି କହିଲେ–କିନ୍ତୁ ସେହି ନଦୀ ତ ଗଲା ରାତିକ ଭିତରେ ବହୁଦୂର ପଥ ବହିଗଲାଣି । ତୁମେ ତା’ ବିଷୟରେ ରାତିସାରା ଏତେ ଭାବୁଥିଲ କାହିଁକି ? ତୁମର ତା’ ଭିତରକୁ ଡେଇଁ ପଡ଼ିବା ଉଚିତ ଥିଲା । ଏବେ ଯାଅ; ବିଳମ୍ବରେ ହେଲେ ବି, ସେ ନଦୀକୁ ଯୋଉଠି ଭେଟିବ, କିଛି ନଭାବି ତା’ ଭିତରକୁ ଡେଇଁ ପଡ଼ିବ । ତେଣିକି ଜୀବନ ତା’ ମନକୁ ବହିଯିବ ।

 

ଧନୀବ୍ୟକ୍ତି ଏହା ଶୁଣି ଘରକୁ ଫେରିଗଲେ । ଏବଂ ସେ ରାତିଟି ମଧ୍ୟ ସେ ସମ୍ବନ୍ଧେ ଭାବିତ ହୋଇ କଟାଇଲେ । ଏବଂ ଖୁବ୍‍ ବିରକ୍ତ ଓ ବ୍ୟତିବ୍ୟସ୍ତ ହୋଇ ରାତି ପାହିବା ପରେ ସକାଳୁ ସକାଳୁ ପୁନଶ୍ଚ ଅବଧୂତଙ୍କ ପାଖେ ଯାଇ ହାଜର ହେଲେ । ସେ ଖୁବ୍‍ ଅସ୍ଥିର ଓ ନିରାଶ ସ୍ୱରରେ ଅବଧୂତଙ୍କୁ କହିଲେ–ମହାଶୟ ! ମୁଁ ଆପଣଙ୍କ କଥା ମାନି କାଲି ରାତିରେ ନଦୀକୁ ଡେଇଁ ପଡ଼ିଥିଲି-। ମାତ୍ର କିଛି ଥଳକୂଳ ପାଇଲି ନାହିଁ । ବରଂ ମତେ ଲାଗିଲା ଯେ, ମୁଁ ଗୋଟାଏ କଠିଣ ପଥୁରିଆ ଜାଗାରେ ପଡ଼ିଛି ଓ ମୋର ହାତଗୋଡ଼ ଛେଚି ହୋଇ ଖଣ୍ଡିଆ ଖାବରା ହୋଇଯାଇଛି । ମୁଁ ନଦୀକୁ ଡେଇଁଲି । ଅଥଚ–ସେ ନଦୀରେ ପାଣି ନଥିଲା । ବରଂ ତାହା ଥିଲା ଏକ କଠିଣପ୍ରସ୍ତର ଶଯ୍ୟା-। କହିବାକୁ ଗଲେ ସେଠାରେ ନଈ ଫଇ କିଛି ନଥିଲା । ଆପଣଙ୍କ ନଈ ମଧ୍ୟ ଗୋଟାଏ ମରୀଚିକା ନୁହେଁକି ?

 

ଏଥର ଅବଧୂତ ଖୁବ୍‍ ଜୋର୍‌ରେ ହସିଉଠିଲେ । ଏବଂ ତାତ୍ସଲ୍ୟ ସ୍ୱରରେ କହିଲେ–ମିଛ କଥା ! କାଲି ରାତିଟା ବି ତୁମେ କେବଳ ନଦୀକୁ ଡେଇଁବା କଥା ଭାବୁଥିଲ । ଡେଇଁ ନଥିଲ । ନଦୀରେ ସତକୁ ସତ ଡେଇଁପଡ଼ି ଥଳକୂଳ ପାଉ ନ ଥିବା ଲୋକଟି ଆଉ ବଞ୍ଚି ନ ଥାଏ । ତା’ର ଆଉ ଅସ୍ତିତ୍ୱ ନଥାଏ । ସେ ଆଉ ଥରେ ମୋ ପାଖକୁ ଆସି ଥଳକୂଳ ପାଉନାହିଁ ବୋଲି ଅଭିଯୋଗ କରିବାକୁ ବଞ୍ଚି ନ ଥାଏ । ତା’ ହାତଗୋଡ଼ ପଥରରେ ଛେଚି ହୋଇ ନ ଥାଏ ।

 

ଧନୀବ୍ୟକ୍ତିଟି ଏହା ଶୁଣି ଖୁବ୍‍ ବିମର୍ଶ ହୋଇଗଲେ । କିଛି ସମୟ ନୀରବ ରହି ପଚାରିଲେ–ମହାଶୟ ! ତା’ହେଲେ ଏଣିକି ସତକୁ ସତ ମୋପାଇଁ ଜୀବନଟା କ’ଣ ହେବା ଉଚିତ-? ମୁଁ କ’ଣ ଏହା ଆଉ ଜାଣିପାରିବି ନାହିଁ ?

 

ଅବଧୂତ ଏଥର ଗମ୍ଭୀର ହୋଇଗଲେ ଓ ଗଭୀର ସ୍ୱରରେ କହିଲେ–ବତ୍ସ ! ତୁମ ପାଇଁ ଜୀବନ କେବଳ ଏକ ଭାବନା । ତୁମେ ସାରା ଜୀବନ ଏହିପରି ଭାବିତ ହୋଇ ବଞ୍ଚିବ ଓ ଭାବିତ ହୋଇ ମରିବ ।

 

ଡହରାନନ୍ଦ ଏତିକିରେ କଥାଟି ଶେଷ କରନ୍ତେ–ଜଣେ ଛାତ୍ର ପଚାରିଲେ– ଡହରାନନ୍ଦଜି-! ତା’ ହେଲେ ଆପଣ କ’ଣ କହୁଛନ୍ତି ଆମେ ସମସ୍ତେ ଆଜି ରାତିରେ ନଦୀକୁ ଡେଇଁ ପଡ଼ିବୁ-? ଓ ଭାସି ଭାସି ଆସି ଏଠି ସମୁଦ୍ରରେ ମିଶିଯିବୁ ? ତା’ ଅପେକ୍ଷା ବରଂ–ଆଜି ଆମେ ଏଇଠି ସିଧା ଏଇ ସମୁଦ୍ର ଭିତରକୁ ଡେଇଁ ପଡ଼ିବୁ ନାହିଁ କାହିଁକି ?

 

ଡହରାନନ୍ଦ କହିଲେ–ତାହା ତୁମେ କରିପାର । ତାହା ତୁମେ କରିପାର । କିନ୍ତୁ ଏଇଠି ଏମିତି ସିଧା ଏଇ ସମୁଦ୍ର ଭିତରକୁ ଡେଇଁ ପଡ଼ିଲେ ତୁମେ ମରିବ । ଏବଂ ଏହା ହେବ ତୁମ ପାଇଁ ଆତ୍ମହତ୍ୟା କିନ୍ତୁ ନଦୀଟିଏ ପାହାଡ଼ ପର୍ବତ କନ୍ଦରାରୁ ଯେତେବେଳେ ବହିଆସେ ଓ ଅସଂଖ୍ୟ ବାଧାବିଘ୍ନ ଡେଇଁ ଯେତେବେଳେ ଆସି ସମୁଦ୍ରରେ ମିଶିଯାଏ–ସେତେବେଳେ ସେ ସମୁଦ୍ରରେ ଆତ୍ମହତ୍ୟା କରେନାହିଁ । ସେତେବେଳେ ସମୁଦ୍ର ସହ ତା’ର ସଙ୍ଗମ ହୁଏ । ଆନନ୍ଦର ସଙ୍ଗମ । ପରିପୂର୍ଣ୍ଣତାର ସଙ୍ଗମ । ତେଣୁ ସମୁଦ୍ର ସହିତ ସଙ୍ଗମାନନ୍ଦ ଉପଭୋଗ କରିବାକୁ ହେଲେ ତୁମକୁ ପ୍ରଥମରୁ ଆଗ ନଦୀଟିଏ ହେବାକୁ ହେବ ଓ ନଦୀଟିଏ ଭଳି ସ୍ୱଚ୍ଛନ୍ଦରେ ବହି ଆସିବାକୁ ହେବ ।

 

ଛାତ୍ରମାନଙ୍କ ଭିତରୁ ଜଣେ ପୁଣି ପଚାରିଲା–ତା’ହେଲେ ଆମପାଇଁ ବର୍ତ୍ତମାନ କର୍ତ୍ତବ୍ୟ କ’ଣ କହନ୍ତୁ ।

 

ଡହରାନନ୍ଦ କହିଲେ–

 

ଭଲ କରି ଦର୍ଶନଶାସ୍ତ୍ର ପଢ଼ ଆଉ ବୁଝ । ଦର୍ଶନଶାସ୍ତ୍ରର ନଦୀ ସହ ମିଶି ଏକାକାର ହୋଇ ବହିଯାଅ । ଚାକିରି ବା ପରୀକ୍ଷା ଦୃଷ୍ଟିରୁ ଦର୍ଶନଶାସ୍ତ୍ର ପଢ଼ନାହିଁ । ଆନନ୍ଦରେ ପଢ଼ ।

 

ଡହରାନନ୍ଦ ଏତିକି କହିଦେଇ ଉଠି ଠିଆ ହେଲେ ଓ ଛାତ୍ରମାନଙ୍କୁ ବିଦାୟ ଦେଲେ ।

☆☆☆

 

ପଞ୍ଚଧୂର୍ତ୍ତ ଓ ସରଳଚାଷୀ ସମ୍ବାଦ

 

ଏହି ଗଳ୍ପଟି ବାବା ଡହରାନନ୍ଦ କେନ୍ଦ୍ରାପଡ଼ା ସହରର କେତେକ ଯୁବକଙ୍କ ଆଗରେ କହିଥିଲେ । ମାସଟି ଥିଲା କାର୍ତ୍ତିକମାସ । ଜହ୍ନପକ୍ଷ ! ଯୁବକମାନେ ଡହରାନନ୍ଦଙ୍କୁ ଶ୍ରୀ ବଳଦେବ ମନ୍ଦିରକୁ ନେଇ ଦର୍ଶନ କରାଇଥିଲେ ଏବଂ ତାଙ୍କୁ କେନ୍ଦ୍ରାପଡ଼ାର ଅପୂର୍ବ ସ୍ୱାଦିଷ୍ଟ ପ୍ରସାଦ ରସାବଳୀ ମନଭରି ଖୁଆଇଥିଲେ । ତା’ପରେ ସେମାନେ ମନ୍ଦିର ସଂଲଗ୍ନ ଏକ ଅପେକ୍ଷାକୃତ ନିର୍ଜନ ସ୍ଥାନରେ ବସି ଡହରାନନ୍ଦଙ୍କୁ ଅନୁରୋଧ କଲେ–

 

ଡହରାନନ୍ଦଜି ! ଏ ସଂସାରରେ ସରଳ ଲୋକମାନେ ଅଛନ୍ତି । ଚତୁର ଲୋକମାନେ ଅଛନ୍ତି । ଏବଂ ଚତୁର ଲୋକମାନେ ସବୁବେଳେ ସରଳ ଲୋକଙ୍କୁ ସେମାନଙ୍କ ବୋକାମିର ସୁଯୋଗ ନେଇ ଠକି ଚାଲିଛନ୍ତି । ଏବଂ ସବୁ ଯୁଗରେ ସବୁ ସ୍ଥାନରେ ସରଳ ଲୋକମାନେ ହିଁ ଚତୁର ଲୋକଙ୍କ ହାତରେ ଶିକାର ହୋଇଛନ୍ତି । ତା’ହେଲେ କ’ଣ ସରଳ ହେବା ଖରାପ ?

 

ଡହରାନନ୍ଦଜିଙ୍କ ପାଟିରୁ ରସାବଳୀର ମଧୁରତା ତଥାପି ଯାଇ ନଥିଲା । ସେ ଖଣ୍ଡିଏ ଜରଦାପାନ ପାଟିକୁ ନେଇ ତାକୁ ସାମାନ୍ୟ ଚୋବାଇଦେଇ ତା’ର ରସ ଉପଭୋଗ କଲେ ଓ ତା’ପରେ କହିଲେ–

 

ଶୁଣ ବାବୁମାନେ ! ସରଳ ହେବା ଅର୍ଥ ନୁହେଁ ଯେ ତୁମେ ବୋକା ହେବ । ତା’ଛଡ଼ା ଯେତେ ଚତୁର ଲୋକ ହେଉପଛେ ବେଳେବେଳେ ତା’ର ଚତୁରତା କାମକରେ ନାହିଁ ଓ ସେ ଗୋଟିଏ ନିପଟ ବୋକା ପାଖରେ ବି ଠକି ହୋଇଯାଏ । ସେହିପରି ଆମେ ଜଣକୁ ଯେତେ ବୋକାଭାବୁ ପ୍ରକୃତରେ ସେ ସେତେଦୂର ବୋକା ହୋଇ ନ ଥାଏ । ଈଶ୍ୱର କାହାକୁ ପରମବୋକା ବା ପରମ ଚତୁର କରି ଗଢ଼ି ନ ଥାନ୍ତି । ଅସଲ ହେଲା–ସତର୍କତା । ଜ୍ଞାନ ଥିଲେ ଓ ସତର୍କ ରହିଲେ ତୁମ ଜୀବନରେ ଶହେଥର ଠକି ହୋଇଯିବାର ଦୁର୍ଯ୍ୟୋଗ ଭିତରେ ତୁମେ ଅନ୍ତତଃ ନବେଥର ରକ୍ଷା ପାଇଯିବ । ଜ୍ଞାନ ଥାଇ ମଧ୍ୟ ସତର୍କ ରହି ନ ପାରିବା ଯୋଗୁଁ ଯେତେ ଚତୁର ଶିରୋମଣି ହେଲେ ବି ଠକିବା କୌଶଳରେ ଯେତେ ଓସ୍ତାଦ ହୋଇଥିଲେ ବି, ଠିକଣା ବେଳରେ ତା’ର ଚତୁରତା ବା ଧୂର୍ତ୍ତତା ଆଦୌ କାମକରିବ ନାହିଁ । ଗପଟିଏ କହୁଛି–ଶୁଣ ।

 

ଥରେ ସରଳ ଗ୍ରାମୀଣ ଚାଷୀଟିଏ ହାଟକୁ ଯାଇ ଗଞ୍ଜା ଲଢ଼େଇରେ ଯୋଗଦେଲା । ଏବଂ ସେଥିରେ ଜିତିଗଲା । ବାଜି ଅନୁସାରେ ସେ ନିଜର ବିଜୟୀ ଗଞ୍ଜାଟି ସହିତ ପରାଜିତ ପକ୍ଷର ମୃତ ଓ ରକ୍ତାକ୍ତ ଗଞ୍ଜାଟିକୁ ଧରି ଗୋଟିଏ ବାଡ଼ିରେ ତାଙ୍କ ଗୋଡ଼ବାନ୍ଧି କାନ୍ଧରେ ଲଦି ଘରକୁ ଫେରିଲା । ଦୁର୍ଭାଗ୍ୟର କଥା ହେଲା–ଗଞ୍ଜା ଲଢ଼େଇ ଦେଖୁଥିବା ପାଞ୍ଚଜଣ ଧୂର୍ତ୍ତ ଲୋକ ସେହି ଲୋକଟିର ପିଛା ନେଲେ ଏବଂ ଚାଷୀଟିକୁ ବଳାତ୍କାର ନ କରି କିପରି କୌଶଳରେ ତା’ଠାରୁ ମଲା ଓ ଜୀଅନ୍ତା ଗଞ୍ଜା ଦୁଇଟିକୁ ନେଇ ରାତିରେ ତରକାରି କରି ଖାଇବେ–ସେ ସମ୍ବନ୍ଧେ ଗୋପନ ମନ୍ତ୍ରଣା କଲେ । ମନ୍ତ୍ରଣା ଅନୁଯାୟୀ ପାଞ୍ଚଜଣ ଯାକ ଧୂର୍ତ୍ତ ଚାଷୀଟିର ଯିବା ପଥରେ ବହୁ ଆଗରୁ କ୍ଷିପ୍ରଗତିରେ ଯାଇ ବିଭିନ୍ନ ସ୍ଥାନରେ ଛକି ରହିଲେ ।

 

ଏଣେ ସରଳ ଚାଷୀଲୋକଟି ଗଞ୍ଜା ଦୁଇଟିକୁ ବାଡ଼ିରେ ଓହଳାଇ ମନଖୁସିରେ ଘରକୁ ଫେରୁଥାଏ । ସନ୍ଧ୍ୟାହେବାକୁ ବହୁତ ଡେରି ଅଛି । ଗଞ୍ଜା ଲଢ଼େଇରେ ଜିତିଥିବାରୁ ମନ ଖୁବ୍‍ ଗର୍ବିତ ଥାଏ । ଏବଂ ଘରକୁ ସହଳ ଫେରି ବିଜିତ ମୃତ ଗଞ୍ଜାଟିକୁ କାଟିକୁଟି ତରକାରି କରି ଖାଇବାର ମଧୁର ନିଶ୍ଚିତ ଆଶାରେ ମନ ତା’ର କୁରୁଳି ଉଠୁଥାଏ । ଏହି ସମୟରେ ବାଟ ପାର୍ଶ୍ଵରେ ବରଗଛ ମୂଳେ ଠିଆ ହୋଇଥିବା ପୂର୍ବର ପାଞ୍ଚଧୂର୍ତ୍ତଙ୍କ ଭିତରୁ ଜଣେ ରାସ୍ତାକୁ ବାହାରି ଆସି କହିଲା–ହଇଓ ଭାଇ ! ଗୋଟାଏ ମଲା ଶାଗୁଣା ସହିତ ଏଇ ଜୀଅନ୍ତା ଶାଗୁଣାଟାକୁ କାହିଁକି ବାନ୍ଧିକରି ନେଉଛ ? ଶାଗୁଣା କିଏ ପୋଷେ ନା ଖାଏ ?

 

ସରଳ ଚାଷୀଟି ଏହାଶୁଣି ଥରେ ତା’ର ଗଞ୍ଜାଙ୍କ ଆଡ଼କୁ ଚାହିଁ ଭଲ କରି ଦେଖିଲା ଓ କିଛି ନ କହି ଆଗକୁ ଚାଲିଲା । କିଛି ବାଟ ଯାଇଛି କି’ନାହିଁ ଦ୍ଵିତୀୟ ଧୂର୍ତ୍ତଟି କିଆବୁଦା ପାଖରୁ ବିଲୁଆଟିଏ ଭଳି ରାସ୍ତାକୁ ବାହାରି ଆସି ହୋହୋ ହୋଇ ହସି ଉଠି କହିଲା–

 

ଆରେ ହେ ବୋକା ଗାଉଁଲିଆ ? ତୋ’ର ଏତେ ବୁଦ୍ଧି ଯେ, ମଲା ଶାଗୁଣାଟା ସାଙ୍ଗରେ ଆଉ ଗୋଟାଏ ଫୁଲୁ ଶାଗୁଣା ବାନ୍ଧିକରି ନେଉଛୁ ? ଏ ଫୁଲୁଶାଗୁଣାଟା ତୁ କେତେଟଙ୍କା ଦେଇ କାହାଠାରୁ କିଣିଲୁ ? ସହରରେ ହାଟ ବଜାରରେ କେତେ ଠକ ଅଛନ୍ତି । ତୋତେ ଜଣା ନାହିଁ ବୋକା ?

 

ସରଳ ଚାଷୀଲୋକଟି ସେ ଧୂର୍ତ୍ତକୁ କିଛି ଜବାବ୍‍ ନଦେଇ ଗଞ୍ଜା ଦୁଇଟିକୁ ଆଉ ଥରେ ଭଲ କରି ଦେଖିଲା ଏବଂ ନୀରବରେ ଆପଣା ବାଟରେ ଚାଲିଲା । କିଛିବାଟ ଯାଇଛି ତୃତୀୟ ଧୂର୍ତ୍ତଟି ରାସ୍ତାର ଗୋଟିଏ ପୋଲ ଉପରେ ବସି ଚାଷୀଟି ଉଦ୍ଦେଶ୍ୟରେ ପାଟିକରି ଉଠିଲା–ହେ ହେ ବୋକା ? ମଲା ଶାଗୁଣା ସାଙ୍ଗରେ ଗୋଟିଏ ଜୀଅନ୍ତା ଫୁଲୁଶାଗୁଣା ବାନ୍ଧି କୁଆଡ଼େ ଚାଲିଛୁ ବେ ? ଅବେ ତୋ ଘରେ କ’ଣ ମୁର୍ଦ୍ଦାର ପଡ଼ିଛି ନା କ’ଣ ? ଶାଗୁଣାଟାଏ କିଏ ଭଲା କାନ୍ଧରେ ଓହଳାଇ ନିଏ କହିଲୁ ? ନିଶ୍ଚୟ ତୋ’ର ଦୁର୍ଭାଗ୍ୟ ଘନେଇ ଆସିଲାଣି ଓ ତୋ’ ମୁଣ୍ଡକୁ ଦୁର୍ବୁଦ୍ଧି ଘୋଟିଲାଣି । ନିଶ୍ଚୟ ତୋ’ର ବା ତୋ’ ସ୍ତ୍ରୀର ମରଣବେଳା ପହଞ୍ଚି ଗଲାଣି ।

 

ସରଳ ଚାଷୀଲୋକଟି କିଛି ପ୍ରତ୍ୟୁତ୍ତର ନଦେଇ ରାସ୍ତାଉପରେ ଠିଆ ହେଲା ଏବଂ ଗଞ୍ଜା ଦୁଇଟିକୁ ହାତରେ ଚିପିଚାପି ଭଲ କରି ନିରୀକ୍ଷଣ କଲା ଓ ନୀରବରେ ଆଗକୁ ଚାଲିଲା । ଅଳ୍ପବାଟ ପରେ ଚତୁର୍ଥ ଧୂର୍ତ୍ତଟି ତା’ର ସମ୍ମୁଖକୁ ଆସି କହିଲା–ହଇଓ ଭାଇ ! ତୁମ ଘର କେଉଁଠି ? ଜାତିରେ କ’ଣ ତୁମେ ? କି ପାଇଟି କର ? ତୁମର ଧର୍ମ ଅଧର୍ମ ଜ୍ଞାନ ଅଛି କି ନାହିଁ ? ଗୋଟାଏ ମଲା ଶାଗୁଣା ସାଙ୍ଗରେ ତୁମେ ଜିଅନ୍ତା ଫୁଲୁଶାଗୁଣାଟିକୁ ବାନ୍ଧିକରି କାନ୍ଧରେ ବୋହି ଚାଲିଛ କୋଉ ଉଦ୍ଦେଶ୍ୟରେ ? ଗୋଟାଏ ମଢ଼ଖିଆ ଶାଗୁଣା–ସବୁଠାରୁ ଅବର୍ଜିଆ ଅମଙ୍ଗୁଳିଆ ପକ୍ଷୀ । ଛି ଛି ଛି । ଫୋପାଡ଼ ଫୋପାଡ଼ ସେଇଟାକୁ ଏଠି । ଗାଁରେ ଏ ଦୃଶ୍ୟ ଦେଖିଲେ ତୁମକୁ କେହି ଗ୍ରାମରେ ପୂରାଇ ଦେବେ ନାହିଁ । ଫୋପାଡ଼ି ଦେଇଯାଅ ସେ ଅଲକ୍ଷଣା ପକ୍ଷୀଟାକୁ ଏଠି । ଖବରଦାର ! ମୋ କଥା ମାନ । ଫୋପାଡ଼ି ଦିଅ ସେଟାକୁ ଏଠି ।

 

ସରଳ ଚାଷୀଟି ଏଥର ମଧ୍ୟ କିଛି ପ୍ରତ୍ୟତ୍ତର ଦେଲାନାହିଁ । କେବଳ ଆଉଥରେ ଭଲକରି ଗଞ୍ଜା ଦୁଇଟିକୁ ଏପଟ ସେପଟ କରି ଦେଖିଲା–ଏବଂ ନିଶ୍ଚିତ ମନରେ ନୀରବ ହୋଇ ଆଗକୁ ଚାଲିଲା ।

 

ଗ୍ରାମ ଆଉ ଅଳ୍ପବାଟ ଅଛି । ସନ୍ଧ୍ୟା ମଧ୍ୟ ଘୋଟି ଆସିଲାଣି । ହଠାତ୍‍ ଗ୍ରାମ ଗୋହିରି ଭିତରୁ ପଞ୍ଚମ ଧୂର୍ତ୍ତଟି ବାହାରି ଆସି ତା’ ଆଗରେ ବାଟ ଓଗାଳି ଠିଆହେଲା । ଏବଂ ଖୁବ୍‍ କ୍ରୁଦ୍ଧଗଳାରେ ଚିତ୍କାର କରି କହିଲା ଆରେ, ପାଷଣ୍ଡ ! ତୁ କେବଳ ବୋକା ନୁହଁ, ତୁ ଗୋଟାଏ ଅମଙ୍ଗଳ ଆଉ ଅମାନିଆ ଲୋକ । ଏହି ଗ୍ରାମରେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ସବୁଧର୍ମର ଲୋକ ଅଛନ୍ତି । କୋଉ ଧର୍ମଶାସ୍ତ୍ରରେ ଶାଗୁଣା ପାଳିବା, ଶାଗୁଣା ମାଉଁସ ଖାଇବା ବା ଶାଗୁଣା ଅଣ୍ଡା ଖାଇବା କଥା ଲେଖାନାହିଁ । ତୁ ଗୋଟାଏ ମଲା ଶାଗୁଣା ସହିତ ଗୋଟେ ଜୀଅନ୍ତା ଫୁଲୁଶାଗୁଣା ଧରି କୋଉ ସାହସରେ ଏ ଗ୍ରାମରେ ପଶୁଛୁ ? ଏହା ଦେଖି ଗାଁବାଲା ତୋତେ ଆଉ ଜୀବନରେ ରଖିବେ ବୋଲି ଭାବୁଛୁ ? ଶୀଘ୍ର ସେ ଅମଙ୍ଗୁଳିଆ ପକ୍ଷୀ ଦୁଇଟାକୁ ଏଠି ଫୋପାଡ଼ିଦେଇ ଯା ।

 

ସରଳ ଚାଷୀଲୋକଟି ସେଠି ଦମ୍ଭଧରି ଠିଆହେଲା । ସେ ଦେଖିଲା ଯେ ତା’ ପଛେ ପଛେ ଅନ୍ୟ ଚାରିଜଣ ଧୂର୍ତ୍ତ ମଧ୍ୟ ଆସି ସେଠାରେ ଠିଆ ହୋଇଛନ୍ତି । ସେ କ’ଣ କରିବ ଭାବୁଛି ଏହି ସମୟରେ ଅନ୍ୟ ଚାରିଜଣ ଧୂର୍ତ୍ତ ସମସ୍ଵରରେ କହି ଉଠିଲେ ଏହି ମୂର୍ଖ ଓ ପାପୀଟାକୁ ଆମେ ବାଟରେ ସେଇକଥା କହି କହି ଆସୁଛୁ–କିନ୍ତୁ ଏ ମ୍ଳେଚ୍ଛ ଆମ କଥା କାନରେ ପୂରାଉନାହିଁ କି ପାଟି ମଧ୍ୟ ଫିଟାଉନାହିଁ ।

 

ଏ ସବୁ ସମାଚାର ଦେଖି ଓ ଶୁଣିସାରି ସେହି ସରଳ ଚାଷୀ ଲୋକଟି ଧୀର ବିନୀତ ସ୍ୱରରେ କହିଲା–ଭାଇମାନେ ମୋର ଜେଜେବାପା ମୋ ଠାରୁ ଆହୁରି ବୋକା ଓ ସରଳ ଥିଲେ । ଥରେ ସେ ଗୋଟିଏ ଛେଳି କାନ୍ଧରେ ବୋହି ବୋହି ହାଟକୁ ବିକ୍ରୀ କରିବାକୁ ନେଉଥିଲେ । ବାଟରେ ଠିକ୍‍ ଏହିପରି ଆପଣମାନଙ୍କ ଭଳି ପଞ୍ଚପରମେଶ୍ୱର ଏକ ସ୍ୱରରେ ତାଙ୍କୁ କହିଲେ–ଆରେ ବୋକା-! କୁକୁରଟାଏ କାନ୍ଧରେ ବୋହି କୁଆଡ଼େ ଚାଲିଛୁ ? ଛି–ଛି–ଛି । କୁକୁରଟା କିଏ କାନ୍ଧରେ ବୁହେ-? ଜେଜେବାପା ଯେତେ ତାକୁ ଛେଳି ବୋଲି କହିଲେ ବି ସେମାନେ ଶୁଣିଲେ ନାହିଁ । କହିଲେ–ଆମେ ପାଞ୍ଚଜଣଯାକ ଅନ୍ଧ, ଆଉ ତୋରି ଜଣକର ଏକା ଆଖି ଅଛି ? ଜେଜେବାପା ଏହାପରେ ଜନ୍ତୁଟିକୁ କାନ୍ଧରୁ ଖସାଇ ଭଲକରି ଦେଖିଲେ । ତାଙ୍କୁ ଦେଖାଗଲା–ଛେଳି ବୋଲି ଯାହାକୁ ସେ କାନ୍ଧରେ ବସାଇ ଘରୁ ଆଣିଥିଲେ ତାହା ପଞ୍ଚପରମେଶ୍ୱରଙ୍କ କଥାରେ ସତକୁ ସତ କୁକୁର ପାଲଟି ଯାଇଛି-। କିନ୍ତୁ ବାଟସାରା ଆପଣ ପାଞ୍ଚଜଣଯାକ ମୋ ଗଞ୍ଜାଟିକୁ ଫୁଲୁଶାଗୁଣା ବୋଲି କହିଆସୁଛନ୍ତି-। କିନ୍ତୁ କାହିଁ ? ମୁଁ ତ ଦେଖୁଛି ମୋ ଗଞ୍ଜାଟା ଆପଣମାନଙ୍କ କଥାରେ ଫୁଲୁଶାଗୁଣା ପାଲଟି ଯାଉନାହିଁ-? ଭାଇମାନେ ! ମୋ ସାଙ୍ଗେ ଆଉ ବୃଥା କଟାଳ କରନାହିଁ । ମୋ ଜେଜେବାପାଙ୍କ ବେଳ ଥିଲା ସତ୍ୟ ଯୁଗ । ସେ ଯୁଗରେ ପଞ୍ଚପରମେଶ୍ୱରଙ୍କର ତୁଣ୍ଡରୁ ଯାହା ବାହାରୁଥିଲା ସତ ହୋଇଯାଉଥିଲା-। ଛେଳି କୁକୁର ହୋଇଯାଉଥିଲା । ମାତ୍ର ଏ କଳିଯୁଗରେ ପଞ୍ଚପରମେଶ୍ୱର ଯେତେ ଜୋର୍‌ରେ ଗୋଟେକଥା କହିଲେ ବି–ଗଞ୍ଜାଟାଏ ଶାଗୁଣା ପାଲଟି ଯାଉନାହିଁ । ମୁଁ ଆଉ କ’ଣ କରିବି କୁହନ୍ତୁ-। ଛାଡ଼ନ୍ତୁ ଆଜ୍ଞାମାନେ ! ବାଟ ଛାଡ଼ନ୍ତୁ–ମୁଁ ମୋ ଗ୍ରାମକୁ ଯାଏଁ ।

 

ଧୂର୍ତ୍ତମାନେ ଦେଖିଲେ ଯେ ଏହି ଘୋରକଳି ଯୁଗରେ ସତକୁ ସତ କେହି ଆଉ ବୋକା ହୋଇନାହନ୍ତି । ସହଜରେ ଆଉ କାହାକୁ ବୋକା ବନାଇ ହେବ ନାହିଁ । କହିବା ବାହୁଲ୍ୟ ଯେ, ଧୂର୍ତ୍ତମାନେ ସେଦିନ କାନମୁଣ୍ଡା ଆଉଁସି ଆଉଁସି ଯେ ଯୁଆଡ଼େ ଚାଲିଗଲେ ।

 

ଡହରାନନ୍ଦ କଥାଟି ଏଇଠାରେ ସାରି ଉଠି ଠିଆ ହେଲେ । କିନ୍ତୁ ଯୁବକମାନଙ୍କ ଭିତରୁ ଜଣେ ପଚାରିଲା–ଡହରାନନ୍ଦଜି ! କଳିଯୁଗରେ ପାଞ୍ଚଜଣ ଧୂର୍ତ୍ତ ମିଶି ସିନା ବୁଦ୍ଧିରେ ଜଣକୁ ଠକି ପାରିଲେ ନାହିଁ । କିନ୍ତୁ ଯଦି ପଞ୍ଚଜଣଯାକ ଜୋର୍ କରି ତା’ଠାରୁ ଗଞ୍ଜାଟିକୁ ଛଡ଼େଇ ନେଇଥାନ୍ତେ ତେବେ ସେ କ’ଣ କରିଥାନ୍ତା ? କାରଣ ଆମେ ଦେଖୁଛୁ–ଏ କଳିଯୁଗରେ ଜୋର୍‍ ଯା’ର ମୂଳକ ତା’ର ।

 

ଡହରାନନ୍ଦ କହିଲେ–ଆଉଦିନେ ମୁଁ ତୁମର ଏ ପ୍ରଶ୍ନର ସମାଧାନ ଦେବି । ଆଜି ଏତିକି-

☆☆☆

 

ଦୀର୍ଘ ଜୀବନ ଲାଭର ଉପାୟ ଓ ଅପାୟ

 

ଦିନେ ବାବା ଡହରାନନ୍ଦ ରାଜଧାନୀରେ କେତେକ ଯୁବ ସରକାରୀ କର୍ମଚାରୀଙ୍କ ଆଗରେ ଦୀର୍ଘଜୀବନ ବଞ୍ଚିବାର ଉପାୟ ସମ୍ବନ୍ଧେ କଥାବାର୍ତ୍ତା କରୁଥିଲେ । ଆଲୋଚନାବେଳେ ଜଣିଏ ଯୁବ କର୍ମଚାରୀ ପଚାରିଲେ–ଡହରାନନ୍ଦଜି ! ଦୀର୍ଘଜୀବନ ବଞ୍ଚିବା କେବଳ ଆମର ସମସ୍ୟା ନୁହେଁ, କିପରି ସୁଖପୂର୍ଣ୍ଣ ଓ ନିରାମୟଭାବେ ଦୀର୍ଘଦିନ ବଞ୍ଚିହେବ, ତାହା ହିଁ ହେଉଛି ଆମ ଆଗରେ ମୁଖ୍ୟ ସମସ୍ୟା ।

 

ଏହା ଶୁଣୁ ଶୁଣୁ ଆଉ ଜଣେ ଯୁବ କର୍ମଚାରୀ କହିଲେ–ମହାଶୟ ! ଆମ ସରକାରୀ କର୍ମଚାରୀମାନଙ୍କ ପକ୍ଷରେ ସବୁଠାରୁ ବଡ଼ ସମସ୍ୟା ହେଲା–କେବଳ ଦୀର୍ଘକାୟ ଜୀବନଟିଏ ବଞ୍ଚିବା ନୁହେଁ–ବରଂ କିପରି ଦୀର୍ଘଟର୍ମ ପର୍ଯ୍ୟନ୍ତ ଆମେ ଆମ ଚାକିରି କ୍ଷେତ୍ରରେ ରହିପାରିବୁ, ତାହା ହିଁ ହେଲା ଆମ ଚିନ୍ତାର ଅସଲ କାରଣ । କାରଣ ସରକାର ଅଠାବନବର୍ଷ ବୟସ ହେଲା ମାତ୍ରେ ଚାକିରିରୁ ବିଦାୟ କରି ଦେଉଛନ୍ତି । ଧରନ୍ତୁ–ମୁଁ ଅଶୀ କି ପଞ୍ଚାଅଶୀ ବର୍ଷ ଯାଏ ବଞ୍ଚିବି–କିନ୍ତୁ ଅଠାବନବର୍ଷ ବୟସରୁ ମୋର ଚାକିରି ଗଲା ପରେ ମୁଁ ଅବଶିଷ୍ଟ କୋଡ଼ିଏ ପଚିଶିବର୍ଷ କିପରି କ’ଣ ନେଇ ଆଉ ସୁଖରେ ବଞ୍ଚିବି ?

 

ଏହି ସମୟରେ ଆଉ ଜଣେ ଯୁବ କର୍ମଚାରୀ କହିଲେ–ଡହରାନନ୍ଦଜି ! ଆମେ ତ ଆଉ ଯୋଗୀ ସନ୍ନ୍ୟାସୀ କି ସାଧୁ ବୈଷ୍ଣବ ନୋହୁଁ । ଆମ୍ଭେମାନେ ହେଲୁ କ୍ଷୁଦ୍ରାଦପି କ୍ଷୁଦ୍ର ଖୁବ୍‍ ସାଧାରଣ ମନୁଷ୍ୟ । ଆମ୍ଭମାନଙ୍କ ସୁଖ, ଆନନ୍ଦ ମୁଖ୍ୟତଃ ଚାରୋଟି କଥା ଉପରେ ମାତ୍ର ନିର୍ଭର କରିଥାଏ–ପାନ, ଭୋଜନ, ରମଣ ଓ ନିଦ୍ରା । ଏତେକ ଭୋଗ ବା ଉପଭୋଗ କରିବାକୁ ଯଦି ଆମ ଶରୀରର ସାମର୍ଥ୍ୟ ନ ରହେ, ଯଦି ବାର୍ଦ୍ଧକ୍ୟ ଆସି ଆମର ଏହି ଚାରୋଟି ମାତ୍ର ଉପଭୋଗର କ୍ଷମତା ଆମଠାରୁ କାଢ଼ିନିଏ, ତେବେ ବୃଥାରେ ଏତେଦିନ ବଞ୍ଚିବାରେ ଆମର ଲାଭ ଆଉ କ’ଣ ? ତେଣୁ ଏପରି ଉପାୟ ଯଦି ଜଣାଅଛି କହନ୍ତୁ–ଯଦ୍ଦ୍ୱାରା କି ଆମେ ଅଶୀ ପଞ୍ଚାଅଶୀବର୍ଷ ଯାଏ ପାନ, ଭୋଜନ, ରମଣ ନିଦ୍ରାଦି ବ୍ୟାପାରରେ ଯୁବକମାନଙ୍କ ପରି ସକ୍ଷମ ଓ ସମର୍ଥ ରହିପାରିବୁ ।

 

ଏହା ଶୁଣି ବେକରେ ତିନିସରି ତୁଳସୀମାଳି ପିନ୍ଧିଥିବା ଏବଂ ସଦ୍ୟାସଦ୍ୟ କୌଣସି ଅଲୌକିକ ବାବାଙ୍କଠାରୁ ଯୋଗଦୀକ୍ଷା ଗ୍ରହଣ କରିଥିବା ଜଣେ ଧର୍ମପରାୟଣ କର୍ମଚାରୀ ଖୁବ୍‍ ବିରକ୍ତ ଓ ଗମ୍ଭୀର ଭାବେ କହିଲେ–ପାନ, ଭୋଜନ, ରମଣ ଓ ନିଦ୍ରାଦି ବ୍ୟାପାର ହେଲା, ମଣିଷର ନିମ୍ନ ପ୍ରବୃତ୍ତି, ପ୍ରାଣିକ ପ୍ରବୃତ୍ତି । ଏସବୁ ରାଜସିକ, ତାମସିକ ବ୍ୟାପାରରେ ବହୁକାଳ ପର୍ଯ୍ୟନ୍ତ ବ୍ୟାପୃତ ରହିଲେ ମଣିଷର ଧର୍ମହାନି ହୁଏ ଓ ବିଶେଷତଃ ତା’ର ପରମାୟୁ କ୍ଷୟ ହୁଏ ବୋଲି ସନାତନ ଧର୍ମଶାସ୍ତ୍ରରେ ଖୁବ୍‍ ବଡ଼ ବଡ଼ ଅକ୍ଷରରେ ବାରମ୍ବାର ଉଜ୍ଜ୍ୱଳ ଭାବେ ଲିଖିତ ହୋଇଅଛି । ମଦ୍ୟପାନ ଓ ସ୍ତ୍ରୀସଂସର୍ଗାଦି ବ୍ୟାପାର ଭିତରେ କାଳ ଲୁଚି ରହିଥାଏ । ଏବଂ ନିତ୍ୟ ମଣିଷର ପରମାୟୁକୁ ଚାଟୁଥାଏ । ଚାଟି ଚାଟି ଦିନେ ଅକାଳରେ ସବୁତକ ଆୟୁ ଚାଟିଦିଏ । ନା; ଡହରାନନ୍ଦଜି ! ଆପଣ ଜଣେ ଜୋକର ହେଲେ ବି, ଆପଣଙ୍କଠାରେ ଆଧ୍ୟାତ୍ମ–ପ୍ରଜ୍ଞା ବହୁତ ଅଛି ବୋଲି ଆମେ ଜାଣୁ । ଆପଣ ଏ ସମ୍ବନ୍ଧେ ସିଦ୍ଧାନ୍ତ ଦିଅନ୍ତୁ ।

 

ବାବା ଡହରାନନ୍ଦ ଏ ପର୍ଯ୍ୟନ୍ତ ଖୁବ୍‍ ଆରାମରେ ଖଣ୍ଡିଏ ସିଗାରେଟ ଖାଇ ଧୂଆଁର କୁଣ୍ଡଳୀମାନ ସୃଷ୍ଟି କରୁଥିଲେ । ସେ ସବୁ ଶୁଣି ସାରି ଉତ୍ତର ଦେବାକୁ ଯାଇ କହିଲେ–

 

ଆପଣମାନେ ଯେ ଯାହା କହୁଛନ୍ତି ସେ ସବୁ ଯେଝା କ୍ଷେତ୍ରରେ ଖୁବ୍‍ ସତ୍ୟ ଓ ବାସ୍ତବ । ତେବେ ଗପଟିଏ କହୁଛି ଶୁଣନ୍ତୁ । ସେଥିରୁ ସବୁ ସମାଧାନ ପାଇଯିବେ ।

 

ଦିନେ ଗୋଟିଏ ସହରରେ ଜଣେ ଶତାୟୁ ବ୍ୟକ୍ତିଙ୍କର ଶତାବ୍ଦୀ ପୂରଣ ଜନ୍ମଦିନ ପାଳିତ ହେଉଥିଲା । ଏହି ଶତାୟୁ ବ୍ୟକ୍ତିଜଣକ ଥିଲେ ଜଣେ ଆଦର୍ଶ ସଂଯମୀ ଓ ନୀତିବାନ ବ୍ୟକ୍ତି । ତାଙ୍କ ଜନ୍ମ ଜୟନ୍ତୀ ଦିନ ସହରର ବିଶିଷ୍ଟ ନାଗରିକ–ନାଗରିକାମାନେ ଓ ସାମ୍ବାଦିକ, ସାହିତ୍ୟିକ, ଓକିଲ, ଡାକ୍ତରାଦି ବୁଦ୍ଧିଜୀବୀମାନେ ଏବଂ ସ୍ୱୟଂ ନଗରପାଳ ଓ ଉପନଗରପାଳ ନାନାଦି ଫଳପୁଷ୍ପ ଓ ନାନାଦି ଉପହାରମାନ ଧରି ତାଙ୍କ ନିଜ ବାସଗୃହରେ ତାଙ୍କୁ ଏକ ବିପୁଳ ସମ୍ବର୍ଦ୍ଧନା ଦେଲେ । ସେହି ଭାଗ୍ୟବାନ ଶତାୟୁ ବ୍ୟକ୍ତି ଏକ ତିନିମହଲା କୋଠାର ତଳ ମହଲାରେ ରହୁଥିଲେ । ସମ୍ବର୍ଦ୍ଧନା ପରେ ଜଣେ ସାମ୍ବାଦିକ ପଚାରିଲେ–

 

ମହାଶୟ ! ଆପଣଙ୍କର ଏହି ଦୀର୍ଘଜୀବନ ପଛରେ ବହୁ କାରଣ ଥାଇପାରେ । ସେଥିରୁ ମାତ୍ର ଦୁଇଟି ମୁଖ୍ୟ କାରଣ ଆମକୁ କହନ୍ତୁ, ଯାହା ପାଳନ କରିବା ଆମ ପକ୍ଷେ ସମ୍ଭବ ଓ ସହଜ ହେବ । ଏବଂ ଆମ୍ଭେମାନେ ଆପଣଙ୍କ ପଦାଙ୍କ ଅନୁସରଣ କରି ଆପଣଙ୍କ ସୌଭାଗ୍ୟର ଅଧିକାରୀ ହୋଇପାରିବୁ ।

 

ଶତାୟୁ ବ୍ୟକ୍ତି ହସି ହସି ଉତ୍ତର ଦେଲେ–ମୋ ଜୀବନରେ ମୁଁ ଦୁଇଟି କଥା ବଡ଼ କଠୋର ଭାବେ ପାଳି ଆସିଛି । କେଉଁଦିନ ହେଲେ ମୁଁ ମଦ୍ୟ ସ୍ପର୍ଶ କରିନାହିଁ । ସ୍ତ୍ରୀସଂସର୍ଗ ମଧ୍ୟ କରିନାହିଁ । ଏହା ଶୁଣିବା ମାତ୍ରେ ଦୀର୍ଘଜୀବନ ଆଶା କରୁଥିବା ସହରର ଶତାଧିକ ଯୁବକ, ପ୍ରୌଢ଼ ଓ ବୃଦ୍ଧବ୍ୟକ୍ତିଙ୍କ ମୁଖମାନ ମଳିନ ପଡ଼ିଗଲା ଓ କେତେକ ଆର୍ତ୍ତନାଦ ମଧ୍ୟ କରି ଉଠିଲେ ।

 

ଏହି ସମୟରେ ଶତାୟୁଙ୍କ କୋଠରୀର ଉପର ମହଲାରୁ କିଞ୍ଚିତ୍‍ ଅସ୍ୱାଭାବିକ ଶବ୍ଦ ଶୁଭିଲା । ଏବଂ ସେ ଶବ୍ଦ କ୍ରମଶଃ ଅଧିକ ହେବାରୁ ସାମ୍ବାଦିକମାନେ ଚଞ୍ଚଳ ହୋଇ ଉଠିଲେ । ଜଣେ ସାମ୍ବାଦିକ ତ୍ରସ୍ତ ଭାବେ ପଚାରିଲେ–ମହାଶୟ ! ଆମେ ଆଶଙ୍କା କରୁଛୁ ଉପର ମହଲାରେ କିଛି ଗୋଟାଏ ଅସ୍ୱାଭାବିକ ଭୟଙ୍କର ଗଣ୍ଡଗୋଳ ଚାଲିଛି । ଏହା କ’ଣ ହୋଇପାରେ ?

 

ଶତାୟୁ ବ୍ୟକ୍ତି ହସି ହସି ଉତ୍ତର ଦେଲେ–ତାହା କିଛି ନୁହେଁ । ସେଣିକି କାନାନ୍ତୁ ନାହିଁ । ଉପର ମହଲାରେ ମୋର ଜେଜେବାପା ରହୁଛନ୍ତି । ତାଙ୍କରି କାଣ୍ଡ କାରଖାନା ଚାଲିଛି । ଏଇଟା ତାଙ୍କର ପ୍ରତିଦିନର ଅଭ୍ୟାସ ।

 

ସାମ୍ବାଦିକମାନେ ସମସ୍ୱରରେ ପ୍ରଶ୍ନ କଲେ–କି ଅଭ୍ୟାସ ଆଜ୍ଞା ? ସେ କ’ଣ ପ୍ରତିଦିନ ଏହି ସମୟରେ କିଛି ଯୋଗ ବ୍ୟାୟାମ କରନ୍ତି ?

 

ଶତାୟୁ କହିଲେ–ଆରେ ନା, ନା–ଯୋଗ ଫୋଗ କି ବ୍ୟାୟାମ ଫାୟାମ ନୁହଁ । ପ୍ରତିଦିନ ପ୍ରଚୁର ମଦ ପିଇ ମାତାଲ ହେବା ଓ ପ୍ରତିଦିନ ଅନ୍ତତଃ ଜଣେ ଇତର ସ୍ତ୍ରୀଲୋକ ସହିତ ଧରାପରା ବା ଗଡ଼ାପଡ଼ା ହେବା ହେଲା ତାଙ୍କର ଗୋଟିଏ ଜୀବନବିଳାସ ।

 

ଏ କଥା ଶୁଣି ସମସ୍ତେ ଅବାକ୍‍ ହୋଇଗଲେ । କିନ୍ତୁ ହଠାତ୍‍ ଜଣେ ଡାକ୍ତର ବିଚଳିତ କଣ୍ଠରେ ପଚାରିଲେ–

 

ମହାଶୟ ! ଆପଣଙ୍କର ଅତି ଦୀର୍ଘାୟୁ, ଜେଜେବାପାଙ୍କ କାଣ୍ଡ କାରଖାନା କଥା ଶୁଣିଲୁ-। ଏବେ କହନ୍ତୁ–ଆପଣଙ୍କର ମହାନ୍‍ ବାପା କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ?

 

ଶତାୟୁ ବ୍ୟକ୍ତି ଉତ୍ତର ଦେଲେ–ସେ ଆଉ ଇହଧାମରେ ନାହାନ୍ତି, କାରଣ ସେ ଆମ ଦୁଇଜଣଙ୍କ ଚାପ ସହି ନ ପାରି ହଠାତ୍‍ ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇଯିବାରୁ ଅଚିରେ ଏହି ଅତି ସଂଯତ ଓ ଅତି ଅସଂଯତ ଇହଧାମଟିକୁ ଖୁବ୍‍ ଅଳ୍ପ ବୟସରେ ବାଧ୍ୟହୋଇ ଛାଡ଼ି ପରଲୋକଳୁ ଚାଲିଗଲେ ।

 

ଡହରାନନ୍ଦ କଥାଟିକୁ ଏହିଠାରେ ସାରିଦେବା ମାତ୍ରେ ସମବେତ ଯୁବ କର୍ମଚାରୀମାନେ ହସୁ ହସୁ ହଠାତ୍‍ ନିର୍ବାକ ହୋଇ ବସିଗଲେ ।

☆☆☆

 

ଆସିବା ଓ ଯିବା ପ୍ରସଙ୍ଗ

 

ଏହି ରୂପକ ଗଳ୍ପଟି ବାବା ଡହରାନନ୍ଦ ଯାଜପୁର ସହରର କେତେକ ଯୁବକଙ୍କ ଆଗରେ କହିଥିଲେ । ସେହି ଯୁବକମାନେ ଥିଲେ ଯଥାର୍ଥରେ ତତ୍ତ୍ୱ–ଜିଜ୍ଞାସୁ । ଯାଜପୁର ସହରର ଅନତି ଦୂରରେ ବୈତରଣୀ କୂଳ ସଂଲଗ୍ନ ଦଶାଶ୍ୱମେଧ ଘାଟ ଉପରେ ସେମାନେ ବସିଥିଲେ । ଚାରିଆଡ଼ ଜହ୍ନ ଆଲୁଅରେ ଖୁବ୍‍ ଶାନ୍ତ ଓ ସୁନ୍ଦର ଦିଶୁଥିଲା । ଯୁବକମାନେ ପ୍ରଥମେ ଡହରାନନ୍ଦଙ୍କୁ ଜନ୍ମ ଓ ମୃତ୍ୟୁ ସଂପର୍କୀୟ କେତେକ ପ୍ରଶ୍ନ ପଚାରିଥିଲେ । ଡହରାନନ୍ଦ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗଳ୍ପଟିଏ କହିଲେ ।

 

ବାବୁମାନେ ! ଗପଟିଏ ଶୁଣ । ଦିନେ ରାତି ଥାଉ ଥାଉ ଦଳେ ପିମ୍ପୁଡ଼ି ଖାଦ୍ୟ ଖୋଜିବାକୁ ଦଳ ଦଳ ହୋଇ ଗାତରୁ ବାହାରି ଭୂମି ଉପରକୁ ଉଠି ଆସିଲେ । ସେମାନେ ଗୋଟିଏ ଶାଗ କିଆରିରେ ପହଁଞ୍ଚିଲା ବେଳକୁ ସକାଳ ହୋଇଗଲା । କ୍ରମେ ସକାଳର ସୁନେଲି ସୂର୍ଯ୍ୟକିରଣ ଚାରିଆଡ଼େ ବିଛାଡ଼ି ହୋଇପଡ଼ିଲା । ପିମ୍ପୁଡ଼ିମାନେ ହଠାତ୍‍ ଶାଗପତ୍ର ଉପରେ କେତେକ ଉଜ୍ଜ୍ୱଳ ପଦାର୍ଥ ଦେଖି ସେଠାରେ ଅଟକି ଗଲେ । ସେଗୁଡ଼ିକ ଥିଲା ସକାଳର କାକର ବିନ୍ଦୁ । ଆଶ୍ଚର୍ଯ୍ୟ ହୋଇ ସେମାନେ ପରସ୍ପର ମଧ୍ୟରେ ପଚରାପଚରି ହେଲେ–କ’ଣ ଏଗୁଡ଼ାକ ? ପାଣି ଟୋପା ଭଳି ଦିଶୁଛି । କୋଉଠୁ ଆସିଲା ଏଗୁଡ଼ାକ ? କାଲି ରାତିରେ ତ ବର୍ଷା ହୋଇନି ! ଜଣେ ବିଜ୍ଞ ପିମ୍ପୁଡ଼ି କହିଲା, ଏଗୁଡ଼ିକ ସବୁ ରାତାରାତି ପୃଥିବୀ ଭିତରୁ ବାହାରି ଏଇ ପତ୍ର ମାନଙ୍କରେ ଲାଗିଯାଇଛନ୍ତି ।

 

ଆଉଜଣେ ବିଜ୍ଞତର ପିମ୍ପୁଡ଼ି କହିଲା, ନା ନା ସେସବୁ ରାତାରାତି ସମୁଦ୍ରରୁ ପବନରେ ଉଡ଼ିଆସି ଏଠି ପତ୍ର ମାନଙ୍କରେ ଲାଗିଯାଇଛନ୍ତି ।

 

ଏହି ଦୁଇଟି ମତକୁ ନେଇ ପିମ୍ପୁଡ଼ିମାନଙ୍କ ଭିତରେ ଦୁଇଟି ଦଳ ହୋଇଗଲେ ଓ ସେମାନଙ୍କ ଭିତରେ ବହୁତ ଯୁକ୍ତିତର୍କ ହେଲା । ଦଳେ କହିଲେ–ମେଘ ନୁହେଁ କି ପୃଥିବୀ ଭିତରୁ ନୁହେଁ । ଏସବୁ ଜଳବିନ୍ଦୁ ସିଧାଆକାଶରୁ ଚାଲି ଆସି ଏଠି ପତ୍ରରେ ଲାଗିଛନ୍ତି । ଆର ଦଳଟି ଠିକ୍‍ ଏହାର ବିପରୀତ କଥାଟି କହିଲେ ।

 

କେତେକ ନିରପେକ୍ଷ ପିମ୍ପୁଡ଼ି ଏହି ବିପରୀତ ମତ ଗୁଡ଼ିକୁ ସଂଶ୍ଳେଷଣ କରି ଗୋଟିଏ ବ୍ୟାଖ୍ୟାମୂଳକ ତତ୍ତ୍ୱ ଓ ତଥ୍ୟ ବଖାଣକରି କହିଲେ–ଏହି ଜଳବିନ୍ଦୁ ଗୁଡ଼ିକ ପ୍ରଥମେ ସମୁଦ୍ରରୁ ବାହାରି ଆକାଶକୁ ଗଲେ । ସେଠୁ ମେଘରେ ଭାସି ଆସି ପୃଥିବୀରେ ଖସିପଡ଼ିଲେ । ଏବଂ ପୃଥିବୀ ଭିତରକୁ ଭେଦିଗଲେ । ତା’ ପରେ ଅଧରାତିରେ ପୃଥିବୀ ଦୀର୍ଘନିଃଶ୍ଵାସ ଛାଡ଼ନ୍ତେ ସେଇ ନିଃଶ୍ଵାସରେ ପୁଣି ପଦାକୁ ବାହାରି ଆସି ଏଇ ସବୁ ଶାଗପତ୍ରରେ ଲାଗିଗଲେ । କିମ୍ବା ଏହା ମଧ୍ୟ ହୋଇପାରେ ଯେ ଏଗୁଡ଼ିକ ସିଧା ମେଘରୁ ଖସି ସମୁଦ୍ରରେ ପଡ଼ିଲେ ଓ ରାତାରାତି ପବନ ଏଗୁଡ଼ିକୁ ସମୁଦ୍ରରୁ ଉଠାଇ ଆଣି ଏଇ ଶାଗପତ୍ରଗୁଡ଼ିକ ଉପରେ ଛିଞ୍ଚି ଦେଲା । ତେଣୁ ଆମେ ଭାବୁଛୁ–ଏଇ ଆଶ୍ଚର୍ଯ୍ୟ ଜଳବିନ୍ଦୁଗୁଡ଼ିକ ଏଇ ଶାଗପତ୍ରମାନଙ୍କ ଭିତରକୁ ଆସିବା ସମ୍ପର୍କରେ ଯେତେ ଯାହା ମତପ୍ରକାଶ ପାଉଛି–ସେଗୁଡ଼ିକ ସବୁ ଏକାବେଳେକେ ସତ ହୋଇପାରେ–କିମ୍ବା ଏକାବେଳେକେ ମିଛ ମଧ୍ୟ ହୋଇଥାଇପାରେ । ହୁଏତ ଏହି ଜଳବିନ୍ଦୁଗୁଡ଼ିକ ଏଇସବୁ ଶାଗଗଛମାନଙ୍କ ଦେହରୁ ଝାଳସ୍ୱରୂପ ବାହାରି ସେମାନଙ୍କ ପତ୍ରରେ ଲାଗିଛନ୍ତି ।

 

ପିମ୍ପୁଡ଼ିମାନଙ୍କ ଭିତରେ ଥିଲେ ଜଣେ ଖୁବ୍‍ ପ୍ରବୀଣ ପିମ୍ପୁଡ଼ି । ତାଙ୍କ ଶରୀରର ବର୍ଣ୍ଣ ଥିଲା ଈଷତ୍‍ ଧଳା । ସମସ୍ତେ ତାଙ୍କୁ ବାଚସ୍ପତି ବୋଲି ଡାକୁଥିଲେ । ସେ ମଧ୍ୟ ସତକୁ ସତ ଖୁବ୍‍ ବିଜ୍ଞ ଓ ପ୍ରାଜ୍ଞ ଥିଲେ । ତାଙ୍କର ମତ ଯେତେବେଳେ ଲୋଡ଼ାହେଲା–ସେ ଖୁବ୍‍ ଗମ୍ଭୀର ସ୍ୱରରେ କହିଲେ–ରୁହ, କେହି ତର୍କ ବା କନ୍ଦଳ କରନାହିଁ । ଏହିଠାରେ ଅପେକ୍ଷାକର ଓ ଦେଖ । ମୁଁ ଜାଣେ ଯେ, ଯାହା ଯୋଉଠାରୁ ଆସିଥାଏ, ତାହା ଶେଷରେ ସେଇଠାକୁ ଫେରିଯାଏ । ଦେଖିବା ଏହି ଜଳବିନ୍ଦୁ ଗୁଡ଼ିକ କୁଆଡ଼କୁ ଯାଉଛି ।

 

ସମସ୍ତେ ଅପେକ୍ଷା କରି ଦେଖିଲେ ଯେ, ସୂର୍ଯ୍ୟ ଟାଣ ହେବା ମାତ୍ରେ ସବୁତକ କାକରଟୋପା ବାଷ୍ପ ହୋଇ ଆକାଶକୁ ଉଠିଗଲେ । ଏବଂ କୁଆଡ଼େ ଅଦୃଶ୍ୟ ବା ଲୋପ ପାଇ ଗଲେ । ତା’ ମାନେ, ଏହି କାକରବିନ୍ଦୁମାନେ ପ୍ରକୃତରେ ଆକାଶରୁ ଆସିଥିଲେ, ଯାହା ଯୋଉଠୁ ଆସିଥାଏ–ତାହା ଶେଷରେ ସେହିଠାକୁ ଫେରିଯାଏ ।

 

କଥାଟି ଶୁଣି ଜଣେ ଯୁବକ ପଚାରିଲେ–ଡହରାନନ୍ଦଜି ! ଆମେ ଜାଣୁ ଯେ ଆମେ ସମସ୍ତେ ମାତୃଗର୍ଭରୁ ଆସିଛୁ । ତା’ ହେଲେ କ’ଣ ଆମେ ମଲା ପରେ ପୁଣି ସେହି ମାଆର ଗର୍ଭକୁ ଫେରିଯିବୁ ?

 

ଡହରାନନ୍ଦ ହସି ହସି ମଜା କଲାଭଳି ଉତ୍ତର ଦେଲେ–ଆରେ ବାବୁମାନେ ! ଏ ଯୁଗରେ ତୁମେମାନେ ମଲାପରେ ଆଉଥରେ ମାତୃଗର୍ଭକୁ ଫେରିଯିବ ନାହିଁ । ଏଣିକି ତୁମମାନଙ୍କୁ ବୈଜ୍ଞାନିକମାନେ କାଚନଳୀ ଭିତରୁ ଜନ୍ମ କରାଇବେ ।

 

ସମବେତ ଯୁବକମାନେ ଏହା ଶୁଣି ହସି ଉଠିଲେ ।

☆☆☆

 

ପବିତ୍ର ଦାରିଦ୍ର୍ୟ

 

ଏହି ଗଳ୍ପଟି ବାବା ଡହରାନନ୍ଦ ବ୍ରହ୍ମପୁର ରେଳ ଷ୍ଟେସନରେ କୌଣସି ଏକ ଗ୍ରୀଷ୍ମ ସକାଳରେ କୋଣାର୍କ ଏକ୍‌ସପ୍ରେସରେ ଯିବା ଲାଗି ଅପେକ୍ଷା କରିଥିବାବେଳେ କେତେକ ଯୁବକଙ୍କୁ କହିଥିଲେ । କୋଣାର୍କ ଏକ୍‌ସପ୍ରେସ ସେଦିନ ପ୍ରାୟ ଦୁଇଘଣ୍ଟା ବିଳମ୍ବ ଥିଲା । ପ୍ଳାଟଫର୍ମରେ ତାଙ୍କୁ ବୁଲୁଥିବାର ଦେଖି ଯୁବକମାନେ ତାଙ୍କୁ ବହୁ ସମ୍ମାନ ସମାଦାର କରି କଫିପାନ କରାଇଲେ ଓ ଗାଡ଼ି ଆସିବାକୁ ବିଳମ୍ବ ଅଛି ବୋଲି ସମ୍ବାଦ ଦେଇ ଗୋଟିଏ ନିକାଞ୍ଚନ ସ୍ଥାନକୁ ଡାକି ନେଲେ । ସେଠାରେ ସମସ୍ତେ ବସିଲା ପରେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜି ! ଦାରିଦ୍ର୍ୟଠାରୁ ବଳି ଦୁଃଖ ନାହିଁ । ଆମ ଦେଶ ଦରିଦ୍ର–ଆମ ରାଜ୍ୟ ଆହୁରି ବେଶୀ ଦରିଦ୍ର । ଆମେ ପୁଣି ସବୁଠାରୁ ଦରିଦ୍ର ଅବସ୍ଥାରେ ଅଛୁ । ଆମର ଗୋଟିଏ କଥାରେ ସଂପୂର୍ଣ୍ଣ ବିଶ୍ଵାସ ହେଲାଣି ଯେ, ତୁମର ଯେତେ ଯାହା ଗୁଣ ଥାଉ, ପ୍ରତିଭା ଥାଉ, ସେ ସବୁର କିଛି ମୂଲ୍ୟ ନାହିଁ ଯଦି ତୁମେ ଦରିଦ୍ର । କିନ୍ତୁ ଆମର ଧାମକ ଲୋକମାନେ ସବୁବେଳେ ଦାରିଦ୍ର୍ୟକୁ ପ୍ରଶଂସା କରି ଆସୁଛନ୍ତି । ସେମାନେ କହୁଛନ୍ତି–ଦରିଦ୍ର ଲୋକ ହିଁ ଈଶ୍ୱରଙ୍କ କୃପା ସହଜରେ ପାଇଥାଏ । କିନ୍ତୁ ଡହରାନନ୍ଦଜି ! ଏଇସବୁ ଧନୀଲୋକମାନେ ଯେଉଁସବୁ ଧନସମ୍ପଦ ଠୁଳ କରିଛନ୍ତି–ତାହା କ’ଣ ଈଶ୍ୱରଙ୍କ କୃପା ନୁହଁ ? ଆପଣଙ୍କ ଈଶ୍ୱର କ’ଣ ଖାଲି ମଣିଷକୁ ଦରିଦ୍ର କରିବାରେ ଲାଗିଥାନ୍ତି ? ଧନୀ କରିବାକୁ ଲାଗି ନ ଥାନ୍ତି ?

 

ଡହରାନନ୍ଦ ଟିକିଏ ସ୍ମିତହାସ୍ୟ କରି ଶ୍ଳେଷ କଲାପରି କହିଲେ–ବାବୁମାନେ ଈଶ୍ୱରଙ୍କୁ ବୃଥାରେ ଏଠାକୁ ଡାକ ନାହିଁ । ମୋର ମଧ୍ୟ ସେହି ରହସ୍ୟମୟ ବ୍ୟକ୍ତିଙ୍କ ସହ କିଛି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଧନୀ ବା ଦରିଦ୍ର ହେବା ବ୍ୟକ୍ତିର ନିଜ ଇଚ୍ଛା ଓ ଚେଷ୍ଟାର ଫଳ । ଆଉ ମଧ୍ୟ ସୁଯୋଗ ସୁବିଧା, ପରିବେଶାଦି ସେଥିପାଇଁ ପ୍ରତିକୂଳ ବା ଅନୁକୂଳ ହେଲେ ବ୍ୟକ୍ତି ଧନୀ ବା ଦରିଦ୍ର ହୋଇଥାଏ । ତେବେ ପବିତ୍ରତା ଦୃଷ୍ଟିରୁ ଦାରିଦ୍ର୍ୟ ଓ ଐଶ୍ୱର୍ଯ୍ୟକୁ ବିଚାର କରାଯାଇପାରେ । ଆମ ଭିତରେ ପବିତ୍ର ଧନୀ ଅଛନ୍ତି–ପବିତ୍ର ଦରିଦ୍ର ମଧ୍ୟ ଅଛନ୍ତି । ଅପବିତ୍ର ଧନୀ ଓ ଅପବିତ୍ର ଦରିଦ୍ର ଅଛନ୍ତି ।

 

ଜଣେ ଯୁବକ ପଚାରିଲେ–ମହାଶୟ ! ‘ପବିତ୍ର ଦାରିଦ୍ର୍ୟ’ କଥାଟି କ’ଣ ବୁଝିପାରୁ ନାହୁଁ ।

 

ଡହରାନନ୍ଦ କହିଲେ–ଏବେ ଗପଟିଏ କହୁଛି ଶୁଣ–ସବୁ ବୁଝିପାରିବ ।

 

ଆବ୍ରାହିମ୍‍ ଆଦମ୍‍ ଥିଲେ ଜଣେ ମହାନ୍‍ ରହସ୍ୟବାଦୀ ସୁଫି ସନ୍ନ୍ୟାସୀ । କିନ୍ତୁ ସନ୍ନ୍ୟାସୀ ହେବାର ବହୁ ପୂର୍ବରୁ ସେ ଥିଲେ ବୁଖାରି ରାଜ୍ୟର ସମ୍ରାଟ । ଦିନେ ସବୁ ଛାଡ଼ିଛୁଡ଼ି ଦେଇ ସେ ଜଣେ ସୁଫି ସନ୍ନ୍ୟାସୀ ରୂପେ ଚାରିଆଡ଼େ ଭ୍ରମଣ କଲେ ଓ ଭିକ୍ଷାମାଗି ବଞ୍ଚିଲେ । ତାରି ଭିତରେ ସେ ଭଗବାନଙ୍କୁ ପାଇବା ପାଇଁ ସାଧନା କରୁଥାନ୍ତି । କିନ୍ତୁ ତାଙ୍କୁ ପାଉ ନଥାନ୍ତି । ସେଥିପାଇଁ ତାଙ୍କର ହୃଦୟ ସର୍ବଦା ବ୍ୟାକୁଳ ଥାଏ । ସେ ସର୍ବଦା କାନ୍ଦି କାନ୍ଦି ତାଙ୍କୁ ପ୍ରାର୍ଥନା କରୁଥାନ୍ତିତ। ଏବଂ ତାଙ୍କର ନାମ ଓ ଗୁଣର ଭଜନ କୀର୍ତ୍ତନ କରୁଥାନ୍ତି ।

 

ଥରେ ସେ ଆଉ ଜଣେ ରହସ୍ୟବାଦୀ ସୁଫି ସାଧକଙ୍କ ସଙ୍ଗେ ଗୋଟିଏ ପାହାଡ଼ ତଳେ କିଛିଦିନ ପାଇଁ ରହିଥିଲେ । ସେ ଥିଲେ ଜଣେ ଯୁବକ ଓ ଖୁବ୍‍ ଅସ୍ଥିରଚିତ୍ତ ମଣିଷ । ସେ ଚାହୁଁଥିଲେ ଯଥାଶୀଘ୍ର ତାଙ୍କୁ ଈଶ୍ୱର ମିଳିଯାନ୍ତୁ । ତାଙ୍କର ସାଧନ ଭଜନରେ ଯେତେ ସମୟ କଟୁନଥିଲା; ସେତିକି ସମୟ ସେ କେବଳ ଆପଣାର ଦାରିଦ୍ର୍ୟ ଉପରେ ହିଁ ଅଭିଯୋଗ କରିଚାଲିଥିଲେ । ପ୍ରାୟ ଗୋଟିଏ କଥା ସକାଳ ସନ୍ଧ୍ୟା ସେ ଆବ୍ରାହିମ୍‌ଙ୍କୁ ପଚାରୁଥିଲେ–କୁହ ତ ଭାଇ ! ସବୁକିଛି ଛାଡ଼ିଛୁଡ଼ି ଦେଇ ଆସିଲି–ସ୍ତ୍ରୀ, ସନ୍ତାନ, ଘର ଓ ମୋର ବାସନ ଦୋକାନଟି । ଅଥଚ, ଏଠି ଆସି ଏତେଦିନ ହେଲା–ମୁଁ ଭଲା କ’ଣ ପାଇଲି ?

 

ସବୁଦିନେ ଏହିଭଳି କଥା ଶୁଣି ଶୁଣି ଆବ୍ରାହିମ୍‍ ଯୁବକଟି ଉପରେ ଦିନେ ବିରକ୍ତ ହୋଇ କହିଲେ–

 

ବୁଝିଲ ଦରବେସ୍‍ ! ମୋର ସନ୍ଦେହ ତୁମେ ତୁମର ଏହି ଦାରିଦ୍ର୍ୟକୁ ଖୁବ୍‍ କମ୍‍ ମୂଲ୍ୟ ଦେଇ କିଣିଛ । ଯୁବକ ଦରବେସ୍‍ ରାଗିଯାଇ କହିଲେ–ମୁଁ ଆପଣଙ୍କୁ ଜଣେ ଜ୍ଞାନୀ ବ୍ୟକ୍ତି ବୋଲି ଭାବିଥିଲି । କିନ୍ତୁ ଆପଣ କି ନିର୍ବୋଧ ଭଳି କଥା କହୁଛନ୍ତି ? କିଏ ଦାରିଦ୍ର୍ୟକୁ କିଛି ମୂଲ୍ୟ ଦେଇ କିଣି ଥାଏ ? ଆବ୍ରାହିମ୍‍ କହିଲେ–ନିଶ୍ଚୟ । ମୋତେ ତ ଏଥିପାଇଁ ଗୋଟାଏ ସାମ୍ରାଜ୍ୟ ମୂଲ୍ୟ ଦେବାକୁ ପଡ଼ିଛି । ଗୋଟିଏ ମୁହୂର୍ତ୍ତର ପବିତ୍ର ଦାରିଦ୍ର୍ୟ ପାଇଁ ମୁଁ ଏ ପୃଥିବୀ ଭଳି ଶହେଟା ପୃଥିବୀ ଦେଇ ଦେଇପାରେ । କାରଣ, ଆମେ ଯେଉଁ ଦାରିଦ୍ର୍ୟ କିଣିଛୁ–ତାର ଦାମ୍‍ ତ ପ୍ରତି ମୁହୂର୍ତ୍ତରେ ବଢ଼ି ବଢ଼ି ଚାଲିଛି । ଅଥଚ ତୁମେ ଦାରିଦ୍ର୍ୟ ପାଇଁ ପ୍ରତିଦିନ କାନ୍ଦି କାନ୍ଦି ମରୁଛ । ତୁମ ମନରେ ଆଉ ଆଲ୍ଲା ତାଲ୍ଲା (ଈଶ୍ୱର) ନାହାନ୍ତି....

 

ଏତେବେଳେ ଜଣେ ଯୁବକ ଶ୍ରୋତା ପ୍ରଶ୍ନ କଲେ–ଦାରିଦ୍ର୍ୟ ତ ଦାରିଦ୍ର୍ୟ–ପବିତ୍ର ଦାରିଦ୍ର୍ୟ ପୁଣି କ’ଣ ?

 

ଡହରାନନ୍ଦ କହିଲେ–ଯେ ଭଗବାନଙ୍କ ଲୋକ, ସେ ତା’ ପାଖରେ କିଛି ରଖେ ନାହିଁ । ଏପରିକି ଭଗବାନଙ୍କୁ ମଧ୍ୟ ରଖେ ନାହିଁ । ଯାହା ଅଛି, ତାକୁ ଯେ ନାହିଁ ବୋଲି ଭାବୁଥାଏ, ବା ଏହା ରହିବ ନାହିଁ ବୋଲି ଆଶଙ୍କାରେ ତାକୁ ମାଡ଼ିବସି ଧରିଥାଏ, ସେ ଦରିଦ୍ର । ଯେ ଥିବା ଜିନିଷକୁ ନାହିଁ ବୋଲି ଭାବି ବିଳାପ କରୁଥାଏ, ସେ ନିଶ୍ଚେ ଦରିଦ୍ରତର । ଶେଷରେ ସେ ଥିବା ଜିନିଷକୁ ଅଛି ବୋଲି ଭାବୁ ନ ଥାଏ କି ନାହିଁ ବୋଲି ମଧ୍ୟ ଭାବୁ ନଥାଏ, ଅସଲରେ ସେହି ହେଉଛି ଦରିଦ୍ରତମ । ତାକୁ ଆମେ ‘ଦରିଦ୍ରରାଜ’ ବୋଲି ମଧ୍ୟ କରିପାରିବା । ଏହି ଲୋକଟିର ଦାରିଦ୍ର୍ୟ ହିଁ ଯଥାର୍ଥରେ ‘ପବିତ୍ର ଦାରିଦ୍ର୍ୟ’ ।

☆☆☆

 

କରି କରାଉ ଥାଇ ମୁହିଁ

 

ଥରେ ବାବା ଡହରାନନ୍ଦ କଟକ ଜିଲ୍ଲାର ଗୋଟିଏ ଗ୍ରାମାଞ୍ଚଳକୁ ବ୍ୟକ୍ତିଗତ କାର୍ଯ୍ୟ ଉପଲକ୍ଷେ ଯାଇଥିଲେ । ଅନେକ ଦିନ ଧରି ସେ ଓଡ଼ିଶାର କୌଣସି ଗ୍ରାମକୁ ଯାଇ ନ ଥିଲେ । ଅବଶ୍ୟ ସେ ଜାଣିଥିଲେ ସେ ସ୍ଵାଧୀନତା ପାଇବା ପରଠାରୁ ସରକାରମାନେ ଗ୍ରାମର ଉନ୍ନତି ବିଷୟରେ ନାନା ଯୋଜନା କରିଛନ୍ତି ଓ ଗତ ୪୫ ବର୍ଷ ଧରି ସେ ସମ୍ପର୍କରେ ବହୁ ପାଟିତୁଣ୍ଡ ଓ ହାଲହୋଳି କରି ଆସୁଛନ୍ତି । ସବୁ ରାଜନୈତିକ ଦଳ ଏହି ଗ୍ରାମବାସୀଙ୍କୁ ଯେନତେନ ପ୍ରକାରଣେ ସନ୍ତୁଷ୍ଟ କରିବାକୁ ଖୁବ୍‍ ବ୍ୟଗ୍ର ଓ ତତ୍ପର କାରଣ, ଭୋଟ ଯୁଦ୍ଧରେ ଜିତିବାକୁ ହେଲେ ଏହି ଗ୍ରାମବାସୀମାନେ ହିଁ ଏକମାତ୍ର ସାହା ।

ଡହରାନନ୍ଦଙ୍କର ଧାରଣା ଥିଲା ଯେ ଇତି ମଧ୍ୟରେ ଗ୍ରାମଗୁଡ଼ିକ ଧନଧାନ୍ୟରେ ପୂର୍ଣ୍ଣ ହୋଇଯିବଣି । ଏବଂ ସେମାନଙ୍କର ମଧ୍ୟ ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି ଘଟିଯିବଣି-। ଏବେ ଡହରାନନ୍ଦ ସେହି ଗ୍ରାମରେ ଉପସ୍ଥିତ ଥିଲା ସମୟରେ ଦେଶରେ ଗୋଟିଏ ନିର୍ବାଚନ ହେବାକୁ ଯାଉଥିଲା । ତେଣୁ ନିର୍ବାଚନରେ ଲଢ଼ୁଥିବା ବିଭିନ୍ନ ଦଳର ନେତାମାନେ ବିଭିନ୍ନ ସମୟରେ, ବିଭିନ୍ନ ସ୍ଥାନରେ ଗ୍ରାମବାସୀମାନଙ୍କୁ ଏକଜୁଟ୍‍ କରି ସଭା କରୁଥିଲେ ଓ ସେଥିରେ ଉଚ୍ଚକିତ ସ୍ୱରରେ ବକ୍ତୃତା ଦେଇ ଲୋକମାନଙ୍କ ମନକୁ ନିଜ ଆଡ଼କୁ ଟାଣିବା ଲାଗି ପାଗଳ ଭଳି ଚେଷ୍ଟା କରୁଥିଲେ-। ସେହି ଗ୍ରାମରେ ସେଦିନ ସନ୍ଧ୍ୟାରେ ଗୋଟିଏ ବଡ଼ ନିର୍ବାଚନ ସଭା ହେଉଥିଲା-। ସେହି ସଭାରେ ଜଣେ ବିଖ୍ୟାତ ନେତା ବକ୍ତୃତା ଦେଉଥିଲେ । ଡହରାନନ୍ଦ ସେହି ସଭାକୁ ଯାଇ ପଛରେ ଠିଆ ହେଲେ ଓ ନେତାଙ୍କ ବକ୍ତୃତା ଓ ଲୋକଙ୍କ ପ୍ରତିକ୍ରିୟା ଲକ୍ଷ୍ୟ କଲେ ।

ଭୋଟ ପ୍ରାର୍ଥୀ ନେତା ଜଣକ ଗୋଟିଏ ରାହା ଧରି ଭାଷଣ ଦେଇ ଚାଲିଥାନ୍ତି ।

 

ଭାଇମାନେ ! ମୋତେ ଏଥର ସର୍ବାଧିକ ଭୋଟ ଦେଇ ଯଦି ଆପଣମାନେ ଜୟଯୁକ୍ତ କରନ୍ତି–ତେବ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ, ଏହି ଗାଁ ଠାରୁ ରାଜଧାନୀ ଯାଏ ଗୋଟିଏ ଲମ୍ବା ଚଉଡ଼ା ରାସ୍ତା ବନାଇ ଦେବି ।

 

ସଭାରେ ସମବେତ ଗ୍ରାମବାସୀମାନେ ସମ୍ମିଳିତ ସ୍ୱରରେ କହି ଉଠିଲେ–

 

ରାସ୍ତା ଅଛି–ରାସ୍ତା ଅଛି ।

 

କ’ଣ କହିଲେ ? ରାସ୍ତା ଅଛି ? ତା’ ହେଲେ ମୁଁ ସେ ରାସ୍ତା ଉପରେ ସରକାରୀ ବସ୍‍ ଚଳାଇ ଦେବି ।

 

ପୁଣି ସମ୍ମିଳିତ ସ୍ୱରରେ ଉତ୍ତର ଆସିଲା–

 

ସରକାରୀ ବସ୍‍ ଚାଲୁଛି । ସରକାରୀ ବସ୍‍ ଚାଲୁଛି ।

 

କ’ଣ କହିଲେ ? ସରକାରୀ ବସ୍‍ ଚାଲୁଛି ? ତା’ହେଲେ ମୋତେ ଯଦି ଆପଣ ଜୟଯୁକ୍ତ କରାନ୍ତି...ତେବେ ମୁଁ ସେହି ବସ୍‌ଗୁଡ଼ିକର ଚାଲିବା ବନ୍ଦ କରିଦେବି ।

 

ସମ୍ମିଳିତ ସ୍ୱରରେ ପୁଣି ଉତ୍ତର ଆସିଲା–

 

ବସ୍‌ଗୁଡ଼ିକ ବନ୍ଦହୋଇ ଯାଇଛି–ବନ୍ଦ ହୋଇଯାଇଛି ।

 

କ’ଣ କହିଲେ ? ବସ୍‌ଗୁଡ଼ିକ ବନ୍ଦ ହୋଇ ଯାଇଛି ? ତା’ ହେଲେ–ତା’ ହେଲେ ବରଂ ବେଶ୍‍ ଭଲ ହେଲା । ତା’ ହେଲେ ସରକାରୀ ବସ୍‌ଗୁଡ଼ାକ ବଦଳରେ ଏ ରାସ୍ତାରେ ମୁଁ ମୋ ନିଜର ଦୁଇ ଦୁଇଟା ଘରୋଇ ବସ୍‍ ଚଳାଇଦେବି ।

 

ସମବେତ ଗ୍ରାମବାସୀଙ୍କ ଭିତରୁ ଜଣେ ଯୁବକ ହଠାତ୍‍ ଠିଆ ହୋଇ ପଡ଼ିଲା ଓ ପାଟି କରି କହିଲା–

 

କକା ! ଗତ ସାତବର୍ଷ ହେଲା ଆପଣ ଯେତେବେଳେ ପ୍ରଥମଥର ପାଇଁ ମନ୍ତ୍ରୀ ହେଲେ–ସେଇ ଦିନଠାରୁ ଆଜିପର୍ଯ୍ୟନ୍ତ ମୋ ନାମରେ ଆମର ତିନିଖଣ୍ଡି ବସ୍‍ ତଥାପି ଏ ରାସ୍ତାରେ ଚାଲୁ ରହିଛି । ବସ୍‍ କଥାଛାଡ଼ି ଆପଣ ଆଉ କୋଉ ବିଷୟରେ ପ୍ରତିଶ୍ରୁତି ଦିଅନ୍ତୁ ।

 

ଏହି ସମୟରେ ବିପକ୍ଷ ଦଳପକ୍ଷରୁ ପ୍ରବଳ ଟେକାମାଡ଼ ଆରମ୍ଭ ହେଲା ଓ ସଭାସ୍ଥଳରେ ମହାହାଲାହୋଳ ପଡ଼ିଗଲା । ବାବା ଡହରାନନ୍ଦ ଏହି ହଟ୍ଟଗୋଳରୁ ନିଜକୁ ରକ୍ଷା କରିବା ଲାଗି, ତୁରନ୍ତ ସେ ସ୍ଥାନ ତ୍ୟାଗ କରି ଗ୍ରାମ ଭିତରକୁ ପ୍ରବେଶ କଲେ ଓ ଗୋଟିଏ ଘରର ଉଚ୍ଚ ପିଣ୍ଡାକୁ ଉଠିଗଲେ । ସେହି ପିଣ୍ଡାରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ବସି ଆରାମରେ ବିଡ଼ି ଟାଣୁଥିଲେ । ସେ ଡହରାନନ୍ଦଙ୍କୁ ଦେଖି ତାଙ୍କୁ ଜଣେ ବାବାଜୀ ଶ୍ରେଣୀୟ ଲୋକ ବୋଲି ଭାବି ଆଦରରେ ନିକଟକୁ ଡାକିଲେ ଓ ମସିଣାଟିଏ ପକାଇ ‘ବସିବା ହେଉ ମହାରାଜ’ ବୋଲି ପ୍ରଣାମ କରି ଅନୁରୋଧ ଜଣାଇଲେ । ଡହରାନନ୍ଦ ମସିଣା ଉପରେ ବସି ସେହି ନିଶ୍ଚିନ୍ତ ପ୍ରାୟ ମନେ ହେଉଥିବା ଚାଷୀ ବ୍ୟକ୍ତିଙ୍କୁ କୁଶଳ ପ୍ରଶ୍ନ କଲେ–

 

ସମୟ କିପରି କଟୁଛି ଭାଇ ?

 

ନିଶ୍ଚିନ୍ତ ଉତ୍ତର ଆସିଲା–

 

ଖୁବ୍‍ ଭଲ ସମୟ । ଜଗନ୍ନାଥଙ୍କ ଦୟାରୁ ସବୁ ଭଲ ଚାଲିଛି । ମୋର କେତେକ ଗଛ କାଟିବାକୁ ଥିଲା । ଜଗନ୍ନାଥଙ୍କ ଦୟା–ତୋଫାନ୍‍ ଆସିଲା । ଗଛଗୁଡ଼ିକ ଆପଣାଛାଏଁ ଭାଙ୍ଗି ତଳେ ଶୋଇଲେ । ମୋର ଗଛକଟା ଚିନ୍ତାଗଲା । ସେଇଠୁ ହଠାତ୍‍ ଦିନେ ଗୋଟେ ଚଡ଼ଚଡ଼ି ମାରିଲା । ସବୁ ଗଛରେ ନିଆଁ ଲାଗି ସବୁଗୁଡ଼ିକ ପୋଡ଼ି ଏକାଥରକେ ଅଙ୍ଗାର ହୋଇଗଲେ ।

 

ବାସ୍‍–ମୋର ଏବେ କୋଇଲା ଚିନ୍ତା ଗଲା । ମୋର ପାଞ୍ଚ ଝିଅରୁ ଚାରିଝିଅ ବାହା ହୋଇଯାଇଥିଲେ । ସାନ ଝିଅଟା ଯୌତୁକ ଦାଉରୁ ବାହା ହୋଇପାରୁ ନ ଥିଲା । ଜଗନ୍ନାଥଙ୍କ ଦୟା–ଆଠଦିନତଳେ ସହରରୁ ଗୋଟାଏ ଟୋକା ଆସି ରାତି ଅଧରେ ତାକୁ ମଟର ସାଇକେଲରେ ଉଠେଇ ନେଇଗଲା । ବାସ୍‍–ମୋର ଝିଅ ବାହା ଚିନ୍ତା ଗଲା ।

 

ଡହରାନନ୍ଦ ହସହସ ସ୍ୱରରେ କହିଲେ, ବାସ୍‍ ବାସ୍‍ । ତା’ ହେଲେ ଆଉ ବର୍ତ୍ତମାନ ଆପଣଙ୍କର କ’ଣ ଚିନ୍ତା ଥାଇପାରେ ? ଗମ୍ଭୀର ହୋଇ ଲୋକଟି ଉତ୍ତର ଦେଲା–କିଛି ନାହିଁ । କିଛି ଚିନ୍ତା ନାହିଁ । କେବଳ ଅପେକ୍ଷା କରୁଛି–ଜଗନ୍ନାଥ କୋଉଦିନ ଅନୁଗ୍ରହ କରିବେ–କେବେ ଦିନେ ବଡ଼ଧରଣର ଗୋଟାଏ ଭୂମିକମ୍ପ ହେବ । ମୋର ଆଳୁତକ କିଆରୀରୁ ପଦାକୁ ବାହାରି ପଡ଼ିବ । ଆଳୁ ଖୋଳିବାକୁ ମୂଲିଆ ମିଳୁ ନାହାନ୍ତି । ଏଇ ଆଳୁ ଖୋଳା ଜଞ୍ଜାଳରୁ ମୁଁ ତ୍ରାହି ପାଇଯିବି ।

 

ଡହରାନନ୍ଦ ଖୁବ୍‍ ଖୁସି ହେଲା ଭଳି ଦୁଇହାତ ଯୋଡ଼ି କହିଲେ–

 

ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ ! ଆଚ୍ଛା ଭାଇ ! ଏଇ ଯେ ଗ୍ରାମ ଶେଷମୁଣ୍ଡ ପଡ଼ିଆରେ ମନ୍ଦିର ପାଖରେ ବର୍ତ୍ତମାନ ଭୋଟ ସଭା ହେଉଥିଲା–ସେଥିରେ ଢେଲାପଥର ମାଡ଼ରେ ଲୋକେ ଖଣ୍ଡିଆ ଖାବରା ହେଲେ ସେଥିରେ ତୁମର କ’ଣ ମତ ?

 

ଚାଷୀ ଲୋକଟି ଖୁବ୍‍ ସରଳ, ସହଜ ଆଉ ବିଜ୍ଞବ୍ୟକ୍ତି ଭଳି ଉତ୍ତର ଦେଲେ, କିଛି ମୋର ମତ ନାହିଁ । ଜଗନ୍ନାଥେ ସବୁ ଦେଖୁଛନ୍ତି । ସବୁ ମଧ୍ୟ ସେଇ କରୁଛନ୍ତି । ‘କରି କରାଉ ଥାଇ ମୁହିଁ, ମୋ ବିନୁଁ ଅନ୍ୟ କେହି ନାହିଁ ।’ ତାଙ୍କର ଆଦେଶରେ ଏ ତାକୁ ଟେକା ମାରିବ–ସେ ବି ତାକୁ ଟେକା ମାରିବ । ଦୁଇ ପକ୍ଷର ଟେକା ମାଡ଼ରେ ଦୁହେଁଯାକ ବିନାଶ ହେବେ । ଆମର କ’ଣ ହୋଇଯିବ ? ଆମର ସେହି ମାତ୍ର ଜଣେ ସାହା । ଜୟ ଜଗନ୍ନାଥ ।

 

ପରଦିନ ସକାଳେ ବାବା ଡହରାନନ୍ଦ ଏହି ଗ୍ରାମ୍ୟ ଅଭିଜ୍ଞତାକୁ ପାଥେୟ କରି ସହରକୁ ଫେରିଆସିଲେ ।

☆☆☆

 

ମୁକ୍ତ ମଣିଷ କାହାକୁ କହିବା ?

 

ଦିନେ ବାବା ଡହରାନନ୍ଦ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ଗାଦି ଦର୍ଶନ କରିବାକୁ ଯାଇଥିଲେ । ଏହି ସ୍ଥାନଟି ମହିମା ଧର୍ମାବଲମ୍ବୀମାନଙ୍କର ସର୍ବଶ୍ରେଷ୍ଠ ତୀର୍ଥଭୂମି । ତେବେ, ଏଠାକୁ ପ୍ରାୟ ସବୁ ସମ୍ପ୍ରଦାୟର ହିନ୍ଦୁମାନେ ମହିମା ଗୋସାଇଁଙ୍କୁ ଭକ୍ତିସମ୍ମାନ ପ୍ରଦର୍ଶନ କରିବାକୁ ଆସିଥାନ୍ତି-। ଆଉ ମଧ୍ୟ ଓଡ଼ିଶାର ସର୍ବ ପ୍ରଥମ ବିପ୍ଳବୀ ଓ ଆଧ୍ୟାତ୍ମିକ କବି ମହାତ୍ମା ଭୀମ ଭୋଇଙ୍କ ସ୍ମୃତି ସହିତ ଏହି କ୍ଷେତ୍ର ଜଡ଼ିତ ହୋଇଥିବାରୁ ବହୁ ସାହିତ୍ୟିକ ମଧ୍ୟ ବେଳେବେଳେ ଏଠାରେ ଆସି ସମବେତ ହୋଇଥାନ୍ତି । ମହିମା ଗୋସାଇଁ ଯେଉଁ ଆଧ୍ୟାତ୍ମ ଦର୍ଶନର ପ୍ରତିଷ୍ଠା କରିଥିଲେ ତାହା ନିରାକାରବାଦ ଓ ଗୁରୁବାଦ ଉପରେ ଆଧାରିତ । ଏହି ଜୀବନ ଦର୍ଶନରେ ଏକ ମୁକ୍ତ ଉଦାର ଜୀବନଚର୍ଯ୍ୟାର କଥା କୁହାଯାଇଛି–ଯାହା କି ମୂଳତଃ ସତ୍ୟ ଓ ଦୟା ଉପରେ ପ୍ରତିଷ୍ଠିତ । ଏହି ମହିମାବାଦୀମାନଙ୍କୁ ଅଲେଖପନ୍ଥୀ ବୋଲି ମଧ୍ୟ କୁହାଯାଏ । ଏମାନେ ଜାତିଭେଦ ମାନନ୍ତି ନାହିଁ କି ମଣିଷ ମଣିଷ ଭିତରେ କୌଣସି ଭେଦଭାବର ପ୍ରାଚୀରକୁ ମଧ୍ୟ ସ୍ୱୀକାର କରନ୍ତି ନାହିଁ । କେବଳ ମଣିଷ ନୁହେଁ–ଏ ପୃଥିବୀରେ ନିତ୍ୟ ଜନ୍ମହେଉଥିବା, ବଞ୍ଚୁଥିବା ଓ ମରୁଥିବା ଛପ୍ନକୋଟି ପ୍ରକାର ଜୀବଜନ୍ତୁ, କୀଟପତଙ୍ଗ ଓ ବୃକ୍ଷଲତା, ସମସ୍ତଙ୍କ ପ୍ରତି ଏକ ଅନୁକମ୍ପାମୟ ସହାବସ୍ଥାନ ମନୋଭାବ ପୋଷଣ କରିବା ମଧ୍ୟ ଏହି ମହିମାପନ୍ଥୀମାନଙ୍କର ଅନ୍ୟତମ ଜୀବନ–ବ୍ରତ ।

 

ଏହି ଜୋରନ୍ଦା ତୀର୍ଥରେ ଡହରାନନ୍ଦ ଗୋଟିଏ ବୃକ୍ଷମୂଳେ ବସିଥିବାର ଦେଖି କେତେକ ଧର୍ମାନୁସନ୍ଧାନୀ ଯୁବକ ତାଙ୍କ ପାଖରେ ଯାଇ ପହୁଞ୍ଚିଲେ ।

 

ଯୁବକମାନେ ଡହରାନନ୍ଦଜିଙ୍କୁ ନମସ୍କାର କରି ତାଙ୍କ ଚାରିପଟେ ଘେରି ବସିଲେ । ଜଣେ ଯୁବକ ପ୍ରଶ୍ନକଲେ–ଡହରାନନ୍ଦଜି ! ଆମେ ଆପଣଙ୍କ ବିଷୟରେ ବହୁତ କଥା ଶୁଣିଛୁ । ଆପଣଙ୍କ ସପକ୍ଷରେ ଆପଣଙ୍କର ବହୁ ପ୍ରଶଂସାବାଦ ଆମ କାନରେ ପଡ଼ିଛି । ଆପଣଙ୍କ ବିପକ୍ଷରେ ବହୁ ନିନ୍ଦାବାଦ ମଧ୍ୟ ଆମ କାନକୁ ଏଡ଼ାଇ ଯାଇ ନାହିଁ । ଆମେ ଜାଣୁ ଯେ, ଆପଣଙ୍କ ଭଳି ଅସାଧାରଣ ବ୍ୟକ୍ତିମାନଙ୍କ ସମ୍ବନ୍ଧେ ଏହିପରି ନାନା ବିପରୀତ କଥାମାନ ଲୋକମୁଖରେ ଶୁଣାଯାଏ-। ବର୍ତ୍ତମାନ ଦୟା କରି କହନ୍ତୁ–ଆପଣଙ୍କର ଏହି ଅସାଧାରଣତ୍ୱ ପଛରେ ସତକୁ ସତ କି ସତ୍ୟ ଲୁଚି ରହିଛି ?

 

ବାବା ଡହରାନନ୍ଦ କହିଲେ–ବିଶ୍ଵାସକରନ୍ତୁ, ମୋ ଚରିତ୍ରରେ, ମୋ ବ୍ୟକ୍ତିତ୍ୱରେ ବା ମୋର ଜୀବନଚର୍ଯ୍ୟାରେ ସାମାନ୍ୟତମ ଅସାଧାରଣତ୍ୱ ମୁଁ ନିଜେ କେବେ ଲକ୍ଷ୍ୟ କରି ନାହିଁ । ମୁଁ ଖୁବ୍‍ ସାଧାରଣ ଭାବେ ବଞ୍ଚୁଥାଏ । ମୋର ଧ୍ୟାନ ନାହିଁ–ପ୍ରାଣାୟାମ ନାହିଁ । ମୁଁ ହଠଯୋଗ କରେନି କି ରାଜଯୋଗ କରେନି । ମୁଁ ଭଗବାନଙ୍କୁ ଦେଖିନାହିଁ କି ସୟତାନକୁ ବି ଦେଖିନାହିଁ । ମତେ ଯେତେବେଳେ ଭୋକଲାଗେ, ମୁଁ ଖାଏ । ନିଦ ମାଡ଼େ, ଶୁଏ । ବୁଲିବାକୁ ଇଚ୍ଛା ହେଲେ, ବୁଲେ । ଦେଖିବାକୁ ଇଚ୍ଛା ହେଲେ, ଦେଖେ ।

 

ଯୁବକଟି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା–ଏତ ଅତି ସାଧାରଣ କଥା । ଆମ୍ଭେମାନେ ସମସ୍ତେ କ’ଣ ଏ କଥା କରୁନାହୁଁ ନା କ’ଣ ?

 

ଡହରାନନ୍ଦ କହିଲେ–ନାଁ, ତୁମ୍ଭେମାନେ ଖାଇବାକୁ ବସିଲାବେଳେ ବୁଲୁଥାଅ ବା ଶୋଉଥାଅ । ବୁଲିଲାବେଳେ ଶୋଉଥାଅ ଓ ଶୋଇଲାବେଳେ ଦେଖୁଥାଅ । ତା’ମାନେ ତୁମ୍ଭେମାନେ କେବେ ବି ନିଜ ଇଚ୍ଛାରେ ଚାଲ ନାହିଁ । ନିଜ ମନକୁ ବଞ୍ଚନାହିଁ । ହୁଏତ ତୁମ ଅହଂକାରର ଆଦେଶ ପାଳନ କରୁ କରୁ ବା ଆଉ କାହାର ଆଦେଶ ପାଳୁ ପାଳୁ ତୁମ ଜୀବନ ବିତି ଯାଉଥାଏ । ତୁମର ଅସଲ ବ୍ୟକ୍ତିତ୍ୱ ତୁମର ଅହଂକାର ହାତରେ ବା ଆଉ କାହା ହାତରେ ବନ୍ଦୀ ।

 

ଜଣେ ଯୁବକ ପଚାରିଲେ–ଆଚ୍ଛା, ଯଦି ଆମେ ବନ୍ଦୀ, ତେବେ ଏହି ବନ୍ଦୀ ଅବସ୍ଥାରୁ ମୁକୁଳିବାର ଉପାୟ କ’ଣ ?

 

ଡହରାନନ୍ଦ ହସିଉଠିଲେ । ତା’ ପରେ କହିଲେ–ଏଇ ଖସିବାର ଉପାୟ ଚିନ୍ତା କରିବା ମାତ୍ରେ ତୁମେ ବୁଝିପାରିବ ଯେ ବହୁ ଆଗରୁ ତୁମେ ବନ୍ଦୀ ହୋଇ ରହିଛ–ବର୍ତ୍ତମାନ ମଧ୍ୟ ବନ୍ଦୀ ହୋଇ ରହିଛ । ମାତ୍ର ଯେତେବେଳେ ତୁମେ ଭାବିବ ଯେ ମୁଁ ମୁକ୍ତ–ସେତେବେଳେ ସତକୁ ସତ ତୁମେ ମୁକ୍ତ ବୋଲି ଜାଣିଥାଅ ।

 

ଜଣେ ଯୁବକ ପଚାରିଲେ–ଡହରାନନ୍ଦଜି ! ଜଣେ ମୁକ୍ତ ମଣିଷ ହସି ହସି ପାପ କରି ପାରିବ କି ?

 

ଡହରାନନ୍ଦ କହିଲେ–ତୁମେ କୋଉ କଥାକୁ ପାପ ଓ କୋଉ କଥାକୁ ପୁଣ୍ୟ କହୁଛ, ମୁଁ ଜାଣେ ନାହିଁ । ତେବେ ଏକଥା ଧ୍ରୁବ ଜାଣିଥାଅ ଯେ ପାପୀ ଲୋକଟିଏ ମୁକ୍ତଭାବେ ପାପ କରେ ନାହିଁ । ସେ ପାପ–ଶକ୍ତିର ଅଧୀନ ହୋଇ ପାପଶକ୍ତିର ପ୍ରବର୍ତ୍ତନାରେ ପଡ଼ି ହିଁ ପାପ କରିଥାଏ । ଯଥାର୍ଥ ମୁକ୍ତବ୍ୟକ୍ତିର କର୍ମକୁ ପାପ କହିହେବନି, କି ପୁଣ୍ୟ ମଧ୍ୟ କହି ହେବନାହିଁ । କାରଣ, ଯଥାର୍ଥ ମୁକ୍ତବ୍ୟକ୍ତି ପାପଶକ୍ତି ବା ପୁଣ୍ୟଶକ୍ତି କାହାରି ଅଧୀନରେ ନ ଥାଏ କି କାହାର ପାଲରେ ବା ପ୍ରବର୍ତ୍ତନାରେ ପଡ଼ି ନ ଥାଏ ।

 

ଏହା ଶୁଣି ଜଣେ ଯୁବକ ବିରକ୍ତି ହେଲା ଭଳି କହିଲେ–ଆପଣ ରହସ୍ୟ–ବାଦୀମାନଙ୍କ ଭଳି ଦୁଇଟି ବିପରୀତ କଥାକୁ ଏକାସାଙ୍ଗରେ କହୁଛନ୍ତି । ଏହା କେବଳ କଥାର ଖେଳ ମାତ୍ର ।

 

ଡହରାନନ୍ଦ କହିଲେ–ଆରେ ବତ୍ସମାନେ ! ଯେତେବେଳ ପର୍ଯ୍ୟନ୍ତ ତୁମେମାନେ ସତକୁ ସତ ନିଜକୁ ଜୀବନରେ ଦୁଇବିପରୀତ ବିଷୟକୁ ଏକ ସଙ୍ଗରେ ନେଇପାରି ନାହିଁ–ଏବଂ ସେହି ବିପରୀତ ବିଷୟ ଦୁଇଟିର ଦ୍ଵନ୍ଦ୍ଵଜାଲ ଭିତରୁ ସାହସର ସହିତ ଡିଆଁ ମାରି ପାରି ନାହିଁ–ସେ ପର୍ଯ୍ୟନ୍ତ ତୁମମାନଙ୍କର ଏହିସବୁ ପ୍ରଶ୍ନ ଓ ମୋର ଏହି ସବୁ ଉତ୍ତର ଏମିତି କଥାର ଖେଳ ମାତ୍ର ହୋଇ ରହିବ-। ଜୀବନରେ ଏହି ବିପରୀତ ଭାବ ହିଁ ସତ୍ୟ ଓ ବାସ୍ତବ । ଯଥାର୍ଥ ମୁକ୍ତବ୍ୟକ୍ତି ବୀର ଭଳି ଏହି ଦ୍ଵନ୍ଦ୍ଵର ସମ୍ମୁଖୀନ ହୁଏ ଓ ଏଥିରୁ ଡିଆଁମାରେ ।

☆☆☆

 

ବାକ୍ୟବୀର ଶୁଆ ଓ କର୍ମବୀର ଗଞ୍ଜା ପ୍ରସଙ୍ଗ

 

ଏହି ଗଳ୍ପଟି ବାବା ଡହରାନନ୍ଦ ବଲାଙ୍ଗୀର ସହରର କେତେକ ଯୁବକଙ୍କୁ କହିଥିଲେ । ସେହି ଯୁବକମାନଙ୍କର ପ୍ରଶ୍ନଥିଲା–

 

ଡହରାନନ୍ଦଜି ! ଆମେ ପିଲାଦିନୁ ଶୁଣି ଆସିଛୁ ଯେ, ବାକ୍ୟ ଅପେକ୍ଷା କର୍ମର ମୂଲ୍ୟ ଅଧିକ । ଯେଉଁମାନେ କେବଳ ଭଲ ଭଲ କଥା କହନ୍ତି ସେମାନଙ୍କ ଦ୍ଵାରା ଖଡ଼ା ସିଝେ ନାହିଁ । ଖାଲି କଥା ଶୁଣିଲେ କ’ଣ କାହାର ପେଟ ପୂରିବ ? କର୍ମ ହେଲା ଅସଲ । ଆମକୁ କୁହାଯାଇଛି ଯେ ନୀରବରେ କର୍ତ୍ତବ୍ୟ, କର୍ମ କରି ଯାଅ, ବୃଥା ବକବାଜି କରନାହିଁ । ଆମର ସନ୍ଦେହ ହେଉଛି ଯେ ଯଦି ମଣିଷ କଥାବାର୍ତ୍ତା ନକରି କେବଳ ଜନ୍ଦା; ପିଂପୁଡ଼ି, ମୂଷା ଘୁଷୁରିଙ୍କ ପରି ଚୁପଚାପ ନିଜ କାମରେ ମାତିବ ତେବେ ମଣିଷକୁ କଥାକହିବାର ସାମର୍ଥ୍ୟ ଦିଆ ଯାଇଛି କାହିଁକି ? ତା’ ହେଲେ କାହିଁକି ଏତେ ବକ୍ତୃତା, ସାହିତ୍ୟ, ସଙ୍ଗୀତ, ଆଳାପ, ନାଟକ ଆଉ ପ୍ରବଚନ ?

 

ଡହରାନନ୍ଦ କହିଲେ ବତ୍ସମାନେ ! ଯେଉଁମାନେ ମଣିଷକୁ କଥାବାର୍ତ୍ତା ବନ୍ଦ କରି କେବଳ ଚୁପ୍‌ଚାପ କାମ କରିଯିବାକୁ ଉପଦେଶ ଦିଅନ୍ତି ସେମାନେ ମଣିଷକୁ ଗୋଟାଏ ଜନ୍ତୁ ବା ଜନ୍ଦା ପିଂପୁଡ଼ି, ମୂଷା ଭାବରେ ଦେଖିବାକୁ ଚାହାନ୍ତି । ସୁଭାଷିତ ବାକ୍ୟ ବା ପ୍ରବଚନ ମଧ୍ୟ ଗୋଟିଏ ବିଶେଷ କର୍ମ । ସୁଲଳିତ ସୁମଧୁର କଥା ଅଥବା ଯୁକ୍ତିଯୁକ୍ତ ଚିନ୍ତାପୂର୍ଣ୍ଣ ବାକ୍ୟ ଅଥବା ଭାବାବେଗ ପୂର୍ଣ୍ଣ ଉତ୍ସାହ ବର୍ଦ୍ଧକ ବାକ୍ୟ କହିପାରିବା ଏତେ ସହଜସାଧ୍ୟ ବ୍ୟାପାର ନୁହେଁ । ବିଲରେ ଚାଷ କରିବା ବା କାରଖାନାରେ କାମକରିବା ଭଳି ଭଲ କଥା କହିପାରିବା ମଧ୍ୟ ଏକ ଶ୍ରମସାଧ୍ୟ ଓ ସାଧନାସିଦ୍ଧ ବ୍ୟାପାର । ଉପଯୁକ୍ତ ଶିକ୍ଷା ବିନା ଯେପରି ଭଲ ଡାକ୍ତର, ଇଞ୍ଜିନିୟର, ଚାଷୀ, ବ୍ୟବସାୟୀଟିଏ ହେବା ଅସମ୍ଭବ, ସେହିପରି ଗଭୀର ଓ ବ୍ୟାପକ ଶିକ୍ଷା ନଥିଲେ ଜଣେ ଭଲ ବାକ୍ୟବୀର ହୋଇପାରିବ ନାହିଁ । ତଥ୍ୟ, ତତ୍ତ୍ୱ ଓ ଅଭିଜ୍ଞତାରୁ ଜଣାଯାଇଛି ଯେ କେବଳ ନୀରବ କର୍ମଦ୍ୱାରା ପୂର୍ଣ୍ଣ ସଫଳତା ଆସି ପାରେନା । ମଣିଷଜୀବନକୁ କେବଳ କର୍ମବୀର ମାନେ ସଫଳ କରି ନାହାନ୍ତି–ବାକ୍ୟବୀରମାନଙ୍କ ଅବଦାନକୁମଧ୍ୟ କେହି ଅସ୍ଵୀକାର କରିପାରିବେ ନାହିଁ । ବର୍ତ୍ତମାନ ମୁଁ ତମମାନଙ୍କୁ ମଜା ଗପଟିଏ କହୁଛି ଶୁଣ, ସେଥିରୁ ସବୁ ବୁଝିପାରିବ ।

 

ଦିନେ ଗୋଟିଏ କୁକୁଡ଼ା ଫାରମର ମାଲିକ ଦେଖିଲା ଯେ, ତା’ର ମୁରୁଗୀମାନଙ୍କର ଅଣ୍ଡା ଦିଆ କମି ଯାଉଛି । ନାନା ଚେଷ୍ଟାକରି ଯେତେବେଳେ କିଛି ଫଳ ନ ହେଲା ସେତେବେଳେ ସେ ଜଣେ ପକ୍ଷୀମନସ୍ତତ୍ୱବିତ୍‍ ବିଶାରଦଙ୍କ ପାଖକୁ ପରାମର୍ଶ ପାଇଁ ଗଲା । ତାଙ୍କ ପରାମର୍ଶ ଅନୁଯାୟୀ ଫାରମ ମାଲିକଟି ଗୋଟିଏ ଭଲ କଥା କହିପାରୁଥିବା ଶୁଆ କିଣିଲା ଓ ତାକୁ ଆଣି ମୁରୁଗୀମାନଙ୍କ ମେଳରେ ଛାଡ଼ିଦେଲା । ଆମୋଦର ବିଷୟ ହେଲା–ସାରାଦିନ ମୁରୁଗୀମାନେ ସେମାନଙ୍କର ଏକମାତ୍ର ପତିଦେବତା ଗଞ୍ଜା ମହାରାଜାଙ୍କୁ ଛାଡ଼ି ସେହି ମଧୁର କଥା କହିଚାଲିଥିବା ଶୁଆଟିର ଚାରିପାଖେ ଘେରି ରହିଲେ ଏବଂ ଭୂଇଁରେ ପଡ଼ିଥିବା ଶସ୍ୟକଣା ସବୁ ନଖରେ ଖୋଳି ସେହି ଶୁଆଟି ଆଡ଼କୁ ବଢ଼ାଇ ଦେଉଥିଲେ । ଶୁଆଟି ମଧ୍ୟ କେତେଗୁଡ଼ିଏ ସୁନ୍ଦର ସ୍ୱାସ୍ଥ୍ୟବତୀ ମହିଳା ପକ୍ଷୀଙ୍କ ଆଦର ଆପ୍ୟାୟନ ପାଇ ସାରାଦିନ ନାନା କଥା ବକର–ବକର ହେଉଥିଲା ଓ ମଧ୍ୟେ ମଧ୍ୟେ କିଛି ପ୍ରେମ କବିତା ମଧ୍ୟ ବୋଲି ଦେଉଥିଲା ।

 

କହିବା ବାହୁଲ୍ୟ ଯେ, ଦିନେ ଦୁଇଦିନ ଭିତରେ ସେହି ମୁରୁଗୀମାନଙ୍କର ଯୌବନ ଫେରି ଆସିଲା ଭଳି ଦେଖାଗଲା ଓ ସେମାନେ ଆଉ ସେହି ନୀରବକର୍ମୀ ନିତିଦିନିଆ ବୁଢ଼ା ଗଞ୍ଜା ଆଡ଼କୁ ସାମାନ୍ୟ ଦୃଷ୍ଟିପାତ ମଧ୍ୟ କଲେ ନାହିଁ । ସେମାନେ କିନ୍ତୁ ଗୋଟିଏ ମୁହୂର୍ତ୍ତ ବି ସେଇ ବାଗ୍‌ବିଳାସୀ ପ୍ରଗଳ୍‌ଭା ଶୁଆଟିର ପାଖ ଛାଡ଼ୁ ନ ଥିଲେ । କିନ୍ତୁ ଗଞ୍ଜାଟି ଏଣେ ସେହି କୋଠରୀର ଗୋଟିଏ କୋଣରେ ଠିଆ ହୋଇ ନୀରବରେ ଆଡ଼ି ପତେଇ ସବୁରଙ୍ଗ ଦେଖୁଥାଏ ଏବଂ ମଧ୍ୟେ ମଧ୍ୟେ ତା’ର ଅର୍ଦ୍ଧଶତ ଭାର୍ଯ୍ୟାମାନଙ୍କ ଭିତରକୁ ଝାମ୍ପି ଆସି ଜଣକ ଉପରେ ନୀରବରେ ବଳାତ୍କାର ଧର୍ଷଣ କରିଦେଇ ପୁଣି ନିଜ ସ୍ଥାନକୁ ଚାଲିଯାଉଥାଏ ଏବଂ ସେଠାରେ ଚୁପଚାପ ଠିଆହୋଇ ଆଡ଼ି ପାତି ଏଇ ସବୁ ରଙ୍ଗ ରହସ୍ୟ ଦେଖୁଥାଏ । ତା’ର ସେହି ଦୈନନ୍ଦିନ ନିତ୍ୟକର୍ମରେ ଅବଶ୍ୟ କିଛି ବାଧା ପଡ଼ୁ ନ ଥାଏ ।

 

ଏହିପରି ସପ୍ତାହେ ଗତ ହୁଅନ୍ତେ ଫାରମର ମାଲିକ ଦେଖିଲା ଯେ, ତା’ର ସେହିସବୁ ଦରବୁଢ଼ୀ ମୁରୁଗୀମାନଙ୍କର ଯୌବନ ସତକୁ ସତ ଫେରି ଆସିଛି ଏବଂ ସେମାନଙ୍କର ଅଣ୍ଡାଦିଆ ମଧ୍ୟ ଆଶାତିରିକ୍ତ ଭାବେ ବଢ଼ି ଯାଇଛି । କାରଣ ସେମାନଙ୍କ ଭିତରୁ କେହି କେହି ପ୍ରବଳ ଉତ୍ସାହରେ ଡବଲ ଅଣ୍ଡା ମଧ୍ୟ ଦେବାକୁ ଆରମ୍ଭ କରିଦେଇଥିଲେ ।

 

ଦିନେ ସେହି ଫାରମର ମାଲିକ କୁକୁଡ଼ାମାନଙ୍କୁ ଶୁଣାଇ ଶୁଣାଇ କହିଲା–ଆଉ ଏଇ ବୁଢ଼ା ଗଞ୍ଜାଟାକୁ ରଖି ଲାଭ ନାହିଁ । ଆଜି ସନ୍ଧ୍ୟାରେ ଏହାକୁ କତଲ କରି ଚିକେନ ପକୋଡ଼ା ବନାଯିବ ।

 

ଏତିକି କହି ଫାରମ ମାଲିକ ଚାଲିଗଲା । କଥାଟି କିନ୍ତୁ ଗଞ୍ଜା ମହାରାଜାଙ୍କ କାନରେ ପଡ଼ିଥିଲା । ସେ ହଠାତ୍‍ ଈର୍ଷା, ଦ୍ଵେଷ, ହିଂସା ଓ କ୍ରୋଧରେ ଉନ୍ମତ୍ତ ହୋଇ ସେହି ସବୁଜ ପକ୍ଷ ରକ୍ତଗ୍ରୀବା ସୁନ୍ଦର ବାଗ୍‌ବିଳାସୀ ଶୁଆଟି ଉପରକୁ କୁଦି ପଡ଼ିଲା ଏବଂ ତା’ର ତୀକ୍ଷଣଥଣ୍ଟ ଓ ନଖ ଦ୍ୱାରା ଶୁଆଟିର ସବୁଜ ପର ଗୁଡ଼ିକୁ ଉପାଡ଼ି ତାକୁ ରକ୍ତାକ୍ତ କରିଦେଲା । ତା’ର ମୁରୁଗୀମାନେ ଏହି ଅଭାବିତ କାଣ୍ଡ ଦେଖି ଘୋର ଆତଙ୍କରେ ରଡ଼ି ପକାଇ ବିଳାପ କରିବାକୁ ଲାଗିଲେ ।

 

ଏହି ସମୟରେ ସେହି କ୍ଷତବିକ୍ଷତ ଶୁଆଟି ଆର୍ତ୍ତ ଓ ବିକଳ କଣ୍ଠରେ କହିଲା–ହେ ପକ୍ଷୀ ପୁଙ୍ଗବ ! ଆପଣଙ୍କ ଗୋଡ଼ତଳେ ପଡ଼ୁଛି ମତେ ଛାଡ଼ି ଦିଅନ୍ତୁ । ମୁଁ ଆପଣଙ୍କର କିଛି ମାତ୍ର କ୍ଷତି କରିନାହିଁ । ମତେ କେବଳ ଜଣେ ସରସ କବି ଓ ବାଗ୍ମୀ ଅଧ୍ୟାପକ ରୂପେ ଆପଣଙ୍କର ‘ହାରେମ’କୁ ଅଣାଯାଇଥିଲା । ମୁଁ ପ୍ରତିଦିନ ଆପଣଙ୍କର ପତ୍ନୀମାନଙ୍କୁ କେବଳ ଭଲ ଭଲ ସରସ ବାକ୍ୟମାନ ଶୁଣାଇ ଆସିଛି । ଆଉ ସବୁ ପୁରୁଷୋଚିତ କାର୍ଯ୍ୟ ଆପଣ ହିଁ ନୀରବରେ ପୂର୍ବବତ ସବୁଦିନେ କରି ଆସିଛନ୍ତି ଏବଂ ଆପଣ ହିଁ ଏହାର ଏକମାତ୍ର ସାକ୍ଷୀ । ତେବେ ଏକଥା ସମ୍ଭବ ଯେ, ମୋର ସରସବାକ୍ୟ ଗୁଡ଼ିକ ଆପଣଙ୍କ ପତ୍ନୀମାନଙ୍କୁ ଓ ସ୍ୱୟଂ ଆପଣଙ୍କୁ ବହୁ ପରିମାଣରେ ଦାମ୍ପତ୍ୟ କ୍ରିୟାକାଣ୍ଡ ସମାପନରେ ଓ ତଦହେତୁ ଅଧିକ ଅଣ୍ଡାପ୍ରଜନନରେ ଉତ୍ସାହିତ କରିଥିବ । ଯଦି ମୋ କଥାରେ ଆପଣ ବିଶ୍ଵାସ କରୁଥାନ୍ତି ତେବେ ମତେ ଦୟାକରି ଛାଡ଼ିଦିଅନ୍ତୁ । ମୁଁ ବଣକୁ ଉଡ଼ିଯାଏ !

 

ଏହା ଶୁଣିବାମାତ୍ରେ ଗଞ୍ଜାଟି ସେହି କ୍ଷତବିକ୍ଷତ ଶୁଆଟିକୁ ଛାଡ଼ିଦେଲା । ଏବଂ ଶୁଆଟି ତା’ର ଜୀବନ ନେଇ କୁଆଡ଼େ ଉଡ଼ି ପଳାଇଲା ।

 

ଡହରାନନ୍ଦ ଏହିଠାରେ କଥାଟି ଶେଷ କରନ୍ତେ–ଶ୍ରୋତାମାନଙ୍କ ଭିତରୁ ଜଣେ କହି ଉଠିଲେ–ହାୟ ହାୟ ! ଗଞ୍ଜାଟା କି ମୂର୍ଖ !

 

ସେତ ଅନ୍ତତଃ ସେ ଶୁଆଟାଠାରୁ କଥାକହିବା କଳାଟି ଶିଖି ନେଇ ପାରିଥାଆନ୍ତା !

 

ଏହାଶୁଣି ଆଉ ଜଣେ ଶ୍ରୋତା କହିଲେ, ହାୟ ହାୟ ! ସେ ଶୁଆଟା ମଧ୍ୟ କି ମୂର୍ଖ ! ସେତ ଅନ୍ତତଃ ସେହି ଗଞ୍ଜାଟାଠାରୁ କାର୍ଯ୍ୟ କରିବାର କୌଶଳଟି ଶିଖି ନେଇ ପାରିଥାନ୍ତା ।

 

ଡହରାନନ୍ଦ ହସି ହସି କହିଲେ–ଆହେ ମୋର ଆକୁଳ ବ୍ୟାକୁଳ ତରୁଣ ବନ୍ଧୁମାନେ ! ଏପରି କ୍ଷେତ୍ରରେ କେହି କାହାଠାରୁ କିଛି ଶିଖି ପାରନ୍ତି ନାହିଁ କିମ୍ବା କେହି କାହାଠାରୁ କିଛି ଶିଖିବାକୁ ଚାହାନ୍ତି ନାହିଁ । କାରଣ ବାକ୍ୟ ଓ କର୍ମ ଏକା ସାଙ୍ଗରେ ରହିଲେ ହୁଏତଃ ବାକ୍ୟ କର୍ମଗ୍ରସ୍ତ ହୋଇଯାଏ କିମ୍ବା କର୍ମ ବାକ୍ୟଗ୍ରସ୍ତ ହୋଇଯାଏ । ତେଣୁ, ମଣିଷ ସମାଜରେ ବାକ୍ୟବୀର ଓ କର୍ମବୀର ଦୁହିଁଙ୍କର ଆବଶ୍ୟକତା ଓ ମୂଲ୍ୟ ମଧ୍ୟ ରହିଛି ।

☆☆☆

 

ଏକ ହତଭାଗ୍ୟ ଓ ଆରେକ ପେତିନୀ ଦୁଃସମ୍ବାଦ

 

ଏହି ଗଳ୍ପଟି ବାବା ଡହରାନନ୍ଦ ତାଙ୍କଘର ନିକଟରେ ସହରର କେତେକ ଯୁବଛାତ୍ରଙ୍କ ନିକଟରେ ବୟାନ କରିଥିଲେ । ଯୁବକମାନେ ଡହରାନନ୍ଦଙ୍କୁ ସେମାନଙ୍କ ମେଳରେ ପାଇ ଖୁବ୍‍ ଖୁସି ହୋଇଯାଇଥିଲେ । ସେତେବେଳେ ଡହରାନନ୍ଦ ବାରିପଦା କଲେଜ ସଂଲଗ୍ନ ବାବୁସାହିରେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହିତ କିଛି ଦିନ କଟାଉଥିଲେ । ଦିନେ ସଂଧ୍ୟାବେଳେ ଖବର ପାଇ ଚାରିପାଞ୍ଚଜଣ ଯୁବଛାତ୍ର ତାଙ୍କ ପାଖେ ଯାଇ ପହଞ୍ଚିଲେ । ନାନାଦି କଥାବାର୍ତ୍ତା ପରେ ଜଣେ ଯୁବକ ଛାତ୍ର ତାଙ୍କୁ ପଚାରିଲା–

 

ମହାଶୟ ! ମଣିଷ କାହିଁକି ଏତେ ଦୁଃଖ ପାଏ ? ତାକୁ କିଏ ଭଲା ଦୁଃଖରେ ପକାଏ ? ଆଚ୍ଛା, ମଣିଷ କ’ଣ ତା’ ନିଜ ଦୁଃଖ ଲାଗି ଦାୟୀ ? ସଂପୂର୍ଣ୍ଣ ଭାବେ ଦାୟୀ ?

 

ଡହରାନନ୍ଦ କହିଲେ–ତୁମେ ଏଇ ଯେଉଁ ପ୍ରଶ୍ନ ପଚାରିଲ ତା’ର ଉତ୍ତର ଦେବା ଏତେ ସହଜ ନୁହେଁ । ତେବେ, ମୁଁ ଯାହା ଜାଣେ–ଅଧିକାଂଶ ଦୁଃଖ ପାଇଁ ମାନେ ପ୍ରାୟ ଶତକଡ଼ା ପଞ୍ଚାନବେ ଦୁଃଖ ପାଇଁ ମଣିଷ ନିଜେ ଦାୟୀ । ଆଉ ଯେଉଁ ପାଞ୍ଚଭାଗ ଦୁଃଖ ରହିଲା, ତାକୁ ଆମେ ଦୈବୀବିପତ୍ତି ବୋଲି କହିବା । ମଣିଷର ଅଜ୍ଞତା ମଣିଷର ଅସଂଯମ, ମଣିଷର ଅହଂକାର, ଜିଦ୍, ଅନ୍ଧତା ଓ ସ୍ୱାର୍ଥପରତା–ଏବଂ ସର୍ବୋପରି ସବୁ କଥାକୁ ଆଖି ବୁଜିଦେଇ ଓ ସମସ୍ତଙ୍କୁ ଆଡ଼େଇ ଦେଇ ମଣିଷ ଯେତେବେଳେ ନିଜେ କେବଳ ସବୁ ସୁଖକୁ ଗୋଟେଇ ପୋଟେଇ ଭୋଗ କରିବାକୁ ଚାହେଁ ସେତିକିବେଳେ ଇ ତା’ ଉପରକୁ ସବୁତକ ଦୁଃଖ ମାଡ଼ିଆସେ ।

 

ଏତିକିବେଳେ ଜଣେ ଯୁବକ ପ୍ରଶ୍ନ କଲେ–ଡହରାନନ୍ଦଜି ! ମଣିଷ କ’ଣ ଦୁଃଖ ଭୋଗ କରିବାକୁ ଜନ୍ମହୋଇଛି ? ଦୁଃଖ କ’ଣ ମଣିଷ ପାଇଁ ଅନିବାର୍ଯ୍ୟ ?

 

ଡହରାନନ୍ଦ କହିଲେ–ଆଦୌ ନୁହଁ । ଜୀବନ ଆନନ୍ଦ ପାଇଁ । ଜୀବନରେ ଏହି ଆନନ୍ଦକୁ ଇ ପ୍ରତିଷ୍ଠା କରିବା ହେଲା ଜୀବନର ପ୍ରକୃତ ସାଧନା । କିନ୍ତୁ ମଣିଷ ଏତେ ବେକୁପ ଯେ ସେ ତା’ର ଜୀବନରେ ଦୁଃଖ ଯନ୍ତ୍ରଣାକୁ ଇ ପ୍ରତିଷ୍ଠା କରି ବସେ । ଏ ସମ୍ବନ୍ଧେ ଗଳ୍ପଟିଏ କହୁଛି ଶୁଣ ।

 

କୋକଟିଏ ଥିଲା । ତା’ ଜୀବନରେ ଏମିତି ଏକ ସମୟ ଆସିଲା–ଯେତେବେଳେ କି ତା’ର ସବୁ ଶେଷ ହୋଇଗଲା । ତା’ ସ୍ତ୍ରୀ ତାକୁ ତ୍ୟାଗ କରି ପ୍ରେମିକ ସହିତ ଚାଲିଗଲା । ଯୁବତୀ ଝିଅଟି ମଧ୍ୟ ଦିନେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କଲା । ଗୋଟିଏ ମାତ୍ର ପୁଅ–ସେ ମଧ୍ୟ ଦିନେ ଘର ଛାଡ଼ି କୁଆଡ଼େ ପଳାଇଗଲା । ଏହାପରେ କୌଣସି କାରଣରୁ ତା’ର ଚାକିରିଟି ମଧ୍ୟ ସେ ହରାଇ ବସିଲା । ଯାହା କିଛି ତା’ର ଅବଶିଷ୍ଟ ଧନ ଥିଲା ବ୍ୟାଙ୍କ୍‍ ତା’ର ଋଣ ପରିଶୋଧ ବାବଦକୁ ସବୁ କିଛି ନିଲାମ୍‍ କରି ନେଲା । ଏହାପରେ ଲୋକଟି ଆଉ କରିବ କ’ଣ ? ଆତ୍ମହତ୍ୟା କରିବ ବୋଲି ସ୍ଥିର କରି ଦିନେ ଜହ୍ନ ରାତିରେ ସହରର ଉପକଣ୍ଠରେ ବହିଯାଉଥିବା ନଦୀର ପୋଲ ଉପରକୁ ଗଲା । ନଈରେ ସେତେବେଳେ ପ୍ରବଳ ବନ୍ୟାର ସ୍ରୋତ ଚାଲିଥାଏ । ଲୋକଟି ପୋଲ ଉପରୁ ସେଇ ଗଭୀର ଜଳସ୍ରୋତ ଭିତରକୁ ଡେଇଁ ପଡ଼ିବାକୁ ଉଦ୍ୟତ ହେଉଛି, ଏହି ସମୟରେ ପ୍ରଚଣ୍ଡ ଏକ ହାସ୍ୟରୋଳରେ କେହି ଜଣେ ତାକୁ ପଛଆଡ଼ୁ ଧରି ପକାଇବାର ସେ ଅନୁଭବ କଲା । ଲୋକଟି ଚକିତ ହୋଇ ପଛ ଆଡ଼କୁ ବୁଲି ଦେଖିଲା ଯେ, ଗୋଟିଏ ସ୍ତ୍ରୀ ଲୋକ ତାକୁ ନିଜ ଛାତିରେ ଭିଡ଼ି ଧରି ହସୁଛି । ସ୍ତ୍ରୀଲୋକଟିର ଶରୀର ଯୌବନରେ ଫାଟିପଡ଼ୁଥିଲା । କିନ୍ତୁ ତା’ର ମୁଖଟି ଅତ୍ୟନ୍ତ ଭୀଷଣ ଓ କୁତ୍ସିତ ।

 

ସ୍ତ୍ରୀ ଲୋକଟି କହିଲା–

 

ମୁଁ ଜାଣେ, ତୁମେ କ’ଣ କରିବାକୁ ଯାଉଥିଲ । ଏବଂ କାହିଁକି ମଧ୍ୟ ସେ କଥା କରିବାକୁ ଯାଉଥିଲ ତାହା ମଧ୍ୟ ମୋତେ ଜଣାଅଛି । କିନ୍ତୁ ତୁମେ ଯଦି ମୋ କଥା ମାନିବ, ମୁଁ ତୁମକୁ ତିନୋଟି ବର ଦେବି । ଏହା ତୁମର ଅବଶିଷ୍ଟ ଜୀବନକୁ ସୁଖମୟ କରିଦେବ ।

 

ଲୋକଟି ପଚାରିଲା–ତୁମେ କିଏ ?

 

ସ୍ତ୍ରୀ ଲୋକଟି କହିଲା–ଦେଢ଼ଶହ ବର୍ଷତଳେ ଏଠାରେ ଜଣେ ରାଜାଥିଲେ । ମୁଁ ଥିଲି ତାଙ୍କର ବିବାହିତା ରାଣୀ । ପରପୁରୁଷ ପାଲରେ ପଡ଼ି ମୁଁ ମୋର ସ୍ୱାମୀକୁ ଖାଦ୍ୟରେ ବିଷ ଦେଇ ମାରିଦେଲି । ତା’ପରେ ମୁଁ ଅନୁତାପରେ ଦଗ୍‌ଧ ହୋଇ ନିଜେ ଦିନେ ବିଷଖାଇ ଆତ୍ମହତ୍ୟା କଲି । ଆମ ଗଡ଼ର ଅଧିଷ୍ଠାତ୍ରୀ ଠାକୁରାଣୀ ମତେ ମଲାବେଳେ ମୋ ଆଗରେ ସୂକ୍ଷ୍ମ ରୂପରେ ଉଭା ହୋଇ କହିଲେ–ତୁ ଏଇ ନଈ ପାଖେ ପ୍ରେତ ହୋଇ ବୁଲୁଥା । ତୋର ମୁହଁ ଏହିପରି କୁତ୍ସିତ ପେତିନୀର ମୁଖ ହୋଇ ରହିବ । କିନ୍ତୁ ଯେଉଁଦିନ ତୁ ଆତ୍ମହତ୍ୟା କରିବାକୁ ଯାଉଥିବା କୌଣସିପୁରୁଷକୁ ଆତ୍ମହତ୍ୟାରୁ ନିବର୍ତ୍ତାଇ ପାରିବୁ ଓ ତାହା ସଙ୍ଗେ ଯୌନ ସହବାସ କରିପାରିବୁ, ସେହିଦିନ ତୁ ତା’ର ପ୍ରେତତ୍ୱରୁ ମୁକ୍ତି ପାଇବୁ । ଏବେ ତୁମର ଆତ୍ମହତ୍ୟା ଲଗ୍ନ ଗଡ଼ିଗଲା । ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ତୁମେ ଆଉ ଏଠି ଆତ୍ମହତ୍ୟା କରିପାରିବ ନାହିଁ । ଯଦି ମୋ କଥାରେ ବିଶ୍ୱାସ ହୁଏ, ତେବେ ମୋ ସଙ୍ଗରେ ମୋ ଘରକୁ ଚାଲ । ଏବଂ ଯଦି ମୋ ସର୍ତ୍ତ ମାନ, ତେବେ ମୁଁ ତୁମକୁ ତିନୋଟି ବରଦେବି–ଯାହା ଫଳରେ ତୁମର ଅବଶିଷ୍ଟ ଜୀବନ ସୁଖମୟ ହୋଇପାରିବ ।

 

କହିବା ବାହୁଲ୍ୟ ଯେ, ସେହି ଲୋକଟି ଏକଥାରେ ଅଭିଭୂତ ହୋଇ ସ୍ତ୍ରୀ କୋକଟିର ସଙ୍ଗରେ ଚାଲିଲା ଏବଂ ନିକଟସ୍ଥ ଏକ କୁଟୀରରେ ସେହି କୁତ୍ସିତମୁଖୀ କାମୁକା ରମଣୀଟି ସେହି ହତଭାଗ୍ୟ ପୁରୁଷଟି ସହିତ ସାରାରାତି କାମ–କ୍ରୀଡ଼ା ଉପଭୋଗ କଲା । ତା’ ପରେ ରାତି ଯେମିତି ପାହିଲା–ଲୋକଟି ବିଛଣାରୁ ଉଠି ସ୍ତ୍ରୀ ଲୋକଟିକୁ କହିଲା–

 

ଏବେ ମତେ ବର ତିନୋଟି ଦିଅ । ମୁଁ ତ ତୁମର ସର୍ତ୍ତ ପୂରଣ କଲି । ଏବେ ତୁମେ ତୁମର ସର୍ତ୍ତ ପୂରଣ କର !

 

ସ୍ତ୍ରୀ ଲୋକଟି ହସିହସି କହିଲା–ତୁମ ଭଳି ଅଧମ ପୁରୁଷକୁ ମୁଁ ବର ତିନୋଟି କେବେ ଦେବି ନାହିଁ । କାରଣ, ତୁମେ ସେ ତିନୋଟି ଯାକ ବର କେବେ ବି ରଖିପାରିବ ନାହିଁ ।

 

ଲୋକଟି ଉଦ୍‌ବିଗ୍ନ ହୋଇ ପଚାରିଲା–କି ଆଶ୍ଚର୍ଯ୍ୟ ! ତୁମେ ମତେ ଏପରି କାହିଁକି କହୁଛ ?

 

ସ୍ତ୍ରୀ ଲୋକଟି କହିଲା–ତୁମେ କ’ଣ ପ୍ରେତରେ ବିଶ୍ୱାସ କର ?

 

ଲୋକଟି କହିଲା–ହଁ ।

 

ଯଦି ପ୍ରେତରେ ବିଶ୍ଵାସ କର–ତେବେ କୁହ–ପ୍ରେତ ସଙ୍ଗେ ଭଲା କେହି ଜୀବନ୍ତ ଲୋକ ସହବାସ କରିପାରେ ?

 

ଏଭଳି କହି ସ୍ତ୍ରୀ ଲୋକଟି ହସି ହସି ତା’ ମୁହଁରୁ ସେହି କୁତ୍ସିତ ମୁଖାଟି ଖୋଲିଦେଲା । ଲୋକଟି ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ, ଏକ ଅପୂର୍ବ ସୁନ୍ଦରୀ ଯୁବତୀ ତା’ ଆଗରେ ଛିଡ଼ା ହୋଇ ଖିଲି ଖିଲି ହୋଇ ହସୁଛି । ଲୋକଟି ଅଭିଭୂତ ହୋଉ କହିଲା–ମୁଁ ୟେ କ’ଣ ଦେଖୁଛି ? ବାସ୍ତବ ନା ଇନ୍ଦ୍ରଜାଲ ?

 

ସ୍ତ୍ରୀ ଲୋକଟି ସେହିପରି ହସୁ ହସୁ କହିଲା–ତୁମେ ବାସ୍ତବ ହିଁ ଦେଖୁଛ । କିନ୍ତୁ ତୁମଭଳି ମୂଢ଼ ପୁରୁଷ ଇନ୍ଦ୍ରଜାଲକୁ ବାସ୍ତବ ଓ ବାସ୍ତବକୁ ଇନ୍ଦ୍ରଜାଲ ବୋଲି ଭାବିବାକୁ ବାଧ୍ୟ ।

 

ଲୋକଟି ବୋକାଙ୍କ ଭଳି ପ୍ରଶ୍ନ କଲା–କିପରି ?

 

ସ୍ତ୍ରୀ ଲୋକଟି କହିଲା–କାଲି ରାତିରେ ମୁଁ ତୁମଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତଦନୁଯାୟୀ ମୁଁ ମୋର ସେହି ପ୍ରେତତ୍ୱରୁ ବର୍ତ୍ତମାନ ମୁକ୍ତ ହୋଇ ତୁମଭଳି ଜଣେ ଜୀବନ୍ତ ମଣିଷ ରୂପେ ତୁମ ଆଗେ ଛିଡ଼ା ହୋଇଛି । ତୁମେ ଏତେ ମୂଢ଼ ଆଉ ସୁଖପ୍ରାୟ ପୁରୁଷ ଯେ, ତୁମକୁ ଛାଡ଼ ତୁମର ସ୍ତ୍ରୀ, ପୁଅ, ଝିଅ ସମସ୍ତେ ଚାଲିଗଲେ । ତୁମର ସବୁ ସୁଖ ଚାଲିଗଲା ବୋଲି ତୁମେ କାଲି ରାତିରେ ଆତ୍ମହତ୍ୟା କରିବ ବୋଲି ବସିଥିଲ । ପୁଣି ବର୍ତ୍ତମାନ ସବୁ ସୁଖତକ ଫେରିପାଇବ ବୋଲି ଗୋଟିଏ ପ୍ରେତ କଥାରେ ପଡ଼ି ଆତ୍ମହତ୍ୟାରୁ ନିବୃତ୍ତ ହେଲ । ଏବଂ ପ୍ରେତ ସଙ୍ଗେ ଇ ସହବାସ କଲ-। ମୁଁ ଦେଖୁଛି–ତୁମ ଜୀବନରେ ସୁଖାଭିଳାଷ ଛଡ଼ା ଆଉ କିଛି ନାହିଁ । ସେଇ କାରଣରୁ ତୁମେ ତୁମର ସବୁ କିଛି ହରାଇଛ । ଏବଂ ଏ କଥା ବି ଜାଣିରଖ ଯେ, ମୁଁ ଯଦି ତୁମକୁ ବର୍ତ୍ତମାନ ବିବାହ କରିବି, ତା’ ହେଲେ ତୁମେ ଯାହା ହରାଇଛ । ସେ ସବୁତକ ମଧ୍ୟ ମୁଁ ତୁମକୁ ଫେରାଇ ଦେବି-। କିନ୍ତୁ ତୁମେ ସେସବୁ ଆଉ କେବେ ବି ରଖିପାରିବନାହିଁ । କାରଣ କେବଳ ନିଜ ସୁଖାଭିଳାଷୀ କେବେ ବି ସୁଖ ଭୋଗ କରିପାରେ ନାହିଁ । ସେହିପରି ଆତ୍ମହତ୍ୟା ବି କରିପାରେ ନାହିଁ । ସେ ପ୍ରତିମୁହୂର୍ତ୍ତରେ ଆପଣା ଅଭିଳାଷରେ ବଂଚୁଥାଏ ଓ ମରୁଥାଏ । ଏବେ ବୁଝିଲ ତ ?

 

କହିବା ବାହୁଲ୍ୟ ଯେ, ସେହି ସ୍ତ୍ରୀ ଲୋକଟି ଏତିକି କହି ଲୋକଟିର ଆଖି ଆଗରେ କୁଆଡ଼େ ଅନ୍ତର୍ହିତ ହୋଇଗଲା । ଏବେ ମଣିଷ ତା’ ନିଜ ଦୁଃଖ ପାଇଁ କିପରି ଦାୟୀ ବୁଝିଲ ତ ?

☆☆☆

 

ଆକାଶର ଚନ୍ଦ୍ର ଓ ଦର୍ପଣର ଚାନ୍ଦ

 

ଥରେ ବାଣୀବିହାରର କେତେକ ତରୁଣ କବି ବାବା ଡହରାନନ୍ଦଙ୍କୁ ତାଙ୍କ କାମ୍ପସକୁ ଡାକି ନେଇଥିଲେ । ମାସଟି ଥିଲା ଫଗୁଣ ମାସ । ବସନ୍ତଋତୁ । ଜହ୍ନ ରାତି । ତରୁଣ କବିମାନେ ଡହରାନନ୍ଦଙ୍କୁ ମଝିରେ ବସାଇ ସ୍ୱଲିଖିତ କେତେକ କବିତା ପଢ଼ି ଶୁଣାଇଲେ । କବିତାଗୁଡ଼ିକ ଭିତରେ ଅଧିକାଂଶ ଥିଲା ପ୍ରେମପ୍ରଣୟମୂଳକ ଓ ଆଉ କେତୋଟି ଥିଲା ବିପ୍ଳବାତ୍ମକ । କବିତା ପାଠୋତ୍ସବ ପରେ ତରୁଣ କବିମାନେ ଡହରାନନ୍ଦଙ୍କୁ ସେମାନଙ୍କ କବିତା ଉପରେ କିଛି ମନ୍ତବ୍ୟ ଦେବାକୁ ଅନୁରୋଧ କଲେ । ଡହରାନନ୍ଦ କହିଲେ–

 

ବାବୁମାନେ ! ତୁମେସବୁ ଯେଉଁ କବିତାମାନ ମତେ ପଢ଼ି ଶୁଣାଇଲ–ସେଗୁଡ଼ିକର ଭାଷା, କଳ୍ପନା ଓ ଛନ୍ଦ ମୋଟାମୋଟି ମତେ ବେଶ୍‍ ଆନନ୍ଦ ଦେଲା । ମାତ୍ର ମୋର ଯେପରି ମନେହେଲା–ଏଥିରୁ କୌଣସିଟି କବିତା ମୋ ମନ ଭିତରେ କିଛି ଗଭୀର ଛାପ ପକାଇ ପାରିଲା ନାହିଁ ।

 

ଏହା ଶୁଣି ତରୁଣ କବିମାନଙ୍କର ମନ ମଉଳିଗଲା । ସେମାନେ କହିଲେ–ଡହରାନନ୍ଦଜି-! କବିତାରେ କ’ଣ ରହିଲେ ତାହା ଶ୍ରୋତା ବା ପାଠକର ମନରେ ଗଭୀର ପ୍ରଭାବ ପକାଇ ପାରିବ, ତାହା ଆମକୁ କହନ୍ତୁ ।

 

ଡହରାନନ୍ଦ କହିଲେ–ବାବୁମାନେ ! ମୁଁ ନିଜେ କବି ନୁହଁ । ଜୀବନରେ କେବେ କବିତା ଲେଖିବାକୁ ଚେଷ୍ଟା କରିନାହିଁ । କାରଣ ମୁଁ ଜାଣେ କବିତା ଲେଖିବା ପାଇଁ ପ୍ରାୟ ସମସ୍ତଙ୍କର ଗୋଟାଏ ପ୍ରକାର ଇଚ୍ଛା ହୁଏ । ମାତ୍ର ସମସ୍ତଙ୍କର କବିତା ଲେଖିବାର ଇଚ୍ଛାକୁ ଆମେ କାବ୍ୟ–ପ୍ରେରଣା ବୋଲି କହିପାରିବା ନାହିଁ । ତେବେ ମୁଁ ବହୁତ ଭଲ ଭଲ କବିତା ମୋ ଜୀବନରେ ପଢ଼ିଛି-। ମୋର ଧାରଣା, କୌଣସି ବିଷୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଅଭିଜ୍ଞତା ନ ଥିଲେ ଅନୁଭୂତି ଆସେ ନାହିଁ । ଏବଂ ଅନୁଭୂତି ଠିକ ନ ଥିଲେ କବିତାରେ ତୁମେ ଭାଷା, ଛନ୍ଦ, କଳ୍ପନାରେ ଯେତେ ତମ୍ବୁତୋଫାନ କଲେ ବି ତାହା ପାଠକ ବା ଶ୍ରୋତାର ହୃଦୟକୁ ଗଭୀର ଭାବେ ଆଲୋଡ଼ିତ କରିପାରେ ନାହିଁ । ଜୀବନରେ ସବୁ କଥା ଲାଗି ବାସ୍ତବ ଅଭିଜ୍ଞତା ଦରକାର । କବିତାରେ ପୁଣି ବେଶି ଦରକାର । ଏ ସମ୍ବନ୍ଧେ ଘଟଣାଟିଏ କହୁଛି ଶୁଣ ।

...ଥରେ ଏକ ଶାରଦୀୟ ପୂର୍ଣ୍ଣିମା ରାତ୍ରରେ ଜଣେ କବି ଗୋଟିଏ ବିରାଟ ଦର୍ପଣକୁ ତଳେ ରଖି ତା’ ଉପରେ ହାମୁଡ଼େଇ ପଡ଼ି କ’ଣ ଦେଖୁଥିଲେ । ଏହିସମୟରେ ଜଣେ ଯୋଗୀ ସେଠାରେ ଆସି ପହଞ୍ଚୁଯାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–କବି ! ବେକଭାଙ୍ଗି ତଳେ ଆଣ୍ଠେଇ ପଡ଼ି କ’ଣ ଦେଖୁଛ ?

କବି କହିଲେ–ପୂର୍ଣ୍ଣିମା ଚନ୍ଦ୍ରର ଶୋଭା ଦେଖୁଛି । ଯୋଗୀ ହସି ହସି କହିଲେ–କି ନିର୍ବୋଧ ! ଉପରକୁ ଚାହଁ । ତୁମ ମଥା ଉପର ଆକାଶରେ ଦାଉ ଦାଉ ହୋଇ ଶାରଦୀୟ ପୂର୍ଣ୍ଣଚନ୍ଦ୍ର କିପରି ଶୋଭା ପାଉଛନ୍ତି । ସେ ଦିଗରେ ନ ଚାହିଁ ଭୂଇଁ ଉପରେ ଆଣ୍ଠୁ ମାଡ଼ି, ତଳମୁହାଁ ହୋଇ ଗୋଟାଏ ଦର୍ପଣ ଭିତରେ ଚନ୍ଦ୍ରର ପ୍ରତିବିମ୍ବଟାକୁ ଦେଖୁଛ କାହିଁକି ?

 

କବି ହସି ହସି କହିଲେ–ସେ ଚନ୍ଦ୍ର ଆକାଶର ସମ୍ପଦ । ଆକାଶ ଆମକୁ ଜ୍ୟୋତ୍ସ୍ନା ଦେବ-। ଆମ ହାତରେ ଚନ୍ଦ୍ରକୁ କେବେ ଧରାଇ ଦେବ ନାହିଁ । ମୋର କାମ ହେଲା ଅନ୍ତତଃ ଚନ୍ଦ୍ର ପ୍ରତିବିମ୍ବକୁ ପୃଥିବୀ ହାତରେ ଧରାଇଦେବା ।

 

ଯୋଗୀ କହିଲେ–ହଁ, ତୁମର ଏଇ ପୃଥିବୀ ଚିରଦିନ ଏହିଭଳି ପିଲାଥିବ । ଏବଂ ଦର୍ପଣ ଭିତର ଚନ୍ଦ୍ରର ପ୍ରତିବିମ୍ବକୁ ଧରି ଚନ୍ଦ୍ରକୁ ଧରିଛି ବୋଲି ଆପଣା ପାଖେ ପ୍ରତାରିତ ହେଉଥିବ ।

 

କବି ଜଣକ ହସି ହସି କହିଲେ–ତୁମ ଆକାଶର ସେଇ ଚନ୍ଦ୍ରଟି ମଧ୍ୟ ସୂର୍ଯ୍ୟର ପ୍ରତିବିମ୍ବ । ଏବଂ ତୁମର ସେହି ସୂର୍ଯ୍ୟ ମଧ୍ୟ ଆଉ ଏକ ଜ୍ୟୋତିଷ୍ମାନ୍‌ର ପ୍ରତିବିମ୍ବ । ଏଠି ସବୁ ଜ୍ୟୋତିଷ୍ମାନ୍‌ମାନେ ସେଇ ଏକ ମୂଳ ଜ୍ୟୋତିଷ୍ମାନ୍‌ଙ୍କର ପ୍ରତିବିମ୍ବ ଛଡ଼ା ଆଉ କ’ଣ ?.....

 

ଡହରାନନ୍ଦଙ୍କ ମୁଖରୁ ଏହି ବୃତ୍ତାନ୍ତ ଶୁଣି ସମବେତ ଯୁବକମାନଙ୍କ ଭିତରୁ ଜଣେ ପଚାରିଲେ–ଡହରାନନ୍ଦଜି ! ଆପଣଙ୍କ ମୂଳ ଜ୍ୟୋତିସ୍ୱରୂପକୁ ଭଲା କିଏ ଦେଖିଛି ? ନା, ଏହା ମଧ୍ୟ ଏକ ଅନୁମାନ ?

 

ଡହରାନନ୍ଦ ଖୁବ୍‍ ଖୁସିହୋଇ ଗଲାଭଳି କହିଲେ–

 

ବାବୁମାନେ ! ଆମର ଏଠି ସବୁ କିଛି ପ୍ରତିବିମ୍ବ ମାତ୍ର । ପ୍ରତିବିମ୍ବ ମାତ୍ରେ ଇ ପ୍ରମାଣ କରେ ଯେ ତା’ର ମୂଳ ବିମ୍ବଟି ଠିକ୍‍ ତା’ ସମ୍ମୁଖରେ ଅଛି । ଯେପରି ଏହି ଦର୍ପଣର ଚନ୍ଦ୍ର ଏ ଆକାଶର ଚନ୍ଦ୍ର ସାମ୍‌ନାସାମ୍‌ନି ହୋଇ ରହିଛନ୍ତି ।

 

ଏହା ଶୁଣି ତରୁଣ କବି ପଚାରିଲେ–

 

ଡହରାନନ୍ଦଜି ! ଆପଣଙ୍କର ଏହି ଦୃଷ୍ଟାନ୍ତ ସହିତ ଆମ କବିତା ଲେଖାର କ’ଣ ସମ୍ବନ୍ଧ ରହିଛି ବୁଝି ପାରିଲୁ ନାହିଁ ।

 

ଡହରାନନ୍ଦ କହିଲେ–ତରୁଣ କବିବୃନ୍ଦ ! ତୁମମାନଙ୍କ କବିତା ଭିତରେ ସିଧାସଳଖ ଚନ୍ଦ୍ର ପ୍ରତିବିମ୍ବ ହେଉନ୍ତୁ । ତୁମେ କିନ୍ତୁ ଦର୍ପଣ ଭିତରେ ଚନ୍ଦ୍ରକୁ ଦେଖି ଚନ୍ଦ୍ର ଉପରେ କବିତା ଲେଖ ନାହିଁ ।

 

ସେଦିନର ଆଲୋଚନା ଏତିକିରେ ଶେଷ ହେଲା ।

☆☆☆

 

Unknown

ହାୟ ଭଗବାନ ! ହାୟ ମଣିଷ !

 

କେନ୍ଦ୍ରାପଡ଼ା ସହରର କେତେକ ଶିକ୍ଷିତ ଯୁବକ ବାବା ଡହରାନନ୍ଦଙ୍କୁ କିଛି ଦିନପାଇଁ ତାଙ୍କ ସହରରେ ପାଇଥିଲେ । ସେମାନେ ଡହରାନନ୍ଦଙ୍କୁ ନେଇ ସବୁଦିନେ ସନ୍ଧ୍ୟାବେଳେ ବୁଲିଯାନ୍ତି ଏବଂ ସହରର କିଞ୍ଚିତ ଦୂରରେ ଥିବା ଗୋଟିଏ ନିର୍ଜନ ସ୍ଥାନରେ ଯାଇ ବସି ସୂର୍ଯ୍ୟାସ୍ତ ଉପଭୋଗ କରନ୍ତି । ସେମାନଙ୍କ ଭିତରେ ଜୀବନ ସମ୍ପର୍କରେ ନାନାଦି ଆଲୋଚନା ହୁଏ । ଦିନେ ସେମାନଙ୍କ ଭିତରୁ ଜଣେ ଯୁବକ ପଚାରିଲା–

 

ଡହରାନନ୍ଦଜି ! ଆମ ଗ୍ରାମରେ ଗୋଟିଏ ବିଷୟନେଇ ବହୁଦିନରୁ ଗୋଟିଏ ବିବାଦ ରହିଥିଲା । ଏବେ ତାହା ଭୀଷଣ ଆକାର ଧାରଣ କରିଛି । ଅବସ୍ଥା ଏତେ ଦୂରକୁ ଗଲାଣି ଯେ ଆସନ୍ତା ଦୁର୍ଗାପୂଜା ବେଳକୁ ସେହି ବିଷୟ ନେଇ ଆମ ଗ୍ରାମର ଦୁଇ ସମ୍ପ୍ରଦାୟ ଭିତରେ ମାରାତ୍ମକ କାଣ୍ଡ ଘଟିଯାଇ ପାରେ ଏବଂ ଉଭୟ ସମ୍ପ୍ରଦାୟ ପକ୍ଷରୁ କେତେ ଲୋକ ମୃତାହତ ହୋଇପାରନ୍ତି ।

 

ଡହରାନନ୍ଦଜି ବିବାଦର କାରଣଟି ସମ୍ବନ୍ଧେ ପଚାରିବାରୁ ଯୁବକଟି କହିଲା–

 

ଆମ ଗ୍ରାମରେ ବହୁକାଳରୁ ହିନ୍ଦୁ ଓ ମୁସଲମାନ ମାନେ ମିଳିମିଶି ରହୁଥିଲେ । କିନ୍ତୁ ଗତ କେତେବର୍ଷଧରି ସେମାନଙ୍କ ଭିତରୁ ସେ ସଦ୍‌ଭାବ କୁଆଡ଼େ ଚୁଲିକି ଗଲାଣି । ଦୁଇପକ୍ଷ ଗୋଟିଏ ବିବଦମାନ ବିଷୟକୁ ନେଇ ପରସ୍ପର ସହିତ ଝଗଡ଼ା ଆରମ୍ଭ କରିଦେଇଛନ୍ତି ତା’ ହେଲା ହିନ୍ଦୁମାନେ ଚାହୁଛନ୍ତି ଯେ ମୁସଲମାନମାନଙ୍କ ମସ୍‌ଜିଦ ସାମ୍ନା ରାସ୍ତାରେ ବାଜାବଜାଇ ତାଙ୍କ ଠାକୁରଙ୍କୁ ପ୍ରୋସେସନ କରିନେବେ ଏବଂ ମୁସଲମାନମାନେ ଚାହୁଛନ୍ତି ଯେ ହିନ୍ଦୁମାନେ ତାଙ୍କ ଠାକୁରଙ୍କୁ ବିମାନରେ ବସାଇ ମସ୍‌ଜିଦ ପାଖ ରାସ୍ତାରେ ଚୁପ୍‌ଚାପ ଯା’ନ୍ତୁ, ବାଜା ଫାଜା ବଜାଇ କୋଳାହଳ କରି ଯା’ନ୍ତୁ ନାହିଁ । ତଦ୍ଦ୍ୱାରା ତାଙ୍କର ନୀରବ ଉପାସନାରେ ବ୍ୟାଘାତ ଘଟୁଛି ଏବଂ ଶୂନ୍ୟରୂପୀ ନିରାକାର ଭଗବାନ ମଧ୍ୟ ତାଙ୍କ ଭକ୍ତମାନଙ୍କର ଏଇ ଅଯଥା ହୈହଲ୍ଲା ଓ କୋଳାହଳ ଭଲ ପାନ୍ତି ନାହିଁ । କିନ୍ତୁ ହିନ୍ଦୁମାନଙ୍କର ଯୁକ୍ତି ହେଲା–ଉଚ୍ଚସ୍ୱରରେ ଭଜନ କୀର୍ତ୍ତନ ନକଲେ ଓ ଘଣ୍ଟା ଘଣ୍ଟା ପଟ୍ଟହ କାହାଳୀ ବଜାଇ ଉଦ୍ଦଣ୍ଡ ନୃତ୍ୟ ନକଲେ ସେମାନଙ୍କ ହୃଦୟରେ ଭକ୍ତିଭାବନା ଜାଗ୍ରତ ହୁଏ ନାହିଁ । ଆଉ ମଧ୍ୟ ପୂର୍ଣ୍ଣରୂପୀ ସାକାର ଭଗବାନ ତାଙ୍କ ଭକ୍ତମାନଙ୍କ ପାଖରୁ ଏହିରୂପ ହୋ ହୋ ଘୋଘା, ଢୋଢ଼ା, ଢାଇଁ, ଢାଇଁ, ଝାଇଁ ଝାଇଁ, ସାଇଁ ସାଇଁ ସର୍ବଦା ଆଶା କରନ୍ତି । ତା’ ନ ହେଲେ ତାଙ୍କୁ ଭଲ ଲାଗେ ନାହିଁ ଏବଂ ଦୁଇପକ୍ଷ ଭଗବାନଙ୍କ ରୁଚି ଓ ନିଜ ନିଜର ଉପାସନା ପଦ୍ଧତି ସମ୍ବନ୍ଧେ ଅଟଳ । କେହି କାହା ଯୁକ୍ତି ବା କଥା ଶୁଣିବାକୁ ନାରାଜ । କିନ୍ତୁ ଭଗବାନଙ୍କ ରୁଚି ସମ୍ବନ୍ଧେ ପ୍ରକୃତ ସତ୍ୟଟି କ’ଣ ? ଆଉ ମଧ୍ୟ ଏହି ଦୁଇପ୍ରକାର ଉପାସନା ପଦ୍ଧତି ଭିତରୁ କୋଉଟା ଠିକ୍‍ ?

 

ଡହରାନନ୍ଦଜି ସ୍ମିତହାସ୍ୟ କରି କହିଲେ–ମତେ ସବୁକଥା ପଚାରିବ ମାତ୍ର ଭଗବାନଙ୍କ ବିଷୟରେ କିଛି ପ୍ରଶ୍ନ କରିବ ନାହିଁ । କାରଣ ମୁଁ ତାଙ୍କ ବିଷୟରେ ପ୍ରତ୍ୟକ୍ଷ ଭାବେ କିଛି ଜାଣିନାହିଁ । ତେବେ ବିଭିନ୍ନ ଧର୍ମଗ୍ରନ୍ଥ ପଢ଼ି ଯାହା ଜାଣିଛି ସେଥିରୁ ମୋର ଦୃଢ଼ ଧାରଣା ହୋଇଛି ଯେ ଭଗବାନଙ୍କ ବିଷୟରେ ସଠିକ ଭାବେ ଗୋଟାଏ କଥା କହି ହେବ ନାହିଁ । ସବୁ ପ୍ରକାର ବିପରୀତ କଥା ତାଙ୍କ ସମ୍ବନ୍ଧେ ଶୁଣାଯାଏ । ଭଗବାନ ଯଦି ଏକ ହୋଇଥାନ୍ତି ତେବେ ତାଙ୍କ ବିଷୟରେ ଗୋଟିଏ କଥା ଶୁଣାଯାନ୍ତା । ମୋର ଧାରଣା ପୃଥିବୀରେ ଯେତେ ଭକ୍ତ ଅଛନ୍ତି, ସେତିକି ପ୍ରକାର ଭଗବାନହିଁ ରହିଛନ୍ତି । ଯେଉଁମାନେ ତଥାପି କହନ୍ତି ଯେ ଭଗବାନ ଏକ ଏବଂ ସେମାନେ ହୁଏତ ତାଙ୍କ ସମ୍ପର୍କୀୟ ଗଣ୍ଡଗୋଳକୁ ଏଡ଼ାଇ ଯିବାକୁ ଏକଥା କହୁଛନ୍ତି–କିମ୍ବା ଭଗବାନଙ୍କ ବହୁବିଧତା ସମ୍ବନ୍ଧେ ସେ ସଂପୂର୍ଣ୍ଣ ଅଜ୍ଞ । ତଥାପି ମୁଁ ସେ ସମ୍ବନ୍ଧେ ଛୋଟ ଗଳ୍ପଟିଏ କହୁଛି ଶୁଣ ।

 

ଥରେ ତିନିଜଣ ଲୋକ କୌଣସି ପ୍ରକାରେ ଯୋଗାଡ଼ ଯନ୍ତ୍ର କରି ଭଗବାନଙ୍କ ପାଖକୁ ଗଲେ ଓ ତାଙ୍କପାଖେ ପହଁଞ୍ଚିଲେ । ସେମାନେ ପ୍ରତ୍ୟେକ ଏକ ସଙ୍ଗରେ ଭଗବାନଙ୍କ କାମେରାକୁ ପଶିଯାଉଥିଲେ । ମାତ୍ର ଭଗବାନଙ୍କ ଦୂତ ସେମାନଙ୍କୁ କହିଲେ, ହେ ଭକ୍ତବୃନ୍ଦ ! ତୁମେମାନେ ପ୍ରଭୁଙ୍କ ପାଖକୁ ଜଣ ଜଣ କରି ଆସ । ସେହି ତିନିଜଣଙ୍କ ଭିତରୁ ଜଣେ ଥିଲା ସାକାର ଉପାସକ । ସେ ଭଗବାନଙ୍କୁ କେବଳ ଆକାରରେ ଦେଖିବାକୁ ଚାହେଁ । ଆଉଜଣକ ଥିଲା ନିରାକାର ଉପାସକ-। ସେ ଭଗବାନକୁ ଆକାରରେ ଦେଖିଲେ ଚିଡ଼ି ଯାଏ । ସେ ତାଙ୍କୁ ଶୂନ୍ୟରେ ଭେଟିବାକୁ ଚାହେଁ-। କିନ୍ତୁ ତୃତୀୟ ଜଣକ ଥିଲା ନାସ୍ତିକ । ସେ ଭଗବାନଙ୍କ ଅସ୍ତିତ୍ୱ ନାହିଁ ବୋଲି ପ୍ରମାଣ କରିବାକୁ ଚାହେଁ-

 

ସେହି ତିନିଜଣକ ଭିତରୁ ସାକାର ଉପାସନାକାରୀ ପ୍ରଥମେ ଡାକରା ପାଇ ଭଗବାନଙ୍କ କାମେରାକୁ ଗଲା । ସେ ତା’ ସାଙ୍ଗରେ ଗୋଟିଏ ଖଞ୍ଜଣୀ ନେଇଥିଲା । ଭଗବାନଙ୍କ କାମେରାରେ ପଶୁପଶୁ ସେ ଖୁବ୍‍ ଜୋରରେ ଖଞ୍ଜଣୀ ବାଡ଼ାଇ ଭଗବାନଙ୍କୁ କିଛି ପ୍ରଶଂସା ଓ କିଛି ନିନ୍ଦା କରି ଲେଖିଥିବା ଭଜନଟିଏ ଉଚ୍ଚକଣ୍ଠରେ ଗାଇବାକୁ ଲାଗିଲା ଓ ପାଗଳ ଭଳି ଉନ୍ମତ୍ତ ଉଦ୍ଦଣ୍ଡ ନୃତ୍ୟ କଲା-। ଏହା ଦେଖି ଓ ଶୁଣି ଭଗବାନ କିଞ୍ଚିତ୍‍ ଅଶ୍ୱସ୍ତିବୋଧ କଲେ ଓ ତାଙ୍କ ଦୂତକୁ କହିଲେ–ହେ ଦିବ୍ୟଦୂତ ! ଏହିମୂର୍ଖର ଧାରଣା ଯେ ମୁଁ ଏକ ନିର୍ଜନ ନିଃଶୂନ ଦ୍ଵୀପରେ ଘୋର ନୀରବତା ଭିତରେ ଆରାମରେ ଶୋଇପଡ଼ିଛି ଓ ଏ ମୂର୍ଖ ଏପରି ଅଶ୍ଳୀଳ କୋଳାହଳ କରି ମୋତେ ନିଦ୍ରାରୁ ଉଠାଇବାକୁ ବସିଛି । ଶୀଘ୍ର ଏ ମୂର୍ଖକୁ ଏଠାରୁ ବାହାର କରିଦିଅ । ମୁଁ ଶାନ୍ତି ଚାହେଁ, ନୀରବତା ଚାହେଁ । ମୋ ଦ୍ୱାରା ଅକାରଣ ସୃଷ୍ଟି ଏହି ଅଶେଷ ବ୍ରହ୍ମାଣ୍ଡର ମହା କୋଳାହଳ ଭିତରେ ମୁଁ ଗୋଟିଏ ମୁହୂର୍ତ୍ତ ଶାନ୍ତିରେ ନିଜକୁ ଧ୍ୟାନ କରି ନିଜକୁ ଖୋଜି ପାଉନାହିଁ । ଶୀଘ୍ର ଏ ମୂର୍ଖ ଅଶ୍ଳୀଳ ଲୋକଟାକୁ ଏଠାରୁ ବିଦାକର ଓ ଦ୍ଵିତୀୟ ଲୋକକୁ ଡାକ ।

 

ପ୍ରଥମଟି ତଡ଼ା ଖାଇଲା ପରେ ଦ୍ଵିତୀୟ ଲୋକଟି ମହା ଆନନ୍ଦ ଉତ୍ସାହରେ ଭଗବାନଙ୍କ କାମେରା ଭିତରେ ପ୍ରବେଶ କଲା । ସେ ମନେ ମନେ ଖୁବ୍‍ ଖୁସି ହେଉଥିଲା ଏଇଥିପାଇଁ ଯେ ତା’ର ଚିରଶତ୍ରୁ ସେହି ଅଶ୍ଳୀଳ ମୂର୍ଖ ପିତୁଳା ପୂଜକଟା ତା’ ହୀନକର୍ମ ଫଳରୁ ଖୁବ୍‍ ଜଲଦି ଭଗବାନଙ୍କଠାରୁ ତଡ଼ା ଖାଇଲା । ସେ ଭଗବାନଙ୍କ କାମେରା ଭିତରେ ପଶି ପ୍ରଥମେ ସେହି ଅନ୍ଧକାର ଭିତରେ ହଠାତ୍‍ ଆଣ୍ଠୁ ମାଡ଼ି ବସି ନୀରବରେ ଆଖିବୁଜି ପ୍ରାର୍ଥନା କରିବାକୁ ଲାଗିଲା । ସେହି କାମେରା ମଧ୍ୟରେ କେହି ନଥିଲେ । ଚାରିଆଡ଼ ମଧ୍ୟ ଖୁବ୍‍ ଶୂନଶାନ୍‍ ଥିଲା । କିଛି ସମୟ ଏହିପରି ଚୁପ୍‍ଚାପ୍‍ କଟିଯାନ୍ତେ ଭଗବାନ ଅଦୃଶ୍ୟ ସ୍ତରରେ ଥାଇ ତାଙ୍କର ଦୂତକୁ କହିଲେ, ହେ ଦିବ୍ୟଦୂତ ! ଶୀଘ୍ର ଏଇ ମୂକ ମୂର୍ଖ ଅସହିଷ୍ଣୁ ଏକବାଗିଆ ଲୋକଟାକୁ ମୋ କାମେରାରୁ ବାହାର କର । ତା’ର ଦାବି ଅନୁସାରେ ମୁଁ ଆଉ କେତେ ସମୟ ମୋର ରୂପ ଲୁଚାଇ ରଖି ରହି ପାରିବି ? ଏହି ଆପଣା ଜିଦରେ ଅନମନୀୟ ଲୋକଟା ଚାହେଁ ମୁଁ ସର୍ବଦା ସମସ୍ତଙ୍କଠାରୁ ଅଦୃଶ୍ୟ ହୋଇ ରହେ । ମୋତେ କେହି ଶୁଣି ନ ପାରନ୍ତୁ, ମୋତେ କେହି ଛୁଇଁ ନ ପାରନ୍ତୁ, ଏହା ହିଁ ଯଦି ତା’ର ଡିମାଣ୍ଡ ହୋଇଥାଏ ତେବେ ମୁଁ କ’ଣ କେବଳ ତାରି କଥାରେ ଚାଲିବି ଓ ଏଣେ ମୁଁ ପାରତ୍ପର ସର୍ବଶକ୍ତିମାନ ଈଶ୍ୱର ବୋଲି ପ୍ରଚାର କରି ଚାଲିଥିବି ? ଶୀଘ୍ର ଶୀଘ୍ର ଏହାକୁ ବିଦାକର ।

 

ଦ୍ଵିତୀୟ ଲୋକଟିକୁ ବିଦାକରି ଦିଆଯିବା ପରେ ତୃତୀୟ ଲୋକଟି ପରମ ଉଲ୍ଲାସରେ ଭଗବାନଙ୍କ କାମେରା ମଧ୍ୟରେ ପ୍ରବେଶ କଲା ଏବଂ ସେହି ଭିତରେ କିଛି ସମୟ ବସି ସେ ତା’ ପରିବେଶକୁ ଭଲ୍‍ କରି ନିରୀକ୍ଷଣ କଲା ଏବଂ କେଉଁଠି କିଛି ନ ଦେଖି ଖୁବ୍‍ ଖୁସି ହେଲା । ଏହି ସମୟରେ ସେହି ଘରଭିତରୁ ଏକ ଶୂନ୍ୟ ବାଣୀ ହେଲା–

 

ତୁମେ ଏଠାକୁ କାହିଁକି ଆସିଛ ?

 

ଲୋକଟି ଉତ୍ତର ଦେଲା–

 

ଭଗବାନ ନାହାନ୍ତି ବୋଲି ପ୍ରମାଣ କରିବାକୁ ।

 

ତୁମେ କ’ଣ ଭଗବାନ ଅଛନ୍ତି ବୋଲି ଜାଣିଛ କି ?

 

ନା ।

 

ତେବେ କାହାକୁ ନାହାନ୍ତି ବୋଲି ପ୍ରମାଣ କରିବ ?

 

ଭଗବାନଙ୍କୁ ।

 

ସେ ତ ନାହାନ୍ତି ବୋଲି ତୁମେ ଜାଣିଛ ।

 

କିନ୍ତୁ ଆପଣ କିଏ ?

 

ମୁଁ ହିଁ ଭଗବାନ ।

 

ମୁଁ ବାରମ୍ବାର କହୁଛି ଯେ ଆପଣ ନାହାନ୍ତି ।

 

ବାସ୍‍ ଏଥର ନିଶ୍ଚିତ ହୁଅ ଯେ ମୁଁ ନାହିଁ ।

 

କିନ୍ତୁ ମୁଁ ତାହା ପ୍ରମାଣ କରିବାକୁ ଚାହେଁ ।

 

ବାସ–କର । କିଏ ତୁମକୁ ମନା କରୁଛି ।

 

କିନ୍ତୁ ମୁଁ ତାହା ପ୍ରମାଣ କରିପାରୁ ନାହିଁ । ଆପଣ ଯଦି ନିଜ ଆଡ଼ୁ ନିଜେ ନାହାନ୍ତି ବୋଲି ମୋ ଆଗରେ ପ୍ରମାଣ କରିଦିଅନ୍ତେ ତେବେ ମୋର ଏତେ ଶ୍ରମ ବୃଥା ଯା’ନ୍ତା ନାହିଁ ଓ ଆପଣ ମତେ ପ୍ରକୃତରେ କୃପା କଲେ ବୋଲି ମୁଁ ବୁଝି ପାରନ୍ତି ।

 

ଏହାଶୁଣି ଶୂନ୍ୟରୁ ଏକ ଅଟ୍ଟହାସ୍ୟ ହେଲା ଏବଂ ନାସ୍ତିକଟି ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ ଭଗବାନ ସ୍ୱୟଂ ସଶରୀରେ ତାଙ୍କ ସିଂହାସନରେ ବସି ହସି ହସି ନାସ୍ତିକ ହାତକୁ ଖଣ୍ଡିଏ କାଗଜ ବଢ଼ାଇ ଦେଲେ । ନାସ୍ତିକ ସେ କାଗଜ ଖଣ୍ଡିକ ଆଣି ଦେଖିଲା ଯେ ସେଥିରେ ଗୋଟିଏ ବାକ୍ୟ ଲେଖାଯାଇ ତା’ ତଳେ ଭଗବାନ ଦସ୍ତଖତ କରିଛନ୍ତି । ଲୋକଟି ସେହି ଲେଖାଟିକୁ ପଢ଼ିଲା-

 

ଆମ୍ଭେ ସ୍ୱୟଂ ଭଗବାନ ଆଜି ଏହି ନାସ୍ତିକାକୁ ସଶରୀରରେ ଦର୍ଶନ ଦେଲୁ ଓ ତା’ ଆଗରେ ଆମ୍ଭ ଶ୍ରୀମୁଖରେ ଘୋଷଣା କଲୁ ଯେ ଆମ୍ଭେ ପ୍ରକୃତରେ ନଥିଲୁ, ନାହୁଁ ଓ ଭବିଷ୍ୟତକୁ ମଧ୍ୟ ନ ଥିବୁ ଏକଥା ମଧ୍ୟ ଆମ୍ଭେ ଏ କାଗଜରେ ଲେଖି ସ୍ୱୟଂ ଶ୍ରୀହସ୍ତରେ ଦସ୍ତଖତ କଲୁ । ସେ ଏହି ଲେଖାକୁ ଆମ୍ଭ ନାସ୍ତିକତ୍ୱର ପ୍ରମାଣ ପତ୍ର ରୂପେ ଏଣିକି ଯାବତ ଚନ୍ଦ୍ରାର୍କେ ବ୍ୟବହାର କରିପାରିବେ ।

 

ଏହି ଲେଖାଟି ପଢ଼ି ନାସ୍ତିକ ଖୁବ୍‍ ଖୁସି ହୋଇ ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଇବାକୁ ସେ ଦିଗରେ ଚାହିଁଲା ବେଳକୁ ଭଗବାନ ସେଠାରେ ଆଉନାହାନ୍ତି । ଅନ୍ତର୍ଦ୍ଧାନ ହୋଇ ଗଲେଣି । ଏପରିକି ତାଙ୍କରି ସିଂହାସନଟି ମଧ୍ୟ ନାହିଁ । ନାସ୍ତିକଟି ଏଥିରେ କିଞ୍ଚିତ୍‍ ବିବ୍ରତ ବୋଧ କଲା ଓ ପୁଣିଥରେ ଆଖି ମଳି ମଳି ଚାରିଆଡ଼କୁ ଚାହିଁଲା । ଏବେ ସେ ଦେଖିଲା ଯେ ଭଗବାନଙ୍କ ସେ କାମେରାଟି ମଧ୍ୟ ଆଉ ନାହିଁ । ସେହି ସବୁ କୁଆଡ଼େ ଅନ୍ତର୍ହିତ ହୋଇଗଲାଣି ଏବଂ ସେ ବୁଝି ପାରିଲା ଯେ ସେ ତା’ ନିଜ ଘରେ ନିଜ ବିଛଣା ଉପରେ ଶୋଇଥିଲା ଓ ସମଗ୍ର ବ୍ୟାପାରଟି ସ୍ୱପ୍ନରେ ଦେଖୁଥିଲା...

 

ବାବା ଡହରାନନ୍ଦ ଏହିଠାରେ ତାଙ୍କ କାହାଣୀଟି ଶେଷକଲେ ଓ ସମବେତ ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଲେ–

 

ଭଗବାନଙ୍କ କଥା ବଡ଼ ରହସ୍ୟପୂର୍ଣ୍ଣ ଏବଂ ସଂପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର। ଯେଉଁମାନେ ତାଙ୍କୁ ମଝିରେ ରଖି ବା ତାଙ୍କ ନାମଧରି କଳିକଜିଆ କରୁଛନ୍ତି ସେମାନେ ପ୍ରକୃତରେ ନିଜ ନିଜ ଅହଂକାର ବା ଗୋଷ୍ଠୀଗତ ଅହଙ୍କାରକୁ ନେଇ ମାତିଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ଅଲଗା । ବାଜାବଜାଇ ବା ହାଇହୁଲ୍ଲା କରି ତୁମେ ଭଗବାନଙ୍କୁ ପ୍ରତିଷ୍ଠା କରିପାରିବ ନାହିଁ କିମ୍ବା ହୁରୁଡ଼ାଇ ମଧ୍ୟ ଦେଇ ପାରିବ ନାହିଁ । ସେ ଯଦି ଅଛନ୍ତି ଭାବନାହିଁ ଯେ କେବଳ ତୁମକୁ ସନ୍ତୁଷ୍ଟ କରିବାକୁ ଅଛନ୍ତି ଏବଂ ସେ ଯଦି ନାହାନ୍ତି ତେବେ ଏହା ମଧ୍ୟ ଭାବନାହିଁ ଯେ ସେ ତୁମକୁ ସନ୍ତୁଷ୍ଟ କରିବାକୁ ନାହାନ୍ତି ।

 

ମୋର ଧାରଣା ଭଗବାନ ଯଦି ସତକୁ ସତ ଥିବେ ତେବେ ତାଙ୍କ ସୃଷ୍ଟିର ଆଉ କୋଉ ପ୍ରାଣୀ ଏହି ପାଷାଣ୍ଡ ମଣିଷ ଭଳି ତାଙ୍କୁ ଏତେ ହଇରାଣରେ ପକାଉ ନ ଥିବ–ଏତେ ହନ୍ତସନ୍ତ ମଧ୍ୟ କରୁ ନ ଥିବ ।

 

ହାୟ ଭଗବାନ ! ହାୟରେ ମଣିଷ !

 

ଏତିକି କହି ଡହରାନନ୍ଦ ତଳକୁ ମୁହଁପୋତି ବସିଲେ ।

☆☆☆

 

କ୍ରୁଦ୍ଧ ପ୍ରେମିକ, ସନ୍ଦେହୀ ସ୍ଵାମୀ ଓ ବୋକୀ ସ୍ତ୍ରୀ ବୃତ୍ତାନ୍ତ

 

ଏହି ଗଳ୍ପଟି ଡହରାନନ୍ଦଜି ପାରଳାଖେମୁଣ୍ଡି ସହରର କେତେକ କ୍ରୋଧୋନ୍ନତ୍ତ ଯୁବକମାନଙ୍କ ଆଗରେ କହିଥିବା ଗଳ୍ପମାନଙ୍କ ଭିତରୁ ଗୋଟିଏ । ସେହି ସହରରେ ପାଞ୍ଚଜଣ ତରୁଣ ବନ୍ଧୁଥିଲେ । ସେମାନଙ୍କ ମଧ୍ୟରେ ଥିଲା ନିବିଡ଼ ବନ୍ଧୁତ୍ୱ । କିନ୍ତୁ କିଛିଦିନ ପରେ ସାମାନ୍ୟ କାରଣରୁ ସେମାନଙ୍କ ଭିତରେ ସନ୍ଦେହ ଓ ଅବୁଝାମଣା ସୃଷ୍ଟି ହୋଇଥିଲା ଏବଂ ପରିତାପର କଥା ହେଲା–ଦିନେ ସେମାନେ ପରସ୍ପର ପ୍ରତି ଏତେ ଈର୍ଷାନ୍ଵିତ ହେଲେ ଯେ, ସେହି ଈର୍ଷା ଏକ ମାରାତ୍ମକ ହିଂସାକାଣ୍ଡରେ ପରିଣତ ହେଲା । ସେମାନେ ବନ୍ଧୁତ୍ୱ ହରାଇ ବସିଲେ–ଏବଂ ପରସ୍ପରକୁ ଶତ୍ରୁ ମନେକରି ପରସ୍ପରର ଅନିଷ୍ଟସାଧନ କରିବାରେ ଲାଗି ପଡ଼ିଲେ ।

 

ଘଟଣାକ୍ରମେ ଡହରାନନ୍ଦଜି ସେତେବେଳେ ପାରଳାଖେମୁଣ୍ଡିରେ ରହୁଥିଲେ । ଏବଂ ସେଠାରେ କେତେକ ଜନହିତକର କାର୍ଯ୍ୟ ଆରମ୍ଭ କରିଥିଲେ । ସେହି କାର୍ଯ୍ୟରେ ଏହି ପାଞ୍ଚଜଣ ତରୁଣ ବନ୍ଧୁ ତାଙ୍କୁ ବହୁତ ସାହାଯ୍ୟ କରୁଥିଲେ । ସେମାନେ ପ୍ରତ୍ୟେକେ ଡହରାନନ୍ଦଙ୍କୁ ଖୁବ୍‍ ଭଲ ପାଉଥିଲେ ଏବଂ ଗୁରୁଭଳି ବିଶ୍ଵାସ ଓ ମାନ୍ୟ କରୁଥିଲେ । ସେମାନଙ୍କର ଏହି ଦୁରବସ୍ଥା ଦେଖି ଡହରାନନ୍ଦଜି ନିଜଆଡ଼ୁ ପୁନର୍ବାର ସେମାନଙ୍କୁ ଏକତ୍ର କରାଇଲେ । ପ୍ରତିଦିନ ସନ୍ଧ୍ୟାରେ ସେମାନଙ୍କୁ ସେ ମହେନ୍ଦ୍ରତନୟା ନଦୀକୂଳକୁ ନେଇ ସେଠାରେ ବସୁଥିଲେ ଏବଂ ବୃଥା ସନ୍ଦେହ, ଈର୍ଷା, କ୍ରୋଧ ଓ ହିଂସାର କୁପରିଣତି ସମ୍ବନ୍ଧେ ବହୁତ ଗଳ୍ପ କହିଥିଲେ ।

 

ଡହରାନନ୍ଦ କହିବାକୁ ଆରମ୍ଭ କଲେ–

 

ହେ ମୋର ପ୍ରିୟ ଅଥଚ କାଣ୍ଡଜ୍ଞାନହୀନ କ୍ରୋଧୋନ୍ନତ୍ତ ଯୁବବନ୍ଧୁମାନେ ! ତୁମେମାନେ ଯୁବକ ଓ ତୁମମାନଙ୍କ ରକ୍ତ ତାଜା ଓ ସର୍ବଦା ଗରମ ଥାଏ । ବେଳେବେଳେ ତୁମମାନଙ୍କର ନିର୍ବୁଦ୍ଧିତା ଓ ଅସ୍ଥିରତା ଯୋଗୁଁ ସେହି ତାଜା ଗରମ ରକ୍ତ ତୁମମାନଙ୍କ ନିଜ ମୁଣ୍ଡଭିତରକୁ ଉଠିଯାଏ ଓ ତୁମେମାନେ ଅନ୍ଧହୋଇ ଅତ୍ୟନ୍ତ ଶୋଚନୀୟ କାଣ୍ଡ କରିବସ । ମଣିଷ କ୍ରୋଧରେ ଉନ୍ନତ୍ତ ହୋଇ କାଣ୍ଡଜ୍ଞାନ ହରାଇବସେ ଓ କାଣ୍ଡଜ୍ଞାନଟି ଚାଲିଗଲେ–ତା’ର ଆଉ ସବୁକିଛି ମଧ୍ୟ ସେହି ବାଟେ ଚାଲିଯାଏ ଓ ଯାହା ଯାଏ, ତାହା ଆଉ ଫେରି ଆସେନା । ଏ ସମ୍ବନ୍ଧେ ଗଳ୍ପଟିଏ କହୁଛି ଶୁଣ ।

 

ଥରେ ଜଣେ ଯୁବକ ପ୍ରେମରେ ପଡ଼ି ଖୁବ୍‍ ସୁନ୍ଦରୀ ଝିଅଟିଏ ବାହାହେଲା । କିନ୍ତୁ ସେହି ଝିଅଟିର ଏହା ପୂର୍ବରୁ ଆଉ ଜଣେ ପ୍ରେମିକ ଥିଲା–ଯେ କି ସେ ଝିଅକୁ ଯେକୌଣସି ମତେ ବାହା ହେବାକୁ ଅଡ଼ି ବସିଥିଲା–ଏବଂ ସେଥିପାଇଁ ନାନାଦି ଫନ୍ଦି କୌଶଳର ଜାଲ ମଧ୍ୟ ମେଲାଇ ଥିଲା । କିନ୍ତୁ ଏହି ପୂର୍ବ ପ୍ରେମିକଟି ଥିଲା ଗୋଟିଏ ବଦ୍‌ମାସ ଓ ଥରେ ଦି’ଥର ତା’ର ବଦମାସୀ ଯୋଗୁଁ ପୋଲିସ ହାଜତକୁ ଯାଇ ଜାମିନ୍‌ରେ ଛାଡ଼ ପାଇଥିଲା । ଏହା ଜାଣିବାରୁ ସେହି ଝିଅଟି ତା’ ଠାରୁ ସମସ୍ତ ସଂପର୍କ ଛିଡ଼ାଇ ଦେଲା ଓ ଅପର ଯୁବକଟିର ପ୍ରେମକୁ ଯଥାମୂଲ୍ୟ ଓ ସମ୍ମାନ ଦେଇ ତାକୁ ବିବାହ କଲା । କିନ୍ତୁ ତା’ର ସେହି ପୂର୍ବ ବଦମାସ ପ୍ରେମିକଟି ଝିଅଟି ଉପରେ ପ୍ରତିଶୋଧ ନେବା ଲାଗି ନାନାଦି ଫିକର କରୁଥାଏ । ଥରେ ସେ ତା’ ପାଖକୁ ପୂର୍ବରୁ ଲେଖିଥିବା ସେହି ଝିଅର କେତେକ ପ୍ରେମପତ୍ର ଡାକରେ ରେଜେଷ୍ଟ୍ରୀ କରି ଏହି ନବବିବାହିତ ସ୍ୱାମୀଟି ପାଖକୁ ପଠାଇ ଦେଇଥିଲା ଏବଂ ସେହି ନବବିବାହିତ ସ୍ୱାମୀଟି ତା’ ସ୍ତ୍ରୀ ଦ୍ୱାରା ତା’ ପୂର୍ବ ପ୍ରେମିକ ପାଖକୁ ଲିଖିତ ଏହି ପ୍ରେମପତ୍ରଗୁଡ଼ିକ ପଢ଼ି ରାଗରେ ପାଚିଗଲା । କିନ୍ତୁ ମନକଥା ସେ ମନରେ ରଖିଥାଏ । ବରଂ ମନର ରାଗ ମନରେ ଚାପି ସେ ତା’ ସ୍ତ୍ରୀକୁ ଯଥାରୀତି ପ୍ରେମ, ଆଦର, ଗେଲ ଇତ୍ୟାଦି କରୁଥାଏ । ଏହିପରି କିଛି ଦିନ ଗଲା । ପୂର୍ବବର୍ତ୍ତୀ ସେହି ବଦମାସ ପ୍ରେମିକଟି ଦେଖିଲା ଯେ, ଏହାଦ୍ଵାରା ବିଶେଷ କିଛି ଫଳ ହେଲା ନାହିଁ । ତେଣୁ ସେ ଏକ ନୂଆ ଉପାୟ ପାଞ୍ଚିଲା । ଏଣିକି ଏଣିକି ପ୍ରତିଦିନ ସେ ସେହି ବିବାହିତା ଝିଅଟି ପାଖକୁ ଗୋଟିଏ ଲେଖାଏଁ ନୂଆ ଚିଠି ଲେଖିଲା । ସେ ଚିଠିଟିକୁ ଏପରି ଲେଖୁଥାଏ ଯେପରିକି ସେ ସେହି ଝିଅଟିର ପ୍ରେମ କାମନା ଭରା ଚିଠିର ଉତ୍ତର ଦେଇଚାଲିଛି । ସେହି ଚିଠିଗୁଡ଼ିକର ଭାଷା ଭୟଙ୍କର ଭାବେ ଯୌନ କାମନାରେ ଜର୍ଜରିତ ହେଉଥିଲା ।

 

ଏ ଚିଠି ଗୁଡ଼ିକ ପଢ଼ି ନବବିବାହିତା ସ୍ୱାମୀର ମୁଣ୍ଡ ଖରାପ ହୋଇଗଲା । ତା’ ମୁଣ୍ଡକୁ ଖୁନ୍‍ ଉଠିଗଲା । ସନ୍ଦେହ, ସଂଶୟ, ଘୃଣା, ଈର୍ଷା, ହିଂସା ଓ ଅସୂୟାରେ ତା’ ଦେହରେ ରକ୍ତ ସବୁବେଳେ ଫୁଟୁଥାଏ । କିନ୍ତୁ ସାହସ କରି ସେ ତା’ ସ୍ତ୍ରୀକୁ ଏ ବିଷୟରେ ଆଦୌ ପଚାରି ପାରୁ ନଥାଏ । କାରଣ, କାଳେ ଯଦି କଥାଟି ସତ ହୋଇଥିବ ! କାଳେ ଯଦି ତା ସ୍ତ୍ରୀ ମୁହଁରୁ ବାହାରିପଡ଼ିବ ଯେ, ହଁ ମୁଁ ତାକୁ ତୁମ ଅପେକ୍ଷା ବେଶୀ ଭଲପାଏ ଓ ମୁଁ ତାକୁଇ ବାହା ହୋଇଥିଲେ ବେଶୀ ସୁଖୀ ହୋଇଥାନ୍ତି । ଏହା ଆଶଙ୍କା କରି ସେ ସେହି ଚିଠିଗୁଡ଼ିକୁ ସବୁଦିନେ ପଢ଼ି ରାଗରେ ଜର୍ଜରିତ ହେଉଥିଲେ ବି ସ୍ତ୍ରୀକୁ କିଛି ପଚାରିବାକୁ ସାହସ କରୁ ନ ଥାଏ ।

 

...ଏତିକିବେଳେ ଜଣେ ଯୁବକ ପଚାରି ଦେଲେ–ଡହରାନନ୍ଦଜି ! ସେ ଚିଠି ସବୁ ସେହି ଝିଅଟି ପାଖକୁ ପ୍ରଥମେ କିପରି ଯାଉଥିଲା ?

 

ଡହରାନନ୍ଦ କହିଲେ–ସେଇଠାରେ ତ ଅସଲ କଥାଟିର ମଞ୍ଜି ରହିଛି । କଥା ହେଲା କ’ଣକି, ସେହି ଝିଅଟି ତା’ର ସେହିଁ ପୂର୍ବବର୍ତ୍ତୀ ବଦ୍‌ମାସ ପ୍ରେମିକଠାରୁ ଯୋଉଦିନ ପ୍ରଥମେ ଏପରି ଖଣ୍ଡିଏ ଚିଠି ପାଇଲା ସେ ତାକୁ ପଢ଼ି ମନେ ମନେ ହସିଲା । ଏବଂ ଲଫାପାଟିକୁ ପୁନର୍ବାର ଭଲ ଭାବେ ମୁଦି ଦେଇ ତା’ ସ୍ୱାମୀର ଟେବୁଲ ଉପରେ ଥୋଇ ଦେଲା । ତା’ ମନରେ ଗୋଟିଏ ଲଘୁ ନାରୀସୁଲଭ ଭାବନା ଜାତ ହେଲା ଯେ, ତା’ ସ୍ଵାମୀ ଜାଣନ୍ତୁ–କିପରି ତା’ ପାଇଁ ଆଉ ଗୋଟିଏ ପୁରୁଷ ପ୍ରତିଦିନ ଏପରି ବ୍ୟାକୁଳ ହୋଇ ମରୁଛି ! ଅଥଚ ସେ ତାକୁ ଖାତିର କରୁନାହିଁ !!

 

ଏହି ଭାବେ ସପ୍ତାହକୁ ପ୍ରାୟ ଦୁଇଖଣ୍ଡ ଲେଖାଁ ଚିଠି ଆସେ । ଏବଂ ଝିଅଟି ତାକୁ ପଢ଼ିସାରି ତା’ ସ୍ୱାମୀର ଟେବୁଲ ପାଖେ ଥୋଇଦିଏ । ଏହିପରି ସାତ ଆଠ ଖଣ୍ଡ ଚିଠି ପାଇଲା ପରେ ଦିନେ ସେହି ନବବିବାହିତା ସ୍ୱାମୀଟି ଗୋଟିଏ ଚିଠିରେ ପଢ଼ିଲା–

 

ପ୍ରିୟତମେ !

 

ଯେଉଁ କେତେ ଥର ତୁମେ ରାତି ଅଧରେ ତୁମର ସେହି ଗର୍ଦ୍ଦଭ ସ୍ୱାମୀଟି ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରିବା ପରେ କୋଠରୀରୁ ପଦାକୁ ବାହାରି ଆସି ମୋତେ ସ୍ୱର୍ଗର ରତି–ସୁଖ ପ୍ରଦାନ କରୁଛ–ସେଥିପାଇଁ ମୁଁ ଆଜୀବନ ତୁମଠାରେ ଋଣୀ ହୋଇ ରହିଲି । କିନ୍ତୁ ମୋର ଆଶଙ୍କା, ଆମର ଏହି ଗୁପ୍ତ ମିଳନ ଆଉ ବେଶୀଦିନ ଚାଲିପାରିବ ନାହିଁ । ଦିନେ ନା ଦିନେ ଆମେ ଧରାପଡ଼ିଯିବା । ମୁଁ ହୁଏତ ପାଚେରୀ ଡେଇଁ ପଳାଇଯିବି । କିନ୍ତୁ ତୁମର କ’ଣ ହେବ ଭାବି ଦେଖ ତ-! ସେ ପାଷାଣ୍ଡ ତୁମକୁ ନିଶ୍ଚୟ ଖୁନ୍‍ କରିଦେବ । ତା’ ଅପେକ୍ଷା–ଆମେ ଗୋଟିଏ କଥା କରିବା-। ତୁମେ ଆଜି ରାତିରେ ସେ ଶୋଇପଡ଼ିଲା ପରେ ଘରୁ ବାହାରି ଆସ–ମୁଁ ଗୋଟିଏ କାର୍‍ ସଜିଲି କରି ବାହାରେ ଅପେକ୍ଷା କରିଥିବି । ତୁମେ ବାହାରି ଆସିଲା ପରେ ମୁଁ ତୁମକୁ କାର୍‌ରେ ବସାଇ କଲିକତା ନେଇଯିବି ଓ ସେଠାରେ ଆମେ ଚିରଦିନ ପାଇଁ ରହିଯିବା ଓ ପରସ୍ପର ପ୍ରେମଲୀଳା ଆଜୀବନ ଉପଭୋଗ କରିବା ।

 

ଏ ଚିଠିଟି ପାଇଲା ମାତ୍ରେ ସେହି ନବବିବାହିତ ସ୍ଵାମୀଟିର ମଥାର ସବୁତକ ଦହି ତରଳିଗଲା । ତାକୁ ଆଉ କ୍ରୋଧରେ ଚନ୍ଦ୍ର ସୂର୍ଯ୍ୟ ଦେଖାଗଲା ନାହିଁ । ସେ ସ୍ତ୍ରୀକୁ କିଛି କହିଲା ନାହିଁ-। ସେ ଦିନ ରାତି ଆସିଲା । ସବୁ ରାତିପରି ତାକୁ ଆଉ ନିଦ ହେଲା ନାହିଁ । ଛଟାଗାଳି ଶୋଇଲା ଓ ଘୁଙ୍ଗୁଡ଼ି ମାରିଲା । ପ୍ରତି ରାତିରେ ପ୍ରାୟପାହାନ୍ତା ପୂର୍ବରୁ ସେ ଝିଅଟିର ନିଦ ଭାଙ୍ଗେ ଓ ସେ ପାଇଖାନା ଯାଏ । ସେ ରାତିରେ ମଧ୍ୟ ସେ ପୂର୍ବ ଅଭ୍ୟାସବତ୍‍ ବିଛଣାରୁ ଉଠି କବାଟ ଖୋଲିଲା-। ସ୍ୱାମୀର ନିଦ ଭାଙ୍ଗିଯିବ ବୋଲି ସେ ଖୁବ୍‍ ଧୀର ସନ୍ତର୍ପଣରେ ଯାଉଥାଏ । କବାଟ ଖୋଲୁଥାଏ ଏବଂ ଲାଇଟ୍‍ ମାରୁ ନ ଥାଏ । ସନ୍ଦେହୀ ଓ କ୍ରୁଦ୍ଧ ସ୍ୱାମୀଟି ଚେଇଁ ଚେଇଁ ସବୁ ଦେଖୁଥାଏ ଏବଂ ଏଥିରେ ତା’ର ସନ୍ଦେହ ଓ କ୍ରୋଧ ଆହୁରି ବଢ଼ିଗଲା । ସେ ମଧ୍ୟ ବିଛଣାରୁ ଉଠି ଧୀରେ ଧୀରେ ତା’ ପଛେ ପଛେ ଗଲା । ଚାରିଆଡ଼ ଘୋର ଅନ୍ଧାର । ଛପି ଛପି ଯାଇ ସେ ସ୍ତ୍ରୀର ବେକକୁ ଧରିନେଲା ଏବଂ ତାକୁ ପ୍ରାୟ ଧକ୍‌କା ମାରି ମାରି ଅଗଣା ପାଚେରୀ ଆଡ଼କୁ ନେଇଗଲା । ସ୍ତ୍ରୀ ଲୋକଟି ସ୍ୱାମୀର ଏହି ଅଭାବିତ କାଣ୍ଡ ଦେଖି ହତବାକ୍‍ ହୋଇଯାଇଥାଏ । ତା’ର ଆଉ ଜ୍ଞାନ ନ ଥାଏ-। ‘ଏ କ’ଣ କରୁଛ ?’ ଏତିକି ମାତ୍ର କହି ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା । ଏଣେ ପାଚେରୀ କବାଟରେ ଠକ୍‍ ଠକ୍‍ ଆବାଜ ଶୁଣି, ସ୍ୱାମୀଟି କବାଟ ଖୋଲି ଦେଖିଲା ଯେ–ଗୋଟିଏ ଟ୍ୟାକ୍‌ସିରେ ତା’ର ବଡ଼ ଭାଇ ଓ ତା’ର ସ୍ତ୍ରୀ ଓ ପିଲାମାନେ ଆସି ପାଚେରୀ ବାହାରେ ଅପେକ୍ଷା କରିଛନ୍ତି-। ସେମାନେ ସମସ୍ତେ ଘର ଭିତରକୁ ପଶି ଆସିଲେ ଓ ନୂଆବୋହୂଟି ଏପରି ଅଚେତ ହୋଇ ଭୂଇଁରେ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

 

ଡହରାନନ୍ଦ ଏତିକି କହିସାରି କହିଲେ–ବୁଝିଲ ବାବୁମାନେ ! ଏକଥାକୁ ଆଉ ବେଶୀ ବଢ଼ାଇ ଲାଭ ନାହିଁ । ଏହାପରେ ସବୁ କଥା ପରିଷ୍କାର ଜଣା ପଡ଼ିଗଲା । ସ୍ୱାମୀ ସ୍ତ୍ରୀ ପରସ୍ପରର ଭୁଲ୍‍ ଓ ଭ୍ରମ ବୁଝିପାରିଲେ । କିନ୍ତୁ ସେହି ରାତିରେ ସେମାନଙ୍କର ଦାମ୍ପତ୍ୟ ପ୍ରେମର ଅପମୃତ୍ୟୁ ହୋଇଯାଇଥିଲା । ସେମାନେ ହୁଏତଃ–ଏହା ପରେ ମିଳିମିଶି ରହିଲେ । ସେମାନଙ୍କର ଛୁଆପିଲା ମଧ୍ୟ ହେଲା । କିନ୍ତୁ ଦାମ୍ପତ୍ୟ ପ୍ରେମ ବୋଲି ଯେଉଁ ଅନୁଭବଟି ଦୁଇଟି ଜୀବନକୁ ମୃତ୍ୟୁ ପର୍ଯ୍ୟନ୍ତ ପରିପୂର୍ଣ୍ଣ କରି ରଖେ–ତାହା ଆଉ ସେମାନଙ୍କ ଜୀବନରେ ଫେରି ଆସିବ ନାହିଁ । ତେଣୁ–ସନ୍ଦେହ ଓ କ୍ରୋଧକୁ କେବେ ବି ମନ ଭିତରେ ପ୍ରଶୟ ଦେବ ନାହିଁ । ଏହା ଆଗ କାଣ୍ଡଜ୍ଞାନକୁ ବିନଷ୍ଟକରେ ଏବଂ ତା’ପରେ ଆଉ ସବୁକିଛିକୁ ମଧ୍ୟ ବିନିଷ୍ଟ କରିଦିଏ ।

☆☆☆

 

ମୋହାନ୍ଧ ପଣ୍ଡିତଙ୍କ ଅପକର୍ମ ଦୃଷ୍ଟାନ୍ତ

 

ଏହି ଗଳ୍ପଟି ମଧ୍ୟ ଡହରାନନ୍ଦଜି ପାରଳାଖେମୁଣ୍ଡି ସହରର ସେହି କ୍ରୋଧୋନ୍ନତ୍ତ ତରୁଣ ବନ୍ଧୁମାନଙ୍କ ଆଗରେ ମହେନ୍ଦ୍ରତନୟା ନଦୀକୂଳରେ ବୟାନ କରିଥିଲେ ।

 

ପ୍ରଚଣ୍ଡ କ୍ରୋଧରୁ କିପରି କାଣ୍ଡଜ୍ଞାନ ନଷ୍ଟ ହୋଇଯାଏ ଓ ତା’ ଫଳରେ ମଣିଷ ନିଜକୁ ବା ନିଜର ପ୍ରିୟତମ ଲୋକକୁ ଅନ୍ଧଭାବେ ହତ୍ୟା କରେ–ସେହି ସମ୍ପର୍କରେ କେତେକ ଗଳ୍ପ କହୁ କହୁ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜି ! ମଣିଷ ଯାହାକୁ ସ୍ନେହ କରୁଥାଏ ବା ପ୍ରେମ କରୁଥାଏ–ତା’ ପ୍ରତି ଦିନେ ପୁଣି ମଣିଷର ସନ୍ଦେହ, ଈର୍ଷା ଓ ହିଂସା ହୁଏ କିପରି ଓ କାହିଁକି ? ଶେଷରେ ସେ ପୁଣି ତାକୁ ହତ୍ୟା କରେ କିପରି ? ଏହା ଅନ୍ୟଠାରେ ବା ନିଜଠାରେ ସମ୍ଭବ ହେଉଥିବାର ଦେଖିଲେ ମଣିଷର ସ୍ନେହ, ପ୍ରେମ ଇତ୍ୟାଦି ଅତ୍ୟନ୍ତ ତୁଚ୍ଛ ବୋଲି ମନେ ହୁଏ ।

 

ଡହରାନନ୍ଦଜୀ କହିଲେ–ତୁମେମାନେ ଯେଉଁ ସ୍ନେହ, ପ୍ରୀତି, ପ୍ରେମ ଇତ୍ୟାଦି କଥା କହୁଛ, ତାହା ଅନ୍ୟ ପଶୁପକ୍ଷୀଙ୍କ ମଧ୍ୟରେ ବି ଊଣା ଅଧିକେ ଦେଖାଯାଏ । ଏପରି କି, ଗଛଲତାମାନଙ୍କ ଭିତରେ ବି ଊଣା ଅଧିକେ ଦେଖାଯାଏ । ଏହା କେବଳ ମଣିଷର ଏକଚାଟିଆ ଗୁଣ ନୁହଁ । ଯୋଉଠି ପ୍ରାଣ ଅଛି, ଜୀବନ ଅଛି, ସେଠି ପ୍ରେମ ପ୍ରଣୟ ସ୍ନେହ ପ୍ରୀତି ରହିଛି । ଏସବୁ ହେଲା ପ୍ରାଣ ବା ଜୀବନର ଧର୍ମ । ଜୀବନ ଖାଦ୍ୟ ଖାଇ ବଞ୍ଚେ ଏବଂ ସ୍ନେହ ପ୍ରେମ ପ୍ରୀତି ଅନୁଭବ କରି ଆନନ୍ଦ ଉଲ୍ଲାସ ପାଏ । ନିଜକୁ ବିସ୍ତାରିତ ଓ ବିସ୍ଫାରିତ ମଧ୍ୟ କରିଥାଏ । ମଣିଷ କ୍ଷେତ୍ରରେ ମଣିଷ ଭିତରେ ଯୋଉ ବୁଦ୍ଧି ଅଛି–ସେହି ବୁଦ୍ଧି ଯଦି ସରଳ ହୁଏ ତେବେ ତାକୁ ରକ୍ଷାକରେ । ଯଦି କୁଟିଳ ହୁଏ ତେବେ ତାକୁ ବିନାଶ କରେ । ସନ୍ଦେହ, ସଂଶୟ, ଈର୍ଷା, ହିଂସା ପ୍ରଭୃତି ମଣିଷର କୁଟିଳ ମନରେ ଜାତ ହୋଇଥାଏ । ଅନ୍ୟପ୍ରାଣୀମାନେ ସରଳ ଭାବେ ଭଲ ପାନ୍ତି ଓ ସରଳ ଭାବେ ରାଗିଯାନ୍ତି । ସେମାନଙ୍କ ମନରେ ବୁଦ୍ଧି ନଥିବାରୁ ଈର୍ଷା, ହିଂସା, ସନ୍ଦେହ ପ୍ରଭୃତି ତାଙ୍କଠାରେ ଦେଖାଯାଏ ନାହିଁ । ମାତ୍ର ମଣିଷର ଭଲ ପାଇବା ଏତେ ସରଳ ନୁହଁ । ତା’ ପଛରେ ନାନାଦି ମତଲବ୍‍ ଥାଇପାରେ । ସେହିପରି ତା’ର କ୍ରୋଧ ପଛରେ ମଧ୍ୟ ଈର୍ଷା, ହିଂସା, ସନ୍ଦେହାଦି ଖରାପ ମତଲବ୍‍ ସବୁ କାମକରୁଥାଏ । ଛୋଟ ଗପଟିଏ କହୁଛି ଶୁଣ–

 

ଗୋଟିଏ ଗ୍ରାମରେ ଜଣେ ଦରିଦ୍ର ପଣ୍ଡିତ ବାସ କରୁଥିଲେ । ସେ ଆଉ ତାଙ୍କ ସ୍ତ୍ରୀ ବ୍ୟତୀତ ତାଙ୍କର ଆଉ ପିଲାପିଲି ନଥିଲେ । ସନ୍ତାନଟିଏ ଲାଗି ଦୁହିଙ୍କର ଦିନରାତି ଚିନ୍ତାରେ କଟୁଥାଏ । ଦିନେ ପଣ୍ଡିତେ ତାଙ୍କ ବଗିଚାରେ କାମ କରୁଥିଲାବେଳେ ଦେଖିଲେ ଯେ ଛୋଟ ନେଉଳ ଛୁଆଟିକୁ କୁକୁରଟିଏ ମାରିବାକୁ ଗୋଡ଼ାଉଛି । ପଣ୍ଡିତେ ବାଡ଼ି ଉଞ୍ଚାଇବାରୁ କୁକୁରଟି ପଳାଇଲା ଏବଂ ସେଇ ନେଉଳ ଛୁଆଟି ଭୟରେ ପଣ୍ଡିତଙ୍କ ଦେହରେ ଚଢ଼ିଯାଇ ତାଙ୍କ କାନ୍ଧ ଉପରେ ବସିଲା । ପଣ୍ଡିତେ ନେଉଳ ଛୁଆଟିକୁ କାନ୍ଧରୁ ତୋଳି ଆଣି କୋଳରେ ଜାକି ରଖିଲେ । ଛୁଆଟି ପ୍ରତି ତାଙ୍କର ଖୁବ୍‍ ମାୟା ହେଲା । ସେ ତାକୁ ସ୍ନେହରେ ଖୁଆଇ ପିଆଇ ପାଳିଲେ, ପୋଷିଲେ । ପଣ୍ଡିତଙ୍କ ସ୍ତ୍ରୀ ମଧ୍ୟ ତାକୁ ନିଜର ସନ୍ତାନ ଭଳି ଲାଳନପାଳନ କଲେ ।

 

ନେଉଳ ଛୁଆଟି ବର୍ଷକ ଭିତରେ ଖାଇ ପିଇ ଗୋଟାଏ ପରିପୁଷ୍ଟ ପ୍ରକାଣ୍ଡ ନେଉଳ ବନିଗଲା । ତା’ ବେକରେ ଗୋଟିଏ ଘୁଙ୍ଗୁର ବନ୍ଧା ହୋଇଥାଏ । ସେ ଖୁବ୍‍ ସ୍ନେହ ଆଦର ଓ ନିରାପତ୍ତା ପାଇ ସ୍ଵାଧୀନଭାବେ ଖେଳିବୁଲୁଥାଏ । କିନ୍ତୁ ପଣ୍ଡିତଙ୍କ ଘରବାଡ଼ି ସୀମା ଛାଡ଼ି କୁଆଡ଼େ ଯାଏ ନାହିଁ । ରାତି ହେଲେ ପଣ୍ଡିତ ଓ ତାଙ୍କ ସ୍ତ୍ରୀ ତାକୁ ନିଜ କୋଳରେ ଶୁଆନ୍ତି । ଏତେ ସ୍ନେହ ଆଦର ପାଇ ନେଉଳଟି ଖୁବ୍‍ ନିଶ୍ଚିନ୍ତ ଓ ଗର୍ବରେ ଫାଟି ପଡ଼ୁଥାଏ ।

 

ଦୁଇବର୍ଷ ଭିତରେ ପଣ୍ଡିତଙ୍କ ସ୍ତ୍ରୀ ଗୋଟିଏ ସୁନ୍ଦର ପୁତ୍ର ସନ୍ତାନ ପ୍ରସବ କଲେ । କିନ୍ତୁ ଦୁର୍ଭାଗ୍ୟ ଯେ ପ୍ରସୂତିରୋଗରେ ପଡ଼ି ସେ ମାସକର ଶିଶୁ ପୁତ୍ରକୁ ଛେଉଣ୍ଡ କରିଦେଇ, ଆରପାରିକୁ ଚାଲିଗଲେ । ବର୍ତ୍ତମାନ ପଣ୍ଡିତଙ୍କର ଦୁଃଖର ସୀମା ରହିଲା ନାହିଁ । ସେ ଯାହା ହେଉ, ବଡ଼ ଦୁଃଖ କଷ୍ଟରେ ସେ ମା’ଛେଉଣ୍ଡ ପିଲାଟିକୁ ପାଳିବାକୁ ଲାଗିଲେ । ଏଣେ କିନ୍ତୁ ଛୁଆଟିକୁ ଦେଖି ସେହି ପୋଷା ନେଉଳଟିର ଆନନ୍ଦର ସୀମା ନାହିଁ । ସେ ପିଲାଟି ପାଖରେ ସବୁବେଳେ ତା’ର ସାଙ୍ଗ ଭଳି ଜଗି ରହିଥାଏ । ପଣ୍ଡିତେ ବେଳେବେଳେ ପିଲାଟିକୁ ତଳେ ବିଛଣାରେ ଶୁଆଇ ଦେଇ କିଛି ସମୟଲାଗି ବାହାରକୁ ଯା’ନ୍ତି । ସେତେବେଳେ ପୋଷା ନେଉଳଟି ତା’ ପାଖେ ରହି ତାକୁ ତୀକ୍ଷ୍‌ଣ ଦୃଷ୍ଟିରେ ଜଗି ରହିଥାଏ । ପିଲାଟି ହାତ ଗୋଡ଼ ହଲାଇ ଖେଳିଲାବେଳେ ସେ ତା’ ସଙ୍ଗେ ଖେଳୁଥାଏ ଓ ପିଲାଟି ଶୋଇପଡ଼ିଲେ–ସତର୍କ ପ୍ରହରୀ ପରି ସେ ତାକୁ ଜଗି ରହେ । ତା’ ଫଳରେ କୌଣସି ଦୁଷ୍ଟପ୍ରାଣୀ ପିଲାଟି ପାଖକୁ ଆସିପାରୁ ନଥିଲେ ।

 

ଦିନକର କଥା । ପଣ୍ଡିତେ ଅଳ୍ପ ସମୟ ଲାଗି କିଛି ଜିନିଷ କିଣିବା ଲାଗି ବଜାରକୁ ଗଲେ-। ପିଲାଟି ଭୂଇଁ ଉପରେ ଶୋଇରହି ଗୋଡ଼ ହାତ ହଲାଇ ଖେଳୁଥାଏ । ନେଉଳଟି ତାକୁ ଜଗି ରହିଥାଏ ସତର୍କ ପ୍ରହରୀ ପରି ଏବଂ ମଧ୍ୟେ ମଧ୍ୟେ ତା’ ସାଙ୍ଗେ ଖେଳୁଥାଏ । ଏହି ସମୟରେ ଦୁର୍ଭାଗ୍ୟର ଦୁଷ୍ଟଦୂତ ରୂପେ କୁଆଡ଼ୁ ମାଡ଼ିଆସିଲା ଭୀଷଣ ବିଷଧର ନାଗସାପଟିଏ । ଛୁଆଟିର ହାତ ଗୋଡ଼ହଲାଦେଖି ସେ ଫଣାଟେକି ରାଗରେ ତାକୁ ଦଂଶିବାକୁ ଧାଇଁ ଆସିବା ଦେଖି ନେଉଳଟି କ୍ରୋଧରେ ତା’ ଉପରକୁ ଝାମ୍ପି ପଡ଼ିଲା । ତା’ ପରେ ଆରମ୍ଭ ହୋଇଗଲା ସେହି ଭୟଙ୍କର ଅହିନକୂଳ ଯୁଦ୍ଧ । ପ୍ରାୟ ଏକ ଘଣ୍ଟା ବ୍ୟାପୀ ସେହି ଯୁଦ୍ଧ ଚାଲିବାପରେ ସେହି ଶକ୍ତିଶାଳୀ ନେଉଳଟି ନାଗସାପକୁ ମାରି ତା’ର ଫଣାକୁ ବିଦାରି ଦେଲା ଏବଂ ତା’ର ଦେହକୁ ଖଣ୍ଡ ଖଣ୍ଡ କରି ଦେଲା । ସାପଟି ଖଣ୍ଡ ଖଣ୍ଡ ହୋଇ ମରିଗଲା ପରେ ନେଉଳଟି ଯୁଦ୍ଧ–ଶ୍ରାନ୍ତରେ କିଛି ସମୟ ବିଶ୍ରାମ ନେଇଛି କି ନାହିଁ–ହଠାତ୍‍ ପଣ୍ଡିତେ ବଜାର ସଉଦା ସାରି ଗୃହକୁ ଫେରି ଆସିଲେ । ଏହା ଜାଣିପାରି ନେଉଳଟି ଖୁବ୍‍ ଗର୍ବ ଆଉ ଆନନ୍ଦରେ ଉଲ୍ଲସିତ ହୋଇ ପଣ୍ଡିତଙ୍କୁ ସଙ୍ଖୋଳିବାକୁ ଓ ଅଭାବିତ ବିଜୟ ସମ୍ବାଦ ଜଣାଇବାକୁ ପଣ୍ଡିତଙ୍କ ପାଖକୁ କିଲି ବିଲି ହୋଇ ଦୌଡ଼ିଗଲା । ଦାଣ୍ଡଦୁଆର ପାରି ହେବାମାତ୍ରେ ପଣ୍ଡିତେ ନେଉଳଟିକୁ ଦେଖିଲେ । କିନ୍ତୁ ଏ କ’ଣ ? ନେଉଳର ମୁହଁ ଓ ସାରା ଦେହ ଏପରି ରକ୍ତ ଜୁଡ଼ୁବୁଡ଼ୁ ହୋଇଛି କାହିଁକି ? ପଣ୍ଡିତଙ୍କ ମନ ଭିତରେ କୁଟିଳ ବୁଦ୍ଧି ଜାଗି ଉଠିଲା । ସେ ହଠାତ୍‍ ସନ୍ଦେହାକୁଳିତ ହୋଇ ଭାବି ନେଲେ ଯେ ଏହି ଦୁଷ୍ଟ ଅବିଶ୍ଵାସୀ ଜନ୍ତୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିଶ୍ଚୟ ତାଙ୍କର ପ୍ରିୟ ଶିଶୁ ପୁତ୍ରକୁ ମାରି ଖଣ୍ଡ ବିଖଣ୍ଡିତ କରି ଖାଇଛି । ତା’ ଫଳରେ ତା’ ମୁହଁ ଓ ଦେହ ଏପରି ରକ୍ତ ଜୁଡ଼ୁବୁଡ଼ୁ ହୋଇଛି । ଏହି ସନ୍ଦେହ ଆସିଲା ମାତ୍ରେ ପଣ୍ଡିତଙ୍କ ମୁଣ୍ଡରୁ କାଣ୍ଡଜ୍ଞାନ ହଜିଗଲା । ସେ କ୍ରୋଧରେ ଉନ୍ନତ୍ତ ହୋଇ ହାତରେ ଧରିଥିବା ବାଡ଼ିଟିରେ ନେଉଳଟିକୁ କଷିକରି ପିଟି ଦେଲେ ଏବଂ ସେତିକିରେ ନେଉଳଟି ପଣ୍ଡିତଙ୍କ ପାଦତଳେ ଛଟପଟ ହୋଇ ମରିଗଲା ।

 

ଏହାପରେ ଦ୍ରୁତ ପଦକ୍ଷେପରେ ପଣ୍ଡିତେ ଘର ଭିତରକୁ ଆସି ଦେଖିଲେ ଯେ ତାଙ୍କର ଶିଶୁ ପୁତ୍ରଟି ବିଛଣାରେ ଶୋଇ ହାତ ଗୋଡ଼ ହଲାଇ ଆନନ୍ଦରେ ଖେଳୁଛି ଓ ଗୋଟିଏ ବିରାଟ ନାଗସାପ ତା’ ପାଖରେ ଖଣ୍ଡ ବିଖଣ୍ଡିତ ହୋଇ ମରି ପଡ଼ିଛି ।

 

ଏହା ଦେଖୁ ଦେଖୁ ପଣ୍ଡିତଙ୍କର ହଂସା ଉଡ଼ିଗଲା । ସେ ମୁଣ୍ଡରେ ହାତ ଦେଇ ନଥ୍‌କିନା ଭୂଇଁ ଉପରେ ବସିପଡ଼ିଲେ । ଏବଂ ନିଜର ଏହି କାଣ୍ଡଜ୍ଞାନହୀନ ଉନ୍ମତ୍ତ କ୍ରୁଦ୍ଧ ପ୍ରକୃତି ଉପରେ ଅଭିସଂପାତ ବର୍ଷଣ କରିବାକୁ ଲାଗିଲେ ।

 

କିନ୍ତୁ ସେଥିରେ ଆଉ କ’ଣ ଲାଭ ହେବ ? ନେଉଳଟି ଆଉ ଆରପାରିରୁ ଫେରି ଆସିବ ନାହିଁ ଏବଂ ଯଦି ଫେରିଆସେ–ତେବେ ସେ କ’ଣ ଆଉ ତାକୁ ମୁହଁ ଦେଖାଇ ପାରିବେ ? ନାଁ, ଆଉ ତା’ ସଙ୍ଗେ ପୂର୍ବସମ୍ପର୍କ ଯୋଡ଼ି ପାରିବେ ? ପଣ୍ଡିତଙ୍କ ମନରେ ଆଉ ଗୋଟିଏ ଆଶଙ୍କା ମଧ୍ୟ ହେଲା-। ସେ ଭାବିଲେ–ଏହାପରେ ସେ କ’ଣ ତାଙ୍କର ଏହି ପୁଅଟିକୁ ମଧ୍ୟ ସଂପୂର୍ଣ୍ଣ ସୁସ୍ଥମନରେ ଭଲପାଇ ପାରିବେ ? କାଣ୍ଡଜ୍ଞାନହୀନ ଉନ୍ମତ୍ତ କ୍ରୋଧ ଓ ପ୍ରେମ–କେବେ ଏକାଠି ରହି ନପାରନ୍ତି ।

 

ଡହରାନନ୍ଦ ଏ ଗଳ୍ପଟିକୁ ଏହିଠାରେ ଶେଷ କରିଥିଲେ ।

☆☆☆

 

ହସୁକୁରା କୋକୀ ଓ ଘରଚଟିଆ ପ୍ରସଙ୍ଗ

 

ଥରେ ବାବା ଡହରାନନ୍ଦ କଟକରେ କିଛିଦିନ ରହିଥିଲେ । ସେହି ସମୟରେ ଦିନେ ସନ୍ଧ୍ୟାବେଳେ ମହାନଦୀର ଗଡ଼ଗଡ଼ିଆ ଘାଟରେ ସେ କେତେକ ଯୁବକଛାତ୍ରଙ୍କ ସହ ବସି ଏଣୁତେଣୁ ଆଳାପ ଆଲୋଚନା କରୁଥିବାବେଳେ ଜଣେ ଯୁବକ ତାଙ୍କୁ ପଚାରିଲେ–

 

ଡହରାନନ୍ଦଜୀ ! ମଣିଷ ଜୀବନରେ ବିଶେଷତଃ ଯୌବନକାଳରେ ମଣିଷକୁ କୋଉ କଥାଟି ସବୁଠାରୁ ସୁଖଦାୟକ ହୁଏ ?

 

ଡହରାନନ୍ଦଜୀ ଏ ପ୍ରଶ୍ନର ଉତ୍ତର ନ ଦେଇ ସମବେତ ଯୁବକମାନଙ୍କୁ କହିଲେ–ପ୍ରଥମେ ତୁମେମାନେ ଜଣଜଣ କରି ଏ ପ୍ରଶ୍ନର ଉତ୍ତର ଦିଅ । ତା’ ପରେ ମୁଁ ଯାହା ଜାଣିଛି କହିବି ।

 

ଏହା ଶୁଣି ଜଣେ ଯୁବକ କହିଲେ ମୋର ଯାହା ମନେହୁଏ–ମନ ମୁତାବକ ଭୋଜନ ଓ ଦେହ ମୁତାବକ ଯୌନ ସଙ୍ଗମ ।

 

ଏକଥା ଶୁଣି ଜଣେ ସୁକୁମାରମତି ଯୁବକ ରାଗିଉଠିଲେ । ସେ କହିଲେ–ଛି–ଛି–ଛି । ଆମ୍ଭମାନଙ୍କ ଭଳି ଭଦ୍ରଭବ୍ୟ ଯୁବକଙ୍କ ମୁହଁରୁ ଏଭଳି ଅଭଦ୍ର, ଅଶ୍ଳୀଳ, ଆଉ ସ୍ଥୂଳ ବାକ୍ୟ ଶୁଣିବାକୁ ଡହରାନନ୍ଦଜୀଙ୍କ ଭଳି ସୁରୁଚି ଓ ସୁନୀତି ସଂପନ୍ନ ମାନ୍ୟଗଣ୍ୟ ପ୍ରିୟଭାଜନ ବ୍ୟକ୍ତି ଆଦୌ ହକ୍‌ଦାର ନୁହନ୍ତି । ମୁଁ ଏଥିପାଇଁ ବଡ଼ ଦୁଃଖିତ ଓ ସମସ୍ତଙ୍କ ତରଫରୁ ସମ୍ମାନନୀୟ ଡହରାନନ୍ଦଜୀଙ୍କ ପାଖରେ କ୍ଷମା ମାଗିନେଉଛି ।

 

କିନ୍ତୁ ଏତିକି କଥାରେ ପୂର୍ବ ଯୁବକଟି ରାଗିଗଲେ ଓ ଖୁବ୍‍ ଉତ୍ତେଜିତ ସ୍ୱରରେ କହିଲେ–ମୋତେ କାହାକୁ ମନରଖା କଥା କହି ଆସେନା । ମୁଁ ସତକୁ ସତ–ଯାହା ଅନୁଭବ କରେ ତା’ ସ୍ପଷ୍ଟ ଭାବରେ ସ୍ପଷ୍ଟ ଭାଷାରେ କହିଦିଏ । ତା’ ଛଡ଼ା, ମୋ କଥାରେ ରୁକ୍ଷତା ବା ଅଶ୍ଳୀଳତା କୋଉଠି ମଧ୍ୟ ରହିଲା ମୁଁ ତାହା ଜାଣି ପାରୁନାହିଁ । ସର୍ବୋପରି, ମୁଁ ଡହରାନନ୍ଦଜୀଙ୍କୁ ଯେତିକି ଜାଣେ–ମୋର ଦୃଢ଼ ଧାରଣା ଯେ, ସେ ସୁକୁମାର, ସୁକୋମଳ ଓ ଭଦ୍ରଭବ୍ୟ କଥା ଶୁଣିବା ଅପେକ୍ଷା କଠୋର, ବାସ୍ତବ, ଏପରି କି ଯେତେ ନିର୍ମମ ହେଲେ ବି ସତ୍ୟକଥା ଶୁଣିବାକୁ ବେଶି ପସନ୍ଦ କରନ୍ତି । ଆଉ ମଧ୍ୟ, ମୁଁ ଡହରାନନ୍ଦଙ୍କ ନାମରେ ପ୍ରଚଳିତ ଯେତେକଥା, ଉପକଥା, ଇତିକଥା, କିମ୍ବଦନ୍ତୀ ଓ ଗୁଜବ ସବୁ ଶୁଣିଛି–ସେଥିରେ ଭୋଜନ ଓ ଯୌନପ୍ରସଙ୍ଗ ପ୍ରଚୁର ରହିଛି । ମୋର ଦୃଢ଼ ବିଶ୍ଵାସ–ଡହରାନନ୍ଦଜୀ ନିଶ୍ଚୟ ମୋର ସ୍ପଷ୍ଟ ବାକ୍ୟଗୁଡ଼ିକୁ ଖୁବ୍‍ ପସନ୍ଦ କରିଛନ୍ତି ।

 

ଏକଥା ଶୁଣି ଅନ୍ୟ ଜଣେ ଯୁବକ କହିଲେ–ଠିକ୍‍ ଅଛି । ତୁମେ କିଛି ଭୁଲ୍‍ କଥା କହିନାହିଁ । ଭୋଜନ ଓ ଯୌନ ସଙ୍ଗମ ଶବ୍ଦ ଦୁଇଟି ଅଶ୍ଳୀଳ ଓ ଅଭଦ୍ର ଭାଷାନ୍ତର୍ଗତ କାହିଁକି ହେବ-? କିନ୍ତୁ ଅସଲ କଥାଟି ହେଲା–ଭୋଜନ ଓ ଯୌନସଙ୍ଗମ କ୍ରିୟା ଦୁଇଟି ଅନ୍ୟ ପ୍ରାଣୀମାନେ ମଧ୍ୟ କରନ୍ତି ଓ ସୁଖ ଉଲ୍ଲାସ ଲାଭ କରନ୍ତି । ଜଣେ ମଣିଷ ତା’ ଜୀବନର ସର୍ବଶ୍ରେଷ୍ଠ ସୁଖ କ’ଣ ଏହି ପ୍ରାଣିକ କ୍ରିୟା ଦୁଇଟି ଭିତରୁ ହିଁ ପାଇବ ? ତା’ ପାଇଁ ଆଉ ଅନ୍ୟ ବ୍ୟବସ୍ଥା କିଛି ବିଧାତା ଦେଇ ନାହାନ୍ତି ?

 

ଆଉ ଜଣେ ଯୁବକ କହିଲେ–ଖୁବ୍‍ ଦେଇଛନ୍ତି । ବିଧାତା ମଣିଷକୁ ସେ ଦୁଇଟି ଜାନ୍ତବ କ୍ରିୟା ବ୍ୟତୀତ ଆଉରି ଅନେକ ସୁଖପ୍ରଦ କର୍ମ ଦେଇଛନ୍ତି । ଏଇ ଯେମିତି–ଗୀତ ଗାଇବା, ଛବି ଆଙ୍କିବା, ଗଳ୍ପ କବିତା ଲେଖିବା, ନାଟକ କରିବା, ଖେଳିବା, ମଙ୍ଗଳଗ୍ରହକୁ ଅଭିଯାନ କରିବା, ବହୁ ବହୁ ଜଟିଳ ଗଭୀର ଦାର୍ଶନିକ ଚିନ୍ତା ଓ ବୈଜ୍ଞାନିକ ତତ୍ତ୍ୱ ସବୁ ଆବିଷ୍କାର କରିବା, ପୃଥିବୀକୁ ଭଲ ପାଇବା ଓ ପୃଥିବୀର ସେବା କରିବା–ଏବଂ ଭଗବାନଙ୍କୁ ଭଲପାଇବା ଓ ତାଙ୍କ ସହ ମିଳିତ ହେବା ଲାଗି ତାଙ୍କୁ ଖୋଜିବା–ଏମିତି ହଜାର ହଜାର ଅତ୍ୟନ୍ତ ସୁଖପ୍ରଦ ମାନବୋଚିତ କର୍ମ ବିଧାତା ମଣିଷକୁ ଦେଇଛନ୍ତି । କେବଳ ଭୋଜନ ଓ ସଙ୍ଗମ କ୍ରିୟା ଦୁଇଟିରେ ମଣିଷର ସୁଖ କେବେ ଆବଦ୍ଧ ରହି ନପାରେ ।

 

ଏହାପରେ ସେହି ଭୋଜନ ଓ ଯୌନସଙ୍ଗମ ବିଳାସୀ ଯୁବକଟି ଖୁବ୍‍ ରାଗିଗଲେ ଏବଂ ଚିତ୍କାର କରି କହିଲେ–

 

ଅସମ୍ଭବ ! ତୁମର ସବୁ କବି, ଦାର୍ଶନିକ, ବୈଜ୍ଞାନିକ, କ୍ରୀଡ଼ାବିତ୍‍, ଅଭିନେତା, ଅଭିନେତ୍ରୀ, ଭକ୍ତ ଓ ମାନବବାଦୀ ମଣିଷଙ୍କ ଇତିହାସ ମୁଁ ଜାଣିଛି । ସେମାନଙ୍କର ସବୁ ମହତ୍‍ କର୍ମ ଭିତରେ ଭୋଜନ ଓ ସଙ୍ଗମ ଭଳି ଅପକର୍ମ ଦୁଇଟି ଗୁପ୍ତରେ ଥାଇ ସେମାନଙ୍କୁ ସୁଖ ଉଲ୍ଲାସ ଦେଇଛି । ସେ ଦୁଇଟି ମଣିଷଠାରୁ କାଢ଼ିଦିଅ, ଦେଖିବ–ତା’ର ସବୁ ମହତ କର୍ମଗୁଡ଼ିକ ଅତ୍ୟନ୍ତ କଷ୍ଟଦାୟକ କେବଳ ପଣ୍ଡଶ୍ରମରେ ଇ ପରିଣତ ହେବ । ଡହରାନନ୍ଦଜୀ ! ଦୟାକରି ଆମ ଭିତରେ ଆଉ ବାକ୍‍ ବିତଣ୍ଡା ପାଇଁ ଆମକୁ ସୁଯୋଗ ଦିଅନ୍ତୁ ନାହିଁ । କାରଣ, ସଚରାଚର ଯାହା ଦେଖାଯାଏ–ଯୁବକମାନଙ୍କ ବାକ୍‌ବିତଣ୍ଡା ଶେଷରେ ହାତାହାତି ବ୍ୟାପାରରେ ଇ ଶେଷ ହୁଏ ।

 

ବାବା ଡହରାନନ୍ଦ ଉପରକୁ ଅଭୟ ମୁଦ୍ରାରେ ହାତ ଟେକି ସମସ୍ତଙ୍କୁ ଶାନ୍ତ ହେବାକୁ ଅନୁରୋଧ କଲେ ଓ ତା’ପରେ ସ୍ମିତ ମୁଖରେ ମଧୁର ସ୍ୱରରେ କହିଲେ–

 

ଯୁବକ ବନ୍ଧୁଗଣ ! ଆପଣମାନେ ମୋ ଆଗରେ ଯେପରି ଭାବେ ଯୁକ୍ତିତର୍କ କଲେ ତାହା ମତେ ଖୁବ୍‍ ସୁଖପ୍ରଦ ମନେ ହୋଇଛି । କାରଣ, ଭୋଜନ ଓ ଯୌନ ସଙ୍ଗମ ଭଳି କଥା କୌଣସି ପ୍ରକାରେ ଆରମ୍ଭ ହୋଇଗଲେ ଅବଶଇନ୍ଦ୍ରିୟ ବୃଦ୍ଧମାନଙ୍କର ମଧ୍ୟ ଦେହ ଓ ମନରେ ଲାଳସା ଜାତ ହେବା କଥା ମୁଁ ଦେଖିଛି । କିନ୍ତୁ ଆପଣମାନେ–ଏ ବ୍ୟାପାରରେ ଯୋଉ ସଂଯମ ଓ ଶ୍ଳୀଳତା ଦେଖାଇଲେ ସେଥିରେ ମୁଁ ଅତ୍ୟନ୍ତ ମୁଗ୍‌ଧ । ଏବେ ମୁଁ ଆପଣମାନଙ୍କୁ ଗୋଟିଏ ଗଳ୍ପ କହୁଛି ଶୁଣନ୍ତୁ–ସେଇଥିରୁ ଏହି ସମସ୍ୟାର ସମାଧାନ ମିଳିପାରେ ।

 

ଡହରାନନ୍ଦ ଗପଟି ଆରମ୍ଭ କଲେ–

 

କୌଣସି ଏକ ଛୋଟ ସହରରେ ରହୁଥିବା ଜଣେ ବୁଢ଼ାଲୋକ ଥରେ ତାଙ୍କର ଝିଅ ଘରକୁ ଯାଇଥିଲେ । ଝିଅଟି ରହୁଥାଏ ଏକ ବଡ଼ ସହରରେ । ବୁଢ଼ାଲୋକଟିର ମୁଣ୍ଡରେ ସର୍ବମୋଟ ପଚାଶଟି କେଶ ଥାଏ । କିନ୍ତୁ ସେ ସେତେକ ବାଳକୁ କଳା–ରଙ୍ଗରେ ରଙ୍ଗାଇଥାନ୍ତି । ଏବଂ ପାଟିରେ ନକଲୀଦାନ୍ତ ଲଗାଇଥାନ୍ତି । ପୋଷାକପତ୍ରରେ ମଧ୍ୟ ସେ ଯୁବକମାନଙ୍କ ଭଳି ଖୁବ୍‍ ସ୍ମାର୍ଟ ଥାନ୍ତି ।

 

ଦିନେ ସେହି ବୁଢ଼ା ଲୋକଟି ତାଙ୍କ ସ୍କୁଲ୍‍ପଢ଼ୁଆ ନାତୁଣୀକି ଧରି ସେହି ସହରର ବିଖ୍ୟାତ ଚିଡ଼ିଆଖାନା ଦେଖିବାକୁ ଯାଇଥିଲେ । ସେହି ଚିଡ଼ିଆଖାନାକୁ ନୂଆ ଜନ୍ତୁଟିଏ ଅଳ୍ପଦିନ ହେଲା ଆସିଥାଏ । ତା’ ନାମ ଥିଲା ‘ଏଭର ଲାଫିଙ୍ଗ୍‍ ଫକ୍ସ’–ବା ‘ନିତ୍ୟ ହସୁକୁରା କୋକୀ–ଶିଆଳୀ’-। ସେ ସବୁବେଳେ ମଣିଷ ଭଳି ହସୁଥାଏ । ତାକୁ ଦେଖିବାକୁ ବହୁ ଲୋକ ତା ପଂଜୁରୀ ପାଖେ ଜମିଥାନ୍ତି । ଆମର ଏ ବୁଢ଼ାଟି ଏଭଳି ବିଚିତ୍ର ମାନବୀୟ ପ୍ରାଣୀ କେବେ ଦେଖି ନ ଥିଲେ-। ସେ ଖୁବ୍‍ ଆଶ୍ଚର୍ଯ୍ୟ ହୋଇ ଚିଡ଼ିଆଖାନାର ଜଣେ କର୍ମଚାରୀଙ୍କୁ ପଚାରିଲେ–ଏଭଳି ଜନ୍ତୁ ଆମ ଦେଶରେ ନାହାନ୍ତି । ଏ ସବୁବେଳେ ଏମିତି ହସୁଛି କିପରି ? ୟେ ପ୍ରାଣୀର ଜୀବନ–ଯାତ୍ରା ସମ୍ବନ୍ଧେ ମତେ କିଛି କୁହ ।

 

ପ୍ରାଣୀ–ରକ୍ଷକ କହିଲେ–ଏ ଜନ୍ତୁଟି ଥରେ ଖାଏ, ଦୁଇଥର ପାଣିପିଏ, ସପ୍ତାହରେ ଥରେ ଗାଧାଏ । ଦିନରାତି ମିଶି ପ୍ରାୟ ଦୁଇଘଣ୍ଟା ମାତ୍ର ଶୁଏ; ଏବଂ ବର୍ଷକୁ ଥରେ ମାତ୍ର ତା’ ମାଈକୋକୀ ସଙ୍ଗେ ସଙ୍ଗମ କରେ । ଏବଂ କାହା–ସଙ୍ଗେ ସେ କଳି କରେନି କି ଦଙ୍ଗାହାଙ୍ଗାମା କରେ ନାହିଁ । ବାସ୍‍ ଏତିକି । ଖୁବ୍‍ ସରଳ ଆଉ ସରସ ପ୍ରାଣୀଟିଏ ଆଜ୍ଞା ।

 

ଆମ ବୃଦ୍ଧ ବ୍ୟକ୍ତିଟି ସବୁ ଶୁଣିଲେ । କିଛି ସମୟ ତଳକୁ ଓ କିଛି ସମୟ ଉପରକୁ ମୁହଁ ଟେକି କ’ଣ ସବୁ ଭାବି ଲାଗିଲେ । ତା’ ପରେ ତାଙ୍କ କିଶୋରୀ ନାତୁଣୀକୁ ସାକ୍ଷୀ କରି ସେହି ପ୍ରାଣୀ–ରକ୍ଷକଙ୍କୁ ପଚାରିଲେ–

 

ଏହାର ଗାଧୋଇବା, ପାଣିପିଇବା ଓ ଶୋଇବା କଥା ମୁଁ ବୁଝିଲି । ଏପରି କି ତା’ର କଳି ଓ ଦଙ୍ଗା ହାଙ୍ଗାମା ନ କରିବା କଥା ମଧ୍ୟ ବୁଝାଗଲା । କିନ୍ତୁ ଦିନକୁ ଥରେ ଖାଇ ଓ ବର୍ଷକୁ ଥରେ ମାତ୍ର ଯୌନ–ସଙ୍ଗମ କରି ଏହି ଅଦ୍ଭୂତପୂର୍ବ ବିଚିତ୍ର ପ୍ରାଣୀ ସବୁବେଳେ ଏମିତି ହସିପାରୁଛି କିପରି ? ଅଥଚ ଏହି ସ୍ୱାସ୍ଥ୍ୟବତୀ, ରୂପବତୀ ଓ ନବୀନା ଯୁବତୀ ମାଈ କୋକୀଶିଆଳିଟି ତା’ ଦେହକୁ ଦେହ ଲଗାଇ ସବୁବେଳେ ରହିଛି ଓ ସେ ମଧ୍ୟ ତା’ ସହିତ ଏହି ନିତ୍ୟ ହାସ୍ୟଲୀଳାରେ ଭାଗ ନେଇପାରୁଛି ? ଆଶ୍ଚର୍ଯ୍ୟ !

 

ପ୍ରାଣୀ ରକ୍ଷକ ସେହି ବୃଦ୍ଧଙ୍କୁ ଆଉ ଗୋଟିଏ ସ୍ଥାନକୁ ଡାକିନେଲା । ସେଠାରେ ସେମାନେ ବିଭିନ୍ନ ଦେଶରୁ ଅନୀତ ହରରଙ୍ଗୀ ଘରଚଟିଆ ପକ୍ଷୀମାନେ ରହୁଥିବା ଗୋଟିଏ ଚିଡ଼ିଆଖାନା ଦେଖିଲେ । ସେଠାରେ ବହୁ ସମୟ ଠିଆ ହୋଇ ଘରଚଟିଆ–ଲୀଳା ଦେଖିଲା ପରେ ପ୍ରାଣୀ ରକ୍ଷକଟି କହିଲା–

 

ଏଠାରେ ଆପଣ କ’ଣ ଦେଖୁଛନ୍ତି ? ଏହି ହରରଙ୍ଗୀ ଘରଚଟିଆମାନେ ହରଦମ୍‍ ଶସ୍ୟକଣା ମାନ ଖାଇ ଲାଗିଛନ୍ତି–ହର୍‌ଦମ୍‍ ଯୌନ–ସଙ୍ଗମ କରୁଛନ୍ତି ଓ ହର୍‌ଦମ୍‍ ଆପଣା ଆପଣା ଭିତରେ କଳିକଜିଆ କରି କିଚିରି ମିଚିରି ହେଉଛନ୍ତି ଓ କାମୁଡ଼ାକାମୁଡ଼ି ହେଉଛନ୍ତି । ସେମାନଙ୍କର ଗୋଟିଏ ମୁହୂର୍ତ୍ତ ଶାନ୍ତି ନାହିଁ–ହସ–ଖୁସି ନାହିଁ କି ଆନନ୍ଦ ଉତ୍ସବ ନାହିଁ । ଏବେ ବୁଝିଲେ ତ ?

 

କହିବା ବାହୁଲ୍ୟ ଯେ ସେହି ବୃଦ୍ଧବ୍ୟକ୍ତି କଥାଟିର ମର୍ମ ତଥାପି ବୁଝି ପାରିଲେ ନାହିଁ । କିନ୍ତୁ ଆମର ଯୁବ–ବନ୍ଧୁମାନେ ସବୁକଥା ଠିକ୍‍ ବୁଝିନେଲେ ।

☆☆☆

 

ମହାତ୍ମାଙ୍କୁ କିଏ ଦେଖିଛି ?

 

ନିମ୍ନ ଲିଖିତ ଘଟଣାଟି ସ୍ୱୟଂ ଡହରାନନ୍ଦ ମୋତେ ମିଶାଇ ତାଙ୍କର କତିପୟ ଚେଲାମାନଙ୍କ ଆଗରେ ବଖାଣିଥିଲେ ।

 

ଥରେ ଡହରାନନ୍ଦଜୀ ଗୋଟିଏ କଲେଜର ସାଂସ୍କୃତିକ ଉତ୍ସବକୁ ମୁଖ୍ୟବକ୍ତା ଭାବେ ଆହୁତ ହୋଇଥିଲେ । ସେହି ସଭାକୁ ମୁଖ୍ୟଅତିଥି ଭାବେ ମଣ୍ଡନ କରିଥିଲେ କୁହାଳିଆ ମନ୍ତ୍ରୀ । ସେହି ମନ୍ତ୍ରୀ ଜଣକ ଅତ୍ୟନ୍ତ ଦୁରାଚାରୀ ଥିଲେ ଓ ନାନାଦି ଦୁଷ୍କର୍ମରେ ଲିପ୍ତ ଥିଲେ ବି ସମସ୍ତେ ତାହା ଭଲ ରୂପେ ଜାଣିଥିଲେ ବି, ବାରମ୍ବାର ସେ ଦଳବଦଳ କରୁଥିଲେ–ଭୋଟ ଲଢ଼େଇରେ ଜିତୁଥିଲେ ଓ ଜୀବନରେ ତିନିତିନିଥର ମନ୍ତ୍ରୀ ହୋଇ ପାରିଥିଲେ । ସେ ନିଜକୁ ଜଣେ ନୈଷ୍ଠିକ ଗାନ୍ଧିବାଦୀ ବୋଲି କହୁଥିଲେ ଏବଂ ଗାନ୍ଧିଜୀ ଓ ତାଙ୍କର କେତେକ ଟାଣୁଆ ଅନୁଗାମୀମାନଙ୍କର ସକ୍ରିୟ ସହକର୍ମୀ ଥିଲେ ବୋଲି ମଧ୍ୟ ଦାବି କରୁଥିଲେ । ତାଙ୍କର ଚରିତ୍ର ଓ କ୍ରିୟାକଳାପ ନାନାଦି ଦୁର୍ନୀତିରେ ପରିପୂର୍ଣ୍ଣ ହୋଇଥିଲାବେଳେ ସେ ନିଜକୁ ଯେ ଏତେ ଦୃଢ଼ ସ୍ୱରରେ ଗାନ୍ଧିବାଦୀ ଓ ଗାନ୍ଧିଙ୍କର ସହକର୍ମୀ ଥିଲେ ବୋଲି ଦାବି କରୁଥିଲେ–ଏଥିପାଇଁ ମଧ୍ୟ କେହି ତାଙ୍କୁ କୌଣସି ସଭାରେ ଚାଲେଞ୍ଜ୍‍ କରୁ ନଥିଲେ । କାରଣ, ଲୋକେ ମଧ୍ୟ ଗାନ୍ଧି ଓ ଗାନ୍ଧିବାଦକୁ ଭୁଲିଯାଇଥିଲେ ଓ ଗାନ୍ଧି ନାମ ଉପରେ କେହି କିଛି ଗୁରୁତ୍ୱ ଆଉ ଦେଉ ନଥିଲେ । କହିବା ବାହୁଲ୍ୟ ଯେ, ଏହି ମନ୍ତ୍ରୀ ଜଣକ ଯଦି ଲୋକଙ୍କ ଆଗରେ ନିଜକୁ ଗାନ୍ଧିବାଦୀ ନକହି ନିଜକୁ ଜଣେ ଗଡ଼୍‌ସେବାଦୀ ବା ଜିନ୍ନାବାଦୀ ବୋଲି ପ୍ରଚାର କରୁଥାନ୍ତେ–ତେବେ ବି ଲୋକେ ସେ କଥାକୁ ବେଶୀ କିଛି ଗୁରୁତ୍ୱ ଦେଇନଥାନ୍ତେ । କାରଣ ଲୋକଙ୍କ ମନକୁ ଭଳାଇବା ପାଇଁ ଓ ଭୁଲାଇବା ପାଇଁ ସେହି ମନ୍ତ୍ରୀଜଣଙ୍କର କୁହୁକିଆ ବ୍ୟକ୍ତିତ୍ୱ ଯଥେଷ୍ଟ ଥିଲା । କିନ୍ତୁ ମନ୍ତ୍ରୀ ମହୋଦୟ ନିଜକୁ ଜଣେ ଗାନ୍ଧିବାଦୀ ବୋଲି ସର୍ବଦା ଜାହିର୍‍ କରିବାର ଆଳୁଦୋଷରୁ ନିଜକୁ ମୁକ୍ତ କରିପାରୁ ନଥିଲେ ।

 

ସେଦିନ କଲେଜର ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆହୁତ ଓ ବନ୍ଦିତ ମନ୍ତ୍ରୀ ମହୋଦୟ କୌଣସି ପ୍ରସଙ୍ଗ ନଥାଇ ଓ କୌଣସି ଆବଶ୍ୟକତା ନଥାଇ ମଧ୍ୟ ତାଙ୍କର ଚିରାଚରିତ ରୀତିରେ ଦୀର୍ଘ ଏକଘଣ୍ଟାକାଳ ଗାନ୍ଧୀ ଓ ଗାନ୍ଧିବାଦ ଉପରେ ଏକ ଓଜସ୍ୱିନୀ ଜ୍ଞାନଗର୍ଭକ ଭାଷଣ ଦେଲେ । ସେହି ଭାଷଣରେ ସେ ଗାନ୍ଧିଜୀଙ୍କର ପ୍ରାତ୍ୟହିକ ଜୀବନରୁ କେତୋଟି ଘଟଣା ଉଲ୍ଲେଖ କରି ପ୍ରତିପାଦନ କଲେ ଯେ,ଯଦିଓ ଗାନ୍ଧିଜୀ ବିଶ୍ୱ–ରାଜନୀତି–କ୍ଷେତ୍ରରେ ଜଣେ ସର୍ବୋଚ୍ଚ ବିଚକ୍ଷଣ ରାଜନୀତିଜ୍ଞ ଏବଂ ଯଦିଓ ତାଙ୍କର ପ୍ରାଣପାତ ତପସ୍ୟା ବଳରେ ଭାରତବର୍ଷ ସ୍ୱାଧୀନତା ଲାଭ କଲା–ତଥାପି ଗାନ୍ଧିଜୀ ତାଙ୍କର ବ୍ୟକ୍ତିଗତ ଜୀବନ କ୍ଷେତ୍ରରେ ଜଣେ ମହାତ୍ମା ଥିଲେ । ସତ୍ୟ, ଅହିଂସା, ସୁନୀତି, ପ୍ରେମ ଓ ଉଦାର ମାନବିକତା ସହିତ ସମଗ୍ର ପ୍ରାଣୀଜଗତ ଉଦ୍ଭିଦ ଜଗତ ସହିତ ମଧ୍ୟ ତାଙ୍କର ପ୍ରାଣଗତ ପ୍ରୀତି ସଂଯୋଗ ରହିଥିଲା । ଏହିପରି ବହୁକଥା କହିସାରି ସେ ଚଉକୀ ଉପରେ ବସିପଡ଼ିଲେ ଓ ଗ୍ଳାସେ ଜଳ ପାନ କଲେ । ଏହି ସମୟରେ କଲେଜର ଅଧ୍ୟକ୍ଷ ମହୋଦୟ ସମବେତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ–

 

ଯଦି ତୁମମାନଙ୍କ ମନରେ କୌଣସି ପ୍ରଶ୍ନ ବା ସନ୍ଦେହର ଉଦୟ ହୋଇଥାଏ, ତେବେ ଠିଆହୋଇ ପଚାରିପାର । କାରଣ, ମନ୍ତ୍ରୀ ମହୋଦୟ ଶିଶୁ–ସୁଲଭ ଚପଳମତି କଲେଜ ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଶ୍ନୋତ୍ତର ଛଳରେ ହାସ୍ୟ–କୌତୁକ କରିବାକୁ ଖୁବ୍‍ ଭଲପାନ୍ତି ।

 

ଅଧ୍ୟକ୍ଷ ମହୋଦୟ ଏକଥା କହୁଥିଲା ବେଳେ କିଛି ସମୟ ଧରି ସଭାସ୍ଥଳି ବିଡ଼ାଳ ଓ ଶ୍ଵାନମାନଙ୍କ ସ୍ୱରର ଅନୁକୃତ ରବରେ କୋଳାହଳମୟ ହେଲା । ଅଧ୍ୟକ୍ଷ ମହୋଦୟ ବହୁ କଷ୍ଟରେ ସଭାକୁ ଶାନ୍ତ କରି ପୁନଶ୍ଚ କେହି ପ୍ରଶ୍ନ କରିବେ କି ବୋଲି ଠିଆହୋଇ ପଚାରିଲେ–

 

ପ୍ରକୃତରେ ମହାତ୍ମାଗାନ୍ଧୀ ବୋଲି କେହି ଏ ଦେଶରେ ଜନ୍ମ ଗ୍ରହଣ କରିଥିଲେ କି ? କିମ୍ବା ରାମ, କୃଷ୍ଣ, ପର୍ଶୁରାମ, ନରସିଂହ, ଶୂକର ଓ କଚ୍ଛପ ଆଦିଙ୍କ ପରି ସେ ଗୋଟିଏ କାଳ୍ପନିକ ଚରିତ୍ର ? ମାନନୀୟ ମନ୍ତ୍ରୀ ସତ୍ୟ କହିବେ କି ?

 

ମନ୍ତ୍ରୀ ମହୋଦୟ କିଞ୍ଚିତ୍‍ ବିରକ୍ତ ହୋଇ ଉଠି ଠିଆହେଲେ ଏବଂ କହିଲେ ବଡ଼ ଦୁଃଖର କଥା–ବଡ଼ ଶୋଚନାର କଥା–ବଡ଼ ନୈରାଶ୍ୟର କଥା ଏହି କି ଯେ, ଆମର ଉଜ୍ଜ୍ୱଳ ଭବିଷ୍ୟତର ଉଜ୍ଜ୍ୱଳ ଉତ୍ତରାଧିକାରୀମାନେ ଗାନ୍ଧିଜୀଙ୍କ ଅସ୍ତିତ୍ୱକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଅଥଚ ଏଇ ଚାଳିଶି ପଚାଶବର୍ଷ ମାତ୍ର ତଳେ ଗାନ୍ଧିଜୀ ସ୍ୱୟଂ ଏହି ଭୂମି ଉପରେ ଆପଣା ପାଦରେ ବାରମ୍ବାର ଚାଲିଚାଲି ଏ ମାଟିକୁ ପୁତପବିତ୍ର କରି ଯାଇଛନ୍ତି ଏବଂ ଆମେ ସବୁ ଯେଉଁମାନେ ଅର୍ଥାତ୍‍ ତୁମମାନଙ୍କ ପିତା, ମାତା, ପିତାମହ, ମାତାମହ, ଶିକ୍ଷକ, ଅଭିଭାବକ ଓ ନେତୃବୃନ୍ଦ ଏବଂ ମତସଦୃଶ ମନ୍ତ୍ରୀବୃନ୍ଦ ଗାନ୍ଧିଜୀଙ୍କୁ ସ୍ଵଚକ୍ଷୁରେ ଦେଖିଆସୁଥିଲୁ–ସେମାନଙ୍କ ଦୃଷ୍ଟିରେ ଗାନ୍ଧିଜୀ ହେଉଛନ୍ତି–ଏହି ବିନ୍ଧ୍ୟ ହିମାଳୟ ସଦୃଶ ବିରାଟ ସତ୍ୟ ଓ ଶାଶ୍ୱତ ବାସ୍ତବ ।

 

ଏହି ସମୟରେ ଆଗ ବେଞ୍ଚରେ ବସିଥିବା ପ୍ରଗଳ୍‌ଭ ଛାତ୍ରୀଟିଏ ଉଠି ସଙ୍ଗେ ସଙ୍ଗେ ଉତ୍ତର ଦେଲା–

 

ତଥାକଥିତ ଗାନ୍ଧିବାଦୀ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ମୁଁ ସ୍ପଷ୍ଟ ଭାବେ ଜଣାଇଦେବାକୁ ଚାହେଁ, ଯେ ଆମ ଏ ଯୁଗର ଯୁବକଯୁବତୀମାନେ କେହି ଗାନ୍ଧିଜୀଙ୍କ ଅସ୍ତିତ୍ୱକୁ ସନ୍ଦେହ କରୁନାହୁଁ । ତାଙ୍କର ମହନୀୟ ସଦ୍‌ଗୁଣଗୁଡ଼ିକୁ ମଧ୍ୟ ସନ୍ଦେହ କରୁନାହୁଁ । କିନ୍ତୁ, ଆପଣଙ୍କ ଭଳି ନେତା ଓ ମନ୍ତ୍ରୀମାନେ ଯେ ତାଙ୍କୁ ସତକୁ ସତ ବାସ୍ତବରେ ସ୍ୱଚକ୍ଷୁରେ ଦେଖିଛନ୍ତି ଓ ତାଙ୍କ ସହିତ କାମ କରିଛନ୍ତି ବୋଲି କହୁଛନ୍ତି–ଆମର ସବୁତକ ସନ୍ଦେହ ଓ ଅବିଶ୍ୱାସ ସେହିମାନଙ୍କ ଉପରେ ।

 

ଏହା ଶୁଣିବା ମାତ୍ରେ ହଠାତ୍‍ ସଭାରେ ପୁଣି ବିଲୁଆ, କୁକୁର ଓ ବିଲେଇମାନଙ୍କ ରାବକୁ ଅନୁକରଣ କରି ଛାତ୍ରଛାତ୍ରୀମନେ ବୋବାଇ ଉଠିଲେ ଓ ସଭା ସେତିକିରେ ଉଦ୍‌ବେଳ ହୋଇଉଠିଲା ଏବଂ ମନକୁମନ ଭାଙ୍ଗିଗଲା ।

☆☆☆

 

ଧର୍ମଉପଦେଶ ଦରକାର କି ?

 

ସାଧାରଣତଃ ବାବା ଡହରାନନ୍ଦ ଯେତେବେଳେ ଅନ୍ୟ କେଉଁ ସହରକୁ ବୁଲି ନ ଯାଇ ତାଙ୍କ ନିଜ ସହରରେ ନିଜ ଘରେ ରହିଥାନ୍ତି, ସେତେବେଳେ ତାଙ୍କ ନିଜ ସହରର ଅନେକ ବ୍ୟକ୍ତି ତାଙ୍କ ଘରକୁ ଯା’ନ୍ତି ତାଙ୍କ ସହ କିଛି ସମୟ ଆଳାପ ଆଲୋଚନା କରି ଆନନ୍ଦ ପାଇବାକୁ । ଯଦିଓ ଡହରାନନ୍ଦଜି କେବଳ ତରୁଣତରୁଣୀମାନଙ୍କ ବ୍ୟତୀତ ପ୍ରୌଢ଼ ବା ବୃଦ୍ଧମାନଙ୍କ ସହିତ ମିଶିବାକୁ ବା ଆଳାପ କରିବାକୁ ବେଶି ପସନ୍ଦ କରନ୍ତି ନାହିଁ–ତଥାପି ସେ ତାଙ୍କ ନିଜ ସହରରେ ଥିଲାବେଳେ ଆବାଳବୃଦ୍ଧବନିତା କାହାପାଇଁ ନିଜ ଘରର ଦ୍ୱାର ବନ୍ଦ ରଖନ୍ତି ନାହିଁ । ନିଜର ପାଖ ସାଇପଡ଼ିଶାରୁ ଆସନ୍ତୁ ବା ସହରର ଦୂର ଜାଗାମାନଙ୍କରୁ ଆସନ୍ତୁ–ଡହରାନନ୍ଦଜୀ ସମସ୍ତଙ୍କ ସହିତ ନାନାଦି ସରସ ଗଳ୍ପ ଓ ଆଲୋଚନାଦି କରି ହସି ହସି ସମସ୍ତଙ୍କୁ ବିଦାୟ ଦିଅନ୍ତି ।

 

ଏହିପରି ଭାବେ ଦିନେ ଦୁଇଜଣ ମଧ୍ୟବୟସ୍କ ସନ୍ନ୍ୟାସୀ ଡହରାନନ୍ଦଜୀଙ୍କୁ ଦେଖା କରିବାକୁ ଓ ତାଙ୍କ ସହ ଆଳାପ କରିବାକୁ ତାଙ୍କ ଘରେ ଆସି ପହଞ୍ଚିଲେ । ସେମାନଙ୍କୁ ଯଥାଯୋଗ୍ୟ ଆଦର ଆପ୍ୟାୟନ କରିସାରି ଡହରାନନ୍ଦଜୀ ଖୁବ୍‍ ବିନୀତ ଭାବେ ତାଙ୍କୁ ହାତଯୋଡ଼ି କହିଲେ–

 

ଏଥର ଅନୁଗ୍ରହ କରି କହନ୍ତୁ–ମୁଁ ଆପଣମାନଙ୍କର କେଉଁ ସେବାରେ ଲାଗିପାରିବି ?

 

ସନ୍ନ୍ୟାସୀମାନଙ୍କ ଭିତରୁ ଜଣେ କହିଲେ–ନା–ନା–ଆମେ ଆପଣଙ୍କର ସେବା ନେବା ପାଇଁ ଆପଣଙ୍କ ପାଖକୁ ଆସିନାହୁଁ । ବରଂ ଆପଣଙ୍କର ସେବାରେ ନିଜକୁ ନିୟୋଜିତ କରିବାକୁ ଆସିଛୁ । ଆମେ ଆପଣଙ୍କ ବିଷୟରେ ଯାହା ଖବର ରଖିଛୁ–ଆପଣ ଜଣେ ଛଦ୍ମରୂପୀ ମହାତ୍ମା । ଆମେ ସନ୍ନ୍ୟାସୀର ଭେକ ଓ ଦୀକ୍ଷା ନେଇଛୁ ସିନା, କିନ୍ତୁ ଆପଣ ହିଁ ପ୍ରକୃତ ସନ୍ନ୍ୟାସୀ ଏବଂ ଆପଣ ହିଁ ଭଗବାନଙ୍କର କୃପା ଓ ସାନିଧ୍ୟ ଉଭୟ ଲାଭ କରିଛନ୍ତି । ତା’ ନହେଲେ–ଆମେ ବାଲ୍ୟକାଳରୁ ଘରସଂସାର ଛାଡ଼ି ବ୍ରହ୍ମଚର୍ଯ୍ୟରେ ରହି, ଧ୍ୟାନଧାରଣା, ଜପତପ, ପୂଜା ଉପାସନାରେ ସାରା ଜୀବନ ଅତିବାହିତ କରି ଆସିଲେ ବି ଏହି କଳିଯୁଗର ଯୁବକଯୁବତୀମାନେ ଆମ ଆଡ଼କୁ ଘୂଣାକ୍ଷରେ ବି ଦୃଷ୍ଟିପାତ କରୁନାହାନ୍ତି ଏବଂ ଆମ୍ଭେମାନେ ସେମାନଙ୍କୁ ସତ୍‍–ପଥରେ ନେବା ଲାଗି ଯେତେ ଧର୍ମୋପଦେଶ ଦେଲେ ମଧ୍ୟ ସେମାନେ ଆମର ଧର୍ମ ବାକ୍ୟ ପ୍ରତି ସାମାନ୍ୟ କର୍ଣ୍ଣପାତ କରୁନାହାନ୍ତି-। ଅଥଚ ସାରା ପ୍ରଦେଶର ଯୁବାକୁଳ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କ କଥା ଶୁଣିବାକୁ ଏତେ ବ୍ୟାକୁଳ ହେଉଛନ୍ତି । ସେମାନଙ୍କର ଆପଣଙ୍କ ଉପରେ ଏତେ ଆସ୍ଥା ଆଉ ବିଶ୍ଵାସ । ଅଥଚ ଆମକୁ ଦେଖିଲା ମାତ୍ରେ ସେମାନେ ଆମକୁ ପରିହାସ, ଉପହାସ ଓ ବିଦ୍ରୁପରେ ଅସ୍ତବ୍ୟସ୍ତ କରୁଛନ୍ତି-। ଏହା ଦେଖି ଆମ ସନ୍ନ୍ୟାସୀମାନଙ୍କର ଦୃଢ଼ଧାରଣା ହୋଇଛି ଯେ, ଆପଣ ନିଶ୍ଚୟ ଭଗବାନଙ୍କର କୃପା ଓ ସାନ୍ନିଧ୍ୟ ଲାଭ କରିଛନ୍ତି କିମ୍ବା ଆପଣ ନିଶ୍ଚୟ କୌଣସି ଅଲୌକିକ ଶକ୍ତିର ଅଧିକାରୀ ହୋଇଛନ୍ତି-। ଦୟାକରି କହନ୍ତୁ–ଆପଣ ଏହି କଳିଯୁଗର ଯୁବକମାନଙ୍କୁ କେଉଁ ଉପାୟରେ ବଶୀଭୂତ କରି ସେମାନଙ୍କ ହୃଦୟରେ ଧର୍ମ ଉପଦେଶ ସଞ୍ଚାରିତ କରୁଅଛନ୍ତି । ଆମେ ଆପଣଙ୍କଠାରୁ ସେହି ଧର୍ମ–ପ୍ରଚାର କୌଶଳଟି ଶିକ୍ଷା କରିବାକୁ ଆସିଅଛୁ ।

 

ଡହରାନନ୍ଦ ହସି ହସି କହିଲେ–ବାବାମାନେ ! ମୁଁ ଯୁବକଯୁବତୀମାନଙ୍କ ସହିତ ମିଶେ ଓ ଆଳାପ ଆଲୋଚନା କରେ । କାହାକୁ ବଶୀଭୂତ କରେ ନାହିଁ । କି କେହି ମଧ୍ୟ ମୋର ବଶୀଭୂତ ନୁହନ୍ତି । ଶେଷକଥା ହେଲା–ଧର୍ମ ବା ଈଶ୍ୱରଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ କିମ୍ବା ମୁଁ କାହାକୁ ଧର୍ମୋପଦେଶ ଦିଏ ନାହିଁ । ମୋର ଧାରଣା–ଏ ପୃଥିବୀର ଯେତେ ଖରାପ ଉପଦେଶ ସବୁ ଅଛି, ସବୁଠାରୁ ବିରକ୍ତିକର ଓ ମାରାତ୍ମକ ହେଲା ଏହି ଧର୍ମୋପଦେଶ । ଧର୍ମ ଉପଦେଷ୍ଟାମାନଙ୍କର କାଣ୍ଡଜ୍ଞାନର ଘୋର ଅଭାବ । ସେମାନେ ଜାଣନ୍ତି ନାହିଁ ଯେ, ଏ ପୃଥିବୀରେ ଶତକଡ଼ା ଅନେଶୋତ ଭାଗ ଲୋକ ଭଗବାନଙ୍କ ପ୍ରତି ଆକୃଷ୍ଟ ନୁହନ୍ତି ଓ ଧର୍ମର ଗୂଢ଼ତତ୍ତ୍ୱ ଜାଣିବାରେ ସେମାନଙ୍କର କିଛି ଫାଇଦା ନାହିଁ । ତା’ ଛଡ଼ା ମୋର ଧାରଣା ଯେ, ଯେଉଁ ବୃତ୍ତିରେ ଯେ ଉତ୍କର୍ଷ ଲାଭ କରିଛି ଓ ଫଳ ପାଇଛି, ସେହି କେବଳ ସେହି ବୃତ୍ତି ପାଇଁ ଅନ୍ୟକୁ ଉପଦେଶ ଦେଇ ପାରିବ ଓ ତଦ୍ୱାରା ଅନ୍ୟ କଲୋଟିର ମଧ୍ୟ ଲାଭ ହେବ । ମାତ୍ର ମୋର ଦୃଢ଼ ଧାରଣା–ଶତକଡ଼ା ଶହେ ଧର୍ମ ପ୍ରଚାରକ ନିଜେ ଈଶ୍ୱରଙ୍କୁ ଦେଖି ନ ଥାନ୍ତି କି ଧର୍ମର ମର୍ମ ନିଜେ ଉପଲବ୍‌ଧି କରି ନ ଥାନ୍ତି । କିନ୍ତୁ ଅନ୍ୟକୁ ଧର୍ମ ଓ ଈଶ୍ୱରଙ୍କ ସମ୍ବନ୍ଧେ ଉପଦେଶ ଦେବାକୁ ଆଗଭର ହୋଇ ବାହାରି ପଡ଼ନ୍ତି । ଫଳରେ ତାହା ଆଫ୍ରିକା ମହାଦେଶର ସେହି ନରଖାଦକ ଗୋଷ୍ଠୀ ଓ ମିସନାରୀମାନଙ୍କ ବ୍ୟାପାର ଭଳି ଯେତିକି କରୁଣ, ସେତିକି ହାସ୍ୟକର ହୋଇଉଠେ ।

 

ସନ୍ନ୍ୟାସୀ ଦ୍ୱୟ ଏହିକଥା ଶୁଣି କ୍ରମଶଃ ନିରୁତ୍ସାହିତ ହୋଇ ପଡ଼ୁଥିଲେ । ମାତ୍ର ଆଫ୍ରିକାର ନରଖାଦକ ଓ ମିସନାରୀଙ୍କ ଭିତରେ କ’ଣ ଘଟିଲା ବୋଲି ସେମାନଙ୍କ ଚିତ୍ତରେ ହଠାତ୍‍ କୌତୁହଳ ଜାଗ୍ରତ ହେଲା । ସେମାନେ ପଚାରିଲେ–

 

ମହାଶୟ ! ଦୟାକରି ଆମକୁ ସେହି ନରଖାଦକ ଓ ମିସନାରୀମାନଙ୍କ ଗଳ୍ପ କହନ୍ତୁ ଏବଂ ତାହା ଶୁଣି ଆମର ମହାଶିକ୍ଷା ଲାଭ ହେଉ ।

 

ଡହରାନନ୍ଦଜୀ କଥାଟି ଆରମ୍ଭ କଲେ–ଆଫ୍ରିକା ମହାଦେଶରେ ଏକ ନରଖାଦକ ଗୋଷ୍ଠୀକୁ ଧର୍ମଶିକ୍ଷା ଦେବା ପାଇଁ ଇଂଲଣ୍ଡର ଏକ ଚର୍ଚ୍ଚ ସଂସ୍ଥା ଆୟୋଜନ କରିଥିଲେ ଏବଂ ପ୍ରତିବର୍ଷ ସେମାନଙ୍କ ପାଖକୁ ଜଣେ ଲେଖାଏଁ ପ୍ରବୀଣ ଧର୍ମଯାଜକ ପଠାଉଥିଲେ । କିନ୍ତୁ ବିସ୍ମୟକର କଥା ଯେ, ସେହି ପ୍ରବୀଣ ଧର୍ମଯାଜକମାନେ ଆଉ ସେଠାରୁ ଫେରୁ ନ ଥିଲେ ।

ଶେଷଥର ପାଇଁ ଯେଉଁ ଧର୍ମଯାଜକ ସେମାନଙ୍କ ପାଖରେ ଯାଇ ପହଞ୍ଚିଲେ ସେ ଥିଲେ ଜଣେ ସୁନ୍ଦର, ସ୍ୱାସ୍ଥ୍ୟବାନ ଓ ବୁଦ୍ଧିମାନ ଯୁବକ । ସମଗ୍ର ବାଇବେଲ ତାଙ୍କର ମୁଖସ୍ଥ ଥିଲା । ତାଙ୍କର ଶରୀରରେ ଉଜ୍ଜ୍ୱଳ ପ୍ରାଣଶକ୍ତି ଭରି ରହିଥିଲା ।

ସେଠାରେ ପହଞ୍ଚିଲା ପରେ ଏହି ତରୁଣ ସୁପୁଷ୍ଟ ଧର୍ମଯାଜକଙ୍କୁ ମହାସମାରୋହରେ ନରଖାଦକମାନଙ୍କ ରାଜାଙ୍କ ପାଖକୁ ନିଆଗଲା । ତାଙ୍କ ଆଗରେ ଓ ପଛରେ ଚାଙ୍ଗୁବାଜା ବାଜୁଥିଲା ଓ ତାଙ୍କ ଦୁଇକଡ଼ରେ ମଶାଲଧାରୀ ନରଖାଦକ ପ୍ରହରୀମାନେ ଚାଲିଥିଲେ । ତାଙ୍କୁ ଅଳ୍ପ ଦୂରରୁ ଦେଖି ନରଖାଦକମାନଙ୍କ ରାଜା ଖୁବ୍‍ ଉତ୍ସାହିତ ହୋଇ ପଡ଼ିଲେ । ତରୁଣ ଓ ସ୍ଵାସ୍ଥ୍ୟବାନ ସେହି ଧର୍ମଯାଜକ ତାଙ୍କ ପାଖକୁ ଗର୍ବିତ ପଦକ୍ଷେପରେ ଯାଇ କହିଲେ–ହେ ପାପୀ ଓ ନରଖାଦକମାନଙ୍କର ରାଜା ! ମୁଁ ଆପଣଙ୍କୁ ଓ ଆପଣଙ୍କ ପ୍ରଜାମାନଙ୍କୁ ଉଦ୍ଧାର କରିବାକୁ ପ୍ରେରିତ ହୋଇଅଛି । ମୁଁ ଆପଣମାନଙ୍କୁ ସ୍ୱର୍ଗ, ଆତ୍ମା ଓ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇବି । ମୁଁ ଆପଣମାନଙ୍କୁ ଏପରି ଜିନିଷ ପିଇବାକୁ ଦେବି–ଯାହା କି ଆପଣମାନଙ୍କୁ ସ୍ୱର୍ଗର ମଦିରା ଭଳି ଆନନ୍ଦ ଦେବ । ମୁଁ ଆପଣମାନଙ୍କୁ ଏପରି ଜିନିଷ ଖାଇବାକୁ ଦେବି–ଯାହା କି ଆପଣମାନଙ୍କୁ ସ୍ୱର୍ଗର ଅମୃତ ଭଳି ଆହ୍ଲାଦ ଦେବ ।

ଏହା ଶୁଣି ନରଖାଦକମାନଙ୍କର ରାଜା ପୁଲକିତ ହୋଇ ଉଠିଲେ । ସେ ଅଧୈର୍ଯ୍ୟ ହୋଇ କହିଲେ–ସେଇଥିଲାଗି ତ ମୁଁ ଆଉ ମୋର ପାତ୍ରମିତ୍ରମାନେ ଉତ୍ସୁକ ଆଉ ଅଧୀର ହୋଇ ଆପଣଙ୍କୁ ଅପେକ୍ଷା କରିଛୁ ।

 

ତରୁଣ ଧର୍ମଯାଜକ ଉତ୍‌ଫୁଲ୍ଲ ଉତ୍ସାହରେ ହସି ହସି ପଚାରିଲେ–କିନ୍ତୁ ଆପଣ ଆଗ କହନ୍ତୁ, ମୋ ପୂର୍ବରୁ ଏଠାକୁ ଆଉ ଯେଉଁ ପାଞ୍ଚଜଣ ଧର୍ମଯାଜକ ଆସିଥିଲେ, ସେମାନେ ଆପଣମାନଙ୍କୁ କିପରି ଲାଗିଲେ ?

 

ନରଖାଦକମାନଙ୍କ ରାଜା ଖୁବ୍‍ ବିରକ୍ତି ପ୍ରକାଶ କରି କହିଲେ–ଛି...ଛି...ଛି... । ଏପରି ଧର୍ମଯାଜକ କିଏ ଆମ ପାଖକୁ ପଠାଏ ? ସବୁଗୁଡ଼ାକ ବୁଢ଼ା ହଡ଼ା । ଦେହରେ ଟିକିଏ ଚର୍ବି ବା ମାଂସ ନ ଥିଲା । ଯାହା ବା ମାଂସ ଥିଲା ଆମକୁ ଲାଗିଲା ଶୁଖିଲା କତାଭଳି । ଆପଣ କିନ୍ତୁ ଆମକୁ ଖୁବ୍‍ ସୁଆଦ ଲାଗିବେ । ଆପଣଙ୍କ ଚେହେରା ଦେଖି ଆମ ପାଟିରୁ ଲାଳ ବୋହିଲାଣି ।

 

ଡହରାନନ୍ଦ ଏତିକିରେ କଥାଟିଏ ଶେଷ କରି ଦେଲେ । ସନ୍ନ୍ୟାସୀ ଦୁଇଜଣ ଆଉ କିଛି କଥା ନ କହି ନୀରବରେ ଘରୁ ବାହାରି ଗଲେ । ବାଟରେ ଜଣେ ଅପରକୁ ଧୀରସ୍ୱରରେ କହିଲେ–ଛି...ଛି...ଛି... । ଏଇ କଥା ଶୁଣିବା ଲାଗି ଆମେ ଏତେବାଟ ଏ ଲୋକଟା ପାଖକୁ ଧାଇଁ ଆସିଥିଲେ-? ହେ ଭଗବାନ !

☆☆☆

 

ସୁବୋଧ ସ୍ଵାମୀ ଓ ଅସନ୍ତୁଷ୍ଟ ସ୍ତ୍ରୀ ଉପାଖ୍ୟାନ

 

ବିବାହର କୋଡ଼ିଏବର୍ଷ ବିତିଯାଇଥିଲେ ବି ଏବଂ ଏହି କୋଡ଼ିଏବର୍ଷ କାଳ ଦିନରାତି ସ୍ତ୍ରୀଙ୍କ ମନୋରଞ୍ଜନ କରିବା ଲାଗି, ତାଙ୍କ ପ୍ରେମଭାଜନ ହେବା ଲାଗି ଓ ଆସ୍ଥା ଭାଜନ ହେବା ଲାଗି ସବୁତକ ସମୟ, ଶକ୍ତି, ଅର୍ଥ, ଧୈର୍ଯ୍ୟ ଓ କୌଶଳ ବ୍ୟୟ କରି ଦେଇ ସ୍ୱାମୀ ଜଣକ ଯେତେବେଳେ ଦେବାଳିଆ ହୋଇଗଲେ ଓ ପ୍ରାୟ ହତାଶ ହେବା ଅବସ୍ଥାକୁ ଆସିଗଲେ, ସେତେବେଳେ ସେ ଆଉ କିଛି ଉପାୟ ନ ପାଇ ବାବା ଡହରାନନ୍ଦଙ୍କ ପାଖକୁ ପରାମର୍ଶ କରିବା ପାଇଁ ଗଲେ । ଡହରାନନ୍ଦଜୀ ସେତେବେଳେ ବୁର୍ଲା ସହରରେ ତାଙ୍କର ଜଣେ ଡାକ୍ତର ବନ୍ଧୁଙ୍କ ଘରେ ରହୁଥିଲେ ।

 

ଭଦ୍ରଲୋକଙ୍କଠାରୁ ସବୁକଥା ଶୁଣିସାରି ସେ ତାଙ୍କୁ ନିକଟସ୍ଥ ହ୍ରଦକୂଳକୁ ଡାକିନେଲେ । ଗୋଟିଏ ଛାୟାଶୀତଳ ଗଛ ମୂଳେ ଦୁହେଁଜାକ ବସିଲା ପରେ ପ୍ରଥମେ ଡହରାନନ୍ଦ ପାଟି ଖୋଲିଲେ ।

 

ବୁଝିଲ ବନ୍ଧୁ ! ବୈବାହିକ ଜୀବନର କୋଡ଼ିଏଟି ଅମୂଲ୍ୟ ବର୍ଷ ତୁମେ ତୁମର ବୋକାମୀ ଓ ଭଲପଣିଆରୁ ନଷ୍ଟ କରି ସାରିଲଣି । ସଚରାଚର ଦାମ୍ପତ୍ୟ ଜୀବନରେ ବାଧ୍ୟ ସ୍ୱାମୀମାନେ ଶତକଡ଼ା ଅନେକାଂଶ କ୍ଷେତ୍ରରେ ସେମାନଙ୍କ ପତ୍ନୀମାନଙ୍କର ଆସ୍ଥାଭାଜନ ହୋଇ ପାରନ୍ତି ନାହିଁ ବୋଲି ତୁମେ କିପରି ଆଜିଯାଏ ମଧ୍ୟ ବୁଝି ପାରିଲ ନାହିଁ ?

 

ବିଫଳମନା ସ୍ୱାମୀଟି କହିଲେ ଆଜ୍ଞା ! ଦାମ୍ପତ୍ୟ ପ୍ରେମରେ ସ୍ୱାମୀ ତା’ର ସ୍ତ୍ରୀର ନିତାନ୍ତ ବାଧ୍ୟ ହେବା ଉଚିତ ବୋଲି ଆମର ପ୍ରେମତତ୍ତ୍ୱବିଦ୍‍ମାନେ ଖୁବ୍‍ ଉଚ୍ଚସ୍ୱରରେ ଘୋଷଣା କରିଛନ୍ତି ।

 

ଡହରାନନ୍ଦ କହିଲେ ଦାମ୍ପତ୍ୟ ପ୍ରେମ କଥା ଅଲଗା ଓ ସ୍ତ୍ରୀର ଆସ୍ଥାଭାଜନ ହେବା ପ୍ରସଙ୍ଗ ମଧ୍ୟ ଅଲଗା । ଅନେକ ସମୟରେ ଦେଖାଯାଏ ଯେ ସ୍ତ୍ରୀ ଲୋକଟିଏ ସେହି ପୁରୁଷଟିର ପିଛା ପଡ଼ିଛି ଯାହା ଉପରେ ତା’ର ତିଳେମାତ୍ର ବି ଆସ୍ଥା ନାହିଁ । ଆପଣ ଆପଣଙ୍କ ସ୍ତ୍ରୀଙ୍କଠାରୁ କ’ଣ ଆଶାକରୁଥିଲେ, ପ୍ରେମ ନା ଆସ୍ଥା ?

 

ବିଫଳମନା ସ୍ୱାମୀ କହିଲେ ଉଭୟ ଆଜ୍ଞା ! ଆସ୍ଥା ଓ ପ୍ରେମ ଉଭୟ ।

 

ଦାହରାନନ୍ଦ କହିଲେ–ମୋ ମତରେ ଜଣେ ବିଜ୍ଞସ୍ୱାମୀ ଆସ୍ଥା ଓ ପ୍ରେମ ଭିତରୁ କେବଳ ଗୋଟିଏ କଥା ଆଶା କରିବା ଉଚିତ ଓ ସେତେକ ପାଇଲେ ସନ୍ତୁଷ୍ଟ ହୋଇଯିବା ଉଚିତ । ମୁଁ ବର୍ତ୍ତମାନ ଗୋଟିଏ ଛୋଟ ଗପ କହୁଛି ଶୁଣନ୍ତୁ । ଯଦି ଆପଣଙ୍କର ବୁଝିପାରିବାର କ୍ଷମତା ଥାଏ ତେବେ ସେତିକି ମାତ୍ର ଗପରୁ ଆପଣ ଆପଣଙ୍କ ସଂକଟର ସମାଧାନ ପାଇଯିବେ । ଶୁଣନ୍ତୁ.....

 

ଜଣେ ଭଦ୍ର ମହିଳାଙ୍କୁ ମୁଁ ଜାଣେ ଯେକି ତାଙ୍କର ନିରୀହ ବାଧ୍ୟ ସ୍ୱାମୀ ବିଚରାଟି ଉପରେ ସବୁବେଳେ ଖିଟିଖିଟି ହୁଅନ୍ତି ଏବଂ ଅନ୍ୟ ମହିଳାମାନଙ୍କ ଆଗରେ ତାଙ୍କର ଏ ସ୍ଵଭାବଟି ପୁଣି ଆହୁରି ତୀବ୍ର ଭାବେ ପ୍ରକାଶ ପାଏ । ଦିନକର କଥା । ସନ୍ଧ୍ୟା ପ୍ରାୟ ହୋଇ ଆସିଲାଣି । ପାଞ୍ଚ ଛଅଜଣ ପଡ଼ୋଶୀ ମହିଳାଙ୍କ ସାଙ୍ଗରେ ଡ୍ରଇଁ ରୁମ୍‌ରେ ବସି ଭଦ୍ରମହିଳା ଗଳ୍ପ ଛଳରେ ତାଙ୍କର ସେହି ନିରୀହ ବାଧ୍ୟ ସ୍ୱାମୀଙ୍କ ବିରୋଧରେ ଉତ୍ତ୍ୟକ୍ତ ହୋଇ କହି ଚାଲିଥାନ୍ତି ।

 

ଆପଣ ଗୋଟିଏ ମୁହୂର୍ତ୍ତ ବି ଏଭଳି ପୁରୁଷ ସଙ୍ଗେ ଚଳିପାରିବେ ନାହିଁ । ଏଭଳି ଭୁଲାମନ ! ମୁଁ ତାଙ୍କୁ ସାବୁନ ପାଇଁ ବଜାରକୁ ପଠାଇଥିବି ସେ ନେଇ ଆସିବେ ପିଆଜ । ମୁଁ ଯଦି ପିଆଜ ପାଇଁ କହିଥିବି ସେ ନେଇ ଆସିବେ ସଜନା ଛୁଇଁ । ଦେଖନ୍ତୁ ଘଣ୍ଟାଏ ହେଲା ବଜାର ଗଲେଣି । ମୁଁ ତାଙ୍କୁ ଡର୍ଜନେ କାଗେଜୀ ଲେମ୍ବୁ ପାଇଁ ବଜାର ପଠାଇଥିଲି ସେ ବୋଧେ ନେଇକରି ଆସିବେ ଡର୍ଜନେ ମୂଳା । ଟିକିଏ ଅପେକ୍ଷା କରନ୍ତୁ ଦେଖିବେ ମୋ କଥା ସତ କି ନୁହେଁ ।

 

ସତକୁସତ ତାଙ୍କ ସ୍ୱାମୀ ସେହିକ୍ଷଣି ପହଞ୍ଚିଗଲେ । ତାଙ୍କର ସରଳ ମୁହଁଟି ଖୁବ୍‍ ହସହସ ଆଉ କୌତୁକିଆ ଦିଶୁଥିଲା । ତାଙ୍କୁ ଦେଖିବା ମାତ୍ରେ ଖିଟିଖିଟି ସ୍ଵଭାବ ସ୍ତ୍ରୀ ଲୋକଟି ଚିହିଙ୍କିଗଲା ପରି ତାଙ୍କୁ ଜେରା କରି ବସିଲା–

 

କଅଣ ଆଣିଛ ଶେଷକୁ ?

 

ଦେଖେଁ–ଏଣିକି ଆସିଲ !

 

ସ୍ୱାମୀ ଗୋଟିଏ ମନିପର୍ସ ସମସ୍ତଙ୍କ ଆଗରେ ମେଲାଇ ଦେଇ ଖୁବ୍‍ ଗର୍ବ ସ୍ୱରରେ କହିଲେ ଦେଖ ! ଏହି ମନିପର୍ସଟି ବଜାରକୁ ପଶିବା ବାଟରେ ପଡ଼ିଥିଲା । ଏଥିରେ ପାଞ୍ଚଶ ଟଙ୍କାର ନୋଟ, ପନ୍ଦର ଟଙ୍କାର ରେଜାମୁଦ୍ରା ରହିଛି । ମୁଁ ପର୍ସଟି ପାଇ ବଜାର ମଝିରେ ଥିବା ପୂଜାବେଦୀ ଉପରେ ଠିଆ ହୋଇ ପାଟିକରି ବହୁବାର କହିଲି ଭାଇ ଓ ଭଉଣୀମାନେ ! ବାଟରୁ ମୁଁ ଗୋଟିଏ ମନିପର୍ସ ପାଇଛି, ଯାହାର ପର୍ସ ହଜିଛି ସେ ଉପଯୁକ୍ତ ପ୍ରମାଣ ଦେଇ ମୋଠାରୁ ତାହା ନେଇ ଯା’ନ୍ତୁ-। ଏହିପରି ଅଧଘଣ୍ଟାଏ ଚିଲେଇବା ପରେ ଜଣେ ଭଦ୍ରମହିଳା ଆସି ମୋ ପାଖରେ ପହଞ୍ଚିଗଲେ ଓ ତାଙ୍କ ପର୍ସ ବୋଲି ଉପଯୁକ୍ତ ପ୍ରମାଣ ଦେଲେ । ପ୍ରକୃତରେ ତାଙ୍କପର୍ସରେ ପାଞ୍ଚ ହଜାର ପନ୍ଦର ଟଙ୍କା ଥିଲା । ସେତେକ ଫେରି ପାଇବାରୁ ସେ ଖୁବ୍‍ ଖୁସି ହୋଇଗଲେ ଓ କୃତଜ୍ଞତା ଜଣାଇବା ଲାଗି ସେ ମୋର ହାତଟିକୁ ନେଇ ଚୁମ୍ବନ କଲେ । ତାପରେ ହସି ହସି ସେହି ପର୍ସଟି ଭିତରେ ସେ ପାଞ୍ଚଶ ଟଙ୍କାର ନୋଟ ପନ୍ଦର ଟଙ୍କାର ରେଜା ରଖି ଅବଶିଷ୍ଟ ଟଙ୍କା ତାଙ୍କର ଭ୍ୟାନିଟି ବ୍ୟାଗରେ ରଖିଲେ ଓ ଏହି ପର୍ସଟି ମୋ ହାତକୁ ବଢ଼ାଇ ଦେଇ କହିଲେ ଆପଣ ବିବାହିତ କି ନୁହେଁ ମୁଁ ଜାଣି ପାରୁନାହିଁ । ଯଦି ଆପଣ ବିବାହିତ ହୋଇଥାନ୍ତି ତେବେ ଆପଣଙ୍କ ସ୍ତ୍ରୀଙ୍କ ପ୍ରତି ମୋର ଈର୍ଷା ହେଉଛି । କାରଣ ସେ ଏଡ଼େ ସୁନ୍ଦର ସାଧୁସ୍ଵଭାବ ସରଳ ସ୍ୱାମୀ ପାଇଛନ୍ତି । ଆପଣ ଯଦି ବିବାହ ନ କରିଥାନ୍ତି ତେବେ ମୁଁ ମୋର ଭାଗ୍ୟକୁ ନିନ୍ଦା କରୁଛି । କାରଣ ଆପଣଙ୍କ ଭଳି ସରଳ ସାଧୁସ୍ଵଭାବର ସ୍ୱାମୀଟିଏ ପାଇବା ପାଇଁ ମୁଁ ପ୍ରାୟ ଦଶବର୍ଷ ଅପେକ୍ଷା କରି କରି ଏଇ ଗତ ମାସରେ ଏପରି ଗୋଟିଏ ପୁରୁଷକୁ ବାଧ୍ୟ ହୋଇ ବାହାହୋଇ ପଡ଼ିଲି ଯେ କି ମାତ୍ର ପନ୍ଦରଟି ଟଙ୍କା ପାଇଁ ଆପଣଙ୍କ ଭଳି ଜଣେ ସରଳ ସାଧୁ ଲୋକକୁ ବିନାଦ୍ଵିଧାରେ ମର୍ଡ଼ର କରିଦେବେ । ଛାଡ଼ନ୍ତୁ ! ଯାହାର ଯାହା ଭାଗ୍ୟ । ତେବେ ଆପଣଙ୍କ ପ୍ରତି ମୋର କୃତଜ୍ଞତା ସ୍ୱରୂପ ମୁଁ ଆପଣଙ୍କୁ ପାଞ୍ଚଶ ପନ୍ଦର ଟଙ୍କା ସହିତ ଏହି ସୁନ୍ଦର ପର୍ସଟି ଉପହାର ଦେଉଛି । ଯେପରି କି ଆପଣ ଚିରଦିନ ଏହି ସକୃତଜ୍ଞ ହତଭାଗିନୀ ମହିଳାଟିର କଥା ମନେ ରଖିଥିବେ ଏବଂ ମତେ ମଧ୍ୟ ଆପଣଙ୍କ ସହିତ ଏହି ମଧୁର ପବିତ୍ର ମିଳନର ମୁହୂର୍ତ୍ତ କେତୋଟିକି ଦିନରାତି ଭଳି ହେଉଥିବାର ସୁଯୋଗ ଦେବେ ।

 

ଏତିକି କହି ଭଦ୍ରଲୋକ ସ୍ତ୍ରୀଙ୍କ ହାତକୁ ଟଙ୍କା ସମେତ ପର୍ସଟି ବଢ଼ାଇ ଦେଲେ । ବାଘୁଣୀଟିଏ ଶୀକାରକୁ ଝାମ୍ପି ନେଲାପରି ସେ ସେଇଟିକୁ ଝାମ୍ପିନେଇ ଆପଣା ଜଙ୍ଘତଳେ ମାଡ଼ି ବସିଲେ ଏବଂ ତାଙ୍କ ଆଖିରୁ ନିଆଁ ଝରାଇ ସମବେତ ପଡ଼ୋଶୀ ମହିଳାମାନଙ୍କ ଉଦ୍ଦେଶ୍ୟରେ କହିଲେ: ଦେଖିଲେ ତ ? ଡର୍ଜନେ କାଗେଜି ଲେମ୍ବୁ ପାଇଁ ବାବୁ ଯାଇଥିଲେ ବଜାର ଘଣ୍ଟାଏ ହେଲାଣି । କାଗେଜି ଲେମ୍ବୁ ଚୂଲୀକି ଗଲା । କି ସବୁ ଅଭାବିତ କାଣ୍ଡ କରିଆସିଛନ୍ତି ଦେଖନ୍ତୁ ଆପଣମାନେ ।

 

ତା’ ପରେ ସେ ସ୍ୱାମୀଙ୍କୁ ଜେରାକଲା ଭଳି ଉତ୍ତ୍ୟକ୍ତ ସ୍ୱରରେ ପ୍ରଶ୍ନକଲେ–

 

ମୁଁ ତୁମର ଭୁଲାମନ ଦୋଷଟି ଜାଣି ଥିଲି । ଏପରିକି ତୁମେ କିଛି କିଛି ବୋକା ବୋଲି ମଧ୍ୟ ଜାଣିଥିଲି । କିନ୍ତୁ ତୁମେ ଯେ ଏଭଳି ଚରିତ୍ରହୀନ ହୋଇପାର ସେ କଥା ମତେ ଜଣା ନ ଥିଲା-। ଆଚ୍ଛା ମୁଁ ପଚାରୁଛି ସେ ବଜାତ କୁହାଳୀ ମାଇକିନା କୋଉ ସାହସରେ ଭଲା ସମସ୍ତଙ୍କ ଆଗରେ ତୁମର ହାତଟାକୁ ଟାଣିନେଇ ଚୁମା ଦେଲା ମତେ କୁହତ ! ତୁମେ ଏଇ ହାତରେ ମୋ ହାତଧରି ଚନ୍ଦ୍ର ସୂର୍ଯ୍ୟ ଅଗ୍ନିକୁ ସାକ୍ଷୀକରି ମତେ ବାହା ହୋଇଥିଲ ନା ? ଛି–ଛି–ଛି ଲାଜ ନାହିଁ ? ଫେରେ ଏତେ ଭଦ୍ରମହିଳାଙ୍କ ଆଗରେ ଏଇ ସବୁ ଅଶ୍ଳୀଳ ଅସ୍ନା କଥା ଗୁଡ଼ାକ ନିଜର ପୌରୁଷ ବାହାଦୂରୀ ଦେଖାଇ ଗପି ଚାଲିଛ ? ଛି–ଛି–ଛି–ଦେଖନ୍ତୁ ! ଭଉଣୀମାନେ ! ଆପଣମାନଙ୍କ ଭିତରୁ କେହି ଭଲା ଏଭଳି ଅମନଯୋଗୀ ଅବାଧ୍ୟ ଅଶ୍ଳୀଳ ଆଉ ଚରିତ୍ରହୀନ ପୁରୁଷ ସଙ୍ଗେ ଘଡ଼ିଏ ମାତ୍ର ଚଳି ପାରିବେ ?

 

ସମବେତ ମହିଳାମାନଙ୍କ ଭିତରୁ ଜଣେ ରସବତୀ ବିଦଗ୍ଧ ଭାଷିଣୀ ମହିଳା ହସି ହସି କହିଲେ–ଖୁବ୍‍ ପାରିବି ଭଉଣୀ । ଆଜି ରାତିଟା ପାଇଁ ଅନ୍ତତଃ ଆପଣ ତାଙ୍କୁ ମୋ ସାଙ୍ଗରେ ଛାଡ଼ିଦିଅନ୍ତୁ । ଆଉ ଦେଖନ୍ତୁ କି ଅକ୍ଳେଶରେ ଆଉ ଆନନ୍ଦରେ ମୁଁ ତାଙ୍କ ସହିତ ସାରାରାତିଟା କଟେଇ ଦେଇପାରୁଛି ।

 

ଏହା ଶୁଣି ଆଉ ଜଣେ ମହିଳା ଉତ୍ତେଜିତ ସ୍ୱରରେ କହିଉଠିଲେ ଦେଖ ଭଉଣୀ ତୁମେ ଯଦି ତାଙ୍କୁ ସତରେ ଛାଡ଼ିପାରିବ ତେବେ ଗୋଟିଏ ରାତି କାହିଁକି ସାତରାତି ମୁଁ ତୁମର ଏଇ ଅମନଯୋଗୀ ଅବାଧ୍ୟ ଆଉ ଅଶ୍ଳୀଳ ପୁରୁଷଟି ସହିତ ସ୍ୱର୍ଗୀୟ ଆନନ୍ଦ ବିଳାସ ମଧ୍ୟରେ କଟାଇ ଦେଇପାରିବି । କିନ୍ତୁ ଏକଥା ମଧ୍ୟ ସତ ଯେ ତୁମର ଏହି ସ୍ୱାମୀଙ୍କ ଭାଗ୍ୟରେ ସବୁଦିନେ ବଜାର ବାଟରେ ଏହିଭଳି ଟଙ୍କାଭର୍ତ୍ତି ପର୍ସଟିଏ ପଡ଼ି ନ ଥିବ । ତେଣୁ ମୁଁ ମଧ୍ୟ ଆଜି ରାତିଟା ପାଇଁ ଅନ୍ତତଃ ତାଙ୍କୁ ପାଇଲେ ଖୁବ୍‍ ଆନନ୍ଦରେ ତାଙ୍କ ସହ ରାତିଟାଜାକ କଟାଇ ଦେଇ ପାରିବି ।

 

ଡହରାନନ୍ଦ କଥାଟି ଏତିକିରେ ଶେଷ କରି କହିଲେ–ଦେଖ ବନ୍ଧୁ ! ନାରୀ ବା ପୁରୁଷ କାହାର ନିନ୍ଦାବାଦ କରିବା ମୋର ପ୍ରକୃତି ନୁହେଁ । କୋଉ କଥା ଲାଗି କାହାକୁ ସର୍ବତୋଭାବେ ଦୋଷ ଦେଇ ହେବ ନାହିଁ । କିମ୍ବା ଦାୟୀ କରାଯାଇ ପାରିବ ନାହିଁ । ମଣିଷର ଜୀବନରେ ଯେତେପ୍ରକାର ପ୍ରେମ ଅଛି ସବୁଥିରେ ଗୁଣ ଅପେକ୍ଷା ଦୋଷର ମାତ୍ରା ଅଧିକ ରହିଛି । ଦାନ୍ତତ୍ୟ ପ୍ରେମକୁ ମଧ୍ୟ ଏତେ ବେଶୀ ଗୁରୁତ୍ୱ ଦେବା ଉଚିତ ନୁହେଁ । କାରଣ ଏହା ମଧ୍ୟ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇ ପାରେନା । ମୋର ପରାମର୍ଶ ହେଲା–ଆପଣ ଏଣିକି ଅଯଥାରେ ଏ ବ୍ୟାପାରରେ ଏତେ ଗୁରୁତ୍ୱ ଦିଅନ୍ତୁ ନାହିଁ । ଗୁରୁତ୍ୱ ପାଇଁ ସାମର୍ଥ୍ୟ ନ ଥିବା ବିଷୟଟି ଉପରେ ଅତ୍ୟଧିକ ଗୁରୁତ୍ୱ ଦେଲେ ତାହା ଓଜନ ସମ୍ଭାଳି ନ ପାରି ଭାଙ୍ଗି ପଡ଼େ । ଶେଷକଥା ମନେ ରଖିବେ କାହାକୁ ସନ୍ତୁଷ୍ଟ କରିବାକୁ ଆପଣ ସାରାଜୀବନଟି ନଷ୍ଟ ହେବାକୁ ଦେବେନାହିଁ । କାରଣ ଏ ପୃଥିବୀରେ କେହି କାହାକୁ ସଂପୂର୍ଣ୍ଣ ଭାବେ ସନ୍ତୁଷ୍ଟ କରି ପାରିବ ନାହିଁ ।

☆☆☆

 

ହାତ ଧରାଧରି ପ୍ରସଙ୍ଗ

 

ଆଉ ଦିନେ ମୁଁ ଡହରାନନ୍ଦଜୀଙ୍କୁ ପଚାରିଲି–ଡହରାନନ୍ଦଜୀ ! ଏ ସଂସାର ଘୋର ଆପଦ ବିପଦରେ ପୂର୍ଣ୍ଣ । କେତେବେଳେ କାହାକୁ କୋଉ ବିପଦ ପଡ଼ିବ, କିଛି ଠିକ୍‍ ଠିକଣା ନାହିଁ । ଏଣେ ପୁଣି ଆଜିକାଲି ସମୟ ଏପରି ହେଲାଣି ଯେ ଏବଂ ଲୋକମାନେ ଏପରି ଖଳବଳ ହେଲେଣି ଯେ, ଆପଣଙ୍କୁ ବିପଦ ବେଳରେ କିଏ ରକ୍ଷା କରିବା ତ ଦୂରର କଥା, ଆପଣ ଯଦି ନଈ ଅତଡ଼ା ଉପରେ ଠିଆହୋଇଥାନ୍ତି ତେବେ ଆପଣଙ୍କ ଅଲକ୍ଷ୍ୟରେ ଆପଣଙ୍କୁ ବଢ଼ନ୍ତା ନଈ ଭିତରକୁ ଠେଲିଦେବେ । ଏକଥା ଭାବିଲେ–ମଣିଷ ଉପରେ ଆଉ ବିଶ୍ୱାସ କି ଆସ୍ଥା ରହୁନାହିଁ । ଏଣେ ବୟସ ଯେତିକି ବଢ଼ୁଛି, ଏହି ବିପଦସଙ୍କୁଳ ସଂସାର ପ୍ରତି ଭୟ ଆଶଙ୍କା ମଧ୍ୟ ସେତିକି ବଢ଼ି ଯାଉଛି ।ମୋର ତ ମନେ ହେଉଛି ଯଦି ଚାଲୁ ଚାଲୁ ମୁଁ ରାସ୍ତାରେ ପଡ଼ିଯାଏ ତେବେ ମୁଁ ସେମିତି ରାସ୍ତାରେ ପଡ଼ିଥିବି । ଲୋକେ ମୋ ପାଖଦେଇ ଚାଲିଯାଉଥିବେ–କେହି ସେଠି ଅଟକି ଠିଆ ହେବେ ନାହିଁ–କି ମୋ ହାତଧରି ଉଠାଇଦେବେ ନାହିଁ । ମତେ ଲାଗୁଛି–ଆମେ ଜୀବଜନ୍ତୁଙ୍କ ମେଳରେ ଥିଲେ ବରଂ ଭଲ ହୋଇଥାନ୍ତା । ମାତ୍ର ଆମେ ମଣିଷଙ୍କ ମେଳରେ ଅଛୁ । କିନ୍ତୁ ମଣିଷ ଉପରେ ଆମର କିଛି ଭରସା ରହୁନାହିଁ । ଆପଣଙ୍କର ଏ ସମ୍ବନ୍ଧେ ଉପଦେଶ କ’ଣ ? ମୋର ତ ଦିନକୁ ଦିନ ମଣିଷ ଉପରୁ ଆସ୍ଥା ତୁଟି ଯାଉଛି ।

 

ଡହରାନନ୍ଦଜୀ କହିଲେ–ତମେ ଯାହା ଆକ୍ଷେପ କଲ ବା ଆଶଙ୍କା କଲ ତାହା ମିଛ ବୋଲି ମୁଁ କହିପାରୁ ନାହିଁ । କିନ୍ତୁ ଏହାକୁ ପୂରା ସତ ବୋଲି ମଧ୍ୟ ମୁଁ ଗ୍ରହଣ କରିପାରୁ ନାହିଁ । ଆମେ ଯେତେବେଳେ ମଣିଷ ଉପରେ କିଛି ଅନାସ୍ଥାଭାବ ପ୍ରକାଶ କରୁ–କିମ୍ବା ଆମେ ଯେତେବେଳେ ମଣିଷମାନଙ୍କର ଅଭାବ ଦିଗଟି ଉପରେ ଆଲୋଚନା କରୁ–ସେତେବେଳେ ଆମେ ନିଜକୁ ଅଲଗା କରି ସେ ସବୁ କଥା କହୁଥାଉ । କିନ୍ତୁ ମଣିଷର ଯାହାକିଛି ସଦ୍‌ଗୁଣ ବର୍ଣ୍ଣନା କଲାବେଳେ ଅଥବା ମଣିଷର କୀର୍ତ୍ତି ବା ମହିମା ଘୋଷଣା କଲାବେଳେ ଆମେ ମଣିଷ ଜାତି ସହିତ ନିଜକୁ ସାମିଲ କରି ସେ ଗୌରବରେ ଭାଗ ନେଇଥାଉ । ଅନ୍ୟ ମଣିଷ ମାନକୁ ସ୍ୱାର୍ଥପର କହିଲାବେଳେ ବା ଅବିଶ୍ଵାସୀ କହିଲାବେଳେ ଆମେ ନିଜକୁ ଖୁବ୍‍ ନିଃସ୍ୱାର୍ଥପର ଓ ବିଶ୍ୱସ୍ତ ବୋଲି ଭାବିଥାଉ । ଆଉ ମଧ୍ୟ ଯୋଉ ଲୋକ ପଡ଼ୋଶୀଘରର କେହି ମରିଗଲେ ତା’ର ଶବକୁ ନିଜ କାନ୍ଧରେ ବୋହିନେଇ ଶ୍ମଶାନ ଯାଏ ଯିବାକୁ କୁଣ୍ଠିତ ହେଉଥାଏ ସେହି କେବଳ ସବୁବେଳେ ଆଶଙ୍କା କରୁଥାଏ ଯେ, ଦିନେ ସେ ମଧ୍ୟ କୋଉଦିନ ତା’ ଘରେ ମରି ଶୋଇବ ଓ ତା’ ମଡ଼ା ସେଇ ଘର ଭିତରେ ପଚି ସଡ଼ିବ ଓ ତା’ ଭିତରେ ପୋକ ସାଲୁବାଲୁ ହେବେ; ତା’ ମଡ଼ାକୁ କେହି ମଶାଣୀକୁ ନେଇ ଦଗ୍ଧ କରିବେ ନାହିଁ । ଆଧୁନିକ ମଣିଷମାନଙ୍କର ଅନ୍ୟ ମଣିଷଟି ପ୍ରତି ସନ୍ଦେହ ଏକ ମାନସ୍ତାତ୍ତ୍ଵିକ ରୋଗ ହୋଇ ଉଠିଲାଣି । ଏହାର ଅସଲ କାରଣଟି ହେଲା–ଆଧୁନିକ ଯୁଗରେ ସତକୁ ସତ କେହି କାହା ଆଡ଼କୁ ହାତ ବଢ଼ାଇ ଦିଏ ନାହିଁ । ନିଜେ ବିପଦରୁ ରକ୍ଷା ପାଇବାକୁ ନୁହଁ କି ଅପରକୁ ମଧ୍ୟ ବିପଦରୁ ରକ୍ଷା କରିବାକୁ ନୁହଁ । ସେଇଥି ପାଇଁ ଆମେ ଏପରି ଆଶଙ୍କା ଓ ଆତଙ୍କଗ୍ରସ୍ତ ହୋଇ ପଡ଼ିଛୁ । ମୋ ନିଜର ଗୋଟିଏ ଅଭିଜ୍ଞତା କଥା ଶୁଣ–

 

ଦିନେ ମୁଁ ଗୋଟିଏ ଛୋଟ ମଫସଲି ସହରରେ ବୁଲୁଥିଲି । ହଠାତ୍‍ ମୋ ଆଖିରେ ପଡ଼ିଲା ଯେ, କେତେକ ଲୋକ ଗୋଟିଏ ନଣ୍ଡା କୂଅକୁ ଘେରି କୋଳାହଳ କରୁଛନ୍ତି । ସେଠାରେ ପହଞ୍ଚି ମୁଁ ଘଟଣାଟି ବୁଝିନେଲି । ଜଣେ ସନ୍ନ୍ୟାସୀ ସେହି ନଣ୍ଡା କୂଅଟି ଭିତରେ ପଡ଼ିଯାଇଛନ୍ତି ଏବଂ ରକ୍ଷାକର ରକ୍ଷାକର ବୋଲି ଚିତ୍କାର ଛାଡ଼ୁଛନ୍ତି । ପ୍ରାୟ ହାତେ ଦୂରରେ କୂଅରେ ପାଣି ରହିଥାଏ । କେତେକ ଲୋକ କୂଅ ଭିତରକୁ ନଇଁପଡ଼ି ଚିତ୍କାର ଛାଡ଼ୁଥାନ୍ତି–ବାବାଜୀ ! ଆପଣ ହାତ ଟେକି ଦିଅନ୍ତୁ, ଆମେ ଆପଣଙ୍କୁ ଉଠାଇ ଆଣିବୁ । କିନ୍ତୁ କୂଅ ଭିତରେ ଥାଇ ବାବାଜୀ ତାଙ୍କ ହାତ ଟେକୁ ନ ଥାନ୍ତି ଅଥଚ ‘ରକ୍ଷାକର–ରକ୍ଷାକର’ ବୋଲି ଚିତ୍କାର ଛାଡ଼ୁଥାନ୍ତି । ଏହା ଦେଖି ମୁଁ ଘଟଣାଟି ବୁଝିପାରି ସେହି କୋଳାହଳ ସର୍ବସ୍ୱ ଲୋକମାନଙ୍କୁ କୂଅ ପାଖରୁ ଆଡ଼େଇ ଦେଲି । ଏବଂ କୂଅ ଭିତରକୁ ସାମାନ୍ୟ ଝୁଙ୍କି ପଡ଼ିଲି ଏବଂ ଆଉ ଦୁଇଜଣ ବଳିଷ୍ଠ ଯୁବକଙ୍କୁ ମତେ ପଛଆଡ଼ୁ ଧରିବାକୁ ପରାମର୍ଶ ଦେଲି । ସେଇଠୁ ମୋ ହାତଟି କୂଅ ଭିତରକୁ ଗଳାଇ ଦେଇ ପାଟିକରି କହିଲି–ବାବାଜୀ-! ଏଇ ଦେଖନ୍ତୁ ମୋ ହାତଟି ମୁଁ ବଢ଼ାଇ ଦେଉଛି । ଏବେ ମୋ ହାତକୁ ଧରି ପକାନ୍ତୁ; ମୁଁ ଟାଣି ଆଣିବି । କୂଅ ଭିତରେ ମୋ ହାତଟିକୁ ଦେଖିପାରି ବାବାଜୀ ସଙ୍ଗେ ସଙ୍ଗେ ମୋ ହାତଟିକୁ ଖପକରି ଧରି ପକାଇଲେ ଏବଂ ମୁଁ ତାଙ୍କୁ ଆସ୍ତେ ଆସ୍ତେ ଉପରକୁ ଉଠାଇ ଆଣିଲି ।

 

ଏବେ ବ୍ୟାପାରଟି ବୁଝିଲ ତ ? ଯେଉଁମାନେ ବାବାଜୀଙ୍କୁ ରକ୍ଷା କରିବାକୁ ଚାହୁଁଥିଲେ ଏବଂ ବାବାଜୀଙ୍କୁ ହାତଟେକିବାକୁ କହୁଥିଲେ ସେମାନେ କେହି ନିଜଆଡ଼ୁ କୂଅ ଭିତରକୁ ଆପଣା ହାତଟି ବଢ଼ାଇ ଦେଉ ନ ଥିଲେ । ସେମାନେ କେବଳ ବାବାଜୀକୁ ହାତ ଟେକିବା ପାଇଁ ଚିଲ୍ଲାଉ ଥିଲେ । ଆରପକ୍ଷରୁ ମଧ୍ୟ କଥାଟି ଏକାପରି । କୂଅ ଭିତରେ ପଡ଼ି ରକ୍ଷାପାଇବାକୁ ବିକଳରେ ଚିତ୍କାର ଛାଡ଼ୁଥିବା ବାବାଜୀଟି ମଧ୍ୟ ନିଜ ହାତଟି ରକ୍ଷାକାରୀଙ୍କ ଆଡ଼କୁ ବଢ଼ାଇ ଦେଉ ନ ଥିଲେ ।

 

ଏପରି କ୍ଷେତ୍ରରେ ବନ୍ଧୁ ! ତୁମେ ଯଦି ବିପଦରେ ପଡ଼ି ସତକୁ ସତ କାହାଠାରୁ ସାହାଯ୍ୟ ଚାହୁଁ ଥାଅ, ତେବେ ପୂରା ବିଶ୍ଵାସ ଆଉ ନିର୍ଭରତାରେ ଅନ୍ୟ ଆଡ଼କୁ ସହଜରେ ତୁମର ପ୍ରାର୍ଥୀ ହାତଟିକୁ ବଢ଼ାଇ ଦିଅ । ଅପରପକ୍ଷରେ–ତୁମେ ମଧ୍ୟ ଯଦି ଆଉ କାହାକୁ ବିପଦରୁ ରକ୍ଷା କରିବାକୁ ସତକୁ ସତ ଚାହୁଁଥାଅ ତେବେ ତା’ ହାତକୁ ଅପେକ୍ଷା ନ କରି ତାକୁ ଖୁବ୍‍ ନିର୍ଭର ବିଶ୍ଵାସ ଆଉ ଆସ୍ଥା ଦେଖାଇ ପ୍ରଥମେ ତୁମଆଡ଼ୁ ତୁମହାତଟି ତା’ ଆଡ଼କୁ ବଢ଼ାଇ ଦିଅ । ଏ କ୍ଷେତ୍ରରେ ମଣିଷ ପାଇଁ ଆଉ ବିକଳ୍ପ ବ୍ୟବସ୍ଥା ନାହିଁ । ଆଉ ଏ କଥାଟି ମଧ୍ୟ ଆଜିଠାରୁ ବରାବର ମନେ ରଖ ଯେ, ତୁମକୁ ଭାଗ୍ୟବଶତଃ ଦିଆଯାଇଥିବା ଦୁଇଟି ହାତରୁ ଗୋଟିଏ ହାତ ଅନ୍ୟ ହାତ ଧରିବାକୁ ପ୍ରସ୍ତୁତ ଥାଉ ଏବଂ ତୁମର ଅନ୍ୟହାତଟି ଆଉ କାହା ହାତରେ ଧରାଦେବାକୁ ପ୍ରସ୍ତୁତ ଥାଉ ।

☆☆☆

 

ଭାଗ୍ୟ ଦେବୀଙ୍କ ବରଦାନ

 

ମୁଁ ଆଉ ମୋର ଜଣେ ବନ୍ଧୁ କିଛି ବର୍ଷ ତଳେ ବାବା ଡହରାନନ୍ଦଙ୍କ ସହିତ ଗୋଟିଏ ସପ୍ତାହ ଏକତ୍ର ରହିବାର ସୁଯୋଗ ପାଇଥିଲୁ । ସେତେବେଳେ ଡହରାନନ୍ଦଜୀ ଭଞ୍ଜନଗରରେ ତାଙ୍କର ସାନଭାଇ ପାଖେ ରହୁଥିଲେ । ତାଙ୍କର ସାନଭାଇ ସେଠାରେ ସରକାରୀ ଚାକିରୀ କରିଥିଲେ । ଡହରାନନ୍ଦଜୀ ସେଠି ରହୁଥିବାର ଖବର ପ୍ରଚାରିତ ହେଲା ପରେ ପ୍ରତିଦିନ ତାଙ୍କ ସହିତ ବିଭିନ୍ନ ବିଷୟରେ ଆଳାପ କରିବାକୁ ଲୋକଙ୍କର ସୁଅ ଛୁଟିଲା । ମାତ୍ର ଆମେ ଦୁଇବନ୍ଧୁ ତାଙ୍କୁ ସନ୍ଧ୍ୟା ପରେ ଭେଟୁଥିଲୁ ଓ ତାଙ୍କ ସହ ଟିକିଏ ଦୁରସ୍ଥ ଏକ ଜଳାଶୟ ନିକଟକୁ ଯାଇ ସେଠି ବସି ଗପସପ କରୁଥିଲୁ । ଡହରାନନ୍ଦଜୀଙ୍କ ସହିତ ସେହି କେତୋଟି ସନ୍ଧ୍ୟା ଆମର ଚିର ସ୍ମରଣୀୟ ହୋଇ ରହିବ ।

 

ଦିନେ ମୋର ବନ୍ଧୁ ଜଣକ ତାଙ୍କୁ ପଚାରିଲେ–ଡହରାନନ୍ଦଜୀ ! ମୁଁ ଭାବୁଛି ମଣିଷ ଭାଗ୍ୟର ଦାସ । ଭାଗ୍ୟ ହାତରେ ଏକ କ୍ରୀଡ଼ାନକ । ମଣିଷର ସ୍ଵାଧୀନତା ବୋଲି କିଛି ନାହିଁ । ଭାଗ୍ୟ ତାକୁ ଉଠାଇବ ତ ଉଠାଇବ । ପୁଣି ସେହି ଭାଗ୍ୟ ତାକୁ ପକାଇବ ତ ପକାଇବ । ତା’ହେଲେ ଆମେ ମଣିଷର ସଫଳତା ବା ବିଫଳତା ପାଇଁ ତାଙ୍କୁ ଦାୟୀ କରିବା କାହିଁକି ?

 

ଡହରାନନ୍ଦଜୀ କିଛି ମୁହୂର୍ତ୍ତ ଚୁପ ରହିଲେ । ତା’ ପରେ ପ୍ରଶ୍ନକର୍ତ୍ତା ବନ୍ଧୁଙ୍କ ପିଠିରେ ହାତ ରଖି କହିଲେ–ଭାଗ୍ୟ ନିଶ୍ଚୟ ଅଛି । ଜୀବନରେ ଘଟଣାମାନ ଯେପରି ଘଟେ–ତାକୁ ବିଶ୍ଳେଷଣ କରି ଦେଖିଲେ ସବୁବେଳେ ତା’ ଭିତରେ ଯେ କାର୍ଯ୍ୟକାରଣର ଶୃଙ୍ଖଳା ଦେଖିବାକୁ ମିଳିବ ତା’ ନୁହେଁ । ବହୁ ବହୁ ଦୃଶ୍ୟ ଓ ଅଦୃଶ୍ୟ ଶକ୍ତି, ଉପଶକ୍ତି ଓ ଅପଶକ୍ତିମାନେ ଆମ ଜୀବନକୁ ଆମ ଅଲକ୍ଷ୍ୟରେ ପରିଚାଳିତ କରୁଛନ୍ତି । ତୁମେ ତୁମର କାରଟିକୁ ଠିକ୍‍ ନିୟମରେ ରାସ୍ତାରେ ଚଳାଉଛ ବୋଲି ଯେ ଦୁର୍ଘଟଣାର ସମ୍ମୁଖୀନ ହେବ ନାହିଁ–ସେ କଥା ନୁହଁ କିମ୍ବା ତୁମେ ଜଣେ ଅକର୍ମ, ଅଳସୁଆ, ଅପଦାର୍ଥ ଲୋକ ବୋଲି ଯେ କୌଣସି ରାଜାହୀନ ରାଜ୍ୟର ପାଟ ହାତୀ ଆସି ତୁମ ମୁଣ୍ଡ ଉପରେ ସୁନା କଳସ ଢାଳି ଦେବ ନାହିଁ–ଏପରି କଥା ମଧ୍ୟ ନୁହେଁ । କିନ୍ତୁ ଅସଲ କଥାଟି ହେଲା–ତୁମ ଜୀବନର ସୌଭାଗ୍ୟ ଏବଂ ଦୁର୍ଭାଗ୍ୟକୁ ତୁମେ କିପରି ମୁକାବିଲା କରୁଛ ! ତାହାରି ଉପରେ ତୁମ ଜୀବନର ସଫଳତା ବା ବିଫଳତା ନିର୍ଭର କରୁଛି, ଗପଟିଏ କହୁଛି ଶୁଣ ।

 

ଦିନେ ଖୁବ୍‍ ବଡ଼ି ସକାଳୁ ଭାଗ୍ୟ ଦେବତା ଓ ତାଙ୍କ ସ୍ତ୍ରୀ ଭାଗ୍ୟ ଦେବୀ ଆକାଶରେ ଉଡ଼ିଯାଇ ଥିଲେ । ସେମାନେ ପୃଥିବୀର ମଣିଷମାନଙ୍କ ପ୍ରକୃତି ଓ ଆଚରଣ ବିଷୟରେ ଗପ କରି କେତେବେଳେ ଖୁସି ହେଉଥିଲେ ଓ କେତେବେଳେ ଦୁଃଖିତ ହେଉଥିଲେ । ଏହି ସମୟରେ ଭାଗ୍ୟ ଦେବୀଙ୍କ ଆଖିରେ ପଡ଼ିଲା–ଦୁର୍ବଳ ହତଭାଗା ଲୋକଟିଏ ବାଟରେ ଏକୁଟିଆ ଚାଲିଛି । ଜଣାପଡ଼ୁଛି ଯେ, ସେ ବହୁ ଚେଷ୍ଟା କରି ମଧ୍ୟ ନିଜ ପେଟ ପୋଷି ପାରୁନାହିଁ । ଏପରିକି ଗତ ଦୁଇଦିନ ଧରି ତା’ ପେଟରେ ଭଲ କରି ପୂରା ଖାଦ୍ୟ ପଡ଼ି ନାହିଁ । ଭାଗ୍ୟ ଦେବୀଙ୍କ ମନରେ ଦୟା ହେଲା । ସେ କ’ଣ କଲେ ନା ଗୋଟିଏ ଟଙ୍କା ଥଳି ଲୋକଟି ଯେଉଁ ପଥରେ ଚାଲିଛି ତା’ ଯିବା ବାଟରେ ପକାଇ ଦେଇ ଗୋଟିଏ ବୃକ୍ଷ ଉପରେ ସ୍ୱାମୀଙ୍କ ସହିତ ଲୁଚି ରହିଲେ । ଲୋକଟି ଟଙ୍କାଥଳି ପାଇ କିପରି ଖୁସି ହୋଇଯିବ, ତା’ର ସେହି ଖୁସି ଆନନ୍ଦ ଦେଖି ଆନନ୍ଦିତ ହେବା ଥିଲା ଭାଗ୍ୟ ଦେବୀଙ୍କ ଉଦ୍ଦେଶ୍ୟ ।

 

ଏଣେ ଲୋକଟି କ’ଣ କଲା ନା ଚାଲୁଥିଲା ଚାଲୁଥିଲା–କ’ଣ ତା ମନକୁ ଆସିଲା କେଜାଣି, ଭାବିଲା–ଏତେ ଦିନ ତ ଆଖି ମେଲା କରି ବାଟ ଚାଲିଲି, ବର୍ତ୍ତମାନ ଆଖି ବନ୍ଦ କରି ଅନ୍ଧମାନେ କିପରି ବାଟ ଚାଲନ୍ତି ତାହା ପରୀକ୍ଷା କରାଯାଉ । ଏହା ଭାବି ଲୋକଟି ସତକୁ ସତ ଆଖିବୁଜି ବାଟ ଚାଲିଲା ଓ କିଛିକ୍ଷଣ ପରେ ବାଟରେ ତା’ ଉଦ୍ଦେଶ୍ୟରେ ପଡ଼ିଥିବା ଟଙ୍କା ଥଳିଟିକୁ ଏଡ଼ାଇ ବହୁ ପଥ ଅତିକ୍ରମ କରିଗଲା । ଠିକ୍‍ ଏଇ ସମୟରେ ଆକାଶରୁ ବାଜ ପକ୍ଷୀଟିଏ ସାଇଁ କିନା ଖସି ଆସିଲା ଓ ସେହି ଟଙ୍କା ଥଳିଟିକୁ ଭାଗ୍ୟ ପ୍ରଦତ୍ତ ତା’ର ପ୍ରାତଃକାଳୀନ ଆହାର ଭାବି ଥଣ୍ଟରେ ଟେକି ଉଠାଇ ନେଲା ଓ ଆକାଶ ମାର୍ଗରେ ଉଡ଼ି ଚାଲିଲା ।

 

ଏହି ବିପର୍ଯ୍ୟୟ କାଣ୍ଡ ଦେଖି ଦୟାମୟୀ ଭାଗ୍ୟ ଦେବୀ କାନ୍ଦି ଉଠି ସ୍ୱାମୀ ଭାଗ୍ୟ ଦେବଙ୍କୁ କହିଲେ–ଦେଖିଲତ ! ଦୁର୍ଭାଗ୍ୟର ଦେବତା କିପରି ତୁମଠାରୁ ଚାଲାକି ! କେତେ କୌଶଳରେ ସେ ଆମର ଯୋଜନାଟିକୁ ପଣ୍ଡକରି ଦେଲା ।

 

ସ୍ତ୍ରୀଙ୍କର ଏହି ଅନୁଶୋଚନା ବାକ୍ୟଶୁଣି ଭାଗ୍ୟଦେବତା ହସି ହସି କହିଲେ–

 

ପ୍ରିୟେ ! ନିଜକୁ ବୁଦ୍ଧିମାନ ବୋଲି ଗର୍ବ କରୁଥିବା ଏହି ମନ୍ଦବୁଦ୍ଧି ମଣିଷମାନେ କେବେ ଭାଗ୍ୟ ଦେବତାଙ୍କୁ ଆବାହନ କରନ୍ତି ନାହିଁ । ଆମ୍ଭେ ଭାଗ୍ୟ ଦେବତା ବଳେବଳେ ସେମାନଙ୍କ ପାଖରେ ଯାଇ ପହଞ୍ଚି ଥାଉ । କିନ୍ତୁ ଠିକ୍‍ ସେତିକିବେଳେ ସେମାନେ ଦୁର୍ଭାଗ୍ୟ ଦେବତାଙ୍କୁ ନିଜ ଆଡ଼ୁ ଡାକି ଆଣନ୍ତି । ଫଳରେ ଯାହା ଘଟିବାର ଘଟିଯାଏ ।

 

ଏହା ଶୁଣି ଭାଗ୍ୟଦେବୀ କରୁଣ ଅନୁଯୋଗ ଭରା ସ୍ୱରରେ କହିଲେ–ତୁମେ ଯାହା କହୁଛ–ତାହା ଯୁକ୍ତିଯୁକ୍ତ । କିନ୍ତୁ ଏହା ମତେ ବଡ଼ ନିଷ୍ଠୁର ଶୁଭୁଛି । ଦୁର୍ଭାଗ୍ୟ ଦେବତାର ଚକ୍ରାନ୍ତରେ ଆମ ପ୍ରଦତ୍ତ ଟଙ୍କା ଥଳିଟି ଶେଷରେ ଗୋଟାଏ ବାଜପକ୍ଷୀ ହାତରେ ପଡ଼ିବ–ଏହା ମୁଁ ସହିପାରୁ ନାହିଁ । ତୁମେ ଏପରି ବ୍ୟବସ୍ଥା କର...ଯାହା ଫଳରେ କି ଆମ ଟଙ୍କା ଥଳିଟି ଅନ୍ତତଃ ଉପଯୁକ୍ତ ମଣିଷଟିଏର ହାତରେ ପଡ଼ୁ ।

 

ସ୍ତ୍ରୀଙ୍କ କଥାକୁ ଖାତିର କରି ଭାଗ୍ୟ ଦେବତା କିଛି ଗୋଟାଏ ବ୍ୟବସ୍ଥା କଲେ । ଏଣେ କ’ଣ ହୋଇଛି ନା ସେହି ବାଜପକ୍ଷୀଟି ଟଙ୍କାଥଳିଟିକୁ ଥଣ୍ଟରେ ଧରି ଉଡ଼ି ଉଡ଼ି ଯାଇ ଗୋଟିଏ ପୋଖରୀ କୂଳରେ ଥିବା ଏକ ବିରାଟ ଚାକୁଣ୍ଡା ଗଛର ଡାଳରେ ବସିଲା ଏବଂ ଟଙ୍କା ଥଳିଟିକୁ ତା’ର ଖାଦ୍ୟ ଭାବି ଥଣ୍ଟରେ ଛିଡ଼ାଇବାକୁ ଲାଗିଲା । ଥଳିଟି ଛଡ଼ାଇବାରୁ ତା’ ଭିତରୁ ଟଙ୍କାତକ ସବୁ ତଳକୁ ଗଡ଼ି ପଡ଼ି ଗଛ ତଳେ ବିଛାଡ଼ି ହୋଇ ପଡ଼ିଲା । ସେହି ଗଛ ମୂଳେ ଗରିବ ସ୍ତ୍ରୀ ଲୋକଟିଏ ପ୍ରତିଦିନ ଭଳି ସେଦିନ ମଧ୍ୟ ବଡ଼ିସକାଳୁ ଆସି ଶୁଖିଲା ପତ୍ର ଓ କାଠିଡ଼ାଙ୍ଗ ଓଳାଇ ଗୋଟିଏ ଅଖାରେ ପୂରାଉଥିଲା ।

 

ଆକାଶରୁ ଚକ୍‍ ଚକ୍‍ ଟଙ୍କାଗୁଡ଼ିକ ଖସିବାର ଦେଖି ପ୍ରଥମେ ସେ ଚମକି ପଡ଼ିଲା ଓ ତା’ପରେ ପ୍ରବଳ ଆନନ୍ଦରେ ସେହି ଟଙ୍କାତକ ଗୋଟାଇ ଲାଗିଲା ଓ ତା’ର ଅଖାରୁ ସେହି ସବୁ ଶୁଖିଲା ଡାଳପତ୍ର ଗୁଡ଼ିକ କାଢ଼ି ଫୋପାଡ଼ିଦେଲା ଓ ସେହି ଅଖା ମୁଣିରେ ଟଙ୍କାତକ ଭର୍ତ୍ତିକରି ତରବର ହୋଇ ତା’ କୁଡ଼ିଆଆଡ଼େ ଚାଲିଲା । ଗଲାବେଳେ ସେ ମନେ ମନେ ଭାଗ୍ୟ ଦେବତାଙ୍କୁ କୃତ୍ୟକୃତ୍ୟ ହୋଇ ଧନ୍ୟବାଦ ଦେଇ ଚାଲିଥାଏ ଏବଂ ତା’ର ଏଣିକି ସୌଭାଗ୍ୟର ଉଦୟ ହେଲାବୋଲି ମନେ ମନେ ପୁଲକୀ ଉଠୁଥାଏ ।

 

ଦୁର୍ଭାଗ୍ୟକୁ ସେଇ ରାତିରେ କେତେକ ଚୋର ସେ ବାଟ ଦେଇ ଆସୁଥିଲେ । ସେମାନେ ସାରା ରାତି ବିଭିନ୍ନ ଜାଗାରେ ଚୋରୀ ବା ଡକାୟତି କରିବାକୁ ଚେଷ୍ଟାକରି ବିଫଳ ହୋଇ ମନ ଦୁଃଖରେ ଫେରୁଥିଲେ । ସେମାନଙ୍କ ଭିତରୁ ଜଣେ ଏହି ସ୍ତ୍ରୀ ଲୋକଟିକୁ ଦେଖି କହିଲା–ହେ ପତର ବାଲି ତୁ’ତ ପ୍ରତିଦିନ ସକାଳେ ବସ୍ତାଏ ଶୁଖିଲା ପତ୍ର ଓ କାଠିଡ଼ାଙ୍ଗ ପିଠିରେ ଲଦି ଏବାଟେ ଯିବାର ଆମେ ଦେଖୁ । ଆଜି ତୋର ବସ୍ତା ଏତେ ଛୋଟ କାହିଁକି ? କ’ଣ ଆଜି ଗଛମୂଳେ ପତ୍ର ଡାଙ୍ଗଡ଼ୁଙ୍ଗା ପଡ଼ି ନାହିଁକି ?

 

ସ୍ତ୍ରୀ ଲୋକଟି ନୃଶଂସ ଚୋରମାନଙ୍କ ମୁହଁରୁ ଏକଥା ଶୁଣି ଭୟରେ ତା’ ପାଟିରୁ କଥା ବାହାରିଲା ନାହିଁ । ସେ ପଦୁଟିଏ ମିଛ ବି କହି ପାରିଲା ନାହିଁ । ଭୟରେ ଥରି ଥରି ସେ ବସ୍ତାଟିକୁ ସେମାନଙ୍କ ଆଡ଼କୁ ଫୋପାଡ଼ି ଦେଇ ଆପଣା ଘରକୁ ଦୌଡ଼ି ପଳାଇଲା ।

 

ଅତଃପର ଯାହା ଘଟିବାର ଘଟିଲା । ସେହି ଚୋରମାନେ ବସ୍ତାଟିକୁ ଫିଟାଇ ସେଥିରୁ ଟଙ୍କାତକ ବାହାର କରି ନିଜ ନିଜ ଭିତରେ ମହା ଖୁସିରେ ବାଣ୍ଟି ନେଲେ ।

 

ତେଣେ ଆକାଶ ମାର୍ଗରେ ଥାଇ ଭାଗ୍ୟ ଦେବତା ତାଙ୍କ ଦୟାବତୀ ପତ୍ନୀ ଭାଗ୍ୟଦେବୀଙ୍କୁ ଚାହିଁ ସାମାନ୍ୟ ହସ ହସି କହିଲେ–

 

ପ୍ରିୟେ ! ଏବେ ଆମର ଦୟା–ପ୍ରଦତ୍ତ ଟଙ୍କା ଥଳିଟି ମଣିଷମାନଙ୍କ ହାତରେ ପଡ଼ିଲା ତ-? ଏଥର ତୁମେ ନିଶ୍ଚୟ ଖୁସି ହେବା ଉଚିତ ।

 

ଡହରାନନ୍ଦ ଏତିକି କହି ଚୁପ୍‍ ହୋଇଗଲେ ଓ ଖଣ୍ଡିଏ ସିଗ୍ରେଟ୍‍ ଓଠରେ ଜାକି ସେଥିରେ ନିଆଁ ଧରାଇଲେ ।

☆☆☆

 

ତିନିଭୂତଙ୍କ କାହାଣୀ

 

ଆମ୍ଭେମାନେ ଯେ ସବୁଦିନେ ଡହରାନନ୍ଦଜୀଙ୍କ ସହିତ ବଡ଼ ବଡ଼ କଥା ଆଲୋଚନା କରୁଥିଲୁ ତା’ ନୁହେଁ; ଦିନେ ସନ୍ଧ୍ୟାବେଳେ ଭଞ୍ଜନଗରର ସେହି ଜଳାଶୟ ନିକଟରେ ବସିଥିଲା ବେଳେ ଆମେ ତାଙ୍କଠାରୁ ଅନେକ ମଜାଗପ ମଧ୍ୟ ଶୁଣୁ । ଥରେ ମୋର ବନ୍ଧୁ ତାଙ୍କୁ ଗୋଟିଏ ଭୂତଗପ କହିବାକୁ କହିଲେ । ତା’ ପୂର୍ବରୁ ସେ ପଚାରିଲେ ଡହରାନନ୍ଦଜୀ ! ଆପଣ କେବେ ଭୂତପ୍ରେତଙ୍କ ହାବୁଡ଼ରେ ପଡ଼ିଛନ୍ତି ? ଆପଣ ଭୂତପ୍ରେତାଦିରେ ବିଶ୍ଵାସ କରନ୍ତି ?

 

ଡହରାନନ୍ଦଜୀ ହସି ହସି କହିଲେ ମୋ ବିଶ୍ଵାସ କଥା ପଚାର ନାହିଁ । ମୋର ବିଶ୍ୱାସ ଅବିଶ୍ୱାସ ଉପରେ କ’ଣ କାହାର ଅଛି ନ ଅଛି ନିର୍ଭର କରେ ? ତା’ ଛଡ଼ା ଦେବଦେବୀ ଓ ଭୂତପ୍ରେତ, ଡାହାଣୀ, ଚିରୁଗୁଣୀ ଇତ୍ୟାଦି ଅତିଭୌତିକ ଅଶରୀରୀ ସତ୍ତାମାନଙ୍କୁ ଯୋଉ ଆଖିରେ ଭକ୍ତ ଓ ଗୁଣୀଗାରେଡ଼ିଆମାନେ ଦେଖିପାରନ୍ତି, ସେପରି ଆଖି ମୋ ଭଳି ସାଧାରଣ ଲୋକର ଥିଲେ ତ ? ଦେବଦେବୀ ଓ ଭୂତପ୍ରେତଙ୍କ ସହିତ କଥାବାର୍ତ୍ତା ଓ ନାନାଦି କାରବାର କରିଥିବା ବହୁ ସାଧାରଣ ଓ ଅସାଧାରଣ ଲୋକମାନଙ୍କୁ ମୁଁ ଜାଣେ, ଯେଉଁମାନେ କେବେ ମିଥ୍ୟ କହନ୍ତି ନାହିଁ ବୋଲି ମୋର ଦୃଢ଼ ବିଶ୍ଵାସ । ଆମର ଏହି ଦୃଶ୍ୟଜଗତ ଭଳି ଏହା ପାଖାପାଖି ଗୋଟାଏ ଅଦୃଶ୍ୟ ଜଗତ ମଧ୍ୟ ଅଛି ଏବଂ ସେଠାରେ ବହୁପ୍ରକାରର ଭଲମନ୍ଦ ପ୍ରକୃତିର ଅଦୃଶ୍ୟ ସତ୍ତାମାନେ ମଧ୍ୟ ଅଛନ୍ତି । କିନ୍ତୁ ସେମାନଙ୍କ ସହିତ ବାସ୍ତବ ସମ୍ବନ୍ଧ ସମ୍ପର୍କ ରଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

ମୁଁ ପଚାରିଲି–କାହିଁକି ସମ୍ଭବ ନୁହେଁ ? ଯାହା ବାସ୍ତବ ତାହା ସମସ୍ତଙ୍କ ପାଇଁ ପ୍ରତ୍ୟକ୍ଷ ହେବା ଉଚିତ ନୁହେଁ କି ? ମୋ ଆଗରେ ଏଇ ଯେ ଗଛଟି ଅଛି ତାକୁ ମୁଁ ଦେଖୁଛି ଆପଣ ବି ଦେଖୁଛନ୍ତି । ସେମିତି ଦେବଦେବୀ, ଭୂତପ୍ରେତ ଇତ୍ୟାଦିଙ୍କୁ ଯଦି ଜଣେ ଦେଖିପାରୁଛି ତେବେ ସେ ଅନ୍ୟକୁ ଦେଖାଇ ଦେଲେ ସେ ମଧ୍ୟ ତାକୁ ଦେଖିପାରିବ ନାହିଁ କାହିଁକି ?

 

ଡହରାନନ୍ଦଜୀ କହିଲେ–

 

ଆମ ତିନିଜଣଙ୍କ ଆଖିଥିଲେ ବି ଏ କ୍ଷେତ୍ରରେ ଆମେ ଯେ ଏ ଗଛଟିକୁ ସମାନ ଭାବେ ଦେଖୁଛୁ ତା’ ନୁହେଁ । ଆମର ମସ୍ତିଷ୍କରେ ବୁଦ୍ଧି ଅଛି ନିଶ୍ଚୟ । କିନ୍ତୁ କାହିଁକି ଜଣେ କଠିନ ଗଣିତଟିଏ ଶତଚେଷ୍ଟା କଲେବି ବୁଝିପାରୁ ନାହିଁ ? ଶତବାର ବୁଝାଇ ବସିଲେ ବି କାହିଁକି ଜଣେ ରବୀନ୍ଦ୍ରନାଥ ବା ଭୀମଭୋଇଙ୍କ କବିତାଟିଏ ଅନୁଭବ କରି ପାରୁନାହିଁ ? ବିଖ୍ୟାତ ବୈଜ୍ଞାନିକ ଆଇନ୍‍ଷ୍ଟାଇନଙ୍କ ବୁଦ୍ଧିରୁ ଯୋଉ ଗୂଢ଼ତତ୍ତ୍ୱ ବୁଝା ପଡ଼ିଥିଲା, ତାହା ଆମ ବୁଦ୍ଧିକି କାହିଁକି ବୁଝା ପଡ଼ୁନାହିଁ ? ତେବେ ଏ କଥା ଛାଡ଼ । ଅସଲ କଥା ହେଲା–ଦେବଦେବୀ ଭୂତପ୍ରେତମାନଙ୍କ ସହ ବାସ୍ତବ ସମ୍ପର୍କ ରଖିବା ଲାଗି ଯେଉଁ ସୂକ୍ଷ୍ମ ଇନ୍ଦ୍ରିୟଟି ଦରକାର ତାହା ଆମ ସମସ୍ତଙ୍କ ଭିତରର ସେତେଦୂର ବିକାଶ ଲାଭ କରିନାହିଁ । ସେଥିପାଇଁ ଆମେ ସେଗୁଡ଼ିକୁ ଦେଖି ପାରୁନାହିଁ । ତେବେ କେତେକାଂଶରେ ଅନୁଭବ କରିପାରୁ । କଥିତ ଅଛି ଯେ, ରାମକୃଷ୍ଣ ପରମହଂସ ଯେଉଁ କାଳୀମୂର୍ତ୍ତିଙ୍କୁ ପୂଜା ଉପାସନା କରୁଥିଲେ–ସେହି ପଥରମୂର୍ତ୍ତି ତାଙ୍କ ଆଗରେ ଜୀବନ୍ତ ହୋଇ ଉଠୁଥିଲେ ଓ ପରମହଂସଙ୍କ ହାତରୁ ଛଡ଼ାଇ ମିଷ୍ଟାନ୍ନ ଓ ଫଳ ଇତ୍ୟାଦି ହସିହସି ଖାଉଥିଲେ ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ-। ଧର, ତୁମେ ଗୋଟିଏ ଦେବୀମୂର୍ତ୍ତିକୁ ପୂଜାକଲାବେଳେ ସେ ମୂର୍ତ୍ତିଟି ଯଦି ହଠାତ୍‍ ଜୀବନ୍ତ ହୋଇଉଠି ତୁମ ସହିତ ସେହିପରି ବ୍ୟବହାର କରେ, ତୁମେ କ’ଣ କରିବ ?

 

ମୁଁ ଶିହରିତ କୌତୁକ ଅନୁଭବ କରି କହିଲି–କ’ଣ କରିବି ? ମୁଁ ସେଇଠି ଭୟରେ ମୂର୍ଚ୍ଛା ହୋଇ ପଡ଼ିଯିବି ।

 

ଡହରାନନ୍ଦଜୀ ହସି ହସି କହିଲେ ଠିକ୍‍ କହିଛ । ସେଇଥିପାଇଁ କହିଲି–ଆମ ସମସ୍ତଙ୍କର ସେ କ୍ଷମତା ବା ସାମର୍ଥ୍ୟ ନାହିଁ ଯାହାଫଳରେ କି ଆମେ ଏଇ ସବୁ ଅତିଭୌତିକ ସତ୍ତାମାନଙ୍କ ସହିତ କାରବାର କରିପାରିବୁ । ତେଣୁ ସେ ସବୁକଥାରେ ବିଶ୍ୱାସ କର ବା ନ କର–ସେସବୁ ବିଷୟ ଉପରେ ଆମେ କିଛି ସିଦ୍ଧାନ୍ତ ଦେଇ ପାରିବା ନାହିଁ । ତେବେ ଅତିଭୌତିକ ଜଗତର ଭୂତପ୍ରେତଙ୍କୁ ସିନା ମୁଁ ଦେଖିନାହିଁ–କିନ୍ତୁ ଆମର ଏହି ଦୃଶ୍ୟମାଣ ଓ ଶ୍ରାବ୍ୟମାଣ ପୃଥିବୀରେ ଜିଅନ୍ତା ମଣିଷମାନଙ୍କ ଭିତରେ ମୁଁ ବହୁ ଭୂତପ୍ରେତ ଡାହାଣୀ ଚିରୁଗୁଣୀ ଦେଖିଛି । ମୋର ଧାରଣା ଆମକୁ ସୁକ୍ଷ୍ମ ଜଗତର ଜୀଅନ୍ତା ଭୂତପ୍ରେତମାନେ ଯେତେ ହଇରାଣ ହରକତ ନ କରନ୍ତି–ଏଇ ଆମର ସ୍ଥୂଳ ଜଗତର ଜୀଅନ୍ତା ଭୂତପ୍ରେତମାନଙ୍କ ଉତ୍ପାତରେ ଆମେ ଆଉ ଆମର ଏଇ ପୃଥିବୀ କି ଯେ ଉତ୍ପୀଡ଼ିତ ହେଉଥାଇଁ ସେକଥା କ’ଣ ଆଉ ତୁମମାନଙ୍କୁ ବୁଝାଇବାକୁ ପଡ଼ିବ-? ଆଉ ମଧ୍ୟ ଏହି ଜୀଅନ୍ତା ଭୂତ ପ୍ରେତ ଓ ଡାହାଣୀ ଚିରୁଗୁଣୀଙ୍କ ସଂଖ୍ୟା ଏଇ ବର୍ତ୍ତମାନ ଯୁଗରେ ଆଶଙ୍କାତୀତ ଭାବେ ବଢ଼ି ଯାଉଛି । ବର୍ତ୍ତମାନ ତ ଆମେ ଘରେ ଘରେ ଅନ୍ୟୁନ ଦୁଇଟି ଭୂତ ବା ଡାହାଣୀ ଦେଖୁଛୁ । ସେମାନଙ୍କ ଉତ୍ପାତ ବିଷୟ କହି ବସିଲେ ଆଉ ଗୋଟାଏ ମହାଭାରତ ହୋଇଯିବ ।

 

ଏହା ଶୁଣି ମୋର ବନ୍ଧୁ କହିଲେ ଡହରାନନ୍ଦଜୀ ! ଦୟାକରି ବର୍ତ୍ତମାନ ଗୋଟିଏ ଭୂତ କି ଡାହାଣୀ ଗପ କହନ୍ତୁ । ସେମାନେ ମୃତଲୋକର ହେଉନ୍ତୁ ବା ଏହି ଜୀଅନ୍ତା ଲୋକର ହେଉନ୍ତୁ।

 

ଡହରାନନ୍ଦ ଚାରିଆଡ଼କୁ ଥରେ ଚାହିଁ ସାରି ସିଗ୍ରେଟରେ ନିଆଁ ଧରାଇଲେ ଓ କଳେ ଧୂଆଁ ଶୋଷି ତାକୁ କିଛି ସମୟ ତଣ୍ଟି ପାଖରେ ରଖି ନାକବାଟେ ଛାଡ଼ିଲେ । ତା’ପରେ ଖୁବ୍‍ ଖୁସି ମିଜାଜ୍‌ରେ କହିବାକୁ ଆରମ୍ଭ କଲେ–ଶୁଣ ! ଜୀଅନ୍ତାଭୂତଙ୍କ ବିଷୟରେ ପରେ କଥାବାର୍ତ୍ତା ହେବା । ବର୍ତ୍ତମାନ ମୁଁ ତିନିଜଣ ମଣିଷ ମଲାପରେ କିପରି ଭୂତ ହେଲେ ସେ କଥା କହୁଛି । ଦିନେ ରାତିରେ କଲିକତା ସହର ଉପକଣ୍ଠରେ ଗୋଟିଏ ବିଶାଳ ତିନ୍ତୁଳୀଗଛର ଅନ୍ଧାରିଆ ଶାଖା ଉପରେ ବସି ତିନିଜଣ ଭୂତ ବନ୍ଧୁ କଥାବାର୍ତ୍ତା କରୁଥିଲେ । ପ୍ରଥମ ଭୂତ କହିଲା–ବୁଝିଲ ଭାଇ ! ଗୋଟିଏ ବାକ୍‌ସରେ ପ୍ରଚୁର ସୁନା ଅଛି ଭାବି ମୁଁ ସେଇଟିକୁ ମୁଣ୍ଡରେ ଥୋଇ ଛାତ ଉପରୁ ଆଉ ଗୋଟିଏ ଛାତ ଉପରକୁ ଡେଇଁ ପଡ଼ିବା ସମୟରେ ତଳେ ଖସିପଡ଼ି ସାଙ୍ଗେ ସାଙ୍ଗେ ମରିଗଲି ଓ ଭୂତ ହୋଇଗଲି । ଏହା ଶୁଣି ତା’ର ସାଙ୍ଗ ଦ୍ଵିତୀୟ ଭୂତଟି କହିଲା–ଆରେ ଭାଇ, ତୁମେ ତ ତଳେ ପଡ଼ିଲ; ମୁଁ ଫୁଟପାଥରେ ଶୋଇଥିଲି । ତୁମ ହାତରୁ ବାକ୍‌ସଟା ଛିଟିକି ଯାଇ ମୋ ମୁଣ୍ଡରେ ପଡ଼ିଲା-। ମୋ ମୁଣ୍ଡ ଛତୁ ହୋଇଗଲା । ସାଙ୍ଗେ ସାଙ୍ଗେ ସବୁ ଖତମ୍‍ । ସେଇଠୁ ହେଲି ଭୂତ ।

 

ଏହା ଶୁଣି ପ୍ରଥମ ଭୂତ ପଚାରିଲା–ତାହେଲେ ସେ ବାକ୍ସ ଭିତରେ ନିଶ୍ଚୟ ପ୍ରଚୁର ସୁନା ଥିଲା !

 

ଏକଥା ଶୁଣି ଏ ପର୍ଯ୍ୟନ୍ତ ନୀରବ ଥିବା ତୃତୀୟ ଭୂତଟି କହି ଉଠିଲା–ନା ନା, ସୁନା କୁଆଡ଼ୁ ଆସିବ ସେ ବାକ୍ସ ଭିତରକୁ ? ତା’ ଭିତରେ ପ୍ରକୃତରେ ମୁଁ ଥିଲି ।

 

ଦୁଇଜଣ ଯାକ ଭୂତ ଆଶ୍ଚର୍ଯ୍ୟ ହୋଇ ପଚାରି ଉଠିଲେ–ମାନେ ? ତୁମେ ଥିଲ ମାନେ-?

 

ତୃତୀୟ ଭୂତଟି କହିଲା–ଯାହା ଘରୁ ତୁମେ ସେ ବାକ୍‌ସଟି ଉଠାଇ ଆଣିଲ–ତା’ ଘରେ ମୁଁ ଚାକର ଥିଲି । ମୁଁ ଦିନେ ତା’ ଝିଅ ସହିତ ଗୋଟିଏ ଖଟରେ ଶୋଇଥିଲାବେଳେ ଘର ମାଲିକ ସଙ୍ଗେ ସଙ୍ଗେ ଛୁରୀ ଭୁଷି ଦେଲା ଓ ମୋ ଲାସଟାକୁ ସେ ବାକ୍‌ସରେ ପୂରାଇ ବନ୍ଦ କରି ଦେଇଥିଲା-। ଭଗବାନଙ୍କୁ ଧନ୍ୟବାଦ ଯେ, ସେଇ ଗୋଟିଏ କାରଣରୁ ଆମେ ତିନିଜଣ ଯାକ ଭୂତ ହେଲୁ ଓ ସାଙ୍ଗ ହୋଇ ରହିଲୁ ।

☆☆☆

 

ଦୁଇ ଡକାଏତ ଓ ସତ୍ୟ ଧର୍ମ ନ୍ୟାୟ ପ୍ରସଙ୍ଗ

 

ସେହି ଭଞ୍ଜନଗରରେ ଡହରାନନ୍ଦ ଅବସ୍ଥାନ କରୁଥିଲାବେଳେ ଆଉ ଦିନକର ସନ୍ଧ୍ୟାରେ ସେହି ଜଳାଶୟ ନିକଟରେ ଆମେ ଦୁଇବନ୍ଧୁ ଡହରାନନ୍ଦଜୀଙ୍କୁ ଆଉ ଗୋଟିଏ ପ୍ରଶ୍ନ କରିଥିଲୁ । ପ୍ରଶ୍ନଟି ମୁଇଁ ପଚାରିଥିଲି ।

 

ମୁଁ ପଚାରିଲି–ଡହରାନନ୍ଦଜୀ ! ଆମେ ପିଲାଦିନରୁ ଶୁଣି ଆସୁଛୁ ଯେ ସତ୍ୟ ଧର୍ମ ଓ ନ୍ୟାୟ ପଥରେ ଚାଲିଲେ ମଣିଷ ସୁଖୀ ହେବ । କିନ୍ତୁ ଆମେ ବୟସ୍କ ହେଲା ପରେ ଆଜିକାଲି ଯାହା ଲକ୍ଷ୍ୟ କରୁଛୁ ସତ୍ୟ ଧର୍ମ ଓ ନ୍ୟାୟ ପଥରେ ଚାଲୁଥିବା ଲୋକଟି ମହାଦୁଃଖରେ ଜୀବନ ବଞ୍ଚୁଛି ଓ ଅସତ୍ୟ ଅଧର୍ମ ଅନ୍ୟାୟ ପଥରେ ବଞ୍ଚୁଥିବା ଲୋକଟିର କୋଠାଉପରେ କୋଠା ଉଠୁଛି ଓ ତା’ର ଧନଜନ ଗୋପଲକ୍ଷ୍ମୀ ଯାନ ବାହନ ବଢ଼ିଚାଲିଛି ଆଉ ତା’ ରୋଷଘରେ ସବୁଦିନେ ଚିକେନ୍‍ ଚିଙ୍ଗୁଡ଼ି ରାନ୍ଧଣାର ବାସ୍ନା ଉଠୁଛି । ପ୍ରକୃତରେ କଥାଟି କ’ଣ ଆମକୁ ବୁଝାଇ ଦିଅନ୍ତୁ । ମଣିଷ କ’ଣ ସତରେ ଏଠି ସତ୍ୟଧର୍ମ ନ୍ୟାୟ କରିବାକୁ ଆସିଛି ?

 

ଡହରାନନ୍ଦ ଏହାଶୁଣି କହିଲେ–ତୁମ ମନରେ ଏ ପ୍ରଶ୍ନ ଉଠିଛି କାହିଁକି ? ତୁମେ କ’ଣ ସତରେ ସତ୍ୟ ଧର୍ମ ନ୍ୟାୟ ତୁମ ଜୀବନରେ ପ୍ରତିଷ୍ଠା କରିବାକୁ ଚାହଁ ? ସେ ସମ୍ବନ୍ଧେ ମିଛରେ ବକ୍‌ବାଜି କରିବା ଦରକାର କ’ଣ ?

 

ମୁଁ ଅପ୍ରସ୍ତୁତ ହୋଇ କହିଲି–ମୋ କଥା ଛାଡ଼ନ୍ତୁ । କିନ୍ତୁ ମଣିଷ ପକ୍ଷରେ ଏପରି ପରିସ୍ଥିତିରେ କ’ଣ କରିବା ଉଚିତ କହନ୍ତୁ ।

 

ଡହରାନନ୍ଦ କହିଲେ–ସବୁ ମଣିଷଙ୍କ ପାଇଁ ଗୋଟିଏ ସାର୍ବଜନୀନ ନୀତି ଦେବାକୁ ମୁଁ ଏ ସଂସାରକୁ ଆସିନାହିଁ କି ମୋର ସେଥିରେ ଆଗ୍ରହ ନାହିଁ । ମୁଁ କେବଳ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକୁ ବିଶ୍ଳେଷଣ କରି ଉଚିତ ଅନୁଚିତ ସିଦ୍ଧାନ୍ତ ଦେଇ ଥାଏ । ଯୋଉ ମଣିଷ ସତ୍ୟଧର୍ମ ନ୍ୟାୟକୁ ନେଇ ବଞ୍ଚିବାକୁ ଚାହୁଁଛି ସେ ଯଦି ସେଥିରେ କିଛି ସମସ୍ୟା ଭୋଗୁଛି–ତେବେ ସେ ମତେ ଆସି ସେକଥା କହୁ । କିନ୍ତୁ ତୁମେ କାହିଁକି ସେଥିରେ ମୁଣ୍ଡ ଖେଳାଉଛ ? ମୋର ଧାରଣା–ତୁମ ଭଳି ମଣିଷ କୌଣସି ଜୀବନଦର୍ଶନକୁ ନେଇ ବଞ୍ଚନ୍ତି ନାହିଁ । ବଞ୍ଚୁ ବଞ୍ଚୁ ବଞ୍ଚିଚାଲନ୍ତି । ବଞ୍ଚୁ ବଞ୍ଚୁ ସତ୍ୟଧର୍ମ ନ୍ୟାୟ ସୁରୁଖୁରୁରେ ଆସିଗଲାତ ଗଲା । ଅସତ୍ୟ ଅଧର୍ମ ଅନ୍ୟାୟ ମଧ୍ୟ ସୁରୁଖୁରୁରେ ଆସିଗଲାତ ଗଲା । ତୁମର ତ କିଛି ସମସ୍ୟା ନାହିଁ ।

 

ମୁଁ ଆହୁରି ଅପ୍ରସ୍ତୁତ ହୋଇଗଲି । ତଥାପି ମୁହଁଟାଣ କରି ପଚାରିଲି–

 

ଆଚ୍ଛା ହେଲା ଏବେ ! ଧରନ୍ତୁ ମୁଁ ଯଦି ବର୍ତ୍ତମାନ ଠାରୁ ସ୍ଥିର କରିବି ଯେ ଏଣିକି ମୁଁ କେବଳ ସତ୍ୟ ଧର୍ମ ନ୍ୟାୟକୁ ନେଇ ବଞ୍ଚିବି ? ତେବେ ମୋର ଅବସ୍ଥା କ’ଣ ହେବ ?

 

ଡହରାନନ୍ଦଜୀ କହିଲେ କ’ଣ ଆଉ ହେବ ? ତୁମେ ଯଦି ସତକୁ ସତ ବର୍ତ୍ତମାନଠାରୁ ସତ୍ୟ ଧର୍ମ ନ୍ୟାୟକୁ ନେଇ ବଞ୍ଚିବାକୁ ଚାହିଁବ ତେବେ ତୁମେ ସାଙ୍ଗେ ସାଙ୍ଗେ ଅସତ୍ୟ ଅଧର୍ମ ଓ ଅନ୍ୟାୟକୁ ଦେଖିବାକୁ ପାଇବ ଏବଂ ତାହା ତୁମକୁ ଭୟଙ୍କର ଭାବେ ଆକୃଷ୍ଟ କରିବ । ତା’ପରେ ତୁମର କାମ ହେବ ସେ ଆହ୍ୱାନକୁ ପ୍ରତ୍ୟୁତ୍ତର ନ ଦେବା ଓ ସତ୍ୟଧର୍ମ ନ୍ୟାୟକୁ ଖୋଜି ଚାଲିବା ।

 

ମୁଁ କହିଲି–ମୁଁ ସେ କଥା ପଚାରୁ ନାହିଁ । ମୁଁ ପଚାରୁଛି ସତ୍ୟ ଧର୍ମ ନ୍ୟାୟକୁ ଧରି ଚାଲିଲେ ମତେ ଆବଶ୍ୟକୀୟ ସୁଖ ମିଳିବତ ?

 

ଡହରାନନ୍ଦଜୀ କହିଲେ–ତୁମେ ତାହେଲେ ତୁମର ଆବଶ୍ୟକୀୟ ସୁଖ ଚାହୁଁଛ । ସେ କ୍ଷେତ୍ରରେ ସତ୍ୟ ଧର୍ମ ନ୍ୟାୟ କଥା କାହିଁକି କହୁଛ ? ସୁଖ ଯଦି ଚାହୁଁଛ ସୁଖ ପାଅ ଓ ଯୋଉ ବାଟରେ ତାହା ମିଳିବ ସେ ବାଟରେ ଚାଲ ବା ସେ ଉପାୟମାନ ସାଧନ କର ।

 

ମୁଁ ବଡ଼ ଅଡ଼ୁଆରେ ପଡ଼ିଗଲି । ତଥାପି ସାହସ ଧରି ପଚାରିଲି–ଆଚ୍ଛା ମୁଁ ଯଦି ସତ୍ୟ ଧର୍ମ ଓ ନ୍ୟାୟ ଚାହିଁବି ଓ ତା’ ସହିତ ମୋର ଆବଶ୍ୟକୀୟ ସୁଖ ଚାହିଁବି ତାହା ମତେ ମିଳିବ କି ନାହିଁ ।

 

ଡହରାନନ୍ଦଜୀ ଚଟାପଟ ଉତ୍ତର ଦେଲେ ବାବୁ ! ସେଥିରେ ତୁମକୁ କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ତୁମେ ସୁଖ ପାଇପାର ନ ପାଇ ମଧ୍ୟ ପାର । ଆଉ ମଧ୍ୟ ମୁଁ ଅନ୍ୟ ପକ୍ଷଟିର କଥା କହୁଛି । ତୁମେ ଯେ ଅସତ୍ୟ ଅଧର୍ମ ଓ ଅନ୍ୟାୟ ପଥରେ ଚାଲିଲେ ସୁଖ ତୁମର ଅବଶ୍ୟ ହସ୍ତଗତ ହେବ–ଏଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ । ସୁଖ ଅଲଗା ବ୍ୟାପାର । ତା’ ସହିତ ଏ ସବୁର କିଛି ସମ୍ବନ୍ଧ ନାହିଁ । ତା’ ଛଡା ସତ୍ୟ ଅସତ୍ୟ ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟ ଏ ସବୁ ବଡ଼ ଜଟିଳ ବିଚାର । ଯେଉଁ ଲୋକ ସେସବୁକୁ ନେଇ ବଞ୍ଚିବ ସେହି କେବଳ ତାକୁ ତା’ର ନିଜର ଅଭିଜ୍ଞତାରୁ ବୁଝିବ । ଗପଟିଏ କହୁଛି ଶୁଣ ।

 

ଦୁଇଜଣ ବନ୍ଧୁ ଡକାଏତି କରି ବଞ୍ଚୁଥିଲେ । ଡକାଏତି କରି ଯାହା ପା’ନ୍ତି ସେହି ଧନକୁ ପରସ୍ପର ଭିତରେ ସମାନ ଭାବେ ବାଣ୍ଟି ନିଅନ୍ତି । କଳି ନାହିଁ–କଜିଆ ନାହିଁ । ଦୁଇବନ୍ଧୁ ଡକାଏତିଲବ୍ଧ ଧନରେ ଏହିଭଳି ପାଞ୍ଚ ଛଅବର୍ଷ ମହାସୁଖ ଆନନ୍ଦରେ ଜୀବନ କାଟିଲେ । କିନ୍ତୁ ଦୁଇବନ୍ଧୁଙ୍କ କୁଟୁମ୍ବରେ କିଛି ଓଲମ ବିଲୋମ ଦେଖାଦେଲା । ଜଣଙ୍କର ଇତିମଧ୍ୟରେ ପାଞ୍ଚୋଟି ପୁଅ ଝିଅ ଜନ୍ମ ହେଲେ ଏବଂ ଅନ୍ୟବନ୍ଧୁର ମୂଳରୁ ସେଇ ଗୋଟିଏ ବୋଲି ପୁଅ । ଆଉ ତା’ର ପିଲାଝିଲାହେଲେ ନାହିଁ । ଛୁଆପିଲା ଅଧିକ ହେବାରୁ ସେହି ଡକାଏତର ଜଞ୍ଜାଳ ବଢ଼ିଗଲା ଓ ସେଥିପାଇଁ ତା’ର ଅଧିକ ଧନ ମଧ୍ୟ ଦରକାର ପଡ଼ିଲା ।

 

ଦିନକର କଥା । ଦୁଇବନ୍ଧୁ ଡକାଏତି କରି ପ୍ରାପ୍ତଧନକୁ ଯେତେବେଳେ ସମାନ ଦୁଇଭାଗ କରି ବାଣ୍ଟିବାକୁ ବସିଲେ ସେତେବେଳେ ବହୁ କୁଟୁମ୍ବୀ ଡକାଏତ ବନ୍ଧୁଟି ସେଥିରେ ରାଜି ନ ହୋଇ ତା’ର ଅଧିକ ଭାଗ ଧନ ଦାବି କରି ବସିଲା । ଏଥିରେ ଅଳ୍ପକୁଟୁମ୍ବୀ ବନ୍ଧୁ ରାଜି ନ ହେବାରୁ ସେହି ବହୁକୁଟୁମ୍ବୀ ବନ୍ଧୁ ତା’ ଠାରୁ ଜବରଦସ୍ତ କିଛି ଧନ ଛଡ଼ାଇବାକୁ ବସିଲା । ସେ ମଧ୍ୟ ତା’ଠାରୁ ଅଧିକ ବଳୁଆ ଥିଲା । ଏହାଦେଖି ଅଳ୍ପ କୁଟୁମ୍ବୀ ଡକାଏତ ବନ୍ଧୁଟି କହିଲା–ଦେଖ ! ତୁ ଧର୍ମକୁ ଚାହିଁ ମୋ ସହିତ ବ୍ୟବହାର କର । ଆମେ ଯେତେବେଳେ ଦଶବର୍ଷ ତଳେ ଏକାଠି ମିଶି ଚୋରି ଡକାଏତି କରିବାକୁ ସ୍ଥିରକଲେ ସେତେବେଳେ ଆମେ ପରସ୍ପର ପାଖେ ସତ୍ୟ କରିଥିଲେ ଯେ ଡକାଏତି ଧନକୁ ଦୁହେଁଯାକ ସମାନ ଭାଗକରି ନେବା । ଏତେଦିନ ପରେ ତୁ ସେ ସତ୍ୟଭଙ୍ଗ କରି ମୋ ଠାରୁ ଅଧିକ ଭାଗ ଛଡ଼ାଇ ନେଉଛୁ । ଏହା ତୋର ଅନ୍ୟାୟ କି ନୁହେଁ ବିଚାରି ଦେଖ ।

 

ବଳପୂର୍ବା ଡକାଏତ ବନ୍ଧୁଟି କହିଲା–ଆରେ ପାପୀ ! ଦଶବର୍ଷ ତଳେ ଆମେ ଦୁହେଁ ମିଶି ଡକାଏତି କରିବା ଓ ପ୍ରାପ୍ତ ଧନକୁ ସମାନଭାବେ ବାଣ୍ଟିନେବା ବୋଲି ଯୋଉ ସତ୍ୟ କରିଥିଲେ ତାକୁ କ’ଣ ସେତେବେଳେ ସତ୍ୟଦେବତା ସମର୍ଥନ କରିଥିଲେ ? ନା ନ୍ୟାୟ ଦେବତା ସମର୍ଥନ କରିଥିଲେ ? ନା ଧର୍ମ ଦେବତା ସମର୍ଥନ କରିଥିଲେ ? ଆମର ବୃତ୍ତି ଓ ଚୁକ୍ତି ଉଭୟ ଅସତ୍ୟ ଅଧର୍ମ ଓ ଅନ୍ୟାୟ ଉପରେ ପ୍ରତିଷ୍ଠିତ । ଏତେଦିନ ଆମେ ସତ୍ୟଧର୍ମ ନ୍ୟାୟକୁ ଲଙ୍ଘନ କରି ଏତେ ଅର୍ଥ ରୋଜଗାର କରିଥାଇଁ ଓ କୁଟୁମ୍ବ ପୋଷୁ ଥାଇଁ । ଆଜି ସେହି କୁଟୁମ୍ବ ପୋଷଣ ପାଇଁ ମୁଁ ଚୁକ୍ତି ଭଙ୍ଗ କରୁଛି ଓ ସତ୍ୟ ଧର୍ମ ନ୍ୟାୟ ଲଙ୍ଘନ କରୁଛି । ମୁଁ କିଛି ଅଧିକା ଓ ଅନ୍ୟ କଥା କରୁନାହିଁ । ସେତେବେଳେ ଯାହା କରୁଥିଲି–ଓ ଦଶବର୍ଷ କାଳ ଯାହା କରିଆସୁଛି–ଆଜି ମୁଁ ସେହି ଅନୁରୂପ କାର୍ଯ୍ୟ କରୁଛି । ତୁ ମତେ ଆଉ ଏ ସମୟରେ ସତ୍ୟ ଧର୍ମ ନ୍ୟାୟ ଦ୍ୱାହି ଦେଇ କଥା କହନା ।

 

ଏତିକି କହି ଦଳପୂର୍ବା ଡକାଏତ ବନ୍ଧୁଟି ତା’ଠାରୁ ଧନତକ ଛଡ଼ାଇ ନେଇ ପଳାୟନ କଲା ଓ ସେହି ଦୁର୍ବଳ ଡକାଏତଟି ନୀରବରେ ଶୂନ୍ୟକୁ ଚାହିଁ ଦୀର୍ଘଶ୍ଵାସ ପକାଇଲା । ....ଡହରାନନ୍ଦଜୀ କଥାଟି ଏହିଠାରେ ଶେଷ କରି କହିଲେ–

 

ସତ୍ୟ ଧର୍ମ ନ୍ୟାୟରେ ଜୀବନ ବଞ୍ଚୁଥିବା ଲୋକଟି ଆଉ କାହାକୁ ସତ୍ୟ ଧର୍ମ ନ୍ୟାୟ କଥା ପଚାରେ ନାହିଁ । ତା’ ବିନିମୟରେ ସୁଖ ଦାବି କରେ ନାହିଁ । ସେ ସେହି ଭାବରେ ବଞ୍ଚୁ ବଞ୍ଚୁ ସତ୍ୟ ନ୍ୟାୟ ଓ ଧର୍ମକୁ ଆପଣା ଛାଏଁ ଆବିଷ୍କାର କରିଚାଲେ ।

☆☆☆

 

ଭୂତର ଧର୍ମନିଷ୍ଠା

 

ନିମ୍ନଲିଖିତ ଗଳ୍ପଟି ମଧ୍ୟ ଡହରାନନ୍ଦଜୀ ସେହି ଭଞ୍ଜନଗର ସହର ଉପକଣ୍ଠରେ ଥିବା କୃତ୍ରିମ ହ୍ରଦକୂଳରେ ଆମ ଦୁଇ ବନ୍ଧୁଙ୍କୁ କହିଥିଲେ । ପୂର୍ବ ଦିନ ସନ୍ଧ୍ୟାରେ ଆମେ ଡହରାନନ୍ଦଜୀଙ୍କୁ ଦେବଦେବୀ ଓ ଭୂତପ୍ରେତମାନେ ଅଛନ୍ତି କି ନାହିଁ ଓ ସେମାନଙ୍କ ସହ ଆମେ ସମ୍ପର୍କ ରଖିପାରିବୁ କି ନାହିଁ ପଚାରିଥିଲୁ । ଗତକାଲି ସନ୍ଧ୍ୟାରେ ସେ ଆମକୁ ଏହିସବୁ ସୂକ୍ଷ୍ମଜଗତର ସତ୍ତାମାନଙ୍କ ବିଷୟରେ କିଛି କହିଥିଲେ ଓ ଶେଷ ଆଡ଼କୁ ଏହି ଭୂତପ୍ରେତମାନଙ୍କୁ ନେଇ ହାସ୍ୟ କୌତୁକ ମଧ୍ୟ ଆରମ୍ଭ କରି ଦେଇଥିଲେ । ଆଜିର ଏହି ଗଳ୍ପଟି ମଧ୍ୟ ସେହି ସମ୍ବନ୍ଧୀୟ ଓ ଏହାର ଭାବ ମଧ୍ୟ ସେହିପରି ହାସ୍ୟ କୌତୁକ ।

 

ଡହରାନନ୍ଦଜୀ ତାଙ୍କର ପୂର୍ବ ଅଭ୍ୟାସ ଅନୁଯାୟୀ ତାଙ୍କ ଡିବାରୁ ଗୋଟିଏ ସୁବାସିତ ଖିଲିପାନ ବାହାର କରି ପାଟିରେ ପୁରାଇଲେ । ତା’ପରେ ତାକୁ ଦୁଇ–ଚାରିଥର ଚୋବାଇ ପ୍ରଥମ ବାର ଛେପ କାଢ଼ିଲେ । ତା’ପରେ ପାନଟିକୁ କଳରେ ଜାକିଦେଇ ତାଙ୍କର ଭୂତ ଗପ ଆରମ୍ଭ କଲେ-

 

ଭୂତପ୍ରେତମାନଙ୍କ ଭିତରେ ବି ଯେ ଧର୍ମ ଓ ଜାତିଭେଦ ରହିଛି, ସେକଥା ମତେ ଜଣା ନ ଥିଲା । ମୋତେ ଧାରଣା ଦିଆଯାଇଥିଲା ଯେ, ଭୂତମାନେ ମିଛ କହନ୍ତି ନାହିଁ । କାରଣ ମିଛ କହିବା ଲାଗି ଯେଉଁ ବୌଦ୍ଧିକ କ୍ଷମତା ଆବଶ୍ୟକ ଓ ଘୋର କଳ୍ପନା ଶକ୍ତି ଆବଶ୍ୟକ ତାହା ତ’ ସେମାନଙ୍କ ଭିତରେ ନାହିଁ । ଭୂତପ୍ରେତମାନେ ହେଲେ ପ୍ରାଣ–ସତ୍ତା । ସୂକ୍ଷ୍ମପ୍ରାଣ ଲୋକରେ ସେମାନେ ଥା’ନ୍ତି ଓ ସେମାନଙ୍କ ଭିତରେ ଅପୂର୍ବ କାମନା ବାସନା ସବୁ ଥାଏ ଏବଂ ସେଗୁଡ଼ିକୁ ଯେ କୌଣସି ପ୍ରକାରେ ପୂରଣ କରିବାକୁ ସେମାନେ ଲାଗି ପଡ଼ିଥାନ୍ତି । ସେମାନଙ୍କର ତ ସ୍ଥୂଳଦେହ ନ ଥାଏ । ତେଣୁ ସେମାନେ ସେମାନଙ୍କ ବାସନା ଚରିତାର୍ଥ କରିବା ପାଇଁ ଅନୁକୂଳ ଜୀବନ୍ତ ମଣିଷଟିଏ ପାଇଲେ ତା’ ଭିତରେ ପ୍ରବେଶ କରି ତାରି ମାଧ୍ୟମରେ ନିଜର କାମନା ବାସନା ଚରିତାର୍ଥ କରୁଥାନ୍ତି । ଏସବୁ ଧାରଣା ମୋର ବହୁ ଜାଗାରେ ସତ ବୋଲି ପ୍ରମାଣିତ ହୋଇ ସାରିଛି । କିନ୍ତୁ ଭୂତ ପ୍ରେତମାନଙ୍କର ଯେ ଜାତିଭେଦ, ଧର୍ମଭେଦ ଅଛି ତାହା ମତେ ଜଣା ନଥିଲା । ଅନେକ କ୍ଷେତ୍ରରେ ଜୀଅନ୍ତା ମଣିଷଙ୍କ ଅପେକ୍ଷା ଭୂତପ୍ରେତମାନେ ଧର୍ମବିଶ୍ଵାସରେ ଭୟଙ୍କର ଉଗ୍ରବାଦୀ । ତୁମେ ଜଣେ ଜୀଅନ୍ତା ହିନ୍ଦୁକୁ କଳେବଳେ କୌଶଳେ ଗୋମାଂସ ଖୁଆଇ ଦେଇ ପାରିବ–ଏପରି କି ଖାଦ୍ୟାଖାଦ୍ୟ ସମ୍ବନ୍ଧେ ଅତ୍ୟନ୍ତ ଉଗ୍ର ନିଷ୍ଠାପର କୌଣସି ମୁସଲମାନକୁ ତା’ର ସଂପୂର୍ଣ୍ଣ ଅଜାଣତରେ ହଲାଲ ନ ହୋଇଥିବା ଛେଳି ବା କୁକୁଡ଼ାମାଂସ କୋନ୍‌ମତେ ଖୁଆଇ ଦେଇ ପାରିବ । ମାତ୍ର ହିନ୍ଦୁଭୂତ ବା ମୁସଲମାନ ଭୂତଟିକୁ ତୁମେ ଆଦୌ ସେପରି ତା’ର ଅଭକ୍ଷଦ୍ରବ୍ୟ ଖୁଆଇ ପାରିବ ନାହିଁ । ସେମାନେ ଖାଦ୍ୟ ଦେଖିବା ମାତ୍ରେ ତାହା ଜାଣିଯିବେ । ମୁଁ ଶୁଣିଛି–ଥରେ କୁଆଡ଼େ ଜଣେ ବିଖ୍ୟାତ ଗୁଣିଆ ଘୁଷୁରି ମାଂସକୁ ଖୁବ୍‍ ଚମତ୍କାର ଭାବେ ରାନ୍ଧି ଗୋଟିଏ ପଠାଣ ଭୂତକୁ ଖାଇବାକୁ ଡାକିଲା-। କିନ୍ତୁ ପଠାଣ ଭୂତ ଗୁଣିଆଟିର ଏ ଦୁଷ୍ଟାମି ସାଙ୍ଗେ ସାଙ୍ଗେ ଖଣ୍ଡେ ଦୂରରୁ ଜାଣିପାରିଲା । ତା’ପରେ ସେଇ ପଠାଣଭୂତ କ’ଣ କଲାନା ଏମିତି ଭାବେ ସେହି ମାଂସ ତରକାରୀ ଥାଳିଆକୁ ଗୋଟେ ଶୂନ୍ୟ ଗୋଇଠା ମାରିଲା ଯେ ଘୁଷୁରି ମାଂସ ତରକାରୀ ସେଇ ଗୁଣିଆର ମୁଣ୍ଡ ଆଉ ମୁହଁରେ ଅଜାଡ଼ି ପଡ଼ିଲା ।

 

ମୋର ବନ୍ଧୁ ପଚାରିଲେ–ଆଚ୍ଛା, ଡହରାନନ୍ଦଜୀ ! ହିନ୍ଦୁଭୂତମାନଙ୍କ ଭିତରେ ବ୍ରାହ୍ମଣ, କରଣ, ହରିଜନ ଆଦିବାସୀ ଭୂତ ଅଛନ୍ତି ?

 

ଡହରାନନ୍ଦଜୀ କହିଲେ–ନା–ସେପରି ଜାତିଭେଦ ହିନ୍ଦୁମାନଙ୍କ ଭିତରେ ସାଧାରଣତଃ ନ ଥାଏ–ନ ଥିଲା ମଧ୍ୟ । କିନ୍ତୁ ଏଇ ଗତ ତିରିଶି ଚାଳିଶିବର୍ଷ ହେଲା–ରାଜନୀତିବାଲା ଟାଉଟରଙ୍କ ଯୋଗୁଁ ବର୍ତ୍ତମାନ ହିନ୍ଦୁଭୂତମାନଙ୍କ ଭିତରେ ସେହି ଭେଦଭାବ ଖୁବ୍‍ ଉଗ୍ରଭାବେ ଦେଖା ଯାଇଚି । ଜଣେ ବିଖ୍ୟାତ ଗୁଣିଆ କହୁଥିଲେ–ମଣ୍ଡଳ କମିଶନ ଦୁର୍ଘଟଣା ପରେ ହିନ୍ଦୁଭୂତମାନଙ୍କ ଭିତରେ ବର୍ତ୍ତମାନ ଘୋର ବିଦ୍ୱେଷ ଓ ହଣାକଟା ବଢ଼ିଚାଲିଛି ।

 

ଏହାପରେ ଡହରାନନ୍ଦଜୀ ଏହି ମର୍ମରେ ଗୋଟିଏ କୌତୁହଳ ଗଳ୍ପ କହିବାକୁ ଆରମ୍ଭ କଲେ– ।

 

ଦିନେ ଜଣେ ବିଖ୍ୟାତ ଗୁଣିଆ ଗୋଟିଏ ସ୍ତ୍ରୀ ଲୋକଠାରୁ ଭୂତ ଝଡ଼ାଉଥିଲେ । ସ୍ତ୍ରୀ ଲୋକଟି ଥିଲା ଜାତିରେ ହିନ୍ଦୁ ବ୍ରାହ୍ମଣୀ ଓ ଯୁବତୀ ବିଧବା । ଖୁବ୍‍ ସୁନ୍ଦରୀ ମଧ୍ୟ । ଦୁଇଦିନ ଦୁଇରାତି ଧରି ସେହି ଦୁଷ୍ଟଭୂତଟି ତାକୁ କବଳିତ କରି ରଖିଥିଲା । ଗୁଣିଆ ଯେତେ ଚେଷ୍ଟା କଲେ ମଧ୍ୟ ସେ ଭୂତ ତାକୁ ଛାଡ଼ି ଯାଉ ନଥିଲା । ବହୁବିଧ ମନ୍ତ୍ର ଯନ୍ତ୍ର ତନ୍ତ୍ର ଓ ଉପଚାର ଅପଚାର କଲାପରେ ଓ ନାନାଦି ବିକୃତ ବିକଟ ରୀତିରେ ବହୁ ଝଡ଼ାଫୁଙ୍କା, ଚିଆଁ ଚେଙ୍ଖା ଦେଲାପରେ ମଧ୍ୟ ଯେତେବେଳେ ସେହି ଦୁର୍ବାଳିତ ଅବାଧ୍ୟ ଭୂତ ମୁହୂର୍ତ୍ତଟି ପାଇଁ ମଧ୍ୟ ସେହି ସ୍ତ୍ରୀ ଲୋକଟିର ଦେହରୁ ବାହାରିଲା ନାହିଁ–ସେତେବେଳେ ଗୁଣିଆ ମହାଶୟ କ’ଣ କଲେ ନା ଜଗନ୍ନାଥଙ୍କ ଫଟୋଟିକୁ ସେଇ ଭୂତଗ୍ରସ୍ତା ସ୍ତ୍ରୀ ଲୋକର ମୁହଁ ପାଖେ ଦେଖାଇ ଖୁବ୍‍ ନିଦାରୁଣ ସ୍ୱରରେ ଧମକ୍‍ ଦେଲେ–ଆରେ ପାଷାଣ୍ଡ ଅବାଧ୍ୟ ଭୂତ ! ତୁ ଶୀଘ୍ର ଏହାକୁ ଛାଡ଼ି ଚାଲିଯା ! ତା ନା ହେଲେ, ହେଇ ଦେଖ ! ଶଙ୍ଖଚକ୍ର ଗଦାଧାରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଡ଼କୁ ଚାହାଁ । ମୋ ଡାକରେ ସେ ବଡ଼ ଦେଉଳ ଛାଡ଼ି ଏଠିକି ଆସିଛନ୍ତି । ଯଦି ଏପରି ଅବାଧ୍ୟ ହେବୁ ତେବେ ଏଇ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରରେ ଦଶଗଡ଼ ହୋଇ ଏଠି ମରି ପଡ଼ିବୁ । ତା’ ନ ହେଲେ ତାଙ୍କର ଏଇ ଗଦା ପ୍ରହାରରେ ତୋର ଭୂତ ପଣିଆ ନିକିଲି ଯିବ ।

 

ଏହାଶୁଣି ସ୍ତ୍ରୀ ଲୋକଟିର ତୁଣ୍ଡ ଭିତରୁ ଭୂତଟି ପାଟି କରି କହିଲା–

 

ଆବେ ବେହୁଦା ! ଶାଲା ହାରାମୀକା ବଚ୍ଚା । ଆବେ ମତେ କ’ଣ ତୁ ହିନ୍ଦୁ ଭୂତ ବୋଲି ଠଉର କଲୁ ନା କ’ଣ । ଆବେ ମୁଁ ପଠାଣ ଭୂତ ଅଛି ବୋଲି ତୋତେ ମାଲୁମ ପଡ଼ୁ ନାହିଁ ? ମୁଁ ମୋର ଆଲ୍ଲା ଖୋଦାତାଲ୍ଲାଙ୍କ ବିନା ଆଉ କାହାକୁ ଖାତିର କରେନା । ତୁ ମତେ ଜଗନ୍ନାଥ କ’ଣ ଦେଖାଉଛୁ ?

 

ଭୂତଟି ପଠାଣ ଓ ସେ ହିନ୍ଦୁ ବିଧବା ବ୍ରାହ୍ମଣୀକି ଲାଗିଛି । ତା’ପରେ ପୁଣି ସେ ଜଗନ୍ନାଥଙ୍କୁ ଅପମାନ କରୁଛି–ଏଥିରେ ସେହି ଗୁଣିଆ ମହାଶୟ ଖୁବ୍‍ କ୍ଷେପି ଉଠିଲେ ଓ ଖୁବ୍‍ ଚଢ଼ାଗଳାରେ ପଚାରିଲେ–

 

ଆରେ ମ୍ଳେଚ୍ଛ ! ତୋ ଆଲ୍ଲାଙ୍କ ରୂପ କିପରି କହ ।

 

ଭୂତ କହିଲା–ମୋ ଆଲ୍ଲାଙ୍କ ରୂପନାହିଁ । ସେ ପବନ ପରି । ତାଙ୍କୁ କେହି ଆଖିରେ ଦେଖି ପାରିବେ ନାହିଁ । କିନ୍ତୁ ସେ ଘୋସାହେଲେ ତୋର ଗୁଣିଆଗିରି ଛଡ଼େଇ ଦେବେ । ତୋ ପାଟିରୁ ଖୁନ ନିକିଲି ଯିବ । ଏହାପରେ ଗୁଣିଆଟି ତା’ ସଙ୍ଗେ ଆଉ ଉଚ୍ଚବାଚ୍ଚ ନ କରି ସଙ୍ଗେ ସଙ୍ଗେ ଶହେଟି ଟେବୁଲଫ୍ୟାନ ମଗାଇ ଦେଲା ଏବଂ ସେଗୁଡ଼ିକୁ ଭୂତଗ୍ରସ୍ତା ସ୍ତ୍ରୀଲୋକଟିର ଚାରିପାଖେ ଏକତ୍ର କରି ଏକାଥରେ ଚଳାଇ ଦେଲା ଏବଂ ଲୋକମାନଙ୍କୁ କହିଲା–ଏହି ସ୍ତ୍ରୀ ଲୋକ ଉପରେ ଅନବରତ ବାଲ୍‌ଟି ବାଲ୍‌ଟି ପାଣି ଢାଳ । ତାହାହିଁ ହେଲା ।

 

କିଛି ସମୟ ପରେ ସ୍ତ୍ରୀ ଲୋକଟି ଅସହ୍ୟ ଶୀତରେ ଥରି ଉଠିଲା । ଥଣ୍ଡାରେ ତା’ ଛାତି କମ୍ପି ଗଲା । କିଛି କ୍ଷଣ ପରେ ସେହି ପଠାଣ ଭୂତଟି ଶୀତରେ କମ୍ପି କମ୍ପି ସ୍ତ୍ରୀ ଲୋକଟିର ଦେହରୁ ବାହାରିଗଲା । କିନ୍ତୁ ଗଲାବେଳେ ବିରକ୍ତ ସ୍ୱରରେ କହିଗଲା–

 

ଶାଲା ହରାମୀକା ବଚ୍ଚା ! ଏକ ଆଲ୍ଲାକୋ ଏକ୍‌ଶୋ ଆଲ୍ଲା ବନାଦିଆ ଔର ହମାରା ପିଛା ଲଗାଦିଆ ! ହାୟ ! ହାୟ ! ମୈ କ୍ୟା କରୁଁ–ମୈ କ୍ୟା କରୁଁ !!

 

ଗୁଣିଆ ମହାଶୟ ଏହା ଦେଖି ଓ ଶୁଣି ଖୁବ୍‍ ଖୁସି ହୋଇ କହିଲେ–

 

ଆରେ ଭୂତ ! ବଦମାସ୍‍ ଲୋକଙ୍କୁ ଦମନ କରିବା କାରବାର ଆଲ୍ଲାଙ୍କ ପକ୍ଷରେ ଖୁବ୍‍ ସହଜ । ସେ ଯେତେବେଳେ ଯାହା ଭିତରେ ପଶି ଯାହା ଇଚ୍ଛା ତାହା କରିପାରିବେ । ମାତ୍ର ଜଗନ୍ନାଥ ହେଲେ ସାକାର । ତାଙ୍କ ପାବାରର ସୀମା ଅଛି । ସେ ଯୋଉ ରୂପରେ ଅଛନ୍ତି–ସେଇ ରୂପରେ ଯାହା ଯେତିକି କରିପାରିବେ । ଫ୍ୟାନ ଭିତରେ ପଶି ବଦମାସ ଭୂତମାନଙ୍କୁ ତଡ଼ିବା ତାଙ୍କ ପକ୍ଷରେ ସହଜ ନୁହଁ । ଆରେ ବଦମାସ ! ଆଲ୍ଲା ତାଲ୍ଲାଙ୍କ ପବିତ୍ର ନାମ ତୋ ତୁଣ୍ଡରେ ଶୋଭା ପାଉ ନାହିଁ । ଡହରାନନ୍ଦଜୀ ଏତିକି କହିସାରି ଚୁପ୍‍ ହୋଇଗଲେ ।

☆☆☆

 

ଦୁଇ ଡାହାଣୀ ଓ ଗୋଟିଏ ଭୂତ ଦୁଃସମ୍ବାଦ

 

ସେଦିନ ଡହରାନନ୍ଦଜୀଙ୍କ ସହିତ ଆମେ ଦୁଇବନ୍ଧୁ ଭଂଜନଗରରୁ ବସ୍‍ ଯୋଗେ ବ୍ରହ୍ମପୁର ଆସିଲୁ ଏବଂ ବ୍ରହ୍ମପୁରରେ ଗୋଟିଏ ରାତି କଟାଇ ତା’ପରଦିନ ସକାଳୁ କୋଣାର୍କ ଟ୍ରେନ୍‍ ଯୋଗେ ଭୁବନେଶ୍ୱର ଫେରିଲୁ । ସେଦିନ ଥିଲା ଝିପିଝିପି ବର୍ଷା କୋହଲା ପାଗ । ଆମେ ଦୁହେଁ ଟ୍ରେନ୍‍ କାମ୍‌ରା ଭିତରେ ଡହରାନନ୍ଦଙ୍କୁ କହିଲୁ–

 

ଡହରାନନ୍ଦଜୀ ! ଏହି ପାଗ–ଅନୁକୂଳ ଗୋଟିଏ ମଲା ବା ଜୀଅନ୍ତା ଭୂତ ଗପ କହନ୍ତୁ । ଅବଶ୍ୟ ଏମିତି ପାଗରେ ଆମର ପୁରୁଷ ଭୂତମାନଙ୍କ କଥା ନଶୁଣି ସ୍ତ୍ରୀ ଭୂତ ପ୍ରେତଙ୍କ ଗପ ଶୁଣିବାକୁ ଇଚ୍ଛା ହେଉଛି ।

 

ଡହରାନନ୍ଦଜୀ କହିଲେ ବିଖ୍ୟାତ ଗୁଣିଆମାନଙ୍କଠାରୁ ମୁଁ ଯାହା ଶୁଣିଛି–ସ୍ତ୍ରୀ ଭୂତ ବା ଡାହାଣୀ, ଚିରୁଗୁଣୀ, ପିତାଶୁଣୀମାନେ ପୁରୁଷ ଭୂତ ପ୍ରେତମାନଙ୍କ ଠାରୁ ଅଧିକ ଦୟାମୟୀ, ମାୟାମୟୀ ଓ ନମନୀୟା । କିନ୍ତୁ ଦୁଇଟି ଡାହାଣୀ ବା ପିତାଶୁଣୀଙ୍କ ଭିତରେ ଯଦି ପ୍ରେମ ପ୍ରଣୟଜନିତ ସଉତୁଣୀ ଭାବ ଥାଏ, ତେବେ ସେମାନେ କେତେଦୂର ଭୟଙ୍କରୀ ହୋଇଉଠନ୍ତି ତାହା ତୁମେ କଳନା କରିପାରିବ ନାହିଁ ।

 

ଏ ସଂପର୍କରେ ମୁଁ ଯୋଉ ଗପଟି ଶୁଣିଛି–ତାହା କହୁଛି–ଶୁଣ ।

 

ଥରେ ଜଣେ ଭଦ୍ରଲୋକଙ୍କର ସ୍ତ୍ରୀ ଫ୍ୟାନ୍‌ରେ ରସି ଲଗାଇ ଆତ୍ମହତ୍ୟା କଲେ । ସ୍ୱାମୀ ସ୍ତ୍ରୀ ଉଭୟ ଥିଲେ ଦେଖିବାକୁ ସୁନ୍ଦର ଓ ସ୍ୱାସ୍ଥ୍ୟସଂପନ୍ନ । ବୟସ ମଧ୍ୟ ଚାଳିଶି ଭିତରେ, ମଧ୍ୟବିତ୍ତ ଚଳଣୀ । ଦୁହେଁ ଦୁହିଁଙ୍କୁ ଖୁବ୍‍ ଭଲ ପାଉଥିଲେ । ଦଣ୍ଡେ ବି ଜଣେ ଜଣକୁ ନଦେଖିଲେ ରହି ପାରୁ ନଥିଲା । କିନ୍ତୁ ସେମାନଙ୍କର ପିଲାଛୁଆ ନଥିବାରୁ ଅନାଥାଶ୍ରମରୁ ପିଲାଟିଏ ଆଣି ତାକୁ ପାଳିବେ ବୋଲି ଠିକ୍‍ କରିଥିଲେ । କିନ୍ତୁ ଏଇ ସମୟରେ ଅଘଟଣଟିଏ ଘଟିଲା । ସ୍ୱାମୀଟି ତା’ର ସୁନ୍ଦରୀ ଶାଳୀଟିକୁ ଭଲପାଇ ବସିଲା । ଅବଶ୍ୟ ବହୁ ଦିନରୁ ସେ ଦୁହିଁଙ୍କ ଭିତରେ କିଛି ଭିତିରି ଭାବ ଥିଲା । ଶାଳୀଟି ବାହା ହୋଇ ପାରିଲା ନାହିଁ । କିନ୍ତୁ ଅଧ୍ୟାପିକାଟିଏ ହେଲା । ଅଧ୍ୟାପିକା ହେଲାପରେ ତା’ର ସାହସ ଓ ସ୍ୱାଧୀନତା ଖୁବ୍‍ ବଢ଼ିଗଲା ଓ ସେ ଭିଣୋଇ ସାଙ୍ଗେ ତା’ର ପ୍ରେମସଂପର୍କ ବଢ଼ାଇ ଦେଲା ଏବଂ ବାରଂବାର ତାଙ୍କ ଘରକୁ ଯିବାଆସିବା କଲା । ତା’ ପ୍ରେମ ଏତେ ପ୍ରବଳ ହେଲା ଯେ, ବଡ଼ ଭଉଣୀକୁ ଖାତିର ନକରି ତା’ ଆଗରେ ବି ସେ ତା ଭିଣୋଇକି ଚୁମ୍ବନ, ଆଲିଙ୍ଗନାଦି କଲା । ତା’ର ଏହି ବଳପୂର୍ବା, ନିର୍ଭୟ, ନିର୍ଲଜ ପ୍ରେମାଚାର ଦେଖି ସ୍ତ୍ରୀ ଲୋକଟି ଦିନେ ପ୍ରଚଣ୍ଡ ରାଗାନ୍ଵିତ ହୋଇ ତାକୁ ବାଡ଼େଇ ଘରୁ ବାହାର କରିଦେଲା ଓ ଚିରଦିନ ପାଇଁ ତାକୁ ତା’ ଘରକୁ ଆସିବାକୁ ବାରଣ କରିଦେଲା ।

କିନ୍ତୁ ଏହାର ଫଳ ହେଲା ବିପରୀତ । ପ୍ରେମିକା ଶାଳୀଟିକୁ ନ ଦେଖି ପ୍ରେମିକ ଭିଣୋଇଟି ବାତୁଳ ପ୍ରାଏ ହେଲେ ଏବଂ ବହୁ ସମୟ ଘର ଛାଡ଼ି ବାହାରେ ରହିଲେ ଓ ଶେଷକୁ ସପ୍ତାହକେ ଚାରିପାଞ୍ଚ ଦିନ ବାହାରେ ଶାଳୀ ସଙ୍ଗେ ରାତି କଟାଇଲେ ଓ ଘରକୁ ଫେରିଲେ ନାହିଁ । ଏଣେ ଏ କାଣ୍ଡକାରଖାନା ଦେଖି ସ୍ତ୍ରୀ ଲୋକଟି ବଡ଼ ବ୍ୟସ୍ତ ବିବ୍ରତ ହୋଇପଡ଼ିଲା ଏବଂ ସବୁଦିନେ ସ୍ୱାମୀ ସ୍ତ୍ରୀଙ୍କର ଏ ବିଷୟ ନେଇ ଭୀଷଣ ଝଗଡ଼ା ହେଲା । କିନ୍ତୁ ଏଣେ ଘରେ ସ୍ତ୍ରୀ ସଙ୍ଗେ ଝଗଡ଼ା ଯେତିକି ବଢ଼ିଲା–ତେଣେ ବାହାରେ ଶାଳୀ ସାଙ୍ଗେ ଭିଣୋଇର ପ୍ରେମଲୀଳା ସେତିକି ବଢ଼ି ଚାଲିଲା-। ଶେଷକୁ ଆଉ କିଛି ଉପାୟ ନପାଇ ପ୍ରେମପରାହତା ସ୍ତ୍ରୀ ଲୋକଟି ଦିନେ ଦି ପ୍ରହରରେ ଶୋଇବା ଘର ଫ୍ୟାନ୍‌ରେ ଦଉଡ଼ିଦେଇ ଆତ୍ମହତ୍ୟା କରିଦେଲା ।

ଆତ୍ମହତ୍ୟା କରିଥିବା ଲୋକପାଇଁ କେହି ସୁଧ ହୁଅନ୍ତି ନାହିଁ । ଗୋଟିଏ ମାସ ବିତିନାହିଁ, ଶାଳୀ ଭିଣେଇ ଆଉ ଅଧିକ କାଳକ୍ଷେପଣ ନକରି ମହା ଆନନ୍ଦରେ ବାହାହୋଇ ପଡ଼ିଲେ । ବାସ୍‍–ଏଣିକି ଆଉ କେହି ବାରଣ କରିବାକୁ ନାହିଁ । ଯେତେ ପାରୁଛ ମନଇଚ୍ଛା ପରସ୍ପରର ପ୍ରୀତି–ଭଣ୍ଡାର ଉଜାଡ଼ିଦିଅ । ଭୋଗକର ।

କିନ୍ତୁ ଭାଗ୍ୟ ଫଳିଲା ବିପରୀତ । ଚଉଠି ରାତିରେ ଶାଳୀ ଯେତେବେଳେ ଭିଣେଇ ସ୍ୱାମୀଟି ପାଖେ ଶୋଇବାକୁ ଯାଏ–ଦେଖିଲା ଯେ, ତା ବଡ଼ ଭଉଣୀ ସେଠି ଶୋଇଛି । ପ୍ରଥମେ ସେ ଚମକି ପଡ଼ିଲା, ତା’ ପରେ ନିଜ ଆଖିକୁ ବିଶ୍ଵାସ ନକରି ବହୁଥର ଆଖି ମଳିଲା । କିନ୍ତୁ ଯାହା ଦେଖୁଥାଏ ଠିକ୍‍ ଦେଖୁଥାଏ । ତା’ ବଡ଼–ଭଉଣୀ ଯମପୁରରୁ ଫେରି ଆସି ପୂର୍ବପରି ବେଶଭୂଷା ହୋଇ ତା’ ଭିଣୋଇ ସ୍ୱାମୀ ପାଖେ ଆଗରୁ ଶୋଇଛି । ଏକଥା ସେ ଭିଣୋଇକୁ କହିବାରୁ ଭିଣୋଇ ହସିଲା । କହିଲା–କାଇଁ ? କେହିତ ନାହିଁ । ତୁମ ମନ ଭିତରେ ତା’ ପ୍ରେତ ରହି ତୁମକୁ ଏହି ଭେଳିକି ଦେଖାଉଛି । ମନରୁ ଭୟ ଛାଡ଼ । ଛାତି ଦମ୍ଭ କରି ଆସ ଶୁଅ ମୋ ପାଖେ । ଦେଖିବି କିଏ କୋଉଠି ଅଛି–ଆଉ ଆମର କିଏ ବା କ’ଣ କରିପାରିବ ।

ଶାଳୀଟି କଥାମାନି ଯେମିତି ଭିଣେଇ ପାଖେ ଶୋଇଛି–ସେମିତି ତା ପିଠିରେ କିଏ ଦୁମ୍‌ଦାମ୍‍ ଲଦି ଦେଇଗଲା । ତାକୁ କିଏ ଆମ୍ପୁଡ଼ି ପକାଇଲା । ତାକୁ କିଏ ଗୋଇଠା ମାରି ପେଲି ଲାଗିଲା । ଶାଳୀଟି ଭେଁ ଭେଁ ହୋଇ କାନ୍ଦି ଉଠିଲା । ଭିଣୋଇଟି ଯେତେ ବୁଝାଇଲେ ବି କିଛି ଫଳହେଲା ନାହିଁ । ସେଦିନ ରାତିଟି ଏମିତି କଟିଲା ଏବଂ ତା’ ପର ଦିନ ରାତି ବି ସେଇଆ ହେଲା-। ସେଇଠୁ ଭିଣୋଇ ସ୍ୱାମୀଟି କ’ଣ କଲା ନା ଶାଳୀକୁ ଧରି ଗୋଟିଏ ହୋଟେଲ୍‍ ରୁମ୍‍ ଭଡ଼ା ନେଇ ରହିଲା । କିନ୍ତୁ ସେଠି ମଧ୍ୟ ସେହି ଅଘଟଣ ଘଟିଲା । ମୋଟ ଉପରେ ଭଦ୍ରଲୋକଙ୍କର ପ୍ରଥମ ସ୍ତ୍ରୀର ପ୍ରେତ ଆଉ ଏ ଶାଳୀ ଭିଣୋଇକି ଏକାଠି କୋଉଠି ଶୁଆଇ ଦେଲା ନାହିଁ । ଖାଲି ଏତିକି ନୁହଁ, ଶାଳୀଟି ସେ ଘରେ ଯୋଉଠି ହାତ ଦେଲା ତା’ ଭଉଣୀ ପ୍ରେତ ଆସି ସେଠି ତାକୁ ଅଟକାଇଲା, ମାଡ଼ ଚଢ଼େଇଲା । ଏପରିକି ତାକୁ ରୋଷଘରେ, ଠାକୁର ଘରେ ବି ପୂରାଇ ଦେଲା ନାହିଁ । ଏହିପରି ଦୂରବସ୍ଥା ଭୋଗିଭୋଗି ଶାଳୀଟିର ଦେହମନ ଭାଙ୍ଗି ପଡ଼ିଲା । ସେ ପାଗଳୀ ହୋଇଗଲା-। ତା’ ସ୍ୱାସ୍ଥ୍ୟ କମି କମି ସେ କୁଟା ଭଳି ହୋଇଗଲା ଓ ଦିନେ ମରିଗଲା ।

ସ୍ୱାମୀଟିର ଦୁଃଖ ଅବସ୍ଥା କହିଲେ ନସରେ । ବିଚରା ଏକୁଟିଆ ହୋଇଗଲା । ଏଡ଼େ ପ୍ରିୟତମା ସୁନ୍ଦରୀ ସ୍ତ୍ରୀ ମଲା । ତା’ ଦାଉରେ ଏଡ଼େ ପ୍ରିୟତମା ସୁନ୍ଦରୀ ଶାଳୀଟି ବି ମଲା । ସ୍ୱାମୀଟି ଭାବିଲା–ଏଣିକି ଧର୍ମ କର୍ମରେ ମନଦେବ । ଆଉ ଏ ଦୁଃଖର ସଂସାର ଜାଲରେ ପଡ଼ିବ ନାହିଁ । ତଦନୁଯାୟୀ ସେ ବ୍ୟବସ୍ଥା କଲା ଓ ଜଣେ ସନ୍ନ୍ୟାସୀଙ୍କୁ ଗୁରୁକରି ଦୀକ୍ଷା ନେଲା ଓ ସାଧନ ଭଜନରେ ମାତିଲା ।

ଦିନେ ରାତିରେ ଭଦ୍ରଲୋକ ବିଛଣାରେ ଶୋଇଛନ୍ତି–ତାଙ୍କୁ ଲାଗିଲା ଯେ, ଗୋଟିଏ କୋମଳ ନାରୀ ହାତ ତାଙ୍କୁ ବେଢ଼ାଇ ଧରିଲା । ସେ ଆଖିଖୋଲି ଦେଖିଲେ ଯେ ତାଙ୍କର ପ୍ରିୟତମା ସୁନ୍ଦରୀ ଶାଳୀଟି ତାଙ୍କୁ କୁଣ୍ଢାଇ ଧରିଛି । ଭଦ୍ରଲୋକ ଅତ୍ୟନ୍ତ ଆହ୍ଲାଦ ଆନନ୍ଦ ହୋଇ ତାକୁ ଚୁମ୍ବନ କରିବାକୁ ବସିଛନ୍ତି–ଏହି ସମୟରେ ତାଙ୍କର ପ୍ରଥମ ସ୍ତ୍ରୀ କୁଆଡ଼ୁ ଆସି ସେଠି ହଠାତ୍‍ ପହଁଚିଗଲା ଓ ଗୋଟାଏ ଝାଡ଼ୁ ଧରି ଶାଳୀ ଓ ଭିଣୋଇକି ପିଟି ଲାଗିଲା । ଭଦ୍ରଲୋକ ଯେତେ ଚେଷ୍ଟା କଲେ ବି ତା’ ହାତରୁ ଝାଡ଼ୁଟିକୁ ଛଡ଼ାଇ ଆଣିପାରିଲେ ନାହିଁ । ପ୍ରଥମ ସ୍ତ୍ରୀର ପ୍ରେତଟି ଉନ୍ମାଦିନୀ ଭଳି ଶାଳୀ ଭିଣୋଇଙ୍କ ଉପରେ ଝାଡ଼ୁବୃଷ୍ଟି କରି ଚାଲିଥାଏ । ଏମିତି ଭାବରେ ସେ ରାତି ପାହିଗଲା ଏବଂ ଏ ଦୃଶ୍ୟ ଉଭେଇ ଗଲା । କିନ୍ତୁ ତା’ ପର ରାତିରେ ବି ସେଇ ଏକାକଥା ଘଟିଲା ଓ ଏହିପରି ତିନିରାତି ଘଟିଲା ପରେ ଭଦ୍ରଲୋକ ଦିନେ ଏ ସମସ୍ତ ବୃତ୍ତାନ୍ତ ତାଙ୍କ ଗୁରୁଙ୍କ ଆଗରେ କହିଲେ ଓ କହୁ କହୁ ହଠାତ୍‍ ମୂର୍ଚ୍ଛା ହୋଇ ତଳେ ପଡ଼ିଗଲେ ଓ ସଙ୍ଗେ ସଙ୍ଗେ ତାଙ୍କ ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇଗଲା । ଏହା ପରର ଘଟଣା ଆହୁରି ଅଦ୍‌ଭୂତ ଓ ବିରକ୍ତିକର ଥିଲା । ସେହି ଗୁରୁ ମହାଶୟ ପ୍ରକୃତରେ ଜଣେ ସନ୍ଥ ସାଧକ ଥିଲେ । ତାଙ୍କର ଦିନରାତି ସାଧନଭଜନରେ କଟୁଥିଲା । ସେ ଦିନରେ ମାତ୍ର ଦୁଇଘଣ୍ଟା ଶୋଉଥିଲେ ଓ ସାରା ରାତି ଅନିଦ୍ରା ରହି ଜପତପ କରୁଥିଲେ । ମାତ୍ର ଏଣିକି ସେ ଆଉ ପ୍ରତିରାତିରେ ସାଧନ ଭଜନ କରିପାରିଲେ ନାହିଁ । କାରଣ–ଏଣିକି ପ୍ରତି ରାତିରେ ତାଙ୍କ କୋଠରୀ ଭିତରେ ଦୁଇଟି ଡାହାଣୀ ଗୋଟିଏ ଭୂତକୁ ଧରି ପରସ୍ପର ସହ କଳିକଜିଆ, କାମୁଡ଼ା କାମୁଡ଼ି ଓ ଆଂପୁଡ଼ା ଆଂପୁଡ଼ି ଲୀଳା ଆରମ୍ଭ କରିଦେଲେ ।

ଭୂତଟି ସନ୍ନ୍ୟାସୀଙ୍କର ଶିଷ୍ୟ ହୋଇଥିବାରୁ ସେ ତାକୁ ନିଜ କୋଠରୀରୁ ବାହାର କରି ଦେଇ ପାରୁନଥିଲେ । କାରଣ, ସେ ଆସି ତାଙ୍କ ପାଖେ ଆଶ୍ରୟ ନେଇଥିଲେ ଏବଂ ଭୂତ ଶିଷ୍ୟଟିକୁ ପ୍ରଶ୍ରୟ ଦେଇଥିବାରୁ ସେ ତାଙ୍କର ଦୁଇଜଣଯାକ ପ୍ରେମିକା ପ୍ରେତକୁ ମଧ୍ୟ ପ୍ରଶ୍ରୟ ଦେବାକୁ ବାଧ୍ୟ ହୋଇଥିଲେ । କାରଣ, ଭୂତଶିଷ୍ୟଟି ଯେତେ ନିର୍ଯ୍ୟାତିତ ହେଲେ ବି, ତା’ର ଡାହାଣୀ ପ୍ରେମିକା ଦୁଇଟିକୁ ପାଖରୁ ଛାଡ଼ିବାକୁ ନାରାଜ ଥିଲା ।

ଏବଂ ସେହି ଗୁରୁମହାଶୟ ଥିଲେ ଜଣେ ପରମ କାରୁଣିକ ଭୂତବତ୍ସଳ ସନ୍ନ୍ୟାସୀ ।

ଡହରାନନ୍ଦ ଏଇଠାରେ କଥାଟି ଶେଷକରି ହସି ଉଠିଲେ । କିନ୍ତୁ ସମବେତ ଯୁବକମାନେ ଦୀର୍ଘଶ୍ୱାସ ପକାଇ ଚୁପ୍‍ ହୋଇଗଲେ ।

☆☆☆

 

ଦୁଇ ସଉତୁଣୀଙ୍କ ଭାଗବଣ୍ଟା

 

ଥରେ ବାବା ଡହରାନନ୍ଦ ଜମିବାଡ଼ି ସଂକ୍ରାନ୍ତୀୟ କାମରେ ନିଜର ଜନ୍ମିତ ଗ୍ରାମକୁ ଯାଇଥିଲେ । ସେଠାରେ ରହୁରହୁ ନିଜର ଭାଇ ଓ ପୁତୁରାମାନଙ୍କ ଅନୁରୋଧରେ ଗୋଟିଏ ସପ୍ତାହ ରହିଗଲେ । ସେହି ସମୟରେ ସେହି ଗ୍ରାମର କେତେକ ଯୁବକ ଦିନେ ତାଙ୍କ ପାଖକୁ ଆସି ପଚାରିଲେ–

 

ଡହରାନନ୍ଦଜୀ ! ଆପଣ ଆମର ଏହି ଗ୍ରାମର ଗୌରବ ବଢ଼ାଇଛନ୍ତି । ଆମ୍ଭେମାନେ ଆପଣଙ୍କ ପାଇଁ ଗର୍ବିତ । କିନ୍ତୁ ଆପଣ ଚିରଦିନ ପାଇଁ ଗ୍ରାମଛାଡ଼ି ସହରରେ ରହିଲେ ଓ ତା’ ଫଳରେ ସହରର ଯୁବକମାନେ ଆପଣଙ୍କଠାରୁ ନାନାଦି ବିଜ୍ଞକଥା ଶୁଣି ଉପକୃତ ହେଲେ । ବର୍ତ୍ତମାନ ଆମେ ଆପଣଙ୍କୁ ପାଖରେ ପାଇଛୁ । ଦୟାକରି ଆମକୁ କିଛି ଭଲ କଥା କହନ୍ତୁ ।

 

ଡହରାନନ୍ଦ କହିଲେ–ତୁମେମାନେ କ’ଣ ଶୁଣିବାକୁ ଇଚ୍ଛାକର କୁହ ।

 

ଜଣେ ଯୁବକ କହିଲେ–ପ୍ରଥମେ ଆଜି ପାଇଁ ଆପଣ ଆମକୁ ଆପଣଙ୍କ ପିଲାଦିନର କଥାଟିଏ କହନ୍ତୁ ଯାହା କି ସତକୁ ସତ ଏଇ ଗାଁରେ ଘଟିଥିବ । କଥାଟି କିନ୍ତୁ କୌତୁକିଆ ହୋଇଥିବ ।

 

ଡହରାନନ୍ଦ ଗ୍ରାମର ଯୁବକମାନଙ୍କ ଆଗ୍ରହ ଦେଖି ଖୁବ୍‍ ଉତ୍‌ଫୁଲ୍ଲ ହୋଇଉଠିଲେ । ତାଙ୍କ ମନରେ ଅର୍ଦ୍ଧଶତାବ୍ଦୀ ପୂର୍ବେ ତାଙ୍କର ଏହି ଗ୍ରାମରେ ଘଟିଥିବା ଅନେକ କୌତୁକିଆ କଥା ମନେ ପଡ଼ିଗଲା, ସେ କହିବାକୁ ଆରମ୍ଭ କଲେ–

 

ମୋ ପିଲାଦିନରେ ଏଇ ଗାଁରେ ଲୋକେ ଖୁବ୍‍ ଗରିବ ଥିଲେ । ଅନେକଙ୍କର ଦୁଇଓଳି ଘରେ ଖାଇବାକୁ ବି ନଥିଲା । ଆଜି ଅବଶ୍ୟ ସେ ଅବସ୍ଥା ଆଉ ନାହିଁ । ବର୍ତ୍ତମାନ ଗାଁରେ ବଡ଼ବଡ଼ ଦୋକାନ ବଜାର ଖୋଲିଗଲାଣି । କେତେ କୋଠାତୋଳା ହେଲାଣି । ଲୋକଙ୍କ ହାତରେ ଢେର ପଇସା, ଢେର କ୍ଷମତା । କିନ୍ତୁ ଆଜିକାଲି ଗାଁରେ ସେହି ହସ ଖୁସି ନାହିଁ କି ହାସ୍ୟ କୌତୁକ ନାହିଁ । ଲୋକଙ୍କ ମନରେ ସେହି ପ୍ରାଣବନ୍ତ ସରସତା ମଧ୍ୟ ନାହିଁ । ଖାଲି କଳିକଜିଆ, ବାଡ଼ିଆପିଟା, ହୈହଲ୍ଲା ଚାଲିଛି । ସେକାଳେ ଆମକୁ ହସ କୌତୁକ କରିବାକୁ ବହୁତ ସୁଯୋଗ ଥିଲା ।

 

ଆମ ଗାଁ ପାଢ଼ୀସାହିରେ ସେକାଳେ ଜଣେ ଷାଠିଏ ବାଷଠୀ ବର୍ଷର ବୃଦ୍ଧ ଲୋକ ଥିଲେ-। ଖୁବ୍‍ ଡେଙ୍ଗା ଆଉ ସରୁଆ ନହକା ମଣିଷ । ବାମପଟ ନାକରେ ଭାତୁଡ଼ିଟିଏ ଉଠିଥାଏ-। ଲମ୍ବା ହାଡ଼ୁଆ ମୁହଁ । ଗଞ୍ଜେଇ ଖା’ନ୍ତି । ସ୍ୱପ୍ନେଶ୍ୱର ମହାଦେବଙ୍କର ସେବକ ଥିଲେ ସେ । ନାଁ ତାଙ୍କର ଉଚ୍ଛବ ପାଢ଼ୀ । ଲଣ୍ଡା ମୁଣ୍ଡରେ ପଛପଟକୁ କୋରାଏ ଚୁଟୀ ଉଡ଼ୁଥାଏ । ତାଙ୍କର ପ୍ରଥମ ସ୍ତ୍ରୀ ଦୁଇବର୍ଷର ଝିଅଟିଏ ଛାଡ଼ି ମରିଗଲେ । ସେଇଠୁ ଉଚ୍ଛବ ପାଢ଼ୀ ଉତିଆଣି ପିଲାଟିକୁ ଲାଳନ ପାଳନ କରିବା ପାଇଁ ଆଉ ଗୋଟିଏ ସ୍ତ୍ରୀ ବିବାହ କଲେ । ସେ ସ୍ତ୍ରୀର ଲାଗ ଲାଗ ଝିଅ ଜନ୍ମହେଲେ-। ସ୍ତ୍ରୀ ଲୋକଟି ମଧ୍ୟ ବାରମ୍ବାର ପ୍ରସବ କରି କରି ଓ ଉପଯୁକ୍ତ ଶୁଶ୍ରୁଷା ନ ପାଇ କ୍ରମଶଃ ରୋଗୀଣା ହୋଇଗଲା । ସେଇଠୁ ଉଚ୍ଛବ ପାଢ଼ୀ କ’ଣ କଲେ ନା ତାଙ୍କୁ ଯେତେବେଳେ ଅଠାବନ ବର୍ଷ ବୟସ ସେତେବେଳେ ଗୋଟିଏ ଚବିଶ ପଚିଶବର୍ଷ ବୟସର ଯୁବତୀ ବିଧବାଟିଏ ଯୋଗାଡ଼ କରି ତାକୁ ବାହାହୋଇ ପଡ଼ିଲେ । ସେଇ ଯୁବତୀ ବିଧବା ସ୍ତ୍ରୀ ଲୋକଟି ଥିଲା ଗଞ୍ଜାମ ଜିଲ୍ଲା ଆଡ଼ର ଏବଂ ସେ ଥିଲା ନିମ୍ନ ଜାତିର ସ୍ତ୍ରୀ ଲୋକ । କିନ୍ତୁ ଉଚ୍ଛବ ପାଢ଼ୀ ପ୍ରଚାର କଲେ ଯେ ସ୍ତ୍ରୀ ଲୋକଟି ବିଧବା ନୁହଁ-। ତା’ ସ୍ଵାମୀ ତାକୁ ଛାଡ଼ି କଲିକତା ପଳାଇଲା ଓ ସେ ମଧ୍ୟ ନିମ୍ନ ଜାତିର ନୁହଁ–ଖୋଦ ବ୍ରାହ୍ମଣ ଘର ଝିଅ । ଗାଁ’ବାଲା ମଧ୍ୟ କେହି ଅବିଶ୍ୱାସ କଲେ ନାହିଁ । କାରଣ ସ୍ତ୍ରୀ ଲୋକଟିର ରୂପ, ଯୌବନ ବ୍ୟବହାର ଦେଖିଲେ ଉଚ୍ଛବ ପାଢ଼ୀଙ୍କ କଥାକୁ ଅବିଶ୍ୱାସ କରିବାର କିଛି ନଥିଲା ।

 

ତିନିବର୍ଷ ଭିତରେ ସେଇ ଦ୍ଵିତୀୟା ସ୍ତ୍ରୀ’ଆଡ଼ୁ ମଧ୍ୟ ପୁଣି ଦୁଇଟି ଝିଅ ହେଲେ । ସବୁ ସ୍ତ୍ରୀଙ୍କ ଆଡ଼ୁ କେବଳ ଝିଅ ଗୁଡ଼ିଏ ଜନ୍ମ ହେଉଥିବାରୁ ଉଚ୍ଛବ ପାଢ଼ୀଙ୍କ ମନ ବଡ଼ ଖରାପ ହୋଇଗଲା-। ତା’ ଛଡ଼ା ଏତେଗୁଡ଼ାଏ ଝିଅ ପିଲାଙ୍କୁ ସେକାଳେ ଖୁଆଇ ପିଆଇ ବଢ଼େଇ କୁଢ଼େଇ ପୁଣି ବିବାହ ଦେବା ସହଜ କଥା ନ ଥିଲା । କିନ୍ତୁ ଉଚ୍ଛବ ପାଢ଼ୀଙ୍କ ଭାଗ୍ୟଭଲ । ସାତଟି ଝିଅ ଭିତରୁ କେବଳ ପ୍ରଥମ ଝିଅଟି ଛଡ଼ା ଆଉ ଛଅଟିଯାକ ଝିଅ ୨/୩ ବର୍ଷ ଭିତରେ ମରିଗଲେ । ଜଣେ ସାପକାମୁଡ଼ାରେ ମଲା, ଜଣେ ପୋଖରୀରେ ବୁଡ଼ିମଲା, ଆଉ ଦି ଜଣ ହଇଜାରେ ମରିଗଲେ, ଆଉ ଜଣକ ଉପରେ କାନ୍ଥ ଭୁସୁଡ଼ି ପଡ଼ିଲାରୁ ସେ ମଲା ଏବଂ ଶେଷଟି ମଲା ସନ୍ନିପାତ ରୋଗରେ-। ବର୍ତ୍ତମାନ ଉଚ୍ଛବ ପାଢ଼ୀ ତାଙ୍କର ପ୍ରଥମ ଝିଅଟିକୁ ଏ ଖଁ ଗାଁରେ ବିବାହ ଦେଇ କେବଳ ନିଜର ଦୁଇ ସ୍ତ୍ରୀଙ୍କୁ ଧରି ରହିଲେ । ବଡ଼ ସ୍ତ୍ରୀଟି ବୁଢ଼ୀ ହୋଇଆସୁଥାଏ–ମାତ୍ର ସେହି ଗଞ୍ଜାମୀ ସ୍ତ୍ରୀଟିର ସ୍ୱାସ୍ଥ୍ୟ, ଯୌବନ ନଷ୍ଟ ହୋଇ ନ ଥାଏ । ଝିଅମାନଙ୍କ ଜଞ୍ଜାଳରୁ ମୁକ୍ତି ପାଇଲା ପରେ ଉଚ୍ଛବ ପାଢ଼ୀଙ୍କର ଅନ୍ୟ ଜଞ୍ଜାଳ ଆସି ପହଁଞ୍ଚିଲା ।

 

ଜଞ୍ଜାଳଟି ହେଲା–ଦୁଇଭାର୍ଯ୍ୟାଙ୍କ ଭିତରେ ଦିନରାତି କଳି କଜିଆ ଓ ଯୁଦ୍ଧ । ଉଚ୍ଛବ ପାଢ଼ୀ ଦୁହିଁଙ୍କୁ ଶାନ୍ତ କରିବାକୁ ମଝିରେ ମଝିରେ ଠିଆ ହୋଇ ଦୁହିଁଙ୍କୁ ପ୍ରବୋଧ ଦେଉଥାନ୍ତି ନତୁବା ଗାଳି ଦେଉଥାନ୍ତି । କିନ୍ତୁ ଦୁଇ ସଉତୁଣୀଙ୍କ ବାକ୍‍–ଯୁଦ୍ଧ ବନ୍ଦ ହୁଏ ନାହିଁ । ସେମାନେ ପରସ୍ପରକୁ ନେଇ ବହୁ ଅଶ୍ଳୀଳ, ଅଶ୍ରାବ୍ୟ ବାକ୍ୟ କହୁଥାନ୍ତି । ଉଚ୍ଛବ ପାଢ଼ୀ ବୁଢ଼ା ମଝିରେ ଠିଆହୋଇ କେବଳ ହାସ୍‍ ହାସ୍‍ କରୁଥାଏ କିନ୍ତୁ କେହି ବୁଢ଼ା କଥାକୁ ଶୁଣୁ ନ ଥାନ୍ତି ।

 

ଦୁଇ ସଉତୁଣୀଙ୍କ କଳି ଦେଖିବା ପାଇଁ ଓ ଶୁଣିବା ପାଇଁ ସାହୀଯାକର ପିଲା, ବୁଢ଼ା ଓ ସ୍ତ୍ରୀ ଲୋକମାନେ ଆସି ରୁଣ୍ଡ ହୁଅନ୍ତି ସେତେବେଳେ ମୁଁ ମଧ୍ୟ ବହୁବେଳେ ଆସି ସେହି କୌତୁକ ଦୃଶ୍ୟ ଦେଖୁଥାଏ । ସେମାନେ କଳିକଜିଆ ଓ ରମ୍ପା ଆମ୍ପୁଡ଼ାରେ ଲାଗିଥାନ୍ତି । କିନ୍ତୁ ଆମକୁ ସେ ଦୃଶ୍ୟ ବଡ଼ ଚମତ୍କାର ଲାଗୁଥାଏ ।

 

ଦିନେ ଆମେ ଦେଖିଲୁ ଯେ ଉଚ୍ଛବ ପାଢ଼ୀ ଦୁଇ ସଉତୁଣୀଙ୍କ ମଝିରେ ପଡ଼ି ବଡ଼ ଛଟପଟ ହେଉଛି । ତା’ ହାତଧରି ଗୋଟିଏ ସ୍ତ୍ରୀ ତା’ ଆଡ଼କୁ ଟାଣି ନେଉଥାଏ ଏବଂ ଆର ସ୍ତ୍ରୀଟି ପୁଣି ତାକୁ ସଉତୁଣୀ ପାଖରୁ ନିଜ ଆଡ଼କୁ ଝିଙ୍କି ଆଣୁଥାଏ । ଏହିପରି ବାରମ୍ବାର ଝିଙ୍କାଝିଙ୍କିରେ ଉଚ୍ଛବ ପାଢ଼ୀ ବୁଢ଼ାର ଉର୍ଦ୍ଧ୍ୱଶ୍ଵାସ ଉଠୁଥାଏ । ସେ କେବଳ କହି ଚାଲିଥାଏ–ଆଲୋ ଛାଡ଼ ଛାଡ଼–ଆଲୋ ଛାଡ଼ ଛାଡ଼ । କିନ୍ତୁ କିଏ ଛାଡ଼ୁଛି । ଦୁଇ ସଉତୁଣୀ ଯାକ ସ୍ୱାମୀକୁ ନିଜ ଅଧିକାରରେ ପାଇବାକୁ ନିଜ ଆଡ଼କୁ ଝିଙ୍କି ନେଉଥାନ୍ତି । ଆମେ ସବୁ ଏ ଦୃଶ୍ୟ ଦେଖି ହସି ହସି ଗଡ଼ିଯାଉଥାଉ । କିନ୍ତୁ ସେହି ହାସ୍ୟକର ଦୃଶ୍ୟଟି ଚରମକୁ ଉଠିଲା । ସେତିକିବେଳେ ଯେତେବେଳେ ଉଚ୍ଛବ ପାଢ଼ୀ ବୁଢ଼ା ତା’ର ଦୁଇ ସ୍ଵାଧିକାର ପ୍ରମତ୍ତା ଯୁଦ୍ଧ୍ୟମନା ସ୍ତ୍ରୀଙ୍କ ଘେରରୁ ମୁକୁଳିଯାଇ ଗୋଟିଏ ଘରଭିତରକୁ ପଶିଗଲା, ସେତେବେଳେ କ’ଣ ହେଲା ଯେ ସେହି ଗଞ୍ଜାମୀ ସ୍ତ୍ରୀଟି ଘର ଭିତରକୁ ଦଉଡ଼ିଯାଇ ବୁଢ଼ାର ଚୁଟୀଧରି ପୁଣି ପଦାକୁ ଘୋଷାରି ଆଣିଲା । ଘୋଷାରି ଆଣିଲାବେଳେ ଭିଡ଼ା ଓଟରାରେ ତା’ ହାତରେ ବୁଢ଼ାର ଅଧେ ଚୁଟୀ ଉପୁଡ଼ି ଆସିଲା । ଏହା ଦେଖି ବୟସ୍କା ସ୍ତ୍ରୀଟି ଭୀଷଣ ଉତ୍ତ୍ୟକ୍ତ ହୋଇ ଉଠିଲା ଏବଂ ସେ ମଧ୍ୟ ‘ମୋର ବି ବୁଢ଼ାଚୁଟୀରେ ଭାଗ ନାଇଁ କି ?’ କହି କହି ବୁଢ଼ାର ମୁଣ୍ଡ ଉପରୁ ଆର ଅଧକ ଚୁଟୀ ଉପାଡ଼ିଆଣି ହାତରେ ଧରିଲା । ଆଉ ସଉତୁଣୀ ମୁହଁ ପାଖରେ ତାକୁ ହଲାଇ ହଲାଇ ତାକୁ ଛିଗୁଲାଇ ଲାଗିଲା ‘ଆଲୋ ହେ ଛତରଖାଇ ରାଣ୍ଡୀ ! ଦେଖ ଦେଖ ବୁଢ଼ାଚୁଟୀ ତୋ ହାତରେ ରଖିବୁ ବୋଲି ଭାବିଥିଲୁ, ହେଇ ଦେଖ ବୁଢ଼ା ଚୁଟୀରୁ ତୋର ଅଧେକୁ ମୋର ବି ଅଧେ ।’

 

ଏଣେ ଉଚ୍ଛବ ପାଢ଼ୀ ବୁଢ଼ା ଦୁଆରେ ବସିଥାଏ ତା’ ମୁଣ୍ଡରେ ହାତ ଦେଇ । ମୁଣ୍ଡରୁ ରକ୍ତ ବହିଯାଉଥାଏ ଏବଂ ସେ ନିଜର ଚୁଟୀ ହରାଇ ବିକଳରେ ଧକାଉଥାଏ । ସାରା ସାଇରେ ଲୋକେ ଏ ଦୃଶ୍ୟ ଦେଖି କିନ୍ତୁ ହସି ହସି ଗଡ଼ିଯାଉଥାନ୍ତି । ମତେ ମଧ୍ୟ ସେଦିନ ଏ ଦୃଶ୍ୟ ଭାରି କୌତୁକ ଲାଗିଥିଲା । ଆଜି ମଧ୍ୟ ସେଦିନର ସେହି ଦୃଶ୍ୟ ମୋ ଆଖି ଆଗରେ ନାଚି ଯାଉଛି ।

 

ଗ୍ରାମର ଯୁବକମାନଙ୍କ ମଧ୍ୟରୁ ଜଣେ ହସି ହସି ପଚାରିଲେ–ଡହରାନନ୍ଦଜୀ ! ଏ ଘଟଣାଟିରୁ ଆମେ ପ୍ରକୃତରେ କ’ଣ ଶିକ୍ଷା କରିବା ?

 

ଡହରାନନ୍ଦ ମଧ୍ୟ ହସି ହସି କହିଲେ–ସବୁ ଘଟଣାରୁ କିଛି ଗୋଟାଏ ଶିକ୍ଷାକରିବା ପାଇଁ ଏତେ ଲାଳାୟିତ ହୁଅ ନାହିଁ । ତେବେ ଗୋଟେ କଥା ମନେ ରଖିବ । ତୁମେ ଯାହାକୁ ବାହାହେବ ତୁମ ଚୁଟୀଟି ନିଶ୍ଚୟ ତା’ ହାତରେ ରହିବ । ଜୀବନଯାକ ତୁମ ସ୍ତ୍ରୀ ତୁମ ଚୁଟୀଟି ଧରିଥିବ । କିନ୍ତୁ ସେ ତାକୁ ଉପାଡ଼ି ଦେବନାହିଁ । କିନ୍ତୁ ତୁମେ ଯଦି ଦୁଇଟି ବା ଏକାଧିକ ସ୍ତ୍ରୀ ବିବାହ କର ତେବେ ତୁମ ମୁଣ୍ଡରେ ଆଉ ଚୁଟୀ ରହିବ ନାହିଁ ।

☆☆☆

 

ମୂଷାଟା ମୂଷା ଓ ବାଘ ହିଁ ବାଘ

 

ଆଉ ଦିନେ ଡହରାନନ୍ଦଙ୍କ ଜନ୍ମିତ ଗ୍ରାମର କେତେକ ସ୍କୁଲପିଲା ତାଙ୍କ ପାଖେ ଆସି ପହଞ୍ଚିଲେ । ସେଦିନ ରବିବାର । ସ୍କୁଲ ଛୁଟି ! ଡହରାନନ୍ଦ ମଧ୍ୟାହ୍ନ ଭୋଜନ ପରେ ଖଟ ଉପରେ ଶୋଇ ବିଶ୍ରାମ ନେଉଥାନ୍ତି । ଖରାଦିନ । ପିଲାମାନେ ଆସି ପହଞ୍ଚିଗଲେ ଏବଂ ତାଙ୍କୁ ମଜାଗପଟିଏ କହିବାକୁ ଅଳିକଲେ । ଡହରାନନ୍ଦ ପିଲାମାନଙ୍କ ଆଗ୍ରହ ଦେଖି ଖୁବ୍‍ ଖୁସିରେ ସେମାନଙ୍କୁ ପାଖରେ ବସାଇ ଆରମ୍ଭ କଲେ–

 

ଶୁଣ ବାବୁମାନେ ! କଥାରେ ଅଛି ତୁମର ହୃଦୟଟି ଯଦି ମୂଷାର, ତେବେ ତୁମେ ଯାହା କିଛି ହେଲେ ବି ବିରାଡ଼ି ତୁମକୁ ଡରାଉଥିବ । ଗପଟିଏ କହୁଛି ଶୁଣ ।

 

ଥରେ ଗୋଟିଏ ଡାମରାକୁଆ ଗୋଟିଏ ଚୁଟିଆ ମୂଷାକୁ ଥଣ୍ଟରେ ଧରି ଉଡ଼ି ଯାଉଥିଲା ବେଳେ ମୂଷାଟି ଦୈବାତ୍‍ ତା ଥଣ୍ଟରୁ ଖସିପଡ଼ିଲା । ସେ ଯୋଉଠି ପଡ଼ିଲା ସେଠାରେ ଜଣେ ଅଲୌକିକ ଶକ୍ତିସଂପନ୍ନ ଯୋଗୀ ବସିଥିଲେ । ସେ ସେହି ଆସନ୍ନ ମୃତ୍ୟୁ ହାତରୁ ଦୈବାତ୍‍ ରକ୍ଷା ପାଇ ଯାଇଥିବା ଚୁଟିଆ ମୂଷାଟିକୁ ଅଭୟ ଦେଇ ଖୁଆଇ ପିଆଇ ପାଳିଲେ । କିନ୍ତୁ ସେହି ଯୋଗୀଙ୍କ ଆଶ୍ରମରେ ଗୋଟିଏ ଦୁର୍ଦ୍ଦାନ୍ତ ଭୁଆ ବିରାଡ଼ି ଥାଏ । ସେହି ଭୂଆଟି ଦିନେ ଏଇ ମୂଷାକୁ ବାହାରେ ବୁଲୁଥିବାର ଦେଖି ଖାଇବାକୁ ଗୋଡ଼ାଇଲା । ମୂଷାଟି ଭୟରେ ଯୋଗୀଙ୍କ ପାଖକୁ ଯାଇ ଶରଣ ପଶିଲା । ଯୋଗୀ ସବୁକଥା ଜାଣିପାରି ତାକୁ କହିଲେ–ଆଚ୍ଛା ! ତୁ ଆଉ ଚିନ୍ତା କରନା । ଆମେ ତୋତେ ଗୋଟେ ବିରାଡ଼ି କରିଦେବା । ସତକୁ ସତ ଯୋଗୀ ତାକୁ ଗୋଟେ ବିରାଡ଼ି କରିଦେଲେ । କିନ୍ତୁ ତା’ର ହୃଦୟଟି ସେଇ ମୃଷାର ହୃଦୟ ହୋଇ ରହିଲା ।

 

ଦିନେ ସେହି ମୂଷିକ–ହୃଦୟ ବିରାଡ଼ିଟି ପଦାରେ ବୁଲୁବୁଲୁ ପୁଣି ସେହି ପୂର୍ବର ଭୁଆ ବିରାଡ଼ିକୁ ଦେଖିଲା । ଭୁଆଟିକୁ ଦେଖିଲା ମାତ୍ରେ ତା’ର ଛାତି ଭୟରେ ଥରିବାକୁ ଲାଗିଲା ଏବଂ ସେ ଯୋଗୀଙ୍କ ପାଖକୁ ଦୌଡ଼ିଯାଇ ମିଛରେ କହିଲା–ପ୍ରଭୁ ! ମୋତେ ଶୀଘ୍ର ଗୋଟିଏ କୁକୁର କରି ଦିଅନ୍ତୁ । କାରଣ, ମୁଁ ପଦାକୁ ବାହାରିଲା ମାତ୍ରେ ମୋତେ କୁକୁରମାନେ ମାରିବାକୁ ଗୋଡ଼ାଉଛନ୍ତି । ଯୋଗୀ ତାକୁ ସାଙ୍ଗେ ସାଙ୍ଗେ ଗୋଟାଏ ବଳିଆ କୁକୁର କରିଦେଲେ । କିନ୍ତୁ ତଥାପି ତା’ର ହୃଦୟଟି ଥିଲା ମୂଷାର ହୃଦୟ ।

 

ଆଉ ଦିନେ ସେହି ମୂଷିକ–ହୃଦୟ ବଳିଆ କୁକୁରଟି ଆଶ୍ରମ ସନ୍ନିକଟ ଗୋଟିଏ ବଣ ଆଡ଼େ ବୁଲି ବାହାରିଲା । ବଣ ଆଉ ଅଳ୍ପବାଟ ଅଛି । ସେ ଦେଖିଲା ଯେ ତା’ର ପୂର୍ବ ଶତ୍ରୁ ଆଶ୍ରମର ସେହି ଭୁଆ ବିରାଡ଼ିଟି ଗୋଟିଏ ହୁଙ୍କା ମୂଳେ ଶୋଇଛି । ଭୁଆର ଆଖି ଯେମିତି ଏହି ବଳିଆ କୁକୁରଟି ଉପରେ ପଡ଼ିଛି–ତାକୁ ଭୀଷଣ ଡର ଲାଗିଲା । କାରଣ ସେ ଭାବିଲା ଯେ, ଏହି ବଳିଆ କୁକୁରମାନେ ଭାରୀ ହିଂସ୍ର ଓ ବିରାଡ଼ିମାନଙ୍କ ଉପରେ ଏମାନଙ୍କର ଭାରୀ ହିଂସା । ଏ ବଦମାସ୍‍ ନିଶ୍ଚେ ମୋତେ ମାଡ଼ିବସି ତା’ର ମୁନିଆ ଦାନ୍ତରେ ମୋତେ କୁତୁକୁତା କରିଦେବ । ଏହା ଭାବି ସେ କୁକୁର ଦାଉରୁ ନିଜକୁ ରକ୍ଷା କରିବା ଲାଗି ପ୍ରସ୍ତୁତ ହୋଇଗଲା । ସେ ତା’ର ରୋମ ଫୁଲାଇଲା–ନିଶମାନଙ୍କୁ ଖାଡ଼ାକଲା–ଏବଂ ଦେହକୁ ଧନୁପରି ବଙ୍କାଇ ତା’ର ପଞ୍ଝା ଟେକି କୁକୁରର ଆକ୍ରମଣକୁ ପ୍ରତିହିତ କରିବାକୁ ଦୃଢ଼ଭାବେ ଠିଆ ହୋଇଗଲା ଓ ଖୁବ୍‍ ଜୋରରେ ମିଆଁଉ ବୋଲି ଗୋଟେ ରଡ଼ିଦେଲା । ଏହା ଦେଖି ସେହି ମୂଷିକ–ହୃଦୟ କୁକୁରଟିର ଦେହ ହାତ ଭୟରେ ପାଣି ହୋଇଗଲା ଏବଂ ସେ ଅତର୍ଚ୍ଛାରେ ଆଶ୍ରମ ଆଡ଼େ ଦୌଡ଼ିଲା । ଆଶ୍ରମରେ ପହଁଚି ସେ ଥରି ଥରି ଯୋଗୀଙ୍କୁ ନିଜର ଦୁର୍ବଳତା ଘୋଡ଼ାଇ ମିଛରେ କହିଲା ପ୍ରଭୁ ! ମୋତେ ଆପଣ କୁକୁରଟିଏ କରିଦେଲେ ସିନା, କିନ୍ତୁ ମୁଁ ଆଜି ବଣରେ ବୁଲୁଥିଲା ବେଳେ ଗୋଟାଏ ବାଘ ମୋତେ ଦେଖି ମାରି ଖାଇବ ବୋଲି ଗୋଡ଼ାଇଲା । ମୋ ଭାଗ୍ୟ ବଳରୁ କିମ୍ବା ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ତା’ କବଳରୁ ପ୍ରାଣଘେନି ବଞ୍ଚି ଆସିଲି । ପାରିବେ ଯଦି, ମୋତେ ଗୋଟିଏ ବାଘ କରି ଦିଅନ୍ତୁ । ନ ହେଲେ, ଏଇ ସବୁ ମୂଷା ବିଲେଇ, କୁକୁର ହୋଇ କିଛି ଲାଭ ନାହିଁ ।

 

ଯୋଗୀ ଟିକିଏ ହସି ଦେଲେ ଏବଂ ତା’ ଉପରେ ମନ୍ତ୍ରପାଣି ଛିଞ୍ଚି ଗୋଟିଏ ବାଘ କରିଦେଲେ । କିନ୍ତୁ ତଥାପି ସେହି ବାଘର ହୃଦୟଟି ମୂଷାର ହୃଦୟ ହୋଇ ରହିଲା । ସେ ଯାହା ହେଉ, ବାଘ ହୋଇଗଲା ପରେ ସେହି ମୂଷିକ–ହୃଦୟ ବାଘଟି ମହା ଦର୍ପରେ ଆଉ ଆନନ୍ଦରେ ପୁଣି ସେହି ବଣ ଆଡ଼କୁ କୁଦାମାରି ଚାଲିଲା । ବଣରେ ପଶୁ ପଶୁ ତା’ ଆଖିରେ ପଡ଼ିଲା–ସେହି ତା’ର ପୂର୍ବ ଶତ୍ରୁ ଦୁର୍ଦ୍ଦାନ୍ତ ଭୁଆ ବିଲେଇଟା ଗୋଟିଏ ବୁଦାମୂଳେ ବସିଛି । ସେଇ ଭୁଆ ଯେମିତି ଏ ବାଘକୁ ଦେଖିଛି ଭୟରେ ତା’ କଲିଜା ଥରିଗଲା । ସେ କିପରି ବାଘ ହାବୁଡ଼ରୁ ଖସିବ, ତାହା ଭାବି ହଠାତ୍‍ ଗୋଟିଏ ଛୋଟ ଗଛ ଉପରକୁ ଚଢ଼ିଯାଇ ଗୋଟିଏ ଡାଳରେ ଲେପେଟାଇ ବସି ପଡ଼ିଲା । ଏଣେ ସେଇ ମୂଷିକ–ହୃଦୟ ବାଘଟି କ’ଣ କଲା ନା, ଭୁଆ ବିରାଡ଼ିକୁ ସେହି ଗଛ ଉପରକୁ ଚଢ଼ି ଗୋଟାଏ ଡାଳ ଉପରେ ଲେପେଟାଇ ପଡ଼ିବାର ଦେଖି ପୂର୍ବପରି ଭୟ ଓ ସନ୍ଦେହରେ ଭାବିନେଲା ଯେ, ଏଥର ସେହି ଦୁଷ୍ଟ ଦୁର୍ଦ୍ଦାନ୍ତ ଭୁଆ ନିଶ୍ଚୟ ସେହି ଉଞ୍ଚା ଡାଳ ଉପରୁ ତା’ ଉପରକୁ କୁଦାମାରିବ ଓ ତାକୁ ମାରିଖଣ୍ଡଖଣ୍ଡ କରି ଖାଇଦେବ । ଏହି ଭୟ ଆଉ ଆତଙ୍କରେ ମୂଷିକ–ହୃଦୟ ସେହି ହତଭାଗ୍ୟ ବାଘଟା ଆଉ ବଣ ଦିଗରେ ଆଗକୁ ନଯାଇ ପଛକୁ ଫେରି ଆଶ୍ରମ ଆଡ଼େ ଦୌଡ଼ିଲା ଓ ଆଶ୍ରମରେ ପହୁଁଚି ଯୋଗୀଙ୍କ ପାଦପାଖେ ପଡ଼ି ଥରିବାକୁ ଲାଗିଲା । ତା’ର ଏ ଦଶା ଦେଖି ଯୋଗୀବର କିଞ୍ଚିତ୍‍ ବିରକ୍ତ ଓ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–

 

କିରେ ହତଭାଗ୍ୟ ! ସେପରି ଥରୁଛୁ କାହିଁକି ? ବଣରେ କ’ଣ ବାଘଠାରୁ ଆଉ କେହି ବଳୁଆ ପ୍ରାଣୀ ଅଛନ୍ତି ନା କ’ଣ ?

 

ମୂଷିକ–ହୃଦୟ ସେହି ବାଘଟି ଥରି ଥରି କହିଲା–ପ୍ରଭୁ ! ଏକଥା ସତ ଯେ ବଣରେ ବାଘଠାରୁ ବଳି ବଳୁଆ ପ୍ରାଣୀ ଆଉ ନାହାନ୍ତି । କିନ୍ତୁ ଆପଣଙ୍କ ଦ୍ୱାରା ପାଳିତ ସେହି ମହାଦୁଷ୍ଟ, ମହାଗର୍ବୀ ଆଉ ଦୁର୍ଦ୍ଦାନ୍ତ ଭୁଆ ବିରାଡ଼ିଟା ଏହି ମହାସତ୍ୟଟିକୁ ବୁଝିବାକୁ ନାରାଜ ଯେ ବ୍ୟାଘ୍ର ହିଁ ହେଉଛି ସବୁଠାରୁ ବଳବାନ ପ୍ରାଣୀ । ସେ ଏତେ ଅହଂକାରୀ ଓ ଆପଣା ବଳ ଉପରେ ତା’ର ଦର୍ପ ଏତେ ବଢ଼ି ଯାଇଛି ଯେ, ସେ ଆଜି ବଣରେ ମୋତେ ଦେଖି ଗୋଟାଏ ଗଛ ଉପରେ ଚଢ଼ି ସେଇଠାରୁ ମୋ ଉପରକୁ କୁଦି ପଡ଼ି ମୋତେ ମାରିବ ବୋଲି ବସିଥିଲା । ମାତ୍ର ମୁଁ ତା’ ମତଲବ ଯେମିତି ଜାଣିଗଲି, ସେମିତି ସଙ୍ଗେ ସଙ୍ଗେ ସତର୍କ ହୋଇ ଆଉ ଆଗକୁ ନ ଯାଇ ଆଶ୍ରମ ଆଡ଼କୁ କ୍ଷେପାମାରି ଦୌଡ଼ି ଆସି ଆପଣଙ୍କ ପାଖେ ଶରଣ ପଶିଗଲି । ପ୍ରଭୁ ! ଆପଣ ସେହି ଦୁଷ୍ଟ ଅହଂକାରୀ ଦୁର୍ଦ୍ଦାନ୍ତ ଭୁଆଟାକୁ ଗୋଟାଏ ମୂଷା କି ଚୁଚୁନ୍ଦ୍ରା କରିଦିଅନ୍ତୁ । ତା’ ହେଲେ ତା’ର ବଳ ଓ ଗର୍ବ ଭାଙ୍ଗିଯିବ ଏବଂ ନିରୀହ ପ୍ରାଣୀମାନଙ୍କୁ ଓ ବ୍ୟାଘ୍ର ପରି ବଳବାନ ଜନ୍ତୁମାନଙ୍କୁ ବି ଅଯଥାରେ ଡରାଇବାର ପ୍ରତିଫଳ ମଧ୍ୟ ସେ ସାଙ୍ଗେ ସାଙ୍ଗେ ପାଇଯିବ ।

 

ସେହି ବିଜ୍ଞ ଯୋଗୀ ଏ କଥା ଶୁଣି ବିରକ୍ତି ଭାବ ଦେଖାଇ କହିଲେ–

 

ଆରେ ହତଭାଗ୍ୟ ଛାର ଛିକର ମୂଷା ! ସେହି ଭୁଆ ବିରାଡ଼ିଟିର କ’ଣ ଦୋଷ ? ସେ ବିରାଡ଼ି ଏବଂ ସେ ତା’ର ହୃଦୟକୁ ମଧ୍ୟ ବିରାଡ଼ିର ହୃଦୟ କରି ରଖିଛି । ତାକୁ ବାଘ ହେବା ଦରକାର ନାହିଁ, କି ମୂଷା ଚୁଚୁନ୍ଦ୍ରା ହେବା ଦରକାର ନାହିଁ; ବରଂ ତୋତେ ହିଁ ପୁଣିଥରେ ମୂଷା କରି ଦେବା ଦରକାର । କାରଣ ମୁଁ ଦେଖୁଛି ତୋତେ ଯେତେ ବଡ଼ ପ୍ରାଣୀରେ ପରିଣତ କଲେ ବି ତୋ ଭିତରୁ ସେହି ଭୀରୁ ଡରୁଆ ଛେରୁଆ ଚୁଟିଆ ମୂଷାଟାର ହୃଦୟଟି ଯାଉ ନାହିଁ ।

 

କହିବା ବାହୁଲ୍ୟ ଯେ–ସେହି ଯୋଗୀବର ସଙ୍ଗେ ସଙ୍ଗେ ତାକୁ ତା’ର ପୂର୍ବାବସ୍ଥାକୁ ଫେରାଇ ଆଣିଲେ । ତା’ ମାନେ ମୂଷା କରିଦେଲେ ।

☆☆☆

 

ମୂଷିକ–ହୃଦୟ ଛୁଆଳ ସିଂହ ବୃତ୍ତାନ୍ତ

 

ଡହରାନନ୍ଦଜୀ ତାଙ୍କ ନିଜ ଜନ୍ମିତ ଗ୍ରାମରେ ଥିଲାବେଳେ ଦିନେ ସନ୍ଧ୍ୟାବେଳେ ଗ୍ରାମର କେତେକ ଅଳ୍ପବୟସ୍କ ଯୁବକ ତାଙ୍କ ପାଖକୁ ଆସି ତାଙ୍କଠାରୁ ଗୋଟିଏ ମଜାଗଳ୍ପ ଶୁଣିବାକୁ ଚାହିଁଲେ-। କିନ୍ତୁ ସେମାନଙ୍କ ଭିତରୁ ଜଣେ ବୁଦ୍ଧିମାନ ଅନୁସନ୍ଧିତ୍ସୁ ଯୁବକ ଡହରାନନ୍ଦଙ୍କୁ ଗୋଟିଏ ପ୍ରଶ୍ନ କରି ବସିଲା । ଯୁବକଟି ପଚାରିଲା–ଡହରାନନ୍ଦଜି ! ଆହାର, ନିଦ୍ରା, ଭୟ, ମୈଥୁନ ଏହି ଚାରୋଟି ପ୍ରବୃତ୍ତିରେ ମଣିଷ ପଶୁପକ୍ଷୀଙ୍କ ସହିତ ସମାନ ବୋଲି କୁହାଯାଇଛି । ସତରେ କ’ଣ ମଣିଷ ଏହି ଚାରୋଟି ପ୍ରବୃତ୍ତିରେ ପଶୁ ଭଳି ବ୍ୟବହାର କରେ ?

 

ଡହରାନନ୍ଦଜୀ କହିଲେ–ସବୁ ମଣିଷଙ୍କ ପାଇଁ ସମାନଭାବେ ଗୋଟିଏ କଥା କୁହାଯାଇ ପାରିବ ନାହିଁ । କାରଣ ଇତର ପ୍ରାଣୀମାନଙ୍କ ଭିତରେ ପ୍ରକୃତି ଯେଉଁ ପ୍ରବୃତ୍ତି ଖଞ୍ଜି ଦେଇଛି–ସେମାନେ ସେହି ପ୍ରବୃତ୍ତିମାନଙ୍କ ଘେରରୁ ମୁକୁଳି ପାରିବେ ନାହିଁ । କିନ୍ତୁ ମଣିଷ ପ୍ରକୃତିରେ ବହୁ ବୈଚିତ୍ର୍ୟ ଦେଖାଯାଏ । ଏପରି ମଣିଷ ସବୁ ଅଛନ୍ତି ଯେଉଁମାନେ ଏକ ବିଶେଷ ଆଦର୍ଶ ବା ଲକ୍ଷ୍ୟ ସାଧନ କରିବା ପାଇଁ ମାସ ମାସ ଧରି ଆହାର ତ୍ୟାଗ କରିଛନ୍ତି । ନିଦ୍ରା ମଧ୍ୟ ତ୍ୟାଗ କରିଛନ୍ତି । ସମ୍ମୁଖରେ ନିଶ୍ଚିତ ମୃତ୍ୟୁ ଦେଖି ଅବା ମୃତ୍ୟୁ ଦ୍ୱାରା କବଳିତ ହୋଇ ମଧ୍ୟ ମୃତ୍ୟୁକୁ ଭୟ କରିନାହାନ୍ତି ଏବଂ ସାରାଜୀବନ ମୈଥୁନ ତ୍ୟାଗ କରି ବ୍ରହ୍ମଚାରୀ ରହି ପାରିଛନ୍ତି । ଆମେ ସେମାନଙ୍କୁ ଉଚ୍ଚତର ପର୍ଯ୍ୟାୟର ସାଧକ ମଣିଷ କହିବା ।

 

କିନ୍ତୁ ଠିକ୍‍ ବିପରୀତ ରୀତିର ମଣିଷ ବି ଅଛନ୍ତି ଓ ସେମାନଙ୍କ ସଂଖ୍ୟା ଶତକଡ଼ା ନବେ କହିପାର । ସେମାନେ ଏହି ଆହାର, ନିଦ୍ରା, ଭୟ, ମୈଥୁନ ବ୍ୟାପାରରେ ପଶୁଙ୍କଠାରୁ ମଧ୍ୟ ହୀନ ଏବଂ ସବୁଠାରୁ ଶୋଚନୀୟ ବ୍ୟାପାର ହେଲା–ଏହି ସହଜ ସରଳ ନିର୍ମଳ ପ୍ରବୃତ୍ତି ଗୁଡ଼ିକ ଅନେକ ମଣିଷର ଭିତରେ ଅତି କଦର୍ଯ୍ୟ ବିକୃତ ରୂପରେ ପ୍ରକାଶ ପାଏ । ପେଟୁ ଓ ସବାଖିଆମାନଙ୍କୁ ଆମେ ଆହାର ପ୍ରବୃତ୍ତିର ବିକୃତିଗ୍ରସ୍ତ ମଣିଷ ବୋଲି କହିବା । ଅଳସୁଆ, ନିଦ୍ରାଳୁ, ଘୁମାଲୋକମାନଙ୍କୁ ଆମେ ନିଦ୍ରା ପ୍ରବୃତ୍ତିର ବିକୃତିଗ୍ରସ୍ତ ବୋଲି କହିବା । ସେହିପରି କାମୁକ, ଲମ୍ପଟ ଓ ଯୌନସୁଖ ଲାଳସୀମାନଙ୍କୁ ଆମେ ମୈଥୁନ ପ୍ରବୃତ୍ତିର ବିକୃତଗ୍ରସ୍ତ ମଣିଷ ବୋଲି କହିବା ଏବଂ ଡରୁଆ ଛେରୁଆ ଓ ଛାତି ଧଡ଼ପଡ଼ ଲୋକଙ୍କୁ ଆମେ କହିବା ଭୟ ପ୍ରବୃତ୍ତିର ବିକୃତିଗ୍ରସ୍ତ ମଣିଷ । ପ୍ରବୃତ୍ତିଟିଏ ଯେତେବେଳେ ତା’ର ମାତ୍ରା ବା ସୀମା ଅତିକ୍ରମ କରେ–ଅବା ଯେତେବେଳେ ତା’ର ସ୍ୱାଭାବିକ ସଂଗତି ରକ୍ଷା ନ କରେ ସେତେବେଳେ ତାହା ବିକୃତ ପାଲଟି ଯାଏ । ଆଜି ମୁଁ ତୁମମାନଙ୍କୁ ଗୋଟିଏ ଅତିମାତ୍ରାରେ ଡରକୁଳା ଛେରୁଆ ମଣିଷର କଥା କହୁଛି–ଶୁଣ ।

 

ଅନେକଦିନ ତଳେ ଓଡ଼ିଶା ସେକ୍ରେଟାରୀଏଟରେ ଜଣେ ଅଧଃସ୍ତନ କର୍ମଚାରୀ ଥିଲା । ସେ ଖୋର୍ଦ୍ଧା ଅଞ୍ଚଳର ବିଖ୍ୟାତ ଇତିହାସ ପ୍ରସିଦ୍ଧ ଏକ ଯୋଦ୍ଧା ପାଇକ ପରିବାରରେ ଜନ୍ମିଥିଲା । ତା’ର ପୂର୍ବପୁରୁଷମାନେ ଥିଲେ ଗଜପତି ସମ୍ରାଟମାନଙ୍କର ସେନାପତି । ସେହି ବୀରପୁରୁଷମାନେ ରାସ୍ତାରେ ଚାଲିଗଲା ବେଳେ ମହୀ ଦୁଲୁକୁଥିଲା । ସେମାନଙ୍କ ଚେହେରା ସବୁ ଥିଲା ବାଘ, ସିଂହ ଆଉ ହାତୀମାନଙ୍କ ଭଳି । କିନ୍ତୁ ଯୁଗ ବଦଳିଗଲା । ସେହି ବାଘ, ସିଂହଙ୍କ ବଂଶରେ କ୍ରମେ ବିଲୁଆ, କୁକୁର, ଗଧ ଏପରିକି ମୂଷା ଚୁଚୁନ୍ଦ୍ରାମାନେ ବି ଜନ୍ମ ହେଲେ । ମୁଁ ଯେଉଁ ଲୋକଟି କଥା କହୁଛି–ସେ ଲୋକଟି ଏହି ବାଘସିଂହ ବଂଶରେ ଜନ୍ମ ହେଲେ କ’ଣ ହେବ, ତା’ର ହୃଦୟଟି ଥିଲା ଗୋଟିଏ ଭୀରୁ ଚୁଟିଆମୂଷାର ହୃଦୟଭଳି । ଅବଶ୍ୟ ତା’ର ଶରୀରର ଗଠଣ ସେପରି ରୁଗ୍‌ଣ ବା ଦୁର୍ବଳ ନ ଥିଲା । କିନ୍ତୁ ମନ ବା ହୃଦୟରେ ସେ ଥିଲା ଗୋଟାଏ ମୂଷା ବା ଚୁଚୁନ୍ଦ୍ରା । ଅବଶ୍ୟ ତା’ ନାମଟି ଥିଲା ତା’ର ଗୁଣର ସଂପୂର୍ଣ୍ଣ ବିପରୀତ–ଶ୍ରୀ ବୈରୀଗଞ୍ଜନ ମାନଧାତା ଦର୍ପଦଳନ ଛୁଆଳ ସିଂହ ମହାପାତ୍ର । ଲୋକେ ଏତେବଡ଼ ନାମକୁ ସଂକ୍ଷିପ୍ତ କରି ଡାକୁଥିଲେ ବିଏମ୍‍ ସିଏମ୍‍ ।

 

ଏହି ବିଏମ୍‍ ସିଏମ୍‍ଟି ତା’ର ଉପରିସ୍ଥ ହାକିମ ସେନାପତି ସାହେବଙ୍କୁ ଖୁବ୍‍ ଭୟ କରୁଥିଲା । ତାଙ୍କ ଆଗରେ ପଡ଼ିଗଲେ ତା’ର ଦେହ ଥରୁଥିଲା ଓ ପାଟି ଖନି ବାଜି ଯାଉଥିଲା । ତାଙ୍କ ଆଖିକୁ ଚାହିଁଦେଲା ମାତ୍ରେ ତା’ର ପିଳେହି ପାଣି ହୋଇ ଯାଉଥିଲା । ତାଙ୍କ ପାଟିରୁ କିଛି କଥା ବାହାରିଲା ମାତ୍ରେ ତା ପ୍ୟାଣ୍ଟରେ ପରିସ୍ରା ପଡ଼ିଯାଉଥିଲା । ଏହି ଅହେତୁକୀ ଭୟ ଯୋଗୁଁ ସେ ବହୁବେଳେ ଫାଇଲ ପତ୍ରରେ ଭୁଲ ଲେଖି ଦେଉଥିଲା ଏବଂ ହାକିମଙ୍କୁ ଉତ୍ତରଦେବା ବେଳେ ଭୁଲ କହି ପକାଉ ଥିଲା ।

 

ଦିନେ ଅପରାହ୍ନରେ ସେ ତା’ର ସହକର୍ମୀମାନଙ୍କୁ କହିଲା–ଭାଇ ! ମୋର ଭୀଷଣ ମୁଣ୍ଡ ବିନ୍ଧୁଛି ଓ ଜର ଜର ଲାଗୁଛି–ବାନ୍ତି ଦେଖାଉଛି । ମୁଁ ଆଜି ଆଉ ଅଫିସରେ କାମ କରିପାରିବି ନାହିଁ-

 

ଜଣେ ସହକର୍ମୀ କହିଲା–ତା’ ହେଲେ ଚାଲି ଯାଉନ କାହିଁକି ଘରକୁ ?

 

ବିଏମ୍‍ ସିଏମ୍‍ ଚମକି ପଡ଼ି କହିଲା–ଇଲୋ ମାଲୋ ! ସେନାପତି ସାହେବଆଉ ମୋ ମୁଣ୍ଡ ରଖିବ ? ନିଶ୍ଚେ ସେ କେତେବେଳେ ଡକାଇ ପଠାଇବ । ଆଉ ମୁଁ ସିଟରେ ନ ଥିବାର ଜାଣିଲେ ମୋ କଲିଜା ଘୋଷାରି ନବ ।

 

ଜଣେ ସହକର୍ମୀ କହିଲେ–ଆରେ ନା, ନା । ସେନାପତି ସାହେବ ଆଜି ଏଗାରଟା ବେଳୁ ଟୁରରେ ଗଲାଣି କଳାହାଣ୍ଡି । ତିନିଦିନ ପରେ ଫେରିବ । ତୁମେ ଘରକୁ ପଳାଅ ଭାଇ ! ଘରେ ଯାଇ କପେ ଗରମ ଚାହା ପିଇ ଆରାମରେ ଘୋଡ଼ିପୋଡ଼ି ହୋଇ ଶୋଇପଡ଼ । ସ୍ତ୍ରୀକୁ କହିବ ଟିକିଏ ଗୋଡ଼ ହାତ ଚିପି ଦେବ । ବାସ୍‍ । ଯାଅ, ଘରକୁ ପଳାଅ ।

 

ଅବଶେଷରେ ସେହି ମୂଷିକ–ହୃଦୟ ବିଏମ୍‍ ସିଏମ୍‍ ଅଫିସ ଛାଡ଼ି ଘରକୁ ଗଲା । ଘର ପାଖରେ ପହଞ୍ଚି ସେ ଆଗ ତା’ର ଶୋଇବା ଘର ବାରଣ୍ଡାକୁ ଉଠି ବନ୍ଦ ଝରକାର ଗୋଟିଏ ସାନ କଣାବାଟେ ତା’ ଶୋଇବା ଘର ଭିତରକୁ ଚାହିଁଲା । ଦୁର୍ଭାଗ୍ୟକୁ ସେ ଦେଖିଲା ଯେ, ତା’ର ସେହି ଉପରିସ୍ଥ ହାକିମ ସେନାପତି ସାହେବ ତା’ ସ୍ତ୍ରୀ ସଙ୍ଗେ ଗୁପ୍ତ ପ୍ରଣୟରେ ମାତିଛନ୍ତି । ନିଜର ସ୍ତ୍ରୀ ସହିତ ତା’ର ଉପରିସ୍ଥ ହାକିମ ସେନାପତି ସାହେବଙ୍କୁ ଦେଖିବା ମାତ୍ରେ ଆମର ସେହି ବୈରାଗଞ୍ଜନ ମାନଧାତା ଛୁଆଳ ସିଂହ ମହାପାତ୍ର ଭୟରେ କମ୍ପି ଉଠିଲେ ଏବଂ ତାଙ୍କ ଦେହ ବରଡ଼ାପତ୍ର ଭଳି ଥରିବାକୁ ଲାଗିଲା । ତା’ପରେ ସେ ବାରଣ୍ଡାରୁ ଖପ୍‍ କିନା ତଳକୁ ଡେଇଁପଡ଼ି ତାଙ୍କ ଲୁନାରେ ଚଢ଼ି ଏକା ନିଃଶ୍ଵାସକେ ଅଫିସ ଅଭିମୁଖେ ପଳାୟନ କଲେ । ଅଫିସରେ ପହଁଞ୍ଚି ହଠାତ୍‍ ସେ ଏକ ପଙ୍ଖା ତଳ ଚଉକି ଉପରେ ବସି ଧଇଁସଇଁ ହେଲେ । ତାଙ୍କର ହଠାତ୍‍ ଏଇ ପ୍ରତ୍ୟାବର୍ତ୍ତନ ଦେଖି ଓ ଏପରି ଧଇଁସଇଁ ହେବା ଦେଖି ସହକର୍ମୀମାନେ ତ୍ରସ୍ତ ହୋଇ ପଚାରିଲେ–

 

କ’ଣ ହେଲା ? କ’ଣ ହେଲା ତୁମର ବିଏମ୍‍ ସିଏମ୍‍ ବାବୁ ? କ’ଣ ହେଲା ? କାହିଁକି ଏମିତି ଏତେ ଚଞ୍ଚଳ ଧଇଁସଇଁ ହୋଇ ପୁଣି ଅଫିସକୁ ଫେରି ଆସିଲ ? କ’ଣ ବାଟରେ ଷଣ୍ଢ ଗୋଡ଼ାଇଲା ? ନା ଆକ‌ସିଡ଼େଣ୍ଟରୁ ଜୀବନ ନେଇ ଏପରି ଭାବେ ଫେରି ଆସିଲ ।

 

ବିଏମ୍‍ ସିଏମ୍‍ ସେହି ଧଇଁସଇଁ ସ୍ୱରରେ ସମସ୍ତଙ୍କୁ ତିରସ୍କାର କରି କହିଲେ–

 

ଆରେ ଯାଃ ! ଭଲ ଉପକାରୀ ବନ୍ଧୁ ଏକା ତୁମେମାନେ ! ଭଲ ଉପଦେଶ ଦେଲ ଏକା-! ଜାଣ, ମୁଁ ଆଜି ପ୍ରାୟ ଧରାପଡ଼ି ଯାଉଥିଲି । ସେନାପତି ସାହେବ ଆଖି ଆଗରୁ କିଏ ବର୍ତ୍ତି ପାରିବ-? ତୁମ ଦେହ ବାସନାରୁ ବି ସେ ତୁମକୁ ଜାଣି ଦେବ । ତୁମେ ଯୁଆଡ଼େ ଯିବ ସେ ଯାଇ ଆଗରୁ ସେଠି ଛକି ବସିଥିବ ।

 

କଳାହାଣ୍ଡି ଟୁର୍‍ ନାଁରେ ଅଫିସରୁ ବାହାରିଯିବ । ଯାଇ ତୁମ ଘରେ ତୁମବିଛଣା ଉପରେ ଶୋଇ ତୁମକୁ ଛକି ବସିଥିବ–ତୁମେ ଅଫିସରେ ପାଞ୍ଚଟାଯାଏ ରହୁଛ ନା ତିନିଟାବେଳୁ ବାହାନା କରି ଘରକୁ ପଳାଇଯାଇ ଶୋଉଛ । ଓହୋ ! ହେ ଭଗବାନ ! ଆଜି ସେ ନିଶ୍ଚେ ମୋ କଲିଜା ଘୋଷାରି ନେଇଥାନ୍ତା ! ଓହୋ ! ଭଗବାନ ବଡ଼ଲୋକ ! ମୋର କେମିତି ସେତେବେଳେ ବୁଦ୍ଧି ହେଲା କେଜାଣି ! ମୁଁ ଯଦି ଝରକାର ଚୋରା କଣା ବାଟେ ନ ଚାହିଁ ଆଗରୁ କବାଟଟା ଧଡ଼୍‌ପଡ଼୍‍ କରି ମୋ ସ୍ତ୍ରୀକୁ ଡାକିଥାଆନ୍ତି–ତେବେ ନିଶ୍ଚେ ଧରାପଡ଼ି ଯାଇଥାନ୍ତି । ଆଉ ସେନାପତି ସାହେବ ସେଇଠି ମୋ କଲିଜାକୁ ଟାଣି ନେଇଥାନ୍ତା ! ଓହୋ !

 

ଏତିକି କହି ଆମର ସେହି ମୂଷିକ–ହୃଦୟ ବୈରୀଗଞ୍ଜନ ମାନଧାତା ଛୁଆଳ ସିଂହ ମହାପାତ୍ରେ ଚଉକିରେ ବସି ରୁମାଲରେ ଝାଳ ପୋଛି ହେଲେ ଏବଂ ଫ୍ୟାନଟି ଜୋରରେ ଘୁରୁଥିଲେ ମଧ୍ୟ ରୁମାଲ ଘୁରାଇ ବଞ୍ଚି ହେବାକୁ ଲାଗିଲେ ।

 

ବୁଝିଲ ? ବାବୁମାନେ ? ଏବେ ବୁଝିଲ ତ ମଣିଷ ଭିତରେ ଭୟ ପ୍ରବୃତ୍ତିଟି କିପରି ଏହିଭଳି ବିକୃତ ଓ ହାସ୍ୟକର ଅବସ୍ଥା ପର୍ଯ୍ୟନ୍ତ ଗତି କରେ ?

 

ହନୁମାନଜୀ କୋଉଠି ଥିଲେ ?

 

ଥରେ ବାବା ଡହରାନନ୍ଦ କୌଣସି କାମରେ ଖଲ୍ଲିକୋଟ ଯାଇଥିଲେ । ଖଲ୍ଲିକୋଟରେ ଦୁଇଦିନ ରହଣି କାଳରେ ଖଲ୍ଲିକୋଟ କଳା ମହାବିଦ୍ୟାଳୟର କେତେଜଣ କଳାଛତ୍ର ତାଙ୍କର ଆଗମନର ସମ୍ବାଦ ପାଇ ତାଙ୍କ ସହ କଳାସ୍ଥାପତ୍ୟାଦି ସମ୍ବନ୍ଧେ ଆଲୋଚନା କରିବାକୁ ତାଙ୍କ ସହ ସାକ୍ଷାତ୍‍ କରିଥିଲେ । ସେତେବେଳେ ଖରାଦିନର ଆରମ୍ଭ । ଅପରାହ୍ନ ସମୟ । ଚିଲିକା ଆଡ଼ୁ ମନ୍ଦ ମନ୍ଦ ଶୀତଳ ପବନ ବହୁଥାଏ । ଡହରାନନ୍ଦ ସେହି ଯୁବ କଳା ଛାତ୍ରମାନଙ୍କ ସହ ସହର ଉପକଣ୍ଠରେ ଥିବା ନିର୍ମଳଝର ପାହାଡ଼ ଉପରକୁ ଗଲେ । ସେଠାରେ ଦେବଦର୍ଶନ କରି ଝରଣା ପାଖେ ଗୋଟିଏ ପଥର ଚଟାଣ ଉପରେ ବସିଲେ । ନିର୍ମଳଝରର ମନ୍ଦିର ଗୁଡ଼ିକ ଖୁବ୍‍ ସୁନ୍ଦର ଏବଂ ସେଥିରେ ପ୍ରାଚୀନ କାରୁକାର୍ଯ୍ୟ ଖୁବ୍‍ ମନୋରମ । ସେଠାରେ ପରିବେଶ ଖୁବ୍‍ ଶାନ୍ତ, ପବିତ୍ର ଓ ନିର୍ମଳ । ବସିବା ପରେ ଜଣେ କଳାଛତ୍ର ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ମୁଁ ଜଣେ ମୂର୍ତ୍ତି ଗଢ଼ାଳି । ପଥରରେ ସୁନ୍ଦର ସୁନ୍ଦର ମୂର୍ତ୍ତି ସୃଷ୍ଟି କରିବା ମୋର ଲକ୍ଷ୍ୟ । ମୁଁ ମଧ୍ୟ ସେହି ବିଷୟରେ ଶିକ୍ଷା ଲାଭ କରୁଛି । କିନ୍ତୁ ମୁଁ ଯାହା ଦେଖୁଛି–କାଗଜରେ ବା ନକ୍‌ସାରେ ଛବି ଆଙ୍କିବା ଯେତେ ସହଜ–ଏପରି କି ମାଟିରେ ମୂର୍ତ୍ତି ତିଆରି କରିବା ଯେତେ ସହଜ–ପଥରରେ ମୂର୍ତ୍ତିଟିଏ ଖୋଦାଇ କରିବା ସବୁଠାରୁ କଷ୍ଟକର । ଅଥଚ ଆମର ପ୍ରାଚୀନ ଶିଳ୍ପୀମାନେ କିପରି ପଥରରେ ଏତେ ସୁନ୍ଦର ସୁନ୍ଦର ସୂକ୍ଷ୍ମମୂର୍ତ୍ତି ଆଉ ଗଛଲତା, ଅଳଙ୍କାରାଦି ତିଆରି କରିଥିଲେ ? ତା’ଛଡ଼ା ପଥର ମଧ୍ୟ ଗୋଟିଏ ପ୍ରକାର ନୁହଁ । ମୁଗୁନି ପଥରଠାରୁ ମାର୍ବଲ ପଥର ଯାଏ ମଝିରେ ନାନା କିସମର ପଥର ରହିଛି । ମୁଁ ଦେଖିଛି–ଏପରି ସବୁ ପ୍ରସ୍ତର–ଶିଳ୍ପୀ ଅଛନ୍ତି ଯେଉଁମାନେ କି ମାଙ୍କଡ଼ା ପଥରରେ କି ଅପୂର୍ବ ଅପୂର୍ବ ମୂର୍ତ୍ତିମାନ ତିଆରି କରି ଦେଇଛନ୍ତି ! ନିହାଣ, ବଟାଙ୍କ ଆଉ ହାତୁଡ଼ିରେ ପଥର କାଟି ମଣିଷ ଦେହର ଏତେ ସୂକ୍ଷ୍ମ ଭଙ୍ଗିମା ସବୁ କିପରି ଭଲା ଏତେ ସୁନ୍ଦର କରି ଗଢ଼ିହେବ ? ନିଶ୍ଚୟ ଏଥିରେ କିଛି ରହସ୍ୟ ଅଛି । ଆମ ଜାଣିବାରେ ଆପଣ ବହୁ ବିଷୟରେ ଅବଗତ । ଦୟାକରି ଏହାର ରହସ୍ୟ କ’ଣ କହିବେ କି ?

 

ଡହରାନନ୍ଦ କହିଲେ–ମୁଁ ନିଜେ ଜଣେ କଳାକାର ବା ସ୍ଥପତି ନୁହଁ । କିନ୍ତୁ କଳା ଓ ସ୍ଥାପତ୍ୟ ପ୍ରତି ମୋର ଖୁବ୍‍ ଆଗ୍ରହ ଥାଏ ଓ ସେ ସମ୍ବନ୍ଧେ କିଛି ଜ୍ଞାନ ମଧ୍ୟ ରହିଛି । ବହୁ ବିଶିଷ୍ଟ କଳାକାର ଓ ସ୍ଥପତିଙ୍କ ସହିତ ମଧ୍ୟ ମୋର ବେଶ୍‍ ମିଳାମିଶା ଅଛି । ମୁଁ ଏ ସମ୍ପର୍କରେ ଗୋଟିଏ ଅଭିଜ୍ଞତା କହୁଛି ଶୁଣ–

 

ଅନେକ ବର୍ଷ ତଳେ ଦକ୍ଷିଣ ଭାରତରେ ଜଣେ ବିଖ୍ୟାତ ପ୍ରସ୍ତରଶିଳ୍ପୀ ଥିଲେ । ଦେବତାମାନଙ୍କ ପଥରମୂର୍ତ୍ତି ଗଠନ କରିବାରେ ତାଙ୍କର ସମକକ୍ଷ ଆଉ କେହି ନ ଥିଲେ । ସେ ସମସ୍ତ ଶାସ୍ତ୍ରପୁରାଣ ଭଲ ଭାବେ ଅଧ୍ୟୟନ କରିଥିଲେ ଓ ଦେବଦେବୀଙ୍କ ରୂପଗୁଣ ସମ୍ବନ୍ଧେ ତାଙ୍କର ଗଭୀର ଜ୍ଞାନ ଆଉ ଅବବୋଧ ଥିଲା । ସେ ଯେଉଁ ଦେବତାଙ୍କର ମୂର୍ତ୍ତି ଗଢ଼ିବାକୁ ଇଚ୍ଛା କରୁଥିଲେ–ବହୁଦିନ ପର୍ଯ୍ୟନ୍ତ ସେ ସେହି ଦେବତା ବା ଦେବୀଙ୍କ ସମ୍ବନ୍ଧେ ଯେଉଁ ଜ୍ଞାନ ଅର୍ଜନ କରିଥିଲେ ସେହି ଜ୍ଞାନକୁ ନେଇ ନିଜ ଅନ୍ତର ଭିତରେ ଧ୍ୟାନସ୍ଥ ରହୁଥିଲେ ଓ ଆପଣା ଅନ୍ତର–ପଟରେ ସେହି ଦେବତାଙ୍କର ମୂର୍ତ୍ତି କଳ୍ପନାରେ ପ୍ରତିଫଳିତ ହେବା ଲାଗି ଖୁବ୍‍ ଧୀରସ୍ଥିର ଏକାଗ୍ର ଚିତ୍ତରେ ଅପେକ୍ଷା କରୁଥିଲେ । ସେହି ଅବସ୍ଥାରେ ସେ ବଣ–ପାହାଡ଼ରେ ମଧ୍ୟ ଘୂରି ବୁଲୁଥିଲେ ଓ ଇତସ୍ତତଃ ପ୍ରକ୍ଷିପ୍ତ ହୋଇ ପଡ଼ିଥିବା ପ୍ରସ୍ତର ଖଣ୍ଡମାନ ଦେଖିଲେ ତାକୁ ସେହି ଧ୍ୟାନ ଚକ୍ଷୁରେ ଚାହିଁ ରହୁଥିଲେ । ତା’ପରେ ସେ ନିଜେ ଖଣ୍ଡେ ପଥର ବାଛୁଥିଲେ ଓ ତାକୁ ନେଇ ମୂର୍ତ୍ତି ଗଢ଼ୁଥିଲେ ।

 

ଦିନେ ସେ ଗୋଟିଏ ପାହାଡ଼ ଉପରେ ଚଢ଼ି ଖଣ୍ଡିଏ ପଥରକୁ କାଟି ମୂର୍ତ୍ତିଟିଏ ଗଢ଼ୁଥିଲେ-। ଏଇ ସମୟରେ ତାଙ୍କର ଜଣେ ଶିଷ୍ୟ ଯାଇ ସେଠି ପହଁଞ୍ଚିଲେ ଏବଂ ଗୁରୁଙ୍କର ମୂର୍ତ୍ତିଗଠନ ପ୍ରଣାଳୀକୁ ଧୀରସ୍ଥିର ଭାବେ ଅନୁଶୀଳନ କଲେ । ସେହି ବିଖ୍ୟାତ ଶିଳ୍ପୀ ପଥରଟିର ବହୁ ଅଂଶରେ ନିହାଣ ପିଟି ଚାଲିଥିଲେ ଓ ସେଥିରୁ କଟା ପଥରଗୁଡ଼ିକ ତଳେ ଖସି ପଡ଼ୁଥିଲା । ଏହିପରି ବହୁ ସମୟ ବିତିଲା ପରେ ଶିଷ୍ୟ ଦେଖିଲେ ଯେ ସେହି ପଥର ଉପରେ ସୁନ୍ଦର ହନୁମାନ ମୂର୍ତ୍ତିଟିଏ କ୍ରମଶଃ ଫୁଟି ଆସୁଛି । କିନ୍ତୁ ଯାହା ମନେ ହେଉଛି–ଶିଳ୍ପୀ ମୂର୍ତ୍ତିଟିକୁ ତିଆରି କରୁ ନାହାନ୍ତି । ସେ କେବଳ ବକଳ ଛଡ଼ାଇଲା ପରି ପଥରକୁ ଏଠୁ ସେଠୁ କାଟି ଚାଲିଛନ୍ତି । ଶିଷ୍ୟଟି ଏହା ଦେଖି ଖୁବ୍‍ ଚମତ୍କୃତ ହେଲା ଏବଂ ଗୁରୁଙ୍କ ଉଦ୍ଦେଶ୍ୟରେ କହିଲା–ଗୁରୁଜୀ ! ଆପଣଙ୍କ ସଦୃଶ ଶିଳ୍ପୀ କେବଳ ସ୍ଵର୍ଗରେ ଥିବେ ସିନା–ଆମର ଏ ମର୍ତ୍ତ୍ୟରେ ନାହାନ୍ତି । ମୁଁ ପଥରରେ ତିଆରି ଅସଂଖ୍ୟ ହନୁମାନ ମୂର୍ତ୍ତି ଦେଖିଛି । କିନ୍ତୁ ଆପଣଙ୍କର ଏହି ହନୁମାନ ମୂର୍ତ୍ତିଟି ଏତେ ଜୀବନ୍ତ ଲାଗୁଛି ଯେ, ସତେ କି ଆଉ ଟିକିଏ ଗଲେ ସେ ସେହି ପଥର ଭିତରୁ ଡେଇଁପଡ଼ି ଗଛକୁ ଉଠିଯିବେ ! ଗୁରୁ ! ଏହା କିପରି ସମ୍ଭବ ହେଉଛି ?

 

ବିଖ୍ୟାତ ଶିଳ୍ପୀ ଜଣକ ହସି ହସି କହିଲେ–ଆରେ ବାବୁ ! ତୁ ମତେ ଠିକ୍‍ ବୁଝି ପାରିନାହୁଁ-। ମୁଁ କେବେ ବି ଗୋଟାଏ ମୂର୍ତ୍ତି ଗଢ଼େ ନାହିଁ । ମୁଁ କେବଳ ମୂର୍ତ୍ତିଟିକୁ ଆପେ ଆପେ ପ୍ରକାଶ ପାଇଯିବା ପାଇଁ ସାହାଯ୍ୟ କରେ । ଗତକାଲି ସକାଳେ ମୁଁ ଯେତେବେଳେ ଏହି ପାହାଡ଼ କଡ଼ରେ ବୁଲୁଥିଲି–ସେତେବେଳେ ପାହାଡ଼ରୁ ଭାଙ୍ଗି ତଳେ ଖସି ପଡ଼ିଥିବା ଏହି ପଥରଟି ମୋ ଅନୁସନ୍ଧାନୀ ଆଖିରେ ପଡ଼ିଲା । ମୁଁ ମୋର ଧ୍ୟାନମଗ୍ନ ଦୃଷ୍ଟିରେ ସେ ପଥରଟିକୁ ଚାହିଁଦେଲା ମାତ୍ରେ ମୋତେ ବୋଧ ହେଲା–ମାନେ ଦିଶିଲା ଯେ ସ୍ୱୟଂ ହନୁମାନ ଏହା ଭିତରେ ଲୁଚି ରହିଛନ୍ତି ଓ ତାଙ୍କର ରୂପର କିଛି ଆଭାସ ବାହାରକୁ ଦେଖାଯାଉଛି । ତା’ପରେ, ଆଜି ଖୁବ୍‍ ସକାଳୁ ଉଠି ମୁଁ ମୋର ହାତୁଡ଼ି ଆଉ ନିହାଣ ଆଣି ଏ ପଥରଟିକୁ କାଟି ଲାଗିଛି ଓ ସେହି ହନୁମାନଙ୍କ ବିଗ୍ରହକୁ ଢାଙ୍କି ରଖିଥିବା ଅନାବଶ୍ୟକ ପ୍ରସ୍ତରାଂଶଗୁଡ଼ିକୁ ବାହାର କରି ଦେଉଛି । ଏତିକି ମାତ୍ର କରିବା ଦ୍ୱାରା ସେହି ପଥର ଭିତରେ ଲୁଚି ରହିଥିବା ହନୁମାନଙ୍କ ମୂର୍ତ୍ତିଟି କ୍ରମେ କ୍ରମେ ପଦାକୁ ବାହାରି ଆସିଛି । ତାହା ଦେଖି ତୁମେ ଭାବୁଛ ଯେ–ଏହି ସୁନ୍ଦର ହନୁମାନ ମୂର୍ତ୍ତିଟିକୁ ମୁଁ ଏଇ ପଥରକୁ କାଟି ନିଜେ ତିଆରି କରିଛି । ମାତ୍ର ମୁଁ ପ୍ରକୃତରେ ମୂର୍ତ୍ତିଟି ଗଢ଼ୁନାହିଁ । ମୂର୍ତ୍ତିଟି ଛାଏଁ ଛାଏଁ ଏ ପଥର ଭିତରେ ଆବିର୍ଭୁତ ହେଉଛନ୍ତି-। ମୁଁ କେବଳ ତାଙ୍କୁ ଘୋଡ଼ାଇ ରଖିଥିବା ଆବରଣ ଗୁଡ଼ିକୁ କାଟି ଉଡ଼ାଇ ଦେଉଛି ।

 

ଗୁରୁଙ୍କ ମୁଖରେ ଏହି ଅଦ୍ଭୁତ କଥା ଶୁଣି ଶିଷ୍ୟଟି ଆଶ୍ଚର୍ଯ୍ୟ ହୋଇ ଗୁରୁଙ୍କ ମୁଖକୁ ଓ ହନୁମାନଙ୍କ ମୂର୍ତ୍ତିକୁ ଚାହିଁ ରହିଲା । ତା’ପରେ କହିଲା–ଗୁରୁ ! ମୂର୍ତ୍ତିମାନେ କ’ଣ ସତକୁ ସତ ପଥର ଭିତରେ ଲୁଚି ରହିଥାନ୍ତି ?

 

ଗୁରୁ କହିଲେ–ନା, ନା, ସବୁ ପଥର ଭିତରେ ମୂର୍ତ୍ତିମାନେ ଲୁଚି ନ ଥାନ୍ତି । ଆଉ ମଧ୍ୟ ସବୁ ପଥର ଭିତରେ ସବୁ ମୂର୍ତ୍ତି ଗୋପନ ହୋଇ ନ ଥାନ୍ତି । ବହୁତ ଅଲକ୍ଷଣା ପଥର ଅଛନ୍ତି–ସେ ମୁଗୁନି ହେଉ କି ମାର୍ବଲ ହେଉ–ସେଥି ଭିତରେ କିଛି ନ ଥାନ୍ତି । କିନ୍ତୁ କୋଉ ପଥର ଭିତରେ ଗଣେଶଙ୍କ ମୂର୍ତ୍ତି ଲୁଚିଥାଏ ତ କୋଉ ପଥର ଭିତରେ କୃଷ୍ଣଙ୍କ ମୂର୍ତ୍ତି ଲୁଚିଥାଏ । କୋଉ ପଥର ଭିତରେ ସୈନିକ ମୂର୍ତ୍ତିଟିଏ ଲୁଚିଥାଏ ତ କୋଉ ପଥର ଭିତରେ ସୁନ୍ଦର ନର୍ତ୍ତକୀ ମୂର୍ତ୍ତିଟିଏ ଲୁଚିଥାଏ-। ପ୍ରକୃତ ଶିଳ୍ପୀ ପଥରର କାରାଗାର ଭିତରୁ ଈପ୍‌ସିତ ବିଗ୍ରହଟିକୁ କାଢ଼ି ବାହାର କରେ କେବଳ-। ତେବେ ଏପରି ସବୁ ପଥର ଏଠିସେଠି ପଡ଼ିଥିବାର ଦେଖିବ–ଯାହା ଭିତରେ ନାନାପ୍ରକାର ବିକୃତ ମୂର୍ତ୍ତିସବୁ ଲୁଚି ରହିଥାନ୍ତି । ସେଗୁଡ଼ିକ ଜାଣିବ ଭୂତ, ପ୍ରେତ, ଡାହାଣୀ, ସଇତାନ କିମ୍ବା କୌଣସି କୌଣସି ଦୁଷ୍ଟ ଅପଶକ୍ତିମାନଙ୍କର ଅସ୍ପଷ୍ଟ ରୂପ । ଇଚ୍ଛା କଲେ ତୁମେ ସେଗୁଡ଼ିକ ମଧ୍ୟ ତାଭିତରୁ ବାହାର କରିପାରିବ । ବ୍ରହ୍ମଜ୍ଞାନୀ ଯେପରି ସବୁଠାରେ ଓ ସବୁ ବସ୍ତୁରେ ବ୍ରହ୍ମକୁ ଦେଖନ୍ତି–ଶିଳ୍ପୀ ସେହିପରି ତା’ର ପ୍ରକୃତ ଦୃଷ୍ଟି ଥିଲେ ସର୍ବତ୍ର ଆକୃତିମାନଙ୍କୁ ଦେଖିପାରିବ । ଏବଂ ସେଗୁଡ଼ିକୁ ଆବିଷ୍କାର କରିପାରିବ । ଆକୃତିଗୁଡ଼ିକ ଅସ୍ପଷ୍ଟରୂପେ ମୃତପ୍ରାୟ ଥାନ୍ତି । ଶିଳ୍ପୀର ପ୍ରଚଣ୍ଡ ଆଗ୍ରହ ଭିତର ଦେଇ ତା’ର ପ୍ରାଣଶକ୍ତି ସେହି ଆକୃତି ଭିତରେ ପ୍ରବେଶ କରି ତାକୁ ଜୀବନ୍ତ କରିଦିଏ ।

 

ଡହରାନନ୍ଦଜୀ ଏତିକି କହି ଚୁପ୍‍ ହେଲେ । କଳା ମହାବିଦ୍ୟାଳୟର ଛାତ୍ରମାନେ କହିଲେ ଡହରାନନ୍ଦଜୀ ! ଆମକୁ ଏ ତତ୍ତ୍ୱ ଖୁବ୍‍ ଭଲ ଲାଗିଲା । ଆସନ୍ତାକାଲି ତ ଆପଣ ରହୁଛନ୍ତି । ଆମେ ଏଠାକୁ ଏତିକିବେଳେ ପୁଣି ଆସିବା ଓ ଏହି ବିଷୟରେ ଆହୁରି ଆଲୋଚନା କରିବା ।

 

ଡହରାନନ୍ଦଜୀ ସମ୍ମତି ଜଣାଇଲେ । ସନ୍ଧ୍ୟା ହୋଇ ଆସିଲାରୁ ସେମାନେ ସେଦିନ ନିର୍ମଳଝରରୁ ଓହ୍ଲାଇ ସହର ଅଭିମୁଖେ ଫେରିଲେ ।

☆☆☆

 

Unknown

ନନ୍ଦଲାଲ ! କ’ଣ ଦେଖୁଛ ?

 

ତା’ପରଦିନ ସତକୁ ସତ ଖଲ୍ଲିକୋଟ କଳା ମହାବିଦ୍ୟାଳୟ ସେହି କେତେଜଣ ଆଗ୍ରହୀ ତରୁଣ କଳାଛାତ୍ର ଡହରାନନ୍ଦଙ୍କୁ ଡାକି ପୁନର୍ବାର ସହର ଉପକଣ୍ଠରେ ସେହି ରମଣୀୟ ଶାନ୍ତ ପବିତ୍ର ନିର୍ମଳଝର ପାହାଡ଼କୁ ଗଲେ । ପୂର୍ବଦିନ ପରି ଚିଲିକା ଜଳକଣା ସିକ୍ତ ଶୀତଳ ପବନ ବହୁଥାଏ । ପାହାଡ଼ ଘଞ୍ଚ ବୃକ୍ଷଲତାମାନଙ୍କରୁ ବିଭିନ୍ନ ପ୍ରକାର ପକ୍ଷୀ କୂଜନ କରୁଥାନ୍ତି । ଚତୁର୍ଦ୍ଦିଗରେ ସୂର୍ଯ୍ୟାସ୍ତ–ପୂର୍ବ ନରମ ଖରା ପଡ଼ିଥାଏ । ସେମାନେ ଗୋଟିଏ ମନ୍ଦିର ପଛପଟେ ପ୍ରସାରିତ ଖଣ୍ଡିଏ ବଡ଼ପଥର ଉପରେ ବସିଲେ । ତା’ପରେ ଜଣେ କଳା–ଛାତ୍ର ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଗତକାଲି ଆପଣ ଆମକୁ ପ୍ରସ୍ତର–ଶିଳ୍ପ ସମ୍ବନ୍ଧେ ଯେଉଁ ଗୂଢ଼ ରହସ୍ୟମୟ ତତ୍ତ୍ୱ କହିଲେ ତାହା ଆମର ବେଶ୍‍ ହୃଦବୋଧ ହେଲା । କିନ୍ତୁ କାଲି ଆପଣ ଯାହା କହିଲେ–ବ୍ରହ୍ମଦର୍ଶୀର ଦୃଷ୍ଟିରେ ଯେପରି ସର୍ବତ୍ର ଓ ସର୍ବ ବସ୍ତୁରେ ବ୍ରହ୍ମ ହିଁ ଦେଖାଯାନ୍ତି ସେହିପରି ମୂର୍ତ୍ତିକାରୀ ଶିଳ୍ପୀ ଦୃଷ୍ଟିରେ ସର୍ବତ୍ର ମୂର୍ତ୍ତି ବା ଆକୃତି ଦେଖାଯାନ୍ତି । ଆଚ୍ଛା ମୋର ପ୍ରଶ୍ନ ହେଲା–ଗୋଟିଏ ପଥର ଦେହରେ ବା ଯେ କୌଣସି ବସ୍ତୁରେ କ’ଣ ଆକୃତି ସବୁ ପୂର୍ବରୁ ଗଢ଼ା ହୋଇ ରହିଥାଏ ? ସେହି ଆକୃତିଗୁଡ଼ିକ କ’ଣ ସ୍ୱୟଂ ସମ୍ପୂର୍ଣ୍ଣ ? କାରୁ ଶିଳ୍ପୀର ନାମ କ’ଣ କେବଳ ସେହି ଲୁକ୍‌କାୟିତ ପୂର୍ବ ନିର୍ମିତ ମୂର୍ତ୍ତିକା ଆକୃତିଗୁଡ଼ିକୁ ଆବିଷ୍କାର କରିବା ? ତାହେଲେ ଆମେ ଆଟିଷ୍ଟମାନେ କ’ଣ କେବଳ ଆବିଷ୍କାରକ ? ସୃଜନ ଶିଳ୍ପୀ ନୋହୁଁ ?

 

ଡହରାନନ୍ଦଜୀ ହସି ହସି କହିଲେ–ମୋର କଥାଗୁଡ଼ିକୁ ଯଦି ତୁମେ କେବଳ ଅଭିଧାନିକ ଭାଷା ଦୃଷ୍ଟିରୁ ବୁଝୁଥାଅ–ତେବେ ତୁମର ବୁଝାମଣା ଠିକ୍‍ ହେବ ନାହିଁ । ଆବିଷ୍କାରକ ଶବ୍ଦର ଅର୍ଥ ହେଲା–ଆଗରୁ ବିଷୟଟି ଥିଲା । ତାକୁ କେହି ଜାଣି ନ ଥିଲେ ଏବଂ ତୁମେ ତାକୁ ପ୍ରଥମ କରି ଆବିଷ୍କାର କଲ । ସେହିପରି ସର୍ଜନ ବା ସ୍ରଷ୍ଟା ଶବ୍ଦର ଅର୍ଥ ହେଲା–ଆଗରୁ ବସ୍ତୁଟି ନ ଥିଲା । ତୁମେ କିନ୍ତୁ ଶୂନ୍ୟ ଭିତରୁ ତାକୁ ତୋଳି ଆଣିଲ ବା ଗଢ଼ି ଥୋଇଲ । ଉଦ୍ଭାବକ ଶବ୍ଦର ଅର୍ଥ ମଧ୍ୟ ପ୍ରାୟ ସେଇଆ । କିନ୍ତୁ ଏସବୁ ଶବ୍ଦ ଓ ଏହାର ପ୍ରଚଳିତ ଅର୍ଥଗୁଡ଼ିକ କେବଳ ବାହ୍ୟସ୍ତରରେ ସାଧାରଣ ଲୋକଙ୍କ ବୁଝାମଣା ପାଇଁ ହୋଇଥାଏ । ଯେଉଁମାନେ ଶିଳ୍ପୀ, ଦାର୍ଶନିକ, ବୈଜ୍ଞାନିକ, କବି ଅଥବା ଭକ୍ତ ସନ୍ଥ–ସେମାନେ ଏସବୁ କଥାକୁ ଗଭୀର ସ୍ତରରେ ବୁଝନ୍ତି ଏବଂ ଗଭୀର ସ୍ତରରେ ପ୍ରକାଶ କରିବାକୁ ହେଲେ ତୁମକୁ ଏଇ ସବୁ ପ୍ରଚଳିତ ଶବ୍ଦଗୁଡ଼ିକର ସାହାଯ୍ୟ ନେବାକୁ ହେବ । କିନ୍ତୁ ଆମର ଏଇ ସବୁ ନିତ୍ୟ ବ୍ୟବହୃତ ପ୍ରଚଳିତ ଶବ୍ଦଗୁଡ଼ିକ ଗଭୀର ଅଭିଜ୍ଞତା ଗୁଡ଼ିକୁ ଠିକ୍‍ ଭାବରେ ପ୍ରକାଶ କରିବାକୁ ଅକ୍ଷମ । ବିଷୟଟି ଏହିପରି–

 

ଏହି ଯେଉଁ ପ୍ରକାଶମାନ ପୃଥିବୀ ବା ଆକାଶ ଆମେ ଦେଖୁଛୁ–ତାକୁ ଆମ ଅଲକ୍ଷ୍ୟରେ କିଏ ଜଣେ ସ୍ରଷ୍ଟା ଗଢ଼ି ଚାଲିଛି । ତାକୁ ତୁମେ ଈଶ୍ୱର କୁହ ବା ପ୍ରକୃତି କୁହ, ପୁରୁଷ କୁହ ବା ପ୍ରକୃତିକୁହ । କିମ୍ବା ପୁରୁଷ ପ୍ରକୃତି କି ଈଶ୍ୱର ପ୍ରକୃତି ମିଳିମିଶି କରି ଗଢ଼ି ଚାଲିଛନ୍ତି ବୋଲି ମଧ୍ୟ କହିପାର । କିନ୍ତୁ ପରମାର୍ଥୀ ତତ୍ତ୍ୱଦର୍ଶୀମାନେ କହନ୍ତି ଯେ–ସବୁକିଛି ଆମ ଅଲକ୍ଷ୍ୟରେ ଗଢ଼ା ହୋଇସାରିଛି–ଗଢ଼ାହୋଇ ଚାଲିଛି ଓ ଗଢ଼ା ହୋଇ ଚାଲିଥିବ । କିନ୍ତୁ ପ୍ରଥମେ ସବୁକିଛି ଗଢ଼ା ହେଉଛି ଆମର ଏହି ସ୍ଥୂଳ ଜଗତ ବାହାରେ ଆଉ ଏକ ସୂକ୍ଷ୍ମ ଜଗତରେ । କିନ୍ତୁ ସେହି ସୂକ୍ଷ୍ମ ଜଗତଟି ଆମର ଏହି ସ୍ଥୂଳ ଜଗତର ବାହାରେ ଥିଲେ ବି ଏହା ସହିତ ମିଶିକରି ଅଛି । ଯେପରି ଆକାଶ ଦୂରରେ ଅଛି–ପୁଣି ଏହି ପୃଥିବୀ ସହ ମିଶିକରି ମଧ୍ୟ ଅଛି । ଏହିଭାବେ ବୁଝିଲେ ସବୁକିଛି ଫର୍ମ ବା ମୂର୍ତ୍ତି ବା ଆକୃତି ସୂକ୍ଷ୍ମ ଜଗତରେ ତିଆରି ହୋଇ ରହିଛି । କିନ୍ତୁ ସେହି ସୂକ୍ଷ୍ମ ଆକୃତି ବା ରୂପ ସବୁ ଏହି ସ୍ଥୂଳ ଜଗତରେ ସ୍ଥୂଳବସ୍ତୁମାନଙ୍କୁ ମଧ୍ୟ ଆଶ୍ରା କରି ରହିଛି । ଯେ ଅନୁସନ୍ଧିତ୍ସୁ ଯାହାର ଦୃଷ୍ଟି ଶିଳ୍ପୀର, କବିର, ଦାର୍ଶନିକର, ବୈଜ୍ଞାନିକର ବା ଭକ୍ତର–ସେହି ଦୃଷ୍ଟି ଯେତେବେଳେ ସ୍ଥୂଳ ବସ୍ତୁ ଉପରେ ପଡ଼େ–ସେହି ସ୍ଥୂଳବସ୍ତୁ ଭିତରେ ସୂକ୍ଷ୍ମ ଭାବରେ ଲୁଚି ରହିଥିବା ଆକୃତିଟିଏ ବା ଆକୃତିଗୁଡ଼ିକ ଆଭାସ ରୂପେ ତା’ ଦୃଷ୍ଟି ଫଳକରେ ଧରା ଦିଅନ୍ତି । ଏହି ଦେଖିବା କାର୍ଯ୍ୟଟି ହେଲା ଆବିଷ୍କାର ଏବଂ ତାକୁ ଯେତେବେଳେ କବି ବା ଶିଳ୍ପୀ ସେହି ସ୍ଥୂଳବସ୍ତୁର ନିଗଡ଼ ଭିତରୁ ଫୁଟାଇ ଦିଏ ସେତେବେଳେ ସେ ସ୍ଥୂଳ ଦୃଷ୍ଟିରୁ ହୋଇ ଉଠେ ଜଣେ ସ୍ରଷ୍ଟା । ଏତିକି ଯାହା ପ୍ରଭେଦ । ବର୍ତ୍ତମାନ ମୁଁ ତୁମମାନଙ୍କୁ ଦୁଇଜଣ ବିଶିଷ୍ଟ ଶିଳ୍ପୀଙ୍କ ସମ୍ପର୍କରେ ଗଳ୍ପଟିଏ କହୁଛି ଶୁଣ ।

 

ବଙ୍ଗଦେଶର ଦୁଇଜଣ ବିଶ୍ୱବିଖ୍ୟାତ ଶିଳ୍ପୀଙ୍କ ନାମ ତୁମେମାନେ ଶୁଣିଥିବ । ଅବନୀନ୍ଦ୍ର ନାଥ ଠାକୁର ଓ ନନ୍ଦଲାଲ ବୋଷ । ଅବନୀନ୍ଦ୍ର ଗୁରୁ ଓ ନନ୍ଦଲାଲ ତାଙ୍କର ଉପଯୁକ୍ତ ଶିଷ୍ୟ । ପ୍ରତିଦିନ ସନ୍ଧ୍ୟାବେଳେ ଗୁରୁ ଶିଷ୍ୟ ଦୁହେଁଯାକ ସହର ଛାଡ଼ି ତିନି ଚାରି କିଲୋମିଟର ଦୂର ପର୍ଯ୍ୟନ୍ତ ବୁଲନ୍ତି ସେମାନେ ପ୍ରାୟ ତୋଟା ଓ ବଣୁଆ ଜାଗାଗୁଡ଼ିକ ଭିତର ଦେଇ ବୁଲନ୍ତି ଏବଂ ବାଟରେ ବିଭିନ୍ନ ବସ୍ତୁ ସବୁ ନିରୀକ୍ଷଣ କରନ୍ତି । କେବେ କୋଉଠି ପଥରଟାଏ ପଡ଼ିଛି–କୋଉଠି ବା ଗଛଟାଏ ବିଚିତ୍ର ଢଙ୍ଗରେ ଠିଆ ହୋଇଛି–କୋଉଠି ଛେଳିଟାଏ ବା ଗାଈଟାଏ ଶୋଇଛି ବା ଚରୁଛି–କୋଉଠି ଦଳେ କୁଆ ଏକାଠି ବସି ସନ୍ଧ୍ୟା ପୂର୍ବରୁ ପରସ୍ପର ଭିତରେ କ’ଣ ଭାବ ବିନିମୟ କରୁଛନ୍ତି–କୋଉଠି ବା କାଠୁରିଆଟିଏ କାଠ ବିଡ଼ାଟି ମୁଣ୍ଡରେ ଥୋଇ ବଣରୁ ଫେରୁଛି–କୋଉଠି ସ୍ତ୍ରୀଲୋକଟିଏ ପାଣିମାଠିଆ ମୁଣ୍ଡରେ ଥୋଇ ଲୀଳାୟିତ ଗତିରେ ଘରକୁ ଫେରୁଛି ଏହିପରି ନାନା ବିଚିତ୍ର ସୁନ୍ଦର ରୂପ ଗୁରୁ ଶିଷ୍ୟ ଦୁହେଁଦେଖି ଦେଖି ଚାଲିଥାନ୍ତି ଓ ସେସବୁ ବିଷୟରେ ଗପ କରି କରି ଚାଲିଥାନ୍ତି । ବଣ ଭିତରୁ ଗୋଧୀଟାଏ କି ସାପଟାଏ କି ନେଉଳଟାଏ ମଧ୍ୟ ବାହାରି ଆସି କିପରି ରାସ୍ତା ଆରପଟକୁ ପଳାଉଥାଏ–ସେ ଦୃଶ୍ୟ ମଧ୍ୟ କେବେ କେବେ ଦୁହିଁଙ୍କ ଆଖିରେ ପଡ଼େ । ନିକଟସ୍ଥ ପାହାଡ଼ ଉପରେ ଅସ୍ତସୂର୍ଯ୍ୟଙ୍କର ସୁନେଲୀ କିରଣ ପଡ଼ି ଯେଉଁ ଛାଇ ଆଲୁଅର ମାୟାଲୋକ ସୃଷ୍ଟି କରିଥାଏ–ତାକୁ ମଧ୍ୟ ଗୁରୁଶିଷ୍ୟ ଦେଖି ମୁଗ୍‌ଧ ହେଉଥାନ୍ତି । ପ୍ରକାଶମାନ ଏହି ପୃଥିବୀରେ କେତେ ରୂପ ! କେତେ ଆକୃତି ! କେତେ ସୌନ୍ଦର୍ଯ୍ୟ । ଦିନେ ଗୋଟିଏ ତୋଟା ଭିତରେ ଯାଉ ଯାଉ ସେମାନେ ଦେଖିଲେ ଯେ କାଠ କଟାଳୀମାନେ ଗୋଟିଏ ଗଛ କାଟି ଦେଇଛନ୍ତି ଏବଂ ସେ ଗଛର ଚେରଗୁଡ଼ିକ ମଧ୍ୟ ଉପୁଡ଼ିଯାଇ ଚାରିଆଡ଼େ ପଡ଼ିଛି ।

 

ହଠାତ୍‍ ଗୁରୁ ଅବନୀନ୍ଦ୍ର ନାଥ ଦେଖିଲେ ଯେ ସେହି ଗଛର ଖଣ୍ଡିଏ କର୍ତ୍ତିତ ଚେର ଅଲଗା ହୋଇ ଆସି ରାସ୍ତା ଉପରେ ପଡ଼ିଛି । ସେହି ଚେର ଖଣ୍ଡିକ ଗୋଟିଏ ମଣିଷ ପିଲାର ଆକୃତି ଭଳି ଦିଶୁଥିଲା । ଅବନୀନ୍ଦ୍ର ସେଠାରେ ଅଟକିଯାଇ ଶିଷ୍ୟ ନନ୍ଦଲାଲଙ୍କୁ ପ୍ରଶ୍ନ କଲେ–ନନ୍ଦଲାଲ ! ସେଠାରେ କ’ଣ ଦେଖୁଛ ?

 

ନନ୍ଦଲାଲ କହିଲେ–ସାର୍‍ ! ଖଣ୍ଡିଏ ଚେର ଦେଖୁଛ ?

 

ଅବନୀନ୍ଦ୍ର ତାଚ୍ଛଲ୍ୟ କରି କହିଲେ–କ’ଣ କେବଳ ଖଣ୍ଡିଏ ଚେର ଦେଖୁଛ ?

 

ନନ୍ଦଲାଲ ସାଙ୍ଗେ ସାଙ୍ଗେ କହିଲେ–ନା ସାର୍‍ ଗୋଟାଏ ମଣିଷ ପିଲା ଦେଖୁଛି ।

 

ଅବନୀନ୍ଦ୍ର ପୁନର୍ବାର ପଚାରିଲେ–କ’ଣ କେବଳ ମଣିଷ ପିଲାଟିଏ ଦେଖୁଛ ? ନନ୍ଦଲାଲ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ନା ସାର୍‍ ! ଗୋଟିଏ ବଙ୍ଗାଳୀ ପିଲା ରାସ୍ତାରେ ପଡ଼ିଥିବାର ଦେଖୁଛି-। ଅବନୀନ୍ଦ୍ର ପୁନଶ୍ଚ ପଚାରିଲେ–କେବଳ ବଙ୍ଗାଳୀ ପିଲାଟିଏ ରାସ୍ତାରେ ପଡ଼ିଥିବାର ଦେଖୁଛ-?

 

ନନ୍ଦଲାଲ ଏଥର ଶେଷ ଉତ୍ତର ଦେଲେ–

 

ନା ସାର୍‍ ! ଗରିବ ଅସହାୟ ବଙ୍ଗାଳୀ ପିଲାଟା ମାଲେରିଆରେ ମରିଯାଇଛି ଓ ରାସ୍ତାରେ ତା’ର ଶବଟା ଏପରି ନାରଖାର ହୋଇ ପଡ଼ିଛି ।

 

ଅବନୀନ୍ଦ୍ର ନାଥ ହୋ ହୋ ହୋଇ ହସି ଉଠି ନନ୍ଦଲାଲଙ୍କୁ ଆବେଗରେ କୁଣ୍ଢାଇ ପକାଇଲେ....

 

କଥାଟି ଏଇଠାରେ ଶେଷକରି ଡହରାନନ୍ଦ କହିଲେ–ବୁଝିଲ ବାବୁମାନେ ! ଛବି ଆଙ୍କିବା ବା ମୂର୍ତ୍ତି ଗଢ଼ିବା ବଡ଼ କଥା ନୁହଁ । ଅସଲ କଥା ହେଲା–ଛବି ଦେଖିବାରେ ବା ଆକୃତି ଓ ମୂର୍ତ୍ତି ଦେଖିବାରେ ଯେଉଁ ଶିଳ୍ପୀଯୋଗ୍ୟ ଦୃଷ୍ଟି–ସେହି ଦୃଷ୍ଟିର ଅଧିକାରୀ ହେବାକୁ ସାଧନା କରିବା । ତାପରେ ଯାଇ ଆବିଷ୍କାର, ଉଦ୍ଭାବନ ଓ ସୃଜନ ଏକ ହୋଇଯାଏ ।

☆☆☆

 

ଗାଈ ଅଦୃଶ୍ୟ, ଘାସ ବି ଅଦୃଶ୍ୟ

 

ସେଥର ଡହରାନନ୍ଦଜୀ ଖଲ୍ଲିକୋଟରେ ଆଉ ଗୋଟିଏ ଦିନ ରହିଯିବାକୁ ବାଧ୍ୟ ହୋଇଥିଲେ । କାରଣ, ଖଲ୍ଲିକୋଟ କଳା–ମହାବିଦ୍ୟାଳୟର ସେହି ଉତ୍ସୁକୀ ଛାତ୍ର କଳାକାରମାନେ ଡହରାନନ୍ଦଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ ଗୋଟିଏ ନୈଶ–ଭୋଜିସଭାର ଆୟୋଜନ କରିଥିଲେ-। ରାତିରେ ଭୋଜି ସମାପନ ଉତ୍ତାରେ କେତେକ କଳା–ଛାତ୍ରୀ ଡହରାନନ୍ଦଙ୍କୁ ନିକଟରେ ପାଇ ତାଙ୍କୁ କଳା ସମ୍ପର୍କୀୟ କେବଳ ପ୍ରଶ୍ନ କରିଥିଲେ । ଡହରାନନ୍ଦ ସେ ସବୁର ଉତ୍ତର ଦେଲା ପରେ ଜଣେ ବୁଦ୍ଧିମତୀ କଳାଛାତ୍ରୀ ପଚାରିଲେ–

 

ଡହରାନନ୍ଦଜୀ ! ଆମେ ଯେଉଁମାନେ ଚିତ୍ର ବା ଛବି ଆଙ୍କୁ–ଆମେ ସମସ୍ତେ କେବଳ ଛାଇ ଆଲୁଅର ଖେଳ ହିଁ ଆମ ଛବିରେ ଦେଖାଇଥାଉ । ଛବି ବା ଚିତ୍ର ମାତ୍ରେଇ ଏହି ଛାଇ ଆଲୁଅର ଖେଳ । ଆମେ ସବୁ ଯେତେ ସ୍ଥୂଳ ବା ସୂକ୍ଷ୍ମରଙ୍ଗ ବ୍ୟବହାର କରୁ, ସବୁ ଛାଇ ଆଲୁଅର ଊଣା ବା ଅଧିକ ମିଶାମିଶି ଭିତରୁ ହିଁ ଉଦ୍ଭବ ହୁଏ । ମୋଟ କଥା ହେଲା–ରୂପ ମାତ୍ରେଇ ଏଇ ଛାଇ ଆଲୁଅ ଭିତରୁ ପ୍ରକାଶ ପାଇଥାଏ । କିନ୍ତୁ ଏଇ ପ୍ରକାଶିତ ଜଗତଟି କ’ଣ କେବଳ ରୂପ ? ତା’ ହେଲେ ‘ଅରୂପ’ ପୁଣି କ’ଣ ? ଯୋଗୀମାନେ ଯେଉଁ ରୂପ ଓ ଅରୂପର ଉଭୟ ଉପଲବ୍‌ଧି କଥା କହନ୍ତି–ତାହା କ’ଣ ଜଣେ ଚିତ୍ର–ଶିଳ୍ପୀ ଉପଲବ୍‌ଧି କରିପାରିବ ନାହିଁ ? ଜଣେ ଚିତ୍ରଶିଳ୍ପୀ କ’ଣ କେବଳ ଏ ଜଗତର ପ୍ରକାଶମାନ ରୂପଟିକୁ ହିଁ ଦେଖିବ ? କେବଳ ରୂପଜଗତଟି କ’ଣ ଜଣେ କଳାକାରର କ୍ଷେତ୍ର ? ଅରୂପ ଜଗତ ସହିତ ତା’ର ଆଦୌ ପରିଚୟ ହୋଇପାରିବ ନାହିଁ ?

 

ଡହରାନନ୍ଦଜୀ ଏ ପ୍ରଶ୍ନଟି ଶୁଣି ହଠାତ୍‍ ଗମ୍ଭୀର ହୋଇଗଲେ । ମାତ୍ର କେତୋଟି ସେକେଣ୍ଡ ପରେ ସେ ପୁଣି ତାଙ୍କର ସ୍ୱାଭାବିକ ମୁଡ଼୍‌କୁ ଫେରି ଆସିଲେ ଓ ହସିବାକୁ ଆରମ୍ଭ କଲେ-। ଛାତ୍ରୀଟିକୁ ଲକ୍ଷ୍ୟକରି ସେ ହସି ହସି କହିଲେ–

 

ତୁମେ ଯେଉଁ ପ୍ରଶ୍ନଟି ପଚାରିଲ–ତାହା ଖୁବ୍‍ ଜଟିଳ ଓ ତୁମେ ମଧ୍ୟ ତାକୁ ଏତେ ଗୁରୁଗମ୍ଭୀର ଭାବେ ପଚାରିଲ ଯେ, ତାହା ଶୁଣି ମତେ ଏପରି ହସ ଲାଗିଲା । ପ୍ରଥମେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି–ତୁମେ କିପରି ସବୁବେଳେ ଖାଲି ରୂପ ଦେଖୁଛ–ଅଥଚ ଅରୂପ ଦେଖି ପାରୁନାହଁ-? ଯେ ସତକୁ ସତ ରୂପ ଦେଖିପାରୁଛି ସେହି କେବଳ ସତକୁ ସତ ଅରୂପକୁ ମଧ୍ୟ ଦେଖିପାରିବ-। ସେମିତି, ଯେ ସତକୁ ସତ ଅରୂପ ଦେଖୁଛି–ତାରି ଆଖି ଆଗରେ ହିଁ ଅରୂପ ଭିତରୁ ରୂପମାନେ ବାହାରି ଆସୁଥାନ୍ତି । ଭାବ ନାହିଁ ଯେ ଆଖି ଖୋଲିଲେ ସମସ୍ତେ ରୂପ ଦେଖିପାରନ୍ତି ବା ଆଖିବୁଜିଦେଲେ ସମସ୍ତଙ୍କ ଭିତରେ ଅରୂପ କ’ଣ ତାହା ବୁଝା ପଡ଼ିଯାଏ । ଅନେକଙ୍କ ଆଖି ଖୋଲାଥାଏ–ମାତ୍ର ସେ ଆଖିରେ କେବଳ ଆକୃତି ଗୁଡ଼ିଏ ଦୃଶ୍ୟ ହୁଏ–ରୂପ ଦୃଶ୍ୟ ହୁଏ ନାହିଁ-। ସେମିତି ଅନେକ ଆଖି ବୁଜିଦେଲା ପରେ ବି ସେଇ ନିରର୍ଥକ ଆକୃତିଗୁଡ଼ିଏ ତାଙ୍କ ମନ ଭିତରେ ଖେଳୁଥାଏ–ଅରୂପ ଧରାପଡ଼େ ନାହିଁ । କେବଳ ଧ୍ୟାନପରାୟଣ ଭିତର ଆଖି ଖୋଲିଗଲେ ଯାଇ ସେଇ ଦୃଷ୍ଟି ଭିତରେ ରୂପ ଓ ଅରୂପ ଉଭୟ ଧରାପଡ଼େ ଏବଂ ଛାଇ ଆଲୁଅର ଖେଳ ଭଳି ଏହି ଦୃଶ୍ୟମାନ ଜଗତରେ ରୂପ ଓ ଅରୂପରେ ଖେଳ ମଧ୍ୟ ଯୁଗପତ୍‍ ଚାଲିଥାଏ-। ସବୁକିଛି ଏକାବେଳକେ ଫୁଟୁଥାଏ ଓ ଲିଭୁଥାଏ । ଲିଭୁଥାଏ ଓ ଫୁଟୁଥାଏ । ଏ ସମ୍ପର୍କରେ ମଜା କାହାଣୀଟିଏ ଶୁଣ ।

 

....ଥରେ ଗୋଟିଏ କଳା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହେଲା । ଶିକ୍ଷକ କହିଲେ–ତୁମେମାନେ ଏପରି ଗୋଟିଏ ଛବି ଆଙ୍କ–ଯେଉଁଥିରେ ଘାସ ପଡ଼ିଆଟାଏ ଥିବ ଓ ତା’ ଉପରେ ଗାଈଟିଏ ଚରୁଥିବ । ପ୍ରଶ୍ନଟି ଶୁଣି ସମସ୍ତେ ଛବି ଆଙ୍କିବାରେ ଲାଗିପଡ଼ିଲେ । ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିଲା ଅଧଘଣ୍ଟାଏ । ସେହି ସମୟ ଭିତରେ ଛାତ୍ରଛାତ୍ରୀମାନେ ଛବିଟି ଆଙ୍କି ଗୁରୁଙ୍କୁ ଦେଖାଇଲେ । ସମୁଦାୟ ପାଞ୍ଚଟି ଛବି ଥିଲା । ଗୁରୁ ପ୍ରଥମ ଛବିଟି ଦେଖି କହିଲେ–ଛବିଟି ଅବିକଳ ହୋଇନାହିଁ । ଗାଈଟି ଗାଈ ଭଳି ହୋଇଛି ଓ ଗାଈ ପରି ଚରୁଛି । ଘାସ ମଧ୍ୟ ଘାସ ପରି ହୋଇଛି । କିନ୍ତୁ ତୁମ ଛବିରେ ଗାଈଟି ଘାସ ଚରିଲା ଭଳି ଦିଶୁଛି–କିନ୍ତୁ ଘାସସବୁ ଯେମିତି ସେମିତି ଦିଶୁଛନ୍ତି କିପରି ? ଗାଈର ଗୋଡ଼ରେ କେତେକ ଘାସ ଦଳି ହୋଇଯିବା ଉଚିତ ଏବଂ ଗାଈ ଯୋଉ ଘାସ ସବୁ ଖାଇଛି–ସେଗୁଡ଼ିକ ଅନ୍ୟ ଘାସଠାରୁ ଛୋଟ ଦିଶିବା ଉଚିତ । ତେଣୁ ଏ ଛବି ଠିକ୍‍ ହେଲା ନାହିଁ ।

 

ତା’ପରେ ଗୁରୁ ଆଉ ଗୋଟିଏ ଛବି ଦେଖି କହିଲେ–ତୁମ ଛବିଟି ଠିକ୍‍ ଅଛି । କିନ୍ତୁ ଗାଈଟି ସତେ କି କାଠରେ ତିଆରି ଓ ତୁମର ଘାସ ପଡ଼ିଆଟି ସତେ କି ପ୍ଲାଷ୍ଟିକ୍‍ ଘାସରେ ତିଆରି ! ତେଣୁ ଏ ଛବି ଠିକ୍‍ ହେଲାନାହିଁ ।

 

ସେଇଠୁ ଗୁରୁ ତୃତୀୟ ଛବିଟି ଦେଖି କହିଲେ–ତୁମ ଛବିଟି ମନ୍ଦ ହୋଇନାହିଁ । ତେବେ ତୁମେ ଆଙ୍କିଥିବା ଗାଈଟି ଏ ପୃଥିବୀରେ କେଉଁଠି ଆବିର୍ଭୂତ ହୋଇନାହିଁ ବୋଲି ମତେ ଲାଗୁଛି । ମୋର ମନେ ହେଉଛି–ତୁମର ଏ ଗାଈଟି ସ୍ୱର୍ଗର କାମଧେନୁ କିମ୍ବା ତା’ର ଝିଅ ସୁରଭୀ ଏବଂ ଏହି ଘାସପଡ଼ିଆଟି ମଧ୍ୟ ଆମର ଏ ପୃଥିବୀର ନୁହଁ । ଏହା ସେହି ସ୍ୱର୍ଗର ନନ୍ଦନକାନନରେ ଥିବା ଦେବତାମାନଙ୍କର ଏକ ଲନ୍‍ ହୋଇପାରେ ।

 

ଏହାପରେ ଗୁରୁ ଚତୁର୍ଥ ଛବିଟି ଦେଖି କହିଲେ–ଏ ଛବିଟି ମଧ୍ୟ ବେଶ୍‍ ଆକର୍ଷଣୀୟ ହୋଇଛି । କିନ୍ତୁ କି ଆଶ୍ଚର୍ଯ୍ୟ ! ଗାଈଟିକୁ ବେଶ୍ ଦେଖୁଛି । କିନ୍ତୁ ଏ ଗାଈଟିକୁ ଏତେ ଦୁର୍ବଳ ହଡ଼ା କରି କାହିଁକି ଆଙ୍କିଛ ? ଆଚ୍ଛା,ଏ ପୁଣି କ’ଣ ? ପଡ଼ିଆଟି ବେଶ୍‍ ବିସ୍ତୃତ ଦେଖାଯାଉଛି–କିନ୍ତୁ ସେଥିରେ ଘାସ କାହିଁ ? ପଡ଼ିଆରେ ଏଇସବୁ ଛୋଟ ଛୋଟ ଘର କ’ଣ ଆଙ୍କିଛ ? ବିଚିତ୍ର କାଣ୍ଡ ! ଆଚ୍ଛା ଏ ଦୁର୍ବଳ ଗାଈଟି ତା’ ମୁହଁରେ କ’ଣ ଟାଏ ଧରି ଚୋବାଉଛି ?

 

ଛବି ଅଙ୍କାଳି ଛାତ୍ରଟି କହିଲା–ସାର୍‍ ! ଏ ଛବିଟିକୁ ଆଧୁନିକ ପରିସ୍ଥିତିର ବାସ୍ତବତାକୁ ଲକ୍ଷ୍ୟ କରି ମୁଁ ଆଙ୍କିଛି । ଏ ଗାଈଟି କିଛି ଖାଇବାକୁ ନ ପାଇ ଏପରି ଦୁର୍ବଳ ହୋଇଛି । ଏ ବର୍ଷ ବର୍ଷା ନ ଥିବାରୁ ଓ କ୍ରମାଗତ ଛଅମାସ ଧରି କେବଳ ଖରା ହେବାରୁ ଘାସ ଆଦୌ କଅଁଳି ନାହିଁ । ସରକାର ଗୋଚର ଭୂମିଗୁଡ଼ିକୁ ଭୂମିହୀନ ବ୍ୟକ୍ତିମାନଙ୍କୁ ଦାନକରି ପରବର୍ତ୍ତୀ ନିର୍ବାଚନରେ ଭୋଟ ପାଇଛନ୍ତି ଏବଂ ସେହି ଭୂମିହୀନ ବ୍ୟକ୍ତିମାନେ ଏହି ଗୋଚର ପଡ଼ିଆରେ କୁଡ଼ିଆଘର ସବୁ ତିଆରି କରିଛନ୍ତି । ବର୍ତ୍ତମାନ ଗାଈଟି ଖଣ୍ଡିଏ ଭୋଟ ପ୍ରଚାରର କାଗଜ ତା’ ପାଟିରେ ପୂରାଇ ପ୍ରାଣପଣେ ତାକୁ ଚୋବାଇ ଲାଗିଛି । ଟିକିଏ ଲକ୍ଷ୍ୟ କଲେ ଦେଖିବେ–ସେହି ଭୋଟ କାଗଜରେ ଯେତିକି ଅଂଶ ଗାଈ ପାଟିର ବାହାରେ ଅଛି ସେଥିରେ ଛପା ଯାଇଛି–ଗୋଜାତିର ଉନ୍ନତି ଲାଗି ଆମଦଳ ବରାବର ଦୃଷ୍ଟିଦେଇ ଆସିଛି ଓ ଭବିଷ୍ୟତରେ ମଧ୍ୟ ଦେଇ ଚାଲିବ ।

 

ଗୁରୁ ଛବିଟିର ବ୍ୟାଖ୍ୟା ଶୁଣି ହସି ହସି ଏଥର ପଞ୍ଚମ ଛବିଟିକୁ ଦେଖିଲେ । ତାହା ଦେଖି ସେ ଆଶ୍ଚର୍ଯ୍ୟ ହେଲେ ଓ ଚିଡ଼ିଗଲେ । ଛବି ଅଙ୍କାଳିକୁ ପଚାରିଲେ–ଏ କ’ଣ ? ତୁମେ ଜଣେ ପାଗଳ ? ନାଁ ମତେ ପରିହାସ କରୁଛ ? ତୁମର ଏ କାଗଜରେ କୌଣସି ନାମଗନ୍ଧ ନାହିଁ ଏବଂ ଏ କାଗଜଟିଜାକ କଳାରଙ୍ଗର ବୁଡ଼ାଇ ମୋତେ ଦେଖାଇବାର ମତ୍‌ଲବ କ’ଣ ମୁଁ ବୁଝିପାରୁ ନାହିଁ ।

 

କଳା ଛାତ୍ରଟି ବିନୀତ ଭାବେ କହିଲା–ସାର୍‍ ! ବିରକ୍ତ ହୁଅନ୍ତୁ ନାହିଁ । ଦୟାକରି ଶୁଣନ୍ତୁ । ପଡ଼ିଆରେ ବହୁତ ଘାସ ଥିଲା । ଗାଈଟି ମଧ୍ୟ ଖୁବ୍‍ ଭୋକିଲା ଥିଲା । ସକାଳ ପହରୁ ସନ୍ଧ୍ୟାଯାଏ ଘାସ ଚରୁ ଚରୁ ସବୁତକ ଘାସ ଖାଇ ଶେଷ କରି ଦେଲା । ତା’ ପରେ ସନ୍ଧ୍ୟା ଆସିଲା । ଅନ୍ଧାର ପକ୍ଷ ମେଘୁଆ ରାତି ମାଡ଼ି ଆସିଲା । ଚାରିଆଡ଼ କଳା କିଟିକିଟି ଅନ୍ଧାର । ସେଥିରେ ପୁଣି ଗାଈଟା କାଳୀଗାଈ । ଗାଈଟା ତଥାପି ପଡ଼ିଆରେ ଚରୁଛି । କିନ୍ତୁ ମେଘ ରାତିର ଘନ ଅନ୍ଧାର ଭିତରେ ଆଉ କିଛି ଦିଶୁନାହିଁ । କିନ୍ତୁ ସବୁ ଏହି କଳା କିଟିକିଟି ଅନ୍ଧାର ଭିତରେ ଅଛି । ସକାଳେ ସୂର୍ଯ୍ୟ ଉଦୟ ହେଲେ–ପୁଣି ସବୁ କିଛି ଦୃଶ୍ୟ ହୋଇଯିବ ଛାଏଁ ଛାଏଁ ।

 

ଏହା ଶୁଣି କଳା ପରୀକ୍ଷକ ସେହି ଛବିଟିକୁ ଖୁବ୍‍ ପସନ୍ଦ କଲେ ଓ ତାକୁଇ ପ୍ରଥମ ଶ୍ରେଣୀର ରୁଚି ବୋଲି ଘୋଷଣା କଲେ । ଏବେ ତୁମେମାନେ ନିଶ୍ଚୟ କଳାରେ ରୂପ ଓ ଅରୂପର ତତ୍ତ୍ୱ ବୁଝିପାରୁଥିବ । ନା କ’ଣ ?

☆☆☆

 

ସଂଶୟୀ ମାଆ ଓ ପୋଷା ବାଘୁଣୀ ଦୁଃସମ୍ବାଦ

 

ଏହି ଗଳ୍ପଟି ବାବା ଡହରାନନ୍ଦ କଟକ ସହରର କେତେକ ଅଧ୍ୟାତ୍ମତତ୍ତ୍ୱ–ଜିଜ୍ଞାସୁ ଯୁବକଙ୍କ ଆଗରେ ବୟାନ କରିଥିଲେ । ସେତେବେଳେ ଡହରାନନ୍ଦଜୀ ତାଳଦଣ୍ଡା କେନାଲ କୂଳରେ ଅବସ୍ଥିତ ମାତୃନିବାସରେ ଅବସ୍ଥାନ କରୁଥିଲେ । ଏହି ଯୁବକମାନେ ଥିଲେ ଶ୍ରୀ ଅରବିନ୍ଦଙ୍କ ଅନୁରକ୍ତ ଏବଂ ସେମାନେ ଯୋଗ–ସାଧନାରେ ରତ ଥିଲେ । ଦିନେ ରାତିରେ ସେହି ଯୁବକମାନେ ଡହରାନନ୍ଦଙ୍କୁ ଖୁବ୍‍ ଶ୍ରଦ୍ଧାର ସହିତ କେତେକ ପ୍ରଶ୍ନ ପଚାରିଥିଲେ ।

 

ଜଣେ ଯୁବକ ପ୍ରଶ୍ନ କଲେ–ଡହରାନନ୍ଦଜୀ ! ଆଧ୍ୟାତ୍ମିକତା ଦୃଷ୍ଟିରୁ ଆପଣ ବିଚାର କରି କହନ୍ତୁ–ସଂଶୟ ଓ ସନ୍ଦେହ ମଧ୍ୟରେ ପାର୍ଥକ୍ୟ କ’ଣ ? ମୋର ଅଭିଜ୍ଞତାରୁ କହୁଛି ଯେ, ମୋର ବେଳେବେଳେ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଆସିଯାଉଛି ଓ ପୁଣି କେତେବେଳେ ବିଶ୍ୱାସ କୁଆଡ଼େ ଉଭେଇ ଯାଇ ମନରେ ନାନା ସନ୍ଦେହ ବା ସଂଶୟ ଆସୁଛି ଏବଂ ଯେତେବେଳେ ଈଶ୍ୱରଙ୍କ ପ୍ରତି ବିଶ୍ଵାସ ରହୁଛି–ସେତେବେଳେ ମଣିଷ ପ୍ରତି ଓ ସମସ୍ତଙ୍କ ପ୍ରତି ବିଶ୍ଵାସ ରହୁଛି ଏବଂ ଯେତେବେଳେ ଈଶ୍ୱରଙ୍କ ପ୍ରତି ବିଶ୍ଵାସ ତୁଟି ଯାଉଛି ସେତେବେଳେ ସମସ୍ତଙ୍କ ପ୍ରତି ମଧ୍ୟ ବିଶ୍ଵାସ ତୁଟିଯାଉଛି । ଆମେ ଗୀତାରେ ପଢ଼ିଛୁ–ସଂଶୟାତ୍ମା ବିନଶ୍ୟତି । ଯେ ସଂଶୟ କରୁଥାଏ ସେ ବିନଷ୍ଟ ହୁଏ । ତେବେ ମୋ ଭଳି ଲୋକଙ୍କ କି ଦଶା ହେବ ?

 

ଡହରାନନ୍ଦ କଥାଟିକୁ ଲଘୁ କରି ଦେଇ କହିଲେ–ଈଶ୍ୱର ଏପରି ଏକ ବସ୍ତୁ–ଯାହାଙ୍କର ଅସ୍ତିତ୍ୱକୁ ନା ପୂରା ବିଶ୍ୱାସ କରିହୁଏ, ନା ପୂରା ଅବିଶ୍ୱାସ କରିହୁଏ । ଅବଶ୍ୟ, ମୁଁ ଆମ ଭଳି ସାଧାରଣ ଲୋକଙ୍କ କଥା କହୁଛି । କାରଣ, କାହା ସହିତ ପ୍ରତ୍ୟକ୍ଷ ସଂପର୍କ ନହେଲା ପର୍ଯ୍ୟନ୍ତ ତା’ ସମ୍ବନ୍ଧେ ବିଶ୍ଵାସ ଅବିଶ୍ୱାସର କଥା କାହିଁକି ପଡ଼ିଛି ? ପ୍ରତ୍ୟକ୍ଷ ସମ୍ପର୍କ ବୋଲି ମୁଁ ସବୁକଥାକୁ ଆମର ଏହି ଆଖି ବା କାନକୁ ସାକ୍ଷ୍ୟ ରଖିବାକୁ କହୁନି । ପ୍ରତ୍ୟକ୍ଷ ଅଭିଜ୍ଞତା ଯେ କୌଣସି ଭାବରେ ଆସିପାରେ । ଯେଉଁମାନେ ଈଶ୍ୱରଙ୍କ ପ୍ରତି ଅଟଳ ବିଶ୍ଵାସ ରଖିଥାନ୍ତି–ସେମାନଙ୍କର ନିଶ୍ଚୟ ତାଙ୍କ ସହିତ କିଛି ବା ଅଧିକ ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି । ସେମାନଙ୍କ ଭିତରେ ଆଉ ସନ୍ଦେହ ବା ସଂଶୟ କାହିଁକି ଆସିବ ? ତୁମର ଈଶ୍ୱରଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତ ହୋଇଗଲା ପରେ ଏ ସମସ୍ୟା ଆଉ ରହିବ ନାହିଁ । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି–ଈଶ୍ୱରଙ୍କ ପ୍ରତି ଅବିଶ୍ୱାସ ଆସିଗଲେ ତୁମର ଅନ୍ୟମାନଙ୍କ ପ୍ରତି ଅବିଶ୍ୱାସ କାହିଁକି ଆସୁଛି ? ସନ୍ଦେହ ସଂଶୟ ବା କାହିଁକି ଆସୁଛି । ମଣିଷ ସହିତ ବା ଗୋଟିଏ କୁକୁର ସହିତ ବା ଗୋଟିଏ ନେଉଳ ସହିତ ତୁମେ କ’ଣ କେବେ ପ୍ରତ୍ୟକ୍ଷ ସମ୍ପର୍କ ରଖି ନାହିଁ ? ସେ ଯାହା ହେଉ–ମୋର ଯାହା ଧାରଣା–ବିଶ୍ୱାସ ଓ ସନ୍ଦେହ ଏହି ଦୁଇଟି ମାନସିକ ବୃତ୍ତି ଅସ୍ତିମୂଳକ । କିନ୍ତୁ ସଂଶୟ ଏକ ନାସ୍ତିମୂଳକ ଆତ୍ମଘାତୀ ନିଦାରୁଣ ମାନସିକ ବୃତ୍ତି । ଯାହାର ବିଶ୍ୱାସ ଦୃଢ଼ ଅଟଳ ହୋଇ ଯାଇଛି ତା’ କଥା ପକାଇ ଆଉ ଲାଭ ନାହିଁ । କିନ୍ତୁ ଆମ ଭଳି ଲୋକଙ୍କର ସନ୍ଦେହ ରହିବା ସ୍ୱାଭାବିକ–କେତେକ ସ୍ଥଳେ ଉଚିତ ମଧ୍ୟ । ଉଦାହରଣ ସ୍ୱରୂପ–ତୁମେ ମୋତେ ମର୍ଡ଼ର କରିବ ନାହିଁ–ଏ ସମ୍ବନ୍ଧେ ମୁଁ ନିଃସନ୍ଦେହ । କିନ୍ତୁ ତୁମେ ମୋତେ ବର୍ତ୍ତମାନ ପାଞ୍ଚଶହ ଟଙ୍କା ଧାର ଦେଇ ପାରିବ କି ନାହିଁ ଏଥିରେ ମୋର ସନ୍ଦେହ ଅଛି । ତୁମେ ଥରେ ମତେ ବିଶ୍ଵାସ କରି ଧାର ଦେଇଦେଲେ–ମୋର ଏହି ବିଷୟଟି ଉପରେ ସନ୍ଦେହ ତୁଟିଯିବ । କିନ୍ତୁ ଥରେ ବା ଦୁଇଥର ମୁଁ ଏ ସମ୍ବନ୍ଧେ ତୁମଠାରୁ ପ୍ରମାଣ ପାଇ ସାରିବା ପରେ ବି ଯଦି ମୋର ତୁମକୁ ତଥାପି ବିଶ୍ୱାସ ହେଉ ନ ଥାଏ–ତଥାପି ଯଦି ମୁଁ ଭାବୁଥାଏ ଯେ ଦୁଇଥର ସିନା ଦେଲ,ତୃତୀୟ ଥର ନ ଦେଇ ପାର–ତେବେ ତୁମର ଚରିତ୍ର ଉପରେ ମୋର ସଂଶୟ ରହିଛି । ଏହି ସଂଶୟ ମନୋଭାବ ବଡ଼ ହୀନ ମନୋଭାବ ଏବଂ ସ୍ଥଳ ବିଶେଷରେ ଏହା ସାଂଘାତିକ କୁଫଳ ଓ ବିପଦ ଡାକିଆଣେ ।

 

ସଂଶୟୀ ସ୍ୱାମୀମାନଙ୍କ ଯୋଗୁଁ ସତୀ ସ୍ତ୍ରୀମାନେ ଆତ୍ମହତ୍ୟା କରନ୍ତି ଓ ସ୍ତ୍ରୀ ଆତ୍ମହତ୍ୟା କଲା ପରେ ସଂଶୟୀ ଲୋକଟି ନିଜେ ପାଗଳ ହୋଇ ବିନଷ୍ଟ ହୁଏ । ସଂଶୟୀ ସ୍ତ୍ରୀଟିଏ ଯୋଗୁଁ ବହୁ ସତ୍‍ ଚରିତ୍ର ଉଦାରହୃଦୟ ପ୍ରେମିକ ସ୍ୱାମୀ ସାରାଜୀବନ ମାନସିକ ଯନ୍ତ୍ରଣାର ନିଆଁ ଘେରରେ ପଡ଼ି ଛଟପଟ ହୋଇ ମରନ୍ତି । ସନ୍ଦେହ ନିର୍ମଳ ବ୍ୟାପାର । ଥରେ ପ୍ରମାଣ ପାଇଗଲେ ତାହା ଚାଲିଯାଏ-। ମାତ୍ର ସଂଶୟ ତୁମକୁ ଶୂନ୍ୟରେ ଝୁଲାଇ ରଖି ଛଟପଟ କରି ମାରେ । ତାହା ପ୍ରମାଣକୁ ବିଶ୍ଵାସ କରେ ନାହିଁ–କି ଅପ୍ରମାଣକୁ ବି ଗ୍ରହଣ କରେ ନାହିଁ । ସନ୍ଦେହ ପ୍ରଥମେ କବାଟ ବନ୍ଦ କରିଦିଏ-। ପ୍ରମାଣ ପାଇଗଲେ କବାଟ ଖୋଲି ଦିଏ–ଘର ଭିତରକୁ ଛାଡ଼ିଦିଏ । ମାତ୍ର ସଂଶୟ କବାଟ ଖୋଲେ ନାହିଁ–କି ବନ୍ଦ କରେ ନାହିଁ । କାରଣ, ସେ ନିଜେ କବାଟ ଆଗରେ ଠିଆ ହୋଇଥାଏ-। ସନ୍ଦେହୀର ମନ ନିର୍ମଳ, ଭଦ୍ର ଆଉ ବିନୀତ । ମାତ୍ର ସଂଶୟୀର ମନ ଭିତରେ ନାନା ମଇଳା ଥାଏ-। ସଂଶୟୀ ଅଭଦ୍ର, ଅଶ୍ଳୀଳ, ହିଂସ୍ର ଓ ଈର୍ଷୁକ । ଏ ସମ୍ବନ୍ଧେ ମୁଁ ତୁମମାନଙ୍କୁ ଗୋଟିଏ ଗଳ୍ପ କହୁଛି ଶୁଣ-

 

ଥରେ ଜଙ୍ଗଲ ବିଭାଗର ଜଣେ ପଦସ୍ଥ ଯୁବକ କର୍ମଚାରୀ ବଣରୁ ମାଈ ବାଘ–ଛୁଆଟିଏ ପାଇ ତାକୁ ଘରକୁ ଆଣି ସ୍ନେହ ଆଦରରେ ପାଳିଲେ ଏବଂ ତା’ ପ୍ରତିତାଙ୍କର ସ୍ନେହ ଏତେ ବଢ଼ିଗଲା ଯେ–ସେହି ବାଘ ଛୁଆଟି ତାଙ୍କ ପାଖରେ ଥାଏ । ସବୁବେଳେ ତାଙ୍କ ସହିତ ବୁଲୁଥାଏ, ଖେଳୁଥାଏ ଓ ରାତିରେ ତାଙ୍କ ପାଖରେ ଏକାଶେଯରେ ଶୁଏ । ଯୁବ କର୍ମଚାରୀଟି ସେହି ବାଘ ଛୁଆଟିକୁ ପାଳିବା ସଙ୍ଗେ ସଙ୍ଗେ ତା’ର ଚରିତ୍ର ବ୍ୟବହାର ଆଦିକୁ ମଧ୍ୟ ଷ୍ଟଡ଼ି କରୁଥାନ୍ତି ଓ ରେକର୍ଡ଼ କରୁଥାନ୍ତି । କ୍ରମେ ସେଇଟି ଦୁଇବର୍ଷ ଭିତରେ ଖାଇପିଇ ବଢ଼ିଗଲା ଓ ବିରାଟ ବାଘୁଣୀଟିଏ ହୋଇଗଲା । ତଥାପି ତା’ର ବ୍ୟବହାର ଯୁବକର୍ମଚାରୀଙ୍କ ସହିତ ସମାନ ଥିଲା ଏବଂ ତାଙ୍କ ସହିତ ରାତିରେ ଏକା ବିଛଣାରେ ମଧ୍ୟ ଶୋଉଥିଲା । ବେଳେବେଳେ ଯୁବ କର୍ମଚାରୀଟି ବାଘୁଣୀକୁ କୁଣ୍ଢାଇ ଧରି ଶୁଏ । ବାଘୁଣୀଟି ମଧ୍ୟ କର୍ମଚାରୀଙ୍କର ପାଦକୁ ଚାଟେ ଓ ବେଳେବେଳେ ସକାଳେ ସେଇ ଶେଯ ଉପରେ ତାଙ୍କର ବେକ ଓ ମୁହଁ ପାଖେ ମୁହଁ ଲଗାଇ ସୁଡ଼ୁସୁଡ଼ୁ ଖାଏ ।

 

ଇତିମଧ୍ୟରେ ସେହି ଯୁବକର୍ମଚାରୀଙ୍କର ମାଆ ଦିନେ ପୁଅ ପାଖକୁ ଆସିଲେ । ଗ୍ରାମରେ ଥିଲାବେଳେ ସେ ପୁଅ ଓ ତା’ର ବାଘୁଣୀ ସହି ସମ୍ପର୍କ କଥା ଶୁଣି ଖୁବ୍‍ ଭୟଭୀତ ହୋଇ ଯାଇଥିଲେ ଏବଂ ତାଙ୍କ ମନରେ ନାନା ସନ୍ଦେହ, ସଂଶୟ ଓ ଆଶଙ୍କା ହେଉଥିଲା । ସେ ସବୁଦିନେ ଆଶଙ୍କା କରୁଥିଲେ ଯେ–ଏହି ଜୀବହନ୍ତା ବାଘୁଣୀ ନିଶ୍ଚେ ଦିନେ ନା ଦିନେ ତାଙ୍କ ପୁଅକୁ ଖାଇଦେବ-। ତେଣୁ ସେ ସବୁଦିନ ପୁଅକୁ କହୁଥାନ୍ତି, ସେ ଯେପରି ବଣର ବାଘୁଣୀଟାକୁ ବଣରେ ଛାଡ଼ିଦେଇ ଆସୁ । ପୁଅ କିନ୍ତୁ ମାଆ କଥାରେ ଠୋ ଠୋ କରି ହସେ ଓ ବାଘୁଣୀକୁ ଛାଡ଼ି ଦେଲେ ଉଭୟେ ଉଭୟଙ୍କୁ ଝୁରି ଝୁରି ମରିଯିବେ ବୋଲି କହେ । ମାତ୍ର ମା କିଛି ଶୁଣେନା । ତେବେ ପୁଅର ବସାରେ ଆସି ମାଆ ରହିଲା ଦିନୁଁ–କ୍ରମେ ମା ଲକ୍ଷ୍ୟ କଲା ଯେ, ଏଇ ପୋଷା ବାଘୁଣୀଟା ଯଦିଓ ଏତେବଡ଼ ଆକୃତି ହୋଇଛି–କିନ୍ତୁ ଗୋଟାଏ ପୋଷା ବିଲେଇ ଭଳି ନିରୀହା । ପୁଅ ତ ପୁଅ ସେ ସାରାଘର ଦିନ ରାତି ବିଲେଇଟିଏ ଭଳି ବୁଲୁଥିଲେ ବି ଆଉ କୋଉ ମଣିଷକୁ ତ ଆକ୍ରମଣ କରେ ନାହିଁ–ଏପରି କି ଗୋଟାଏ ବିଲେଇ କୁକୁରକୁ ବି ହିଂସା କରେ ନାହିଁ । ବରଂ ବିଲେଇ କୁକୁରମାନେ ତା’ ସହିତ ଖେଳୁଥାନ୍ତି ଓ ସେ ଶୋଇ ଥିଲାବେଳେ ତା’ ଉପରେ ବସି କୁଦୁଥାନ୍ତି ।

 

ଏତେ କଥା ଦେଖି ମଧ୍ୟ ମାର ମନରୁ ସେହି ବାଘୁଣୀ ପ୍ରତି ପୁରା ବିଶ୍ୱାସ ଆସୁ ନ ଥାଏ ଏବଂ ସେ ତାକୁ ନେଇ ସବୁବେଳେ ନାନାଦି ଆଶଙ୍କା କରୁଥାଏ ।

 

ଦିନେ ପୁଅ କହିଲା–ମା ! ତୁ ଆଜି ମୋ କୋଠରୀରେ ଶୁଅ । ମାକୁ ଡର ଲାଗୁଥିଲେ ବି ପୁଅ କଥାରେ ହଁ ଭରିଲା ଓ ପୁଅର କୋଠରୀ ଭିତରେ ଆଉ ଗୋଟିଏ ଖଟରେ ଶୋଇଲା । ଏଣେ ପୁଅ ବାଘୁଣୀକୁ ଧରି ତା’ ଖଟରେ ଶୋଇଲା । କିଛି ସମୟ ପରେ ପୁଅ ଓ ବାଘୁଣୀ ଦୁହେଁ କୁଣ୍ଢିଆ କୁଣ୍ଢି ହୋଇ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ଓ ଘୁଙ୍ଗୁଡ଼ି ମାରିଲେ । ଶୀତଦିନର ଦୀର୍ଘରାତ୍ରି । ମାତ୍ର ମାଆକୁ ତା’ ଶେଯ ଭିତରେ ଜମା ନିଦ ହେଉ ନ ଥାଏ । ତା’ ଛାତି ଡରରେ ଧଡ଼ପଡ଼ ହେଉଥାଏ । ତା’ ଦେହ ମୁଣ୍ଡ ଝାଳେଇ ଯାଉଥାଏ । ସେ ଟିକିଏ ଶେଯରୁ ମୁହଁ କାଢ଼ି ପୁଅ ଖଟ ଆଡ଼େ ଚାହିଁ ଦେଉଥାଏ ଓ ସଙ୍ଗେ ସଙ୍ଗେ ଘୋର ଭୟରେ ପୁଣି ଶେଯରେ ମୁହଁ ଘୋଡ଼ାଇ ପକାଉଥାଏ । କ୍ରମେ ରାତି ପାହି ଆସିଲା । ସେହି ବାଘୁଣୀଟିର ଗୋଟିଏ ସବୁଦିନିଆ ଅଭ୍ୟାସ ଥିଲା ଯେ–ରାତି ପାହିବା ମାତ୍ରେ ସେ ତା’ର ମୁନିବର ବେକ ଓ ମୁହଁ ପାଖେ ତା’ ମୁହଁ ଲଗାଇ ସୁଡ଼ୁସୁଡ଼ୁ ଖାଇବ ଓ ତାକୁ ନିଦରୁ ଉଠାଇବ । ସକାଳ ହେବା ଆରମ୍ଭ ହେବା ମାତ୍ରେ ବାଘୁଣୀଟି ତା’ର ନିତିଦିନିଆ ଅଭ୍ୟାସ ଅନୁଯାୟୀ ତା’ ମୁନିବର ବେକ ପାଖେ ତା’ ମୁହଁ ଲଗାଇ ସୁଡ଼ୁ ସୁଡ଼ୁ ଖାଇବାକୁ ଆରମ୍ଭ କଲା । ଠିକ୍‍ ଏତିକିବେଳେ ମା କ’ଣ କଲା ନା ଶେଯରୁ ତା’ ମୁହଁ କାଢ଼ି ଏ ଦୃଶ୍ୟଟିକୁ ଦେଖିଦେଲା । ଏହି ଅଭାବିତ ଦୃଶ୍ୟ ଦେଖିବା ମାତ୍ରେ ମା ଭୟରେ ଆଉ ଆତଙ୍କରେ ଅତର୍ଚ୍ଛ ହୋଇଗଲା ଏବଂ ହଠାତ୍‍ ତା ପାଟିରୁ ଚିତ୍କାରଟିଏ ବାହାରିଗଲା–ଆଲୋ ମୋ ପୁଅକୁ ଖାଇଗଲା ଲୋ !! ଏତିକି କହି ସେ ଉନ୍ମତ୍ତ ଭଳି ତା’ ପୁଅ ଖଟ ପାଖକୁ ଦୌଡ଼ିଗଲା ଏବଂ ବାଘୁଣୀକୁ ଧରି ପକାଇଲା ।

 

ମା ଯେମିତି ଚିତ୍କାର କରି ଦୌଡ଼ିଯାଇ ସେ ବାଘୁଣୀକୁ ଧରି ପକାଇଛି–ସେମିତି ବାଘୁଣୀଟି ମଧ୍ୟ ଏହି ଅଭାବିତ କାଣ୍ଡରେ ହଠାତ୍‍ ଚମକି ପଡ଼ିଲା ଓ ତ୍ରସ୍ତ ବିବ୍ରତ ହୋଇ ମାକୁ ଖଟ ତଳକୁ ଠେଲିଦେଲା ଓ ଏକା ଲମ୍ଫକେ ମାଆ ଉପରେ ମାଡ଼ି ବସିଲା ଏବଂ ତା’ ବେକକୁ କାମୁଡ଼ି ଧରିଲା । ଏତିକିରେ ମା ଚିତ୍କାର କରି ଉଠନ୍ତେ–ପୁଅର ନିଦ ଭାଜିଗଲା ଓ ସେ ବାଘୁଣୀକୁ ମା ଉପରୁ ଉଠାଇ ନେଲା । ମା ଅବଶ୍ୟ ସେଥର ଲାଗି ବଞ୍ଚିଗଲା–ମାତ୍ର ତା’ର ବେକ ଓ ମୁହଁ ରକ୍ତାକ୍ତ ହୋଇଗଲା ।...

 

ଡହରାନନ୍ଦ କଥାଟିକୁ ଏଇଠାରେ ସମାପ୍ତ କରି ଯୁବକମାନଙ୍କୁ କହିଲେ–ଏବେ ବୁଝିଲତ-? ବାଘୁଣୀଟି ପ୍ରତି ମା ମନରେ ଯେଉଁ ସଂଶୟ, ଅବିଶ୍ୱାସ, ଆଶଙ୍କା, ଈର୍ଷା ଓ ହିଂସା ସଞ୍ଚିତ ହୋଇଥିଲା–ତାହା ଗୋଟିଏ ମାତ୍ର ସକ୍ରିୟ ମୁହୂର୍ତ୍ତରେ ସେହି ସରଳ ସହଜ ଅହିଂସ୍ର ଓ ବିଶ୍ୱାସ ବାଘୁଣୀଟିର ଚେତନା ଭିତରକୁ ସଞ୍ଚରିଗଲା । ତା’ ଫଳରେ ଏଇ ଅଘଟଣଟି ଘଟିଗଲା ।

☆☆☆

 

ଘରଚଟିଆର ଆଶା ଓ ଦୁଃରାଶା

 

ଥରେ ବାବା ଡହରାନନ୍ଦ ଖୋର୍ଦ୍ଧା ଯାଇଥିଲେ ଏବଂ ତାଙ୍କ ସାନଝିଅ ଘରେ ରହିଥିଲେ । ତାଙ୍କର ସାନ ଝିଅ ଥିଲା ସ୍ଥାନୀୟ କଲେଜର ଜଣେ ଅର୍ଥନୀତି ବିଭାଗର ଅଧ୍ୟାପିକା । ସେଠାରେ ସେ ପ୍ରାୟ ତିନିଦିନ ରହିଥିଲେ । ସେହି ଅବସରରେ ଖବର ପାଇ ଖୋର୍ଦ୍ଧାର କେତେକ ଯୁବକ ତାଙ୍କ ପାଖକୁ ପ୍ରତିଦିନ ଅପରାହ୍ନରେ ଆଳାପ ଆଲୋଚନା ପାଇଁ ଆସୁଥିଲେ । ଡହରାନନ୍ଦ ଲକ୍ଷ୍ୟ କଲେ ଯେ ଖୋର୍ଦ୍ଧାବାସୀ ସେହି ଯୁବକମାନେ ସ୍ୱାସ୍ଥ୍ୟରେ ଖୁବ୍‍ ଦୁର୍ବଳ ଓ ପ୍ରାଣଶକ୍ତିରେ ମଧ୍ୟ ଖୁବ୍‍ ମ୍ରିୟମାଣ ହୋଇ ପଡ଼ିଛନ୍ତି । ସେମାନଙ୍କ ଭିତରେ ଦୁଇଜଣ କଲେଜ ଛାତ୍ର ମଧ୍ୟ ଥିଲେ । ସେମାନଙ୍କର କାହାରି ମନରେ କୌଣସି ଉତ୍ସାହ ନ ଥିଲା । କୌଣସି ଉଚ୍ଚାକାଂକ୍ଷା ମଧ୍ୟ ନ ଥିଲା । ସେମାନେ ସବୁ କଥାରେ ନୈରାଶ୍ୟଭାବ ଦେଖାଉଥିଲେ ଏବଂ କହୁଥିଲେ ଯେ ସେମାନଙ୍କ ଦିହାତି ଆଉ କିଛି ହୋଇପାରିବ ନାହିଁ ।

 

ଡହରାନନ୍ଦ ସେହି ଯୁବକମାନଙ୍କର ଏଭଳି ଶୋଚନୀୟ ଅବସ୍ଥା ଦେଖି ସେମାନଙ୍କୁ ଖୋର୍ଦ୍ଧାର ଅତୀତ ଯୁଗର ବୀର ପାଇକମାନଙ୍କ ସମ୍ବନ୍ଧରେ କହିଲେ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ, ବିଦ୍ରୋହ ଓ ଆତ୍ମଦାନ କଥା କହିଲେ । ଏସବୁ ଶୁଣିସାରି ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଆପଣଙ୍କ କଥା ଶୁଣିବାକୁ ଖୁବ୍‍ ଭଲ ଲାଗୁଛି । କିନ୍ତୁ ତଥାପି ଆମେ କାହିଁକି ଯେ ଆମ ଭିତରେ କିଛି ଉତ୍ସାହ କି ପ୍ରେରଣା ଅନୁଭବ କରିପାରୁ ନାହୁଁ–ତା’ର କାରଣ ଆମେ ଜାଣିପାରୁନୁ । ଆମଠାରେ ପ୍ରକୃତରେ କ’ଣ ଅଭାବ ରହିଯାଇଛି ବୋଲି ଆପଣ ଭାବୁଛନ୍ତି-?

 

ଡହରାନନ୍ଦ କହିଲେ–ସେପରି ବୁଝିଲେ କୌଣସି ଶାରୀରିକ ବା ଅର୍ଥନୈତିକ ବା ଏପରି କି କୌଣସି ନୈତିକ କାରଣ ମଧ୍ୟ ମୁଁ ଲକ୍ଷ୍ୟ କରିପାରୁନାହିଁ । ତେବେ ମୋର ଯାହା ଆଶଙ୍କା ହେଉଛି–ଏହାର କାରଣ ନିଶ୍ଚୟ ଆଧ୍ୟାତ୍ମିକ ।

 

ଜଣେ ଯୁବକ କହିଲେ–ଆଜ୍ଞା ! ଦୟାକରି କୌଣସି ଧାର୍ମିକ ବା ଆଧ୍ୟାତ୍ମିକ ଜାଲ ଭିତରେ ଆମକୁ ପୁରାନ୍ତୁ ନାହିଁ । ଆମକୁ ଆଉ ଏ ସଂସାର କି ଏ ସମାଜ କି ଏ ଦେଶ ଏପରିକି ଏ ପରିବାର କିଛି ଭଲ ଲାଗୁନାହିଁ । ସତେକି, ଆମର ହୋଇ କେହି ଏଠି ନାହିଁ । ସତେକି ଆମକୁ ଏଠି କେହି ଭଲପାନ୍ତି ନାହିଁ ! ବାପା ମାଆ ବି ନୁହଁ । ତେଣୁ ଆମର ଆମ ଉପରେ ଆଉ ଆସ୍ଥା କି ବିଶ୍ୱାସ ରହୁନାହିଁ ।

 

ଏହାଶୁଣି ଡହରାନନ୍ଦ କହିଲେ–ତୁମେ ଠିକ୍‍ କଥା କହୁଛ ଏବଂ ଏହା ହିଁ ଆଧ୍ୟାତ୍ମିକ କଥା-। ଆଧ୍ୟାତ୍ମିକ କଥା ବୋଇଲେ ତୁମେ ଭଗବାନ ପୂଜା, ଉପାସନା, ନୀତି ଆଦି କଥା ଭାବନାହିଁ-। କୋଉ ସମସ୍ୟାର ଗଭୀରତମ କାରଣଟି ହିଁ ହେଲା ଆଧ୍ୟାତ୍ମିକ କାରଣ । ଏବେ ଶୁଣ-! ତୁମେମାନେ ଯାହା ଭାବୁଛ–କଥାଟା ଅବଶ୍ୟ ଗୋଟିଏ ଦିଗରୁ ସତ୍ୟ । କିନ୍ତୁ ପୁରା ସତ ନୁହେଁ-। ତୁମେ ଯେତେବେଳେ ଅଭିଯୋଗ କରୁଛ ଯେ ତୁମକୁ କେହି ଭଲପାନ୍ତି ନାହିଁ–ସେତେବେଳେ ତୁମକୁ ବି ଜଣେ ପଚାରିପାରେ–ତୁମେ କାହାକୁ ଭଲ ପାଅ କି ନାହିଁ ! ଏ କଥା ନିଶ୍ଚୟ ଜାଣିଥାଅ ଯେ, ‘ମୋତେ କେହି ଭଲ ପାନ୍ତି ନାହିଁ–ମୋତେ କେହି ଖାତିର କରନ୍ତି ନାହିଁ’–ବୋଲି ଅଭିଯୋଗ କରୁଥିବା ଲୋକଟି ନିଜେ କାହାକୁ ଭଲ ପାଏ ନାହିଁ କି ନିଜେ କାହାକୁ ଖାତିର କରେ ନାହିଁ ଏବଂ ସବୁବେଳେ ନିଜ ଭିତରେ ଏହି ଭଲପାଇବା ଆଉ ଖାତିର କରିବା କଥାକୁ ନେଇ ପୋଡ଼ି ମରୁଥାଏ-। ତୁମେ ଯଦି ସତକୁ ସତ ତୁମ ନିଜ ଆଡ଼ୁ ସମସ୍ତଙ୍କୁ ଭଲ ପାଇବା ଆଉ ଖାତିର କରିବା ଆରମ୍ଭ କରି ଦିଅନ୍ତି–ତେବେ ତୁମ ଜୀବନର ଧାରା ବଦଳିଯାନ୍ତା । ତୁମ ଭିତରେ ନୂତନ ଉତ୍ସାହ ଆଉ ପ୍ରାଣଶକ୍ତି ଫେରି ଆସନ୍ତା ।

 

ଏହା ଶୁଣି ଯୁବକଜଣକ ପଚାରିଲେ–ଆମ ଭିତରେ ତେବେ କାହିଁକି ଭଲ ପାଇବାର ନିଶା ଆସୁନାହିଁ ? କାହିଁକି ଆମେ କାହାକୁ ଭଲ ପାଇ ପାରୁନାହୁଁ–କି କାହାକୁ ଖାତିର୍‍ କରିପାରୁ ନାହୁଁ ?

 

ଡହରାନନ୍ଦ କହିଲେ–ତା’ର ମୂଳ କାରଣ ହେଲା–ତୁମେ ଭଲ ପାଇବାକୁ ଡରୁଛ । କାହାକୁ ଭଲ ପାଇଲେ ତାକୁ ଖାତିର କରିବାକୁ ହୁଏ–ତା’ର ଦାୟିତ୍ଵ ମଧ୍ୟ ନେବାକୁ ହୁଏ । ମାତ୍ର ତୁମେମାନେ କାହାର ଦାୟିତ୍ୱ ନେବାକୁ ଚାହୁଁନ । କାହାର ଓଜନ ବୋହିବାକୁ ଚାହୁଁନ । ସବୁବେଳେ ସୁଖୀ ଆଉ ନିରାପଦରେ ରହିବାକୁ ଚାହୁଁଚ । କାହାକୁ ଭଲ ପାଇବାକୁ ଆରମ୍ଭ କଲେ–ସେ ବାପାମାଆ ଭାଇ ବନ୍ଧୁ ହୁଅନ୍ତୁ କି କେହି ବାଳିକା ବନ୍ଧୁ ହୁଅନ୍ତୁ–ବା ଦେଶ କି ଭଗବାନ ହୁଅନ୍ତୁ–ଯାହାକୁ ହେଲେ ଭଲ ପାଇବା ମାତ୍ରେ ତୁମର ସାହସ ବଢ଼ିଯିବ–ଉତ୍ସାହ ବଢ଼ିଯିବ ଓ ତୁମର ବ୍ୟକ୍ତିତ୍ୱର ମଧ୍ୟ ବିସ୍ତାର ବଢ଼ିଯିବ । ଆଉ ଏପରି ମ୍ରିୟମାଣ ଦେଖାଯିବ ନାହିଁ । ଏ ସମ୍ପର୍କରେ ଗପଟିଏ କହୁଛି ଶୁଣ–

 

ଥରେ ଗୋଟିଏ ଜେଲଖାନାର କୋଠରୀ ଭିତରେ ସ୍କାଇଲାଇଟରେ ଘରଚଟିଆ ଚଢ଼େଇ ଦମ୍ପତିଟିଏ ବସାକରି ବହୁବର୍ଷ ଧରି ରହିଥିଲେ । ସେମାନଙ୍କର ବହୁତ ଛୁଆ ହେଲେ ଏବଂ ସେମାନେ ମଧ୍ୟ ବଡ଼ ହୋଇ ସେହି କୋଠରୀଟି ଭିତରେ ଯେତେ ଠଣା ଓ ଖୋପଥିଲା ସେଥିରେ ବସା କରି ରହିଲେ ଓ ଛୁଆ ଜନ୍ମ କଲେ । ପୁରୁଷାନୁକ୍ରମେ ସେହି କୋଠରୀ ଭିତରେ ଘରଚଟିଆମାନେ ବଡ଼ ନିରାପଦରେ ଓ ସୁଖରେ ଥାନ୍ତି । ମଧ୍ୟେ ମଧ୍ୟେ ଟିକିଏ କୋଠରୀ ବାହାରକୁ ଉଡ଼ିଯାନ୍ତି ଓ କୋଠରୀ ସଂଲଗ୍ନ ବାରଣ୍ଡା ବା ଲନରେ ବୁଲି କିଛି ପୋକଜୋକ ବା ଶସ୍ୟକଣା ସଂଗ୍ରହ କରି ଖାନ୍ତି ଏବଂ ଟିକିଏ ବର୍ଷା ବା ଟିକିଏ ପବନ ବା ଟିକିଏ କୁଆଡ଼ୁ ଆପଦ ବିପଦର ଆଶଙ୍କା ପାଇଲା ମାତ୍ରେ ସେମାନେ ଫୁର୍‌କିନା ସେହି କୋଠରୀ ଭିତରକୁ ଉଡ଼ିଯାନ୍ତି । ତିନିପୁରୁଷ ଧରି ସେହି ଘର ଚଟିଆମାନେ ଜେଲଖାନାର ଭିତର ହତା ଛାଡ଼ି ଆଉ କୁଆଡ଼େ ଯାଇନାହାନ୍ତି କି ଆଉ କିଛି ଦେଖିନାହାନ୍ତି । ଦିନେ ସେମାନଙ୍କ ଭିତରୁ ଗୋଟିଏ ତରୁଣ ଘରଚଟିଆ ହତା ପାଚେରୀ ଭିତରେ ବସିଛି–ଗୋଟିଏ ସୁନ୍ଦର ସବୁଜ ବର୍ଣ୍ଣର ଶୁଆ ଆସି ତା’ ପାଖେ ବସିଲା । ତା’ର ଥଣ୍ଟଥିଲା ନାଲି–ଆଉ ତା’ର ବେକରେ ନାଲି ପଟିଟିଏ ଥିଲା । ତାକୁ ଦେଖି ଚଟିଆ ଖୁବ୍‍ ଖୁସି ହୋଇ ପଚାରିଲା–ତୁମେ ଏଡ଼େ ସୁନ୍ଦର କିପରି ହୋଇଛି ? ତୁମ ପାଖେ ବସିବାକୁ ମତେ ଲାଜ ଲାଗୁଛି । ମୁଁ କେଡ଼େ ଛୋଟ । କେଡ଼େ ଧୂସର ! ଆଉ କେଡ଼େ କୁତ୍ସିତ ତୁମ ତୁଳନାରେ ?

 

ଶୁଆ କହିଲା–ଏହା ଖୁବ୍‍ ସ୍ୱାଭାବିକ । ତୁମେ ଚଟିଆମାନେ ଭାରି ଭୀରୁ ଆଉ ନିରାପଦ ସୁଖରେ ସର୍ବଦା ରହିବାକୁ ଚାହଁ । ସେଥିପାଇଁ ଜେଲଖାନାର ଗୋଟିଏ କୋଠରୀ ଭିତରେ ତୁମର ତିନିପୁରୁଷ କଟିଗଲାଣି । ଆମେ ଶୁଆମାନେ କିନ୍ତୁ ସାରା ଆକାଶ ଆଉ ପୃଥିବୀ ଯାକ ଉଡ଼ି ବୁଲୁଥାଉ । ବିଚିତ୍ର ଜିନିଷ ସବୁ ଖାଉ । ବର୍ଷା ଦିନେ ସବୁଜ ଧାନ କ୍ଷେତରେ ବୁଲୁ ଏବଂ ଧାନଗଛମାନେ ଏଡ଼େ ସୁନ୍ଦର ସବୁଜ ରଙ୍ଗରେ ଆମ ଦେହକୁ ରଞ୍ଜାଇଥାନ୍ତି । ଶୀତଦିନେ ବଣରେ ବହୁତ ଲାଲ ଲାଲ କୋଳି ଫଳେ । ସେହି ମିଠା ଲାଲବର୍ଣ୍ଣର କୋଳି ଓ ଫଳ ସବୁ ଖାଇ ଆମର ଥଣ୍ଟ ଏମିତି ଲାଲ ହୋଇଛି । ଆମେ ପୁଣି ଆକାଶର ଏ ମୁଣ୍ଡ ସେ ମୁଣ୍ଡ ଯାଏ ଉଡ଼ି ବୁଲୁଥାଉ । ଆମେ ପୃଥିବୀର ବାର୍ତ୍ତା ଆକାଶକୁ ଦେଉ ଓ ଆକାଶର ବାର୍ତ୍ତା ଆଣି ପୃଥିବୀରେ ପହୁଞ୍ଚାଉ । ସେଥିପାଇଁ ଆକାଶର ସୂର୍ଯ୍ୟ ଆମ ବେକରେ ଏଇ ଲାଲରଙ୍ଗର ପଟିଟି ଖୁସି ହୋଇ ବାନ୍ଧି ଦେଇଛନ୍ତି । ତୁମେ ଘର ଚଟିଆମାନେ ଆମର ଏଇ ସୌଭାଗ୍ୟ କିପରି ପାଇବ ? ତୁମେ ତ ପୃଥିବୀ ଆଉ ଆକାଶର ବିସ୍ତାର ଦେଖି ଡରୁଥାଅ ।

 

ଏହା ଶୁଣି ଘରଚଟିଆଟି କହିଲା–ବଡ଼ଭାଇ ! ଆଜିଠାରୁ ମୁଁ ତୁମ ସାଙ୍ଗ ହେଲି । ଅନେକ ଦିନରୁ ମୋତେ ଏ ଜେଲଖାନାର ନିରାପଦ ସୁଖ ଜୀବନ ବଡ଼ ଚିଟା ଲାଗିଲାଣି । ମୁଁ ମଧ୍ୟ ବହୁବେଳେ ଏ ଜୀବନ ପ୍ରତି ଅଣନିଃଶ୍ଵାସୀ ହୋଇଯାଏ । ମୁଁ ଆଉ ଏଠି ଦଣ୍ଡେ ମାତ୍ର ରହିବାକୁ ଚାହେଁ ନାହିଁ । ମୋତେ ତୁମର ସାଥି କର । ମୁଁ ତୁମ ସହିତ ଏହି ବିରାଟ ପୃଥିବୀ ଆଉ ଆକାଶ ସାରା ଉଡ଼ିବୁଲିବି ଏବଂ ତୁମେ ଯାହାସବୁ ଅର୍ଜନ କରିଛ ତାହା ଅର୍ଜନ କରିବି ।

 

ଶୁଆଟି ଘରଚଟିଆର ପ୍ରସ୍ତାବକୁ ସମ୍ମତି ଜଣାଇଲା ଓ ଘରଚଟିଆ ସହ ପ୍ରଥମେ ଗୋଟିଏ ପାହାଡ଼ ଆଡ଼କୁ ଉଡ଼ି ଚାଲିଲା । ପାହାଡ଼ଟି ବହୁଦୂରରେ ଥିଲା । କିଛି ବାଟ ଉଡ଼ିଲା ପରେ ଘରଚଟିଆର ଡେଣା ଘୋଳି ହୋଇ ପଡ଼ିଲା । ସେ ଶୁଆକୁ କହିଲା ବଡ଼ଭାଇ ! ଆଉ ମୁଁ ଉଡ଼ିପାରୁ ନାହିଁ । ବର୍ତ୍ତମାନ ପାଇଁ ଆମେ ପାହାଡ଼କୁ ଯିବା ସ୍ଥଗିତ ରହୁ । ଏହା ଶୁଣି ଶୁଆ କହିଲା–ଠିକ୍‍ ଅଛି । ତା’ ହେଲେ ବର୍ତ୍ତମାନ ଚାଲ ସେହି ଉଦ୍ୟାନ ଆଡ଼େ ଯିବା । ସେଠାରେ ବହୁତ ମଧୁର ଓ ଲାଲରଙ୍ଗର କୋଳି ଓ ଫଳ ଅଛି ମନଭରି ଖାଇବା ।

 

ଏହା ପରେ ସେମାନେ ସେହି ଉଦ୍ୟାନ ଆଡ଼େ ଉଡ଼ି ଚାଲିଲେ ଓ କିଛିକ୍ଷଣ ସେହି ଦିଗରେ ଉଡ଼ିଲା ପରେ ଘରଚଟିଆଟି ପୁଣି ଖୁବ୍‍ କ୍ଳାନ୍ତ ହୋଇ ପଡ଼ିଲା । କାରଣ ତା’ର ସମ୍ମୁଖଭାଗରୁ ଖୁବ୍‍ ଜୋର୍‌ରେ ପ୍ରତିକୂଳ ପବନ ବହୁଥିଲା । ଘରଚଟିଆ ପୁନଶ୍ଚ ଶୁଆକୁ କହିଲା–ବଡ଼ଭାଇ ! ଏହି ପ୍ରତିକୂଳ ପବନରେ ମୋ ପକ୍ଷରେ ଉଡ଼ିବା ଆଉ ସମ୍ଭବ ନୁହଁ । ଚାଲ ଆମେ ଏହିଠାରୁ ପୁଣି ଆମର ବସା ଆଡ଼କୁ ଫେରିଯିବା । ଏହାଶୁଣି ଶୁଆ କହିଲା ଆରେ ଚଟିଆ ! ଆମେ ଯେତେବେଳେ ପାହାଡ଼ ଆଡ଼କୁ ଉଡ଼ିଯାଉଥିଲେ ସେତେବେଳେ ଅନୁକୂଳ ପବନ ବହୁଥିଲା । ମାତ୍ର ତଥାପି ତୁ ମଝିରେ ସାହସ ହରାଇ କ୍ଳାନ୍ତ ହୋଇ ପଡ଼ିଲୁ । ଏବେ ଉଦ୍ୟାନ ଆଡ଼କୁ ଯିବାରେ ପ୍ରତିକୂଳ ପବନକୁ ମଧ୍ୟ ତୁ ସମ୍ମୁଖୀନ ହୋଇ ପାରୁନାହୁଁ । ତେଣୁ ତୋ’ ପକ୍ଷରେ ସେହି ଜେଲଖାନାର ପାଚେରୀ ଘେରା ନିରାପଦ ଜୀବନ ହିଁ ଭଲ । କିନ୍ତୁ ତୁ ଯଦି ସତକୁ ସତ ଏହି ବିଶାଳ ଆକାଶ ଆଉ ବିଶାଳ ପୃଥିବୀର ପ୍ରେମରେ ପଡ଼ିଥାନ୍ତୁ–ତେବେ ତୁ ଅଧବାଟରେ ମରନ୍ତୁ ପଛକେ ଆଉ ତୋର ସେହି ସଂକୀର୍ଣ୍ଣ ବସାକୁ ଫେରିଯିବାକୁ ବ୍ୟାକୁଳ ହୁଅନ୍ତୁ ନାହିଁ । ତୁ କେବଳ ମୋର ଦେହର ସବୁଜ ରଙ୍ଗ–ମୋ ଥଣ୍ଟର ଓ ବେକର ନାଲିରଙ୍ଗ ଓ ମୋର ସେହିସବୁ ବିଚିତ୍ର ସ୍ୱାଦର ଖାଦ୍ୟ କଥା ଶୁଣି ଲୋଭ କରିଛୁ । ତେଣୁ–ତୁ ଚିରଦିନ ଏହିପରି ଘରଚଟିଆ ହୋଇ ରହିବୁ ।

 

ଡହରାନନ୍ଦ ଏହିଠାରେ କଥାଟି ଶେଷ କଲେ–ଏବଂ ଆଶାକଲେ ଯେ ଖୋର୍ଦ୍ଧାର ସେହି ମ୍ରିୟମାଣ ଯୁବକମାନେ ଏ କଥାଟିର ତାତ୍ପର୍ଯ୍ୟ ବୁଝିପାରିବେ ।

☆☆☆

 

ବଣର ବାଘ ନା ବ୍ୟାକରଣର ବ୍ୟାଘ୍ର ?

 

ବାବା ଡହରାନନ୍ଦ ଯେତେବେଳେ ବାଙ୍କୀ ସହରରେ କିଛିଦିନ ଅବସ୍ଥାନ କରୁଥିଲେ, ସେତେବେଳେ ବାଙ୍କୀର କେତେକ ଯୁବକ ଛାତ୍ର ଦିନେ ତାଙ୍କ ସହିତ କୌଣସି ଏକ ଶାରଦୀୟ ସନ୍ଧ୍ୟାରେ ମହାନଦୀ କୂଳରେ ବିହାର କରୁ କରୁ ତାଙ୍କୁ ପ୍ରଶ୍ନ କରିଥିଲେ–

 

ଡହରାନନ୍ଦଜୀ ! ଆପଣ ବାରମ୍ବାର ଆମ୍ଭମାନଙ୍କୁ କହୁଛନ୍ତି–କାଣ୍ଡଜ୍ଞାନ ବଢ଼ାଅ । ଏପରିକି ଆପଣ ଜ୍ଞାନ ଓ ବିଜ୍ଞାନଠାରୁ କାଣ୍ଡଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । କିନ୍ତୁ ଆମ୍ଭେମାନେ ଏଇ ‘କାଣ୍ଡଜ୍ଞାନ’ ଜିନିଷଟି କ’ଣ ତାହା ଆଦୌ ବୁଝିପାରୁନାହୁଁ । ଦୟାକରି ଆମକୁ କାଣ୍ଡଜ୍ଞାନ କଥାଟି ବୁଝାଇ ଦିଅନ୍ତୁ ।

 

ଡହରାନନ୍ଦଜୀ ଯୁବକମାନଙ୍କୁ ଗୋଟିଏ ଜାଗାରେ ବସାଇ କହିଲେ–କାଣ୍ଡଜ୍ଞାନ କ’ଣ, ତା’ର ସଠିକ ସଂଜ୍ଞା ଦେଇ ହେବନାହିଁ । ମୁଁ ଯଦି କାଣ୍ଡଜ୍ଞାନର ଗୋଟିଏ ସଂଜ୍ଞା ନିରୂପଣ କରିଦିଏ, ତେବେ ତାହା ଆଉ କାଣ୍ଡଜ୍ଞାନ ହେବନାହିଁ–ଜ୍ଞାନ ବା ବିଜ୍ଞାନ ହୋଇଯିବ । କାଣ୍ଡଜ୍ଞାନ ହେଲା ଅନୁଭବର ବିଷୟ । ଏହାକୁ ନିଜର ବୁଦ୍ଧି ଓ ହୃଦୟ ଭିତରେ ଖୋଜିବାକୁ ପଡ଼େ । ଏହି କାଣ୍ଡଜ୍ଞାନଟି ନଥିଲେ ମହାଜ୍ଞାନବନ୍ତ ଲୋକ ମଧ୍ୟ ଘୋର ଅଜ୍ଞାନ ମୂଢ଼ ଭଳି ଅକାର୍ଯ୍ୟଟିଏ କରିପକାଏ । ମହାବିଜ୍ଞାନୀ ବ୍ୟକ୍ତି କାଣ୍ଡଜ୍ଞାନ ହରାଇ ବସିଲେ ନିଜକୁ ଆଉ ସଂସାରକୁ ଧ୍ୱଂସ କରିଦିଏ ଗୋଟିଏ ମାତ୍ର ମୁହୂର୍ତ୍ତରେ ।

 

ଯୁବକମାନଙ୍କ ଭିତରୁ ଜଣେ ପ୍ରଶ୍ନ କଲେ–ମହାଶୟ ! କାଣ୍ଡଜ୍ଞାନ ଶବ୍ଦଟିର ମୂଳ ଅର୍ଥ କ’ଣ ଆଗ କହନ୍ତୁ । ଡହରାନନ୍ଦ କହିଲେ–ଏହି କାଣ୍ଡଜ୍ଞାନ ଶବ୍ଦଟି ଆମର ରାମାୟଣ–ପାଠକମାନେ ସୃଷ୍ଟି କରିଛନ୍ତି । ରାମାୟଣରେ ସାତଟି କାଣ୍ଡ ବା ପର୍ବ ରହିଛି । ଜଣେ ସାତକାଣ୍ଡ ଯାକ ରାମାୟଣ ଶୁଣିସାରି ବା ପଢ଼ିସାରି ସବୁ ଘଟଣା ଓ ଚରିତ୍ରତକ ମନେ ରଖିଛି । ମାତ୍ର କୋଉକାଣ୍ଡ ପରେ କୋଉ କାଣ୍ଡ ଘଟିଛି ତାହା ମନେ ରଖିନାହିଁ । ଫଳରେ ସୁନ୍ଦରାକାଣ୍ଡ ଆଗ ନା କିସ୍କିନ୍ଧା କାଣ୍ଡ ଆଗ–ସେତେକ ସେ ମନେରଖି ପାରିନି । ଏତିକିବେଳେ କୁହାଯାଏ ଯେ–ଲୋକଟାର କାଣ୍ଡଜ୍ଞାନ ନାହିଁ । ତେଣୁ କାଣ୍ଡଜ୍ଞାନ କହିଲେ ବର୍ତ୍ତମାନ ଆମେ ବୁଝିବା–‘ପୂର୍ବାପର ସଙ୍ଗତି ଜ୍ଞାନ’ କିମ୍ବା ‘ଉଚିତ ଅନୁଚିତ ଜ୍ଞାନ’ କିମ୍ବା ‘ସ୍ଥାନ, କାଳ, ପାତ୍ର ଜ୍ଞାନ’ । ଏହାକୁ ‘ଭଲମନ୍ଦ ଜ୍ଞାନ’ ବି କୁହାଯାଇ ପାରେ । ମନେକର ଜଣେ ବନ୍ଧୁକ ଚାଳନା ବିଦ୍ୟାଟି ଭଲଭାବରେ ଶିଖିଯାଇଛି । ମାତ୍ର ବନ୍ଧୁକଟି ଦ୍ୱାରା ସେ କାହାକୁ ମାରିବ ବା କେତେବେଳେ ମାରିବ–କିମ୍ବା ମୋଟ ଉପରେ ବନ୍ଧୁକ ଦ୍ୱାରା ସେ କାହାକୁ ମାରିବ କି ନାହିଁ–ସେକଥା ତା’ର କାଣ୍ଡଜ୍ଞାନ ହିଁ ସ୍ଥିର କରିବ । ଆଉ ଗୋଟିଏ ଉଦାହରଣ ଶୁଣ । ଜଣେ ଖୁବ୍‍ ପଣ୍ଡିତ ବ୍ୟକ୍ତି ଭଲ ବକ୍ତୃତା ଦେଇପାରନ୍ତି । ଅନର୍ଗଳ ତିନିଘଣ୍ଟା ସେ ବହୁ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଭାଷଣ ଦେଇପାରନ୍ତି ! କିନ୍ତୁ ଗୋଟିଏ ସଭାରେ ଯଦି ତାଙ୍କ ଭଳି ତିନିଜଣ ବକ୍ତା କହିବାକୁ ଥାନ୍ତି–ତେବେ ସେ ତାଙ୍କ ଭାଷଣଟି କେତେ ସମୟ ନେବେ ଓ ସେତିକି ନିର୍ଦ୍ଦିଷ୍ଟ ସମୟ ଭିତରେ କ’ଣ କ’ଣ କହିବେ–ଏହା ତାଙ୍କର କାଣ୍ଡଜ୍ଞାନ ହିଁ ସ୍ଥିର କରିଦେବ । କିନ୍ତୁ ଅନେକ ପଣ୍ଡିତ ସୁବକ୍ତାଙ୍କର ଏହି କାଣ୍ଡଜ୍ଞାନର ଅଭାବ ହେତୁ ସଭାସ୍ଥ ଅନ୍ୟ ବକ୍ତାବୃନ୍ଦ ଓ ଶ୍ରୋତାବୃନ୍ଦ ବଡ଼ ଅସୁବିଧାରେ ପଡ଼ନ୍ତି । ସେହିପରି ଆମ ସମାଜରେ ଅନେକ ଗୁଣି ପ୍ରତିଭାବାନ ବ୍ୟକ୍ତି ଅଛନ୍ତି–କବି, ଲେଖକ, ଚିତ୍ରକାର, ସଙ୍ଗୀତଜ୍ଞ ଅଥବା ନାଟ୍ୟକାର–ଯେଉଁମାନଙ୍କର ଅନ୍ୟ ସବୁ ସାଂସାରିକ ବିଷୟରେ ଆଦୌ ଧାରଣା ନ ଥାଏ–ସ୍ଥାନ କାଳ ପାତ୍ର ସମ୍ବନ୍ଧେ ସଚେତନତା ନ ଥାଏ–ମୋଟ ଉପରେ କାଣ୍ଡଜ୍ଞାନ ନ ଥାଏ–ତାହାଫଳରେ ସେମାନେ ଅନ୍ୟମାନଙ୍କର ଦୁଃଖ ବିପଦ ଯନ୍ତ୍ରଣାର କାରଣ ହୋଇପଡ଼ନ୍ତି । ଥରେ ଜଣେ ଭବାଳୁ କବି ଜଣେ ବିଶିଷ୍ଟ ମୃତବ୍ୟକ୍ତିଙ୍କ ଶ୍ରାଦ୍ଧ ସଭାରେ ଭାବ ଗଦ୍‍ ଗଦ୍‍ ସ୍ୱରରେ ଏକଘଣ୍ଟା ବ୍ୟାପି ଦୀର୍ଘ ଚାଳିଶି ପୃଷ୍ଠାର ଏକ ଶୋକ–କବିତା ଆବୃତ୍ତି କରି ଚାଲିଲେ ଏବଂ ତା’ ଭିତରେ ଏତେ ପ୍ରକାର ଅବଲୟ ଦେଖାଇଲେ ଯେ ସଭାସ୍ଥ ଲୋକମାନଙ୍କ ଭିତରୁ କେତେକ ଅତ୍ୟନ୍ତ ବିରକ୍ତ ହୋଇ ଉଠି ଚାଲିଗଲେ ଓ ଅନ୍ୟ କେତେକ ହସି ହସି ଗଡ଼ିଗଲେ-। ଫଳରେ ଏତେବଡ଼ ଗମ୍ଭୀର ଶୋକସଭାଟିର ଉଦ୍ଦେଶ୍ୟ ପଣ୍ଡ ହୋଇଗଲା । ଆଉଥରେ ଜଣେ ମହାପଣ୍ଡିତ ଜ୍ଞାନୀ ଗବେଷକ ଧୂର୍ତ୍ତ ଚତୁର ଅଧ୍ୟାପକ ‘ରାମଚରିତ ମାନସ ପାରାୟଣ’ ସଭାକୁ ରାମଚନ୍ଦ୍ରଙ୍କ ଚରିତ ସମ୍ବନ୍ଧେ ପ୍ରବଚନ ଦେବାକୁ ନିମନ୍ତ୍ରିତ ହୋଇଥିଲେ । ରାମଭକ୍ତମାନଙ୍କର ସେହି ଭକ୍ତିଭାବ ବିଳସିତ ସଭାରେ ସେହି କାଣ୍ଡଜ୍ଞାନ ବିବର୍ଜିତ ମହାଜ୍ଞାନୀ ଅଧ୍ୟାପକଟି ରାମ ଓ କୃଷ୍ଣଙ୍କ ଭିତରେ ଏକ ଚରିତ୍ର ତୁଳନା ଅଧ୍ୟାପକୀୟ ଢଙ୍ଗରେ ଆରମ୍ଭ କରିଦେଲେ । ସେ ବହୁ ଉଦାହରଣ ଦେଇ ରାମଚନ୍ଦ୍ରଙ୍କୁ ଯେତିକି ସତ୍ୟବାଦୀ ରୂପେ ପ୍ରମାଣିତ କଲେ–କୃଷ୍ଣଚନ୍ଦ୍ରଙ୍କୁ ସେତିକି ମିଥ୍ୟାବାଦୀ ଓ କୂଟଚକ୍ରୀ ରୂପେ ପ୍ରମାଣ କରିବାକୁ ଲାଗିଲେ । ତାପରେ ସେ ରାମଚନ୍ଦ୍ରଙ୍କର ଏଲପତ୍ନୀ ବ୍ରତ ଉପରେ କେତେଦୂର ନିଷ୍ଠା ଥିଲା ତାହା ବହୁ ଉଦାହରଣ ଦେଇ ପ୍ରମାଣିତ କଲେଏବଂ ତା ସହିତ ସେ କୃଷ୍ଣଙ୍କର ବହୁ ନାରୀ ସଙ୍ଗଲାଳସା ବିଷୟରେ ଅନର୍ଗଳ ବକିବାକୁ ଆରମ୍ଭ କରିଦେଲେ-। କହିବା ବାହୁଲ୍ୟ ଯେ, ରାମଙ୍କର ଏକପତ୍ନୀ ନିଷ୍ଠା ଉପରେ କହିଲା ବେଳେ ସେ ଯେତେ ଉତ୍ସାହିତ ହୋଇ ପାରୁ ନ ଥିଲେ, କୃଷ୍ଣଙ୍କର ବହୁ ସ୍ତ୍ରୀ ସଙ୍ଗଲାଳସା ସମ୍ପର୍କରେ କହିଲା ବେଳେ ତାଙ୍କ ସ୍ୱର ଉଚ୍ଛ୍ୱସିତ ହୋଇ ଉଠୁଥିଲା । ଏହି ସମୟରେ ସଭାରେ ଉପବିଷ୍ଟ ଭକ୍ତ ଶ୍ରୋତାମାନଙ୍କ ଭିତରୁ କେତେକ ଉତ୍ତ୍ୟକ୍ତ ହୋଇ ଉଠିଲେ ଓ ତଳେ ଗଡ଼ୁଥିବା କେତୋଟି ଛେଲା ପଇଡ଼ ଗୋଟାଇ ସେହି କାଣ୍ଡଜ୍ଞାନ ହୀନ ବାଚାଳ ଅଧ୍ୟାପକ ଆଡ଼କୁ ଲକ୍ଷ୍ୟ କରି ଫୋପାଡ଼ିଲେ । ଏହାପରେ ସଭାରେ ମହା କୋଳାହଳ ଉପୁଜିଲା । ଏବଂ ସଭା ଭିତରୁ ‘ବନ୍ଦ କର’ ‘ବନ୍ଦ କର’ ବୋଲି ଚିତ୍କାର ଉଠିଲା-। କେତେକ ସାଧୁ ସନ୍ନ୍ୟାସୀ ସଭା ମଣ୍ଡପକୁ ମାଡ଼ି ଆସି ଚିତ୍କାର କଲେ–ହେ ପାପୀ ! ଶୀଘ୍ର ଏ ସ୍ଥାନ ତ୍ୟାଗ କର । ଆମେ ଆଉ ଅଧିକ କୃଷ୍ଣ–ନିନ୍ଦା ସହି ପାରିବୁ ନାହିଁ । ଏହାପରେ ସେହି କାଣ୍ଡଜ୍ଞାନହୀନ ବାଚାଳ ଅଧ୍ୟାପଟିକୁ ଧକ୍‌କା ଦେଇ ଭକ୍ତମାନେ ସେଠାରୁ ବିଦା କରିଦେଲେ ।

 

ଏତେକ ଶୁଣି ଜଣେ ଯୁବକ ଡହରାନନ୍ଦଜୀଙ୍କୁ ପ୍ରଶ୍ନ କଲେ–ମହାଶୟ ! କାଣ୍ଡଜ୍ଞାନ କମ୍‍ ତା ହେଲେ ସତ୍ୟ–ବିରୋଧୀ ?

 

ଡହରାନନ୍ଦ କହିଲେ–ବାବୁଜୀ ! ସତ୍ୟ କ’ଣ ତୁମରି ଏକା ଏକଚାଟିଆ ? ତା’ ଛଡ଼ା–ସତ୍ୟ ହେଲା ବହୁମୁଖୀ ଓ ବହୁସ୍ତରୀୟ ବ୍ୟାପାର । ସଙ୍ଗୀତରେ ସତ୍ୟକୁ ଯୋଉ ବାଟରେ ଧରାଯାଏ ବିଜ୍ଞାନରେ କ’ଣ ସତ୍ୟକୁ ସେଇବାଟରେ ଧରାଯାଏ ? ବ୍ୟାକରଣରେ ବା ଭାଷାବିଜ୍ଞାନରେ ଯେଉଁଟା ତୁମକୁ ସତ୍ୟ ବୋଲି ବୋଧ ହେଲା–ତାହା କ’ଣ ପ୍ରାଣୀ–ବିଜ୍ଞାନରେ ସେହି ଏକା ସତ୍ୟ ବୋଲି ଗୃହୀତ ହେବ ? ଗପଟିଏ କହୁଛି ଶୁଣ । ସବୁ ବୁଝି ପାରିବ ।

 

...ଥରେ ଚାରିଜଣ ବନ୍ଧୁ ଏକତ୍ର ହୋଇ ବିଦେଶ ଭ୍ରମଣରେ ବାହାରିଲେ । ଯାଉ ଯାଉ ସେମାନେ ଗୋଟିଏ ଭୀଷଣ ଅରଣ୍ୟରେ ପହଞ୍ଚିଲେ । ସେଠାରେ ରାତି ହୋଇଗଲା । ଚାରିବନ୍ଧୁ ଗୋଟିଏ ଗଛମୂଳେ ନିଆଁ ଜାଳି ସେଠାରେ ରାତିଟା ପାଇଁ ବିଶ୍ରାମ ନେବାକୁ ସ୍ଥିର କଲେ । ଏହି ସମୟରେ ସେମାନେ ଦେଖିଲେ ଯେ ନିକଟରେ ଗୋଟିଏ କଙ୍କାଳ ପଡ଼ିଛି । କଙ୍କାଳଟି କୋଉ ପ୍ରାଣୀର ତାହା ଜାଣିବାର ଉପାୟ ନଥିଲା । କିନ୍ତୁ ସେମାନଙ୍କ ଭିତରୁ ଜଣକୁ କଙ୍କାଳରେ ରକ୍ତମାଂସ ଲଗାଇ ଦେବାର ଅଲୌକିକ ବିଦ୍ୟା ଜଣାଥିଲା । ସେ ମନ୍ତ୍ର ପଢ଼ି ସେ କଙ୍କାଳରେ ପାଣି ଛିଞ୍ଚି ଦେବାରୁ କଙ୍କାଳଟି ରକ୍ତ ମାଂସରେ ଭର୍ତ୍ତି ହୋଇଗଲା । ଆଉ ଜଣେ ବନ୍ଧୁଙ୍କୁ ସେଥିରେ ଉପଯୁକ୍ତ ଚମଡ଼ା ଲଗାଇ ଦେବାର ବିଦ୍ୟା ଜଣାଥିଲା । ସେ ମନ୍ତ୍ର ପଢ଼ି ପାଣି ଛିଞ୍ଚି ଦେବାରୁ ସେହି ରକ୍ତମାଂସପୂର୍ଣ୍ଣ କଙ୍କାଳରେ ଚମଡ଼ା ଛାଇ ହୋଇଗଲା ।ବର୍ତ୍ତମାନ ଜଣାପଡ଼ିଲା ଯେ ସେହି କଙ୍କାଳଟି ଗୋଟିଏ ମହାବଳ ବାଘର । ତାକୁ ଦେଖି ସମସ୍ତେ ଚମତ୍କୃତ ହୋଇଗଲେ । ସେହି ବନ୍ଧୁମାନଙ୍କ ଭିତରୁ ଆଉ ଜଣକୁ ସଂଜିବନୀ ବିଦ୍ୟା ଜଣାଥିଲା । ସେ ସଞ୍ଜିବନୀ ମନ୍ତ୍ର ପଢ଼ି ସେହି ମୃତ–ବ୍ୟାଘ୍ର ଉପରେ ମନ୍ତ୍ରପାଣି ଛିଞ୍ଚି ତାକୁ ବଞ୍ଚାଇ ଦେକୁ ବ୍ୟବାଗ୍ର ହୋଇ ଉଠିଲେ । ଏହା ଦେଖି ଅନ୍ୟ ବନ୍ଧୁମାନେ ସନ୍ତ୍ରସ୍ତ ହୋଇ କହିଲେ–ହେ ବନ୍ଧୁ ! ସେପରି ମୂଢ଼ତା କରନାହିଁ । ଏଇ ବାଘଟି ବଞ୍ଚି ଉଠିଲେ ବର୍ତ୍ତମାନ ଆମ ପ୍ରତି ସେ କି ବ୍ୟବହାର ଦେଖାଇବ–ତାହା ତୁମକୁ ଜଣାଅଛି ତ ? ମୃତ ସଞ୍ଜିବନୀ ମନ୍ତ୍ର ଜାଣିଥିବା କାଣ୍ଡଜ୍ଞାନ ହୀନ ବନ୍ଧୁଟି କହିଲେ–ମତେ ତାହା ଭଲଭାବେ ଜଣାଅଛି । ବ୍ୟାଘ୍ର ଶବ୍ଦର ବ୍ୟୁତ୍ପତ୍ତି କ’ଣ ଜାଣ ? ‘ବି ଉପସର୍ଗ, ‘ଘ୍ରାଣ୍‍’ ଧାତୁରୁ କର୍ତ୍ତୃବାଚ୍ୟରେ ‘ଅ’ ପ୍ରତ୍ୟୟ ହୋଇ ହେଲା ‘ବ୍ୟାଘ୍ର’ । ତା’ ଅର୍ଥ–ଯେ ବିଶେଷ ଭାବେ ଘ୍ରାଣ କରେ ସେ ବ୍ୟାଘ୍ର । ତେଣୁ ଏ ପ୍ରାଣୀଟି ବଞ୍ଚି ଉଠିଲେ ଆମମାନଙ୍କୁ କେବଳ ବିଶେଷ ଭାବେ ଆଘ୍ରାଣ କରିବ । ତେଣୁ ତଦ୍ଦ୍ଵାରା ଆମର କ’ଣ କ୍ଷତି ହୋଇଯିବ ? ଅତଏବ ମୁଁ ମୋ ବିଦ୍ୟାର କରାମତି ନିଶ୍ଚୟ ଦେଖାଇବି । ଏହା କହି ସେ ସେହି ଶବ ଉପରେ ମନ୍ତ୍ରପାଣି ଛିଞ୍ଚି ଦେଲା ଏବଂ ବାଘଟି ହଠାତ୍‍ ଜିଇଁ ଉଠି ତା’ର ଜୀବନଦାତା ଉପରକୁ କୁଦାମାରି ତାର ବେକ କଣା କରିଦେଲା । କିନ୍ତୁ ତା’ ପୂର୍ବରୁ ତା’ର ଅନ୍ୟ ବନ୍ଧୁମାନେ ଗଛ ଉପରକୁ ଉଠିଯାଇ ଥିଲେ । ଏବେ ତୁମ୍ଭେମାନେ ଏଇ କଥାରୁ ‘କାଣ୍ଡଜ୍ଞାନ’ ବିଷୟଟି କ’ଣ ଓ ତା’ର ଜୀବନର ମୂଲ୍ୟ କେତେ ତାହା ସହଜରେ ବୁଝିପାରିବ । ଏହି କାଣ୍ଡଜ୍ଞାନଟିର ଅଭାବରେ ତୁମପାଖେ ମୃତ ସଞ୍ଜୀବନୀ–ବିଦ୍ୟା ଓ ମନ୍ତ୍ରଥିଲେ ବି ତୁମେ ନିଜ ପ୍ରାଣକୁ ମଧ୍ୟ ହରାଇ ବସିବ ।

 

ଏତିକି କହି ଡହରାନନ୍ଦଜୀ କିଛି ସମୟ ପାଇଁ ଚୁପ୍‍ ରହିଗଲେ ।

 

ବୋଝ ବୁହ, ବୋଝିଆ ହୁଅନା !

 

ଥରେ କଟକ ରାଣୀହାଟରେ କେତେକ ଯୁବକ ଡହରାନନ୍ଦଙ୍କ ସହିତ ଦୁଇଦିନ ମିଶିବାର ସୁଯୋଗ ପାଇଥିଲେ । ଏକ ଆଶ୍ଵିନ ମାସର ସକାଳରେ ଜୋବ୍ରା ପାଖେ ମହାନଦୀ କୂଳରେ ଏକତ୍ର ପ୍ରାତଃଭ୍ରମଣ କରୁଥିଲା ବେଳେ ଜଣେ ଯୁବକ ପ୍ରଶ୍ନ କଲେ–ଡହରାନନ୍ଦଜୀ ! ଆପଣ କହନ୍ତି–କେହି କେବେ କାହାର ବୋଝ ବୁହ ନାହିଁ । ଏପରି କି ନିଜର ବୋଝ ମଧ୍ୟ ନିଜେ ବୁହ ନାହିଁ । ଯଦି କୌଣସି ଜିନିଷ ନିଜକୁ ଭାରି ବା ଓଜନିଆ ଲାଗେ–ତେବେ ତାହା ନିଜର ହେଉ ବା ଅନ୍ୟର ହେଉ–ତତ୍‌କ୍ଷଣାତ୍‍ ତାକୁ ତଳେ ଫୋପାଡ଼ି ଦିଅ । ଡହରାନନ୍ଦଜୀ ! ଏକଥା ଶୁଣିବାକୁ ଖୁବ୍‍ ଚମତ୍କାର ଲାଗୁଛି– । ମାତ୍ର ପ୍ରକୃତରେ ଆପଣଙ୍କର ଏହି କଥାର ମର୍ମ କ’ଣ ? ଏହା କ’ଣ ସତରେ ସମ୍ଭବ ?

 

ଡହରାନନ୍ଦଜୀ ଏ ସମ୍ବନ୍ଧେ ଆଲୋଚନା କରିବାକୁ ସମସ୍ତଙ୍କୁ ନେଇ ନଦୀ କୂଳରେ ଗୋଟିଏ ନିକାଞ୍ଚନ ସ୍ଥାନରେ ବସିଲେ । ତା’ପରେ ଡବାରୁ ଖଣ୍ଡିଏ ପାନ ବାହାର କରି ପାଟିରେ ପୁରାଇ ତାକୁ ଖୁବ୍‍ ଆରାମରେ ତିନିଚାରିଥର ଚୋବାଇ ସାରି ଥରେ ଛେପ କାଢ଼ିଲେ । ତା’ପରେ ହସି ହସି କହିବାକୁ ଆରମ୍ଭ କଲେ–

 

ଶୁଣବାବୁ ! ନିଜର ବା କେହି କାହାର ବୋଝ ନିଜର ଉପରକୁ ନିଅ ନାହିଁ ବୋଲି ମୁଁ କେବେ କାହାକୁ କହି ନାହିଁ । ବୋଝ ବୋହିବା ଅର୍ଥ ଦାୟିତ୍ୱ ବହନ କରିବା । ମୁଁ କେବେ କାହାକୁ ଦାୟିତ୍ୱହୀନ ହେବାକୁ କହେ ନାହିଁ । ଦାୟିତ୍ୱହୀନ ଲୋକକୁ ମୁଁ କେବେ ମଣିଷ ବୋଲି କହିବି ନାହିଁ-। ଜଣେ ଯଦି ସତକୁ ସତ ମଣିଷ ହେବାକୁ ଚାହେଁ–ତେବେ ତାକୁ ନିଜର ଦାୟିତ୍ୱ ନେବାକୁ ହେବ ଏବଂ ଅନ୍ୟର ଦାୟିତ୍ୱ ମଧ୍ୟ ନେବାକୁ ହେବ । ନିଜ କାନ୍ଧରୁ ନିଜର ବା ଅନ୍ୟର ଦାୟିତ୍ୱ ଖସାଇ ଦେଇ ବୁଲୁଥିବା ମଣିଷକୁ ମୁଁ ଜମା ସାମାନ୍ୟ ବି ଗୁରୁତ୍ୱ ଦିଏ ନାହିଁ । ଆମ ସମସ୍ତଙ୍କୁ ଜୀବନର ଓ ସଂସାରର ଦାୟିତ୍ୱ ନେବାକୁଇ ହେବ । ଜୀବନ ଓ ସଂସାରର ବୋଝ ନିଶ୍ଚୟ ବୋହିବାକୁଇ ପଡ଼ିବ-। କିନ୍ତୁ ଆମେ ଯଦି ସ୍ୱତଃପ୍ରବୃତ୍ତ ହୋଇ ନିଜର ବା ଆଉ କାହାର ବୋଝ ବହି ଚାଲୁଥାଉ–ତେବେ ସେ ବୋଝ ଆମକୁ କେବେ ବି ଭାରି ବା ଓଜନ ଲାଗିବ ନାହିଁ । ଆମେ ନିଜକୁ ଭଲ ପାଉ ବୋଲି ନିଜର ଦାୟିତ୍ୱ ବା ବୋଝ ନିଜେ ବୋହୁ ଥାଉ । ସେମିତି, ଆମେ ଅନ୍ୟ ଜଣକୁ ଭଲ ପାଉ ବୋଲି,ଭାରି ବୋଝ ବା ଦାୟିତ୍ୱ ନିଜ କାନ୍ଧରେ ବୋହୁଥାଉ । ଏହି ‘ଭଲ ପାଇବା କଥାଟି ହେଲା ମୂଳକଥା । ଯେତେବେଳ ଯାଏ ଭଲ ପାଇବା ଥାଏ, ସେତେବେଳ ଯାଏ ଭଲ ପାଇବା ଲୋକର କୌଣସି ବୋଝ ଆମ କାନ୍ଧକୁ ଭାରି ବା ଓଜନ ବୋଧ ହୁଏ ନାହିଁ । କିନ୍ତୁ ଯେତେବେଳେ ଏଇ ଭଲ ପାଇବାଟା କମିଯାଏ ବା ଚାଲିଯାଏ, ସେତେବେଳେ ମୁଠାଏ ତୁଳା ମଧ୍ୟ ଆମକୁ ଖଣ୍ଡେ ବଡ଼ପଥର ଭଳି ଓଜନିଆ ବୋଧ ହୁଏ । ତୁମେମାନେ ରାମାୟଣ କଥା ଜାଣି ଥିବ । ଯେତେବେଳେ ରାବଣର ପୁଅ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ବଜ୍ରବାଣ ମାରି ଆଚେତ କରି ଦେଲା–ସେତେବେଳେ ବିଶଲ୍ୟକରଣୀ ନାମକ ଔଷଧ ବୃକ୍ଷର ପତ୍ର ଦରକାର ପଡ଼ିଲା ଲକ୍ଷ୍ମଣଙ୍କୁ ଚେତା କରିବା ପାଇଁ-। ସେହି ଔଷଧ ବୃକ୍ଷଟି ଥିଲା ଲଙ୍କାଠାରୁ ସହସ୍ର ଯୋଜନ ବାଟ ଦୂରସ୍ଥ ମହେନ୍ଦ୍ର ପର୍ବତରେ-। ହନୁମାନ ରାମଚନ୍ଦ୍ରଙ୍କୁ ପ୍ରାଣ ମନ ଆତ୍ମାଦେଇ ଭଲ ପାଉ ଥିଲେ । ସେ ସେହି ଔଷଧ ବୃକ୍ଷ ଆଣିବାକୁ ଗଲେ । ମାତ୍ର ପର୍ବତ ଉପରକୁ ଯାଇ ସେ ସେହି ଗଛଟିକୁ ଚିହ୍ନି ପାରିଲେ ନାହିଁ-। ତେଣୁ ସେ ଗୋଟାସୁଦ୍ଧା ପର୍ବତଟାକୁ ଓପାଡ଼ି ଆଣି ନିଜ କାନ୍ଧରେ ବସାଇ ଲଙ୍କାକୁ ନେଇ ଆସିଲେ । ରାମଙ୍କୁ ଅତ୍ୟନ୍ତ ଭଲ ପାଉଥିବାରୁ ଏତେବଡ଼ ଗୋଟାଏ ପର୍ବତ ମଧ୍ୟ ହନୁମାନଜୀଙ୍କୁ ସାମାନ୍ୟ ଟେକାଟାଏ ଭଳି ହାଲୁକା ମନେ ହୋଇଥିଲା । କିନ୍ତୁ ହନୁମାନଙ୍କୁ ଯଦି ସେଥିପାଇଁ କୌଣସି ପ୍ରକାରେ ବାଧ୍ୟ କରାଯାଇ ଥାନ୍ତା–ତେବେ ସେ ପର୍ବତଟାକୁ ବୋହି ଆଣି ପାରି ନ ଥାନ୍ତେ-। ଆଣିଥିଲେ ବି ଅଧାବାଟରେ ଓଜନ ସମ୍ଭାଳି ନ ପାରି କୋଉଠି ଫୋପାଡ଼ି ଦେଇଥାନ୍ତେ । ଫୋପାଡ଼ି ଦେବା ମଧ୍ୟ ଉଚିତ । ଭଲ ପାଇବା ନ ଥିଲେ ତୁମେ କାହିଁକି କାହାର ବୋଝ ବୋହିବାକୁ ଯିବ-? ସେ କ୍ଷେତ୍ରରେ ବୋଝ ବୋହିବା ଏକ ଯନ୍ତ୍ରଣା ହୋଇଯିବ । ବୃଥାରେ ଯନ୍ତ୍ରଣା ଭୋଗିବା ଠାରୁ ବଳି ବୋକାମୀ ଆଉ ନାହିଁ ।

 

ସମବେତ ଯୁବକମାନଙ୍କ ମଧ୍ୟରୁ ଜଣେ ପଚାରିଲେ–ମହାଶୟ ! ଆପଣ ଯାହା କହିଲେ ତାହା ସତ । କିନ୍ତୁ ଆପଣ କେବଳ ପରର ବୋଝ ବୋହିବା ସମ୍ପର୍କରେ କହିଲେ । କିନ୍ତୁ ଆପଣ କହିଛନ୍ତି–ନିଜର ବୋଝ ମଧ୍ୟ ନିଜେ ବୋହିବା ଉଚିତ ନୁହେଁ । ନିଜର ବୋଝ ନିଜେ ନ ବୋହିବ ତ ପୁଣି ଆଉ କିଏ ବୋହିବ ?

 

ଦାହରାନନ୍ଦ କହିଲେ–କୌଣସି ବିଷୟ ଯେତେବେଳେ ତୁମ ପାଇଁ ବୋଝ ସ୍ୱରୂପ ହୋଇଯାଏ, ସେତେବେଳେ ତୁମେ ତାକୁ କାନ୍ଧରୁ ବା ମୁଣ୍ଡରୁ ଖସାଇ ଫୋପାଡ଼ି ଦେବା ଉଚିତ । ତାହା ଅନ୍ୟର ହେଉ ବା ନିଜର ହେଉ ।

 

ଜଣେ ଯୁବକ କହିଲେ–ଅନ୍ୟ ପ୍ରତି ପ୍ରେମ ଚାଲିଗଲେ ତା’ର ଦାୟିତ୍ୱ ଆମ ପ୍ରତି ବୋଝ ହୋଇଯାଏ । କିନ୍ତୁ ନିଜର ବୋଝ ପୁଣି କ’ଣ କେମିତି ହୁଏ ।

 

ଡହରାନନ୍ଦ କହିଲେ–ନିଜପାଇଁ ମଧ୍ୟ ଆମେ ନିଜେ ବେଳେବେଳେ ବୋଝ ହୋଇଯାଉ-। ଅନ୍ୟପାଇଁ ପ୍ରେମ କମିଗଲେ ଅନ୍ୟ ଯେମିତି ଆମପାଇଁ ବୋଝ ହୋଇଯାଏ, ସେମିତି ନିଜପାଇଁ ପ୍ରେମ ବଢ଼ିଗଲେ ନିଜେ ଆମେ ହୋଇଉଠୁ ଆମର ବୋଝ । କିପରି ? ଯେଉଁ ଲୋକ ନିଜକୁଇ ସମସ୍ତଙ୍କଠାରୁ ବେଶି ଭଲପାଏ, ସେ ହେଲା ଏକ ସ୍ୱାର୍ଥପର ମଣିଷ । ସ୍ୱାର୍ଥକୈନ୍ଦ୍ରିକ ମଣିଷ-। ସେ କେବଳ ନିଜକୁ ସୁଖୀ କରିବାକୁ ଚାହେଁ । ଅନ୍ୟକୁ ଦୁଃଖଦେଇ, ଅନ୍ୟକୁ ତା’ ସୁଖରୁ ବଞ୍ଚିତ କରି ସେ ନିଜେ ସୁଖୀ ହେବାକୁ ଚାହେଁ । ଏପରି ମଣିଷର ଦିନକୁ ଦିନ କାମନା ବଢ଼ିଚାଲେ । ସେ ତା’ର କାମନା ପୂରଣ କରିବାକୁ ଲାଗି ପଡ଼ିଥାଏ । କିନ୍ତୁ ତା’ର କାମନା ଶେଷ ହୁଏ ନାହିଁ । ତା’ର ମଧ୍ୟ ସତକୁ ସତ କେତେବେଳେ ବି କୋଉଥିରେ ସନ୍ତୋଷ ଆସୁ ନ ଥାଏ । ସେ ସ୍ଥିର ହୋଇ ପାରେ ନା-। ଶାନ୍ତ ହୋଇ ପାରେ ନା । ତାକୁ ନିଦ ହୁଏ ନାହିଁ-। ତା’ର ଖାଇବାରେ ବି ମନ ଲାଗେ ନାହିଁ । ସେ ଅନବରତ ଛଟପଟ ହେଉଥାଏ । ତା’ର ମୁଣ୍ଡ ଭିତରେ ଅସଂଖ୍ୟ କାମନା ବୋଝ ଭଳି ହୋଇଥାଏ-। ତା’ର ଛାତି ଭିତରେ ଅସନ୍ତୋଷର ପାହାଡ଼ ଠିଆ ହୋଇଯାଏ । ଏତିକିବେଳଇ ସେ ନିଜେ ନିଜ ପାଇଁ ବୋଝ ହୋଇଯାଏ । ବୁଝିଲ ? ଏତିକିବେଳେ ସେ ନିଜର କାମନା ବାସନାର ବୋଝକୁ ନିଜ ମୁଣ୍ଡରୁ ତଳକୁ ଖସାଇ ଫୋପାଡ଼ି ଦେବା ଉଚିତ । ଏବେ ଗଳ୍ପଟିଏ କହୁଛି ଶୁଣ । ବୋଝମୁକ୍ତ ମଣିଷ କାହାକୁ କୁହାଯାଏ ବୁଝି ପାରିବ ।

 

ଗୋଟିଏ ନଦୀ କୂଳରେ ଜଣେ ସନ୍ନ୍ୟାସୀ ଥିଲେ । ତାଙ୍କର ଦୁଇଟି ଅଲୌକିକ ଶକ୍ତି ଥିଲା । ସେ ଦୁଃସାଧ୍ୟ ରୋଗ ସବୁ ଭଲ କରି ଦେଉଥିଲେ ଏବଂ ଭବିଷ୍ୟବାଣୀ କହୁଥିଲେ । ଏଥିପାଇଁ ତାଙ୍କ ପାଖକୁ ରାତିଦିନ ବହୁତ ଲୋକ ଆସୁଥିଲେ । ଦିନରାତି ଗହଳି ଲାଗୁଥିଲା । ଫଳରେ ସେହି ସନ୍ନ୍ୟାସୀ ଗୋଟିଏ ମଠ ବନାଇଲେ ଓ ଲୋକମାନଙ୍କ ରହିବା ଲାଗି ଗୋଟିଏ ଧର୍ମଶାଳା ମଧ୍ୟ ବନାଇଲେ ।ବହୁ ଲୋକ ସନ୍ନ୍ୟାସୀଙ୍କ ଦ୍ଵାରା ଉପକୃତ ହୋଇ ତାଙ୍କ ପାଦ ପାଖେ ନାନାଦି ଧନ ଉପହାର ସ୍ୱରୂପ ଅର୍ପଣ କରୁଥାନ୍ତି । ଫଳରେ ସନ୍ନ୍ୟାସୀଙ୍କ ମଠରେ ଅପର୍ଯ୍ୟାପ୍ତ ଧନ ଜମା ହେଲା ଏବଂ ସେ ସବୁ ଧନ ଦ୍ୱାରା ସେହି ସନ୍ନ୍ୟାସୀ ଗରିବ ଓ ଅସହାୟମାନଙ୍କ ଉନ୍ନତି ପାଇଁ ବହୁ ଜନହିତକର କାର୍ଯ୍ୟ ମଧ୍ୟ କରାଉଥାନ୍ତି । ସତକଥା କହିବାକୁ ଗଲେ ସନ୍ନ୍ୟାସୀଙ୍କ ମନରେ ଏ ସବୁ ଧନରତ୍ନ ପାଇଁ ସାମାନ୍ୟ ଲୋଭ ବା ଆସକ୍ତି ନ ଥିଲା । ସେହି ବୈରାଗୀ ସନ୍ନ୍ୟାସୀ ମୁଠାଏ ସ୍ୱର୍ଣ୍ଣମୁଦ୍ରାକୁ ମୁଠାଏ ଗୋଡ଼ି ବୋଲି ମନେ କରୁଥିଲେ । ଏବଂ ଏହି ସବୁ ବାହ୍ୟ ବିଷୟଗୁଡ଼ିକୁ ବାହାରେ ରଖି ନିଜ ଭିତରେ ସେ ଖୁବ୍‍ ହାଲୁକା ହୋଇ ରହୁଥିଲେ । ଫଳରେ ତାଙ୍କୁ ଈଶ୍ୱରଙ୍କ ପାଖେ ଧ୍ୟାନ ଧାରଣା କରିବାକୁ ସେ କିଛି ବାଧା ଅନୁଭବ କରୁ ନ ଥିଲେ ।

 

ଦିନେ ଜଣେ ଖୁବ୍‍ ଧନୀ ଲୋକ ସେହି ସନ୍ନ୍ୟାସୀଙ୍କ ପାଖେ ଆସି ପହୁଞ୍ଚିଲେ । ସନ୍ନ୍ୟାସୀ ସେତେବେଳେ ଆଶ୍ରମ ନିକଟ ନଦୀ ବନ୍ଧ ଉପରେ ଖଣ୍ଡିଏ ମୃଗଛାଲ ପକାଇ ବସି ସନ୍ଧ୍ୟାକାଳୀନ ଧ୍ୟାନ କରୁଥିଲେ । ତାଙ୍କ ଚାରିପଟେ ଅନେକ ଲୋକ ଅପେକ୍ଷା କରି ବସିଥିଲେ । ସନ୍ନ୍ୟାସୀଙ୍କର ଧ୍ୟାନ ଭାଙ୍ଗିଲେ, ସମବେତ ପ୍ରାର୍ଥୀମାନେ ଯେ ଯାହାର କାମନା ତାଙ୍କୁ ଜଣାଇବେ । ବନ୍ଧ ତଳକୁ ପ୍ରଖର ସ୍ରୋତରେ ବନ୍ୟାକୁଳିତା ନଦୀଟି ବହି ଯାଉଥାଏ ।

 

ଯଥା ସମୟରେ ସନ୍ନ୍ୟାସୀଙ୍କର ଧ୍ୟାନ ଭାଙ୍ଗିଲା । ସେ ଆଖି ମେଲି ସମସ୍ତଙ୍କୁ ପ୍ରସନ୍ନ ଦୃଷ୍ଟିରେ ଚାହିଁଲେ । ଏହି ଅବସରରେ ସେହି ଧନୀ ଲୋକଟି ସମସ୍ତଙ୍କ ପଛରେ ଆସି ମଧ୍ୟ ସମସ୍ତଙ୍କୁ ଠେଲି ସନ୍ନ୍ୟାସୀଙ୍କ ପାଖକୁ ଗଲା ଓ ଗୋଟିଏ ସୁନା ମୁଦି ସନ୍ନ୍ୟାସୀଙ୍କ ପାଦତଳେ ଥୋଇ ମୁଣ୍ଡିଆ ମାରିଲା । ସେ ମୁଣ୍ଡିଆ ମାରିଲାବେଳେ ସନ୍ନ୍ୟାସୀ ସେହି ସୁନା ମୁଦିଟିକୁ ହାତରେ ଧରି ଦେଖିଲେ ଏବଂ ବୁଝିଲେ ଯେ ତାହା ଅତି ମୂଲ୍ୟବାନ । କାରଣ ସେଥିରେ କେତେକ ମୂଲ୍ୟବାନ ମଣିମାଣିକ୍ୟ ମଧ୍ୟ ଖଞ୍ଜା ଯାଇଥିଲା । ସନ୍ନ୍ୟାସୀ ମୁଦିଟିକୁ ଧରି ହସି ଉଠିଲେ ଓ ହସି ହସି ମୁଦିଟିକୁ ପ୍ରଖର ସ୍ରୋତା ନଦୀ ଗର୍ଭକୁ ଫିଙ୍ଗି ଦେଲେ । ଧନୀ ଲୋକଟି ଭୂମିରୁ ମୁଣ୍ଡ ଉଠାଇ ଦେଖିଲା ଯେ, ମୁଦିଟି ସନ୍ନ୍ୟାସୀଙ୍କ ପାଦତଳେ ନାହିଁ । ସେ ଉଦ୍‌ବିଘ୍ନ ହୋଇ ସନ୍ନ୍ୟାସୀଙ୍କୁ ପଚାରିଲା–ମହାରାଜ ! ସେହି ମୂଲ୍ୟବାନ ମୁଦିଟି ମୁଁ ଆପଣଙ୍କ ପାଦତଳେ ଥୋଇଥିଲି । ତାହା ଆପଣ ଗ୍ରହଣ କଲେ ତ ? ସନ୍ନ୍ୟାସୀ ଗମ୍ଭୀର ହୋଇ କହିଲେ–ସେ ମୁଦିଟି ଭିତରେ ଗୋଟିଏ ବେତାଳ ଥିଲା ଏବଂ ସେ ମୁଦିଟି ହଠାତ୍ ଗୋଟିଏ ବେଙ୍ଗ ଭଳି ଏଠୁ ଡେଇଁ ନଦୀ ଗର୍ଭରେ ପଡ଼ିଲା । କ’ଣ ଆଉ କରାଯିବ ?

 

ଧନୀ ଲୋକଟି ଏହା ଶୁଣି ଖୁବ୍‍ ଦୁଃଖିତ ହେଲା ଓ ତତ୍‌କ୍ଷଣାତ୍‍ ନିଜ ଆଙ୍ଗୁଠିରେ ପିନ୍ଧି ଥିବା ମୁଦିଟିକୁ ଆଙ୍ଗୁଠିରୁ କାଢ଼ି ସନ୍ନ୍ୟାସୀଙ୍କ ପାଦତଳେ ଥୋଇଦେଲା ଏବଂ କହିଲା–ମହାରାଜ ! ବର୍ତ୍ତମାନ ଏଇ ମୁଦିଟି ଗ୍ରହଣ କରି ମୋତେ କ୍ଷମା କରନ୍ତୁ । ମୋର ଏହି ମୁଦିଟି ତାହା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଏଥିରେ ଅତି ଦୁର୍ମୂଲ୍ୟ ମଣିମାଣିକ୍ୟ ସବୁ ଲାଗିଛି ।

 

ସନ୍ନ୍ୟାସୀ ମୁଦିଟିକୁ ହାତରେ ଧରି କିଛି ସମୟ ଦେଖିଲେ । ତା’ପରେ ଖୁବ୍‍ ଜୋରରେ ହସି ଉଠି ସଙ୍ଗେ ସଙ୍ଗେ ମୁଦିଟିକୁ ନଦୀ ଗର୍ଭକୁ ଫିଙ୍ଗି ଦେଲେ । ଏହା ଦେଖି ଧନୀ ଲୋକଟି ଚିତ୍କାର କରି ଉଠିଲା । କହିଲା–ମହାରାଜ ! ଏ କ’ଣ କଲେ ? ଏତେ ମୂଲ୍ୟବାନ ମୁଦିଟିକୁ ନଦୀ ସ୍ରୋତକୁ ଫିଙ୍ଗି ଦେଲେ କାହିଁକି ?

 

ସନ୍ନ୍ୟାସୀ ହସି ହସି କହିଲେ–

 

ଫିଙ୍ଗି ନ ଦେଇ ଆଉ କ’ଣ କରିଥାନ୍ତି ? ତୁମର ସେହି ପ୍ରଥମ ମୁଦିଟିରେ ଗୋଟିଏ ବେତାଳ ଥିଲା । ତେଣୁ ତାହା ମୋତେ ଭାରି ଓଜନ ଲାଗିଲା । ମୁଁ ତାକୁ ଫିଙ୍ଗି ଦେଲି । ଏବେ ତୁମର ଦ୍ଵିତୀୟ ମୁଦିଟି ମୋ ହାତକୁ ଆହୁରି ଓଜନ ଲାଗିଲା । କାରଣ ଏହି ମୁଦିଟି ଭିତରେ ତୁମେ ରହିଥିଲ । ତେଣୁ ଏହାକୁ ମଧ୍ୟ ନ ଫିଙ୍ଗି ମୋର ଆଉ ଉପାୟ ନ ଥିଲା । ଆମେ ସନ୍ନ୍ୟାସୀ ଲୋକ ! ନିଜକୁ ହାଲୁକା ନ ଲାଗିଲେ କୌଣସି ଜିନିଷ ଗ୍ରହଣ କରୁ ନାହିଁ । ଓଜନ ନ ଲାଗିଲେ କୌଣସି ଜିନିଷ ମଧ୍ୟ ଫିଙ୍ଗି ଦେଉ ନାହିଁ ।

 

ଡହରାନନ୍ଦ କଥାଟି ଏଇଠାରେ ଶେଷ କରି କହିଲେ–ଏବେ ବୁଝିଲ ତ ? ବୋଝ ବୋହିବା ଅର୍ଥ କ’ଣ ?

☆☆☆

 

ପଥରକଟାଳୀର କର୍ମଯୋଗ

 

ଏହି ଗଳ୍ପଟି ଡହରାନନ୍ଦଜୀ ଜଗତସିଂହପୁରର ଦୁଇଜଣ ଯୁବକଙ୍କୁ କହିଥିଲେ । ସେହି ଯୁବକ ଦୁଇଜଣ ଥିଲେ ପରସ୍ପରର ଘନିଷ୍ଠ ବନ୍ଧୁ । ସେମାନଙ୍କ ଭିତରୁ ଜଣେ ଥିଲେ ସ୍ଥାନୀୟ ବ୍ୟାଙ୍କର ଜଣେ କର୍ମଚାରୀ ଓ ଅନ୍ୟଜଣେ ଥିଲେ ସ୍ଥାନୀୟ ହାଇସ୍କୁଲର ଜଣେ ଶିକ୍ଷକ । ସେମାନେ ଥିଲେ ସଦ୍ୟ ବିବାହିତ ଏବଂ ସେମାନଙ୍କ ସ୍ତ୍ରୀ’ମାନେ ମଧ୍ୟ ଚାକିରି କରିଥିଲେ । ଜଣେ ମାଷ୍ଟ୍ରାଣୀ ଓ ଆଉଜଣେ ବ୍ଳକ୍‍ ଅଫିସରେ ଆସିଷ୍ଟାଣ୍ଟ । ତେଣୁ ସେମାନଙ୍କର ଆର୍ଥିକ ଅବସ୍ଥା ଅସ୍ୱଚ୍ଛଳ ନ ଥିଲା । ଗ୍ରାମରେ ମଧ୍ୟ କିଛି ଜମିବାଡ଼ି ଥିଲା । ସେମାନଙ୍କ ବାପାମାନେ ମଧ୍ୟ ବେଶ୍‍ ରୋଜଗାରି ଥିଲେ ଓ ସେମାନଙ୍କର ବାର୍ଦ୍ଧକ୍ୟ ଆସିବାକୁ ବହୁତ ଡେରି ଥିଲା । ତଥାପି ଏହି ଯୁବକଦ୍ୱୟଙ୍କ ମନରେ ଶାନ୍ତି ନ ଥିଲା ଏବଂ ସେମାନେ ଜୀବନରେ ଆନନ୍ଦ ବା ତୃପ୍ତି ପାଉ ନ ଥିଲେ । ସେମାନେ ନିଜର କର୍ମ ଉପରେ ଖୁବ୍‍ ଅସନ୍ତୁଷ୍ଟ ଥିଲେ । ବ୍ୟାଙ୍କ କର୍ମଚାରୀ ଯୁବକଟି ଭାବୁଥିଲା ଯେ, ସେ ଯଦି ଜଣେ ଇଞ୍ଜିନିୟର ହୋଇ ପାରିଥାନ୍ତା ତେବେ ତାକୁ କର୍ମରେ ସନ୍ତୋଷ ମିଳିଥାନ୍ତା । କିନ୍ତୁ ଏହି ବ୍ୟାଙ୍କରେ ଦିନକୁ ଛଅ ଘଣ୍ଟା ଚଉକି ଉପରେ ମହଁମାଡ଼ି ଗୁଡ଼ାଏ ହିସାବ କିତାବ କରି ଚାଲିବାଠାରୁ ଆଉ ନୀରସ କାମ କିଛି ନାହିଁ । ସାରା ଜୀବନ ଯଦି ଏଇ ହିସାବକିତାବରେ ବିତିଯାଏ–ତେବେ ଜୀବନଟା ବୃଥା ଗଲା ବୋଲି ବୁଝିବାକୁ ହେବ ।

 

ଅନ୍ୟ ବନ୍ଧୁଟି, ମାନେ ସେହି ଶିକ୍ଷକ ଯୁବକଟିର ମନରେ ବି ଥିଲା ସେହି ଅସନ୍ତୋଷ । ସେ କହୁଥିଲା–ଏଇ ଶିକ୍ଷକ ଜୀବନଠାରୁ ବଳି–ଗଧ–ଜୀବନ ଆଉ ନାହିଁ । ଗୁଡ଼ାଏ ଅପୋଗଣ୍ଡ ଅଳ୍ପବୟସ ଗଧଛୁଆଙ୍କୁ ପ୍ରତିଦିନ ସେଇ ସାମାଜିକ ବିଜ୍ଞାନ କିମ୍ବା ଇତିହାସ ଭୂଗୋଳ ପଢ଼େଇ ଚାଲିବା ଅତ୍ୟନ୍ତ ବିରକ୍ତିକର କାମ । ପ୍ରତିଦିନ ସେଗୁଡ଼ାଙ୍କ ସହିତ ପାଞ୍ଚ ଛଅଘଣ୍ଟା ବକର ବକର ହେଲେ ମୁଣ୍ଡରୁ ଦହି ଶୁଖିଯାଏ–ଆଉ ପ୍ରାଣରୁ ମଧ୍ୟ ରସ ଶୁଖିଯାଏ । ଏମିତି ଯଦି ତିରିଶିବର୍ଷ ବିତିବ–ତେବେ ଜୀବନଟା ଗଲା ଏହା ଅପେକ୍ଷା ବରଂ ପୋଲିସ ଚାକିରିଟି ଭଲ । ସେ ଜୀବନରେ ଉତ୍ତେଜନା ଅଛି–ଅଜଣା ଆହ୍ୱାନକୁ ମୁକାବିଲା କରିବାରେ ଗୋଟାଏ ଉନ୍ମାଦନା ଅଛି । କିନ୍ତୁ ଏ ମାଷ୍ଟର ଚାକିରୀ ? ଛି–ଛି ।

 

ଦୁଇ ଯୁବକଙ୍କଠାରୁ ଏକଥା ଶୁଣିଲା ପରେ ଡହରାନନ୍ଦ କହିଲେ–

 

ତୁମେମାନେ ଯାହା କହୁଛ–ଠିକ୍‍ କହୁଛ । ତୁମେମାନେ ଯେ ତୁମ କାମରୁ ସନ୍ତୋଷ ପାଇ ପାରୁନାହଁ–ଏହା ମୁଁ ବୁଝିପାରୁଛି । କିନ୍ତୁ ମୁଁ ବୁଝିପାରୁନି–ଯୋଉ କାମ ତୁମକୁ ଭଲଲାଗେ ନାହିଁ, ଏବଂ ଯେଉଁ କାମରୁ ତୁମେ ଆନନ୍ଦ ପାଉନାହଁ–ସେ କାର୍ଯ୍ୟ ତୁମେ ମୂଳରୁ ଗ୍ରହଣ କଲ କାହିଁକି ?

 

ଶିକ୍ଷକ ଯୁବକଟି କହିଲେ–ଡହରାନନ୍ଦଜୀ ! ଆମର ଆଉ ଅନ୍ୟ ଉପାୟ ନ ଥିଲା । ତା’ଛଡ଼ା ବେକାର ହୋଇ ଆଉ କେତେଦିନ ବସିଥାନ୍ତୁ ? ଆମର ଯେ ଶିକ୍ଷାଗତ ଯୋଗ୍ୟତା ଓ ଦୈହିକ ଯୋଗ୍ୟତା, ସେଥିରେ ମୋର ବନ୍ଧୁ ଇଞ୍ଜିନିୟର ହୋଇପାରି ନ ଥାନ୍ତେ କି ମୁଁ ମଧ୍ୟ ପୋଲିସ ଅଫିସର ହୋଇ ପାରି ନ ଥାନ୍ତି । ଆମ ମନ ଜାଣି ଭଗବାନ ଆମକୁ ଯୋଗ୍ୟତା ଦେଇନାହାନ୍ତି କି ବୃତ୍ତିଟିଏ ମଧ୍ୟ ଦେଇନାହାନ୍ତି ।

 

ଡହରାନନ୍ଦ ହସି ହସି କହିଲେ–ଭଗବାନଙ୍କୁ ବୃଥାଟାରେ ଆମ ଭିତରକୁ ଆଣ ନାହିଁ । ଭଗବାନ ଯଦି ଅଛନ୍ତି–ତେବେ ସେ ଦିନରାତି ପ୍ରତିଟି ମୁହୂର୍ତ୍ତ ତାଙ୍କ କାମରେ ଲାଗିଛନ୍ତି ଏବଂ ମୋର ମନେହୁଏ ଖୁବ୍‍ ଆନନ୍ଦରେ ସେ ତାଙ୍କ କାମ କରି ଚାଲିଛନ୍ତି । ତାଙ୍କ ପାଇଁ ପ୍ରୀତିକର ବା ଅପ୍ରୀତିକର କାମ ବୋଲି କିଛି ନାହିଁ । ସବୁ କାମକୁ ସେ ନିଜର ବୋଲି ଭାବନ୍ତି ଓ ସବୁକାମକୁ ଖୁବ୍‍ ଆନନ୍ଦ ଉତ୍ସାହରେ ସେ କରି ଚାଲିଛନ୍ତି । ସେ ମଧ୍ୟ କାହା ଆଗରେ ତୁମ ଭଳି ଅଭିଯୋଗ ବାଢ଼ୁନାହାନ୍ତି କିନ୍ତୁ ତୁମ୍ଭମାନଙ୍କ ଦୋଷ ହେଲା–ତୁମେମାନେ ତୁମ ଯୋଗ୍ୟତା ସମ୍ବନ୍ଧେ ଜାଣିକରି ମଧ୍ୟ ଖୁବ୍‍ ଅଧିକା ଆଶାକରୁଛ ଏବଂ ଯୋଉ କାମ ତୁମକୁ ମିଳିଛି–ସେ କାମଟିକୁ ତୁମେ ଦିନେ ବି ବୁଝିବାକୁ ଚେଷ୍ଟା କରିନାହଁ କିମ୍ବା ସେଥିସହ ନିଜକୁ ସଂଲଗ୍ନ କରୁନାହଁ । ତେଣୁ ତୁମମାନଙ୍କୁ ଆନନ୍ଦ କିପରି ମିଳିବ ? ସବୁ କର୍ମ ଆନନ୍ଦକର ହୋଇପାରେ ଏବଂ ନିରାନନ୍ଦକର ବି ହୋଇପାରେ । କିନ୍ତୁ ଦୋଷଟି କର୍ମରେ ନାହିଁ–ଦୋଷ ରହିଛି ତୁମ ଭିତରେ । ବର୍ତ୍ତମାନ ଗପଟିଏ କହୁଛି ଶୁଣ–ସବୁ ବୁଝି ପାରିବ... ।

 

ଥରେ ଗୋଟିଏ ସହର ଉପକଣ୍ଠରେ ମନ୍ଦିରଟିଏ ତିଆରି ହେଉଥିଲା ଏବଂ ସେଥିପାଇଁ ବହୁ ଶ୍ରମିକ ପଥର କାଟିବାରେ ନିଯୁକ୍ତ ହୋଇଥିଲେ । ଦିନେ ମୁଁ ସେଇବାଟ ଦେଇ ଯାଉଥିଲି । ମନ୍ଦିର ତିଆରିର ଏତେବଡ଼ ଆୟୋଜନ ଦେଖି ମୋର କୌତୁହଳ ହେଲା । ମୁଁ ଜଣେ ପଥର କଟାଳୀ ପାଖକୁ ଯାଇ ତାକୁ ପଚାରିଲି–କ’ଣ କରୁଛ ଭାଇ ? ଲୋକଟିର ମୁହଁ ଥିଲା ଶୁଷ୍କ ଆଉ ଗୁରୁଗମ୍ଭୀର । ଏପରିକି ସେ ସତେକି ନିଜ ଉପରେ ରାଗିକରି ରହିଥିଲା । ମୋ ଆଡ଼କୁ ମୁହଁ ନ ଟେକି ସେ ବିରକ୍ତ ସ୍ୱରରେ କହିଲା–କ’ଣ କରୁଛି–ତାହା କ’ଣ ତୁମେ ଦେଖି ପାରୁନ ?

 

ଏଭଳି ଉତ୍ତର ଶୁଣି ମୁଁ ତାକୁ ଆଉ କିଛି ନ କହି ଆଉ ଜଣେ ପଥର କଟାଳୀ ପାଖକୁ ଗଲି ଏବଂ ତାକୁ ବି ସେଇ ଏକା ପ୍ରଶ୍ନ ପଚାରିଲି–ହଇଓ ଭାଇ ! କ’ଣ କରୁଛ ? ଲୋକଟି ପଥର କାଟିକା ବନ୍ଦକରି ମୋ ଆଡ଼କୁ ଚାହିଁଲା । ତାର ମୁହଁ ଖୁବ୍‍ ଶୁଖିଲା ଦିଶୁଥିଲା ଓ ଚାହାଣୀରେ ନିରାଶା ଭରି ରହିଥିଲା । ସେ କରୁଣ କଣ୍ଠରେ ଉତ୍ତର ଦେଲା–କ’ଣ ଆଉ କରିବି ଆଜ୍ଞା ! ପେଟ ଚାଖଣ୍ଡକ ପାଇଁ ଜୀବନଟା ଏଇ ପଥର କାଟିକାଟି ଗଲା । ଏତିକି କହି ସେ ପୁଣି ତଳକୁ ମୁହଁ ପୋତି ପଥର ଖଣ୍ଡିକୁ କାଟି ଲାଗିଲା । ମୋର ମନେହେଲା–ପଥର କାଟିବା ବାହାନାରେ ସତେକି ସେ ନିଜ ହୃଦୟକୁ କାଟିଚାଲିଛି !!

 

ଏହାପରେ ମୁଁ ଆଉ ଜଣେ ପଥରକଟାଳୀ ପାଖକୁ ଗଲି । ସେ ଲୋକଟି ଥିଲା ହୃଷ୍ଟପୁଷ୍ଟ । ତା’ ମୁହଁଟି ବଡ଼ ଖୁସି ଦିଶୁଥିଲା । ସେ ଖଣ୍ଡିଏ ପାନ ଖାଇ ବାରମ୍ବାର ଛେପ କାଢ଼ୁଥିଲା ଓ ପାକୁଳି କରୁଥିଲା । ସେ ବେଶ୍‍ ଆରାମଦାୟକ ଭଙ୍ଗୀରେ ବସି ପଥରଟିକୁ କାଟି ଚାଲିଥିଲା । ମୁଁ ତା’ପାଖକୁ ଯାଇ ପଚାରିଲି–କ’ଣ କରୁଛ ଭାଇ ? କ’ଣ ଚାଲିଛି ? ଲୋକଟି ବଡ଼ ଉତ୍ସାହିତ ଢଙ୍ଗରେ ମୁଣ୍ଡଟେକି ମୋତେ ଚାହିଁଲା ଓ ପାଟିରେ ପାନ ଚାକୁଳୀ ଚାକୁଳୀ ହସିହସି କହିଲା–ଆଜ୍ଞା-! ଆମେ ଗୋଟିଏ ମନ୍ଦିର ତିଆରି କାମରେ ଲାଗିଛୁ । ମନ୍ଦିରଟିକୁ ଛଅମାସ ଭିତରେ ଶେଷ କରିବାକୁ ହେବ । ମୋ ଭଳି ପ୍ରାୟ ଶହେଜଣ ସରିକି ମିସ୍ତ୍ରୀ ଆଉ ପଥର କଟାଳୀ ଏଥିରେ ଲାଗିଛନ୍ତି । ଏଇ ପନ୍ଦରଦିନ ହେଲା କାମ ଆରମ୍ଭ ହେଲା । ଆଜ୍ଞା ! ଏ ସହରରେ ଯେତେ ମନ୍ଦିର ଅଛି–ସବୁଠାରୁ ଆମର ଏ ମନ୍ଦିରଟି ଉଚ୍ଚା ଆଉ ସୁନ୍ଦର ହେବ । ଏହା କହି ଲୋକଟି ପୁଣି ମୁହଁ ତଳକୁ କରି ତା’ କାମରେ ମନ ଦେଲା । ମୁଁ ସେଠାରୁ କିଛି ଦୂରକୁ ଯାଇ ଆଉ ଜଣେ ପଥର କଟାଳୀ ପାଖେ ପହଞ୍ଚିଲି । ସେ ଥିଲେ ଅପେକ୍ଷାକୃତ ବୟସ୍କ ବ୍ୟକ୍ତି । ପଚାଶ ବର୍ଷରୁ ଅଧିକ ବୟସ-। ତାଙ୍କ ମୁଣ୍ଡ ଥିଲା ଲଣ୍ଡା ଏବଂ ମୁଣ୍ଡର ଶେଷଭାଗରେ ଚୁଟିଟିଏ ଥିଲା । ସେ ବେକରେ ତୁଳସୀମାଳି ପିନ୍ଧିଥିଲେ । ତାଙ୍କ କପାଳରେ ପୂର୍ବଦିନ ପିନ୍ଧିଥିବା ତିଳକ ଚିତା ଥିଲା । ସେ ଖଣ୍ଡିଏ ପାନ କଳରେ ଜାକି ମନ ମୁନ ଚଇତନକୁ ଏକାଠି କରି ଏକ ଧ୍ୟାନରେ ପଥର କାଟୁଥିଲେ-। ତାଙ୍କୁ ଦେଖିଲେ ମନେ ହେଉଥିଲା ଯେ ସେ ପଥର କାଟିବା ସଙ୍ଗେ ସଙ୍ଗେ ବୋଧହୁଏ ମନେ ମନେ ତାଙ୍କର ଇଷ୍ଟ ମନ୍ତ୍ର ଜପ କରୁଛନ୍ତି । ଲୋକଟିକୁ ଦେଖି ମୋ ମନରେ ସମ୍ଭ୍ରମ ଭାବ ଜାତ ହେଲା-। ମୁଁ ତାଙ୍କ ପାଖେ ପହଞ୍ଚି ପଚାରିଲି–ନମସ୍କାର ଭାଇ ! କ’ଣ କରୁଛ ଏତେ ମନଧ୍ୟାନ ଦେଇ ?

 

ଲୋକଟି ମୋ କଥା ଶୁଣି ଧ୍ୟାନରୁ ଉଠିଲା ଭଳି ମୁହଁ ଟେକି ମତେ ଚାହିଁଲେ । ତା’ ପରେ ତାଙ୍କ ଓଠରେ ଏକ ରହସ୍ୟମୟ ସ୍ମିତହାସ୍ୟ ଖେଳିଗଲା । ସେ କିଛିମୁହୂର୍ତ୍ତ କାମ ବନ୍ଦ କରି ମୋତେ କହିଲେ–ଆମେ ଗୋଟିଏ ମନ୍ଦିର ଗଢ଼ୁଛୁ ଆଜ୍ଞା । ଏ ମନ୍ଦିରଟି ହେବ ଏ ସହରର ସବୁଠାରୁ ଉଚ୍ଚା ଆଉ ସୁନ୍ଦର ମନ୍ଦିର । ଏହି ମନ୍ଦିରଟିରେ ଜଗନ୍ନାଥ ପ୍ରତିଷ୍ଠା ହେବେ । ବହୁତ ମନ୍ଦିର ମୋ ଦିହକରେ ମୁଁ ଗଢ଼ି ସାରିଲାଣି ଆଜ୍ଞା । ତିରିଶି କି ଚାଳିଶି ହେବ । ଶିବମନ୍ଦିର, ଦୁର୍ଗାମନ୍ଦିର, ରାମମନ୍ଦିର କୃଷ୍ଣମନ୍ଦିର । କିନ୍ତୁ ଜଗନ୍ନାଥ ମନ୍ଦିର ଗଢ଼ିବା କେବେ ମୋ ଭାଗ୍ୟରେ ନ ଥିଲା । ଜଗନ୍ନାଥେ ଆମର ଇଷ୍ଟ ଦେବତା ଆଜ୍ଞା । ଜୀବନର ଶେଷକାଳକୁ ଜଗନ୍ନାଥଙ୍କ କୃପା ହେଲା । ଏଠି ତାଙ୍କର ମନ୍ଦିର ଗଢ଼ା ହେଉଛି । ମତେ ଏ ସୁଯୋଗ ମିଳିଲା । ବହୁ ଭାଗ୍ୟ ଆଜ୍ଞା । ହେ ପ୍ରଭୁ ଜଗନ୍ନାଥେ ! ଏତିକି କହି ଲୋକଟି ତା ଦୁଇହାତ ମଥାରେ ରଖି ନମସ୍କାର କଲା ଓ ତା’ପରେ ତଳକୁ ମୁହଁପୋତି ତା’ ପଥରକଟା କାମରେ ପୁନଶ୍ଚ ମନଧ୍ୟାନ ଦେଇ ଲାଗିଗଲା । ଲୋକଟି ମୁହଁରୁ ଏତକ ଶୁଣି ଓ ତା’ର ହାବଭାବ ଦେଖି ମୋତେ ଖୁବ୍‍ ଭଲ ଲାଗିଲା ଓ ମୋର ହୃଦୟ ପୂର୍ଣ୍ଣ ହୋଇଗଲା ଭଳି ଲାଗିଲା । ମୁଁ ଲୋକଟି ଆଡ଼କୁ ଆଉ କିଛି ମୁହୂର୍ତ୍ତ ସମ୍ଭ୍ରମରେ ଚାହିଁ ରହିଲି । ମୋର ମନେହେଲା–ଲୋକଟି ପଥର କାଟୁଛି–ନା ଜପ କରୁଛି–ନା ଧ୍ୟାନ କରୁଛି–ନା ଭଜନ ଗାଉଛି ? ତା’ ପରେ ମୁଁ ସେଠାକୁ ଚାଲିଆସିଲି । କିନ୍ତୁ ସେହି ଛବିଟି ମୋ ମନରେ ସବୁବେଳେ ଲାଖରହିଛି । ମୁଁ ଅନେକ ଯୁବକଙ୍କୁ ବିଭିନ୍ନ ସମୟରେ ଏ ଗପଟି କହିଛି । ତୁମ୍ଭେମାନେ ସମସ୍ତେ ଉଚ୍ଚଶିକ୍ଷିତ । ସେହି ପଥର–କଟାଳୀଠାରୁ ତୁମେମାନେ ବେଶୀ ରୋଜଗାର କରୁଛ ଓ କମ ପରିଶ୍ରମ ମଧ୍ୟ କରୁଛ । କିନ୍ତୁ ସେହି ମୂର୍ଖ ଦରିଦ୍ର ପଥର କଟାଳୀଟି ତା’ର କର୍ମକୁ ନେଇ ଖୁସୀ । ତା’ କାମ ତାକୁ ବେଶୀ ପଇସା ଦେଇନାହିଁ–କିନ୍ତୁ ତାକୁ ଦେଇଛି ଯଥେଷ୍ଟ ଆନନ୍ଦ ଆଉ ପରିପୂର୍ଣ୍ଣତା ।–ତୃପ୍ତି ଆଉ କୃତଜ୍ଞତା...

 

ଡହରାନନ୍ଦ ଏତିକି କହି ଚୁପ ରହିଲେ । କିନ୍ତୁ ବ୍ୟାଙ୍କରେ ହିସାବ କର୍ମ କରୁଥିବା ଓ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ଯୁବକ ଦୁହେଁ କ’ଣ ତାଙ୍କର କର୍ମକୁ ଏହିପରି ଗ୍ରହଣ କରିପାରିବେ ? କେଜାଣି ?

☆☆☆

 

ହଜିବା, ଖୋଜିବା ଓ ପାଇବା ପ୍ରସଙ୍ଗ

 

ସମ୍ବଲପୁରରେ ଥିଲାବେଳେ ଦିନେ କେତେଜଣ ଧାର୍ମିକ ପ୍ରୌଢ଼ବ୍ୟକ୍ତି ବାବା ଡହରାନନ୍ଦଙ୍କ ସନ୍ଧାନ ପାଇ ତାଙ୍କ ସହିତ କିଛି ଧର୍ମୀୟ ତତ୍ତ୍ୱ ବିଷୟରେ ଆଲୋଚନା କରିବାକୁ ଆସିଲେ । ସେତେବେଳେ ଡହରାନନ୍ଦ ତାଙ୍କ ପୁତୁରା ଘରେ ଅଇଁଠା–ପାଲିରେ ଅବସ୍ଥାନ କରୁଥିଲେ । ସେ ଯେଉଁ ଘରେ ରହୁଥିଲେ ତା’ର ନାମ ଥିଲା ‘ଅରୁଣୋଦୟ’ । ଏହା ଥିଲା ଗୋଟିଏ ଦ୍ଵିତଳ ପ୍ରାସାଦ । ସବା ଉପର ଛାତରେ ଦଣ୍ଡାୟମାନ ହେଲେ ସେଠାରୁ ପୂର୍ବଦିଗରେ ସୂର୍ଯ୍ୟୋଦୟ ଖୁବ୍‍ ଚମତ୍କାର ଦେଖାଯାଏ ।

 

ସେଦିନ ଥିଲା ବୁଦ୍ଧପୂର୍ଣ୍ଣିମା । ସେହି ମୁକ୍ତ ପରିବେଶରେ ପୂର୍ଣ୍ଣିମା ଜହ୍ନ ସତେ କି ତରଳି ଚାରିଆଡ଼େ ବୋହିଯାଉଥିଲା । ଅଦୂରରେ ବୁଢ଼ାରାଜା ପାହାଡ଼ଟି ଚନ୍ଦ୍ରାଲାକରେ ଉଦ୍‌ଭାସିତ ହୋଇ ଏକ ରହସ୍ୟମୟ ସ୍ୱର୍ଗଲୋକର ଭ୍ରମ ସୃଷ୍ଟି କରୁଥିଲା । ଡହରାନନ୍ଦଙ୍କୁ ଘେରି ସମ୍ବଲପୁର ନିବାସୀ ସେହି ଧର୍ମତତ୍ତ୍ୱ ଜିଜ୍ଞାସୁ ବ୍ୟକ୍ତିମାନେ ଛାତ ଉପରେ ବସି କିଛି ସମୟ ନିର୍ମଳ ଜ୍ୟୋତ୍ସ୍ନାଲୋକରେ ଧ୍ୟାନସ୍ଥ ହୋଇ ବସିଲେ । ହୀରାକୁଦ ଜଳଭଣ୍ଡାରକୁ ସ୍ପର୍ଶ କରି ଶୀତଳ ସମୀରଣ ବହୁଥାଏ । ସେହି ଶାନ୍ତ ନୀରବ ପରିବେଶକୁ ସ୍ପନ୍ଦିତ କରି ଜଣେ ଆଗନ୍ତୁକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ମଣିଷ ତା’ ଜୀବନରେ କାହାକୁ ଖୋଜିବା ଉଚିତ ? ଏବଂ କାହାକୁ ମଧ୍ୟ ପ୍ରାପ୍ତ ହେବା ଉଚିତ ? ଦୟାକରି ଏହାର ଏକ ସରଳ ଓ ଅଭ୍ରାନ୍ତ ସମଧାନ ଆମକୁ ଦିଅନ୍ତୁ ।

 

ଡହରାନନ୍ଦ ଏହା ଶୁଣି ହସି ହସି କହିଲେ–ବନ୍ଧୁଗଣ ! ଏ ପ୍ରଶ୍ନ ବଡ଼ ଜଟିଳ । ନିଧାର୍ଯ୍ୟ ଭାବେ ମୁଁ ଏହାର ଏକ ସର୍ବଜନଗ୍ରାହ୍ୟ ଉତ୍ତର ଦେଇ ପାରିବ ନାହିଁ । ତେବେ ମୁଁ ଗୋଟିଏ ଗଳ୍ପ ଜାଣିଛି–ତାହା କହୁଛି, ଶୁଣନ୍ତୁ ।

 

ଡହରାନନ୍ଦ କହିବାକୁ ଆରମ୍ଭ କଲେ–

 

ବହୁତଦିନ ତଳେ ଜଣେ ମହୀୟସୀ ସୁଫି ସାଧିକା ଥିଲେ । ତାଙ୍କ ନାମ ‘ରୁବିୟା ଆଲ୍ ଆଦାଉଇଆ’ । ସୁଫିମାନେ ହେଲେ ମୁସଲମାନ ଧର୍ମର ଏକ ବୈଷ୍ଣବ ସମ୍ପ୍ରଦାୟ । ଆଲ୍ଲାଙ୍କୁ ସେମାନେ ପ୍ରେମଭକ୍ତିର ଆବେଗ ଦ୍ୱାରା ଉପାସନା କରନ୍ତି । ଏବଂ ଆମ ବୈଷ୍ଣବମାନଙ୍କ ଭଳି ଆଲ୍ଲାଙ୍କ ବିରହରେ ସର୍ବଦା ଘାରିହୋଇ କାନ୍ଦୁଥାନ୍ତି । ପ୍ରଭେଦ ଏତିକି ଯେ ଆମ ବୈଷ୍ଣବମାନେ ଭଗବାନଙ୍କୁ ପ୍ରେମିକ ବୋଲି ଭାବନ୍ତି । କିନ୍ତୁ ସୁଫିମାନେ ଆଲ୍ଲାତାଲ୍ଲାଙ୍କୁ ତାଙ୍କର ପ୍ରେମିକା ବୋଲି ମନେ କରନ୍ତି ।

 

ଦିନେ ସେହି ସୁଫି ସାଧିକା ରୁବିୟା ରାସ୍ତା ଉପରେ ବସି କ’ଣ ଖୋଜୁଥିଲେ । ସେ ଖୁବ୍‍ ବୁଢ଼ୀ ହୋଇ ଯାଇଥିଲେ । ତାଙ୍କ ଆଖିକୁ ମଧ୍ୟ ଆଉ କିଛି ଦେଖାଯାଉ ନଥିଲା । ବହୁ କଷ୍ଟରେ ସେ ରାସ୍ତା ଉପରେ ବସି କ’ଣ କିଛି ପାଇଁ ଅଣ୍ଡାଳି ହେଉଥିଲେ । ତାହା ଦେଖି ଚାରିଆଡ଼ୁ ଭକ୍ତମାନେ ଆସି ଜମିଗଲେ । ପଚାରିଲେ–ମା ! କ’ଣ ଖୋଜୁଛ କହ–ଆମେ ଖୋଜିଦେବୁ । ରୁବିୟା କହିଲେ–ମୁଁ କ’ଣ ଖୋଜୁଛି ବୋଲି ପଚାର ନାହିଁ । ମୁଁ ମୋର ଖୋଜୁଛି । ତୁମେ ଯଦି ମତେ ସାହାଯ୍ୟ କରିପାରିବ କର ।

 

ଭକ୍ତମାନେ ହାତଯୋଡ଼ି କହିଲେ–ମା ! ଆମେ ଆପଣଙ୍କର ଭକ୍ତ ହୋଇ ନ ଥିଲେ ଭାବିବାକୁ ବାଧ୍ୟ ହୋଇଥାନ୍ତୁ ଯେ, ଆପଣ ପାଗଳ ହୋଇ ଯାଇଛନ୍ତି । ଆପଣ କ’ଣ ଖୋଜୁଛନ୍ତି ନ ଜାଣିଲେ ଆମେ ଆପଣଙ୍କୁ ଖୋଜିବାରେ ଭଲା ସାହାଯ୍ୟ କରିବୁ କିପରି ?

 

ରୁବିୟା କହିଲେ–ହଉ ହେଲା ଏବେ–ତୁମମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ କହୁଛି ଯେ, ମୋର ଗୋଟିଏ ଛୁଞ୍ଚି ହଜିଯାଇଛି ।

 

ଏହା ଶୁଣି ସମସ୍ତେ ରାସ୍ତାରେ ଛୁଞ୍ଚି ଖୋଜି ବସିଲେ । ବହୁ ସମୟ ଖୋଜିଲେ । ତା’ପରେ ଭାବିଲେ–ଏତେବଡ଼ ରାସ୍ତାରେ ଏତେ ସାନ ଛୁଞ୍ଚିଟିଏ ହଜିଯାଇଛି । କୋଉଠି ହଜିଛି ଆମେ କେମିତି ଜାଣିବା ? ସେମାନେ ପୁଣି ପଚାରିଲେ–ମା ! ଠିକ୍‍ କୋଉ ଜାଗାରେ ଛୁଞ୍ଚିଟିକୁ ହଜାଇଛନ୍ତି କହନ୍ତୁ–ଆମେ ଖୋଜିଦେବୁ । ତା’ ନ ହେଲେ ଏତେବଡ଼ ରାସ୍ତାରେ ସାମାନ୍ୟ ଛୁଞ୍ଚିଟିଏ ଖୋଜି ପାଇବା ମହାକଷ୍ଟ । କୋଉଠି ଆପଣ ଛୁଞ୍ଚିଟିକୁ ହଜାଇଲେ ?

 

ରୁବିୟା କହିଲେ–ତୁମେମାନେ ପୁଣି ଗୋଟାଏ ଅବାନ୍ତର ପ୍ରଶ୍ନ ପଚାରିଲ । ମୋର ଏଇ ଖୋଜିବା ସଙ୍ଗେ ସେ ପ୍ରଶ୍ନର ସମ୍ପର୍କ କ’ଣ ?

 

ଭକ୍ତମାନେ କହିଲେ–ମା ! ଖୋଦାତାଲ୍ଲାଙ୍କୁ ଦୋଷ ଦେଇ ହେବ ନାହିଁ । କାରଣ, ତାଙ୍କର ଲୀଳା ବଡ଼ ବଡ଼ ମୁଲ୍ଲାମାନଙ୍କୁ ବି ଅଗୋଚର । ଆପଣଙ୍କୁ ମଧ୍ୟ ଆମର ଅବିଶ୍ୱାସ ନାହିଁ । କାରଣ, ଆପଣ ଆଲ୍ଲାତାଲ୍ଲାଙ୍କର ଲୀଳା–ସହଚରୀ । ଆମ୍ଭେମାନେ ସୀମିତ ବୁଦ୍ଧିର ଲୋକ । ଆମ ସୀମିତ ବିଚାରରେ ଛାଏଁ ଛାଏଁ ଭାବି ହୋଇଯାଉଛି ଯେ, ବାର୍ଦ୍ଧକ୍ୟ ହେତୁ ଆପଣଙ୍କର ମୁଣ୍ଡ ଖରାପ ହୋଇଗଲାଣି ।

 

ଏହା ଶୁଣି ସୁଫି ଶିରୋମଣି ରୁବିୟା ସାମାନ୍ୟ ମଧୁର ବିରକ୍ତି ପ୍ରକାଶ କରି କହିଲେ–ହଉ–ହେଲା ଏବେ ! ତୁମମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ କହିବି ଯେ, ମୁଁ ସେହି ଛୁଞ୍ଚିଟିକୁ ମୋର ଶୋଇବା ଘରେ ହଜାଇ ଦେଇଛି ।

 

ଭକ୍ତମାନେ ସମସ୍ୱରରେ କହିଲେ–ତା’ହେଲେ ମା ! ଘରେ ନ ଖୋଜି ଆପଣ ତାକୁ ବାହାରେ ଆସି ଖୋଜୁଛନ୍ତି କାହିଁକି ଓ ଆମକୁ ବୃଥାଟାରେ ଖୋଜାଉଛନ୍ତି ମଧ୍ୟ କାହିଁକି ?

 

ରୁବିୟାଙ୍କର ମୁହଁ ଖୁବ୍‍ ଉଜ୍ଜ୍ୱଳ ହୋଇ ଉଠିଲା । ସେ ତାଙ୍କର ପାକୁଆ ପାଟିରେ ହସି ହସି କହିଲେ–

 

ଯେ ପର୍ଯ୍ୟନ୍ତ ମୋ ଘର ଭିତରେ ଆଲୁଅ ଥିଲା, ସେ ପର୍ଯ୍ୟନ୍ତ ମୁଁ ଛୁଞ୍ଚିଟିକୁ ମୋ ଘର ଭିତରେ ଖୋଜୁଥିଲି । ବର୍ତ୍ତମାନ ସୂର୍ଯ୍ୟ ଅସ୍ତ ହେବା ଉପରେ । ଏଇ ରାସ୍ତା ଉପରେ ହିଁ ସାମାନ୍ୟ ଆଲୋକ ରହିଛି । ବିନା ଆଲୁଅରେ ମୁଁ ଛୁଞ୍ଚିଟିକୁ ଖୋଜିବି କିପରି ? ପାଇବି ମଧ୍ୟ କିପରି ?

 

ଏହା ଶୁଣି ସମବେତ ତତ୍ତ୍ୱଜିଜ୍ଞାସୁମାନେ ହୋ ହୋ ହୋଇ ହସି ଉଠିଲେ । ତା’ପରେ ଜଣେ ଜିଜ୍ଞାସୁ ପଚାରିଲେ–

 

ଡହରାନନ୍ଦଜୀ ! ଆପଣ ଯେଉଁ କଥାଟି କହିଲେ ତାହା ଶୁଣି ବଡ଼ ଆନନ୍ଦ ଲାଗିଲା । କିନ୍ତୁ ଏହା ବଡ଼ ଗୂଢ଼ ବିଷୟ । ସନ୍ଥ ଶିରୋମଣି ରୁବିୟା ପ୍ରକୃତରେ ତେବେ କ’ଣ ଖୋଜୁଥିଲେ ?

 

ସମବେତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଚଟାପଟ୍‍ କହି ଉଠିଲେ–

 

ମାତା ରୁବିୟା ପ୍ରକୃତରେ ଭଗବାନଙ୍କୁ ଖୋଜୁଥିଲେ । ନା କ’ଣ ଡହରାନନ୍ଦଜୀ ?

 

ଡହରାନନ୍ଦଜୀ କହିଲେ–

 

ନା, ନା–ଏତେ ଶୀଘ୍ର ଆପଣ ଘଟଣା ଭିତରକୁ ଭଗବାନଙ୍କୁ ଡାକିଆଣନ୍ତୁ ନାହିଁ । ରୁବିୟା ମାତା ପ୍ରକୃତରେ ଆଲୋକ ହିଁ ଖୋଜୁଥିଲେ ।

 

ଜଣେ ଜିଜ୍ଞାସୁ ପଚାରିଲେ–ଆଜ୍ଞା ! ଯଦି ସେ ଆଲୋକ ଖୋଜୁଥିଲେ,ତେବେ ସୂର୍ଯ୍ୟାସ୍ତ ପରେ ରାସ୍ତାରୁ ମଧ୍ୟ ଆଲୋକ ଚାଲିଯିବ । ଯେପରି ଘର ଭିତରୁ ଚାଲିଗଲା । ତା’ପରେ ରୁବିୟା ମାତା ଆଉ କୋଉଠି ଭଲା ଆଲୋକ ଖୋଜିବେ ?

 

ଡହରାନନ୍ଦ ଉତ୍ତରଦେଲେ–ଏହା ପରେ କିନ୍ତୁ ରୁବିୟା ନିଜ ଅନ୍ତରାଲୋକକୁ ଅଣ୍ଡାଳିବେ । କାରଣ ଏହାପରେ ତାଙ୍କର ଅନ୍ତର ଭିତରେ ହିଁ ସ୍ଥାୟୀ ଆଲୋକ ଜଳି ଉଠିବ ।

 

ସମବେତଙ୍କ ଭିତରୁ ଆଉ ଜଣେ ଜିଜ୍ଞାସୁ କହିଲେ–ତା’ ହେଲେ ଡହରାନନ୍ଦଜୀ ! ଏକଥାରୁ କ’ଣ ଆମେ ଏଇଆ ବୁଝିବା ଯେ, ଭଗବାନ ହିଁ ଆମର ଏକମାତ୍ର ଖୋଜିବାର ଓ ପାଇବାର ବସ୍ତୁ । ଏବଂ ତାକୁ ପାଇବା ପୂର୍ବରୁ ଆମକୁ ଆଗ ଆମ ଅନ୍ତରର ଆଲୋକକୁ ଖୋଜିବାକୁ ହେବ ?

 

ଡହରାନନ୍ଦଜୀ କହିଲେ–ଭଗବାନଙ୍କ କଥା ମତେ ପଚାରନ୍ତୁ ନାହିଁ । କାରଣ, ମୁଁ ତାଙ୍କୁ ସମ୍ବନ୍ଧେ କିଛି ଜାଣେନାହିଁ-। ତେବେ ଆମର ଅନ୍ତର ଭିତରେ ଆଲୋକକୁ ଖୋଜିବା ହିଁ ଆମର ଏକମାତ୍ର ଖୋଜିବା ଓ ସେହି ଆଲୋକକୁ ପାଇବା ତ ଆମର ଏକମାତ୍ର ପାଇବା । ସେହି ଆଲୋକଟିର ସନ୍ଧାନ ପାଇଲେ–ହୁଏତ ଆମ ଆଖିରେ ଛୁଞ୍ଚିଟାଏ ଯେମିତି ହଠାତ୍‍ ଦୃଶ୍ୟ ହେବ, ସେମିତି ଭଗବାନ ମଧ୍ୟ ହଠାତ୍‍ ଦିଶିଯାଇ ପାରନ୍ତି ।

☆☆☆

 

ଦିଆନିଆ ଓ ଦେଣନେଣ ସମ୍ପର୍କରେ

 

ବାରିପଦାରୁ ଫେରି ବାବା ଡହରାନନ୍ଦ ବେତନଟୀରେ ଆସି ପହଞ୍ଚିଲେ । ସେଠାରେ ତାଙ୍କର ଜଣେ ବାଲ୍ୟବନ୍ଧୁ ତାଙ୍କ ପୁଅବୋହୂଙ୍କ ପାଖେ ଅବସର ଜୀବନ ବିତାଉଥିଲେ । ଡହରାନନ୍ଦ ଏ ଖବର ପାଇ ବନ୍ଧୁଙ୍କୁ ସଙ୍ଖୋଳିବାକୁ ବେତନଟୀ ଆସିଲେ । ବନ୍ଧୁଙ୍କ ଗୃହରେ ପହଞ୍ଚିବା ମାନେ ବନ୍ଧୁ ଓ ତାଙ୍କର ପୁଅବୋହୂ ଖୁବ୍‍ ଖୁସି ହୋଇ ତାଙ୍କୁ ସେମାନଙ୍କ ପାଖେ ମାତ୍ର ଦୁଇଟିଦିନ ରହିବାକୁ ସାଗ୍ରହ ଅନୁରୋଧ କଲେ । ଡହରାନନ୍ଦ ସେଠାରେ ଥିଲାବେଳେ ଖବର ପାଇ ବେତନଟୀର କେତେକ ଜୀବନବାଦୀ ଅନୁସନ୍ଧିତ୍ସୁ ଯୁବକ ଦିନେ ଅପରାହ୍ନରେ ତାଙ୍କ ପାଖେ ପହଞ୍ଚିଲେ ଓ ନାନାବିଧ ଆଳାପ ଆଲୋଚନା ପରେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଏ ସଂସାରରେ ଆମେ ନାନାପ୍ରକାର ସମ୍ପର୍କରେ ବାନ୍ଧିହୋଇ ରହିଛୁ । ମଣିଷ ମଣିଷ ଭିତରେ ସମ୍ପର୍କ ଯେତେ ଦୃଢ଼ ଆଉ ଗଭୀର ହେବ ଜୀବନ ସେତେ ମଧୁର ଆଉ ପରିପୂର୍ଣ୍ଣ ଲାଗିବ । କିନ୍ତୁ ଆମେ ଯାହା ବୁଝୁଛୁ ଏ ସଂସାରରେ ସମ୍ପର୍କ ରଖିବା ବଡ଼ କଷ୍ଟକର କାର୍ଯ୍ୟ-। ସମାଜ କହନ୍ତୁ, ପରିବାର କହନ୍ତୁ–କୌଣସିଠାରେ ଆମର ସମ୍ପର୍କ କାହା ସହିତ ସେତେ ଦୃଢ଼, ଗଭୀର ଆଉ ଆନନ୍ଦପୂର୍ଣ୍ଣ ହୋଇପାରୁ ନାହିଁ । ଏପରିକି ପାରିବାରିକ ସମ୍ପର୍କ ମଧ୍ୟ ଆମକୁ ଅତି ତୁଚ୍ଛ ଲାଗିଲାଣି । ଏହାର କାରଣ କ’ଣ କହନ୍ତୁ । ମାନବୀୟ ସମ୍ପର୍କ ପ୍ରକୃତରେ କାହା ଉପରେ ନିର୍ଭର କରେ ?

 

ଡହରାନନ୍ଦ ଗୋଟିଏ ଖଟ ଉପରେ ତକିଆରେ ଭରାଦେଇ ପ୍ରଶ୍ନଟି ଶୁଣୁଥିଲେ । ତା’ପରେ ସେ କିଛି ସମୟ ସେହିପରି ଚୁପ୍‌ଚାପ୍‍ ରହି ସିଧା ବସିଲେ ଓ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ । ଶୁଣ ବାବୁମାନେ ! ତୁମେ ଯାହା କହିଲ ସମ୍ପୂର୍ଣ୍ଣ ଠିକ୍‍ କଥା । ମଣିଷ ତା’ର ଜୀବନରେ ଆନନ୍ଦ ପ୍ରତିଷ୍ଠା କରିବାକୁ ଏଠି ଜନ୍ମ ହୋଇଛି ଏବଂ ଏହି ଆନନ୍ଦ କିପରି ପ୍ରତିଷ୍ଠିତ ହେବ, ଯଦି ତୁମେ ଅନ୍ୟ ସହିତ ନିର୍ମଳ ଭାବପୂର୍ଣ୍ଣ ସମ୍ପର୍କ ନ ରଖ ? ଏବଂ ଏହି ନିର୍ମଳ ଭାବପୂର୍ଣ୍ଣ ସମ୍ପର୍କ–ତାହା ପିଲାମାନଙ୍କ ସହିତ ହେଉ ବା ବାପମାଆଙ୍କ ସହିତ ହେଉ–ଅଥବା ବନ୍ଧୁବାନ୍ଧବ ଭିତରେ ହେଉ–କିମ୍ବା ସ୍ୱାମୀ ସ୍ତ୍ରୀ ଭିତରେ ହେଉ–ତାହା ଯଦି କେବଳ ସ୍ୱାର୍ଥ ଉପରେ ପ୍ରତିଷ୍ଠିତ ହୋଇଥାଏ, ତେବେ ସେ ସମ୍ପର୍କରେ କିଛି ଗଭୀରତା ନ ଥାଏ–ସ୍ୱାଦ ମଧ୍ୟ ନ ଥାଏ । ସ୍ୱାଦ ହିଁ ଆନନ୍ଦ ଦିଏ । କିନ୍ତୁ ଏ ସଂସାରର ସମ୍ପର୍କ ସମ୍ବନ୍ଧମାନ ଯାହା ଦେଖାଯାଏ, ତାହା କେବଳ ନେଣଦେଣ ବ୍ୟାପାର । ଦିଆନିଆ ବ୍ୟାପାର ନୁହେଁ । ତେଣୁ ସେ ସବୁ ସମ୍ପର୍କରେ କିଛି ମୂଲ୍ୟ ନାହିଁ ।

 

ଜଣେ ଯୁବକ ପଚାରିଲେ–

 

ଡହରାନନ୍ଦଜୀ ! ନେଣଦେଣ ସମ୍ପର୍କ ଓ ଦିଆନିଆ ସମ୍ପର୍କ ଭିତରେ କ’ଣ ପ୍ରଭେଦ ?

 

ଡହରାନନ୍ଦ କହିଲେ–ନେଣଦେଣ ସମ୍ପର୍କ ହେଲା–ମୁଁ ତୋତେ ଏତେ ଜିନିଷ ଦେଲି । ତା’ ବଦଳରେ ତୁ ମୋତେ ସେତିକି ବା ତା’ଠାରୁ ଅଧିକା କରି ଦେବୁ । ଏହା କେବଳ ବସ୍ତୁ ଦିଆନିଆ ଉପରେ ନିର୍ଭର କରିଥାଏ । ଭାବ ସହିତ ଏହାର ସମ୍ପର୍କ ନାହିଁ । ଏହି ବସ୍ତୁଗତ ନେଣଦେଣ ସମ୍ପର୍କରେ ଗୋଟିଏ ଅଧମ ସ୍ତର ମଧ୍ୟ ରହିଛି । ସେହି ସ୍ତରରେ ଜଣେ କେବଳ ଅନ୍ୟଠାରୁ ବସ୍ତୁ ଦାବି କରି ଆଦାୟ କରୁଥାଏ । ନିଜଆଡ଼ୁ କୌଣସି ବସ୍ତୁ ତାକୁ ଦିଏ ନାହିଁ । ଏହି ସମ୍ପର୍କ ମଟୋ ହେଲା–‘‘ତୁ ଦଉଥିବୁ–ମୁଁ ଖାଉଥିବି, ତୋର ସୁନ୍ଦର ମୁହଁକୁ ଚାହୁଁଥିବି । ତୁ ନଦବୁ କି ମୁଁ ନ ଖାଇବି, ତୋର ପୋଡ଼ପାଡ଼ ମୁହଁ ନ ଚାହିଁବି’’ । ଏ ସଂସାରରେ ପ୍ରାୟ ଶତକଡ଼ା ଅନେଶୋତ ସମ୍ପର୍କ ଏହି ବସ୍ତୁଗତ ନେଣଦେଣର ସମ୍ପର୍କ । ଏହା ସ୍ଥାୟୀ ହୋଇପାରେନା–ଗଭୀର ହୋଇ ପାରେନା କିମ୍ବା ଆନନ୍ଦଦାୟକ ହୋଇ ପାରେନା ।

 

କିନ୍ତୁ ଦିଆନିଆର ସମ୍ପର୍କ ହେଲା–ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ ଭାଗବତ ସମ୍ପର୍କ । ଭାବାବେଗର ଉଦାରତା, ଗଭୀରତା ଓ ଶୁଦ୍ଧତା ହିଁ ଏହି ସମ୍ପର୍କକୁ ରକ୍ଷା କରିଥାଏ ଓ ଦୁଇଜଣକ ଭିତରେ ଏହି ଶୁଦ୍ଧ ଭାବାବେଶ ସର୍ବଦା ଗତାଗତ କରୁଥାଏ । ଏହି ସମ୍ପର୍କରେ ଭାବଇ ମୁଖ୍ୟ । ଏଥିରେ ପରସ୍ପର ପରସ୍ପରକୁ ଦେଇ ଚାଲିଥାନ୍ତି ଓ ନେଇ ମଧ୍ୟ ଚାଲିଥାନ୍ତି । ଏଥିରେ ଯେ ଭାବ ଦେଉଥାଏ ସେ ଯେମିତି ଉଦାର ଓ ଅକୁଣ୍ଠିତ ଭାବେ ଭାବ ଢାଳି ଲାଗିଥାଏ–ଯେ ଭାବ ଗ୍ରହଣ କରୁଥାଏ, ସେ ମଧ୍ୟ ସେମିତି ଉଦାର ଓ ଅକୁଣ୍ଠିତ ଭାବେ ଭାବ ସଂରକ୍ଷଣ କରୁଥାଏ ଏବଂ ଏହି ଭାବଗତ ସମ୍ପର୍କ ହିଁ ମଣିଷକୁ ବଞ୍ଚିବାର ଆନନ୍ଦ ଦିଏ–ପରିପୂର୍ଣ୍ଣତା ବି ଦିଏ । ଏହା ହିଁ ଭାବମଧୁର ସମ୍ପର୍କ । ଏଥିରେ ଦେଲାବାଲା ଯେମିତି ସୁନ୍ଦର–ନେଲାବାଲା ବି ସେମିତି ସୁନ୍ଦର । ଏହି ସମ୍ପର୍କ ଭିତରେ ଆତ୍ମାର ବୁଝାମଣା ହୋଇ ଚାଲିଥାଏ । ପ୍ରାଣ ଓ ମନର ମିଳନ ମଧ୍ୟ ହୋଇଥାଏ । ମାତ୍ର ଏ ପ୍ରକାର ସମ୍ପର୍କ ତୁମର ଏହି ସଂସାରରେ ଶତକଡ଼ା ଗୋଟିଏ ବା ଦୁଇଟି ସ୍ଥାନରେ ଯଦି ଦେଖାଯାଏ–ତେବେ ବହୁତ ଅଛି ବୋଲି ଜାଣିବ । ମୁଁ ବର୍ତ୍ତମାନ ତୁମର ଏହି ସାଂସାରିକ ବା ପାରିବାରିକ ସମ୍ପର୍କରେ ଗୋଟିଏ କରୁଣ ଓ କୁତ୍ସିତ ଉଦାହରଣ ଦେଉଛି ଶୁଣ ।

 

ବୁଢ଼ାଟି ବହୁଦିନ ରୋଗ ଭୋଗି ମୃତ୍ୟୁଶଯ୍ୟାରେ ଥାଇ ସ୍ତ୍ରୀ ଓ ତା’ର ପୁଅମାନଙ୍କୁ ପାଖକୁ ଡାକିଲା । ଚାରିପୁଅ–ଚାରିବୋହୂ, ଦୁଇଝିଅ–ଦୁଇ ଜୋଇଁ, ଆଠ କି ନଅ ନାତି ନାତୁଣୀ । ମୁମୂର୍ଷୁ ବୁଢ଼ାଟି ବଡ଼ ପୁଅକୁ ପାଖକୁ ଡାକି କହିଲା–ବାବୁରେ ଶୁଣ । ମୋର ଶେଷବେଳା ଆସି ପହୁଞ୍ଚିଗଲା । କୋଉ ମୁହୂର୍ତ୍ତରେ ଯମରାଜା ମତେ ଡାକିନେବେ, ଠିକ୍‍ ନାହିଁ । ବର୍ତ୍ତମାନ ମୁଁ ଯାହା କହୁଛି ଶୁଣ । କେତେ ଲୋକଙ୍କଠାରୁ ଆମର କ’ଣ ପ୍ରାପ୍ୟ ଅଛି, ମୁଁ କହୁଛି ତୁ ଟିପିନେ । ସେମାନଙ୍କଠାରୁ ଧୀରେ ସୁସ୍ଥେ ଆଦାୟ କରିନେବୁ । ବଡ଼ପୁଅ ଖାତା ଆଉ ଡଟ୍‌ପେନ୍‍ ଧରି ଉତ୍ସୁକ ହୋଇ ବସିଲା । ବୁଢ଼ା କହିଲା–ଲେଖ୍‍ ! ରମେଶବାବୁ ତାଙ୍କ ଝିଅ ବାହାଘରକୁ ନେଇଥିଲେ ଦୁଇହଜାର ଟଙ୍କା । ଦେଇନାହାନ୍ତି–ଦେବେ । ଗୋପାଳ ପ୍ରଧାନ ତା’ ଘର ଛାତ ପଡ଼ିଲା ବେଳକୁ ପାଞ୍ଚହଜାର ଟଙ୍କା ନେଇଥିଲା–ଚାରିହଜାର ଦେଇଛି । ଆଉ ହଜାରେ ବାକି ଅଛି । ଶ୍ୟାମ ରାଉତ କ୍ୟାପିଟାଲରେ ଜମି କିଣିଲା ବେଳକୁ ତିନିହଜାର ଟଙ୍କା ନେଇଥିଲା । ଟଙ୍କାଟାଏ ବି ଶୁଝିନାହିଁ । ରାଜେନ୍ଦ୍ର ସାମଲ ତା’ ପୁଅ ଦୋକାନ କରିବ ବୋଲି ଦୁଇହଜାର ଟଙ୍କା ନେଇଛି–ଦେଢ଼ ହଜାର ସୁଝିଛି । ଆଉ ପାଞ୍ଚଶ ଅଛି । ମନେକରି ତା’ଠାରୁ ଆଦାୟ କରିବୁ । ବ୍ୟାଙ୍କ ଆଉ ପୋଷ୍ଟାଲ ଆକାଉଣ୍ଟରେ ଦେଢ଼ଲକ୍ଷ ଟଙ୍କା ଅଛି–ସେତେକ ଭାଇମାନେ ବାଣ୍ଟି କରିନବ । ତୋ’ ବୋଉ ନାମରେ....

 

ବୁଢ଼ାର ସ୍ତ୍ରୀ ଏତିକି ଶୁଣୁ ଶୁଣୁ ହର୍ଷୋତ୍‌ଫୁଲ୍ଲ ହୋଇ କହିଲା–ଦେଖରେ ପିଲାମାନେ ଦେଖ । ତୁମ ବାପାଙ୍କର ଅସାଧାରଣ ସ୍ମରଣ ଶକ୍ତି କଥା ମୁଁ ତୁମମାନଙ୍କ ଆଗରେ କେତେଥର ନ କହିଛି ? ମଲାବେଳେ ଆମର କାହାଠାରୁ କେତେ ପାଇବାକୁ ହେବ ସବୁ ଡିଟେଲ୍‍ ମନେ ରଖି କହିଯାଉଛନ୍ତି । ହଁ–କହିବଟି ହଇଓ କହିଯାଅ, କହିଯାଅ–ମୋ ନାମରେ କ’ଣ କେତେ ରଖିଛ ଟି-!!

 

ମରିବାକୁ ଯାଉଥିବା ବୁଢ଼ାଟି ବିଚାରା କିଛି ସମୟ ଖାଲି ପାଟି ପାକୁ ପାକୁ କଲା । ତା’ ପାଟି ଶୁଖି ଅଠା ହୋଇ ଯାଉଥିଲା । ତାହା ଦେଖି ବଡ଼ପୁଅ ତା’ ମାଆ ଉପରେ ବିରକ୍ତ ହୋଇ କହିଲା–ରହ ମା’ ପାଟି କରନା । ବାପା ଆଉ କ’ଣ ସବୁ କହିବାକୁ ଯାଉଛନ୍ତି ।

 

ଏତିକିବେଳେ ମୁମୂର୍ଷୁ ବାପ ପୁଣି ପ୍ରାଣପଣେ ଚେଷ୍ଟା କରି କହିବାକୁ ଆରମ୍ଭ କଲେ–

 

ଦୀନବନ୍ଧୁବାବୁ ଆମଠାରୁ ପାଇବେ ପନ୍ଦରଟଙ୍କା । ମୁଁ ତାଙ୍କଠାରୁ ଗତଥର ପୁରୀ ଜଗନ୍ନାଥ ଦର୍ଶନବେଳେ ହାତଉଧାରି କରିଥିଲି । ଆମ ଇନ୍ଦ୍ରମଣି ପାଇବ ଶହେ ତିରିଶ ଟଙ୍କା । କୋଠଜମି ବିକ୍ରୀ ହେଲା ଦିନୁ ତା’ ଟଙ୍କା ମୋ ପାଖେ ଅଛି । ସେ ନେଇନି । ତାକୁ ଦେଇଦେବ । ମଧୁ ଭାଇନାଙ୍କଠାରୁ ଦୁଇଶଟଙ୍କା ଥରେ ଧାର କରିଥିଲି । ଦୁଇବର୍ଷ ହୋଇଗଲାଣି । ତାଙ୍କୁ ଶୀଘ୍ର ଦେଇଦେବ । ସେ ଭାରି ଆଭାବି ଲୋକ...

 

ଏତିକି ଶୁଣୁ ଶୁଣୁ ବୁଢ଼ାର ସ୍ତ୍ରୀ ପାଟି କରି ଉଠିଲା–ଆରେ ରମେଶ । ଚଞ୍ଚଳ ତୁଳସୀ ପତ୍ର ବୁଡ଼ାଇ ମାହାର୍ଦ୍ଦ ପାଣି ବାପାଙ୍କ ପାଟିରେ ଦେ । ତାଙ୍କର ବେଳ ହୋଇଗଲା । ଆଉ ମଥାରେ ଠିକ୍‍ ନାହିଁ–ସେ ବିଳି ବିଳେଇଲେଣି । ହେ ଜଗନ୍ନାଥେ ! ମୁଁ କ’ଣ କରିବିଟି !

 

ବୁଢ଼ା ନ ମରୁଣୁ ବୁଢ଼ୀ ତା’ର ବିଧବା କାନ୍ଦଣା ଆରମ୍ଭ କରି ବାହୁନା ପକାଇ ଲାଗିଲା ।

 

ଏବେ ବୁଝିଲ ତ ବାବୁମାନେ ! ସଂସାରରେ ନେଣଦେଣ ସମ୍ପର୍କ କ’ଣ ?

☆☆☆

 

Unknown

ଆଲ୍ଲାଙ୍କ ମୁଲ୍ଲା ନା, ମୁଲାଙ୍କ ଆଲ୍ଲା

 

ଏହି ଗଳ୍ପଟି ଡହରାନନ୍ଦଜୀ ଯାଜପୁର ସହରର କେତେକ ଯୁବକଙ୍କ ଆଗରେ ବୟାନ କରିଥିଲେ । ଯାଜପୁରରେ ଅବସ୍ଥାନ କାଳରେ ଡହରାନନ୍ଦଜୀ ପ୍ରତିଦିନ ସନ୍ଧ୍ୟାବେଳେ ବୈତରଣୀ ନଦୀକୂଳସ୍ଥ ଦଶାଶ୍ୱମେଧ ଘାଟରେ ଯାଇ ବସୁଥିଲେ ଓ ସେଠାରେ ମନୋରମ ସୂର୍ଯ୍ୟାସ୍ତ ଉପଭୋଗ କରୁଥିଲେ । କ୍ରମେ କେତେକ ଯୁବକ ତାଙ୍କୁ ଚିହ୍ନିପାରି ତାଙ୍କ ପାଖେ ଯାଇ ହଜାର ହେଲେ ଏବଂ ଲାଗ୍‌ଲାଗ୍‍ ତିନୋଟି ସନ୍ଧ୍ୟା ସେମାନେ ଡହରାନନ୍ଦଜୀଙ୍କ ରସମୟ ସାନ୍ନିଧ୍ୟ ଓ ବିଜ୍ଞ–ଆଲୋଚନା ଉପଭୋଗ କରିବାର ସୁଯୋଗ ପାଇଥିଲେ । ଦିନେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଆମେ ବରାବର ପଢ଼ିଆସିଛୁ ଓ ଶୁଣିଆସିଛୁ ଯେ ମଣିଷର ହୃଦୟରେ ଦୟା, ଅନୁକମ୍ପା, କରୁଣା ଓ ସହାନୁଭୂତି ଇତ୍ୟାଦି ଅନୁଭବ ଗୁଡ଼ିକ ସ୍ୱର୍ଗୀୟ ଗୁଣ ଏବଂ ଏ ଗୁଣଗୁଡ଼ିକ ଥିଲେ ମଣିଷ ଦେବତା ପାଲଟି ଯାଏ ଓ ଏ ଗୁଣଗୁଡ଼ିକର ଅଭାବରେ ମଣିଷ ହୋଇଉଠେ ଏକ ପଶୁ । କିନ୍ତୁ ମୁଁ ଯେତେ ଚେଷ୍ଟାକଲେ ମଧ୍ୟ ଏହି ଦୟା, ସହାନୁଭୂତି ଇତ୍ୟାଦି ଅନୁଭବଗୁଡ଼ିକ ପ୍ରକୃତରେ କ’ଣ ତାହା ବୁଝିପାରୁ ନାହିଁ । ଦୟା କରି ଏହି ଅନୁଭବଗୁଡ଼ିକ କିପରି ଓ ଏଗୁଡ଼ିକ ଭିତରେ ଗୁଣଗତ ପାର୍ଥକ୍ୟ କ’ଣ, ତାହା ବୁଝାଇ ଦିଅନ୍ତୁ ।

 

ଡହରାନନ୍ଦ ଏତେବେଳ ଯାଏ ଆଖିବୁଜି ନଦୀକୂଳର ନୀରବତାକୁ ଅନୁଭବ କରୁଥିଲେ-। ବର୍ତ୍ତମାନ ପ୍ରଶ୍ନଟି ଶୁଣି ଆଖିଖୋଲି କହିଲେ–

 

କୌଣସି ସଦ୍‌ଗୁଣ ମଣିଷକୁ ଦେବତା କରିଦିଏ ନାହିଁ । ଦେବତାଟିଏ ହେବା ମଧ୍ୟ ମଣିଷର ଲକ୍ଷ୍ୟ ହେବା ଉଚିତ ନୁହଁ । ସେହିପରି ଯେତେ ଖରାପ ହେଲେ ମଧ୍ୟ ମଣିଷ ପଶୁ ହୋଇପାରିବ ନାହିଁ । କାରଣ, ମଣିଷ ଗୋଟିଏ କ୍ରମବିକାଶଶୀଳ ପ୍ରାଣୀ । ଦେବତାମାନଙ୍କର କ୍ରମବିକାଶ ନାହିଁ । ସେମାନେ ମୂଳରୁ ଯେପରି ଥିଲେ ସେପରି ଅଛନ୍ତି ଓ ପରେ ମଧ୍ୟ ସେହିପରି ଥିବେ । କିନ୍ତୁ ମଣିଷ ଜାତି କ୍ରମେ କ୍ରମେ ବିକାଶ ପାଇ ଚାଲିଛି ଓ କେଉଁଠି ଯାଇ ତା’ର ବିକାଶର ଶେଷ ହେବ ତାହା କହିହେବନାହିଁ । ମହାନ୍‍ ମନୀଷୀମାନେ କହୁଛନ୍ତି–ବର୍ତ୍ତମାନର ଏହି ମଣିଷ ଜାତି ଆଗକୁ ଗତି କରି କରି ଦିନେ ଅତିମାନବରେ ପରିଣତ ହେବ । ତା’ପରେ ସେ କ’ଣ ହେବ, ଏତେ ଆଗରୁ କହିହେବ ନାହିଁ । ଅସଲ କଥା ହେଲା–ଗୋଟିଏ ମଣିଷ ଭିତରେ ଏପରି ସବୁଗୁଣ ଆସିବା ଉଚିତ ଏବଂ ମଣିଷ ଏପରି ସବୁ କର୍ମ କରିବା ଉଚିତ, ଯାହାକି ତାକୁ ଏଇ ଅତିମାନବ ହେବା ପଥରେ ଆଗେଇ ନେବ । କିଛି ନହେଲେ ଅନ୍ତତଃ–ମଣିଷଟିଏ ହୋଇ ରହିବ । ମଣିଷଟିଏ ଯଦି ଅଗ୍ରଗତି ନ କଲା ତେବେ ସେ ଗୋଟିଏ ବଦ୍ଧ ସ୍ଥାନରେ ଆବଦ୍ଧ ରହି ରହି ଦିନେ ଶେଷ ପାଇଯିବ । ଏବଂ ମଣିଷ ଯଦି ତଳକୁ ତଳକୁ ଗତି କଲା–ତେବେ ସେ ଆଉ ପଶୁ ସ୍ତରରେ ରହିବ ନାହିଁ । ସେ ଏକବାର ଯାଇ ରସାତଳରେ ପହଞ୍ଚିବ–ମାନେ ପିଶାଚ ପାଲଟି ଯିବ । ଏହାହିଁ ସବୁ ଯୁଗରେ ଘଟିଛି ଏବଂ ବର୍ତ୍ତମାନ ମଧ୍ୟ ଘଟୁଛି ।

 

ଏତିକିବେଳେ ଜଣେ ଯୁବକ ପଚାରିଲେ–ମହାଶୟ, ମଣିଷ ଓ ପଶୁ ଭିତରେ ତା’ହେଲେ ଅସଲ ପାର୍ଥକ୍ୟଟି କ’ଣ ?

 

ଡହରାନନ୍ଦ କହିଲେ–ପଶୁ ବା ପକ୍ଷୀମାନଙ୍କୁ ଆମେ ଯାହା ଭାବୁ–ସେମାନେ ଏପରି ଖରାପ ନୁହଁନ୍ତି । ସେମାନେ ଖୁବ୍‍ ସରଳ ଓ ସ୍ୱାଭାବିକ । ସେମାନଙ୍କ ପ୍ରକୃତିରେ ବକ୍ରତା କିଛି ନାହିଁ–କୁଟୀଳତା କିଛି ନାହିଁ । ସେମାନେ ଭଲ ପାଆନ୍ତି ମାନେ ଭଲ ପାଆନ୍ତି । ରାଗନ୍ତି ମାନେ ରାଗନ୍ତି ।

 

ଦୟା ଦେଖାନ୍ତି ମାନେ ଦୟା ଦେଖାନ୍ତି । ଆକ୍ରମଣ କରନ୍ତି ମାନେ ଆକ୍ରମଣ କରନ୍ତି । ସେମାନଙ୍କର ଛଳନା ନାହିଁ–ସେମାନଙ୍କ ପ୍ରତାରଣା ନାହିଁ–ସେମାନଙ୍କ ଭିତରେ ମିଥ୍ୟା ନାହିଁ । ତା’ର କାରଣ, ସେମାନଙ୍କ ଭିତରେ ଯାହା ଯେତିକି ବୁଦ୍ଧି ଅଛି–ତାହା କୂଟକପଟରେ ଆକ୍ରାନ୍ତ ନୁହେଁ । ସେମାନେ ସେମାନଙ୍କର ଅନୁଭବକୁ ଲୁଚାନ୍ତି ନାହିଁ । ନିଜ ଉଦ୍ଦେଶ୍ୟ ବା ଅଭିରୁଚିକୁ ଚରିତାର୍ଥ କରିବା ପାଇଁ ଗୋଟାଏ ଭାବକୁ ଲୁଚାଇ ଆଉ ଗୋଟାଏ ଭାବ ଦେଖାନ୍ତି ନାହିଁ । ସେମାନଙ୍କ ଉଦ୍ଦେଶ୍ୟ ପୂରଣ ଲାଗି ସେମାନେ କୌଶଳ କରନ୍ତି–କିନ୍ତୁ, ମଣିଷ ଭଳି ଆହାରର ଥୋପପକାଇ ନିଜପାଇଁ ଆହାର ସଂଗ୍ରହ କରନ୍ତି ନାହିଁ । ଜନ୍ତା ବସାଇ ଶିକାର ଧରନ୍ତି ନାହିଁ । ପଶୁମାନେ ମୈଥୁନ କରନ୍ତି–ମାତ୍ର ମଣିଷ ଭଳି ଅନ୍ୟକୁ ଧର୍ଷଣ କରନ୍ତି ନାହିଁ । ମଣିଷ ତଳକୁ ଖସିଲେ ପଶୁ ହୋଇ ପାରିବ ନାହିଁ । କାରଣ ମଣିଷ ସେତିକିବେଳେ ତଳକୁ ଖସେ–ଯେତେବେଳେ ତା’ର ସରଳ ଶୁଭ ବୁଦ୍ଧିଟି ବା ତା’ର ସୃଜନଶୀଳ ବୁଦ୍ଧିଟି ବକ୍ର ହୋଇଯାଏ ଓ ତା’ର ପ୍ରକୃତିକୁ ବିକୃତ କରିଦିଏ–ଅସ୍ୱାଭାବିକ କରିଦିଏ । ପଶୁ କିନ୍ତୁ ତଳକୁ ଖସେ ନାହିଁ । କାରଣ ତା’ର ବିକୃତି ନାହିଁ କି ଅସ୍ୱାଭାବିକତା ନାହିଁ । ମଣିଷ ତା’ର ପ୍ରକୃତିର ବିକୃତି ହେତୁ କ୍ରମେ ଏକ ପିଶାଚରେ ପରିଣତ ହୁଏ-। ପିଶାଚ ବୋଲି ଏକ ସ୍ୱତନ୍ତ୍ର ପ୍ରାଣୀ ନାହିଁ । ଆମର ଏଇ ମଣିଷମାନଙ୍କ ଭିତରେଇ ଅସଂଖ୍ୟ ମଣିଷ–ମୁଖାଧାରୀ ପିଶାଚ ଅଛନ୍ତି ।

 

ଏତିକିବେଳେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ପଶୁମାନଙ୍କ ଭିତରେ କ’ଣ ଏହି ଦୟା, କରୁଣା, ଅନୁକମ୍ପା, ସହାନୁଭୂତି ଅଛି ?

 

ଡହରାନନ୍ଦ କହିଲେ–ନିଶ୍ଚୟ ଅଛି । ଇତର ପ୍ରାଣୀମାନଙ୍କ ଭିତରୁ ଅନେକ ପ୍ରାଣୀଙ୍କ ଭିତରେ ଖୁବ୍‍ ସ୍ପଷ୍ଟ, ସରଳ ଓ ଶୁଦ୍ଧ ଭାବରେ ଏହି ଦୟା, ସହାନୁଭୂତି ଇତ୍ୟାଦି ଗୁଣ ଦେଖାଯାଏ । କୁକୁର, ବିରାଡ଼ି, ଗୋରୁ, ଘୋଡ଼ା, ହାତୀ ଏବଂ କେତେକ ପକ୍ଷୀ ମଧ୍ୟ ଏହି ସବୁ ସଦ୍‌ଗୁଣ ଦେଖାଇ ଥିବାର ଉଦାହରଣ ଅଭାବ ନାହିଁ ।

 

ଜଣେ ଯୁବକ ପଚାରିଲେ–କିନ୍ତୁ ମହାଶୟ ! ହାତୀଭଳି କେତେକ ପଶୁଙ୍କ ଭିତରେ ପ୍ରତିଶୋଧ ପରାୟଣତା ମଧ୍ୟ ଦେଖାଯାଏ ।

 

ଡହରାନନ୍ଦ କହିଲେ–ହଁ ! ତାହା ଦେଖାଯାଏ । କିନ୍ତୁ ତାହା ମଧ୍ୟ ବେଶ୍‍ ସରଳ ଓ ସ୍ୱାଭାବିକ । ମାତ୍ର ପୈଶାଚିକ ମଣିଷ ଯେବେ ପ୍ରତିଶୋଧ ନିଏ, ସେତେବେଳେ ସେ ନାନାଦି ଛଳନା ଓ କପଟତାର ଆଶ୍ରୟ ନେଇଥାଏ । ଏପରିକି ସତ୍ୟ, ଧର୍ମ, ନ୍ୟାୟ, ପ୍ରେମ ଇତ୍ୟାଦିର ଛଳନା କରି ବା ଉପଲକ୍ଷ୍ୟ କରି ମଣିଷ ବହୁ ପୈଶାଚିକ କାର୍ଯ୍ୟ କରିଥାଏ । ମଣିଷମାନେ ସାଧାରଣତଃ ଯେଉଁସବୁ ଦୟା, ସହାନୁଭୂତି ଦେଖାନ୍ତି–ସେସବୁ ପଛରେ ମଧ୍ୟ କୌଣସି ସରଳ ସଳଖ ଶୁଦ୍ଧ ଅନୁଭବ ନଥାଏ । ଏପରିକି ଧର୍ମ ନାମରେ ବି ମଣିଷ ଏକ କପଟ ସହାନୁଭୂତି ଦେଖାଇ ଥାଏ । ଗପଟିଏ କହୁଛି ଶୁଣ ।

 

ଏକ ଇସ୍‌ଲାମୀୟ ରାଷ୍ଟ୍ରର କୌଣସି ଏକ ବଡ଼ସହରରେ ଗୋଟିଏ ଫାଇଭ୍‍ ଷ୍ଟାର ହୋଟେଲର ଛାତ ଉପରେ ଦିନେ ଜଣେ ଯୁବକ ଠିଆ ହୋଇ ବଡ଼ପାଟିରେ ଚିଲାଉଥିଲା ଏବଂ ଧମକ ଦେଉଥିଲା ତଳେ କିଏ ସବୁ ଅଛ ଉଠିଯାଅ । ମତେ ବର୍ତ୍ତମାନ କେହି ଅଟକାଇ ପାରିବେ ନାହିଁ । ମୁଁ ନିଶ୍ଚେ ଆଜି ଏଠୁ ତଳକୁ ଡେଇଁ ଆତ୍ମହତ୍ୟା କରିବି, କରିବି, କରିବି । ଏହା ଶୁଣି ଲୋକେ ଘେରିଗଲେ ଏବଂ ନିକଟବର୍ତ୍ତୀ ଗୋଟିଏ ଛାତ ଉପରେ ଠିଆ ହୋଇ ଟୋକାଟିକୁ ଏପରି ଆତ୍ମଘାତୀ କାର୍ଯ୍ୟ ନ କରିବାକୁ ବାରମ୍ବାର ଅନୁରୋଧ କଲେ । କିନ୍ତୁ ସେ ଟୋକା କାହା କଥା ଶୁଣୁନଥିଲା । ଏହି ସମୟରେ ଜଣେ ମୁଲ୍ଲା ମୌଲବୀ ସେଠାରେ ଆସି ପହୁଁଞ୍ଚିଲେ ଏବଂ ପାଟିକରି ସେହି ଟୋକା ଉଦ୍ଦେଶ୍ୟରେ କହିଲେ–ହେ ଯୁବକ ! ଏ ଅପକର୍ମ କରନାହିଁ । ଆତ୍ମହତ୍ୟା ମହାପାପ-। ସେହି ପାପରେ ତୁମକୁ ନରକରେ ରହିବାକୁ ପଡ଼ିବ । ଆତ୍ମହତ୍ୟା ନକଲେ ତୁମକୁ ସ୍ଵର୍ଗରେ ରହିବାକୁ ମିଳିବ । ଟୋକାଟା ଏହା ଶୁଣି କହିଲା–ମାର ଗୋଲି ତୁମ ସ୍ୱର୍ଗକୁ ଆଉ ନରକକୁ-। ମୋତେ ନରକକୁ ପଠାଇଲେ ମୁଁ ସେଠି ମଧ୍ୟ ଆତ୍ମହତ୍ୟା କରିଦେବି । ସ୍ୱର୍ଗକୁ ପଠାଇଲେ ସେଠି ମଧ୍ୟ ପହଞ୍ଚୁ ପହଞ୍ଚୁ ଆତ୍ମହତ୍ୟା କରିଦେବି ।

 

ଏହା ଶୁଣି ମୁଲ୍ଲା କହିଲେ–ଆରେ ଭ୍ରାନ୍ତ ଯୁବକ ! ତୁମର ଆତ୍ମହତ୍ୟା ଫଳରେ ତୁମର ବାପା ମାଆ କି କଷ୍ଟ ଭୋଗିବେ, ସେକଥା ଥରେ ହେଲେ ଭାବିଛ କି ? ଟୋକାଟି ଚିତ୍କାରକରି କହିଲା–ମୋର ବାପା ମାଆଙ୍କୁ ଗୋଲିମାର । ସେମାନେ ମତେ ଭଲପାନ୍ତି ନାହିଁ । ସେମାନେ ମତେ ତ୍ୟଜ୍ୟପୁତ୍ର କରିଛନ୍ତି । ମୁଲ୍ଲା ଏହା ଶୁଣି କହିଲେ–ତା’ହେଲେ ତୁମ ସ୍ତ୍ରୀ କଥା ଭାବି ଦେଖ । ସେ ବିଚାରୀ ଅନାଥିନୀ ହୋଇଯିବ । ଟୋକାଟି ଏଥର ଖତେଇ ହେଲାପରି କହିଲା–ସ୍ତ୍ରୀ ! ଆହା ହା ! ମୁଁ ତ ସେଇ ଅପ୍‌ସରୀଟି ଲାଗି ଆତ୍ମହତ୍ୟା କରିବାକୁ ବସିଛି । ସେ ଆଉ ଜଣକ ସାଙ୍ଗେ ମୋହବତ୍ ଲଗାଇଛି । ମୁଁ ମଲେ ସେ ତା’ ପ୍ରେମିକକୁ ସାଦି କରିବ । ଏବେ ତା’ ଇଚ୍ଛା ପୂରଣ ହେଉ ।

 

ଏଥର ମୁଲ୍ଲା ଖୁବ୍‍ ବିଚଳିତ ସ୍ୱରରେ କହିଲେ–ହେ ଯୁବକ ! ସାମାନ୍ୟ ସ୍ତ୍ରୀର ଇଚ୍ଛା ପୂରଣ କରନାହିଁ । ସ୍ତ୍ରୀ ମଲେ କି ଗଲେ ଆଉ ଦଶଟା ସ୍ତ୍ରୀ ଆସିବେ । ସେ ଏଇ ଦିନ୍‍ ଦୁନିଆର ମାଲିକ୍‍ ସେହି ଆଲ୍ଲା ବିସ୍ମିଲା, ସେହି ଖୋଦା ତାଲ୍ଲାଙ୍କର ଆଦେଶ ହେଲା–ତାଙ୍କ ବ୍ୟତୀତ ଆଉ କାହାଲାଗି ଜୀବନ ତ୍ୟାଗ କରିବା ଉଚିତ୍‍ ନୁହଁ ।

 

ଟୋକାଟି ଏହା ଶୁଣି ତାତ୍ସଲ୍ୟ କରି କହିଲା–କିଏ ହୋ ସେହି ଆଲ୍ଲା ତାଲ୍ଲା ? ଖୋଦା ବିସ୍ମିଲା ! ମୁଁ ତ ସ୍ୱୟଂ ଭଗବାନଙ୍କ ଅବତାର ରଘୁପତି ରାମଚନ୍ଦ୍ର ଆଉ ପୂର୍ଣ୍ଣବ୍ରହ୍ମଙ୍କ ଅବତାର ଯଦୁପତି ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ଆଦେଶକୁ ବି ଖାତିର୍‍ କରେ ନାହିଁ ।

 

ଏହା ଶୁଣିବା ମାତ୍ରେ ମୁଲ୍ଲା ମୌଲବୀଟି ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଧୀର ସ୍ୱରରେ କହିଲା–ୟେ ଶାଲା ହାରାମୀ କାଫେର୍‍ ଟାଏ । ଯେତେଶୀଘ୍ର ମରିବ–ଆଲ୍ଲା ଖୁସିହେବେ ।

 

ତା’ପରେ ସେ ଟୋକାଟିକୁ ଲକ୍ଷ୍ୟକରି ଉତ୍ସାହ ଦେଲାଭଳି ଚିତ୍କାରକଲା ଆବେ ହାରାମୀ-! ଏତେ ଧମକଉଛୁ କ’ଣ ? ଯଦି ମରଦ୍‍ ହୋଇଥାଉ ତେବେ ଜଲ୍‌ଦୀ ଡେଇଁପଡ଼......

 

କଥା ଶେଷକରି ଡହରାନନ୍ଦ କହିଲେ–ବତ୍ସମାନେ ! ଏବେ କହ–କୋଉ ମଣିଷ ଭିତରେ ସତକୁସତ ପରମ ଦୟା ଆଉ ପରମ ସହାନୁଭୂତି ଆସିପାରେ ?

☆☆☆

 

ଭାଗ୍ୟର ବିଡ଼ମ୍ବନା

 

ଯାଜପୁର ରହଣୀ କାଳରେ ଯାଜପୁର ସହରର ସେହି ଯୁବକମାନେ ଡହରାନନ୍ଦଜୀଙ୍କୁ ପୁଣି ଦ୍ଵିତୀୟଦିନ ସନ୍ଧ୍ୟାରେ ସେହି ଦଶ୍ଵାଶ୍ୱମେଧ ଘାଟରେ ଭେଟିଲେ ଏବଂ ସେଦିନ ସନ୍ଧ୍ୟାରେ ସେମାନେ ତାଙ୍କୁ ଭାଗ୍ୟ, ନିୟତି ଓ ଅଦୃଷ୍ଟ ଇତ୍ୟାଦି ସଂପର୍କରେ ପ୍ରଶ୍ନ କରିଥିଲେ । ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ମଣିଷ କ’ଣ ଭାଗ୍ୟ ବା ନିୟତିର ଦାସ ? ଭାଗ୍ୟ ହାତରେ ଏକ ଅସହାୟ କ୍ରୀଡ଼ନକ ?

 

ଡହରାନନ୍ଦ କହିଲେ–ଭାଗ୍ୟ ବା ନିୟତି ଅବଶ୍ୟ ରହିଛି । କିନ୍ତୁ ତାହା ବଡ଼ ଜଟିଳ ରହସ୍ୟମୟ ବ୍ୟାପାର । ଭାଗ୍ୟ ବା ନିୟତି ଉପରେ ମଧ୍ୟ ରହିଛି ଏକ ପରମଶକ୍ତି ଓ ପରମକରୁଣା ଏବଂ ସବୁ ନିର୍ଦ୍ଧାରିତ ଯୋଜନାକୁ ପଣ୍ଡ କରିଦେବା ଲାଗି ଆଉ ଏକ ପରମ ଶକ୍ତିଙ୍କର ନିରଙ୍କୁଶ ଇଚ୍ଛା ମଧ୍ୟ ରହିଛି । କିନ୍ତୁ ସେକଥା ଛାଡ଼ି ଦେଲେ ବି, ମଣିଷ ମଧ୍ୟ ଏତେ ଅସହାୟ ନୁହଁ । ମଣିଷର ମଧ୍ୟ ସ୍ଵାଧୀନତା ଅଛି, ସେ ତା’ ନିୟତିକୁ ମାନିପାରେ ବା ମାନି ନପାରେ । ମଣିଷ ତା’ର ଜ୍ଞାନ, ବିଜ୍ଞାନ, ସୃଜନକ୍ଷମତା, ଉଦ୍‌ଭବିକା ଶକ୍ତି, ମଙ୍ଗଳଭାବନା, ଶୁଭ ଓ ସ୍ଥିର ସଂକଳ୍ପ, ଜ୍ୱଳନ୍ତ ଅଭିପ୍ସା, ଆକୁତିମୟ ପ୍ରାର୍ଥନା, ସତର୍କତା ସଚେତନତା ଓ ନିଷ୍ଠାପର ଉଦ୍ୟମ ଅଧ୍ୟବସାୟ ବଳରେ ତା’ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ଦୁର୍ଭାଗ୍ୟ ବା ନିୟତିର ଦୁଷ୍ଟ ଯୋଜନାକୁ ବଦଳାଇ ଦେଇପାରେ । ଅପର ପକ୍ଷରେ ମଧ୍ୟ ମଣିଷ ତା’ର ତାମସିକତା, ଅଜ୍ଞାନ, ମାତ୍ସର୍ଯ୍ୟ ଭାବନା, ଅଚେତନତା, ଅସତର୍କକତା ଓ ଅହଂକାରିତା ଯୋଗୁଁ ତା’ର ସୌଭାଗ୍ୟର ଶୁଭ ଯୋଜନାକୁ ମଧ୍ୟ ପଣ୍ଡ କରିଦେଇ ଦୁର୍ଭାଗ୍ୟକୁ ଡାକି ଆଣିପାରେ । ସଂଶୟଶୀଳ, ଧୈର୍ଯ୍ୟହୀନ ଓ ଅକୃତଜ୍ଞ ଅସାବଧାନ ମଣିଷ ପାଇଁ ତୁମେ ସୌଭାଗ୍ୟ–ଲକ୍ଷ୍ମୀକି ଡାକି ଆଣିଲେ ବି ଶେଷରେ ତା’ରି ଅପକର୍ମ ଲାଗି ଭାଗ୍ୟର ଏକ ମହାବିଡ଼ମ୍ବନା ଘଟିଯାଏ ।

 

ଏ ସଂପର୍କରେ ଗଳ୍ପଟିଏ କହୁଛି ଶୁଣ ! ତୁମେ ବୁଝିପାରିବ କିପରି ଜଣକର ଦୁର୍ଭାଗ୍ୟକୁ ଆଉ ଜଣେ ତା’ର ପ୍ରେମ, ସଚେତନତା ଓ ସତର୍କତା ବଳରେ ସୌଭାଗ୍ୟରେ ପରିଣତ କରିଥିଲା, ମାତ୍ର ହଠାତ୍‍ ପୁଣି ତାହା ଦୁର୍ଭାଗ୍ୟରେ ପରିଣତ ହୋଇଗଲା–ଆରଜଣକର ଅଜ୍ଞାନ ଓ ଅହଂକାରିତା ଯୋଗୁଁ । କଥାଟି ଶୁଣ–

 

ମୋ ଜେଜେମା’ଠାରୁ ଏ ଗଳ୍ପଟି ପିଲାଦିନେ ଶୁଣିଥିଲି । ରାଜାପୁଅ ମଂନ୍ତ୍ରୀପୁଅ ଦୁହେଁ ଭାରି ସାଙ୍ଗ–ଯାହାକୁ କହନ୍ତି ଜୀବନ ଦିଆନିଆ ବନ୍ଧୁ । ଦିନେ ଦୁହେଁ ବହୁଦୂରକୁ ପାରିଧି କରିବାକୁ ଗଲେ । ଅଗ୍ନାଗ୍ନି ବନସ୍ତ । ରାତି ହେଲାରୁ ଦୁଇବନ୍ଧୁ ଗୋଟିଏ ଗଛ ଉପରେ ବସି ବିଶ୍ରାମ ନେଲେ । ମନ୍ତ୍ରୀ ପୁଅ ଶୋଇପଡ଼ିଲା । ରାଜାପୁଅ ଜଗିଥାଏ । ସେହି ବଣରେ ଥାଏ ବିରାଟ ଏକ ହ୍ରଦ । ଅଧରାତିରେ ଅବଧାର ଭିତରେ ରାଜାପୁଅ ଦେଖିଲା ଯେ ବିରାଟ ଏକ ସର୍ପରାଜ ଜଙ୍ଗଲ ଭିତରୁ ବାହାରି ସେହି ହ୍ରଦ ଭିତରେ ପଶିଲା । ତା’ମୁଣ୍ଡରେ ଥିଲା ଏକ କ୍ଷୁଦ୍ର ସୂର୍ଯ୍ୟ ଭଳି ଉଜ୍ଜ୍ୱଳ ମଣି । ସେଇ ମଣିର ଆଲୋକରେ ସେ ହ୍ରଦ ଭିତରେ ବାଟ ଫିଟିଗଲା । ରାଜାପୁଅ ମଧ୍ୟ ସାପ ପିଠିରେ ବସି ଯାଇ ପହଁଚିଗଲା ପାତାଳପୁରରେ । ତା’ ପରେ ବହୁତ କଥା ଘଟିଲା । ପାତାଳପୁରର ସାପମାନେ ରାଜାପୁଅକୁ ଦେଖି ତାକୁ ଆକ୍ରମଣ କଲେ । କିନ୍ତୁ ନାଗରାଜାଙ୍କର ସୁନ୍ଦରୀ ଜେମା ଏ ରାଜାପୁଅକୁ ଦେଖି ତା’ ପ୍ରେମରେ ପଡ଼ିଲା ଏବଂ ସାପମାନଙ୍କ କବଳରୁ ତାକୁ ବହୁ କଷ୍ଟରେ ରକ୍ଷା କଲା । ତା’ପରେ ତିନିଦିନ ତିନିରାତି ପରେ ରାଜାପୁଅ ନାଗମାନଙ୍କୁ ପରାସ୍ତ କରି ଓ ସେମାନଙ୍କୁ ସନ୍ତୁଷ୍ଟ କରି ସୁନ୍ଦରୀ ନାଗକନ୍ୟାକୁ ବାହାହେଲେ ଓ ବହୁ ମୂଲ୍ୟବାନ ମଣିମାଣିକ୍ୟ ସହିତ ରାଜଜେମାଙ୍କୁ ଧରି ସେହି ମଣି ସାହାଯ୍ୟରେ ହ୍ରଦ ଭିତରୁ ଉଠି ବାହାରକୁ ଆସିଲା । ଏଣେ ପ୍ରାଣରୁ ବନ୍ଧୁ ରାଜାପୁଅକୁ ନଦେଖି ମନ୍ତ୍ରିପୁଅ ନଖାଇ ନପିଇ ମନଦୁଃଖରେ ସେହି ଗଛମୂଳରେ ମୁହଁ ଶୁଖାଇ ବସିଥାଏ । ଏବେ ରାଜପୁଅ ଓ ତା’ର ସୁନ୍ଦରୀ ଭାର୍ଯ୍ୟକୁ ଦେଖି ସେ ଖୁବ୍‍ ଖୁସୀ ହୋଇଗଲା । ତା’ପରେ ସେମାନେ ଗୋଟିଏ ଶବର ହାତରେ ରାଜଧାନୀକୁ ଖବର ପଠାଇଲେ ଯେ, ରାଜପୁତ୍ର ଓ ତାଙ୍କର ନବବିବାହିତା ରାଜବଧୂଙ୍କୁ ସମ୍ବର୍ଦ୍ଧନା ଦେବାଲାଗି ରାଜା ଯେପରି ଆୟୋଜନ କରନ୍ତି । ସେମାନେ ସେହି ବଣରେ ଗୋଟିଏ ଦିନ ଓ ଗୋଟିଏ ରାତି ବିଶ୍ରାମ ନେଲେ । ସେଦିନ ରାତିରେ ରାଜାପୁଅ ଓ ତା’ର ସୁନ୍ଦରୀ ଭାର୍ଯ୍ୟା ଗଛମୂଳେ ଘୋର ନିଦ୍ରାରେ ଶୋଇଗଲେ । ମନ୍ତ୍ରୀପୁଅ ହାତରେ ଖଣ୍ଡା ଓ ଧନୁଶର ଧରି ଗଛକୁ ଆଉଜି ବସି ରାତିସାରା ସେମାନଙ୍କୁ ଜଗି କରି ବସିଥାଏ । ଅଧରାତି ହେଲା । ସେ ଗଛରେ ହୁଁ ଚଢ଼େଇ ଓ ତା’ ଭାରିଜା ହାଁ ଚଢ଼େଇ ବସା କରିଥାନ୍ତି । ସେ ଦୁହିଁଙ୍କୁ ଆଗତ ଭବିଷ୍ୟତ ଜଣା । ହୁଁ ଚଢ଼େଇ କହିଲା–ବୁଝିଲୁ ହାଁ ! ରାଜାପୁଅ ଏତେ ସରାଗରେ ଏ ସୁନ୍ଦରୀ ନାଗକନ୍ୟାକୁ ବାହାହେଲା ସିନା କିନ୍ତୁ ଭୋଗ କରିପାରିବ ନାହିଁ । ହାଁ ଚଢ଼େଇ କହିଲା–କାହିଁକି ମ, ଏତେ ଅଲକ୍ଷଣା କଥା କହୁଛ । ହୁଁ ଚଢ଼େଇ କହିଲା–ଏମାନେ ଯେତେବେଳେ ରାଜଧାନୀରେ ପଶିବେ–ସେତେବେଳେ ଏମାନଙ୍କୁ ସମ୍ବର୍ଦ୍ଧନାଦେବାକୁ ତିଆରି ହୋଇଥିବା ତୋରଣଟି ହଠାତ୍‍ ରାଜାପୁଅ ଉପରେ ଭାଙ୍ଗିପଡ଼ିବ । ସେ ମରିଯିବ । ହାଁ ଚଢ଼େଇ କହିଲା–ଠିକ୍‍ ଅଛି । ଯଦି ତା’ ଆଗରୁ ମନ୍ତ୍ରୀପୁଅ ସେ ତୋରଣଟାକୁ ଭାଙ୍ଗିଦେବ ? ହଁ ଚଢ଼େଇ କହିଲା–ତେବେ ରାଜାପୁଅ ବଞ୍ଚିଯିବ । କିନ୍ତୁ ତା’ ପରେ ଗଡ଼ରେ ପଶିବାକୁ ଗଲାବେଳେ ଗଡ଼ଖାଇରେ ଯୋଉ ପୋଲଟା ଅଛି ସେଇଟା ଭାଙ୍ଗି ପଡ଼ିବ । ରାଜାପୁଅ ଗଡ଼ଖାଇର ଗଭୀର ପାଣିରେ ବୁଡ଼ି ମରିଯିବ । ହାଁ ଚଢ଼େଇ କହିଲା–କିନ୍ତୁ ତା’ ପୂର୍ବରୁ ଯଦି ମନ୍ତ୍ରୀପୁଅ ସେମାନଙ୍କୁ ପୋଲରେ ନନେଇ ନୌକାରେ ବସାଇ ଗଡ଼ଖାଇ ପାର କରାଇ ଦେବ ? ହୁଁ ଚଢ଼େଇ କହିଲା–ତା’ ହେଲେ ରାଜାପୁଅ ବଞ୍ଚିଯିବ ? କିନ୍ତୁ ମଧୁଶଯ୍ୟା ରାତିରେ ଗୋଟେ ନାଗଶାପ ଘର ଭିତରେ ପଶି ସେ ଦୁହେଁ ନିଦରେ ଶୋଇଥିବା ବେଳେ ରାଜାପୁଅକୁ କାମୁଡ଼ିଦେବ–ସେ ମରିଯିବ । ହାଁ ଚଢ଼େଇ କହିଲା–ଯଦି ତା’ ଆଗରୁ ମନ୍ତ୍ରୀପୁଅ ସେ ନାଗସାପଟାକୁ ଖଣ୍ଡାରେ ହାଣିଦେବ ? ଏଥର ହୁଁ ଚଢ଼େଇ ଖାଲି କହିଲା ‘ହୁଁ’ । ତା’ପରେ କ’ଣ ସେ ଭାବିଲା କେଜାଣି ଖିଲି ଖିଲି କରି ହସି ଉଠିଲା । ମନ୍ତ୍ରୀ ପୁଅ ରାତି ଉଜାଗର ହୋଇ ହୁଁ ହାଁ ଚଢ଼େଇଙ୍କର ଏ କଥାବାର୍ତ୍ତା ଶୁଣୁଥାଏ । ତା’ପରେ ମନକଥା ମନରେ ରଖିଲା । ସକାଳ ହେଲା, ରାଜଧାନୀରୁ ବହୁଲୋକ ଆସିଲେ । ବିରାଟ ଆଡ଼ମ୍ବର ପଟୁଆରରେ ରାଜାପୁଅ ତା’ ଭାରିଜା ଆଉ ସାଙ୍ଗକୁ ଧରି ରାଜଧାନୀ ଅଭିମୁଖେ ଚାଲିଲେ । ରାଜଧାନୀରେ ପହୁଁଚିଲା ମାତ୍ରେ ମନ୍ତ୍ରୀପୁଅ ଆଗ ତୋରଣଟାକୁ ଭାଙ୍ଗିଦେଲା । ତା’ପରେ ଗଡ଼ଖାଇ ପୋଲବାଟେ ନଯାଇ ନୌକାରେ ରାଜାପୁଅ ଓ ବୋହୂଙ୍କୁ ଉଆସ ଭିତରକୁ ନେଲା । ସେ ସବୁ ଦୁର୍ଭାଗ୍ୟ କଟିଗଲା । କିନ୍ତୁ ମନ୍ତ୍ରୀପୁଅର ଏସବୁ କାଣ୍ଡକାରଖାନା ଦେଖି ରାଜାପୁଅ କିଛି ବୁଝିପାରୁନଥାଏ । ବରଂ ମନେମନେ ବିରକ୍ତି ହେଉଥାଏ ।

 

କିନ୍ତୁ ଆସିଲା ସେହି ମଧୁଶଯ୍ୟା ରାତି । ସେଦିନ ରାଜାପୁଅର ଶୋଇବାଘରେ ଖାଲି ଚାରିଆଡ଼େ ଫୁଲରେ ସଜା ହୋଇଥାଏ । ଖଟ ଉପରେ ଖାଲିଫୁଲର ଶେଯ । ଏପରି କି ଚଟାଣରେ ମଧ୍ୟ ବହଳଫୁଲର ଗାଲିଚା ପଡ଼ିଥାଏ । ମନ୍ତ୍ରୀପୁଅ ତ ଆଗରୁ ସତର୍କ ଅଛି । କେତେବେଳେ କୋଉ ଖଞ୍ଜରେ ଯାଇ ଖଣ୍ଡାଟାଏ ଧରି ରାଜାପୁଅର ଖଟତଳେ ଲୁଚି ବସିଲା । ଏଣେ ରାତି ତିନିପ୍ରହର ଯାଏ ରାଜାପୁଅ ଆଉ ତା’ ସୁନ୍ଦରୀ ଭାରିଜା ବହୁ ରତିରଙ୍ଗରହସ୍ୟ କରିସାରି କ୍ଳାନ୍ତ ହୋଇ ଶୋଇପଡ଼ିଲେ । ପାହାନ୍ତା ପୂର୍ବରୁ ମନ୍ତ୍ରୀପୁଅ ଦେଖିଲା ଫୁଲ ଗଦା ଭିତରୁ ଛୋଟିଆ ନାଗସାପଟିଏ ବାହାରି ଖଟ ଖୁରା ଦେଇ ଖଟ ଉପରକୁ ଉଠିବାକୁ ଉପକ୍ରମ କରୁଛି । ତାକୁ ଦେଖିବା ମାତ୍ରେ ମନ୍ତ୍ରୀପୁଅ ତା’ ଖଣ୍ଡାରେ ଚୋଟେ ହାଣିଦେଲା । ସାପଟାର ମୁଣ୍ଡ ଛେଚି ହୋଇଗଲା । ମାତ୍ର ଖଣ୍ଡାଟା ଖଟଖୁରା ଉପରେ ବାଜି ଶବ୍ଦ ହେବାରୁ ରାଜାପୁଅର ନିଦ ଭାଙ୍ଗିଗଲା ଓ ସେ ଦେଖିଲା ଯେ ତା’ ବନ୍ଧୁ ମନ୍ତ୍ରୀପୁଅ ଖଣ୍ଡା ଟେକି ଠିଆ ହୋଇଛି । ତା’ ମନରେ ସଇତାନ ନିୟତି ହଠାତ୍‍ ସନ୍ଦେହ ସୃଷ୍ଟି କରିଦେଲା ଓ ତା’ ବୁଦ୍ଧି ବାମ ହୋଇଗଲା । ସେ ଭାବିଲା–ନିଶ୍ଚୟ ଏ ବିଶ୍ଵାସଘାତକ ତାକୁ ମାରି ତା’ ଭାର୍ଯ୍ୟାକୁ ଭୋଗ କରିବ ବୋଲି ଖଣ୍ଡାଚୋଟ ପକାଇଥିଲା । ମାତ୍ର ତା ଭାଗ୍ୟକୁ ଚୋଟଟା ଖଟଖୁରାରେ ବାଜିଲା ଓ ସେ ବଞ୍ଚିଗଲା । ଏତିକି ଭାବୁଭାବୁ ତା’ ମୁଣ୍ଡକୁ ଖୁନ୍‍ ଉଠିଗଲା ଓ ସେ ଛୁରାରେ ମନ୍ତ୍ରୀପୁଅର ଛାତିକୁ ଭୁଷିଦେଲା । ମନ୍ତ୍ରୀପୁଅ ସେଇଠି ଟଳିପଡ଼ିଲା-। ତା’ ପରେ ରାଜାପୁଅ ଦେଖିଲା ଯେ–ଚଟାଣ ଉପରେ ନାଗସାପଟାଏ ଖଣ୍ଡ ଖଣ୍ଡ ହୋଇ ମରିପଡ଼ିଛି । ସବୁକଥା ବୁଝିଲା ରାଜାପୁଅ କିନ୍ତୁ ଏତେବେଳେ ବୁଝିଲେ ଆଉ କ’ଣ ହେବ-? ରାଜାପୁଅ ସେଇଠି ମୃତ ବନ୍ଧୁର ଶବକୁ ଧରି ବାହୁନି ବସିଲା...

 

କଥାଟି ଏତିକିରେ ଶେଷ କରି ଡହରାନନ୍ଦ କହିଲେ–ବୁଝିଲ ବାବୁମାନେ ! ଦୁର୍ଭାଗ୍ୟହାତରୁ ମାନେ ମୃତ୍ୟୁ ହାତରୁ ମନ୍ତ୍ରୀପୁଅ ରାଜାପୁଅକୁ ଏତେ ମନ୍ତେ ରକ୍ଷାକଲା । ହୁଁ ଚଢ଼େଇ ଭବିଷ୍ୟତବାଣୀ କହିଥିଲା–ରାଜାପୁଅ ଏ ନାଗଜେମାକୁ ଭୋଗି ପାରିବ ନାହିଁ । ରାଜାପୁଅକୁ ବଂଚାଇବା ଲାଗି ମନ୍ତ୍ରୀ ପୁଅ ନିଜ ପ୍ରାଣ ଦେଲା । କିନ୍ତୁ କୁହତ ଦେଖି ! ଏହି ଦୁର୍ଘଟଣା ପରେ କ’ଣ ରାଜାପୁଅ ତା’ର ଦାମ୍ପତ୍ୟଜୀବନକୁ ଆଉ ସଂପୂର୍ଣ୍ଣଭାବେ ଆନନ୍ଦରେ ବିତାଇ ପାରିବ ? ଭାଗ୍ୟ ବା ନିୟତିର ବିଡ଼ମ୍ବନା ଏହିପରି ।

☆☆☆

 

ଦୁର୍ଭାଗ୍ୟର ଘେରରୁ ମୁକ୍ତିର ସୁସଂବାଦ

 

ଏହି ଗଳ୍ପଟି ମଧ୍ୟ ଡହରାନନ୍ଦ ତାଙ୍କ ଯାଜପୁର ରହଣୀର ୩ୟ ଦିନ ସନ୍ଧ୍ୟାରେ ସେହି ଦଶ୍ୱାଶମେଧ ଘାଟରେ ବସି ସେହିସବୁ ଯୁବକମାନଙ୍କ ଆଗରେ ବୟାନ କରିଥିଲେ । ଗଳ୍ପଟି କହିବା ପୂର୍ବରୁ ଜଣେ ଯୁବକ ପଚାରିଲା–ମହାଶୟ ! ଦୁର୍ଭାଗ୍ୟ କବଳରୁ କ’ଣ ତା’ ହେଲେ ମୁକ୍ତି ପାଇବା ସହଜ ନୁହେଁ ? ଯଦି ଆମର ଦୋଷରୁ ଆମେ ସୌଭାଗ୍ୟକୁ ମଧ୍ୟ ଦୁର୍ଭାଗ୍ୟରେ ପରିଣତ କରି ଭାଗ୍ୟର ବିଡ଼ମ୍ବନା ଭୋଗୁଁ ତା’ ହେଲେ ଆମେ କିପରି ଭଲା ଦୁର୍ଭାଗ୍ୟ ହାତରୁ ସହଜ ଓ ସରଳ ଭାବେ ରକ୍ଷା ପାଇପାରିବୁ ?

 

ଡହରାନନ୍ଦଜୀ ଏହିପ୍ରଶ୍ନ ଶୁଣି ହସିଲେ । ତା’ ପରେ ଖଣ୍ଡିଏ ପାନ ଖାଇ କିଛି ସମୟ ତାକୁ ଚାକୁଳାଇ ସାରି କହିଲେ–

 

ହଁ, ତା’ର ମଧ୍ୟ ଉଦାହରଣ ରହିଛି । ସହଜ ଓ ସରଳ ଭାବେ ଜଣେ ଦୁର୍ଭାଗ୍ୟର ଘେର ଭିତରୁ ମୁକୁଳି ଆସିପାରେ । ତେବେ ସମସ୍ୟା ହେଉଛି ମଣିଷ ଭଳି ଦୁର୍ବୁଦ୍ଧିଗ୍ରସ୍ତ ସଂଶୟୀ ଜୀବନପକ୍ଷରେ ଏତେ ସହଜ ଓ ସରଳ ହେବା ମଧ୍ୟ ଏତେ ସହଜ ହୁଏ ନାହିଁ । ତା’ ଛଡ଼ା, ସହଜ ଓ ସରଳ ହେବା ଅର୍ଥ ମଧ୍ୟ ମୂର୍ଖ ଅଜ୍ଞାନ ଅଚେତନ ହେବା ନୁହେଁ । ମଣିଷ ଏତେବଡ଼ ବୁଦ୍ଧିମାନ ପ୍ରାଣୀ, କିନ୍ତୁ ଯେତେବେଳେ ସେ ସୌଭାଗ୍ୟର ଶିଖର ଉପରେ ଠିଆ ହୁଏ–ସେତେବେଳେ ତା’ର ମୁଣ୍ଡ ବୁଲାଇଯାଏ । ସେତେବେଳେ ସେ ତା’ର ସୁବୁଦ୍ଧି ହଜାଇ ଦିଏ ଓ କାହୁଁ ଆସି ତା’ ମୁଣ୍ଡରେ ଦୁର୍ବୁଦ୍ଧି ଘୋଟିଯାଏ । ସେ ବିଚଳିତ ହୋଇପଡ଼େ । ପ୍ରମତ୍ତ ହୋଇଉଠେ । ଧୈର୍ଯ୍ୟ ହରାଏ । ତା’ର ସ୍ଥିରତା ଚାଲି ଯାଏ ଓ ସେ ଆପଣା ଦୋଷରୁ ତା’ର ସେହି ସୌଭାଗ୍ୟ ଶିଖର ଉପରୁ ଖସିପଡ଼େ । ସେହିପରି ମଧ୍ୟ ମଣିଷ ଯେତେବେଳେ ଚରମ ଦୁର୍ଭାଗ୍ୟର ଘେର ଭିତରେ ପଡ଼େ–ସେତେବେଳେ ମଧ୍ୟ ସେ ତା’ର ଶୁଭବୁଦ୍ଧି ହରାଇପକାଏ–ବିଚଳିତ ହୋଇଉଠେ । ଧୈର୍ଯ୍ୟ ହରାଏ ଓ ତା’ର ସ୍ଥିରତା ହରାଇ ବସେ ଏବଂ ଏହି ସୁଯୋଗରେ ଦୁର୍ଭାଗ୍ୟ ତାକୁ ଦୁଇଆଡ଼ୁ କିମ୍ବା ଗୋଟିଏ ଆଡ଼ୁ କାବୁ କରି ପକାଏ । ଦୁର୍ଭାଗ୍ୟ ପଡ଼ିଲାବେଳେ କିମ୍ବା ଚାରିଆଡ଼ୁ ଦୁର୍ଭାଗ୍ୟ ମାଡ଼ିଆସିଲା ବେଳେ ଶୁଭବୁଦ୍ଧିପନ୍ନ ମଣିଷର କର୍ତ୍ତବ୍ୟ ହେଲା ଯଥାସମ୍ଭବ ସରଳ ସହଜ ହୋଇ ରହିବା ବା ଗତି କରିବା । ମନରେ କୌଣସି ଭୟ ବା ଆଶଙ୍କାର ଉତ୍ତେଜନାକୁ ସ୍ଥାନ ନଦେଇ ଖୁବ୍‍ ଏକାଗ୍ର ଭାବେ ନିଜକୁ ସେହି ଅନନ୍ତ ରହସ୍ୟମୟ ପରମ କରୁଣାନିଧାନ ରକ୍ଷାକର୍ତ୍ତାଙ୍କ ପାଖେ ଆକୁତିମୟ ଚିତ୍ତରେ ସର୍ବତୋଭାବେ ସମର୍ପଣ କରିଦେଇ ନିଶ୍ଚିନ୍ତ ଭାବେ ଗତିକରିବା ବା ସ୍ଥିର ଭାବେ ବସି ରହିବା । ସେହି ପରମ ତ୍ରାଣକର୍ତ୍ତାଙ୍କ କୃପା ଉପରେ ଏକାନ୍ତ ନିର୍ଭର ବା ବିଶ୍ୱାସ ରଖିବା ହେଲା ବିପଦବେଳେ ନିଜକୁ ସରଳ ଓ ସହଜ ରଖିବାର ଏକମାତ୍ର ଉପାୟ । ବର୍ତ୍ତମାନ ଗଳ୍ପଟିଏ କହୁଛି ଶୁଣ । ସବୁ ବୁଝିପାରିବ....

 

ଦିନେ ଗୋଟିଏ ପଥିକ ଏକ ଘୋର ଅରଣ୍ୟବେଷ୍ଟିତ ପାହାଡ଼ର ପାଦ ଦେଶରେ ଥିବା ସଂକୀର୍ଣ୍ଣ ବାଟରେ ଏକୁଟିଆ ତା’ର ଗନ୍ତବ୍ୟସ୍ଥଳକୁ ଚାଲିଥିଲା । ତା’ କାନ୍ଧରେ ସେ ଗୋଟିଏ ବ୍ୟାଗ ଝୁଲାଇଥିଲା ଓ ହାତରେ ବାଡ଼ିଖଣ୍ଡିଏ ଧରିଥିଲା । କିନ୍ତୁ ସେହି ଘୋର ଅରଣ୍ୟବେଷ୍ଟିତ ପାହାଡ଼ ଭିତରେ ବହୁ ହିଂସ୍ର ପ୍ରାଣୀଥିଲେ । ଲୋକଟି କିନ୍ତୁ ଦମ୍ଭ ଓ ସାହସ ଧରି ଚାଲିଥାଏ । କିନ୍ତୁ ତା’ର ଅଣଓସାରିଆ ଚଲାବାଟରେ ଠିକ୍‍ ତଳେତଳେ ବହି ଯାଉଥିଲା ଖରସ୍ରୋତା ନଦୀଟିଏ ଏବଂ ସେ ନଦୀରେ ମଧ୍ୟ ଭୟଙ୍କର କୁମ୍ଭୀରମାନେ ଥିଲେ । କିଛିବାଟ ଗଲାପରେ ପଥିକଟି ଲକ୍ଷ୍ୟକଲା ଯେ, ବାଟଟି କ୍ରମଶଃ ସଂକୁଚିତ ହୋଇଚାଲିଛି ଏବଂ ତାକୁ ଲକ୍ଷ୍ୟ କରି ଗୋଟିଏ ମହାବଳ ବାଘ ତା’ କଡ଼େ କଡ଼େ ପାହାଡ଼ ଉପରେ ଚାଲିଛି ଏବଂ ତା’ ଉପରକୁ କୁଦା ମାରିବାର ସୁଯୋଗକୁ ମଧ୍ୟ ଅପେକ୍ଷା କରି ଚାଲିଛି । ଲୋକଟି ତଥାପି ଅବିଚଳିତ ହୋଇ ଚାଲିଥାଏ । କିନ୍ତୁ କିଛି ବାଟ ଗଲାପରେ ସେ ପୁଣି ଲକ୍ଷ୍ୟ କଲା ଯେ, ଗୋଟାଏ ବିରାଟ ଭୟଙ୍କର ମଣିଷଖିଆ ଦୋ ମୁହାଁ କୁମ୍ଭୀର ତାକୁ ବାଗରେ ପାଇଲେ ତା’ର ଶକ୍ତ ଲମ୍ବ ଲାଞ୍ଜଟିକୁ ବୁଲାଇ ପାଣି ଭିତରକୁ ଟାଣିନେବ ବୋଲି ତା’ର ଗୋଡ଼ ଦୁଇଟିକୁ ଛକି ଛକି ରାସ୍ତାକୁ ଲାଗିଥିବା ନଦୀର ପାଣିସ୍ରୋତରେ ପହଁରି ପହଁରି ଚାଲିଛି । ମୁଣ୍ଡ ଉପରେ ବାଘଟିଏ ତାକୁ ଛକି ଛକି ଚାଲିଛି ଓ ପାଦତଳେ କୁମ୍ଭୀରଟିଏ ତାକୁ ଛକି ଛକି ଚାଲିଛି ଏହି ଉଭୟ ଦୃଶ୍ୟ ଦେଖିବା ମାତ୍ରେ ଲୋକଟିର ହୃଦୟ କିଛି ମୁହୂର୍ତ୍ତ ଲାଗି ଭୟ, ଆଶଙ୍କା ଓ ତ୍ରାସରେ ଥରିଉଠିଲା । କିନ୍ତୁ ସେ ଭାବିଲା ଯେ, ତା’ର ଦୁଇପଟେ ଯେଉଁ ମହାନ ଭୟଙ୍କର ବିପଦ ତାକୁ ଦୁର୍ଭାଗ୍ୟର ଦୁଇ ଯମଦୂତ ଭଳି ଘେରିଲେଣି, ବର୍ତ୍ତମାନ ଏହି ଉଭୟ ସଂକଟ ଭିତରୁ ରକ୍ଷା ପାଇବା ତା’ ପକ୍ଷରେ ଆଉ ସମ୍ଭବନୁହେଁ । କିନ୍ତୁ ଏତିକି ଭାବିବା ମାତ୍ରେ ତା’ ଭିତରେ ଏକ ଶୁଭବୁଦ୍ଧି ଓ ଶୁଭବିଶ୍ୱାସ ମଧ୍ୟ କିପରି ସଂଚାରିତ ହୋଇଗଲା । ସେ ଭାବିଲା ଯେ, ଏ ସଂସାରରେ ବା ଏ ଜୀବନରେ ଅସମ୍ଭବ ଯେମିତି ଅଛି–ସମ୍ଭବ ମଧ୍ୟ ସେମିତି ଅଛି । ଘଟଣ ଯେମିତି ଅଛି–ଅଘଟଣ ମଧ୍ୟ ସେମିତି ଅଛି । ନିର୍ଦ୍ଦିଷ୍ଟତା ଯେମିତି ଅଛି–ଆକସ୍ମିକତା ମଧ୍ୟ ସେମିତି ଅଛି । ବିପଦର ଘେର ଯେମିତି ଅଛି–ବିପଦରୁ ମୁକ୍ତିମଧ୍ୟ ସେମିତି ଅଛି । ଗୋଟିଏ ଦିଗରେ ପ୍ରାଣୀ ଯେମିତି ଚରମ ଅସହାୟ–ସେହିପରି ଆଉ ଗୋଟିଏ ଦିଗରେ ମଧ୍ୟ ପ୍ରାଣୀର ପରମ ସହାୟକର୍ତ୍ତା ଜଣେ କେହି ଅଛନ୍ତି । ଅଥବା ପରମ ସହାୟତା ବା ପରମ ପରିତ୍ରାଣ ବୋଲି ମଧ୍ୟ କିଛି ଅଛି । ଲୋକଟି ଭାବିଲା ମୁଁ ବର୍ତ୍ତମାନ ମୋର ଦୁଇପଟେ ଯେଉଁ ଭୟଙ୍କର ସଂକଟ ଘେରରେ ପଡ଼ିଛି–ସେଥିରେ ମୃତ୍ୟୁ ଅନିବାର୍ଯ୍ୟ । କିନ୍ତୁ ମୁଁ, ବାଘ ଓ କୁମ୍ଭୀର ଏହି ତିନିଙ୍କ ଭିତରୁ ପ୍ରକୃତରେ କାହାର ମୃତ୍ୟୁ ଅନିବାର୍ଯ୍ୟ–ସେ କଥା ମଧ୍ୟ କହିହେବ ନାହିଁ । ଦୁର୍ଭାଗ୍ୟ ମଧ୍ୟ ଆମ ତିନିଙ୍କ ଭିତରୁ କାହା ଗଳାରେ ତା’ର ଫାସ ପକାଇ ଟାଣିନେବ ତାହା ମଧ୍ୟ କହି ହେବନାହିଁ । ମୋ ଦୁଇପାର୍ଶ୍ଵରେ ମୋତେ ଲକ୍ଷ୍ୟ କରି ଚାଲିଥିବା ଦୁଇଟି ଜାକ ଜନ୍ତୁ ଖୁବ୍‍ ଧୀରସ୍ଥିର ଓ ସତର୍କଭାବେ ଚାଲିଛନ୍ତି । ମୋର ଟିକିଏ ବିଚଳିତ ଭାବ ଦେଖିଲେ, କିମ୍ବା ସେମାନଙ୍କ ଆକ୍ରମଣ ପାଇଁ ଟିକିଏ ମାତ୍ର ସୁଯୋଗ ପାଇଲେ ସେମାନଙ୍କ ଭିତରୁ ଯେ କେହି ମୋତେ ଟାଣିନେବ ଓ ମୋତେ ଖାଇବ । କିନ୍ତୁ ମୋତେ ଜଣାନାହିଁ–ପାହାଡ଼ ଉପରେ ମୋତେ ଲକ୍ଷ୍ୟ କରି ଚାଲିଥିବା ବାଘ ଓ ମୋ ପାଦତଳେ ନଈ ଭିତରେ ମୋତେ ଲକ୍ଷ୍ୟ କରି ଚାଲିଥିବା କୁମ୍ଭୀର ଦୁହେଁ ପରସ୍ପରକୁ ଲକ୍ଷ୍ୟକରି ପାରିଛନ୍ତି କି ନାହିଁ । ଏତିକି ଭାବି ଲୋକଟି ମନରୁ ସବୁ ଚିନ୍ତା ଓ ଉଦ୍‌ବେଗ ଓହ୍ଲାଇ ଦେଲା ଏବଂ ଏକ ପରମ ବିଶ୍ୱାସରେ ସେହି ପରମ ରହସ୍ୟମୟ ତ୍ରାଣ କର୍ତ୍ତାଙ୍କ ଅଘଟଣ ଘଟଣକାରୀ ଶକ୍ତି ଓ କୃପା ପାଖରେ ନିଜକୁ ସମର୍ପଣ କରିଦେଇ ନିଶ୍ଚିନ୍ତ ଭାବେ ବାଟ ଚାଲିଲା । ତାକୁ ଲାଗିଲା–ସତେକି ସେ ଜୀବନ–ଦେବତାଙ୍କ କୋଳରେ ମୁଣ୍ଡରଖି ଓ ମୃତ୍ୟୁଦେବତାଙ୍କ କୋଳରେ ପାଦରଖି ଶୋଇଯାଇଛି ଘୋର ନିଶ୍ଚିନ୍ତ ନିଦ୍ରାରେ ଏବଂ ଏବେ ବି ଜୀବନଦେବତା ଓ ମୃତ୍ୟୁଦେବତା ଉଭୟଙ୍କ ଭିତରେ ଯେ ପାରିବେ, ସେ ତାକୁ ନିଆନ୍ତୁ । ଅଦୃଶ୍ୟ ସେହି ପରମ ତ୍ରାଣକର୍ତ୍ତାଙ୍କ ପାଖେ ନିଜକୁ ସେ ସଂପୂର୍ଣ୍ଣ ଭାବେ ସମର୍ପି ଦେଲା ।

 

ଏହି ଭାବରେ କିଛି ମୁହୂର୍ତ୍ତ କଟିଗଲା । ବାଟୋଇଟି ଖୁବ୍‍ ସହଜ ସରଳ ବିଶ୍ୱସ୍ତ ଓ ନିର୍ଭରଶୀଳ ଚିତ୍ତରେ ସେହି ଦୁଇ ବିପଦ ମଝିରେ ଅଣ ଓସାରିଆ ବାଟରେ ଆଗକୁ ଧୀର ପଦକ୍ଷେପରେ ଚାଲିଥାଏ । ତା’ର ପ୍ରତିଟି ପଦକ୍ଷେପ ଥିଲା ସ୍ଥିର, ଧୀର, ଦୃଢ଼, ନିର୍ଭୟ ନିଶ୍ଚିତ ଆଉ ସ୍ୱଚ୍ଛନ୍ଦ ।

 

ଡହରାନନ୍ଦ ହଠାତ୍ କେତୋଟି ମୁହୂର୍ତ୍ତ ନୀରବ ଗମ୍ଭୀର ହୋଇ ନଦୀବକ୍ଷକୁ ଚାହିଁ ରହିଲେ ଓ ହଠାତ୍‍ ହାତ ଆଙ୍ଗୁଠିରେ ଗୋଟାଏ ଫୁଟୁକି ଫୁଟାଇ ହସି ହସି କହିଲେ–ବୁଝିଲ ବାବୁମାନେ ! ଅଘଟଣ ଘଟିଗଲା । ସେହି ଅପ୍ରତ୍ୟାଶିତ ଅଘଟଣଟି ଘଟିଗଲା । ବାଟୋଇଟି ଚାଲୁଚାଲୁ ହଠାତ୍‍ ସେହି ଅଣଓସାରିଆ ରାସ୍ତାଟି ଆହୁରି ଅଣଓସାରିଆ ହୋଇଗଲା ଏବଂ ଆଗକୁ ଆଉ ରାସ୍ତା ନଥିବା ଭଳି ଲାଗିଲା । ପାହାଡ଼ତଳି ଓ ନଈ ଖୁବ୍‍ ପାଖାପାଖି ହୋଇଗଲେ । ଏହି ସମୟରେ ହଠାତ୍‍ କେତୋଟି ଗଛଲତା ଥରି ଉଠିଲେ । ଭୁସକିନା ଗୋଟେ ପବନ ବହିଗଲା ଓ ପାହାଡ଼ ଉପରୁ ସେହିବାଘଟି ସୁଯୋଗ ପାଇ ଲୋକଟି ଉପରକୁ ଡେଇଁ ପଡ଼ିଲା ଏବଂ ଦେଖ–ବାଘଟି ଲକ୍ଷ୍ୟଭ୍ରଷ୍ଟ ହୋଇଯାଇ ପଡ଼ିଲା ନଦୀସ୍ରୋତରେ ଏବଂ ଲୋକଟିକୁ ଛକିଥିବା କୁମ୍ଭୀରଟି ସାଙ୍ଗେ ସାଙ୍ଗେ ତା’ର ଦୃଢ଼ଲାଞ୍ଜ ବୁଲାଇ ବାଘଟିକୁ ଧରିନେଇ ନଦୀଗର୍ଭକୁ ପହୁଁରି ଗଲା । ସେହି ମୁହୂର୍ତ୍ତରେ ଲୋକଟି ତା’ର ନିଶ୍ଚିତ ଦୁର୍ଭାଗ୍ୟର ଭୟଙ୍କର ଘେର ଭିତରୁ ମୁକୁଳି ଗଲା...ଏବେ ବୁଝିଲତ ବାବୁମାନେ ?

 

ଆମ ଜୀବନରେ ସବୁ ଯେପରି ଅସମ୍ଭବ–ସବୁ ମଧ୍ୟ ସେହିପରି ସମ୍ଭବ । କିନ୍ତୁ ସମ୍ଭବକୁ ଅସମ୍ଭବ ଏବଂ ଅସମ୍ଭବକୁ ସମ୍ଭବ କରିବାର ଯେଉଁଶକ୍ତି ସାମର୍ଥ୍ୟ, ଉଦ୍ୟମ ଓ ମନୋବୃତ୍ତି ଦରକାର–ସେତେକ ନିଶ୍ଚୟ ଆମକୁ ଅର୍ଜନ କରିବାକୁ ପଡ଼ିବ । ଭାଗ୍ୟ ଅଛି–ମଣିଷଅଛି–ଏବଂ କେହି ଜଣେ ପରମ ରହସ୍ୟମୟ ପରମ ତ୍ରାଣକର୍ତ୍ତା ମଧ୍ୟ ଅଛନ୍ତି । ତେଣୁ, ଭାଗ୍ୟ ହାତରେ କ୍ରୀଡ଼ନକଟିଏ ହେବା ମଣିଷର ଭାଗ୍ୟ ନୁହେଁ ।

☆☆☆

 

ଯମ ଓ ଘରଚଟିଆ ଆଖ୍ୟାନ

 

ଏହି ଗଳ୍ପଟି ଡହରାନନ୍ଦଜୀ ତାଙ୍କ ଯାଜପୁର ରହାଣୀର ଶେଷଦିନ ଅର୍ଥାତ୍‍ ଚତୁର୍ଥଦିନ ସନ୍ଧ୍ୟାରେ ପୂର୍ବର ସେହି ଭାଗ୍ୟବାଦୀ ଯୁବକମାନଙ୍କୁ କହିଥିଲେ । କିନ୍ତୁ ଏଥର ସେମାନେ ଦଶ୍ଵାଶମେଧ ଘାଟ ଉପରେ ନ ବସି ବୈତରଣୀ ନଦୀର ବାଲୁକା ଶଯ୍ୟାରେ ବସିଲେ । ଚୈତ୍ର ମାସର ଜହ୍ନପକ୍ଷ ରାତି । ଆକାଶରେ ଦ୍ଵାଦଶୀ ଜହ୍ନ ଚତୁର୍ଦ୍ଦିଗକୁ ଶୀତଳ ଜ୍ୟୋତ୍ସ୍ନାରେ ପୁଲକିତ କରି ରଖିଥାଏ । ସୁଲୁସୁଲୁ ପବନ ବହୁଥାଏ । ନଦୀର ଆରପଟେ କୂଳରେ ଗଛବୃଚ୍ଛମାନେ ଛବି ଭଳି ଦିଶୁଥାନ୍ତି । ଚାରିଆଡ଼େ କିପରି ଏକ ଆନନ୍ଦ ଓ କଲ୍ୟାଣକର ପରିବେଶ ଘେରି ରହିଥାଏ । ଜଣେ ଯୁବକ ପୂର୍ବ ଦୁଇସନ୍ଧ୍ୟାର ଆଲୋଚନାର ସୂତ୍ରଧରି ପ୍ରଶ୍ନ କଲେ–

 

ମହାଶୟ ! ଭାଗ୍ୟ ସମ୍ବନ୍ଧେ ଆପଣ ଆମ୍ଭମାନଙ୍କୁ ଗତ ଦୁଇସନ୍ଧ୍ୟାରେ ଯାହା କହିଲେ ତାହା ଆମକୁ ଖୁବ୍‍ ଭଲ ଲାଗିଛି । ତେବେ ମୋ ମନରେ ଗୋଟିଏ ପ୍ରଶ୍ନ ଆଜି ପୁଣି ଉଙ୍କିମାରିଲା । ପ୍ରଶ୍ନଟି ହେଉଛି–ଏ ଜଗତରେ କ’ଣ ସବୁ ପ୍ରାଣୀଙ୍କର ମୃତ୍ୟକାଳ ଆଗରୁ ନିର୍ଦ୍ଦିଷ୍ଟ ହୋଇଯାଇଛି ? ତା’ମାନେ–ଯେତେ ପ୍ରାଣୀ ମରୁଛନ୍ତି ସେମାନେ ସେହି ସମୟରେ ମରିବେ ବୋଲି କ’ଣ ନିୟତି ସ୍ଥିରକରି ଦେଇଛି ? ଉଦାହରଣ ସ୍ୱରୂପ, ମୋର ଯଦି ଆସନ୍ତାକାଲି ଅପରାହ୍ନ ଚାରିଟା ଅଠେଇଶି ମିନିଟ ବାଇଶି ସେକେଣ୍ଡରେ ଅମୂକ ଜାଗାରେ ମୃତ୍ୟୁ ହୁଏ, ତେବେ ତାହା କ’ଣ ଆଗରୁ ମୃତ୍ୟୁଦେବତା ବା ନିୟତି ସ୍ଥିରକରି ଦେଇଥିବ ? ଯଦି ଏହା ଠିକ୍‍ ତେବେ ମଣିଷର ସ୍ଵାଧୀନତା କାହିଁ ?

 

ଡହରାନନ୍ଦ କହିଲେ–ଏହା ବଡ଼ ଗହନ କଥା । ଜୀବନ ଓ ମୃତ୍ୟୁ ରହସ୍ୟ ବଡ ଜଟିଳ । ମୁଁ ଏ ସମ୍ବନ୍ଧେ ସଠିକ୍‍ କିଛି କହି ପାରିବି ନାହିଁ । ଜନ୍ମ ହେଲେ ମୃତ୍ୟୁ ଅବଶ୍ୟ ଅଛି–ଏକଥା ତ ଆମେ ଅଙ୍ଗେ ନିଭାଉ ଥାଇଁ । କିନ୍ତୁ ମୃତ୍ୟୁକୁ ଜୟ କରିହେବ ବୋଲି ମଧ୍ୟ ମତବାଦ ଅଛି । ମୃତ୍ୟୁକୁ କିଛିଦିନ ଗଡ଼ାଇ ଦେଇହେବ ବୋଲି ମଧ୍ୟ କେତେକ କହନ୍ତି । ଆଉ କେତକଙ୍କର ମତ ଯେ, ମଣିଷ ଯଦି କେବଳ ତା’ର ଦେହ, ପ୍ରାଣ ଓ ମନଚେତନାରେ ନ ରହି ତା’ ଭିତରେ ଥିବା ଆତ୍ମାକୁ ଚିହ୍ନି ସେହି ଆତ୍ମାରେ ହିଁ ବଂଚିବାକୁ ଅଭ୍ୟାସ କରେ ତେବେ ତା’ର ଦେହ, ପ୍ରାଣ ଓ ମନର ମୃତ୍ୟୁ ହେଲେ ବି ସେ ତା’ର ଆତ୍ମାରେ ଅମର ହୋଇ ରହିବ । କାରଣ ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ମଧ୍ୟ ନାହିଁ । କିନ୍ତୁ ଏସବୁ ତ ଭିନ୍ନ କଥା । ମୋର କିନ୍ତୁ ଅନେକ ଘଟଣା ଦେଖି ଗୋଟେ ବିଶ୍ୱାସ ଦୃଢ଼ ହୋଇଯାଇଛି ଯେ, ମୃତ୍ୟୁ ଯଦିଓ ଆମ ଲାଗି ଅନିବାର୍ଯ୍ୟ, ତେବେ ଜଣେ ତା’ ଭିତରେ ଭିତରେ ମରିବା ଲାଗି ଇଚ୍ଛା ନ କରୁଥିବା ପର୍ଯ୍ୟନ୍ତ ସେ ସହଜରେ ମରିବ ନାହିଁ । ଦୁର୍ଘଟଣାଜନିତ ମୃତ୍ୟୁ ବ୍ୟତୀତ–ଆଉ ସବୁ ଅଧିକାଂଶ ମୃତ୍ୟୁ ମଣିଷର ଅନ୍ତରାତ୍ମାର ସମ୍ମତି ଯୋଗୁଁ ଘଟିଥାଏ । କିନ୍ତୁ ସାଧାରଣ ମଣିଷ ଏକଥା ତା’ର ମନ ବା ବୁଦ୍ଧିରେ ବୁଝିପାରେ ନାହିଁ । ମରିବାର ସିଦ୍ଧାନ୍ତ ବା ବଂଚିବାର ସିଦ୍ଧାନ୍ତ ମଣିଷ ଭିତରେ ଲୁକ୍‌କାୟିତ ଥିବା ତା’ର ଜୀବାତ୍ମା ନେଇଥାଏ । ଯଦି ତୁମର ଜୀବାତ୍ମା ମରିବାକୁ ଚାହୁଁ ନାହିଁ–ଏବଂ ଯଦି ତୁମେ ସତକୁ ସତ ସରଳ ଓ ସହଜ ଭାବରେ ସେହି ପରମ ରହସ୍ୟମୟ ପରମ ତ୍ରାଣକର୍ତ୍ତାଙ୍କ ପାଖେ ତୁମର ଅନ୍ତରର ବଞ୍ଚିବା ଅଭିଳାଷକୁ ଆକୃତିରେ ସମର୍ପଣ କର–ତେବେ ସେଥରକ ଲାଗି ତୁମର ମୃତ୍ୟୁ ଅନିବାର୍ଯ୍ୟ ବୋଲି ଜଣାଯାଉଥିଲେ ବି ପରମ ତ୍ରାଣକର୍ତ୍ତାଙ୍କ ହସ୍ତକ୍ଷେପ ଫଳରେ ସେଥର ତୁମେ ଆସନ୍ନମୃତ୍ୟୁ ହାତରୁ ରକ୍ଷା ପାଇଯାଇପାର । ଏବେ ମୁଁ ତୁମମାନଙ୍କୁ ଗୋଟିଏ ରୂପକଧର୍ମୀ ଗଳ୍ପ କହୁଛି–ଶୁଣ । ତାହା ତୁମ ମନରେ ବିଶ୍ୱାସର ଆଲୋକ ଖେଳାଇଦେବ । ଏ ଗଳ୍ପଟି ପୁରୀ ଶ୍ରୀକ୍ଷେତ୍ରରେ ମତେ ଜଣେ ଜଗନ୍ନାଥଙ୍କର ମହାନ୍‍ ଭକ୍ତ କହୁଥିଲେ । ଗଳ୍ପଟି ଖୁବ୍‍ ସୁନ୍ଦର ଆଉ ଆଶାଜନକ । ଏବେ ଶୁଣ–

 

ଦିନେ ଜଗନ୍ନାଥଙ୍କ ମନ୍ଦିର ଭିତରକୁ ଅଦୃଶ୍ୟ ସୂକ୍ଷ୍ମରୂପରେ ସ୍ୱର୍ଗର ଦେବଦେବୀମାନେ ଦାରୁବ୍ରହ୍ମ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ହଠାତ୍‍ ଯମଦେବଙ୍କ ଆଖି ପଡ଼ିଗଲା ଗରୁଡ଼ ଖମ୍ବ ଉପରେ ଛୋଟ ଘରଚଟିଆଟିଏ ଗରୁଡ଼ଙ୍କ ପଛପଟେ ତାଙ୍କୁ ଦୁଇଡ଼େଣାରେ ଜାପ୍‌ଟି ଧରି କାକୁସ୍ଥ ହୋଇ ବସିଛି । ତାକୁ ଦେଖି ଯମଦେବ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ବିରକ୍ତ ମଧ୍ୟ ହେଲେ । କ୍ଷଣକ ପାଇଁ ତାଙ୍କର ଭୂରୁ ଉପରକୁ ଉଠିଗଲା । ତା’ପରେ ପରେ କିନ୍ତୁ ତାଙ୍କୁ ହସ ମାଡ଼ିଲା–ସେ ହସି ଦେଲେ । ଭାବିଲେ–ଏ କ’ଣ ? ଏ କେମିତି ବର୍ତ୍ତମାନ ଏଠି ଆସି ବସିଛି ? ଆଜି ତ ସୂର୍ଯ୍ୟାସ୍ତ ପୂର୍ବରୁ ମାନେ ଠିକ୍‍ ପାଞ୍ଚଟା ପଞ୍ଚାବନ ମିନିଟ୍‍ ଚାଳିଶ ସେକେଣ୍ଡରେ ମରିବା କଥା । ଏହା ଭାବି ଯମ ଚଟିଆକୁ ପଚାରିଲେ–କିରେ ଚଟିଆ ? ତୁ ଏଠି କେମିତି ଏତେବେଳେ ଅଛୁ ? ତୋ ଜାଗାକୁ ଯାଇନାହୁଁ ?

 

ଯମଙ୍କ ଚାହାଣୀ ଆଉ ଧମକାଣି ବାକ୍ୟରେ ଚଟିଆଟି ବିଚାରା ଡରିଯାଇ କଂପି ଉଠିଲା ଓ ତା’ର ଟିକିଟିକି ଡେଣା ଦୁଇଟିକୁ ଫଡ଼ଫଡ଼ କରି ନିବିଡ଼ଭାବେ ଗରୁଡ଼ଙ୍କୁ କୁଣ୍ଢାଇ ଧରିଲା । ଗରୁଡ଼ ତାକୁ ନିଜ ପକ୍ଷ ତଳେ ଲୁଚାଇ ଦେଲେ। ତା’ପରେ ଜଗନ୍ନାଥଙ୍କଠାରୁ ଡାକରା ପାଇ ଯମଦେବ ପ୍ରଭୁଙ୍କ ଦର୍ଶନ ଲାଗି ରତ୍ନ ସିଂହାସନପାଖକୁ ଚାଲିଗଲେ । ଇତ୍ୟବସରରେ ଜଗନ୍ନାଥଙ୍କଠାରୁ ସୂକ୍ଷ୍ମ ଇଙ୍ଗିତ ପାଇ ଗରୁଡ଼ କ’ଣ କଲେ ନା, ଚଟିଆଟିକୁ ଧରି ଦୁଇଶତ ଯୋଜନ ଦୂର ବିନ୍ଧ୍ୟ ପର୍ବତରେ ଗୋଟିଏ ବଡ଼ ବରଗଛର କୋରଡ଼ ଭିତରେ ଲୁଚାଇ ରଖି ଦେଇ ଆସିଲେ । ଗରୁଡ଼ ହେଲେ ଦେବପକ୍ଷୀ । ଏତେ ବାଟ ଯାଇ ଫେରିଆସିବାକୁ ତାଙ୍କୁ ମାତ୍ର ପାଞ୍ଚମୁହୂର୍ତ୍ତ ଲାଗିଲା । ଏଣେ ଜଗନ୍ନାଥଙ୍କ ଦର୍ଶନ ସାରି ଓ ତାଙ୍କ ସହ ବିଭିନ୍ନ ଆଲୋଚନା କରିସାରି ଦେବତାମାନେ ସ୍ୱର୍ଗକୁ ବାହୁଡ଼ିଗଲେ ଏବଂ ଯମଦେବ ମଧ୍ୟ ଗରୁଡ଼ ଖମ୍ବ ପାଖକୁ ଆସି ସେଠି ଟିକିଏ ଅଟକି ଠିଆ ହେଲେ-। ତାଙ୍କ ମନରେ ସେହି ଅବାଧ୍ୟ ଚଟିଆଟିର କଥା ଥିଲା । କିନ୍ତୁ ଗରୁଡ଼ ଖମ୍ବ ଉପରେ ଚଟିଆକୁ ନ ଦେଖି ଯମ ବିରକ୍ତ ସ୍ୱରରେ ପଚାରିଲେ–ଗରୁଡ଼ ମହାରାଜ ! ସେହି ମୃତ୍ୟୁମୁଖୀ ହତଭାଗା ଘରଚଟିଆ କୁଆଡ଼େ ଗଲା ? ଗରୁଡ଼ କହିଲେ–ଯମଦେବ ! ଆପଣଙ୍କ କୋପଦୃଷ୍ଟିରୁ ତାକୁ ରକ୍ଷା କରିବା ଲାଗି ମୁଁ ତାକୁ ବିନ୍ଧ୍ୟପର୍ବତରେ ଗୋଟିଏ ବିଶାଳ ବରଗଛର କୋରଡ଼ ଭିତରେ ଲୁଚାଇ ରଖିଦେଇ ଆସିଲି । ତା’ର ମରିବା ସମୟ ଗଡ଼ିଗଲାଣି । ଆଉ ତାକୁ ଆପଣ ମାରି ପାରିବେ ନାହିଁ-

 

ଏହା ଶୁଣି ଯମଦେବ ହସି ଉଠିଲେ । କହିଲେ–ହେ, ବିଷ୍ଣୁ ବାହନ ! ଆପଣ ତା’ର ଉପକାର ନ କରି ଅପକାର କଲେ ବୋଲି ଜାଣନ୍ତୁ । କାରଣ, ମୁଁ ତା’ର ମୃତ୍ୟୁ–ବ୍ୟବସ୍ଥା ସେହି ବିନ୍ଧ୍ୟପର୍ବତରେ ସେହି ବିଶାଳ ବରଗଛର କୋଟର ଭିତରେ ଇ କରିଥିଲି । ସେହି କୋଟର ଭିତରେ ମୁଁ ଗୋଟିଏ କଳାନାଗକୁ ରଖାଇଥିଲି । ଠିକ୍‍ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ନିର୍ଦ୍ଦିଷ୍ଟ ସମୟରେ ଘରଚଟିଆଟି ସେହି କୋଟର ଭିତରକୁ ଯାଇଥାନ୍ତା ଓ କଳାନାଗ ତାକୁ ଅବଶ୍ୟ ଖାଇଥାନ୍ତା । କିନ୍ତୁ ସେହି ଚଟିଆକୁ ମୁଁ ବିନ୍ଧ୍ୟପର୍ବତଠାରୁ ଏତେ ଦୂରରେ ଶ୍ରୀମନ୍ଦିର ଭିତରେ ତୁମ ପାଖରେ ଶରଣ ପଶିଥିବାର ଦେଖି–ଆଶ୍ଚର୍ଯ୍ୟ ହୋଇ ଭାବିଥିଲି ଯେ, ମୋର ନିର୍ଘଣ୍ଟ ଓ ଆଦେଶ ତା’ ହେଲେ ମିଥ୍ୟ ହେଲା । କାରଣ, ଆଜି ସେହି ବେଳକୁ ଏତେଦୂର ପଥ ସେହି କ୍ଷୀଣକାୟ ଘରଚଟିଆ କେବେ ବି ଉଡ଼ିଯାଇପାରି ନ ଥାନ୍ତା । ତେଣୁ ସେ ବଞ୍ଚି ଯାଇଥାନ୍ତା । ମାତ୍ର ତୁମେ ତାକୁ ନେଇ କେତୋଟି ମୁହୂର୍ତ୍ତ ଭିତରେ ସେହି କୋରଡ଼ ଭିତରେ ଛାଡ଼ିଦେଇ ଆସିଲ ଏବଂ ଏହା ନିଧାର୍ଯ୍ୟ ଯେ କୋଟର ଭିତରେ ଆଗରୁ ଥିବା କଳାନାଗ ତାକୁ ଠିକ୍‍ ସମୟରେ ଖାଇ ସାରିଥିବ ଓ ମୁଁ ବର୍ତ୍ତମାନ ଖୁସି ଯେ ମୋର ଶାସନ ଓ ଆଦେଶ ବ୍ୟର୍ଥ ହୋଇ ନାହିଁ । ଗୋଟାଏ ସାମାନ୍ୟ ଘରଚଟିଆ ପାଖେ ମୁଁ ପରାସ୍ତ ହୋଇନାହିଁ ।

 

ଗରୁଡ଼ ଯମଙ୍କ ମୁଖରୁ ଏହା ଶୁଣି ହସି ହସି କହିଲେ–ହେ ମୃତ୍ୟୁଦେବତା ! ପରମ ତ୍ରାଣକର୍ତ୍ତା ଜଗନ୍ନାଥ ମହାପ୍ରଭୁ ଘରଚଟିଆଟିର ଆକୁଳ ପ୍ରାର୍ଥନା ଶୁଣି ଦୟା ବିଗଳିତ ହୋଇ ତାକୁ ଶଙ୍ଖେ ପୂରାଇ ଚକ୍ର ଉଢ଼ାଳି ରକ୍ଷା କରିଛନ୍ତି ଏବଂ ଆପଣଙ୍କ ଶାସନ ବିଧାନ ଓ ଆଦେଶକୁ ମଧ୍ୟ ରକ୍ଷା କରିଛନ୍ତି । ଘରଚଟିଆ ଠିକ୍‍ ସମୟରେ ଆପଣଙ୍କ ନିର୍ଦ୍ଧାରିତ ବିନ୍ଧ୍ୟପର୍ବତର ସେହି ବିଶାଳ ବରଗଛର କୋଟର ଭିତରେ ରହିଛି ଏବଂ ଆପଣଙ୍କ ଆଦେଶ ମାନି ତା ପୂର୍ବରୁ କଳାନାଗଟି ମଧ୍ୟ ସେହି କୋଟର ଭିତରେ ପଶି ଘରଚଟିଆକୁ ଖାଇବ ବୋଲି ଅପେକ୍ଷା କରି ରହିଥିଲା । ମାତ୍ର ପରମ ତ୍ରାଣକର୍ତ୍ତା ଭଗବାନ ଜଗନ୍ନାଥ ଘରଚଟିଆକୁ କୃପା କରି ଗୋଟିଏ ନେଉଳକୁ ସେଇ ବୃକ୍ଷ କୋଟର ଭିତରକୁ କିଞ୍ଚିତ୍‍ ପୂର୍ବରୁ ପଠାଇଦେଲେ ଏବଂ ସେହି ନେଉଳଟି ସେହି କଳାନାଗକୁ ମାରି ଖାଇଦେଲା ଏବଂ ଘରଚଟିଆ ଏଥରକର ମୃତ୍ୟୁ ହାତରୁ ରକ୍ଷା ପାଇଗଲା । ହେ ଯମଦେବ ! ଆପଣ ସବୁ ପ୍ରାଣୀଙ୍କର ପ୍ରାଣନାଶକ ଜଣେ ଭଗବାନ । କିନ୍ତୁ ସବୁ ପ୍ରାଣୀଙ୍କର ପ୍ରାଣରକ୍ଷକ ଆଉ ଜଣେ ପରମ ଶକ୍ତିଶାଳୀ ଓ ପରମ କରୁଣାମୟ ଭଗବାନ ଅଛନ୍ତି ବୋଲି କ’ଣ ଆପଣ ଜାଣି ନାହାନ୍ତି ? ସେହି ପରମ କାରୁଣିକ ପରମେଶ୍ୱର ତାଙ୍କର ଏ ସୃଷ୍ଟିକୁ କ’ଣ ମୃତ୍ୟୁହାତରେ ସମର୍ପି ଦେଇଛନ୍ତି କି ? ଯମଦେବ ଏହା ଶୁଣି ନୀରବରେ ତଳକୁ ମୁହଁ ପୋତି କ୍ଷଣେ ଛିଡ଼ା ହେଲେ ଓ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବିନୀତ ପ୍ରଣାମ କରି ସ୍ୱର୍ଗକୁ ବାହୁଡ଼ି ଗଲେ ।

 

ଡହରାନନ୍ଦ ଏଇଠାରେ ଗଳ୍ପଟି ଶେଷ କରି କହିଲେ–ଏବେ ବୁଝିଲ ତ ବାବୁମାନେ ? ଆମେ ସମସ୍ତେ ହୁଏତ ଦିନେ ମରିବା । କିନ୍ତୁ ଆମେ ମଣିଷମାନେ ଯେ ମୃତ୍ୟୁହାତରେ ବି ଅସହାୟ କ୍ରୀଡ଼ନକ ନୋହୁଁ–ଏ କଥାରେ ବି ଆମର ପ୍ରତ୍ୟୟ ରହିବା ଉଚିତ୍‍ ।

☆☆☆

 

ବୁଢ଼ାଙ୍କର ଘୋଡ଼ାରୋଗ

 

ସେତେବେଳେ ବାବା ଡହରାନନ୍ଦ କିଛିମାସ ରାଜଧାନୀରେ ନିଜ ବାସଗୃହରେ ଆବଦ୍ଧ ରହିଥିଲା ପରି ଥିଲେ । କାରଣ ତାଙ୍କର ଦନ୍ତପୀଡ଼ା ଯୋଗୁଁ ତାଙ୍କର ଅବଶିଷ୍ଟ ଏକୋଇଶିଟି ଦାନ୍ତ ଡେଣ୍ଟିଷ୍ଟ ଗୋଟି ଗୋଟି କରି ଉପାଡ଼ି ଦେଲେ ଏବଂ ଏଥିପାଇଁ ତାଙ୍କୁ ପ୍ରାୟ ଛଅମାସ ନିଜ ଘରେ କୁଆଡ଼େ ନ ଯାଇ ବିଶ୍ରାମ ନେବାକୁ ପଡ଼ିଥିଲା ଓ ସେହି ଛଅମାସ ସେ କେବଳ ତରଳ ଖାଦ୍ୟ ଖାଉଥିଲେ । କିନ୍ତୁ ସେହି କାଳ ମଧ୍ୟରେ ରାଜ୍ୟର ସବୁଆଡ଼ୁ ତାଙ୍କର ଅନୁରକ୍ତ ଯୁବକମାନେ ତାଙ୍କୁ ଦେଖା କରିବାକୁ ଆସୁଥିଲେ ଓ ସେହି ଅବସରରେ ସେ ସେମାନଙ୍କ ସହ ଆଳାପ ଆଲୋଚନା କରିବାକୁ ସୁଯୋଗ ପାଉଥିଲେ । ସେତେବେଳେ ସହରର କେତେକ ବୟୋବୃଦ୍ଧ ବ୍ୟକ୍ତି ମଧ୍ୟ ତାଙ୍କ ସହିତ ଆଳାପ କରିବାକୁ ମଧ୍ୟେ ମଧ୍ୟେ ଆସୁଥିଲେ । ଯଦିଓ ପ୍ରୌଢ଼ ଓ ବୃଦ୍ଧମାନଙ୍କ ସହିତ ତାଙ୍କର କିଛି ଆଳାପ ଆଲୋଚନା କରିବାକୁ ପ୍ରବୃତ୍ତି ହୁଏ ନାହିଁ ତଥାପି ତାଙ୍କ ନିଜ ସହରର ବୟସ୍କ ବ୍ୟକ୍ତିମାନଙ୍କୁ ସେ ପ୍ରାୟ ଏଡ଼େଇ ଦେଇ ପାରୁ ନ ଥିଲେ ।

 

ସେଦିନ ଚାରିଜଣ ଅବସରପ୍ରାପ୍ତ ବୟୋବୃଦ୍ଧ ବ୍ୟକ୍ତି ତାଙ୍କ ଡ୍ରଇଂରୁମରେ ବସି ନାନାଦି ବିଷୟରେ କଥାବାର୍ତ୍ତା କରୁ କରୁ–ଶେଷରେ ସେମାନେ ସମସ୍ତେ ପ୍ରାୟ ଗୋଟିଏ ସମସ୍ୟା ଡହରାନନ୍ଦଙ୍କ ଆଗରେ ଉପସ୍ଥାପନ କଲେ । ସେହି ବୃଦ୍ଧମାନଙ୍କ ବୟସ ଷାଠିଏକୁ ଅତିକ୍ରମ କରିଯାଇଥିଲା । ସେମାନେ ସମସ୍ତେ ବାଳକୁ କଳାରଙ୍ଗ କରିଥିଲେ ଓ ନକଲୀ ଦାନ୍ତ ଲଗାଇଥିଲେ-। ସେମାନଙ୍କ ଭିତରୁ ଜଣେ ଚନ୍ଦା ହୋଇ ଯାଇଥିଲେ ବି ମୁଣ୍ଡରେ ଗୋଟିଏ ମୂଲ୍ୟବାନ କଳା ପର୍‌ଚୁଳା ଲଗାଇଥିଲେ । ସେମାନେ ସମସ୍ତେ ଖୁବ୍‍ ଯୁବସୁଲଭ ସ୍ମାର୍ଟ ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତଙ୍କ ମୁହଁରେ ଅସନ୍ତୋଷ ଓ ବ୍ୟର୍ଥତାର ଧୂଷର ଛାପ ପଡ଼ିଥିଲା-। ସେମାନଙ୍କର ମିଳିତ ସମସ୍ୟାଟିକୁ ତାଙ୍କ ଭିତରୁ ଜଣେ ବୃଦ୍ଧ ପ୍ରକାଶ କଲେ–

 

ମହାଶୟ ! ଆମ୍ଭେମାନେ ଚାକିରୀରୁ ଦୁଇବର୍ଷ ହେଲା ଅବସର ନେଲାପରେ ମଧ୍ୟ ଆମ୍ଭେମାନେ ନିଜକୁ ବୃଦ୍ଧ ଓ ଅକର୍ମଣ୍ୟ ମନେ କରୁନାହୁଁ । ଆମ୍ଭମାନଙ୍କ ଶରୀରରେ ଏବେ ବି ଆଧୁନିକ ଯୁବକମାନଙ୍କଠାରୁ ଅଧିକ ଶକ୍ତିଥିବାର ଆମେ ଅନୁଭବ କରୁଛୁ । ଆମେ ରକ୍ତରୁ ଉତ୍ତେଜନା ମଧ୍ୟ କମି ନାହିଁ । ଏପରିକି ଆମର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ନାହିଁ । ଏପରିକି ଆମର ଯୌନଶକ୍ତି ଆମ ଭିତରେ ଅକ୍ଷୟ ମାତ୍ରାରେ ଅଛି ବୋଲି ଆମର ବିଶ୍ୱାସ । ଆମ୍ଭମାନଙ୍କ ମସ୍ତିଷ୍କ ବେଶ୍‍ ସୁସ୍ଥ ଓ ସକ୍ରିୟ ରହିଛି । ଆମ୍ଭମାନଙ୍କ ତୁଣ୍ଡ ବାଚାଳ ହୋଇନାହିଁ । ଆମର ପାକସ୍ଥଳୀର ହଜମ କ୍ଷମତା ମଧ୍ୟ ଆଶାତୀତ । ଅବଶ୍ୟ ମୁଣ୍ଡର ବାଳ ପାଚିବା ଓ ଦାନ୍ତ ହଲିବା ବା ପଡ଼ିବା ଆମ ପାଇଁ ବିଶେଷ ସମସ୍ୟା ହୋଇ ରହିନାହିଁ । କାରଣ କଳା ରଙ୍ଗ ଓ ନକଲୀ ଦାନ୍ତ ଆମର ସେତିକି ମାତ୍ର ବାର୍ଦ୍ଧକ୍ୟକୁ ପରାସ୍ତ କରି ସାରିଛି ।

 

ଡହରାନନ୍ଦଜୀ ଏହା ଶୁଣି ହସିଉଠିଲେ ଓ କହିଲେ–ତାହେଲେ ଆପଣ ମାନଙ୍କର ଆଉ ସମସ୍ୟା ବା କ’ଣ ଅଛି ? ଏଣିକି ଏହି ସକ୍ଷମତା ଭିତରେ ଆପଣମାନେ ଶେଷ ଜୀବନଟି ଆନନ୍ଦରେ କଟାନ୍ତୁ ।

 

ଏହା ଶୁଣି ଜଣେ ବୃଦ୍ଧ କହିଲେ–ନା ମହାଶୟ ! ନା । ଆନନ୍ଦ ହୁଏତ ଆମ ଭାଗ୍ୟରେ ନାହିଁ । କିମ୍ବା ଏହି ଯୁବକମାନେ ଆମ ପ୍ରତି ଈର୍ଷା ପରାୟଣ ହୋଇ ଆମକୁ ଆନନ୍ଦରୁ ବଞ୍ଚିତ କରିବେ । କାରଣ, ଆମ ନିଜର ପୁଅ ବୋହୂ, ଝିଅ ଜୋଇଁ ଓ ନାତିନାତୁଣୀମାନେ ମଧ୍ୟ ଆମର ଏହି ବିଳମ୍ବିତ ଯୌବନ–ବିଳାସକୁ ଈର୍ଷାରେ ସହ୍ୟ କରି ପାରୁନାହାନ୍ତି ଓ ମନେ ମନେ ଆମ୍ଭେମାନେ କିପରି ଚଞ୍ଚଳ ଥୁରୁ ଥୁରୁ ଅକ୍ଷମ ବୁଢ଼ା ହୋଇଯାଉଁ–ଏହା ହିଁ କାମନା କରୁଛନ୍ତି । ଆପଣ ତ’ ବର୍ତ୍ତମାନ ସାରା ରାଜ୍ୟର ଯୁବକମାନଙ୍କର ପରାମର୍ଶଦାତା ରୂପେ ବିଖ୍ୟାତ ହୋଇଅଛନ୍ତି । ଏବେ ସେହି ଅସହିଷ୍ଣୁ ଯୁବକମାନଙ୍କୁ ପଚାରନ୍ତୁ–ସେମାନେ କ’ଣ ଚାହାନ୍ତି ଯେ ଏହି ରୂପରସଭରା ପୃଥିବୀ କେବଳ ସେଇମାନେ ହିଁ ଭୋଗ କରିବେ ? ଆଉ ଆମ୍ଭେମାନେ ମାତ୍ର ଷାଠିଏ ସତୁରିବର୍ଷ ବୟସରେ ଏଥିରୁ ବଞ୍ଚିତ ହୋଇ ଏ ପୃଥିବୀରୁ ବିଦାୟ ନେବୁ ?

 

ଡହରାନନ୍ଦଜୀ ଏହା ଶୁଣି ହସି ଉଠିଲେ–ତା’ ପରେ ହସ ସମ୍ଭାଳି କହିଲେ–ମହାଶୟଗଣ ! ଏଇ ରୂପରସଭରା ପୃଥିବୀକୁ ଭୋଗ କରିବା ଲାଗି ଆପଣମାନେ ଯୁବକମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି କାହିଁକି ? ଆମର ଏହି ଭୋଗନୀୟା ପୃଥିବୀକୁ ଆପଣମାନେ କେବଳ ଯୌବନ ମାଧ୍ୟମରେ ଭୋଗିବାକୁ ଚାହୁଛନ୍ତି କାହିଁକି ? ଏ ପୃଥିବୀକୁ ଶିଶୁମାନେ ଭୋଗ କରନ୍ତି–କିଶୋରମାନେ ଭୋଗ କରନ୍ତି–ଯୁବକମାନେ ଓ ପ୍ରୋଢ଼ମାନେ ଭୋଗ କରନ୍ତି । ବୃଦ୍ଧମାନେ ମଧ୍ୟ ଭୋଗ କରିବା ଉଚିତ । କିନ୍ତୁ ଶିଶୁ, କିଶୋର, ଯୁବକ ଓ ପ୍ରୌଢ଼ମାନେ ଏହି ପୃଥିବୀଠାରୁ ସେମାନଙ୍କ ଉପଯୋଗୀ ଭୋଗ୍ୟ ପଦାର୍ଥ କାମନା କରନ୍ତି ଓ ଯେଝା ଯେଝା ଢଙ୍ଗରେ ବା ରୀତିରେ ତାହା ଭୋଗ କରନ୍ତି । ଗୋଟିଏ ଶିଶୁ କେବେ ଭଲା ଗୋଟିଏ ଯୁବକ ଭଳି ପୃଥିବୀକୁ ଭୋଗ କରେ-? ନା ଗୋଟିଏ ପ୍ରୌଢ଼ ଏ ପୃଥିବୀକୁ ଗୋଟିଏ ଶିଶୁଭଳି ଭୋଗ କରିବାକୁ ଚାହେଁ ? ଆପଣମାନେ ଏ ପୃଥିବୀକୁ ନିଜର ଯଥାର୍ଥ ଉପଯୋଗିତା ଅନୁଯାୟୀ ନିଜ ନିଜ ‘ବାଟରେ ଭୋଗୁନାହାନ୍ତି କାହିଁକି-? କାହିଁକି ଆପଣମାନେ ଭଲା ଯୁବକ ଉପଯୋଗୀ ଭୋଗ ଯୁବକ ବାଟରେ କରିବାକୁ ଚାହାନ୍ତି-? ଏହା ଆପଣମାନଙ୍କ ପାଇଁ ଏକ ବିକୃତ ଲାଳସା ନୁହେଁ କି ?

 

ଏହା ଶୁଣି ଜଣେ କାତର–ମୁଖ ବୃଦ୍ଧ ବିରକ୍ତି ଦେଖାଇ କହିଲେ–ବୃଦ୍ଧ ବାଟରେ ବୃଦ୍ଧ ଉପଯୋଗୀ ଭୋଗ ଭଲା ଏ ପୃଥିବୀରେ କ’ଣ ଅଛି ? ବହୁମୂତ୍ର ପାଇଁ, ହାଇବ୍ଳଡ଼ ପ୍ରେସର ପାଇଁ, ପକ୍ଷାଘାତ ଏବଂ ଆଣ୍ଠୁଗଣ୍ଠି ବାତ ପାଇଁ, ଔଷଧାଦି ଖାଇବା ବ୍ୟତୀତ ବୁଢ଼ା ଲୋକଙ୍କର ଭଲା ଆଉ କ’ଣ ଭୋଗ ଅନୁଭୋଗ ରହିଛି ? ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ମଣିଷ ଏ ପୃଥିବୀକୁ ଭୋଗ କରେ । ବୃଦ୍ଧକାଳରେ ଇନ୍ଦ୍ରିୟମାନେ ଶିଥିଳ ହୋଇଯାନ୍ତି । ତେଣୁ ଶିଥିଳ ଇନ୍ଦ୍ରିୟମାନଙ୍କର ସକ୍ଷମତା, ଦୃଢ଼ତା ଓ ତୀକ୍ଷ୍‌ଣତା ଫେରାଇ ନ ଆଣିଲେ ବୃଦ୍ଧମାନଙ୍କ ପାଇଁ ଏ ଜୀବନ ଓ ଏ ପୃଥିବୀକୁ ଭୋଗ୍ୟ ଭାଗ୍ୟ କରିବା ଅସମ୍ଭବ । ଛାଡ଼ନ୍ତୁ ଆପଣଙ୍କ ସହ ଏ ସମ୍ବନ୍ଧେ ଆଲୋଚନା କରିବା ବୃଥା । ଆପଣ ତ ଯୁବକମାନଙ୍କର ଓକିଲ । ହେ ଈଶ୍ୱର ! ଆମ ଭଳି ବୃଦ୍ଧମାନଙ୍କୁ ଶୀଘ୍ର ଏ ସଂସାରରୁ ନେଇଯାଅ ।

 

ଡହରାନନ୍ଦଜୀ ଏହି ଗ୍ଳାନିକର ବାକ୍ୟ ଶୁଣି ଖୁବ୍‍ ମଜା ଅନୁଭବ କଲେ । ତା’ପରେ କହିଲେ–

 

ମହାଶୟମାନେ ! ଏ ଜଗତ ଓ ଜୀବନ ହେଲା ପରିବର୍ତ୍ତନଶୀଳ । ପ୍ରାଣୀମାନେ ସେମାନଙ୍କ ଜୀବନର ପରିବର୍ତ୍ତନକୁ ବାଧ୍ୟ ହୋଇ ସ୍ୱୀକାର କରନ୍ତି । ମଣିଷ କିନ୍ତୁ ବୁଦ୍ଧିମାନ ପ୍ରାଣୀ । ପରିବର୍ତ୍ତନ ସହିତ ସେ ନିଜକୁ ପରିବର୍ତ୍ତନ କରି ଚାଲିଥାଏ । ଅକାଳରେ ମରିବା ଦୁଃଖଦାୟକ । କିନ୍ତୁ କ୍ରମଶଃ ବୁଢ଼ାହୋଇ ମରିବାରେ ଦୁଃଖ କ’ଣ ? କିନ୍ତୁ ବାର୍ଦ୍ଧକ୍ୟାବସ୍ଥାକୁ ସୁନ୍ଦରଭାବେ, ସୁସ୍ଥଭାବେ, ସରଳ ସ୍ୱାଭାବିକ ଭାବେ ଓ ମର୍ଯ୍ୟାଦାବନ୍ତ ଭାବେ ବଞ୍ଚିବା ଉଚିତ । ଉତ୍ତମ ସ୍ୱାସ୍ଥ୍ୟ ଶିଶୁ ଓ ଯୁବକ ପାଇଁ ଯେପରି ଆବଶ୍ୟକ–ବୃଦ୍ଧପାଇଁ ମଧ୍ୟ ତଦ୍ରୂପ ଆବଶ୍ୟକ । କିନ୍ତୁ ଜଣେ ବୃଦ୍ଧଙ୍କୁ ଇନ୍ଦ୍ରିୟମାନଙ୍କ ବିନା ସାହାଯ୍ୟରେ ବା ଅଳ୍ପ ସାହାଯ୍ୟରେ ଏ ଜୀବନକୁ କିପରି ଭୋଗ ଓ ଉପଭୋଗ କରିବାକୁ ହୁଏ–ତାହା ଶିକ୍ଷା କରିବାକୁ ପଡ଼ିବ । ତା’ ନ ହେଲେ ହାଇଦ୍ରାବାଦ ସହରର ସେହି ବୃଦ୍ଧ ମୌଲବୀଙ୍କ ଦୁର୍ଦ୍ଦଶା ହିଁ ଆପଣମାନଙ୍କୁ ଭୋଗିବାକୁ ପଡ଼ିବ । ମୁଁ ବର୍ତ୍ତମାନ ସେହି କାହାଣୀଟି କହୁଛି ଶୁଣନ୍ତୁ ।

 

ହାଇଦ୍ରାବାଦର ସେହି ବୃଦ୍ଧ ମୌଲବୀଙ୍କ ନାମ ଥିଲା ମୌଲବୀ ବସିରୁଦ୍ଦିନ । ସେ ଇସ୍‌ଲାମୀୟ ପ୍ରଥା ରକ୍ଷା କରି ଦୁଇଟି ବିଧବା ଓ ଦୁଇଟି ଅନୁଢ଼ା କନ୍ୟା ବିବାହ କରିଥିଲେ ଏବଂ ସେହି ଚାରିପତ୍ନୀଙ୍କଠାରୁ ବାରୋଟି ପୁତ୍ର ଓ ଏଗାରଟି କନ୍ୟା ଉତ୍ପାଦନ କରିଥିଲେ । ସେହି ପିଲାମାନେ ବଡ଼ ହେଲେ ଓ ସେମାନଙ୍କଠାରୁ ମଧ୍ୟ ସେହିପରି ବତ୍ରିଶଟି ନାତିନାତୁଣୀ ଜନ୍ମ ହେଲେ-। ମୌଲବୀ ବସିରୁଦ୍ଦିନ ଏହିପରି ଭାବେ ଏକ ବିରାଟ ପରିବାରର କର୍ତ୍ତା ହୋଇଥିଲେ-। କ୍ରମଶଃ ସେ ପଞ୍ଚଷଠି ବୟସରେ ପଦାର୍ପଣକଲେ ଏବଂ ତାଙ୍କର ଚାରି ବେଗମ୍‌ଙ୍କ ଭିତରୁ ତିନୋଟି ବେଗମ୍‍ ମରିଗଲେ । ଚତୁର୍ଥ ବେଗମ୍‌ଟି ଥିଲେ ପ୍ରାୟ ମୌଲବୀ ବସିରୁଦ୍ଦିନଙ୍କ ସମବୟସ୍କା-। ତାଙ୍କୁ ସେତେବେଳେ ଷାଠିଏବର୍ଷ ହୋଇଥିଲା । ବସିରୁଦ୍ଦିନଙ୍କୁ ପଞ୍ଚଷଠି ବୟସ ହୋଇଥିଲେ ବି ସେ ଖୁବ୍‍ ସୁସ୍ଥ ସବଳ ଥିଲେ ଏବଂ ତାଙ୍କର ଏକମାତ୍ର ବେଗମ୍‍ କ୍ରମଶଃ ଖୁବ୍‍ ରୁଗ୍‌ଣା ଓ ଦୁର୍ବଳ ହୋଇ ପଡ଼ୁଥିଲେ । ବସିରୁଦ୍ଦିନ ଅବଶ୍ୟ ଜଣେ ଖାଣ୍ଟି ମୁସଲମାନ ଭାବେ ପ୍ରତିଦିନ ପାଞ୍ଚଥର ନମାଜ କରୁଥିଲେ ଓ ରୋଜା ପାଳନ କରୁଥିଲେ । କିନ୍ତୁ ପ୍ରକୃତରେ ତାଙ୍କର ମନ ଆଲ୍ଲାଙ୍କ ପାଖେ ଲାଗୁ ନ ଥିଲା । ବରଂ ଅନ୍ୟପକ୍ଷରେ ତାଙ୍କ ମନରେ ଖାଦ୍ୟ ପ୍ରତି ଓ ଯୌନସୁଖ ପ୍ରତି ଲାଳସା ବଢ଼ି ବଢ଼ି ଚାଲିଥିଲା । ଖାଦ୍ୟ–ଲାଳସା ଚରିତାର୍ଥ କରିବାରେ ତାଙ୍କର କୌଣସି ସମସ୍ୟା ନ ଥିଲା । ମାତ୍ର ଯୌନସୁଖ ପରିଚର୍ଯ୍ୟା ଲାଗି ତାଙ୍କର ବୃଦ୍ଧା ବେଗମ୍‍ ଆଉ ସମର୍ଥା ନ ଥିଲେ । ତେଣୁ ସେ ଗୋଟିଏ ସତର ଅଠର ବର୍ଷୀୟା କନ୍ୟା ବିବାହ କଲେ । ଏହି ବିବାହ ପୂର୍ବରୁ ତାଙ୍କର ପୁତ୍ରମାନେ ବହୁ ବିରୋଧ କରିଥିଲେ । ସେମାନେ କହିଲେ–ଆବାଜାନ୍‍ ! ଆପଣଙ୍କର ହଜ୍‍ ଯାତ୍ରାରେ [ତୀର୍ଥଯାତ୍ରା] ଯିବା ସମୟ ଓ ସୁଯୋଗ ଆସିଲାବେଳେ ଆପଣ ଆଉ ଏଥିରେ ଲଟ୍‌ପଟ୍‍ ହେବା ଉଚିତ ନୁହେଁ-। ମାତ୍ର ମୌଲବୀ ଜବାବ ଦେଲେ–ବେଟାମାନେ ! ମୋର ବୟସ ପଞ୍ଚଷଠି ହେଲାଣି ସତ, ମାତ୍ର ଉତ୍ପାଦନ କରିବାରେ ମୁଁ ତୁମମାନଙ୍କଠାରୁ କମ୍‍ ସମର୍ଥ ନାହିଁ । ଆଲ୍ଲା କହିଛନ୍ତି–ଏ ପୃଥିବୀରେ ଯେ ଯେତେ ମୁସଲମାନଙ୍କ ସଂଖ୍ୟା ବଢ଼ାଇପାରିବ ସେ ସେତିକି ବର୍ଷ ସ୍ୱର୍ଗରେ ରହିବ । ଭାବନାହିଁ, ମୁଁ ମଉଜ କରିବା ପାଇଁ ଏ ବୟସରେ ଆଉ ଥରେ ସାଦି କରୁଛି । ଆଲ୍ଲାଙ୍କ ଫତୁଆ ମାନି କବରକୁ ଯିବା ପର୍ଯ୍ୟନ୍ତ ମୁଁ ଯଦି ମୁସଲମାନ ସଂଖ୍ୟା ବଢ଼ାଇ ନ ପାରିଲି, ତେବେ ମୁଁ କି ମୁସଲମାନ୍‍ ?

 

ସେ ଯାହାହେଉ ମୌଲବୀ ବସିରୁଦ୍ଦିନ ଗୋଟିଏ ସତର ଅଠରବର୍ଷର ଝିଅକୁ କ୍ରୟ କରି ଆଣି ତାକୁ ବିବାହ କଲେ । ତାଙ୍କର ପୁଅ ଓ ନାତିମାନେ ବୃଦ୍ଧଙ୍କର ଏହି ଅକାଳ ବିବାହରେ ଖୁବ୍‍ ଅସନ୍ତୁଷ୍ଟ ହେଲେ । ଏଣେ ବିବାହର ଦୁଇବର୍ଷ ବିତିଗଲେ ବି ବସିରୁଦ୍ଦିନ ଗୋଟିଏ ବି ମୁସଲମାନ ବଚ୍ଚା ଉତ୍ପାଦନ କରିପାରିଲେ ନାହିଁ । ଏଣେ କିନ୍ତୁ ତାଙ୍କର ଦୁଇଟି ନାତି ପରସ୍ପର ସହ ପ୍ରତିଦ୍ୱନ୍ଦିତା କରି ଚାରୋଟି ମୁସଲମାନ ଶିଶୁ ଏ ପୃଥିବୀ ଉପରକୁ ନେଇ ଆସିଲେ ଏବଂ ସେହି ନାତିମାନେ ଏ ବିଷୟ ନେଇ ଜେଜେବାପାଙ୍କୁ ପ୍ରତିଦିନ ନାନାଦି କଟୁ ଉପହାସ କରିବାକୁ ଲାଗିଲେ । ବସିରୁଦ୍ଦିନ ଦିନକୁ ଦିନ ନିଜ ମନ ଭିତରେ ବହୁତ ଅପମାନିତ ବୋଧ କଲେ । କିନ୍ତୁ ଏତିକିରେ ମଧ୍ୟ ବୃଦ୍ଧ ବସିରୁଦ୍ଦିନଙ୍କର ଦୁର୍ଦ୍ଦଶା ସୀମିତ ହୋଇ ରହିଲା ନାହିଁ । ନିଜର ଯୌବନ ଶକ୍ତିର ପୁନରୁତ୍‌ଥାନ ପାଇଁ ଏବଂ ସନ୍ତାନ ଉତ୍ପାଦନ କ୍ଷମତା ପାଇଁ ସେ ସବୁପ୍ରକାର ଚିକିତ୍ସାର ଆଶ୍ରୟ ନେଲେ । ଏଲୋପାଥି, ୟୁନାନୀ, ଆୟୁର୍ବେଦ, ହୋମିଓପାଥି, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଓ ଏପରିକି ନାନାପ୍ରକାର ଜଡ଼ିବୁଟୀର ଔଷଧ ଓଜାରଣ ମାରଣାଦି ବ୍ୟବହାର କରି ମଧ୍ୟ କିଛି ଫଳ ହେଲା ନାହିଁ । କେବଳ ବହୁ ଅର୍ଥ ବ୍ୟୟ ହୋଇଗଲା । ବସିରୁଦ୍ଦିନ ହତୋତ୍ସାହ ହୋଇ ମନେ ମନେ ସ୍ଥିର କଲେ ଯେ ସେ ବିଷ ଖାଇ ଆତ୍ମହତ୍ୟା କରିବେ । ତା’ କରିଥିଲେ ଅବଶ୍ୟ ମନ୍ଦ ହୋଇ ନ ଥାନ୍ତା କିନ୍ତୁ ପରମ ନ୍ୟାୟପତି ଆଲ୍ଲାତାଲ୍ଲାଙ୍କର ବରାଦ ଥିଲା ଅନ୍ୟରକମ । ଇତି ମଧ୍ୟରେ ବସିରୁଦ୍ଦିନ ଲକ୍ଷ୍ୟ କଲେ ଯେ, ସେହି ତରୁଣୀ ସୁନ୍ଦରୀ ଭାର୍ଯ୍ୟାଟି ତାଙ୍କୁ ଆଉ ଖାତିର କରୁନାହିଁ । ବରଂ ସେ ତାଙ୍କର ଗୋଟିଏ ସୁସ୍ଥ ସୁନ୍ଦର ତରୁଣ ନାତି ପ୍ରତି ଅତ୍ୟଧିକ ଆକୃଷ୍ଟ ହୋଇପଡ଼ିଛି ଏବଂ ସେହି ନାତିଟି ମଧ୍ୟ ଖୁବ୍‍ ସାହସରେ ଜେଜେବାପାଙ୍କ ତରୁଣୀ ଭାର୍ଯ୍ୟା ସହିତ ଦିନରାତି ରଙ୍ଗରସରେ ମାତିବାକୁ ଲାଗିଲା । ଏହା ଦେଖି ବସିରୁଦ୍ଦିନଙ୍କ ରକ୍ତ ଟକ୍‌ମକ୍‍ ହୋଇ ଫୁଟିବାକୁ ଆରମ୍ଭ କଲା । ଦିନେ ଦୁର୍ଭାଗ୍ୟକୁ ବୃଦ୍ଧ ବସିରୁଦ୍ଦିନ ସେହି ନାତିଟୋକାକୁ ନିଜର ତରୁଣୀ ସୁନ୍ଦରୀ ଭାର୍ଯ୍ୟା ସହିତ ଶୋଇବାର ଦେଖି କ୍ରୋଧରେ ଫାଟି ପଡ଼ିଲେ । ସେ ସଙ୍ଗେ ସଙ୍ଗେ ଛୁରା ବାହାର କରି ନାତିକୁ କହିଲେ–ଆବେ ବେହୁଦା ! ଆଜି ତୋତେ ଖୁନ୍‍ କରିବି–ଆଉ ଏଇ ବେଶ୍ୟାଟାକୁ ବି ଖୁନ୍‍ କରିବି । ନାତିଟୋକା ସେହି ଅବସ୍ଥାରେ ଥାଇ ବେପରୁଆ ଭାବେ ଉତ୍ତର ଦେଲା–କାହିଁକି ଏତେ ଖୁନ୍‍ ଗରମ କରୁଛ ବେଫାଇଦା ? ଯାହା ତୁମେ କରିପାରିନ–ତାହା ତୁମ ପୁଅମାନେ କରିବେ । ଏହା ତ ଖୋଦାଙ୍କ ବିଧାନ । ତୁମର ଯଦି କେବଳ ଉଦ୍ଦେଶ୍ୟ ଥାଏ ଯେ–ଏ ପୃଥିବୀକୁ କେବଳ ମୁସଲମାନମୟ କରିଦେବା ଏବଂ ଯଦି ତୁମେ ସେ ଉଦ୍ଦେଶ୍ୟ ସାଧି ନ ପାରିଲ–ତେବେ ମୋତେ ଛାଡ଼ିଦିଅ ମୁଁ ତୁମର ଖୋଦ୍‍ ନାତି ଅଛି । ଆଉ ମୁଁ ମଧ୍ୟ ସଚ୍ଚା ମୁସଲମାନ୍‍ ଅଛି ।

 

ଏହା ଶୁଣିଲା ମାତ୍ରେ ବୃଦ୍ଧ ବସିରୁଦ୍ଦିନଙ୍କ ମୁଣ୍ଡକୁ ଖୁନ୍‍ ଉଠିଗଲା । ସେ କ୍ରୋଧରେ ଅନ୍ଧ ହୋଇ ନାତି ଛାତିରେ ଛୁରି ଭୁଷିଦେଲେ । ନାତିର ପ୍ରାଣ ଛାଡ଼ିଗଲା । ଏହା ପରର ଘଟଣା ଅତି ମର୍ମନ୍ତୁଦ । ଏହା ପରେ ସେହି ବୃଦ୍ଧଙ୍କର ପୁତ୍ର ତାଙ୍କ ଛାତିରେ ଛୁରି ଭୂଷିଦେଲା ଓ ତାଙ୍କର ସେହି ସୁନ୍ଦରୀ ତରୁଣୀ ଭାର୍ଯ୍ୟା ଛାତିରେ ମଧ୍ୟ ଛୁରି ଭୁଷିଦେଲା । ଏକାଥରକେ ସେହି ଘରେ ତିନୋଟି ମର୍ଡ଼ର କେସ୍‍ ଘଟିଗଲା ।

 

ଡହରାନନ୍ଦ ଏହିଠାରେ କଥାଟି ଶେଷ କରି କହିଲେ–ଏବେ ବୁଝିଲେ ତ ? ପରମେଶ୍ୱର ଆଲ୍ଲାଙ୍କର ଦ୍ୱାହି ଦେଇ ବା ଭଗବାନ ରାମ କି କୃଷ୍ଣଙ୍କର ଦ୍ୱାହି ଦେଇ, ଆପଣମାନେ ଯଦି ନିଜର ବିକୃତ କାମନା ଚରିତାର୍ଥ କରିବାକୁ ଯିବେ–ତେବେ ତା’ର ଫଳ ଏମିତି ବିଷମୟ ହେବ-। ତୁମେ ଯେଉଁ ଧର୍ମାବଲମ୍ବୀ ହୁଅନା କାହିଁକି, ପରମେଶ୍ୱରଙ୍କ ମୌଳିକ ନ୍ୟାୟ ଓ ନୀତିର ବିଧାନ ସମସ୍ତଙ୍କ ପାଇଁ ସମାନ । ଯାହା ଅସ୍ୱାଭାବିକ, ଅସରଳ ଓ ଅସହଜ–ତାହା ହିଁ ବିକୃତ ଓ ତାହା ହିଁ ପାପ । ମୁଁ ଆଶା କରୁଛି–ଆପଣମାନେ ଏହି ବିକୃତ ବାସନା ସବୁରୁ ଖୁବ୍‍ ଶୀଘ୍ର ମୁକ୍ତ ହେବେ-

☆☆☆

 

ବଡ଼ ମଣିଷଙ୍କ ମଳ ପରୀକ୍ଷା

 

ପୁରୀ ଜିଲ୍ଲାର ନିମାପଡ଼ା ସହରରେ ବାବା ଡହରାନନ୍ଦ ଥରେ ଗୋଟିଏ ଦିନ କଟାଇଥିଲେ । ସେଦିନ ସେ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ବୈଠକଖାନାରେ ବସି ତାଙ୍କର ବନ୍ଧୁ ଓ ତାଙ୍କର ସାନଭାଇଙ୍କ ସହିତ ଆଳାପ କରୁଥିଲା ବେଳେ ସହରର କେତେକ ତରୁଣ ସେଠାରେ ଆସି ପହଞ୍ଚିଲେ ଏବଂ ଡହରାନନ୍ଦଙ୍କ ସହିତ ନାନା ବିଷୟରେ ଆଲୋଚନା କଲେ । ସେଦିନ ଅବଶ୍ୟ ସେମାନଙ୍କ ସହିତ ଆମ ଦେଶର ଓ ଆମ ରାଜ୍ୟର ବହୁ ବଡ଼ବଡ଼ ମଣିଷଙ୍କ ସମ୍ବନ୍ଧେ କଥାବାର୍ତ୍ତା ପଡ଼ିଲା । ଆଶ୍ଚର୍ଯ୍ୟ କଥା ଯେ–ସେହି ତରୁଣମାନେ ଆମର ବଡ଼ମଣିଷମାନଙ୍କ ସମ୍ବନ୍ଧେ ଏପରି କେତେକ କୁତ୍ସାମୂଳକ କଥା କହିବାକୁ ଆରମ୍ଭ କଲେ–ଯାହା କି ସ୍ୱତଃପ୍ରମାଣ କରି ଦେଲା ଯେ, ଏ ଦେଶରେ ପ୍ରକୃତରେ ବଡ଼ ମଣିଷମାନେ ଜନ୍ମି ନାହାନ୍ତି–ଏବଂ ଯେଉଁମାନଙ୍କୁ ବଡ଼ ମଣିଷ ବୋଲି କୁହାଯାଉଛି–ସେମାନଙ୍କୁ କେବଳ ସେମାନଙ୍କର ଚେଲା ଚାମଚାମାନେ କେବଳ ସେମାନଙ୍କର ସ୍ୱାର୍ଥ ଉଦ୍ଦେଶ୍ୟରେ ବଡ଼ କରି ଥୋଇଛନ୍ତି । ତା ନହେଲେ–ସବୁ ବଡ଼ମଣିଷମାନେ ବାହାରକୁ ସିନା ଏତେ ବଡ଼ ଦିଶନ୍ତି, କିନ୍ତୁ ସେମାନଙ୍କ ଭିତରେ ଖାଲି ଗୁହ । ସବୁ ବଡ଼ମଣିଷଙ୍କର ଅସଲ ଗୁମର ଯଦି ପ୍ରଚାରିତ ହୋଇଯାଏ–ତେବେ ଏଇ ସବୁ ତଥାକଥିତ ବଡ଼ମଣିଷମାନଙ୍କ ଏହି ସବୁ ତଥାକଥିତ ବଡ଼ପଣିଆ କୁଆଡ଼େ ନିମିଷକେ ମିଳାଇଯିବ । ସେହି ତରୁଣ ଯୁବକମାନେ ବଡ଼ମଣିଷମାନଙ୍କ ଭାବମୂର୍ତ୍ତି ଭାଙ୍ଗିବାରେ ଏତେ ଉନ୍ମତ୍ତ ହୋଇ ଉଠୁଥିଲେ ଯେ, ସେମାନେ ଗାନ୍ଧୀ ଗୋପବନ୍ଧୁଙ୍କ ଭାବମୂର୍ତ୍ତି ଉପରେ ବି ପାହାର ବସାଇଲାଗିଲେ । ସେମାନେ ଉତ୍କଳମଣି ଗୋପବନ୍ଧୁଙ୍କୁ ସର୍ବସାଧାରଣ ପାଣ୍ଠି ତୋଷରପାତ ଦୋଷରେ–ଉତ୍କଳଗୌରବ ମଧୁସୂଦନଙ୍କୁ ନିଚ୍ଚାଶୟତା ଦୋଷରେ ଓ ମହାତ୍ମାଗାନ୍ଧୀଙ୍କୁ ଯୌନ ବ୍ୟଭିଚାର ଦୋଷରେ ଅଭିଯୁକ୍ତ କରି କେତେକ ଘଟଣାର ଉଦାହରଣ ଦେଲେ । ଡହରାନନ୍ଦ ଏସବୁ ଶୁଣି ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଦୁଃଖିତ ମଧ୍ୟ ହୋଇ ପଡ଼ିଲେ । ତାଙ୍କୁ ଟିକିଏ ରାଗ ବି ଲାଗିଲା । ସେ ଉତ୍ତପ୍ତ ସ୍ୱରରେ ପଚାରିଲେ–ତୁମେମାନେ ଏହି ସବୁ ମୂଲ୍ୟବାନ ଦୁଷ୍ପ୍ରାପ୍ୟ ତଥ୍ୟ କେଉଁଠାରୁ ପାଇଲ ? ଜଣେ ଯୁବକ ତତ୍‌କ୍ଷଣାତ୍‍ କହିଲେ କାହିଁକି ? ଏସବୁ ଉପରେ ତ ବହିସବୁ ବାହାରି ଗଲାଣି । ଏବଂ ପ୍ରତିଦିନ ବିଭିନ୍ନ ପତ୍ରପତ୍ରିକାରେ ଧୂରୀଣ ଗବେଷକମାନେ ନାନାଦି ଘଣ୍ଟାଚକଟା କରି ଏଇ ସବୁ ତଥାକଥିତ ବଡ଼ଲୋକ ମାନଙ୍କର ମୁଖା ଖୋଲି ଦେଇଛନ୍ତି । ଜବାହରଲାଲ ଓ ଇନ୍ଦିରାଗାନ୍ଧୀଙ୍କ ଗୁପ୍ତଯୌନଜୀବନ ସମ୍ବନ୍ଧେ ମଧ୍ୟ ବହୁ ତଥ୍ୟ ଆମର ଗବେଷକମାନେ ସଂଗ୍ରହ କରି ସାରିଲେଣି ।'

 

ଆଉ ଜଣେ ଯୁବକ କଥା ଛଡ଼ାଇ ନେଇ କହିଲେ–ମହାଶୟ ! ରବୀନ୍ଦ୍ର ନାଥ, ଯାହାଙ୍କୁ ଆପଣମାନେ ଜଣେ ମହାମାନବବାଦୀ ବିଶ୍ୱକବି ବୋଲି କହୁଛନ୍ତି–ଏବଂ ସ୍ୱାମୀ ବିବେକାନନ୍ଦ ମଧ୍ୟ ଯାହାଙ୍କୁ ଆପଣ ଏତେ ବଡ଼ ମହାପୁରୁଷ ବୋଲି କହୁଛନ୍ତି–ସେମାନଙ୍କ ଜୀବନର ଭିତିରି କଥା ମଧ୍ୟ ଆମର ବିଚକ୍ଷଣ ଗବେଷକମାନେ ସାରାପୃଥ୍ଵୀକୁ ଖୋଜି ବାହାର କରି ସାରିଲେଣି । ଏଇସବୁ ବହୁ ଚର୍ଚ୍ଚିତ ବଡ଼ ମଣିଷମାନଙ୍କ ସମକାଳୀନ ଲୋକେ ବି ଏସବୁ ତଥ୍ୟ ଲେଖି ରଖିଯାଇଥିଲେ । ବର୍ତ୍ତମାନ ସେସବୁ ଆଲୋକକୁ ଆସୁଛି । ଏବଂ ଆହୁରି ଆସିବା ଉଚିତ । ସବୁ ମଣିଷ ମଣିଷ । ମଣିଷ ଭିତରେ ବଡ଼ ସାନ ଗୋଟେ କ’ଣ ? ସମସ୍ତେ ଖା’ନ୍ତି ଓ ସମସ୍ତେ ଝାଡ଼ା ଫେରନ୍ତି । ସମସ୍ତଙ୍କର ଅହଂକାର ଅଛି । କେହି ନିଜ ସ୍ୱାର୍ଥକୁ ଆଖିବୁଜିଦେଇ ଅନ୍ୟର ସ୍ୱାର୍ଥ ଦେଖନ୍ତି ନାହିଁ । କେହି ମରିବାକୁ ଚାହାନ୍ତି ନାହିଁ । ଆଉ ସମସ୍ତେ ମଧ୍ୟ ‘ଯେଝା ହାତରେ ଯେ ଚଉଦ ପା ।’ ବଡ଼ ମଣିଷ ବୋଲି ପ୍ରକୃତରେ କେହି ନାହିଁ । ମଣିଷର ଯାହାସବୁ ସାଧାରଣ ଦୋଷ–ତାହା ଯଦି ଆପଣଙ୍କର ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦଙ୍କ ଠାରେ ନାହିଁ, ତେବେ ସେମାନେ ମଣିଷ ନୁହନ୍ତି–ଆଉ କିଛି ।

 

ଏହା ଶୁଣି ଏତେବେଳକୁ ଡହରାନନ୍ଦ ହସି ଉଠିଲେ । ସେ ହସ ହସ ମୁହଁରେ କହିଲେ–ବୁଝିଲ ବାବୁମାନେ ! ସବୁ ମଣିଷ ଯେତିକି ସମାନ ବୋଲି ଭାବୁଛ–ସେତିକି ମଧ୍ୟ ଅସମାନ ବୋଲି ଭାବ । ଆଉମଧ୍ୟ ସବୁ ମଣିଷଙ୍କ ଭିତରେ ଯେଉଁ ମାନବୀୟ ଦୋଷ ଦୁର୍ବଳତା ଅଛି ବୋଲି କହୁଛ ତାହା ମଧ୍ୟ ଉଣାଅଧିକେ ଥାଇପାରେ–ନଥାଇ ମଧ୍ୟ ପାରେ । କିନ୍ତୁ ଏକଥା ମଧ୍ୟ ଜାଣି ରଖ ଯେ–ସବୁ ମଣିଷଙ୍କ ଭିତରେ ମାନବୀୟ ଗୁଣ ବା ଶକ୍ତି କ୍ଷମତା ସମାନ ନୁହେଁ । ସବୁ ଦୋଷ ଦୁର୍ବଳତା ସତ୍ତ୍ଵେ–ଆମ୍ଭମାନଙ୍କ ଭିତରେ ଏପରି ସବୁ ବଡ଼ ବଡ଼ ମଣିଷ ଥିଲେ, ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ଆସିବେ–ଯେଉଁମାନଙ୍କୁ ମଣିଷ ବୋଲି କହିଲେ ଆମେ ସମସ୍ତେ ସେମାନଙ୍କ ତୁଳନାରେ ମାଙ୍କଡ଼ ବା ଘୁଷୁରି ବୋଲି ପ୍ରମାଣିତ ହୋଇଯିବା । ସବୁ ପ୍ରାଣୀ ଖା’ନ୍ତି ଓ ହଗନ୍ତି । ହାତୀ ମଧ୍ୟ ଗୋଟିଏ ପ୍ରାଣୀ । ସେ ବେଶି ଖାଏ ଓ ବେଶି ହଗେ । କିନ୍ତୁ ହାତୀ ପ୍ରାଣୀଟିଏ ବୋଲି ମୂଷା ଚୁଚୁନ୍ଦ୍ରାମାନେ ମଧ୍ୟ ଯଦି କହିବେ ଯେ, ହାତୀ ଆମରି ଭଳି ଏକ ପ୍ରାଣୀ–ସେ ଆମଠାରୁ ବଡ଼ ନୁହଁ–ତେବେ ସେଇ ମୂଷା ଓ ଚୁଚୁନ୍ଦ୍ରାଙ୍କ ବୁଦ୍ଧିକୁ ମଧ୍ୟ ଆମେ ଧନ୍ୟ କହିବା । ମହାତ୍ମାଗାନ୍ଧୀ ଖାଉଥିଲେ ଓ ହଗୁଥିଲେ–ଅତଏବ ସେ ଆମ ଠାରୁ ବଡ଼ ନୁହନ୍ତି–ଏହି ଯୁକ୍ତି ଓ ତଥ୍ୟ ତୁମର ଯେଉଁ ବିଚକ୍ଷଣ ଗବେଷକମାନେ ତୁମମାନଙ୍କ ଆଗରେ ବାଢ଼ିଛନ୍ତି–ସେମାନଙ୍କ ଦୃଷ୍ଟିକୁ ଧନ୍ୟ କହିବା । ମୁଁ ବୁଝି ପାରୁଛି–ତୁମର ଏହି ବିଚକ୍ଷଣ ବୁଦ୍ଧିମାନ ଗବେଷକମାନେ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କ ପରି ମହାତ୍ମାମାନଙ୍କର ଦୈନନ୍ଦିନ ଜୀବନରୁ କି ତଥ୍ୟ ସବୁ ଖୋଜୁଥିଲେ ଓ କି ତଥ୍ୟ ସବୁ ପାଇଲେ । ଏବେ ଗପଟିଏ କହୁଛି ଶୁଣ । ସବୁ ବୁଝି ପାରିବ ।

 

କଳାହାଣ୍ଡି ଜିଲ୍ଲାର ଗୋଟିଏ ବ୍ରାହ୍ମଣ ଶାସନକୁ ଦିନେ ଜଣେ ବାବାଜୀ ଆସି ପହୁଞ୍ଚିଲେ । ତାଙ୍କ ନାମ ଥିଲା ଦୁଃଖିଶ୍ୟାମ ବାବା । ଏହି ଦୁଃଖିବାବା ଦିବାରାତ୍ରି ଧୁନିଜାଳି ବସୁଥିଲେ ଓ ତାଙ୍କର ଭକ୍ତ ଅନୁରକ୍ତମାନଙ୍କ ସହିତ ଦିବାରାତ୍ରି ଭଜନ କୀର୍ତ୍ତନରେ ଅତିବାହିତ କରୁଥିଲେ । ପ୍ରତି ଅମାବାସ୍ୟା, ପୂର୍ଣ୍ଣିମା, ଏକାଦଶୀ ଓ ସଂକ୍ରାନ୍ତି ଦିନ ସେ ଗୋଟିଏ ମହୋତ୍ସବ କରି ଗ୍ରାମର ଦୁଃଖୀ ଗରିବମାନଙ୍କୁ ଡାକି ଖୁଆଉଥିଲେ । ସେହି ବାବାଜୀଙ୍କଠାରେ କିଛି ଅଲୌକିକ ଶକ୍ତି ମଧ୍ୟ ଥିଲା । କାହାର କିଛି ହଜିଗଲେ ସେ ତା’ର ଖବର କହିଦେଉଥିଲେ । ମନ୍ତ୍ର ଦ୍ୱାରା ରୋଗୀକୁ ଝାଡ଼ି ଦେଇ ସେ ତା’ର ରୋଗ ଉଡ଼ାଇଦେଉଥିଲେ । ସାମାନ୍ୟ ଚେରମୂଳି, ପତ୍ର, ଛାଲି ଦେଇ ସେ ବହୁ ଅସାଧ୍ୟ ରୋଗ ଭଲ କରି ଦେଉଥିଲେ । କାହାକୁ ଭୂତ ଡାହାଣୀ ଲାଗିଲେ ସେ ତା’ ଉପରେ ମନ୍ତ୍ର ପ୍ରୟୋଗ କରି ତାକୁ ପ୍ରେତ ଦାଉରୁ ରକ୍ଷା କରୁଥିଲେ । ଏହିଭାବେ ସେ ଗ୍ରାମବାସୀଙ୍କର ବହୁ ଉପକାର ମଧ୍ୟ କରୁଥିଲେ । କିନ୍ତୁ କେତେକ ଲୋକ ତାଙ୍କର ଏହି ସବୁ ସାଧାରଣ ଅଲୌକିକ ଶକ୍ତିକଥାକୁ ବହୁ ଗୁଣରେ ବଢ଼ାଇ ପ୍ରଚାର କଲେ । ଯଥା ଦୁଃଖିଶ୍ୟାମ ବାବା ତାଙ୍କର ଅଲୌକିକ ଶକ୍ତି ବଳରେ ସମସ୍ତଙ୍କ ଅଦୃଶ୍ୟରେ ଆକାଶମାର୍ଗରେ ଉଡ଼ି ଉଡ଼ି ଆମେରିକା ଯାଇ ଫେରନ୍ତି । ଅଥବା ସେ ସମସ୍ତଙ୍କ ଅଦୃଶ୍ୟରେ ସମୁଦ୍ର ଉପରେ ଚାଲି ଚାଲି ଯାଇ ବରୁଣ ଦେବତାଙ୍କ ସହିତ ଦେଖାସାକ୍ଷାତ କରି ଫେରନ୍ତି । କେହି କେହି ମଧ୍ୟ ପ୍ରଚାର କଲେ ଯେ, ଦୁଃଖିଶ୍ୟାମ ବାବା ଦିନେ ପୂର୍ଣ୍ଣିମା ରାତ୍ରିରେ ଚନ୍ଦ୍ରକୁ ଆକାଶରୁ ତୋଳିଆଣି ଗୋଟିଏ ପଲମ ଘୋଡ଼ାଇ ଦୁଇଘଣ୍ଟା ଲୁଚାଇ ଦେଲେ । ଅଥଚ ସେଦିନ ଚନ୍ଦ୍ରଗ୍ରହଣ ନଥିଲା । ଏମିତି ଏମିତି ତାଙ୍କ ନାମରେ ଯେମିତି ତାଙ୍କ ଅଲୌକିକ ଶକ୍ତିର ନାନା କାଳ୍ପନିକ ଅପପ୍ରଚାର ଚାଲିଲା–ସେମିତି ବିଚାରା ନିରୀହ ସାଧୁବାବାଜୀଙ୍କର ଅହେତୁକୀ ଶତ୍ରୁମାନେ ବି ସୃଷ୍ଟିହୋଇଗଲେ । ଏବଂ ସେମାନେ ବାବାଜୀଙ୍କ ବିରୁଦ୍ଧରେ ନାନାଦି କାଳ୍ପନିକ ତଥ୍ୟସବୁ ମନରୁଗଢ଼ି ଅପପ୍ରଚାର କରିବାକୁ ଲାଗିଲେ । କେହି ପ୍ରଚାର କଲା ଯେ, ଏହି ବଦମାସ ବାବାଜୀ ଗ୍ରାମର ସୁନ୍ଦରୀ ଯୁବତୀ ଝିଅ ବୋହୂମାନଙ୍କୁ ମନ୍ତ୍ରବଳରେ ସମ୍ମୋହିତ କରି ରାତ୍ରି ଅଧରେ ସେମାନଙ୍କ ସହିତ କୁକାର୍ଯ୍ୟରେ ମାତିଛି । କେହିକେହି ମଧ୍ୟ ପ୍ରଚାର କଲେ ଯେ–ବାବାଜୀ ଗୁପ୍ତରେ ଅନ୍ୟ ଗ୍ରାମକୁ ପିଲାଙ୍କୁ ଚୋରି କରି ଆଣି ପାହାଡ଼ ଉପରେ ଠାକୁରାଣୀଙ୍କ ପାଖେ ବଳି ଦେଉଛି । ଏମିତି ନାନା କଥା ବାବାଜୀଙ୍କ ବିରୁଦ୍ଧରେ ଶୁଣାଗଲା । କିନ୍ତୁ କିଛି କେହି ପ୍ରମାଣ କରିପାରିଲେନି ।

 

ଦିନେ ବାବାଜୀ ଘୋଷଣାକଲେ ଯେ, ସେ ମାସେକାଳ ପୃଥିବୀର ଶାନ୍ତି ସକାଶେ ଉପବାସ ଯଜ୍ଞ କରିବେ । ଏକମାସ ଏକପକ୍ଷ କାଳ ସେ କେବଳ ପ୍ରତିଦିନ ସାତଟି ତୁଳସୀପତ୍ର ଓ ସାତଟି ବେଲପତ୍ର ଭକ୍ଷଣ କରି ଏକ ଗଣ୍ଡୁଷମାତ୍ର ଜଳ ପାନ କରିବେ ଏବଂ ପୃଥିବୀର ଶାନ୍ତି ସକାଶେ ଅହୋରାତ୍ର ଧୁନି ପାଖରେ ନିଦ୍ରାତ୍ୟାଗ କରି ତପସ୍ୟା କରିବେ । ଏବଂ ଏକ ନିର୍ଦ୍ଦିଷ୍ଟ ଦିନରେ ସେ ତାହା ଆରମ୍ଭ କଲେ । ଗୋଟିଏ ସପ୍ତାହ ମାତ୍ର କଟିଛି କି ନାହିଁ ତାଙ୍କର ବିରୋଧି କୁତ୍ସା ରଚନାକାରୀମାନେ ଆଉ ସହିପାରିଲେ ନାହିଁ । ସେମାନେ ପ୍ରଚାରକଲେ ଯେ, ବାବାଜୀ ତା ଭକ୍ତମାନଙ୍କୁ ରାତ୍ରିରେ ସମ୍ମୋହିତ କରିଦେଇ ଧୁନିଭିତରେ ଫଳମୂଳ ଶିଝାଇ ଖାଉଛି । କେହି କେହି କହିଲେ ଯେ–ରାତି ଅଧରେ ସେ ଧୁନିପାଖରେ ବସି ଉପରକୁ ପାଟି ମେଲାଇ ବସୁଛି ଓ ତା’ ପାଟି ଭିତରେ ମନ୍ତ୍ର ବଳରେ ଶୂନ୍ୟରୁ କଦଳୀ, ଅଙ୍ଗୁର, ଖର୍ଜୁର, ଖିସିମିସ୍‍ ଇତ୍ୟାଦି ଫଳମାନ ଆସି ପଡ଼ୁଛନ୍ତି ଓ ଛେପ ଢୋକିବା ବାହାନାରେ ସେ ସେସବୁକୁ ଗିଳିଦେଉଛି ।

 

ବାବାଜୀଙ୍କ ନିନ୍ଦୁକ ଓ କୁତ୍ସାକାରୀମାନେ ଏସବୁ ପ୍ରଚାର କରି ମଧ୍ୟ କୌଣସିଟି ପ୍ରମାଣ କରି ପାରିଲେ ନାହିଁ । କିନ୍ତୁ ବାବାଜୀଙ୍କ ଭକ୍ତମାନେ ଜିଦ୍‍ କଲେ ଯେ, ଯଦି ସେହି ନିନ୍ଦୁକମାନେ ବାବାଜୀଙ୍କ ବିରୁଦ୍ଧରେ ପ୍ରଚାର କରୁଥିବା ତଥ୍ୟଗୁଡ଼ିକ ପ୍ରମାଣ ନକରି ପାରନ୍ତି–ତେବେ ସେମାନେ ଜାରଜ ସନ୍ତାନ ବୋଲି ପ୍ରମାଣିତ ହେବେ । ଏହା ଶୁଣି ସେହି ନିନ୍ଦୁକ କୁତ୍ସାକାରୀମାନେ ଉତ୍ତ୍ୟକ୍ତ ହୋଇ ଏକ ଉପାୟ ବାହାର କଲେ । ସେମାନେ ସ୍ଥିର କଲେ ଯେ, ମଠର ପଛପଟେ ଯେଉଁ ଗୁହ ପଡ଼ିଆ ଅଛି–ସେଠାରେ ବାବାଜୀଙ୍କ ମଠରେ ପ୍ରତିଦିନ ଖାଉଥିବା ତାଙ୍କର ଭକ୍ତମାନେ ପ୍ରତିଦିନ ସକାଳେ ଝାଡ଼ା ଫେରନ୍ତି । ଏବଂ ଏହି ଠକ ବାବାଜୀ ମଧ୍ୟ ସେଠାରେ ପ୍ରତିଦିନ ମଳତ୍ୟାଗ କରିବାକୁ ଯାଏ । ଆମ୍ଭେମାନେ ଦିନେ ସକାଳେ ସେଇ ଗୁହପଡ଼ିଆକୁ ଯାଇ ସବୁ ମଳତକ ପରୀକ୍ଷାକରି ଦେଖିବା ଏବଂ ଏହି ପାପିଷ୍ଟ ବାବାଜୀ ଯଦି ସତକୁ ସତ ପ୍ରତିଦିନ କେତୋଟି ତୁଳସୀପତ୍ର ଓ ବେଲପତ୍ର ଖାଇ ବଂଚିଥାଏ–ତେବେ ନିଶ୍ଚୟ ସେହି ମଳମାନଙ୍କ ଭିତରୁ ଗୋଟିଏ ମଳକୁଢ଼ରେ ତୁଳସୀ ବେଲପତ୍ରର ବାସନା ଜଣାଯିବ ।

 

ଡହରାନନ୍ଦ ଏଥର ଖୁବ୍‌ ଜୋରରେ ହସି ଉଠି କହିଲେ–ବୁଝିଲ ବାବୁମାନେ ! ସତକୁ ସତ ଦିନେ ସକାଳେ ଦେଖାଗଲା ଯେ, ସେହି ନିନ୍ଦୁକ କୁତ୍ସାକାରୀମାନେ ମଠପାଖ ଗୁହପଡ଼ିଆରେ ରୁଣ୍ଡ ହୋଇ ପ୍ରତିଟି ମଳକୁଢ଼କୁ ଶୁଂଘି ତୁଳସୀ ଓ ବେଲପତ୍ରର ବାସନା ଖୋଜି ଲାଗିଛନ୍ତି । ...ହାଃ ହାଃ ହାଃ । ଏବେ ବୁଝିଲ ତ ? ଆମ ଭିତରେ ବଡ଼ମଣିଷ ଓ ସାନମଣିଷ ସତକୁ ସତ ଅଛନ୍ତି କି ନାହିଁ ?

☆☆☆

 

ସଫଳ ଜୀବନର ଗୁମର କଥା

 

ଥରେ ବାବା ଡହରାନନ୍ଦ କେତେକ ଯୁବକମାନଙ୍କ ସହିତ ଭୁବନେଶ୍ୱର ସନ୍ନିକଟ ଖଣ୍ଡଗିରି ପାହାଡ଼ ଉପରେ ବସି ନାନାଦି ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିଲେ । କଥାବାର୍ତ୍ତା କ୍ରମେ ଗୋଟିଏ ବିଷୟଆଡ଼େ ମୁହାଇଁ ଗଲା । ଯୁବକମାନଙ୍କ ମଧ୍ୟରୁ ଜଣେ ପ୍ରଶ୍ନକଲେ ଡହରାନନ୍ଦଜୀ ! ଜୀବନକ୍ଷେତ୍ରରେ ସମସ୍ତେ କାହିଁକି ସଫଳତା ଅର୍ଜନ କରି ପାରନ୍ତି ନାହିଁ ? ସମାନ ସୁଯୋଗ ସୁବିଧା ଥିଲେ ବି, ଏବଂ ସମାନ ବିଦ୍ୟାବୁଦ୍ଧି ଆଉ ବଳ ଥିଲେ ବି, ଜଣେ କାହିଁକି ସଫଳ ହୋଇ ଚାଲେ ? ଏବଂ ଅନ୍ୟଜଣେ କାହିଁକି ବାରମ୍ବାର ବିଫଳ ହେଉଥାଏ ? ସଫଳତାର ଚାବିକାଠି ପ୍ରକୃତରେ କୋଉଠି ଥାଏ ? ବିଫଳତାର କାରଣ କୋଉଠି ଲୁଚି ରହିଥାଏ ? ନିଜ ଭିତରେ ? ନା ପରିସ୍ଥିତି ଭିତରେ ?

 

ଡହରାନନ୍ଦ ପକେଟରୁ କେତେକ ଲଜେନ୍‌ସ କାଢ଼ି ସମସ୍ତଙ୍କ ହାତକୁ ଧରାଇଦେଲେ । ତା’ପରେ ନିଜେ ଗୋଟିଏ ପାନ ଡବାରୁ କାଢ଼ି ପାଟିରେ ପୁରାଇଲେ । ସେଇଠୁ ପ୍ରଶ୍ନଟିର ଉତ୍ତର ଦେବାକୁ ଯାଇ କହିଲେ–ଜୀବନରେ ସଫଳତା ଓ ଫଳତା ବୋଲି କିଛି ନାହିଁ କିମ୍ବା ପ୍ରତ୍ୟେକ ତା’ ଜୀବନରେ ସଫଳତା ଆଉ ବିଫଳତା ଦୁଇଟି ଯାକ ଭୋଗିବାକୁ ବାଧ୍ୟ । ଜଣେ ହୁଏତ ପାଠପଢ଼ି ପରୀକ୍ଷାରେ ଖୁବ୍‍ କୃତିତ୍ୱ ଦେଖାଇ ପାସକଲା । ପ୍ରଥମ ଶ୍ରେଣୀରେ ପ୍ରଥମ ହେଲା–ସ୍ୱର୍ଣ୍ଣପଦକ ପାଇଲା । କିନ୍ତୁ ଯେତେବେଳେ ସେହି ବିଦ୍ୟାବଦ୍ଧିକୁ ଜୀବନର ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାର ସୁଯୋଗ ପାଇଲା ସେତେବେଳେ ସେଠାରେ ତା’ର ଆଉ ବଳ ପାଇଲା ନାହିଁ । ଠିକ୍‍ ବିପରୀତଟି ମଧ୍ୟ ଘଟିଥାଏ । ଆଉ ଜଣେ ପାଠଶାଳାରେ ଭଲ କୃତିତ୍ୱ ଦେଖାଇ ପାରିନାହିଁ–କିନ୍ତୁ ଜୀବନର ବାସ୍ତବ କ୍ଷେତ୍ରରେ ସେ ବିଚକ୍ଷଣ ବୁଦ୍ଧିର ଖେଳ ଦେଖାଇ ପାରିଲା । କିନ୍ତୁ ଏପରି ମଧ୍ୟ ଦେଖାଯାଏ ଯେ ଜଣେ ଜୀବନର ଗୋଟିଏ କ୍ଷେତ୍ରରେ ସଫଳ ହେଲେବି ଅନ୍ୟ କ୍ଷେତ୍ରରେ ବିଫଳ ହୋଇପଡ଼ିଛି । ଏପରି କି ଦେଖାଯାଏ ଯେ ଜଣେ ତା’ର ଚାକିରି ବା ବ୍ୟବସାୟ କ୍ଷେତ୍ରରେ ଚମତ୍କାର କୃତିତ୍ୱ ଦେଖାଇ ଚାଲିଛି; କିନ୍ତୁ ତା’ର ଦାମ୍ପତ୍ୟ ଜୀବନ ବା ପାରିବାରିକ ଜୀବନଟି ପୂରା ଛାରଖାର ହୋଇଯାଇଛି । ଆଉ କେତେକ ଅଛନ୍ତି ସେମାନଙ୍କର ଥାଏ ଅସାଧାରଣ ଉଚ୍ଚାକାଂକ୍ଷା । କିନ୍ତୁ ପ୍ରକୃତରେ ସେମାନଙ୍କର ସେତିକି ଶକ୍ତି ବା କ୍ଷମତା ନ ଥାଏ । ସେମାନେ ସେମାନଙ୍କର ଏହି ଉଚ୍ଚାକାଂକ୍ଷାରେ ଏପରି ଅନ୍ଧ ଆଉ ପ୍ରମତ୍ତ ଥାନ୍ତି ଯେ ଏବଂ ନିଜର ଶକ୍ତି ସାମର୍ଥ୍ୟ ଉପରେ ସେମାନଙ୍କର ଏତେ ଭୁଲ ଆସ୍ଥା ଥାଏ ଯେ,ବାରଂବାର ବିଫଳହେଲେ ବି ସେମାନଙ୍କର ଉଚ୍ଚାକାଂକ୍ଷାର ମୋହ ଭାଙ୍ଗି ନ ଥାଏ । ଆଉ କେତେକ ଆଦର୍ଶବାଦୀ ଲୋକ ଥାନ୍ତି ସେମାନେ ତୁମର ଏଇ ତଥାକଥିତ ସଫଳତା ବା ବିଫଳତାକୁ ଖାତିର ନ କରି ସେମାନଙ୍କର ଆଦର୍ଶ ପଛରେ ସାରାଜୀବନ ଗୋଡ଼ାଇ ଥାନ୍ତି । ସେମାନେ ଯାହା ଯେମିତି ପା'ନ୍ତି ସେତେକ ସେମାନଙ୍କ ମନକୁ ପାଏନାହିଁ । ଯାହା ଯେମିତି ହରାନ୍ତି ସେତେବେଳକୁ ବି ସେମାନେ ଖାତିର କରନ୍ତି ନାହିଁ ।

 

ଯୁବକମାନଙ୍କ ଭିତରୁ ଜଣେ ପ୍ରଶ୍ନ କଲା ତଥାପି, ସଫଳତାର ସ୍ୱାଦ ନପାଇଲେ ଆମ ଭଳି ସାଧାରଣ ମଣିଷ ସାରା ଜୀବନ କୋଉଥିପାଇଁ ଆଉ ବଞ୍ଚିବ ?

 

ଡହରାନନ୍ଦ କହିଲେ–ତୁମେ ଯଦି ସବୁବେଳେ ସଫଳତାକୁ ଅନାଇ ବସିଥିବ ତା’ହେଲେ ନିଶ୍ଚିତ ବିଡ଼ମ୍ବିତ ହେବ । କାରଣ ସବୁ ସଫଳତା ଭିତରେ ଭବିଷ୍ୟତର ଏକ ବିଫଳତା ଲୁଚିରହିଥାଏ ଏବଂ ସବୁ ବିଫଳତା ଭିତରେ ଭବିଷ୍ୟତର ଏକ ସଫଳତା ମଧ୍ୟ ଲୁଚିରହିଥାଏ । ଆଉ ମଧ୍ୟ ପ୍ରଧାନ ଫସଲ ଅମଳ ହେବା ଯାଏ ପ୍ରକୃତ ଚାଷୀ ଅବିଚଳିତ ଭାବେ କୃଷକାର୍ଯ୍ୟ କରିଚାଲିଥାଏ । ତା’ ପୂର୍ବରୁ ଛୋଟଛୋଟ ଶାଗ ଡାଙ୍ଗ ଜାତୀୟ ଫସଲରେ ଲାଭକ୍ଷତିକୁ ଖାତିର କରେ ନାହିଁ । ପ୍ରକୃତ ବ୍ୟବସାୟୀ ଅସଲ ଦ୍ରବ୍ୟଟିର ବିକ୍ରୀମୁହୂର୍ତ୍ତକୁ ଅପେକ୍ଷା କରିଥାଏ । ତା’ ପୂର୍ବରୁ ହେଙ୍ଗୁ ମେଙ୍ଗୁ ଦ୍ରବ୍ୟମାନଙ୍କ ବିକ୍ରୀରୁ ଲାଭକ୍ଷତି ଉପରେ ନଜର ରଖି ନ ଥାଏ । ପ୍ରକୃତ ଯୋଦ୍ଧା ସେନାପତି ମହାଯୁଦ୍ଧର ଫଳାଫଳ ଯାଏ ଅପେକ୍ଷା କରି ଯୁଦ୍ଧ କରିଚାଲିଥାଏ । ତା’ ପୂର୍ବରୁ ଛୋଟ ଛୋଟ ଘାଟୀମାନଙ୍କର ଜୟ ପରାଜୟ ଉପରେ ଏତେ ଗୁରୁତ୍ୱ ଦିଏ ନାହିଁ ।

 

ଏହା ଶୁଣୁଶୁଣୁ ଜଣେ ଯୁବକ ପୁନଶ୍ଚ ପ୍ରଶ୍ନ କଲେ–ମହାଶୟ ! ଆପଣ ଯେଉଁସବୁ ସଫଳତା ଓ ବିଫଳତା କଥା କହୁଛନ୍ତି, ସେ ସବୁ ହେଲା ଅସାଧାରଣ ସଫଳତା ବା ଅସାଧାରଣ ବିଫଳତା । ସେସବୁ କଥା ମଧ୍ୟ ଅସାଧାରଣ ବ୍ୟକ୍ତି ବା ବୀରପୁରୁଷମାନଙ୍କ ପାଇଁ । କିନ୍ତୁ ଆମଭଳି ସାଧାରଣ ଶକ୍ତିସଂପନ୍ନ ଲୋକଙ୍କର ସାଧାରଣ ଜୀବନରେ କିପରି ସାଧାରଣ ସଫଳତା ଆସିପାରେ ସେ ତଥ୍ୟ ଯଦି ଆପଣଙ୍କୁ ଜଣାଥାଏ ତେବେ କହନ୍ତୁ ।

 

ଡହରାନନ୍ଦ କହିଲେ ମୋର ଯାହା ଧାରଣା, ସବୁ ସାଧାରଣ ଲୋକଙ୍କ ଭିତରେ ଅସାଧାରଣ ଲୋକଟିଏ ଲୁଚିରହି ଖୁଜୁବୁଜୁ ହେଉ ଥାଏ ଏବଂ ସବୁ ଅସାଧାରଣ ଲୋକଙ୍କ ସାଧାରଣ ମଣିଷଟିଏ ମଧ୍ୟ ଲୁଚିରହି ତାକୁ ତଳକୁ ଭିଡ଼ି ଲାଗିଥାଏ । ଅସଲକଥା ହେଲା–ତମେ ପ୍ରକୃତରେ କ’ଣ ହେବାକୁ ଚାହଁ ? ସାଧାରଣ ନା ଅସାଧାରଣ ? ତେବେ, ତୁମ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ମୁଁ କହିବି–ଜୀବନରେ ସଫଳତାର ସହିତ ବଂଚିବାକୁ ହେଲେ ଦରକାର ଦୁଇଟିକଥା । ପ୍ରଥମଟି ହେଲା ନିଜକୁ ବଂଚାଇରଖିବା ପାଇଁ ଓ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଦରକାର ଏକ ପ୍ରଚଣ୍ଡ ପ୍ରେରଣା ଆଉ ସଂକଳ୍ପ ଏବଂ ଦ୍ଵିତୀୟ କଥାଟି ହେଲା–ଗତିକଲାବେଳେ ନିଜ ସହିତ ଓ ପରିସ୍ଥିତି ସହିତ ଯଥାସମ୍ଭବ ଭାରସାମ୍ୟ ରକ୍ଷା କରିବା ଅନେକଙ୍କ ଜୀବନ ଏହି ଦୁଇଟିର ଅଭାବ ହେତୁ ସଂପୂର୍ଣ୍ଣ ଭାବେ ବିଫଳ ହୋଇଯାଏ । ଏପରିକି ସେମାନଙ୍କ ପକ୍ଷରେ ନିଜ ଜୀବନ ରକ୍ଷା ମଧ୍ୟ ସମ୍ଭବ ହୋଇପାରେନା । ଛୋଟ ଗଳ୍ପଟିଏ କହୁଛି ଶୁଣ–ସବୁ ବୁଝିପାରିବ ।

 

ଜଣେ ରାଜାଙ୍କର ଦୁଇଜଣ ଖୁବ୍‍ ଅନ୍ତରଙ୍ଗ ବନ୍ଧୁଥିଲେ । ସେ ରାଜାଙ୍କର ଶାସନ ଥିଲା ଖୁବ୍‍ କଠୋର । ଫଳରେ ସେ ରାଜ୍ୟରେ ଅପରାଧ ସଂଖ୍ୟା ଅପେକ୍ଷାକୃତ ବେଶ୍‍ କମ୍‍ ଥିଲା । ଫଳରେ ପ୍ରଜାମାନେ ବେଶ୍‍ ଶାନ୍ତି ଓ ନିରାପଦ ଜୀବନ କାଟୁଥିଲେ । କିନ୍ତୁ ସେମାନଙ୍କ ଜୀବନ ଥିଲା ଖୁବ୍‍ ସାଧାରଣ ଏବଂ ରୋମାଞ୍ଚ ବିବର୍ଜିତ । ରାଜାଙ୍କର ସେହି ଅନ୍ତରଙ୍ଗ ବନ୍ଧୁ ଦୁହିଁଙ୍କୁ ଏହି ରୋମାଞ୍ଚହୀନ ଶାନ୍ତ ସାଧାରଣ ଜୀବନ ବେଶି ଦିନ ଆଉ ଭଲ ଲାଗିଲା ନାହିଁ । କିଛି ଦୁଃସାହସିକ ଅପରାଧ କରିବାଲାଗି ସେମାନେ ବାହାରିପଡ଼ିଲେ । କିନ୍ତୁ ଏପରି ଏକ ଅପରାଧ କରି କୌଶଳରେ ଖସି ଆସିବା ଲାଗି ଯେଉଁ ସାହସ ଓ କୌଶଳ ଦରକାର ସେତେକ ସେ ଦୁହିଁଙ୍କର ନ ଥିଲା ଏବଂ ଅପରାଧ କରିବାର ଅଭ୍ୟାସ ମଧ୍ୟ ସେ ଦୁହିଁଙ୍କର ନ ଥିଲା । ଏଣେ ପୁଣି ସେ ରାଜ୍ୟର ପୋଲିସମାନେ ଥିଲେ ଖୁବ୍‍ ସତର୍କ । ଫଳରେ ଗୋଟିଏ ସାମାନ୍ୟ ଜନାକାରୀ ଅପରାଧ କରିବାର ଉପକ୍ରମ କରୁକରୁ ସେମାନେ ପୋଲିସ ହାତରେ ଧରାପଡ଼ି ରାଜାଙ୍କ ଦରବାରକୁ ଅଣାଗଲେ । ରାଜା ନିଜର ଅନ୍ତରଙ୍ଗ ବନ୍ଧୁ ଦୁହିଁଙ୍କୁ ଏହି ଜଘନ୍ୟ ଅପରାଧରେ ଧରାପଡ଼ିଥିବା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ । କିନ୍ତୁ କ’ଣ ଆଉ କରିବେ ? ରାଜ୍ୟର ଆଇନ ଅନୁସାରେ ସେହି ଦୁଇ ବନ୍ଧୁଙ୍କର ଦୋଷ ପାଇଁ ସେମାନଙ୍କୁ ଫାଶୀ ନ ଦେଇ ସେମାନଙ୍କର ଲିଙ୍ଗଛେଦ ପାଇଁ ହୁକୁମ ଦେଲେ । କିନ୍ତୁ ଦୁଇବନ୍ଧୁ ଖୁବ୍‍ ବିକଳ ଅନୁନୟ କରି ରାଜାଙ୍କୁ କହିଲେ–ରାଜା ! ଆମ୍ଭମାନଙ୍କର ବିବାହର ଦୁଇବର୍ଷ ବିତିଯାଇଥିଲେ ବି ଆମେ ବା ଆମର ପତ୍ନୀମାନେ ଏ ପର୍ଯ୍ୟନ୍ତ ସନ୍ତାନର ମୁଖ ଦେଖି ନାହୁଁ । ତେଣୁ ଏହି କଠିନ ଲିଙ୍ଗଛେଦ ଦଣ୍ଡରୁ ଆମକୁ ମୁକ୍ତିଦେଇ ଆଉ କିଛି ଦଣ୍ଡ ଦିଅନ୍ତୁ, ଆମେ ତାହା ସହ୍ୟ କରିବୁ । ରାଜା ତାଙ୍କ ଅନ୍ତରଙ୍ଗ ବନ୍ଧୁ ଦ୍ୱୟଙ୍କର ଏହି ବିକଳ ଅନୁନୟ ଶୁଣି ଦୟାପରବଶ ହୋଇ ତାଙ୍କର ଦଣ୍ଡାଦେଶ କୋହଳ କରି କହିଲେ–ହେ ମୋର ହତଭାଗ୍ୟ ବନ୍ଧୁଦ୍ୱୟ ! ଏ ଦଣ୍ଡରୁ ତୁମମାନଙ୍କୁ ସଂପୂର୍ଣ୍ଣ ମୁକ୍ତି ଦେବା ମୋ ପକ୍ଷରେ ଅସମ୍ଭବ । କାରଣ, ମୁଁ ଧର୍ମଶାସ୍ତ୍ରର ବିଧାନ ଅନୁସାରେ ଶାସନ କରିବାକୁ ବାଧ୍ୟ । ତେବେ ତୁମଦୁହିଁଙ୍କ ପାଇଁ ମୁଁ ଏହି ବ୍ୟବସ୍ଥା କରୁଛି । ଦେଖ ରାସ୍ତାର ଦୁଇ କଡ଼ରେ ଏହି ଯେଉଁ ଦୁଇଟି ଖୁଣ୍ଟ ପୋତାଯାଇଛି ଏବଂ ଏହି ଦୁଇ ଖୁଣ୍ଟକୁ ସଂଲଗ୍ନ କରି ଯେଉଁଦଉଡ଼ିଟି ବନ୍ଧାହୋଇ ଅଛି ତାହା ଉପରେ ଗୋଟିଏ ପଟୁ ଆରପଟକୁ ଯେ ଚାଲିଯାଇ ପାରିବ ସେହି କେବଳ ଏହି ଲିଙ୍ଗଚ୍ଛେଦ ଦଣ୍ଡରୁ ମୁକ୍ତି ପାଇବ ।

 

ଏହାଶୁଣି ଦୁଇବନ୍ଧୁଙ୍କ ଭିତରୁ ଜଣେ ଖପାଖପ ଖୁଣ୍ଟରେ ଚଢ଼ି ଦଉଡ଼ି ଉପରେ ଠିଆହୋଇ ଗଲା ଓ ଦୁଇହାତ ଦୁଇ ପଟକୁ ମେଲାକରି ଭାରସାମ୍ୟ ରଖି ଦଉଡ଼ି ଉପରେ ଚାଲିଚାଲି ରାସ୍ତା ଆରପଟରେ ପହଞ୍ଚିଗଲା । ତା’ପରେ ଦ୍ଵିତୀୟ ବନ୍ଧୁଟି ବହୁକଷ୍ଟରେ କୁନ୍ଥେଇ କୁନ୍ଥେଇ କେବଳ ଖୁଣ୍ଟ ଉପରକୁ ଚଢ଼ିଗଲା । ଏବଂ ସେହି ଖୁଣ୍ଟଉପରେ ବସି ଭୟରେ ଥରିବାକୁ ଲାଗିଲା । ଚାରିପଟେ ଦେଖଣାହାରୀମାନେ ଜମିଥାନ୍ତି ଓ ରାଜା ମଧ୍ୟ ଜଗତୀ ଉପରେ ଠିଆହୋଇ ଏ ଦୃଶ୍ୟ ଦେଖୁଥାନ୍ତି । କିଛି ସମୟପରେ ସେହି ଭୀରୁ ଲୋକଟି ଖୁଣ୍ଟଉପରେ ଥାଇ ତଳେ ଥିବା ଅନ୍ୟବନ୍ଧୁଟି ଉଦ୍ଦେଶ୍ୟରେ ଖୁବ୍‍ ବିକଳ ସ୍ୱରରେ କହିଲା ଭାଇ ! ତୁମେ କିପରି ଏହି ସରୁ ଦଉଡ଼ିଟି ଉପରେ ଏପଟୁ ସେପଟକୁ ଚାଲିଯାଇପାରିଲ, ଶୀଘ୍ର ମତେ ସେ କୌଶଳଟି କୁହ । ତା’ ନହେଲେ ମୋ ଲିଙ୍ଗଟି ଜାଣ ଆଜିଠାରୁ ଗଲା । ଲିଙ୍ଗଟି ହରାଇ ମୁଁ ଆଉ ଘରକୁ ଯାଇ କିପରି ମୋ ପତ୍ନୀକୁ ମୋର ଏହି ହତଭାଗ୍ୟ ମୁହଁଟି ଦେଖାଇବି ? ଭାଇ ! ଶୀଘ୍ର ମତେ ଏହି ଦଉଡ଼ି ଉପରେ ଚାଲିବା କୌଶଳଟି କହିଦିଅ ।

 

ତଳେ ଠିଆହୋଇଥିବା ସଫଳ ବନ୍ଧୁଟି କହିଲା ଦେଖଭାଇ ! ଏପରି ଭାବେ ଘାବରାଇ ଯାଅନାହିଁ । ପ୍ରଥମେ ନିଜ ଲିଙ୍ଗକୁ ହରାଇବାର ଆଶଙ୍କା ନ କରି ତାକୁ କିପରି ରକ୍ଷା କରିବ ସେ କଥା ଭାବ । ତା’ ଫଳରେ ତୁମର ଇଚ୍ଛାଶକ୍ତି ବଢ଼ିଯିବ । ତା’ପରେ ତୁମର ସ୍ତ୍ରୀକୁ କିପରି ମୁହଁ ଦେଖାଇ ନ ପାରିବ ସେକଥା ନଭାବି କିପରି ଶୀଘ୍ର ଏଠୁ ଯାଇ ସ୍ତ୍ରୀର ମୁଖ ଚୁମ୍ବନ କରିବ ସେକଥା ଭାବ । ତା’ ଫଳରେ ତୁମକୁ ପ୍ରଚଣ୍ଡ ପ୍ରେରଣା ମଧ୍ୟ ମିଳିବ । ଆଉ ଦଉଡ଼ି ଉପରେ ସୁରୁଖୁରୁରେ ଚାଲିଯିବାର ଅସଲ କୌଶଳଟି ହେଲା ଚାଲିଲାବେଳେ ତୁମେ ଯୋଉ ପଟକୁ ଢଳିପଡ଼ିବ ସାଙ୍ଗେ ସାଙ୍ଗେ ତା’ର ବିପରୀତ ପଟକୁ ନିଜକୁ ଝାଙ୍କି ଆଣୁଥିବ ଏତିକିମାତ୍ର କରି ମୁଁ ଏଇ କଠିନ ପରୀକ୍ଷାରୁ ପାରି ହୋଇଗଲି । ଏହା ଶୁଣିବା ମାତ୍ରେ ଦ୍ଵିତୀୟ ବନ୍ଧୁଟି ଖୁବ୍‍ ପ୍ରେରଣା ଓ ସାହସର ସହିତ ଦଉଡ଼ି ଉପରେ ଠିଆହୋଇ ଚାଲିବାକୁ ଆରମ୍ଭକଲା ଓ ଅଳ୍ପ କେତୋଟି ମୁହୂର୍ତ୍ତପରେ ଦଉଡ଼ିଟି ଉପରେ ଚାଲି ଆରପଟେ ଯାଇ ପହଞ୍ଚିଗଲା । ଦର୍ଶକମାନଙ୍କର ପ୍ରଚୁର ହାତତାଳି ଭିତରେ ରାଜା ଖୁବ୍‍ ଆନନ୍ଦିତ ହୋଇ ଦୁଇ ବନ୍ଧୁଙ୍କୁ ମୁକ୍ତି ଦେଇଦେଲେ... ।

 

ଡହରାନନ୍ଦ ଏଇଠାରେ କଥାଟି ଶେଷକରି କହିଲେ–ଏବେ ତୁମେମାନେ ନିଶ୍ଚୟ ସଫଳ ଜୀବନର ଗୁମରଟି କୋଉଠି ଅଛି ନିଶ୍ଚୟ ବୁଝିପାରିଲ ?

☆☆☆

 

ଅଶ୍ଳୀଳତାର ଅନ୍ତରାଳରେ

 

ଏହି ଗଳ୍ପଟି ବାବା ଡହରାନନ୍ଦ ଓଡ଼ିଶାର କୋଉ ସହରରେ ଥିଲାବେଳେ କେଉଁ ଧରଣର ଯୁବକମାନଙ୍କୁ କହିଥିଲେ–ତାହା ମୋର ମନେ ନାହିଁ । କିନ୍ତୁ ସମୁଦାୟ ପ୍ରସଙ୍ଗଟି ମୋର ସ୍ମୃତିରେ ଯେତିକି ରହିଛି, ମୁଁ ସେତିକି ମାତ୍ର ଏଠି ଆପଣମାନଙ୍କୁ କହିବି ।

 

ଥରେ ଡହରାନନ୍ଦ ତାଙ୍କର ଜଣେ ବନ୍ଧୁଙ୍କ ସହ ଗୋଟିଏ ସହରରେ ପ୍ରବେଶ କରି ଦେଖିଲେ ଯେ, ସେହି ସହରର କାନ୍ଥ, ବାଡ଼, ପାଚେରି ଏପରି କି ପିଚୁରାସ୍ତା ଉପରେ ବି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଖୁବ୍‍ ଅଶ୍ଳୀଳ କଥାମାନ ଲେଖା ହୋଇଛି । ସେହି ବିଶିଷ୍ଟ ବ୍ୟକ୍ତି ଥିଲେ ସେହି ସହରର ଜଣେ ମାନ୍ୟଗଣ୍ୟ ରାଜନୀତିକ ନେତା ଓ ସାହିତ୍ୟ, ସଂସ୍କୃତି, ଧର୍ମାଦି କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍‍ ଅନୁପ୍ରବେଶ ଥିଲା । ତା’ ବ୍ୟତୀତ ମଧ୍ୟ ସେ ଥିଲେ ଜଣେ ଖୁବ୍‍ ଦାନଶୀଳ ଓ ବଦାନ୍ୟ ବ୍ୟକ୍ତି । ବହୁ ଅଭାବୀ ଲୋକଙ୍କୁ ସେ ଆର୍ଥିକ ସାହାଯ୍ୟ କରିଛନ୍ତି । ବହୁ ଅନୁଷ୍ଠାନକୁ ମଧ୍ୟ ସେ ଅକାତର ଭାବେ ଜମି ଓ ଅର୍ଥ ଦେଇ ସାହାଯ୍ୟ ସହଯୋଗ କରିଛନ୍ତି । ସେ ମଧ୍ୟ ଜଣେ କବି ଓ ଲେଖକ ଥିଲେ । ସଂସ୍କୃତ ଓ ଇଂରାଜୀ ଭାଷା ସାହିତ୍ୟରୁ ବହୁ ପୁସ୍ତକ ସେ ମାତୃଭାଷାରେ ଅନୁବାଦ କରିଛନ୍ତି । ରାଜନୀତିକ ନେତାଭାବେ–ସେ ଦୁଇଥର ପୌର ସଭାରେ ସଭାପତି ଥିଲେ ଓ ଦୁଇଥର ବିଧାନସଭାର ସଭ୍ୟ ଥିଲେ ଓ ଥରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହିସବୁ କାରଣରୁ ତାଙ୍କର ସେ ସହରରେ ଖୁବ୍‍ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ ଥିଲା । ସେ ପୁଣି ଥିଲେ ଡହରାନନ୍ଦଙ୍କର ଜଣେ ଘନିଷ୍ଠ ବନ୍ଧୁ । ଡହରାନନ୍ଦ ତାଙ୍କ ଚରିତ୍ରରେ ବିଶେଷ କିଛି ଦୋଷ ଥିଲା ବୋଲି ଜାଣି ନ ଥିଲେ–ଯଦିଓ ଡହରାନନ୍ଦ ଏତିକି ଜାଣିଥିଲେ ଯେ, ତାଙ୍କର ସେହି ସର୍ବଗୁଣସମ୍ପନ୍ନ ବନ୍ଧୁଙ୍କର କେତେଜଣ ବିଭିନ୍ନ ବୟସର ଓ ବିଭିନ୍ନ ଶ୍ରେଣୀର ନାରୀବନ୍ଧୁ ଥିଲେ । କିନ୍ତୁ ଡହରାନନ୍ଦ ସେହିସବୁ ବ୍ୟକ୍ତିଗତ ଜଟିଳ ବ୍ୟାପାରରେ କେବେ ମୁଣ୍ଡ ଖେଳାଉ ନ ଥିଲେ ।

 

କିନ୍ତୁ ଆଜି ଯେତେବେଳେ ସେ ସହରରେ ପହଁଞ୍ଚି ଡହରାନନ୍ଦ ସହରର କାନ୍ଥବାଡ଼ ପ୍ରାଚୀର ସର୍ବତ୍ର ସେହି ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ବନ୍ଧେ ଅଶ୍ଳୀଳ କୁତ୍ସାବାଣୀ ସବୁଲେଖା ହୋଇଥିବାର ଦେଖିଲେ–ସେଥିରେ ସେ ଆଶ୍ଚର୍ଯ୍ୟ ହେଲେ ଯେତିକି, ବ୍ୟଥିତ ହେଲେ ସେତିକି । ସେହିସବୁ ପ୍ରାଚୀରପତ୍ରମାନଙ୍କରେ ଯେଉଁସବୁ କୁତ୍ସାବାଣୀ ଲେଖା ହୋଇଥିଲା–ସେଥିରୁ ଜଣାପଡ଼ୁଥିଲା ଯେ ସେହି ବିଶିଷ୍ଟ ବ୍ୟକ୍ତି ତାଙ୍କର ଯୌନଜୀବନରେ ଅତ୍ୟନ୍ତ ବ୍ୟଭିଚାରୀ, ବିଶୃଙ୍ଖଳ ଓ ସୀମାତିରିକ୍ତ ମଧ୍ୟ-

 

ସମୁଦାୟ କଥାଟି ବୁଝିଲା ପରେ ଡହରାନନ୍ଦ ବର୍ତ୍ତମାନ ଜାଣିପାରିଲେ ଯେ, ତାଙ୍କର ସେହି ବିଶିଷ୍ଟ ବନ୍ଧୁଟି ଗତ ତିନିବର୍ଷ ଧରି ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ନେତୃତ୍ୱରୁ ଅବସର ନେଇଥିଲେ । କିନ୍ତୁ ଆସନ୍ତା ବର୍ଷ ନିର୍ବାଚନରେ ତାଙ୍କର ରାଜନୀତିକ ଦଳ ତାଙ୍କ ଉପରେ ବିଶେଷ ଚାପ ପକାଇ ତାଙ୍କୁ ସେହି ନିର୍ବାଚନରେ ଜଣେ ପ୍ରାର୍ଥୀଭାବେ ଠିଆ କରାଇଛନ୍ତି ଏବଂ ସେହି ଭୋଟ ଯୁଦ୍ଧରେ ତାଙ୍କର ବିଜୟଲାଭ କରିବାର ସମସ୍ତ ସମ୍ଭାବନା ଥିବାରୁ ବିରୋଧିଦଳ ଲୋକେ ତାଙ୍କର ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଏହି ଅବ୍ୟର୍ଥ କୌଶଳଟି ପ୍ରୟୋଗ କରିଛନ୍ତି ଓ ତାଙ୍କୁ ଚିତ୍‌ପଟାଙ୍ଗ କରିବା ପାଇଁ ଏହି ମାରାତ୍ମକ ଅସ୍ତ୍ରଟି ବ୍ୟବହାର କରିଛନ୍ତି ।

 

ଡହରାନନ୍ଦ ସେହି ସହରରେ ତିନି ଚାରିଦିନ ଥିଲେ ଏବଂ ସେହି ବିଶିଷ୍ଟ ବନ୍ଧୁଙ୍କ ଘରେ ମଧ୍ୟ ଗୋଟିଏ ଦିନ ରହି ତାଙ୍କ ମୁହଁରୁ ସବୁକଥା ଶୁଣିଥିଲେ । ତା’ ପରେ ସେ ତାଙ୍କର ଅନ୍ୟଜଣେ ଅନ୍ତରଙ୍ଗବନ୍ଧୁଙ୍କ ଘରେ ଆସି ଆତିଥ୍ୟ ଗ୍ରହଣ କରିଥିଲେ । ସେତିକିବେଳେ ଦିନେ ରାତିରେ ସେହି ସହରର କେତେକ ଯୁବକ ଆସି ତାଙ୍କୁ ଦେଖାକଲେ ଓ ସେମାନଙ୍କ ସହିତ ଡହରାନନ୍ଦ ଏହି ପ୍ରସଙ୍ଗଟି ଆଲୋଚନା କରିଥିଲେ । ସେହି ଯୁବକମାନଙ୍କୁ ଲକ୍ଷ୍ୟକରି ଡହରାନନ୍ଦ କହିଲେ–ଆପଣମାନଙ୍କ ସହରକୁ ଏଥର ଆସି ମୁଁ ଖୁବ୍‍ ବ୍ୟଥିତ ହୋଇଛି । କାରଣ ଛଅ ସାତବର୍ଷ ପୂର୍ବରୁ ଏ ସହର ଏପରି ଅଶ୍ଳୀଳ ନ ଥିଲା । ଏ ସହର ବାସୀ ଏପରି ଯୌନଭାବପ୍ରବଣ ମଧ୍ୟ ନ ଥିଲେ ।

 

ଯୁବକଙ୍କ ଭିତରୁ ଜଣେ ଆହତ ହୋଇ ପଚାରିଲେ–ଆପଣ କିପରି ଜାଣିଲେ ଯେ, ଏ ସହରବାସୀ ଆମେ ସମସ୍ତେ ଯୌନଭାବପ୍ରବଣ ହୋଇପଡ଼ୁଛୁ ?

 

ଡହରାନନ୍ଦ କହିଲେ–ତା’ ନ ହେଲେ ସତ ହେଉ ବା ମିଛ ହେଉ–ଜଣକର ବ୍ୟକ୍ତିଗତ ଯୌନଜୀବନକୁ ନେଇ ସାରା ସହର ଏପରି ମୁଖର ହୋଇ ଉଠି ନଥାନ୍ତା । ତୁମ ସହରର ଏପରି କାନ୍ଥବାଡ଼ ନାହିଁ–ଯେଉଁଠି ଅମୂକ ବ୍ୟକ୍ତିର ଯୌନ–ଜୀବନ ଉପରେ କିଛି ଅଶ୍ଳୀଳ ବାକ୍ୟ ଲେଖା ନଯାଇଛି । ଏପରି କି ଏ ସହରର ମଠ ମନ୍ଦିର ମସ୍‌ଜିଦ୍‍ ଗୀର୍ଜାଗୁଡ଼ିକର ପ୍ରାଚୀର ଓ ସ୍କୁଲ କଲେଜ ଗୁଡ଼ିକର ପ୍ରାଚୀର ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ । ତା’ଛଡ଼ା ମୁଁ ଏ ସହରକୁ ଆସିଲା ଦିନୁଁ, ଆବାଳ ବୃଦ୍ଧବନିତା ସମସ୍ତଙ୍କ ତୁଣ୍ଡରୁ କେବଳ ସେହି ଗୋଟିଏ କଥା ହିଁ ଶୁଣୁଛି । ତୁମ ସହରର ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକ ମଧ୍ୟ ସେହି ଭଦ୍ରବ୍ୟକ୍ତିଙ୍କ ବିରୋଧରେ ସେହିସବୁ ଯୌନଚାରୀ ଖବର ଗୁଡ଼ିକର ପୁରିଛି । ଏଥିରୁ ଜଣେ କ’ଣ ଆଉ ବୁଝିବ ? ଯେ କୌଣସି ବୁଦ୍ଧିମାନ ଲୋକ ଅନ୍ତତଃ ଏଥିରୁ ଏଇଆ ଭାବିବ ଯେ, ଏ ସହରର ପ୍ରାୟ ସମସ୍ତେ ଯୌନବ୍ୟଭିଚାରରେ ମାତିବା ପାଇଁ ଅତ୍ୟନ୍ତ ଆଗ୍ରହୀ । କିନ୍ତୁ ସୁଯୋଗ ଅଭାବରୁ ହେଉ ବା ଆପଣାର ବଳ କ୍ଷମତା ନିଅଁଟ ହେବାରୁ ହେଉ–କେହି ତାହା କରିପାରୁନାହାନ୍ତି–ତେଣୁ ଆଉ କାହା ସମ୍ବନ୍ଧେ ଏପରି ଏକ ଅଶ୍ଳୀଳ ଯୌନବ୍ୟଭିଚାର ପ୍ରସଙ୍ଗ ଚାରିଆଡ଼େ ରଟାଇ ଦେଇ ତାକୁଇ ପାଟିରେ ଚାକୁଳାଇ ଚାକୁଳାଇ ଓ ମନରେ ଆଉଟାଇ ପାଉଟାଇ ଗୋଟିଏ ପ୍ରକାର ବିକୃତ ଯୌନମାନସିକ ସୁଖ ଭୋଗ କରି ଚାଲିଛନ୍ତି ।

 

ଉତ୍ତ୍ୟକ୍ତ ଯୁବକ ଜଣକ ଖୁବ୍‍ ଚିତ୍କାର କରି କହିଲେ ତା’ ହେଲେ ଆପଣ କ’ଣ କହୁଛନ୍ତି–ଦେଶର ବିଶିଷ୍ଟ ଲୋକମାନେ ଏହିପରି ଯୌନବ୍ୟଭିଚାର କରି ଚାଲିଥିବେ ? ତା’ ହେଲେ–ସାଧାରଣ ଲୋକଙ୍କ ପାଇଁ ଆଉ କି ଆଦର୍ଶ ରହିବ ?

 

ଡହରାନନ୍ଦ ଏଥର ହସି ଉଠିଲେ । ସେହିପରି ହସିହସି କହିଲେ–ଆହେ ଯୌନବୁଭୁକ୍ଷା ବା ଯୌନାଚାର ପ୍ରସଙ୍ଗରେ ଶିଷ୍ଟ, ବିଶିଷ୍ଟ, ଅଶିଷ୍ଟ ବା ସାଧାରଣ ଅସାଧାରଣ ମଣିଷ ବୋଲି କିଛି ନାହିଁ । ପ୍ରତିମଣିଷର ଯୌନ–କ୍ଷୁଧା ସମାନ ନୁହେଁ । ପ୍ରତ୍ୟେକଙ୍କ ପାଇଁ ମଧ୍ୟ ସୁବିଧା ସୁଯୋଗ ସମାନ ନୁହେଁ । ପ୍ରତ୍ୟେକଙ୍କର ବି ଏ ଦିଗରେ ସାମର୍ଥ୍ୟ ବଳ ସମାନ ନୁହେଁ । ତା’ ଛଡ଼ା–ସେପରି ବିଶେଷ ପରସ୍ଥିତିରେ ପଡ଼ି ସେଥିରୁ ଉତ୍ତୀର୍ଣ୍ଣ ନ ହେବା ପର୍ଯ୍ୟନ୍ତ କେହି ନିଜର ଯୌନ ସଂଯମ ଉପରେ ଆସ୍ଫାଳନ କରିବା ଉଚିତ୍‍ ନୁହେଁ । ଏବେ ଗପଟିଏ କହୁଛି ଶୁଣ–ତା’ ହେଲେ କଥାଟିର ଗୁରୁତ୍ୱ ବୁଝିପାରିବ ।

 

ଥରେ କେତେକ ଜଳବାହିନୀ ସୈନ୍ୟ ସେମାନଙ୍କ ଜାହାଜ ବୁଡ଼ିଯିବା ଫଳରେ ପହୁଁରି ପହୁଁରି ଗୋଟିଏ ନିର୍ଜନ ଦ୍ୱୀପରେ ଯାଇ ଲାଗିଲେ । ସେଠାରେ ସେମାନଙ୍କୁ ନିରୁପାୟ ଭାବରେ ପ୍ରାୟ ଅଢ଼େଇବର୍ଷ ବନ୍ଦୀଭାବରେ କଟାଇବାକୁ ପଡ଼ିଲା । ଦୁର୍ଭାଗ୍ୟର କଥା ହେଲା–ସେ ଦ୍ଵୀପଟି ଥିଲା ଜନମାନବ ଶୂନ୍ୟ । କିନ୍ତୁ ସେଠାରେ ହିଂସ୍ର ଜନ୍ତୁ ପ୍ରାୟ ନ ଥିଲେ । ଏଣୁ ସବୁ ଋତୁରେ ଅରଣ୍ୟରେ ପ୍ରଚୁର ଫଳମୂଳ ମିଳୁଥିଲା । ଆଉ ମଧ୍ୟ ଉପଯୋଗୀ ଛୋଟ ବଡ଼ପ୍ରାଣୀ ବହୁତ ଥିଲେ । ବିଶେଷତଃ ବାଲିହରିଣ, ଠେକୁଆ ଓ କୁଟ୍ରା ଜାତୀୟ ପ୍ରାଣୀ ବହୁତ ଥିଲେ । କିନ୍ତୁ ସେହି ବଣର ପ୍ରକୃତ ସଂଖ୍ୟାଗରିଷ୍ଠ ପ୍ରାଣୀଥିଲେ ମାଙ୍କଡ଼ ଏବଂ ଗରିଲାଙ୍କ ଠାରୁ ସାଧାରଣ ପାତିମାଙ୍କଡ଼ ପର୍ଯ୍ୟନ୍ତ ସେମାନଙ୍କ ସଂଖ୍ୟା ଥିଲା ଅଗଣିତ । ଏହି ଦୁର୍ଭାଗ୍ୟ ସୈନ୍ୟମାନେ ଫଳମୂଳ ଓ ମାଛମାଂସ ପ୍ରଚୁର ଭାବେ ଖାଇ ବେଶ୍ ସୁସ୍ଥଭାବେ ବଞ୍ଚିଲେ । କୁଡ଼ିଆ ନିର୍ମାଣ କରି ତା’ ଭିତରେ ଆନନ୍ଦରେ କାଳାତିପାତ କଲେ । ମାତ୍ର କିଛି ମାସ ପରେ ସେମାନେ ସମସ୍ତେ ଅତି ଉଗ୍ରଭାବରେ କାମଜ୍ଵଳା ଅନୁଭବ କଲେ ଫଳରେ ସେମାନଙ୍କ ଭିତରୁ କେତେକ ଆପଣା ଭିତରେ ଅସ୍ୱାଭାବିକ ଯୌନକ୍ରିୟା କରି ନିଜକୁ ଶୀତଳ କଲେ । ମାତ୍ର ଅନ୍ୟ କେତେଜଣ ଏହି ଅସ୍ୱାଭାବିକ ଯୌନକ୍ରିୟାର ଭୀଷଣ ସମାଲୋଚନା କଲେ ଏବଂ ଅଳ୍ପ କିଛି ଦିନ ପରେ ପୁଣି ଦେଖାଗଲା ଯେ, ଯେଉଁମାନେ ଆପଣାଭିତରେ ଅସ୍ୱାଭାବିକ ଯୌନକ୍ରିୟାର ବିରୋଧ କରୁଥିଲେ, ସେମାନେ ସେହି ବଣର କେତେକ ସୁସ୍ଥ ସୁନ୍ଦର ମୃଗୀ ଓ ମର୍କଟୀମାନଙ୍କ ସହିତ କାମ–କ୍ରୀଡ଼ାରେ ଲିପ୍ତ ରହି ନିଜକୁ ଯୌନଜ୍ଵାଳାରୁ ପରିତୃପ୍ତ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ତଥାପି ଜଣେ ଅତି ଆଦର୍ଶବାଦୀ ସଂଯମୀ ଲୋକ ଥିଲା–ଯେ କି ଏହିସବୁ ଅସ୍ୱାଭାବିକ ବୀଭତ୍ସ ଯୌନ–ଚାର ପ୍ରତି ଅତ୍ୟନ୍ତ ଅସହିଷ୍ଣୁ ହେଉଥିଲା–ଓ ସେହି ବିକୃତ ଯୌନଚାରୀ ବନ୍ଧୁମାନଙ୍କୁ ଅତ୍ୟନ୍ତ କଟୁ ଭାଷାରେ ଭର୍ତ୍ସନା କରୁଥିଲା । ତାଙ୍କ ମତରେ ଏହି ଆଚରଣ ଅତ୍ୟନ୍ତ ଜଘନ୍ୟ ଓ ଅମାନବୀୟ କାଣ୍ଡ ଥିଲା । ତାଙ୍କ ମୁଖରୁ କଟୁ ଭର୍ତ୍ସନା ଶୁଣି ମଧ୍ୟ ତାଙ୍କର ବନ୍ଧୁମାନେ କେହି ମୁହଁ ଖୋଲି ତା’ର ପ୍ରତିବାଦ କରୁ ନ ଥିଲେ କି ସେମାନଙ୍କ ଅସ୍ୱାଭାବିକ ଯୌନକ୍ରିୟାରୁ ମଧ୍ୟ ନିବୃତ୍ତ ରହୁ ନଥିଲେ । କିନ୍ତୁ ସେହି ଆଦର୍ଶବାଦୀ ଲୋକଟି ନିଜକୁ ଏହି ଯୌନ–ସଂଯମରେ ଖୁବ୍‍ ଅଟଳ ରଖି ପାରିଥିଲା ।

 

ଏହି ଭାବେ କିଛିମାସ କଟିଗଲା । ପ୍ରାୟ ଅଢ଼େଇବର୍ଷ ପରେ ଦିନେ ଅଭାବିତ ଭାବେ ଗୋଟିଏ ଜାହାଜ ଆସି ସେ ଦ୍ୱୀପରେ ଲାଗିଲା । ବନ୍ଦୀ ସୈନିକମାନେ ତାଙ୍କ ଦେଶକୁ ଫେରିବାର ଏଇ ଆକସ୍ମିକ ସୁଯୋଗ ପାଇ ଖୁବ୍‍ ଉତ୍ତେଜିତ ହୋଇ ଜାହାଜ ଆଡ଼କୁ ଛୁଟି ଚାଲିଲେ । ଜାହାଜ ପାଖେ ପହଞ୍ଚି ଦେଖିଲେ ଯେ, ସେମାନଙ୍କର ସେହି ଆଦର୍ଶବାଦୀ ସଂଯମୀ ବନ୍ଧୁଟି ସେମାନଙ୍କ ସହିତ ଆସିନାହିଁ । ସେମାନେ ଅନାଗତ ବନ୍ଧୁଟିକୁ ଖୋଜି ଆଣିବା ଲାଗି ଦୁଇଜଣଙ୍କୁ ପଠାଇଲେ । ସେହିଦୁଇଜଣଯାକ ଦୌଡ଼ି ଦୌଡ଼ି ଯାଇ ଦେଖିଲେ ଯେ, ସେମାନଙ୍କର ସେହି ଆଦର୍ଶବାଦୀ ସଂଯମୀ ବନ୍ଧୁଟି ଗୋଟିଏ ବଣ୍ୟ ଶୂକରୀ ସହିତ ଶୃଙ୍ଗାରରେ ମାତିଛି । ଏହି ଦୃଶ୍ୟ ଦେଖି ବନ୍ଧୁଦ୍ଵୟ ଆନନ୍ଦରେ କରତାଳୀ ଦେଇ ନାଚି ଲାଗିଲେ ଏବଂ ଖୁବ୍‍ ପରିହାସ କରି କହିଲେ–ଆରେ ହତଭାଗା, ଶେଷରେ ତୁ ଏଇ ଘୁଅଖାଇ ଘୁଷୁରୀଟା ସାଙ୍ଗରେ ମାତିଲୁ ? ଛି–ଛି–ଛି । ତୋ’ ରୁଚିକୁ ଧିକ୍‍: ତୋ’ ପୁରୁଷାଙ୍ଗକୁ ବି ଶତଧିକ୍‍ ।

 

ବନ୍ଧୁମାନଙ୍କ ତୁଣ୍ଡରୁ ଏହି ଧିକ୍‌କାର ବାକ୍ୟ ଶୁଣି ବଣ୍ୟ–ଶୂକରୀ ସହିତ ଶୃଙ୍ଗାର–ରତ ସେହି ସୈନିକଟି କହିଲା–କାହିଁକି ? କ’ଣ ହେଲା ସେଇଠୁ ? ତୁମେମାନେ ତ ଏଇକଥା ସବୁଦିନେ କରୁଥିଲ ! ଆଉ ମତେ ବି ଏଇକଥା କରିବାକୁ ପ୍ରବର୍ତ୍ତାଉଥିଲେ ? ଏହାଶୁଣି ତା’ର ସେହି ବନ୍ଧୁ ଦି ଜଣ ଯାକ ସମସ୍ୱରରେ ତାତ୍ସଲ୍ୟ କଲାଭଳି କହିଲେ–ଛି–ଛି–ଛି ! ତୋର ବୁଦ୍ଧିବିଚାରକୁ ବି ଧିକ୍‍ ତୁ ଶେଷକୁ କାମ–ପୀଡ଼ାରେ ଏତେ ଜର୍ଜରିତ ହେଲୁ ଯେ, ହରିଣୀ, ମର୍କଟୀ ଆଉ ମାଈ ଘୁଷୁରୀ ଭିତରେ ବି ପ୍ରଭେଦ ଜାଣି ପାରିଲୁ ନାହିଁ । ଏବେ ବୁଝିଲ ତ ଭାଇ ! ଯୌନ–କ୍ଷୁଧାର କେତେ କରାମତି ?

 

ଏତିକି କହି ଡହରାନନ୍ଦ ଖୁବ୍‍ ଜୋରରେ ହସି ଉଠିଲେ ଏବଂ ତାଙ୍କ ସହିତ ଯୁବକମାନେ ମଧ୍ୟ ହସି ହସି ଗଡ଼ିଗଲେ । କିନ୍ତୁ ଏହି ହାସ୍ୟରୋଳ ଟିକିଏ ଥମିବା ପରେ ଜଣେ ଯୁବକ ପଚାରିଲେ–ଡହରାନନ୍ଦଜୀ ! ଆପଣ ଯାହା କହିଲେ ତାହା ଯେତିକି ସତ୍ୟ, ସେତିକି ବାସ୍ତବ-। କିନ୍ତୁ ଆପଣ କ’ଣ କହିବାକୁ ଚହାନ୍ତି ଯେ, ମନୁଷ୍ୟ ତା’ର ଯୌନ–ପ୍ରବେଶକୁ ସଂଯତ କରିବା ଉଚିତ ନୁହେଁ ?

 

ଡହରାନନ୍ଦ ସ୍ମିତହାସ୍ୟ କରି କହିଲେ–ମୁଁ କେବେ ଏକଥା କହିନାହିଁ । ମନୁଷ୍ୟ ହିଁ ନିଜ ପ୍ରବୃତ୍ତି ଗୁଡ଼ିକ ଉପରେ ପ୍ରଭୁତ୍ୱ କରିପାରେ । ଇତର ପ୍ରାଣୀମାନେ ସେମାନଙ୍କ ପ୍ରକୃତି ଓ ପ୍ରବୃତ୍ତିର କ୍ରୀତଦାସ । ଉଦର–କ୍ଷୁଧା ଓ ଯୌନ–କ୍ଷୁଧା–ଏହି ଦୁଇ କ୍ଷୁଧାକୁ ଯେ ଅକ୍ତିଆରକୁ ଆଣିପାରେ, ସେହି ତ ବୀର । କିନ୍ତୁ ଶତକଡ଼ା କେତେଜଣ ଏହି ବୀରତ୍ୱର ଅଧିକାରୀ ? ପରିସ୍ଥିତିରେ ପଡ଼ିଲେ ଆମେ କ’ଣ କରିବସିବା କିଏ ଜାଣେ ? ସେଥିଲାଗି କହୁଛି–ଅନ୍ୟର ପତନ ଦେଖି ତା’ ଉପରେ ନିଷ୍ଠୁର ଭାବେ ମାଡ଼ିପଡ଼ି ନାହିଁ । ଅନ୍ୟର ପତନକୁ କିଞ୍ଚିତ ସହାନୁଭୂତିର ସହିତ ବିଚାର କର । ଭଦ୍ର ମଣିଷ ପକ୍ଷରେ ଏହା ହିଁ ଉଚିତ କରଣୀୟ । ବିଶେଷତଃ ଏହି ଯୌନ ବ୍ୟାପାରରେ କାହାର କିଛି ସ୍ଖଳନ ଦେଖିଲେ ଯେଉଁମାନେ ଖୁବ୍‍ ଉଲ୍ଲସିତ ଓ ଉତ୍ସାହିତ ହୋଇ ସେହି ଘଟଣାଟିକୁ ଇ ସର୍ବଦା ନିଜେ ଦେଖୁଥାନ୍ତି ଓ ଅପରକୁ ଦେଖାଉଥାନ୍ତି–ଏବଂ ନିଜେ ସେଥିରେ ଏକ ବିକୃତ ଆନନ୍ଦ ଉପଭୋଗ କରୁଥାନ୍ତି–ସେମାନେ ହେଲେ ସବୁଠାରୁ ଯୌନବିକାରଗ୍ରସ୍ତ ମାନସିକ ରୋଗୀ । ସେଥିପାଇଁ କହିଲି ଯେ–ଏ ସହରରେ ପ୍ରାୟ ସମସ୍ତ ଅଧିବାସୀ ଆଜି ଯୌନବିକାରଗ୍ରସ୍ତ ହୋଇପଡ଼ିଛି ।

 

ଡହରାନନ୍ଦ ଏତିକି କହି ଚୁପ୍‍ ହୋଇଗଲେ ।

☆☆☆

 

କିଏ ପତ୍ନୀ, କିଏ ପ୍ରେମିକା ?

 

ଏହି ଗଳ୍ପଟି ମଧ୍ୟ ଡହରାନନ୍ଦଜୀ ସେହି ଅଜଣା ସହରରେ ଥିଲାବେଳେ କତିପୟ ଯୁବକଙ୍କ ଆଗରେ ବୟାନ କରିଥିଲେ । ଦିନକର ସନ୍ଧ୍ୟାକାଳରେ ବାବା ଡହରାନନ୍ଦ ସେହି ସହରର ପାର୍କରେ ବସି ସୂର୍ଯ୍ୟାସ୍ତକାଳୀନ ଆକାଶ ଆଡ଼କୁ ଚାହିଁ ପ୍ରାୟ ଧ୍ୟାନସ୍ଥ ହେଲାଭଳି ବସିଛନ୍ତି–ଏହି ସମୟରେ ସେହି ଯୁବକମାନେ ତାଙ୍କ ସମୀପକୁ ଆସିଲେ ଓ ତାଙ୍କୁ ନମସ୍କାର କରି ତାଙ୍କ ପାଖେ ସେହି ଲନ୍‍ ଉପରେ ବେଢ଼ିକରି ବସିଲେ । କିଛି ସମୟ ଚୁପ୍‌ଚାପ୍‍ ବସିଲା ପରେ ଜଣେ ଯୁବକ କେତେଖଣ୍ଡ ସୁବାସିତ ଜରଦାଦିଆ ପାନ ଡହରାନନ୍ଦଙ୍କ ହାତକୁ ବଢ଼ାଇ ଦେଇ କହିଲେ–

 

ମହାଶୟ ! ମୋର ଆଜି ଆପଣଙ୍କୁ ଗୋଟିଏ ବ୍ୟକ୍ତିଗତ କଥା ପଚାରିବାକୁ ଅଛି । ଅବଶ୍ୟ କଥାଟି ମୋର ବ୍ୟକ୍ତିଗତ ହୋଇଥିବାରୁ ଖୁବ୍‍ ଗୋପନୀୟ । କିନ୍ତୁ, ତଥାପି ମୋର ସମସ୍ୟାଟି ମଧ୍ୟ ଏକ ସାମୂହିକ ସମସ୍ୟା ଏବଂ ଆପଣ ଯାହା ତା’ର ସମାଧାନ କରିବେ–ସେହି ସମାଧାନରୁ ମୋର ଏହି ବନ୍ଧୁମାନେ ମଧ୍ୟ ଉପକୃତ ହେବେ ।

 

ଡହରାନନ୍ଦ ହସ ହସ ଦୃଷ୍ଟି ଢାଳି କହିଲେ–ମଣିଷର ସବୁ ସମସ୍ୟା ଗୋଟିଏ ଦୃଷ୍ଟିରୁ ତା’ର ଯେତିକି ବ୍ୟକ୍ତିଗତ, ଅନ୍ୟଦୃଷ୍ଟିରୁ ତାହା ସେତିକି ମଧ୍ୟ ସମଷ୍ଟିଗତ । ତୁମ ସମସ୍ୟାଟି କୁହ ।

 

ଯୁବକଟି କହିଲେ–ମହାଶୟ ! ମୁଁ ଏକାସଙ୍ଗରେ ଦୁଇଟି ଝିଅଙ୍କୁ ଭଲ ପାଉଥିଲି ଏବଂ ସେମାନେ ମଧ୍ୟ ମତେ ଖୁବ୍‍ ଭଲ ପାଉଥିଲେ । ସେମାନଙ୍କ ଭିତରୁ ଜଣକ ସହିତ ମୋର ଯୌନମିଳନ ହୋଇଗଲା । କିନ୍ତୁ ଅନ୍ୟଜଣକ ସହିତ ମୋର ପ୍ରେମ–ସମ୍ପର୍କରେ କିଛି ମଳିନତା ନାହିଁ । ପ୍ରଥମ ଝିଅଟି ସହିତ ଯୌନମିଳନ ଘଟିଗଲା ପରେ ମୋର ମନ ତା’ ପ୍ରତି ସାମାନ୍ୟ ଊଣା ପଡ଼ିଯାଇଛି । କାରଣ, ମତେ ଲାଗୁଛି ସେ ଗୋଟିଏ ଶସ୍ତା ଝିଅ । କିନ୍ତୁ ଏହି ଦ୍ଵିତୀୟ ଝିଅଟି ମତେ ଲାଗୁଛି ଗୋଟିଏ ଦେବୀ ଭଳି । ମୁଁ ଏହି ଦ୍ଵିତୀୟ ଝିଅଟିକୁ ବିବାହ କରିବାକୁ ଚାହୁଁଛି । ମାତ୍ର ସେହି ପ୍ରଥମ ଝିଅଟି ଦାବି କରୁଛି ଯେ, ମୁଁ ତାକୁ ଇ ବିବାହ କରିବା ଉଚିତ । କାରଣ ମୁଁ ତାହା ସହିତ ଯୌନକ୍ରିୟା କରି ସାରିଥିବାରୁ ଆମ ଭିତରେ ପ୍ରାୟ ସ୍ୱାମୀ–ସ୍ତ୍ରୀ ବା ଦାମ୍ପତ୍ୟ ସମ୍ପର୍କ ସ୍ଥାପିତ ହୋଇ ଯାଇଛି । ଡହରାନନ୍ଦଜି ! ମୁଁ ଏହି ଚପଳ ସ୍ଵଭାବ ଦୁଶ୍ଚରିତ୍ରା ଝିଅଟିର ପ୍ରସ୍ତାବରେ ଆଦୌ ରାଜି ନୁହେଁ । ମୁଁ ଚାହେଁ–ସେହି ଦେବୀଭଳି ଦ୍ଵିତୀୟ ଝିଅଟିକୁ ବିବାହ କରିବି । କାରଣ, ମୁଁ ଚାହିଁଥିଲେ ବି, ସେ ମୋର ବାରମ୍ବାର ଯୌନ–ଆହ୍ୱାନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ମତେ କହନ୍ତୁ–ଏବେ ମୋର ପ୍ରକୃତ କର୍ତ୍ତବ୍ୟ କ’ଣ ? ମୁଁ କାହାକୁ ବିବାହ କରିବି ?

 

ଡହରାନନ୍ଦ କିଛି ମୁହୂର୍ତ୍ତ ସେହି ଯୁବକଟିର ବିବ୍ରତ ଆଖି ଦୁଇଟିକୁ ଚାହିଁ ରହିଲେ । ତା’ପରେ ସ୍ମିତହାସ୍ୟରେ କହିଲେ–

 

ତୁମେ ନିଶ୍ଚୟ ଖୁବ୍‍ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛି । କିନ୍ତୁ ମୋର ଏ ବିଷୟରେ ଯାହା ଧାରଣା, ତା’ ହେଲା–ମଣିଷ ପ୍ରକୃତରେ ଯାହାକୁ ଭଲ ପାଏ, ତା’ ସଙ୍ଗେ ଏତେ ସହଜରେ ଯୌନ–ମିଳନ ସମ୍ଭବ ହୁଏ ନାହିଁ । ଅପର ପକ୍ଷରେ ଯାହା ସହିତ ଖୁବ୍‍ ସହଜରେ ଯୌନ–ମିଳନ ହୋଇଯାଏ, ତାକୁ ସହଜରେ ପ୍ରକୃତ ଭଲ ପାଇ ହୁଏ ନାହିଁ । କିନ୍ତୁ ଯାହା ସହିତ ପ୍ରକୃତ ଭଲପାଇବା ସହିତ ସହଜରେ ଯୌନମିଳନ ସମ୍ଭବ ହୋଇପାରେ ତାକୁ ଇ ଜଣେ ବିବାହ କରିବା ଉଚିତ । ସେଇ ଜଣକ ହିଁ ନାରୀ ପାଇଁ ସ୍ୱାମୀ ବା ପୁରୁଷ ପାଇଁ ପତ୍ନୀ ହୋଇପାରେ । ଯଦି ମୋ କଥା ତୁମ ମନକୁ ପାଉଛି–ତେବେ ବର୍ତ୍ତମାନ ତୁମେ ସହଜରେ ଜାଣିପାରିବ ଯେ ତୁମର ଦୁଇଜଣ ପ୍ରେମିକାଙ୍କ ଭିତରୁ ତୁମେ କାହାକୁ ପତ୍ନୀ ରୂପେ ବାଛିବ !

 

ଏ କଥା ଶୁଣି ସବୁ ଯୁବକ ହସି ଉଠିଲେ । କିନ୍ତୁ ସମସ୍ୟାରେ ଆକ୍ରାନ୍ତ ଥିବା ଯୁବକଟି କିଞ୍ଚିତ୍‍ ହତାଶ ସ୍ୱରରେ କହିଲେ–ମହାଶୟ ! ଆପଣ ଯାହା କହିଲେ–ସେଥିରୁ ମୁଁ ବୁଝୁଛି ଯେ, ମୁଁ ମୋର ଦୁଇଜଣ ପ୍ରେମିକାଙ୍କ ପାଖରେ ମୋର ଯୋଗ୍ୟତା ହରାଇ ବସିଛି ଓ ସେ ଦୁଇଜଣଜାକ ମଧ୍ୟ ମୋ ପାଖରେ ସେମାନଙ୍କର ଯୋଗ୍ୟତା ହରାଇ ବସିଛନ୍ତି । ତା’ ହେଲେ ବର୍ତ୍ତମାନ ମୁଁ କ’ଣ କରିବି କୁହନ୍ତୁ !

 

ଡହରାନନ୍ଦ ଯୁବକଟି ଆଡ଼କୁ ସ୍ନେହଦୃଷ୍ଟିରେ ଚାହିଁ ତା’ର ପିଠିକୁ ଆଉଁସି ଆଉଁସି କହିଲେ–ବନ୍ଧୁ ! ଏଇ କଥାରେ ବା ଏତିକିରେ ଏମିତି ହଡ଼ବଡ଼େଇ ଯାଅ ନାହିଁ । ଗୋଟିଏ କଥା ନିଶ୍ଚିତ ଭାବେ ଧରିନିଅ ଯେ, ଏ ସଂସାରରେ ଆମେ ଏଇ ପ୍ରେମ ବା ବିବାହ ବ୍ୟାପାରରେ କେହି କାହା ପାଖରେ ଯୋଗ୍ୟତା ରଖିପାରି ନାହୁଁ । ତଥାପି ଆମେ ଏଇ ଭଲପାଇବା ଓ ବିବାହ କ୍ଷେତ୍ରରେ ମୋଟାମୋଟି ଏକ ପ୍ରକାର ଚଳିଯିବା ଭଳି ଅବସ୍ଥାରେ ନିଜକୁ ରଖିଥାଉ । ତା’ର ଏକମାତ୍ର କାରଣ ହେଲା–ସବୁପ୍ରକାର ଭଲପାଇବା ଦିନେ ଆପଣା ଛାଏଁ ଦୁଇଆଡ଼ୁ ଭାଙ୍ଗିଯାଏ । ପ୍ରଥମେ ଜଣକ ଭିତରେ ହଠାତ୍‍ ତା ଅଜାଣତରେ ବୋର୍‌ଡ଼ମ ଦେଖାଦିଏ ଏବଂ ତା’ର କିଞ୍ଚିତ୍‍ ପ୍ରତିକ୍ରିୟା ପ୍ରକାଶ ପାଇଲା ମାତ୍ରେ, ଅନ୍ୟଜଣକୁ ମଧ୍ୟ ବୋର୍‌ଡ଼ମ ଘୋଟି ଆସେ । ଶେଷରେ ଦୁହେଁ ଦୁହିଁଙ୍କ ହାତରୁ ପଡ଼ି ଭାଙ୍ଗିଯା’ନ୍ତି । ଆଉ ଏଇ ବିବାହ ବ୍ୟାପାରଟି ହେଲା ଆହୁରି କୌତୁକର ବ୍ୟାପାର । କାରଣ ସ୍ୱାମୀ–ସ୍ତ୍ରୀ ଉଭୟେ ଜାଣି ଜାଣି କିଛି ବର୍ଷ ଭିତରେ ଖାଇବା ଥାଳିଟିକୁ ଭାଙ୍ଗିଦିଅନ୍ତି ଓ ଶେଷ ପର୍ଯ୍ୟନ୍ତ ନିରୁପାୟ ଭାବରେସେହି ଭଙ୍ଗାଥାଳିରେ ଇ ଖାଇ ଚାଲିଥାନ୍ତି । ତେଣୁ ତୁମେ ଜୀବନ ଆରମ୍ଭରୁ ଏମିତି କିଛି ଗୋଟାଏ କରିଛ ବୋଲି ଆଦୌ ନିଜକୁ ଅପଦସ୍ଥ କରନାହିଁ । ବରଂ ନିଜକୁ ଖୁବ୍‍ ସ୍ଥିରରଖି କଥାଟିକୁ ଭାବ । ଏ ସମ୍ପର୍କରେ ମୋର ଜଣେ ବନ୍ଧୁଙ୍କ ଜୀବନରେ ଯାହା ଘଟିଥିଲା–ସେକଥା କହୁଛି ଶୁଣ । ଭଦ୍ରଲୋକ ଅନେକ ଦିନ ଯାଏ ଭଲ ପାଉଥିବା ଦୁଇଟି ଝିଅ ଭିତରୁ କାହାକୁ ବାହା ହେବେ ଠିକ୍‍ କରି ନ ପାରି ନିଜେ ନିଜ କ୍ଷଣିକ ଯୌବନକାଳରୁ ବେଶ୍‍ କିଛି ବର୍ଷ ନଷ୍ଟ କରି ଦେଲେ–ଏବଂ ଝିଅ ଦୁହିଁଙ୍କର ବି ସମାନ ଭାବେ ତାଙ୍କରି ଯୋଗୁଁ ବୟସ ନଷ୍ଟ ହୋଇଗଲା । କିନ୍ତୁ ଦିନେ ଏପରି ଏକ ମୁହୂର୍ତ୍ତ ଆସିଲା, ଯେତେବେଳେ କି ସେ ଦୁହିଁଙ୍କ ଭିତରୁ ଜଣକୁ ବାହାହେବା ଲାଗି ବାଧ୍ୟହୋଇ ପଡ଼ିଲେ । କାରଣ ବହୁଦିନ ଧରି ଝିଅ ଦୁହିଁଙ୍କ ସହିତ ଯୌନ–ସଂଯମ ରକ୍ଷାକରି ଆସିଥିଲେ ବି ଶେଷରେ କିନ୍ତୁ ଜଣକ ସାଥିରେ ହଠାତ୍‍ ଯୋଗାଯୋଗ ଘଟିଥିଲା ଏବଂ ସେ ଗର୍ଭବତୀ ହୋଇଯିବାରୁ ତାକୁ ଇ ବାଧ୍ୟହୋଇ ବାହାହୋଇ ପଡ଼ି ଘରକୁ ସ୍ତ୍ରୀ କରି ଆଣି ତା’ ସହିତ ଘରଦ୍ୱାର କଲେ ଓ ଦୁଇଟି ସନ୍ତାନ ମଧ୍ୟ ଲାଭ କଲେ । କିନ୍ତୁ ଏହା ସତ୍ତ୍ୱେ ଆର ସ୍ତ୍ରୀଲୋକଟି ସହିତ ବନ୍ଧୁଙ୍କର ପ୍ରେମ–ସମ୍ପର୍କ କଟିଗଲା ନାହିଁ । କାରଣ ଆଉ ସ୍ତ୍ରୀଲୋକଟି ଆଉ କାହାକୁ ବିବାହ କରିପାରିଲେ ନାହିଁ, ଏବଂ କ୍ରମଶଃ ବିବାହ ବୟସ ହରାଇ ବସିଲେ । କିନ୍ତୁ ସେ ଓ ମୋର ବନ୍ଧୁ ପରସ୍ପରକୁ ପୂର୍ବବତ୍‍ ଭଲ ପାଇ ଚାଲିଥାନ୍ତି ଏବଂ ଏହି ଦୌରାତ୍ମ୍ୟକୁ ବନ୍ଧୁଙ୍କ ପତ୍ନୀ ମଧ୍ୟ ସହ୍ୟ କରି ଚାଲିଥାନ୍ତି ।

 

ଦିନେ କିନ୍ତୁ ବନ୍ଧୁଙ୍କର ବିବାହିତା ସ୍ତ୍ରୀ ତାଙ୍କୁ ପଚାରିଲେ–ଦେଖ, ମୁଁ ଭଲଭାବେ ବୁଝି ସାରିଲିଣି ଯେ, ତୁମେ ସିନା ମତେ ବିବାହ କଲ–ଆଉ ମୋ କୋଳକୁ ପୁଅଟିଏ ଝିଅଟିଏ ଦେଲ ! କିନ୍ତୁ ଅସଲରେ ତୁମେ ମତେ ସେଇ କଥାଟି ଆଜି ପର୍ଯ୍ୟନ୍ତ ଦେଇ ନାହିଁ । ବନ୍ଧୁ ହଠାତ୍‍ ବ୍ୟସ୍ତ ହୋଇ ପଡ଼ି କହିଲେ–କୋଉ କଥାଟି ଭଲା ମୁଁ ଆଉ ତୁମକୁ ନ ଦେଇ ମୋ ପାଖରେ ସାଇତି ରଖିଛି କହିଲ ?

 

ସ୍ତ୍ରୀ କହିଲେ–ସାଇତି ରଖିନ ! କିନ୍ତୁ ମୋର ଅସଲ କଥାଟି ତୁମେ ମତେ ଦେଇନ, ସେତେକ ତୁମେ ଗୋପନରେ ତୁମ ପ୍ରେମିକାକୁ ଦେଇ ଚାଲିଛ । ତା’ ନ ହେଲେ ଦୀର୍ଘ ପଚିଶିବର୍ଷ ହେଲା ସେ ତୁମ ସଙ୍ଗେ ଏମିତି ଶୂନ୍ୟଟାରେ ଲାଗି ରହିଥାନ୍ତା ? ଦେଖ, ସେ ଶେଷ ପର୍ଯ୍ୟନ୍ତ ତୁମ ଲାଗି ବାହା ମଧ୍ୟ ହେଲା ନାହିଁ । ଦେଖ–ତୁମେ ମୋ ସାଙ୍ଗେ ଏତେଦିନ କପଟାଚାର କରି ଆସିଲ । ମୁଁ ତୁମର ଅସଲ ଭଲପାଇବାଟି ପାଇଲି ନାହିଁ । ଏ ଧନସମ୍ପଦ ପିଲାଛୁଆ ମୋର କ’ଣ ହେବ ? ନିଅ ତୁମେ ଏ ଟଙ୍କାସୁନା ଘରବାଡ଼ି ପିଲାପିଲି ସବୁ ମୋ’ଠାରୁ ନେଇଯାଅ । ମୁଁ ଆଉ ତୁମ ପାଖେ ରହିବି ନାହିଁ–ମୁଁ ଠିକ୍‍ କରି ସାରିଲିଣି–ମୃତ୍ୟୁ ପର୍ଯ୍ୟନ୍ତ ପଣ୍ଡିଚେରୀ ଆଶ୍ରମରେ ଭଗବାନକୁ ଆଶ୍ରୟ କରି ରହିବି ।

 

ବନ୍ଧୁ ଜଣକ ପତ୍ନୀମୁଖରୁ ହଠାତ୍‍ ଏହା ଶୁଣି ଖୁବ୍‍ ବିଚଳିତ ହୋଇପଡ଼ିଲେ । କିନ୍ତୁ, ତଥାପି ଖୁବ୍‍ ସାହସ ଧରି ପତ୍ନୀଙ୍କୁ କୋଳକୁ ଆଉଜାଇ ଆଣି କହିଲେ–ମୋ ରାଶି ! ମତେ ବିଶ୍ଵାସ କର । ମୁଁ ସେଇ ଭଦ୍ରମହିଳାଙ୍କୁ ଆରମ୍ଭରୁ କିଛି ଇ ଦେଇ ନାହିଁ । କାରଣ, ତାଙ୍କୁ ଦେଲାଭଳି ଜିନିଷ ମୋ ପାଖେ କେବେ ବି ନ ଥିଲା । ଏବେ ମଧ୍ୟ ନାହିଁ । ବନ୍ଧୁପତ୍ନୀ ଛଳ ଛଳ ଆଖିରେ ପ୍ରଶ୍ନ କଲେ–ଯଦି ତାକୁ କିଛି ନ ଦେଇଛ–ତା’ ହେଲେ ସେ ଗତ ପଚିଶିବର୍ଷ ଧରି ତୁମ ପିଛା ଏମିତି ଦଉଡ଼ିଛି କାହିଁକି ?

 

ବନ୍ଧୁ କହିଲେ–ସେ ହତଭାଗିନୀ ବୁଦ୍ଧିହୀନା ସ୍ତ୍ରୀ ଲୋକଟିର ତଥାପି ଏ ପର୍ଯ୍ୟନ୍ତ ଏକ ଅନ୍ଧବିଶ୍ୱାସ ରହିଛି ଯେ, ଶେଷ ପର୍ଯ୍ୟନ୍ତ ଦିନେ ନା ଦିନେ ମୁଁ ତାକୁ ତା’ର ଆକାଙ୍‌କ୍ଷିତ ବସ୍ତୁଟି ଦେବି-। ଏ କଥା ଶୁଣି ବନ୍ଧୁପତ୍ନୀ ନୀରବ ରହିଲେ ଓ ଗଭୀର ଦୀର୍ଘଶ୍ଵାସଟିଏ ଛାଡ଼ି କହିଲେ–ତା’ ହେଲେ ତୁମେ ତାକୁ ସେଇ କଥାଟି ସ୍ପଷ୍ଟ ଭାବରେ ଦିନେ ଶୁଣାଇ ଦେଉନାହଁ କାହିଁକି ? ବନ୍ଧୁ କହିଲେ–ଥରେ ନୁହଁ ରାଣୀ, ଗତ ପଚିଶି ବର୍ଷ ଭିତରେ ମୁଁ ତାକୁ ପଚାଶ ହଜାର ଥର ଏକଥାଟି କହି ସାରିଲିଣି । କିନ୍ତୁ ସେ କ’ଣ କୁହେ ଜାଣ ? ସେ କୁହେ–ମୁଁ ତ ତୁମର ଦାମ୍ପତ୍ୟ ଜୀବନର ସୀମାସରହଦ ଭିତରକୁ ପ୍ରବେଶ କରୁନାହିଁ । ତା’ ହେଲେ ତୁମେ ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି ?

 

ଏହା ଶୁଣି ବନ୍ଧୁପତ୍ନୀ କିଞ୍ଚିତ୍‍ ରୁଷ୍ଟ ସ୍ୱରରେ କହିଲେ–ତାକୁ କ’ଣ ଆମ ଦାମ୍ପତ୍ୟ ଜୀବନର ସୀମା ଆଉ ସରହଦ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ସେ କଥା ଜଣାଅଛି ? ସେ ଭାବୁଛି–ଯୋଉଠି ଠିଆ ହୋଇ ତା’ ପାଇଁ ପତାକାଟିଏ ପୋତୁଛି–ସେଇଟା ବୋଧେ ଆମ ଦାମ୍ପତ୍ୟ ଜୀବନର ସୀମା ସରହଦ ବାହାରେ–ନା କ’ଣ ?

 

ବନ୍ଧୁ ଜଣକ ହଠାତ୍‍ ବିଚଳିତ ସ୍ୱରରେ କହିଲେ–ନା, ନା, ସେ କଥା ନୁହେଁ । ସେ ଆମଠାରୁ ବହୁତ ଦୂରରେ ଅଛି । ବିଶ୍ଵାସ କର–ବହୁତ ଦୂରରେ ମାନେ ସେଠାକୁ ଆମ ଦୁହିଁଙ୍କର ମଧ୍ୟ ଆଖି ପାଇବ ନାହିଁ ।

 

ବନ୍ଧୁପତ୍ନୀ ହଠାତ୍‍ ସ୍ୱାମୀଙ୍କ କୋଳରୁ ଉଠିପଡ଼ି ଖୁବ୍‍ ତେଜିଗଳାରେ କହିଲେ–ଦେଖ ! ତୁମେ ଦୁହେଁଯାକ ମୋ ସହିତ ବହୁତ ଚଲାଖି ଖେଳିଲଣି । ମୁଁ ସବୁ ଜାଣିସାରିଛି । କିନ୍ତୁ ଏଥିପାଇଁ ତୁମେ ହିଁ ଏକା ଦାୟୀ । ତୁମେ ଆମ ଦାମ୍ପତ୍ୟ ଜୀବନର ଗୋଟିଏ କାଳ୍ପନିକ ସୀମାରେଖା ଟାଣି ତା’ ଉପରେ ପାଚେରୀ ତୋଳି ଦେଇଛ । ମତେ ସେ ପାଚେରୀ ଭିତରେ ରଖି ଫାଟକ ବନ୍ଦକରି ଦେଇଛ । ଆଉ ସେଇ ମୂଢ଼ା ସ୍ତ୍ରୀ ଲୋକଟିକୁ ପାଚେରି ବାହାରେ ଠିଆ କରେଇଛ ପଚିଶବର୍ଷ ହେଲା । ତାକୁ ଫାଟକ ଖୋଲି ଭିତରକୁ ଆସିବାକୁ ଦେଇନାହଁ–କିମ୍ବା ମତେ ବି ଫାଟକ ଖୋଲି ବାହାରକୁ ଛାଡ଼ିନାହଁ । ତୁମେ ଇ କେବଳ ଫାଟକର ଚାବିଟି ତୁମପାଖେ ରଖି ତୁମର ଇଚ୍ଛାନୁସାରେ ଫାଟକ ଖୋଲି ଘରୁ ବାହାରକୁ ଯାଇ ତା’ ସଙ୍ଗେ ସାକ୍ଷାତ୍‍ କରୁଛ ଓ ପୁଣି ଫାଟକ ଖୋଲି ଘର ଭିତରକୁ ଆସି ମୋ ସଙ୍ଗେ ସାକ୍ଷାତ କରୁଛ । କିନ୍ତୁ ବୁଝି ରଖ ! ଏହାଦ୍ୱାରା କାହାରି କିଛି ଲାଭ ହେଉ ନାହିଁ । ସତକୁ ସତ ତୁମେ ଯଦି ଆମ ଦୁଇଜଣଙ୍କୁ ଭଲ ପାଉଥାଉ–ତେବେ ପାଚେରୀ ଭାଙ୍ଗିଦିଅ ବା ଫାଟକ ଖୋଲା ରଖ । ସେ ଘର ଭିତରକୁ ଆସି ମୋ ସହିତ ସାକ୍ଷାତ କରୁ ଓ ମୁଁ ବାହାରକୁ ଯାଇ ତା’ ସହିତ ସାକ୍ଷାତ କରେ । ତା’ ହେଲେ ଯାଇ ଆମେ ଜାଣିବା କିଏ କାହାଠାରୁ କ’ଣ ଚାହୁଁଛି, ବା କିଏ କାହାକୁ କ’ଣ ଦେଇପାରୁଛି । ଭଲ ପାଇବାର କାରବାର ସ୍ପଷ୍ଟ ଦିନର ଆଲୁଅ ଭିତରେ ହେଉ–ଅଥବା କୁମାର ପୂର୍ଣ୍ଣିମା କି ଦୋଳ ପୂର୍ଣ୍ଣିମାର ଜହ୍ନ ଆଲୁଅ ଭିତରେ ହେଉ-। କିନ୍ତୁ ଅନ୍ଧାର ରାତିରେ ଯୋଉ କାରବାର, ତାହା ହେଲା ଚୋରାକାରବାର । ଭଲପାଇବା ଖୁବ୍‍ ଗୂଢ଼ ଆଉ ରହସ୍ୟମୟ ବ୍ୟାପାର । କିନ୍ତୁ ଗୁପ୍ତ ଗୋପନୀୟ ଚୋରାକାରବାର ନୁହେଁ-। ମୋର ବର୍ତ୍ତମାନ ଦୃଢ଼ ଧାରଣା ହେଲାଣି ଯେ, ତୁମେ ଆମ ଦୁହିଁଙ୍କୁ ଇ ପ୍ରବଞ୍ଚନା କରି ଚାଲିଛ । ତେବେ ମୁଁ ତୁମ ପ୍ରବଞ୍ଚନାରେ ଭାଙ୍ଗି ପଡ଼ିବି ନାହିଁ । କାରଣ ମୁଁ ତ ତୁମକୁ ବିବାହ କରିଛି । ବୈବାହିକ ଜୀବନରେ ସବୁ କିଛିକୁ ପ୍ରାପ୍ୟ ବୋଲି ଧରି ରଖିବାକୁ ହୁଏ । ବିଶ୍ଵାସ ଯେପରି ପ୍ରାପ୍ୟ, ପ୍ରବଞ୍ଚନା ମଧ୍ୟ ସେହିପରି ପ୍ରାପ୍ୟ । କାରଣ ଆମେ ତ ଆଉ କେବଳ ଡାହାଣ ହାତଟି ଧରି ନ ଥାଉ, ବାମ ହାତଟିକୁ ମଧ୍ୟ ଆପଣା ମୁଠାରେ ମୁଠାଇ ଥାଉ । କିନ୍ତୁ ମୋର ଦୁଃଖ ହେଉଛି, ସେହି ମୂଢ଼ା ହତଭାଗିନୀ ସ୍ତ୍ରୀ ଲୋକଟି ଉପରେ–ଯେ କି ତୁମଠାରୁ ତା’ର ପ୍ରାପ୍ୟ ଦିନେ ପାଇବ ବୋଲି ଆଶାରଖି ଗତ ପଚିଶବର୍ଷ ହେଲା ତୁମ ପିଛା ଧରିଛି ଏବଂ ତୁମେ ତାକୁ କିଛି ଦେଇ ପାରିବନି ବୋଲି ଜାଣି ମଧ୍ୟ ତା’ର ତୁମ ପ୍ରତି ଆସକ୍ତି ଓ ବିଶ୍ୱାସକୁ ଲୁଚାଇ କରି ମନେ ମନେ ଉପଭୋଗ କରି ଚାଲିଛ । ମୁଁ ତୁମକୁ ଭଲ ଭାବେ ଜାଣି ସାରିଛି । ଠିକ୍‍ ଅଛି–ମୁଁ ତୁମକୁ ଛାଡ଼ି ପଣ୍ଡିଚେରୀ ଯାଉନାହିଁ । କିନ୍ତୁ ମୋର ଭଗବାନଙ୍କଠାରେ ଏତିକି ପ୍ରାର୍ଥନା ଯେ, ସେ ମୂଢ଼ା ହତଭାଗିନୀ ସ୍ତ୍ରୀ ଲୋକଟି ଶେଷ ପର୍ଯ୍ୟନ୍ତ ପାଗଳୀ ହୋଇ ନ ଯାଉ...

 

ଏତିକି କହିସାରି ଡହରାନନ୍ଦଜୀ ଚୁପ୍‍ ହୋଇଗଲେ । ପରିବେଶଟି ବେଶ୍‍ ଗମ୍ଭୀର ହୋଇ ଉଠିଥିଲା ।

☆☆☆

 

Unknown

ସତରୁ ମିଛ–ନା ମିଛରୁ ସତ

 

ବାବା ଡହରାନନ୍ଦ ଏହି ବିଷୟଟି ଇସ୍ପାତ ନଗରୀ ରାଉରକେଲାରେ ଥିଲାବେଳେ କେତେଜଣ ଯୁବକଙ୍କ ସହିତ ଆଲୋଚନା ପ୍ରସଙ୍ଗରେ କହିଥିଲେ । ସେତେବେଳେ ଡହରାନନ୍ଦଜୀ ତାଙ୍କର ପ୍ରିୟତ୍ତମା ଶ୍ୟାଳିକାଙ୍କ ଗୃହରେ ଅବସ୍ଥାନ କରୁଥିଲେ । ଏବଂ ତାଙ୍କର ସେଠାରେ ଚାରିପାଞ୍ଚଦିନ ରହଣିକାଳରେ ପ୍ରତିଦିନ ସନ୍ଧ୍ୟାରେ ତାଙ୍କର ଶ୍ୟାଳିକାଙ୍କ ବୈଠକଖାନାରେ ତାଙ୍କୁ ନେଇ ଗୋଟିଏ ବୈଠକ ବସୁଥିଲା । ସେତେବେଳେ ଥିଲା ଘୋର ଶୀତକାଳ । ତେଣୁ ସନ୍ଧ୍ୟା ହେଲା ମାତ୍ରେ ସମସ୍ତେତ ଘର ଭିତରେ ପଶିବା ବ୍ୟତୀତ ଆଉ ଗତ୍ୟନ୍ତର ନ ଥିଲା । ସେଦିନ ସନ୍ଧ୍ୟା ବୈଠକରେ ଜଣେ ଯୁବକ ପ୍ରଶ୍ନକଲେ–ଡହରାନନ୍ଦଜୀ ! ଆମ୍ଭେମାନେ ବେଳେବେଳେ ନିଜକୁ ବଡ଼ ବିଭ୍ରାନ୍ତ ମନେ କରୁଛୁ । କାରଣ ଆମ୍ଭମାନେ ଘୋର କଳିଯୁଗରେ ଜନ୍ମ ହୋଇଛୁ ଏବଂ ଏହି ଯୁଗରେ ମିଥ୍ୟାର ଆଧିପତ୍ୟ ବେଶୀ । ତେଣୁ ଆମେ ଦେଖୁଛୁ ପ୍ରତ୍ୟେକ ଲୋକ ମିଥ୍ୟା ନ ହେଲେ ବଞ୍ଚିପାରୁନାହିଁ । ଏଣେ କିନ୍ତୁ ସମସ୍ତେ ନିଜର ମିଥ୍ୟାକୁ ସତ୍ୟ ବୋଲି ପ୍ରମାଣିତ କରିବାରେ ପ୍ରାଣପଣେ ଲାଗିପଡ଼ିଛନ୍ତି । ଆପଣ କହନ୍ତୁ ଆମେ ସତ୍ୟକୁ କିପରି ଜାଣିବୁ ଓ ସତ୍ୟକୁ ଧରି ସତକୁ ସତ କିପରି ବଂଚିବୁ ?

 

ଚାହା ଆସିଯାଇଥିଲା । ଡହରାନନ୍ଦ ସମସ୍ତଙ୍କ ହାତକୁ ଚାହାକପ ଧରାଇ ଦେଇ ହସିହସି କହିଲେ ଆଗ ଚାହା ଖାଇ ତାଜା ହୁଅନ୍ତୁ । ତା’ପରେ ସତ୍ୟ ମିଥ୍ୟାର ସମୁଦ୍ରରେ ପହଁରିବା-। ପ୍ରଥମେ ଆଗ ଗୋଟିଏ କଥାରେ ନିଶ୍ଚିନ୍ତ ରହନ୍ତୁ ଯେ, ଆମ୍ଭେମାନେ କଳିଯୁଗରେ ଜନ୍ମ ହୋଇ କିଛି ଭୁଲ କରି ନାହୁଁ । କାରଣ ଏହି କଳିଯୁଗରେ ହିଁ ସତ୍ୟ ଆଉ ମିଥ୍ୟାର ଦ୍ୱନ୍ଦ୍ଵ ସବୁ ଯୁଗଠାରୁ ବଳିପଡ଼ିଛି ଏବଂ ଏହି କଳିଯୁଗରେ ହିଁ ପ୍ରକୃତରେ ସତ୍ୟର ପ୍ରତିଷ୍ଠା ହେବ । ଏକଥା ମୁଁ ଅବଶ୍ୟ ଆଦୌ ଧାର୍ମିକତା ଦୃଷ୍ଟିରୁ କହୁନାହିଁ । ମୋର ବିବେକର ବିଚାର ଦୃଷ୍ଟିରୁ ହିଁ କହୁଛି । କଳିଯୁଗ ଲୋକଙ୍କର ଗୋଟିଏ ବିଶେଷ ଗୁଣ ହେଲା–ସେମାନେ କହନ୍ତି ଗୋଟାଏ ଏବଂ କରନ୍ତି ଆଉ ଗୋଟାଏ–ମାନେ ଠିକ୍‍ ବିପରୀତଟି ହିଁ କରିଥାନ୍ତି । ଉଦାହରଣ ସ୍ୱରୂପ–କଳିଯୁଗର ଜଣେ ଶାସକ ଖୁବ୍‍ ଉଚ୍ଚପାଟିରେ ଘୋଷଣା କରେ ଭାଇମାନେ ! କେହି ମଦ୍ୟପାନ କରନାହିଁ । କାରଣ ମଦ୍ୟପାନ ଦ୍ୱାରା ତୁମର ସ୍ୱାସ୍ଥ୍ୟ ନଷ୍ଟ ହେବ,ନୈତିକତା ନଷ୍ଟହେବା ଓ ଧନ ନଷ୍ଟ ହେବ । କିନ୍ତୁ ଏଣେ ଗ୍ରାମ ଆଉ ସହରର ଗଳିକନ୍ଦିରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍‌ସ ଦିଏ । କାରଣ ତଦ୍ଦ୍ୱାରା ଶାସକମାନଙ୍କର ଧନବୃଦ୍ଧି ହୁଏ । ସେହିପରି ଆନ୍ତର୍ଜାତିକ ରାଜନୀତିରେ ଶାନ୍ତି ଓ ସହାନୁବସ୍ଥାନ ଉପରେ ସମସ୍ତେ ଖୁବ୍‍ ଉଚ୍ଚସ୍ୱରରେ ଚିଉଲାଥାନ୍ତି । କିନ୍ତୁ ଏଣେ ଗୁପ୍ତରେ ପରସ୍ପର ଭିତରେ ଶୀତଳ ଯୁଦ୍ଧ ବା ସ୍ନାୟୁଯୁଦ୍ଧ ଚଳାଇଥାନ୍ତି । କଳିଯୁଗର ପାଟି ହେଲା ଖବରକାଗଜ, ରେଡ଼ିଓ ଏବଂ ଟେଲିଭିଜନ । ଏଇ ତିନୋଟିକୁ କୁହାଯାଏ ଗଣମାଧ୍ୟମ । ଏହାର ଅର୍ଥ ହେଲା–ପ୍ରଜାମାନଙ୍କର ବିବେକ ବିଚାର ଯାହା କହୁଛି ତାହାର ପ୍ରଚାର କରିବା । ମାତ୍ର ଏହି ଗଣମାଧ୍ୟମମାନେ ହିଁ ପ୍ରଜାମାନଙ୍କର ବିବେକ ବିଚାର ବୁଦ୍ଧିକୁ ସମୂଳେ ଗ୍ରାସ କରିବାକୁ ଲାଗି ପଡ଼ିଥାନ୍ତି ଏବଂ ଏହି ଗଣମାଧ୍ୟମମାନେ ହିଁ ସବୁବେଳେ ମିଥ୍ୟାକୁ ମହାନ ସତ୍ୟବୋଲି ପ୍ରମାଣିତ କରିବାକୁ ଦିନରାତି ଉଚ୍ଚସ୍ୱରରେ ବିଚାର କରୁଥାନ୍ତି ।

 

ଏତିକିବେଳେ ଜଣେ ଯୁବକ ପ୍ରଶ୍ନକଲେ ମହାଶୟ ! ଏହି ଗଣମାଧ୍ୟମ–ଗୁଡ଼ିକ ନ ହେଲେ ଆମେ ତ ଆଦୌ କିଛି ଜାଣି ହିଁ ପାରନ୍ତୁ ନାହିଁ ।

 

ଡହରାନନ୍ଦ କହିଲେ–ସେ କଥା ସତ । ମୁଁ ଗଣମାଧ୍ୟମମାନଙ୍କୁ ନିନ୍ଦା କରୁନାହିଁ । କିନ୍ତୁ ସେଗୁଡ଼ିକର ସଂପୂର୍ଣ୍ଣ ଉପାଦେୟତାକୁ ସ୍ୱୀକାର କରି ମଧ୍ୟ ମୁଁ ଗୋଟିଏ କଥା ଦୃଢ଼ସ୍ୱରରେ କହିବି ଯେ, କଳିଯୁଗର ଗଣମାଧ୍ୟମମାନେ କେବେ ସତ୍ୟକୁ ଅନ୍ୱେଷଣ କରନ୍ତି ନାହିଁ ।ବରଂ ସେମାନେ ଖୁବ୍‍ ତତ୍ପର ହୋଇ ମିଥ୍ୟା ପଛରେ ଗୋଡ଼ାଇଥାନ୍ତି । ସେମାନ୍ୟ ସତ୍ୟ କ’ଣ ଜାଣନ୍ତି ନାହିଁ କି ସତ୍ୟପ୍ରତି ମଧ୍ୟ ସେମାନଙ୍କରର ଆଗ୍ରହ ନାହିଁ । ସେମାନେ ମିଥ୍ୟାକୁ ଖୋଜୁଥାନ୍ତି ଓ ମିଥ୍ୟାକୁ ହିଁ ବଡ଼ପାଟିରେ ପ୍ରଚାର କରୁଥାନ୍ତି । ପ୍ରତିଟି ଗଣମାଧ୍ୟମ କ୍ଷୋଭ ମିଥ୍ୟାଟିକୁ ପ୍ରଚାର କରୁଥାଏ । ତାକୁଇ ବାସ୍ତବତା ବୋଲି ପ୍ରମାଣ କରୁଥାଏ । ଏହିପରି ଭାବେ ଦେଖାଯାଏ ଯେ କଳିଯୁଗର ସମସ୍ତ ମିଥ୍ୟାକୁ ଗଣମାଧ୍ୟମମାନେ ପଦାରେ ପକାଇ ଦେଉଛନ୍ତି ଏବଂ ତଦ୍ଦ୍ୱାରା ଆମର ମସ୍ତବଡ଼ ଲାଭ ହେଉଛି ।

 

ଜଣେ ଯୁବକ ପଚାରିଲେ କ’ଣ ଲାଭ ହେଉଛି ? ତଦ୍ୱାରା ଆମ୍ଭେମାନେ ବିଭ୍ରାନ୍ତ ହେଉ ନାହୁଁ କି ?

 

ସେମାନେ ଯଦି ସତ୍ୟ ପ୍ରକାଶ କରନ୍ତେ ଏବଂ ତାକୁ ମଧ୍ୟ ଏପରି ଉଚ୍ଚସ୍ୱରରେ କୋଳାହଳମୟ କରି ପ୍ରକାଶ କରନ୍ତେ–ତଦ୍ୱାରା ମଧ୍ୟ ତୁମ୍ଭେମାନେ ବିଭ୍ରାନ୍ତ ହୁଅନ୍ତ ଏବଂ ଆଉରି ବେଶି ବିଭ୍ରାନ୍ତ ହୁଅନ୍ତ । ବର୍ତ୍ତମାନେ ଆମେ ଦେଖିବା କିପରି ଆମେ ବିଭ୍ରାନ୍ତ ନ ହୋଇ ମିଥ୍ୟା ଭିତରୁ ସତ୍ୟକୁ ଖୋଜିବା ।

 

ଜଣେ ଯୁବକ ପ୍ରଶ୍ନ କଲେ–ତାହା କିପରି ସମ୍ଭବ ହେବ ତାହାହିଁ ଆମ୍ଭମାନଙ୍କୁ କୁହନ୍ତୁ ।

 

ଡହରାନନ୍ଦ ତାଙ୍କ ପାନଡ଼ିବାରୁ ଖଣ୍ଡିଏ ସୁବାସିତ ଖିଲିପାନ ପାଟିରେ ପୁରାଇ ତା’ ଉପରେ କିଂଚିତ ଦନ୍ତଚାପ ଦେଇ କହିଲେ–

 

ବାବୁମାନେ ଶୁଣ । ତୁମ୍ଭେମାନେ ମୋତେ ଯେତେ ବିଜ୍ଞ ବୋଲି ଧରି ନେଇଛ–ମୋର ପ୍ରକୃତରେ ସେତିକି ବିଜ୍ଞତା ନାହିଁ । କିନ୍ତୁ ଏକଥା ସତ ଯେ, ମୋର ଜୀବନରେ କିଛି ଗଭୀର ଅଭିଜ୍ଞତା ଅଛି । କାରଣ ମୁଁ ଜୀବନକୁ ଖୁବ୍‍ ଗଭୀର ଭାବରେ ବଂଚୁଥାଏ ଏବଂ ଗଭୀରଭାବେ ବଞ୍ଚିବା ଅର୍ଥ ମୁଁ ଜୀବନର ଚାପ ଭିତରୁ ନିଜକୁ ମୁକ୍ତ ରଖୁଥାଏ ।

 

ଜଣେ ଯୁବକ ପ୍ରଶ୍ନ କଲେ ଜୀବନକୁ ଗଭୀର ଭାବେ ବଂଚିଲେ ଜଣେ ଜୀବନର ଚାପରୁ ମୁକ୍ତ ରହିବ କିପରି ?

 

ଡହରାନନ୍ଦ କହିଲେ ହଁ, ତାହା ସମ୍ଭବ । ତୁମେ ଯେତେବେଳେ ଜୀବନକୁ ସମଗ୍ର ଭାବେ ଗ୍ରହଣ କରିବ ଓ ସମଗ୍ରଭାବେ ବଞ୍ଚିବ ସେତିକିବେଳେ ଇ ଜୀବନର ଚାପ ତୁମ ଉପରେ ପଡ଼ିବ ନାହିଁ । ତୁମେ ଜୀବନର ଗୋଟିଏ କଥାକୁ ନେଇ ବଞ୍ଚିଲା ବେଳେ ତା’ର ବିପରୀତ କଥାଟି ତୁମ ଉପରେ ସବାର ହୋଇ ଯାଉଛି । ଉଦାହରଣ ସ୍ୱରୂପ–ତୁମେ ସତ୍ୟ ଖୋଜୁଛ କିନ୍ତୁ ମିଥ୍ୟାର ଚାପରେ ଭାଙ୍ଗି ପଡ଼ୁଛ । ପ୍ରେମ ଖୋଜୁଛ–କିନ୍ତୁ ଘୃଣାର ଚାପରେ ଚାପି ହୋଇ ଯାଉଛ । ଶାନ୍ତି ଚାହୁଁଛ–କିନ୍ତୁ କୋଳାହଳ ଭିତରେ ଉନ୍ମତ୍ତ ହୋଇପଡ଼ୁଛ ।

 

ଜଣେ ଯୁବକ ପଚାରିଲେ–ତା’ ହେଲେ ଆମକୁ କ’ଣ କରିବାକୁ ହେବ ସିଧାସଳଖ କହି ଦିଅନ୍ତୁ ।

 

ଡହରାନନ୍ଦ ହସିହସି କହିଲେ–ପ୍ରଥମେ ଆଗ ନିଜେ ଚାପମୁକ୍ତ ହୁଅ । ସେଥିପାଇଁ ପ୍ରଥମ କଥା ହେଲା–ଯଥାସମ୍ଭବ ଭିତରେ ଓ ବାହାରେ କୋଳାହଳ ବନ୍ଦ କର । ମିଥ୍ୟାକୁ ନେଇ କୋଳାହଳ କରନାହିଁ କି ସତ୍ୟକୁ ନେଇ କୋଳାହଳ କରନାହିଁ । ପ୍ରେମକୁ ନେଇ କୋଳାହଳ କରନାହିଁ କି ଘୃଣାକୁ ନେଇ କୋଳାହଳ କର ନାହିଁ । ଈଶ୍ୱରଙ୍କୁ ନେଇ ତମ୍ବୀତୋଫାନ କରନାହିଁ କି ସଇତାନକୁ ନେଇ ମଧ୍ୟ ତମ୍ବୀତୋଫାନ କରନାହିଁ । ତା’ ହେଲେ ଯାଇ ତୁମେମାନେ ଏଇ ବିଭ୍ରାନ୍ତିର ଦାଉରୁ ରକ୍ଷାପାଇବ । ବର୍ତ୍ତମାନ ଗପଟିଏ କହୁଛି ଶୁଣ । ଗଳ୍ପଟି ଆମେରିକାର ବିଖ୍ୟାତ ବ୍ୟଙ୍ଗ ଲେଖକ ମାର୍କଟୁଏନ ଲେଖିଥିଲେ ।

 

ଥରେ ପୃଥିବୀର ସବୁଲୋକ ଏକାଠି ବସି ସ୍ଥିର କଲେ ଯେ ସେମାନେ ଏକ ପୂର୍ଣ୍ଣିମାରାତିର ନିର୍ଦ୍ଦିଷ୍ଟ ସମୟରେ ଏକାଠି ହୋଇ ଚନ୍ଦ୍ର ଉଦ୍ଦେଶ୍ୟରେ ଏକାବେଳେକେ ଗୋଟିଏ ଶବ୍ଦ ଖୁବ୍‍ ବଡ଼ ପାଟିରେ ଚିତ୍କାର କରି କହିଉଠିବେ ଏବଂ ସେହି ସମ୍ମିଳିତ ସ୍ୱର ଖୁବ୍‍ ପ୍ରଚଣ୍ଡ ଓ ତୁମୂଳ ହୋଇ ଚନ୍ଦ୍ର ପର୍ଯ୍ୟନ୍ତ ପ୍ରସରି ଯିବ ଓ ଯଦିଓ ଯଦି ଚନ୍ଦ୍ରରେ ଜୀବନ୍ତ ଅଧିବାସୀ ଥିବେ ସେମାନେ ତାହା ଶୁଣିପାରିବେ ଓ ସେମାନେ ମଧ୍ୟ ସେହି ରୀତିରେ ଆମ ପୃଥିବୀ ପାଖକୁ ସେମାନଙ୍କର ସମ୍ମିଳିତ ସ୍ୱରରେ ଉତ୍ତର ଦେବେ । ଫଳରେ ଚନ୍ଦ୍ର ଓ ଆମ ଭିତରେ ଏକ ଶବ୍ଦ ଯୋଗାଯୋଗ ହୋଇଯିବ ଏବଂ ଭବିଷ୍ୟତରେ ପରସ୍ପର ଭିତରେ ଭାବର ଆଦାନପ୍ରଦାନ ପାଇଁ ପଥ ସୁଗମ ହୋଇଯିବ । ବାସ୍‍–ଯଥା ଦିନ ଓ ସମୟ ନିର୍ଦ୍ଦିଷ୍ଟ ହୋଇଗଲା । ସେଦିନ ପୃଥିବୀର ସବୁ ମଣିଷ କେହି କେହି ଛାତ ଉପରେ–କେହି ପ୍ଳାଟଫର୍ମରେ, କେହିବା ପର୍ବତ ଉପରେ, କେହି ପୁଣି ଖୋଲାପଡ଼ିଆରେ ଠିଆହୋଇ ସେହି ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷାକରି ରହିଲେ । ନିର୍ଦ୍ଦେଶ ଥିଲା ଯେ–ଯେମିତି ଘଣ୍ଟାରେ ରାତି ବାରଟା ବାଜିବ ଠିକ୍‍ ସେତିକିବେଳେ ହିଁ ସମସ୍ତେ ପୃଥିବୀର ଯେ ଯେଉଁଠି ଠିଆ ହୋଇଥିବ ଉର୍ଦ୍ଧ୍ୱମୁଖ ହୋଇ ପୂର୍ଣ୍ଣଚନ୍ଦ୍ରକୁ ଚାହିଁ ଉଚ୍ଚସ୍ୱରରେ ଚିତ୍କାର କରିଉଠିବେ–ହେ ହୋ ଓ ଓ ଓ ଓ ଓ !

 

ତା’ପରେ ସମସ୍ତେ ଉତ୍କଣ୍ଠିତହୋଇ ନିଜ ନିଜ ଘଡ଼ିକୁ ଚାହିଁଲେ । ଏଗାରଟା ଚାଳିଶି ହେଲା, ଏଗାରଟା ପଚାଶ ହେଲା–ଏବଂ ଠିକ୍‍ ଯେତେବେଳେ ବାରଟା ଉପରେ ଘଣ୍ଟା କଣ୍ଟା ଓ ମିନିଟ୍‍ କଣ୍ଟା ଏକାଠି ହୋଇଗଲା ଆଶ୍ଚର୍ଯ୍ୟ କଥା ଯେ ଠିକ୍‍ ସେତିକିବେଳେ ସମସ୍ତଙ୍କ ପାଟି ଆପଣାଛାଏଁ ଚୁପ ହୋଇଗଲା । ସତେକି କେଉଁ ଅଦ୍ଭୁତ ଯାଦୁକର ସେତିକିବେଳେ ପୃଥିବୀଯାକର ମଣିଷଙ୍କ ପାଟିକୁ କେତେମିନିଟ ପାଇଁ ବନ୍ଦ କରିଦେଲା । ତା’ମାନେ–ସମସ୍ତେ ନିଜର ଅଜାଣତରେ ସେହି ତୁମୂଳ ସ୍ୱର ଶୁଣିବାକୁ ଚାହିଁବାରୁ ସମସ୍ତଙ୍କର ପାଟି ଆପଣାଛାଏଁ କେତୋଟି ମିନିଟ ପାଇଁ ବନ୍ଦ ହୋଇଗଲା । ହାସ୍ୟରସିକ ଲେଖକ ମାର୍କଟୁଏନ ଲେଖିଛନ୍ତି ଯେ ଅନ୍ତତଃ ସେହି କେତୋଟି ମିନିଟ ପାଇଁ ସେଦିନ ପୃଥିବୀ ଥିଲା କୋଳାହଳ ଶୂନ୍ୟ ଓ ଏକ ଅପୂର୍ବ ଶାନ୍ତି ସମସ୍ତଙ୍କ ହୃଦୟକୁ ସେଇ କେତୋଟି ଅନବଦ୍ୟ ମୁହୂର୍ତ୍ତରେ ପୂର୍ଣ୍ଣ କରି ରଖିଥିଲା...

 

କଥାଟି ଏହିଠାରେ ସମାପ୍ତ କରି ଡହରାନନ୍ଦ କହିଲେ ଏବେ ବୁଝିଲତ ! କଳିଯୁଗ ମିଥ୍ୟାର ଯୁଗ ନୁହେଁ କି ସତ୍ୟର ଯୁଗ ନୁହେଁ । କଳିଯୁଗ ହେଲା କୋଳାହଳର ଯୁଗ–ଚିତ୍କାରର ଯୁଗ–ବାଚାଳତାର ଯୁଗ–ବାକ୍‌ବିସ୍ଫୋରଣର ଯୁଗ–ବାକ୍‍ ବାହୁଲ୍ୟ ଓ ବାକ୍‌ବିସ୍ତାରର ଯୁଗ । ଏବଂ ସବୁପ୍ରକାର ମାନସିକ ବିଭ୍ରାନ୍ତି ପାଇଁ ଏହି କୋଳାହଳ ହିଁ ଦାୟୀ । ତୁମ୍ଭେମାନେ ପ୍ରଥମେ ନିଜ ଅନ୍ତର ଭିତରୁ କୋଳାହଳ ବନ୍ଦକର । ତା’ହେଲେ ଦେଖିବ ଯେ ବାହାରର କୋଳାହଳ ତୁମ କାନରେ ପଡ଼ୁନାହିଁ । ଏହିପରି ଅବସ୍ଥା ଆସିଲେ ଯାଇ ତୁମ୍ଭେମାନେ ପ୍ରକୃତରେ ସତ୍ୟ କ’ଣ ଓ ମିଥ୍ୟା କ’ଣ ତାହା ବୁଝିପାରିବ ।

 

ଡହରାନନ୍ଦ ଏତିକି କହି ଚୁପ୍‍ ରହିଲେ ।

☆☆☆

 

ତୃତୀୟ ଚାପୁଡ଼ା କାହା ଗାଲରେ ?

 

ଏହି ବିଷୟଟି ମଧ୍ୟ ଡହରାନନ୍ଦ ରାଉରକେଲାର ସେହି ଯୁବକମାନଙ୍କ ସହିତ ଆଲୋଚନା ପ୍ରସଙ୍ଗରେ କହିଥିଲେ । ସେଦିନ ସନ୍ଧ୍ୟାରେ ଡହରାନନ୍ଦଜୀଙ୍କ ପ୍ରିୟତମା ଶ୍ୟାଳିକା ସମବେତ ଯୁବକମାନଙ୍କୁ ଦୁଇଥାଳି ଗରମ ପକୋଡ଼ି ଓ ପିଆଜ ସହ ଚାହା ଦେଇ ଅପ୍ୟାୟିତ କରିଥିଲେ । କହିବା ବାହୁଲ୍ୟ ଯେ, ଡହରାନନ୍ଦଙ୍କ ଏହି ଶ୍ୟାଳିକାଟି ଥିଲେ ଖୁବ୍‍ ସୁନ୍ଦରୀ ଓ ବ୍ୟବହାର କୁଶଳା ଏବଂ ସେ ମଧ୍ୟ ବୟସରେ ବେଶ୍‍ କିଛି ପାର୍ଥକ୍ୟ ସତ୍ତ୍ୱେ ଭିଣୋଇଙ୍କ ପ୍ରତି ଖୁବ୍‍ ଅନୁରକ୍ତା ଓ ଅନୁଗତା ଥିବାର ଜଣା ପଡ଼ୁଥିଲେ । ଏହା ବୁଝିପାରି ଯୁବକମାନଙ୍କ ମଧ୍ୟରୁ ଜଣେ କିଞ୍ଚିତ୍‍ ରସିକତା କରିବା ଉଦ୍ଦେଶ୍ୟରେ ଡହରାନନ୍ଦଙ୍କ ଉଦ୍ଦେଶ୍ୟରେ ହସି ହସି କହିଲେ–

 

ଡହରାନନ୍ଦଜୀ ! ଏହି ସାଂସାରିକ ଜୀବନରେ ଆମର ଯେତେ ସମ୍ପର୍କ ବା ସମ୍ବନ୍ଧମାନ ଅଛି–ତା’ ଭିତରେ ଶାଳୀ–ଭିଣୋଇ ସମ୍ପର୍କଟି ଏତେ ମଧୁର କାହିଁକି କହିପାରିବେ ?

 

ଡହରାନନ୍ଦ ମଧ୍ୟ ହସି ହସି କହିଲେ–ଖାଲି ଶାଳୀ–ଭିଣୋଇ ନୁହଁ, ଦିଅର–ଭାଉଜ ଓ ନଣନ୍ଦେଇ ଓ ଶାଳାଭାଉଜ ସମ୍ପର୍କ ମଧ୍ୟ ସମାନ ଭାବେ ମଧୁର ଓ ନିତ୍ୟ ଆକର୍ଷଣୀୟ । ତା’ର କାରଣ ହେଲା–ସମ୍ପର୍କ ଦୁଇପ୍ରକାର । ଆମିଷ ସମ୍ପର୍କ, ନିରାମିଷ ସମ୍ପର୍କ । କିନ୍ତୁ ଏହା ବାହାରେ ଆଉ ଗୋଟିଏ ସମ୍ପର୍କ ମଧ୍ୟ ଅଛି ତାହା ହେଲା ଛତୁଜାତୀୟ ସମ୍ପର୍କ । ତାହା ଆମିଷ ନୁହଁ କି ନିରାମିଷ ମଧ୍ୟ ନୁହଁ । ଅର୍ଥାତ୍‍ ଛତୁ ଏପରି ଏଇ ଜିନିଷ ଯାହା ପ୍ରକୃତରେ ଏକ ପରିବା । କିନ୍ତୁ ଉପଯୁକ୍ତ ଗରମ ମସଲା ତେଲ ଦେଇ ବା ସୋରିଷ ବଟା ଓ ଖଟା ଦେଇ ରାନ୍ଧିଲେ ତହିଁରୁ ଆମିଷର ସ୍ୱାଦ ଓ ଆମେଜ୍ ମଧ୍ୟ ବାହାରେ । ମୋ ମତରେ ଶାଳୀ–ଭିଣୋଇ ସମ୍ପର୍କ ବା ତତ୍‌ଜାତୀୟ ଯେଉଁ ସମ୍ପର୍କମାନ କହିଲି–ସେସବୁ ହେଲା ଏହିପରି ସମ୍ପର୍କ । ବୁଝିବାକୁ ଗଲେ ଅନୁଗତା ଶ୍ୟାଳିକାଟି ବହୁଦିଗରୁ ସ୍ତ୍ରୀ ସହିତ ସମାନ । କିନ୍ତୁ ଗୋଟିଏ କଥା ତା’ ସହିତ ହୋଇପାରେନା । ତାହା ନ ହେବା ଇ ଉଚିତ । କିନ୍ତୁ ତାହା ନ ହେଲେ ବି ଉପଯୁକ୍ତ ମସଲା ଓ ତେଲ ସଂଯୋଗରେ ଭଲଭାବରେ ରାନ୍ଧି ପାରିଲେ ତାହା ଆମିଷକୁ ମଧ୍ୟ ସ୍ୱାଦରେ ବଳିଯାଏ ।

 

ଏହା ଶୁଣିବା ମାତ୍ରେ ସମବେତ ଯୁବକମାନେ ହୋ ହୋ କରି ହସି ଉଠିଲେ । ତା’ପରେ କିଛି ସମୟ ନୀରବରେ ବିତିଲା ପରେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ମୁଁ ଗୋଟିଏ ନୈତିକ ସଙ୍କଟରେ ପଡ଼ିଛି । ତା’ ହେଲା–ମୋତେ ଯଦି କିଏ ଆଘାତ କରେ, ତେବେ ମୁଁ ତାକୁ ପ୍ରତି–ଆଘାତ କରିବି ନା ନାହିଁ ? ଏ ବିଷୟରେ ମୁଁ ଯାହା ଜାଣିଛି–ମୁନି ଗୋଟିକରେ ମତ ଗୋଟିଏ । ମହାତ୍ମା ଓ ଭଗବାନମାନେ ଭିନ୍ନ ଭିନ୍ନ କଥା କହିଛନ୍ତି । ଉଦାହରଣ ସ୍ୱରୂପ–ଭଗବାନ ଶ୍ରୀକୃଷ୍ଣ କହିଛନ୍ତି–ତୁମକୁ ଯେ ବିନା କାରଣରେ ଆଘାତ କଲା, ତାକୁ ତୁମେ ପ୍ରତି–ଆଘାତ କର ବା ନ କର, ସେଥିରେ ତୁମର କିଛି କର୍ତ୍ତୃତ୍ୱ ନାହିଁ କି ଦାୟିତ୍ୱ ନାହିଁ । କାରଣ, ତୁମେ ଯଦି ତାକୁ ଆଘାତ କର, ତେବେ ଭାବିବ ଯେ ତୁମେ କେବଳ ନିମିତ୍ତ ମାତ୍ର । କାରଣ, ମୁଁ ତାକୁ ଆଗରୁ ଆଘାତ କରିସାରିଛି । ଯଦି ଆଘାତ ନ କରି କ୍ଷମାଦିଅ–ତା’ ହେଲେ ମଧ୍ୟ ତୁମର ସେଥିରେ କିଛି କର୍ତ୍ତୃତ୍ୱ ନାହିଁ କି ଦାୟିତ୍ୱ ନାହିଁ । କାରଣ, ମୁଁ ତାକୁ ଆଗରୁ କ୍ଷମା କରିସାରିଛି ଓ ଛାଡ଼ି ଦେଇଛି । ଏଥିରେ ମଧ୍ୟ ତୁମେ ନିମିତ୍ତ ମାତ୍ର । ଭଗବାନ ଶଙ୍କରାଚାର୍ଯ୍ୟଙ୍କ ମତ ହେଲା–କିଏ କାହାକୁ ଆଘାତ କରେ ? କିଏ ବା ଆଘାତ ପାଏ ? ସବୁ ଏଠି ପ୍ରକୃତିର ବିକାର ବା ମାୟା । ତୁମେ ଭାବ ଯେ ତୁମେ ଇ ବ୍ରହ୍ମ ଏବଂ ସକଳ ଏଠାରେ ବ୍ରହ୍ମ । ଆଘାତ ଦେଲାବାଲା ବ୍ରହ୍ମ–ଆଘାତ ପାଇଲାବାଲା ବ୍ରହ୍ମ–ଆଘାତ ବି ବ୍ରହ୍ମ । କିନ୍ତୁ ଆଘାତର ଅନୁଭବ ହେଲା ମାୟା । ସେହି ମାୟାକୁ ସ୍ୱୀକାର କରନା । ତା’ ହେଲେ ତୁମକୁ କଷ୍ଟ ହେବ ନାହିଁ । ତୁମେ ଚିଦାନନ୍ଦ ସ୍ୱରୂପରେ ସର୍ବଦା ପ୍ରସନ୍ନ ରହିବ । ଭଗବାନ ଶ୍ରୀଚୈତନ୍ୟଙ୍କ ମତ ହେଲା–ଯେ ଟାଙ୍ଗିଆ ମାରି ତୁମ ମୁଣ୍ଡ ଫଟାଇ ଦେଇଛି–ତାକୁ ହସି ହସି ପ୍ରେମରେ ଆଲିଙ୍ଗନ କର ଓ କୁହ–ଆରେ ଭାଇ ! ତୁ ମୋ ମୁଣ୍ଡ ଫଟାଇ ଦେ ବା ମୋତେ ଜୀବନରେ ମାରି ଦେ–ସେଥିରେ କିଛି ଯାଏ ଆସେ ନାହିଁ । ଦେଖି ତୁ ଥରେ ମାତ୍ର ହରିବୋଲ କହିଲୁ ! ମୋ ପ୍ରେମ ନେ–ହରିବୋଲ କହ । ତା’ପରେ ଯୀଶୁଖ୍ରୀଷ୍ଟଙ୍କ ମତ ମଧ୍ୟ ବୁଝିଲି-। ସେ ମହାଶୟଙ୍କ ମତ ହେଲା–ଯେ ତୁମକୁ ବାମ ଗାଲରେ ଚଟକଣା ମାରିଲା, ତାକୁ ତୁମେ ତୁମର ଡାହାଣ ଗାଲଟି ଦେଖାଇ ଦିଅ । ଆମ ରାଜ୍ୟର ବିଶିଷ୍ଟ କମ୍ୟୁନିଷ୍ଟ ନେତା ଲେଲିନ୍‍ ମହାନ୍ତି କହନ୍ତି–ଯେ ତୁମ ପିଠିରେ ବିଧାଏ ମାରିଲା, ଯେ ଶଳା ବୁର୍ଜୋୟାର ପିଠିରେ ଦଶବିଧା ମାରି ତା ପିଠି ଭାଙ୍ଗି ଦିଅ । ଯେ ତୁମ ପେଟକୁ ଚିମୁଟି ଦେଲା–ସେ ଶଳା ଶ୍ରେଣୀ–ଶତ୍ରୁର ପେଟରେ ଛୁରୀ ଭୁସି ଦିଅ-। ଅତ୍ୟାଚାରୀର ଅତ୍ୟାଚାରକୁ ସହିଯାଅ ନାହିଁ–ପ୍ରଶୟ ମଧ୍ୟ ଦିଅନାହିଁ । ତଦ୍ଦ୍ୱାରା ଅତ୍ୟାଚାରୀର ବଳ ଓ ସାହସ ବଢ଼ିଯାଏ ବ। ଡହରାନନ୍ଦଜୀ ? ଏ ସବୁ ମହାତ୍ମା ମହାପୁରୁଷ ଓ ବିପ୍ଳବୀ ନେତାମାନଙ୍କର ପରସ୍ପର ବିରୋଧୀ ମତମାନ ଶୁଣି ମୁଁ ପ୍ରକୃତରେ କ’ଣ କର୍ତ୍ତବ୍ୟ କିଛି ଠିକ୍‍ କରିପାରୁ ନାହିଁ-। ଦୟାକରି ଆପଣ ଏ ବିଷୟରେ କିଛି କହନ୍ତୁ ।

 

ଡହରାନନ୍ଦ ଏହା ଶୁଣି କହିଲେ–ତୁମେ ଏ ବିଷୟରେ ମୋର ମତ ବା ବିଚାର ଶୁଣିବାକୁ ଚାହୁଛ କାହିଁକି ? ମୁଁ ଯଦି ଏ ସମ୍ବନ୍ଧେ ମୋର ଗୋଟିଏ ମତ ଦିଏ, ତେବେ ତାହା ତୁମର ବୋଝ ବଢ଼ାଇବ ସିନା, କମାଇବ ନାହିଁ । କାରଣ, ମୋର ଧାରଣା ଏହା ଏକ ବ୍ୟକ୍ତିଗତ ବ୍ୟାପାର-। ତୁମକୁ କିଏ ଆଘାତ କଲେ, ତୁମେ ତା’ପ୍ରତି କିପରି ବ୍ୟବହାର କରିବ, ଏହା ତୁମେ ସ୍ଥିର କରିବା ଉଚିତ । ଏ ସମ୍ବନ୍ଧେ ପୁଣି ତୁମେ ବହୁ ବିଶିଷ୍ଟ ମହାତ୍ମାମାନଙ୍କର ମତାମତ ସମ୍ବନ୍ଧେ ଅବଗତ ଅଛ-। ତେବେ ମୁଁ ଆଉ ତୁମକୁ କ’ଣ ଅଧିକ ଦିଗ୍‌ଦର୍ଶନ ଦେବି ? ମୋର ଧାରଣା, ସବୁ କଥା ନିର୍ଭର କରେ–ତୁମର ସେହି ଆଘାତକାରୀ ଲୋକଟି ସହ କି ପ୍ରକାର ସମ୍ପର୍କ ଅଛି ତା’ ଉପରେ ଏବଂ ଆଉ ମଧ୍ୟ ନିର୍ଭର କରେ ତୁମ ଆଘାତର ପରିମାଣ ଓ ପ୍ରତିକ୍ରିୟା ଉପରେ । ଉଦାହରଣ ସ୍ୱରୂପ–ମୋର ଏହି ପ୍ରିୟତମା ଶାଳୀଟି ଯଦି ମୋତେ ଜୋରରେ ଚିମୁଟି ଦିଏ ଓ ତା’ର ସୁନ୍ଦର ତୀକ୍ଷ୍‌ଣ ନଖାଘାତରେ ଯଦି ମୋର କୋଉ ଅଙ୍ଗ ଖଣ୍ଡିଆ ହୋଇ ରକ୍ତ ବୁହେ, ତେବେ ମୁଁ ପ୍ରେମ ଉଲ୍ଲାସରେ ଉଦ୍‌ବେଳିତ ହୋଇଉଠିବି ଓ ସେ ରକ୍ତକୁ ମୋ ଟିପରେ ନେଇ ତା’ର ଅଧରରେ ମାରିଦେବି-। ଫଳରେ ତା’ର ଓଠ ଦୁଇଟି ଲିପ‌ଷ୍ଟିକ୍‍ ମାରିଲା ଭଳି ରକ୍ତିମ ହୋଇ ଉଠିବ । କିନ୍ତୁ ଆଉ କିଏ ଯଦି ମୋ ବାହୁକୁ ପିନ୍‌ରେ ଫୋଡ଼ିଦିଏ, ତେବେ ମୁଁ ତା’ ଛାତିରେ ଛୁରୀ ଭୁସି ଦେଇ ପାରିବିନି ସତ, ମାତ୍ର ତାକୁ ମୁଁ କେବେ ପିନ୍‍ ଫୋଡ଼ାରୁ ଛୁରୀ ଭୁସିବା ଯାଏ ଅଗ୍ରସର ହେବାକୁ ଦେବି ନାହିଁ ।

 

ଏହା ଶୁଣି ଆଉଜଣେ ଯୁବକ ପ୍ରଶ୍ନ କଲେ–ଡହରାନନ୍ଦଜୀ ! ତା’ ହେଲେ କହନ୍ତୁ–ମୋତେ ଯେ ମୋ ବାମ ଗାଲରେ ଚାପୁଡ଼ା ମାରିଲା–ମୁଁ ତାକୁ ମୋର ଡାହାଣ ଗାଲଟି ପୁନର୍ବାର ଚାପୁଡ଼ା ଖାଇବାକୁ ଦେଖାଇବି କି ନାହିଁ ?

 

ଡହରାନନ୍ଦ ଏଥିରେ ହସି ହସି କହିଲେ–ପରମ କାରୁଣିକ ଈଶ୍ୱରପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନୀତି ନେଇ ଗୋଟିଏ ଜୋକ୍‍ (ପରିହାସ) ଅଛି । ତାହା କହୁଛି ଶୁଣ–ତା’ହେଲେ ସବୁ ବୁଝିପାରିବ ।

 

ଦିନେ ଜଣେ ଖ୍ରୀଷ୍ଟିଆନ ଭଦ୍ରଲୋକ ଗୋଟିଏ ଗ୍ରାମକୁ ଯାଇଥିଲେ । ସେ ଥିଲେ ଯୀଶୁଖ୍ରୀଷ୍ଟଙ୍କର ଜଣେ ପରମ ଭକ୍ତ । ତାଙ୍କର ସରଳତା, ନିରୀହତା, ଓ ଦୀନଦୁଃଖୀଙ୍କ ପ୍ରତି ଦୟା ଓ ସେବାଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍‍ ମାନ୍ୟ କରୁଥିଲେ ଓ ଭଲ ମଧ୍ୟ ପାଉଥିଲେ । କିନ୍ତୁ ଭଗବାନଙ୍କର ମଧ୍ୟ ସଇତାନ ନାମରେ ଜଣେ ଶତ୍ରୁ ଅଛି । ଆମର ଏହି ଖ୍ରୀଷ୍ଟଭକ୍ତ ଦୟାଳୁ ଭଦ୍ରଲୋକଙ୍କର ମଧ୍ୟ ଶତ୍ରୁଙ୍କର ଅଭାବ ନ ଥିଲା ଏବଂ ତାଙ୍କର ମଧ୍ୟ କମ୍‍ ନିନ୍ଦୁକ ନ ଥିଲେ । ଦୁର୍ଯୋଗକୁ ସେହି ଗ୍ରାମରେ ମଧ୍ୟ ତାଙ୍କର ଜଣେ ଘୋର ଈର୍ଷୁକ ନିନ୍ଦୁକ ବ୍ୟକ୍ତି ଥିଲା । ସେ ତାଙ୍କ ଗ୍ରାମରେ ସେହି ଖ୍ରୀଷ୍ଟଭକ୍ତଙ୍କୁ ଦେଖି ଈର୍ଷା ଓ ଅସୂୟାରେ ଖୁବ୍‍ ଉତ୍ତ୍ୟକ୍ତ ହୋଇଉଠିଲା । କାରଣ, ତା’ ଆଖି ଆଗରେ ତା’ର ଗ୍ରାମବାସୀମାନେ ସେହି ଖ୍ରୀଷ୍ଟଭକ୍ତଙ୍କୁ ନମ୍ରଭାବରେ ନମସ୍କାର କରୁଥିଲେ ଓ କେହି କେହି ତାଙ୍କୁ ଆଲିଙ୍ଗନ କରୁଥିଲେ ଓ ଆଉ କେହି ତାଙ୍କର ପାଦଧୂଳି ମଧ୍ୟ ନେଇ ମୁଣ୍ଡରେ ମାରୁଥିଲେ । ଏହା ଦେଖି ସେହି ଅସହିଷ୍ଣୁ ବ୍ୟକ୍ତିଟି ତାଙ୍କ ସମ୍ମୁଖକୁ ଆସି ହଠାତ୍‍ ସେହି ନିରୀହ ସାଧୁ ଖ୍ରୀଷ୍ଟଭକ୍ତଙ୍କ ବାମ ଗାଲରେ କଷିକରି ଗୋଟିଏ ଚାପୁଡ଼ା ମାରିଲା । ଚାପୁଡ଼ାଟି ଖାଇ ସେହି ପରମ ଖ୍ରୀଷ୍ଟଭକ୍ତ ତାଙ୍କର ନୀତି ଅନୁସାରେ ତାକୁ ନିଜର ଡାହାଣ ଗାଲଟି ଦେଖାଇଦେଲେ । ଏହା ଦେଖି ସେହି ଅସହିଷ୍ଣୁ ଅବିଶ୍ୱାସୀ ଲୋକଟା ତାଙ୍କର ଡାହାଣ ଗାଲରେ ମଧ୍ୟ ଆଉ ଗୋଟିଏ ଚଟକଣା କଷିକରି ମାରିଲା । କିନ୍ତୁ ସେହି ଖ୍ରୀଷ୍ଟିଆନ ସାଧୁ ବ୍ୟକ୍ତିଟି ଏହା ପରେ ସେହି ବଦ୍‌ମାସର ବାମଗାଲରେ କଷିକରି ଗୋଟିଏ ଚଟକଣା ଲଗାଇ ଦେଲେ । ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେହି ବଦ୍‌ମାସ ଲୋକଟି ଚିତ୍କାର କରି କହିଲା–ଭାଇମାନେ ! ଏହି ଭଣ୍ଡ ଓ ପ୍ରତାରକ ଖ୍ରୀଷ୍ଟିଆନଟିକୁ ଏଥର ଦେଖ । ସେ ତା’ର ଗୁରୁଙ୍କର ବାକ୍ୟ ଲଂଘନ କରି ମୋତେ ପ୍ରତି–ଆଘାତ କରିଛି ।

 

ଏହା ଶୁଣି ସେହି ସଦାଶୟ ନିରୀହ ଖ୍ରୀଷ୍ଟିଆନ ସାଧୁବ୍ୟକ୍ତିଟି ହସି ଉଠିଲେ ଓ ଜନତା ଉଦ୍ଦେଶ୍ୟରେ ବଡ଼ପାଟିରେ କହିଲେ–ଭାଇମାନେ ! ମୁଁ ପରମକାରୁଣିକ ଈଶ୍ୱରପୁତ୍ର ଯୀଶୁଖ୍ରୀଷ୍ଟଙ୍କ ବାଣୀ ଅକ୍ଷରେ ଅକ୍ଷରେ ପାଳନ କରିଛି । ଏହି ଦୁଷ୍ଟ ମୋର ବାମ ଗାଲରେ ଚଟକଣା ମାରିବାରୁ ମୁଁ ମୋର ଡାହାଣ ଗାଲ ତାକୁ ଦେଖାଇଲି । କିନ୍ତୁ ଏହି ନୃଶଂସ ମୋର ଡାହାଣ ଗାଲରେ ବି ଖୁବ୍‍ ଜୋରରେ ଚପେଟାଘାତ କଲା । ଯୀଶୁଙ୍କ ଆଦେଶ ଅନୁଯାୟୀ ମୋ ମୁହଁରେ ଆଉ ତୃତୀୟ ଗାଲ ନାହିଁ, ଯାହା ମୁଁ ତାକୁ ଦେଖାଇ ପାରନ୍ତି । ବର୍ତ୍ତମାନ ତା’ ମୁହଁରେ ହିଁ ଦୁଇଟିଯାକ ଗାଲ ଅନାଘାତ ଅବସ୍ଥାରେ ଥିଲା । ତେଣୁ ମୁଁ ତା’ର ବାମ ଗାଲଟିକୁ ଇ ଯୀଶୁଖ୍ରୀଷ୍ଟଙ୍କର ଆଦେଶ ପାଳନ ପାଇଁ ପ୍ରଥମେ ବ୍ୟବହାର କଲି । କିନ୍ତୁ ଏ ପାପିଷ୍ଠ ମୋତେ ତା’ର ଡାହାଣ ଗାଲ ନ ଦେଖାଇ–ଓଲଟି ମୋ ବିରୋଧରେ ଆପଣମାନଙ୍କ ଆଗରେ ଅଭିଯୋଗ କରୁଅଛି । ଖ୍ରୀଷ୍ଟିଆନ ସାଧୁଙ୍କ ମୁଖରୁ ଏହା ଶୁଣିବା ମାତ୍ରେ ସମବେତ ଜନତା ଆନନ୍ଦରେ କୋଳାହଳ କରି ଉଠିଲେ ଓ ସମସ୍ତେ ଏକାଥରକେ ତା’ର ଡାହାଣ ଗାଲରେ ଚାପୁଡ଼ା ପରେ ଚାପୁଡ଼ା ମାରି ଲାଗିଲେ ।

 

ଡହରାନନ୍ଦ ଏଇଠାରେ କଥାଟି ଶେଷକରି କହିଲେ–ବାବୁମାନେ ! ଏଥର ତୁମେମାନେ ଏ କ୍ଷେତ୍ରରେ ତୁମର କର୍ତ୍ତବ୍ୟ କ’ଣ ତାହା ନିଜେ ସ୍ଥିର କରିପାରିବ । ନା କ’ଣ ?

☆☆☆

 

ସ୍ଵପ୍ନ ସତ୍ୟ–ନା ବାସ୍ତବ ସତ୍ୟ ?

 

ବାବା ଡହରାନନ୍ଦ ଏହି ପ୍ରସଙ୍ଗଟି ଢେଙ୍କାନାଳ ଠାରୁ ଅନତିଦୂରରେ ଅବସ୍ଥିତ ଜୋରନ୍ଦାଠାରେ କେତେକ ଯୁବଛାତ୍ର ଓ ଯୁବ ଅଧ୍ୟାପକଙ୍କ ସହିତ ଆଲୋଚନା କରିଥିଲେ । ଜୋରନ୍ଦା ହେଲା ମହିମା ଧର୍ମାବଲମ୍ବୀ ବା କୁମ୍ଭୀପଟୁଆମାନଙ୍କ ପାଇଁ ଏକ ପ୍ରଧାନ ତୀର୍ଥକ୍ଷେତ୍ର । ଏଠାରେ ପହଞ୍ଚିଲେ ଶୂନ୍ୟ ଅଲେଖ ବ୍ରହ୍ମବାଦୀ ସ୍ମରଣୀୟ ସିଦ୍ଧପୁରୁଷ ମହିମା ଗୋସାଇଁଙ୍କ ସ୍ମୃତି ଜାଗ୍ରତ ହୁଏ ଏବଂ ତା’ସହିତ ଓଡ଼ିଶାର ସର୍ବାଧୁନିକ ବିପ୍ଳବୀ ସନ୍ଥକବି ଭୀମ ଭୋଇଙ୍କ ଅଲୋକିତ ଭଜନ ଓ କବିତାଗୁଡ଼ିକ ଛାଏଁ ଛାଏଁ ମନେ ପଡ଼ିଯାଏ ।

 

ସନ୍ଧ୍ୟା ପୂର୍ବରୁ ଡହରାନନ୍ଦ ତାଙ୍କର ଯୁବବନ୍ଧୁମାନଙ୍କ ସହିତ ଧୁନୀମନ୍ଦିର ପ୍ରାଙ୍ଗଣରେ ବସି ଗଳ୍ପ ଆଲୋଚନାଦି କରନ୍ତି । ଏଠା ମନ୍ଦିରମାନଙ୍କର ବିଶେଷତ୍ୱ ହେଲା–ମନ୍ଦିରମାନଙ୍କ ଭିତରେ କୌଣସି ଦେବଦେବୀଙ୍କର ମୂର୍ତ୍ତି ନାହିଁ । ମନ୍ଦିର ମାନଙ୍କ ଚୂଡ଼ାରେ ଅସ୍ତସୂର୍ଯ୍ୟଙ୍କ କିରଣ ପତିତ ହୋଇ ଚମତ୍କାର ଭାବ ସୃଷ୍ଟି କରୁଥାଏ । ସମସ୍ତେ କିଛି ସମୟ ନୀରବରେ ବସିଲା ପରେ ଜଣେ ଯୁବ ଅଧ୍ୟାପକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଆମେ ଜାଣୁ–ଆପଣ ଈଶ୍ୱର ବା ଧର୍ମାଦି ବିଷୟରେ କଥା କହିବାକୁ ବିଶେଷ ଆଗ୍ରହ ଦେଖାନ୍ତି ନାହିଁ । କିନ୍ତୁ ଆମେ ଏହା ମଧ୍ୟ ଲକ୍ଷ୍ୟ କରିଛୁ ଯେ, ଆପଣ ନାନାଦି ଧର୍ମ ଓ ଅଧ୍ୟାତ୍ମଗ୍ରନ୍ଥ ସବୁ ଖୁବ୍‍ ମନଧ୍ୟାନ ଦେଇ ପଢ଼ନ୍ତି ଏବଂ ସବୁଧର୍ମର ସାଧୁସନ୍ଥଙ୍କ ପ୍ରତି ମଧ୍ୟ ଆପଣ ଖୁବ୍‍ ଆଗ୍ରହଶୀଳ ହୋଇପଡ଼ନ୍ତି । ଆମେ ଏହା ମଧ୍ୟ ଲକ୍ଷ୍ୟ କରିଛୁ ଯେ, ଆପଣ ଯୋଉଠିକି ଯା’ନ୍ତୁ ନା କାହିଁକି, ସେ ସ୍ଥାନରେ ଯଦି କୌଣସି ଧର୍ମପୀଠ ଥାଏ, ତେବେ ସେଠାକୁ ନ ଯାଇ ଆପଣ ରହି ପାରନ୍ତି ନାହିଁ ଏବଂ ଏଥିରେ ଆପଣ ହିନ୍ଦୁ, ମୁସଲମାନ୍‍, ଖ୍ରୀଷ୍ଟିଆନ୍‍ ଆଦି କୌଣସି ଧର୍ମପୀଠ ପ୍ରତି ପକ୍ଷପାତ ଦେଖାନ୍ତି ନାହିଁ । ଆମପାଇଁ ଏହା ବଡ଼ ରହସ୍ୟମୟ ମନେ ହୁଏ । ଆପଣ କ’ଣ ସତରେ ଜଣେ ନାସ୍ତିକ ? କିମ୍ବା ଆପଣ ଅନ୍ତର ଭିତରେ ଈଶ୍ୱରଙ୍କୁ ଗୋପନରେ ଉପାସନା କରନ୍ତି ଓ ବୁଦ୍ଧଙ୍କ ପରି ବାହାରେ ଏଇସବୁ ଧର୍ମମତ ବା ଈଶ୍ୱରାଦି ସଂପର୍କରେ ସଂପୂର୍ଣ୍ଣ ଉଦାସୀନତା ଦେଖାନ୍ତି ?

 

ଯୁବ ଅଧ୍ୟାପକଙ୍କ ପ୍ରଶ୍ନ ଶୁଣି ଡହରାନନ୍ଦ ସାମାନ୍ୟ ସ୍ମିତହାସ୍ୟ କରି କହିଲେ–

 

ଅସଲ କଥା ହେଲା, ଈଶ୍ୱରଙ୍କ ପ୍ରସଙ୍ଗରେ ମୁଁ ପ୍ରକୃତରେ ଆସ୍ତିକ ନୁହେଁ କି ନାସ୍ତିକ ମଧ୍ୟ ନୁହେଁ । ଈଶ୍ୱରଙ୍କ ସମ୍ବନ୍ଧେ ମୋର କୌଣସି ପ୍ରତ୍ୟକ୍ଷ ଅଭିଜ୍ଞତା ନାହିଁ । ଯେଉଁମାନେ ଈଶ୍ୱର–ପରାୟଣ, ସେମାନଙ୍କର ତାଙ୍କ ଅସ୍ତିତ୍ୱ ସମ୍ବନ୍ଧେ ନିଶ୍ଚୟ ପ୍ରତ୍ୟକ୍ଷ ଅଭିଜ୍ଞତା ଥିବ ଏବଂ ଯେଉଁମାନେ ଈଶ୍ୱର–ବିମୁଖ, ସେମାନଙ୍କର ମଧ୍ୟ ତାଙ୍କ ନାସ୍ତିତ୍ୱ ସମ୍ବନ୍ଧେ ପ୍ରତ୍ୟକ୍ଷ ଅଭିଜ୍ଞତା ଥିବ । ମୋର ଦୁଇପଟୁ ପ୍ରତ୍ୟକ୍ଷ ଅଭିଜ୍ଞତା ନାହିଁ । କିନ୍ତୁ ଈଶ୍ୱରଙ୍କୁ ନେଇ ସତକୁ ସତ ମାତିଥିବା ଲୋକଙ୍କ ପ୍ରତି ବା ଏଇସବୁ ସାଧୁସନ୍ଥଙ୍କ ପ୍ରତି ମୋର ଖୁବ୍‍ ପ୍ରୀତି ଆଉ ସମ୍ମାନ ରହିଛି–ଏପରିକି ପ୍ରଗାଢ଼ ଆକର୍ଷଣ ମଧ୍ୟ ରହିଛି ।

 

ଜଣେ ଯୁବକ ପଚାରିଲେ–କିନ୍ତୁ କାହିଁକି ? ଆପଣ କ’ଣ ଜଣେ ବୈଜ୍ଞାନିକ ଜଣେ ଶିଳ୍ପୀ ବା ଜଣେ କବି ପ୍ରତି ସେହିପରି ପ୍ରୀତି ଆଉ ସମ୍ମାନଜନକ ଆକର୍ଷଣ ଅନୁଭବ କରନ୍ତି ନାହିଁ ।

 

ଡହରାନନ୍ଦ କହିଲେ–ଜଣେ କେବଳ କବିତା ଲେଖିଲେ ବା ଚିତ୍ର ଆଙ୍କିଲେ ବା ଗୀତ ଗାଇଲେ ବା ଜଡ଼ ପ୍ରକୃତିକୁ ବିଶ୍ଳେଷଣ କରି କେତୋଟି ତତ୍ତ୍ୱ ବା ତଥ୍ୟ ଆବିଷ୍କାର କରିଦେଲେ ମୁଁ ତାକୁ କବି ଶିଳ୍ପୀ ବା ବୈଜ୍ଞାନିକ ବୋଲି ସ୍ୱୀକାର କରେ ନାହିଁ । ଯେ କେହି ଆମର ଏହି ସ୍ଥୂଳ ଦୈନନ୍ଦିନ ଜୀବନର ରୁକ୍ଷ କାରବାର ବାହାରେ କୌଣସି ପ୍ରକାର ସ୍ୱପ୍ନକୁ ନେଇ ମାତିଥାଏ ବା ସେହି ସ୍ୱପ୍ନର ବାସ୍ତବତାକୁ ଅନୁଭବ କରୁଥାଏ, ମୁଁ ତାକୁଇ ଯଥାର୍ଥରେ କବି, ବୈଜ୍ଞାନିକ ବା ଶିଳ୍ପୀ ବୋଲି କହିବି । କାରଣ ଏ ପୃଥିବୀର ସବୁପ୍ରାଣଙ୍କ ଭିତରେ ମନୁଷ୍ୟ ହିଁ ପ୍ରକୃତରେ ଏହି ସ୍ୱପ୍ନଜଗତର ରହସ୍ୟକୁ ବୁଝିପାରେ ଓ ତାକୁ ନେଇ ମାତିପାରେ । ଅବଶ୍ୟ ଅଧିକାଂଶ ମଣିଷ ସ୍ୱପ୍ନ ଦେଖନ୍ତି ନାହିଁ । ଦେଖିଲେ ବି ସେଥିରେ ରହି ପାରନ୍ତି ନାହିଁ । ସ୍ୱପ୍ନକୁ ବିଶ୍ଵାସ କରନ୍ତି ନାହିଁ । ଆମ ଭିତରେ ଯେଉଁମାନେ ପ୍ରକୃତରେ ସାଧୁ, ସନ୍ଥ ବା ଯୋଗୀ, ସେମାନେ ଏହି ସ୍ୱପ୍ନକୁ ନେଇ ବଞ୍ଚିଥାନ୍ତି ଓ ମରିଥାନ୍ତି ମଧ୍ୟ । ସେଇଥିପାଇଁ ମୋର ସାଧୁସନ୍ଥଙ୍କ ପ୍ରତି ଏତେ ଆକର୍ଷଣ ।

 

ଏହାଶୁଣି ସେହି ଯୁବକ ପୁଣି ପ୍ରଶ୍ନ କଲେ–ଆପଣ ଆଜି ଅଦ୍ଭୁତ କଥା କହୁଛନ୍ତି । ସ୍ୱପ୍ନ ଏକ ଅବାସ୍ତବ ଅନୁଭୂତି । ସ୍ୱପ୍ନକୁ ନେଇ ଯେଉଁମାନେ ମାତନ୍ତି, ସେମାନେ ପାଗଳ ନୁହନ୍ତି କି ?

 

ଡହରାନନ୍ଦ କହିଲେ–ଅସଲ କଥାଟି ସେଇଠାରେ ଇ ଅଛି । ତୁମେ ଯାହାକୁ ବାସ୍ତବ ବୋଲି କହୁଛ–ଗୋଟିଏ ଦୃଷ୍ଟିରୁ ଦେଖିଲେ ସେ ଦୁଇଟି ଜାକ ବାସ୍ତବ ବା ସେ ଦୁଇଟିଯାକ ମଧ୍ୟ ଅବାସ୍ତବ । ଯେ ନିଦ୍ରା ଓ ଜାଗରଣ ଉଭୟର ବାସ୍ତବତାକୁ ବୁଝିଛି, ସେ ହିଁ ପ୍ରକୃତରେ ବୁଝୁଛି ଯେ, ଉଭୟ ଅବସ୍ଥା ହିଁ ପ୍ରକୃତରେ ସ୍ୱପ୍ନର ଅବସ୍ଥା । ସ୍ୱପ୍ନ ହିଁ ଏକମାତ୍ର ସତ୍ୟ ଓ ବାସ୍ତବତା । ମୁଁ ତୁମକୁ ସେଇ ଚୀନ୍‍ ଦେଶୀୟ ବିଖ୍ୟାତ ସାଧୁଙ୍କ ପ୍ରସଙ୍ଗରେ କଥାଟିଏ କହୁଛି ଶୁଣ–ତୁମ୍ଭମାନଙ୍କର ଏ ସମ୍ବନ୍ଧେ କିଛି ଅଭିଜ୍ଞତା ହୋଇପାରେ....

 

ଚୀନ୍‍ ଦେଶର ସେହି ମହାପ୍ରାଜ୍ଞ ସାଧୁ ଚୁଆଙ୍ଗ୍‍ ସୁ ଦିନେ ଖୁବ୍‍ ସକାଳୁ ଉଠି ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡାକିଲେ । ଶିଷ୍ୟମାନେ ପହୁଞ୍ଚିଲାପରେ ସେ ସେମାନଙ୍କ ଉଦ୍ଦେଶ୍ୟରେ କହିଲେ–ବନ୍ଧୁଗଣ ! ମୁଁ ବର୍ତ୍ତମାନ ଏକ ବିଷମ ସମସ୍ୟାରେ ପଡ଼ିଛି । ତୁମ୍ଭେମାନେ ଏହାର ସମାଧାନ କର ।

 

ଶିଷ୍ୟମାନେ ଗୁରୁଙ୍କ ମୁଖରୁ ଏହି ଅସମ୍ଭବ କଥା ଶୁଣି ପଚାରିଲେ–ଗୁରୁଜୀ ! ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ, ଆପଣ କୌଣସି ବିଷମ ସମସ୍ୟାରେ ପଡ଼ିପାରନ୍ତି । ଆମର ବିଶ୍ଵାସ ଯେ, ଆପଣ ସବୁ ସମସ୍ୟାକୁ ଆପଣଙ୍କ ପ୍ରଜ୍ଞାବଳରେ ପାରି ହୋଇ ଯାଇଛନ୍ତି ।

 

ଚୁଆଙ୍ଗ୍‍ ସୁ କହିଲେ–ମୁଁ ଯେଉଁ ସମସ୍ୟାରେ ପଡ଼ିଛି ତାହା ତୁମ ସାଧାରଣ ଜୀବନର ସମସ୍ୟା ନୁହଁ । କାଲିରାତିରେ ମୁଁ ସ୍ୱପ୍ନ ଦେଖିଲି ଯେ, ମୁଁ ଗୋଟିଏ ସୁନ୍ଦର ପ୍ରଜାପତି ହୋଇ ମହୁଭରା ସୁନ୍ଦର ସୁବାସିତ ଫୁଲମାନଙ୍କ ଉପରେ ଉଡ଼ି ବୁଲୁଛି ଓ ମହୁ ଖାଉଛି ।

 

ଜଣେ ଶିଷ୍ୟ କହିଲେ–ଗୁରୁଜୀ ! ଏଥିରେ କି ବିଚିତ୍ର ସମସ୍ୟା ଅଛି ? ଏଭଳି ଅବାସ୍ତବ ସ୍ୱପ୍ନତ ଆମେ ପ୍ରାୟ ଇ ଦେଖୁ । ମୁଁ ମଧ୍ୟ କାଲିରାତିରେ ସ୍ୱପ୍ନ ଦେଖିଲି ଯେ–ମୁଁ ଏକ ବିଶାଳ ଦେଶର ସମ୍ରାଟ ହୋଇ ସିଂହାସନରେ ବସିଛି ଓ ମୋ ଚାରିପଟେ ବହୁ ରାଜକର୍ମଚାରୀ ବେଢ଼ି ରହିଛନ୍ତି । ଖାଲି ସେତିକି ନୁହଁ ଅସଂଖ୍ୟ ରୂପବତୀ ସ୍ତ୍ରୀ ଲୋକ ମଧ୍ୟ ମୋର ରାଣୀ ହୋଇ ମୋର ସେବା ପରିଚର୍ଯ୍ୟା କରୁଛନ୍ତି । ଜଣେ ସୁନ୍ଦରୀ ରାଣୀଙ୍କୁ କୋଳ କରି ଚୁମା ଦେଲାବେଳେ ଇ ମୋ ନିଦ ଭାଙ୍ଗିଗଲା ଓ ତା’ସହିତ ସ୍ୱପ୍ନ ବି ଭାଙ୍ଗିଗଲା । ମୁଁ ଆବିଷ୍କାର କଲି ଯେ, ସତକୁ ସତ ଆପଣଙ୍କ ଆଶ୍ରମରେ ମୁଁ ଜଣେ ସର୍ବତ୍ୟାଗୀ ଦରିଦ୍ର ଭିକ୍ଷୁ ମାତ୍ର । ଏଥିରେ ଆଉ ଆଶ୍ଚର୍ଯ୍ୟ କ’ଣ ଅଛି ? ସମସ୍ୟା ବି କ’ଣ ରହିଲା ।

 

ଚୁଆଙ୍ଗ୍‍ ସୁ ହସି ହସି କହିଲେ–ତାହା ହିଁ ତ’ ଆଶ୍ଚର୍ଯ୍ୟ ଓ ତାହା ହିଁ ତ’ ସମସ୍ୟା । ପ୍ରଶ୍ନ ହେଉଛି–ବର୍ତ୍ତମାନର ‘ମୁଁ’ ବାସ୍ତବ ନା କାଲିରାତିର ‘ପ୍ରଜାପତି’ ବାସ୍ତବ ? ବର୍ତ୍ତମାନ ମୁଁ ଭାବୁଛି ଯେ ମୁଁ ହେଉଛି ଚୁଆଙ୍ଗ୍‍ ସୁ ଓ ମୁଁ କାଲି ରାତିରେ ଗୋଟିଏ ପ୍ରଜାପତି ହୋଇଥିବାର ସ୍ୱପ୍ନ ଦେଖିଥିଲି । କିନ୍ତୁ ଏକଥା ବି କାହିଁକି ନ ହେବ ଯେ, ମୁଁ ପ୍ରକୃତରେ ଗୋଟିଏ ପ୍ରଜାପତି ବା ତୁମେ ପ୍ରକୃତରେ ଜଣେ ସମ୍ରାଟ କିନ୍ତୁ ସେହି ପ୍ରଜାପତି ବା ସେହି ସମ୍ରାଟଟି ବର୍ତ୍ତମାନ ସ୍ୱପ୍ନ ଦେଖୁଛି ଯେ, ସେ ଜଣେ ଚୁଆଙ୍ଗ୍‍ ସୁ ବା ତାଙ୍କର ଜଣେ ଶିଷ୍ୟ ହୋଇ ଏଇ ଆଶ୍ରମରେ ରହିଛି ଓ ଏପରି କଥାବାର୍ତ୍ତା କରୁଛି ।

 

ଶିଷ୍ୟମାନେ ଏହାଶୁଣି ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଗଲେ । ଜଣେ ଶିଷ୍ୟ ବିବ୍ରତ ହୋଇ ପ୍ରଶ୍ନ କଲେ–ଗୁରୁଜୀ ! ଆପଣ ଆମକୁ ଯୋଉ ପରିସ୍ଥିତିରେ ପକାଇଲେଣି, ଆମର ଆଶଙ୍କା ହେଲାଣି ଯେ, ଆମେ ଅତଃପର ସମସ୍ତ ପାଗଳ ହୋଇଯିବା ଓ ଏହି ଆଧ୍ୟାତ୍ମିକ ଆଶ୍ରମଟି ଗୋଟିଏ ପାଗଳ ଗାରଦରେ ପରିଣତ ହୋଇଯିବ ।

 

ଚୁଆଙ୍ଗ୍‍ ସୁ ଏଥର ଖୁବ୍‍ ହସିଲେ । ତା’ପରେ କହିଲେ–ବତ୍ସ ! ତୁମେ ଯଦି ପ୍ରକୃତରେ ସତ୍ୟକୁ ଖୋଜୁଥାଅ ତା’ହେଲେ ତୁମର ଏଇ ତଥାକଥିତ ସୁସ୍ଥ ଓ ଯାନ୍ତ୍ରିକ ମସ୍ତିଷ୍କ ନେଇ ତୁମେ ଯଥାର୍ଥ ସତ୍ୟକୁ ଉପଲବ୍ଧି କରିପାରିବ ନାହିଁ । କାରଣ ତୁମପରି କୋଟି କୋଟି ଲୋକ ତୁମର ତଥାକଥିତ ଏହି ସୁସ୍ଥ ବାସ୍ତବ ବୁଦ୍ଧିସଂପନ୍ନ ଯାନ୍ତ୍ରିକ ମସ୍ତିଷ୍କଟି ନେଇ ଆହାର, ନିଦ୍ରା, ଭୟ ଓ ମୈଥୁନାଦିରେ ବଞ୍ଚିଛନ୍ତି ଓ ସେ ମସ୍ତିଷ୍କ ପ୍ରସୂତ ଚିନ୍ତାଭାବନା ଦ୍ୱାରା ସାମାନ୍ୟ ଉନ୍ନତ ଧରଣର ପ୍ରାଣୀ–ଜୀବନ ବଞ୍ଚୁଛନ୍ତି ।କିନ୍ତୁ ତୁମେ ଯଦି ପ୍ରକୃତରେ ସତ୍ୟ କ’ଣ ଜାଣିବାକୁ ଚାହଁ ତେବେ ତୁମର ଏହି ଯାନ୍ତ୍ରିକ–ମସ୍ତିଷ୍କଟି ସାମାନ୍ୟ ଗୋଳମାଳ ହେବା ଉଚିତ ଏବଂ ତୁମେ ସାମାନ୍ୟ ପାଗଳ ହେବା ମଧ୍ୟ ଉଚିତ । କାରଣ ଯଥାର୍ଥ ସତ୍ୟଦ୍ରଷ୍ଟା ଜଣେ ସାମାନ୍ୟ ପାଗଳ ଲୋକ । କାରଣ ସେ ସ୍ୱପ୍ନ ଦେଖେ ଓ ସ୍ୱପ୍ନର ଇ ଦୁଇଟି ବିଭିନ୍ନ ଅବସ୍ଥା ବୋଲି ନିଜ ଅଭିଜ୍ଞତାରେ ବୁଝିଥାଏ । ତେଣୁ ବତ୍ସଗଣ-! ମୋ ଇଚ୍ଛା–ତୁମେମାନେ ସାମାନ୍ୟ ପାଗଳ ହୁଅ । ତୁମେ ଯଦି ସାମାନ୍ୟ ପାଗଳ ହେବାକୁ ଡରିବ–ତେବେ ଦେଖାଯିବ ଯେ ତୁମେ ଦିନେ ପୁରା ପାଗଳ ହୋଇଯାଇଛ । ତୁମେ ଯଦି କେବଳ ଜାଗରଣର ଅଭିଜ୍ଞତାକୁ ବାସ୍ତବ ବୋଲି ଭାବିବ ଏବଂ ସ୍ୱପ୍ନର ଅଭିଜ୍ଞତାକୁ ଅବାସ୍ତବ ବୋଲି ଭାବିବା–କିମ୍ବା ତୁମେ ଆଦୌ ସ୍ୱପ୍ନ ଦେଖୁ ନଥିବ ଯଦି–ତେବେ ଜୀବନର ଚାପ ତୁମକୁ ପେଷିଦେବ ଓ ତୁମେ ସଂପୂର୍ଣ୍ଣ ପାଗଳ ହୋଇଯିବ । ଏକଥା ମନେରଖ ଯେ, ସତ୍ୟ କେବଳ ସ୍ୱପ୍ନ ଭିତରେ ଇ ପ୍ରତ୍ୟକ୍ଷ ହୁଏ । ଯେଉଁମାନେ ଭଲ ସ୍ୱପ୍ନ ଦେଖିପାରନ୍ତି, ସେହିମାନେ ଇ ଭଗବାନ କିମ୍ବା ତାଙ୍କ ଶତ୍ରୁ ସଇତାନକୁ ସେଇ ସ୍ୱପ୍ନରେ ଇ ପ୍ରତ୍ୟକ୍ଷ କରି ପାରନ୍ତି । ସେହି ସ୍ୱପ୍ନ ଭିତରେ ଇ ମଣିଷ ସତ୍ୟ ଓ ମିଥ୍ୟା କ’ଣ, ତାହା ସଂପୂର୍ଣ୍ଣ ଭାବେ ଜାଣିପାରେ ।...

 

ଡହରାନନ୍ଦ ସେଦିନ ସଂଧ୍ୟାରେ ଏହିଠାରେ ଇ ତାଙ୍କର ବକ୍ତବ୍ୟ ଶେଷ କଲେ ଏ ସେହି ଶାନ୍ତ ନୀରବ ପବିତ୍ର ପରିବେଶରେ କିଛି ସମୟ ଚୁପ୍‌ଚାପ ବସି ରହିବାକୁ ଯୁବକମାନଙ୍କୁ ନିର୍ଦ୍ଦେଶ ଦେଲେ ।

☆☆☆

 

ନଦୀକୁ ପଚାର, ପାହାଡ଼କୁ ପଚାର

 

ନିମ୍ନଲିଖିତ ଆଲୋଚନାଟି ବାବା ଡହରାନନ୍ଦ ଅନେକ ଦିନ ତଳେ ମୋ ସହିତ କରିଥିଲେ । ଅବଶ୍ୟ ଏହି ଆଲୋଚନାବେଳେ ମୋ ସହିତ ମୋର ଆଉ ଦୁଇଜଣ ବନ୍ଧୁ ମଧ୍ୟ ଥିଲେ-। ସେତେବେଳେ ମୁଁ ଥିଲି ଅନ୍ୟ ପାଞ୍ଚଜଣ ଉଚ୍ଚଶିକ୍ଷିତ ଯୁବକମାନଙ୍କ ଭଳି ଜଣେ ସାଧାରଣ ଯୁବକ-। ମୋର ପାଠପଢ଼ା ଶେଷ ହୋଇଯାଇଥାଏ । ମାତ୍ର କୌଣସି ବୃତ୍ତି ବା ଧନ୍ଦାରେ ନ ପଶି ମୁଁ ବେକାର ହୋଇ ବୁଲୁଥାଏ । ଯଦିଓ ମୁଁ ଥିଲି ଜଣେ ସାଧାରଣ ଉଚ୍ଚଶିକ୍ଷିତ ବେକାର ଯୁବକ–ତଥାପି ମୋର ମନ ଭିତରେ ନାନାଦି ଅସାଧାରଣ ସ୍ୱପ୍ନ, ଜିଜ୍ଞାସା ଓ ଏଣୁତେଣୁ କଳ୍ପନା ତରଙ୍ଗ ସବୁବେଳେ ସୃଷ୍ଟି ହେଉଥାଏ । ଯଦିଓ ମୁଁ ସେତେବେଳକୁ ସଂସାର କ୍ଷେତ୍ରରେ ପ୍ରବେଶ କରି ନଥାଏ ଓ ସଂସାର–ବୃକ୍ଷର ବିଷ ଓ ଅମୃତ ଫଳଗୁଡ଼ିକର ସ୍ୱାଦ କି ବିସ୍ଵାଦ ଚାଖି ନଥାଏ–ତଥାପି ମୋର ମନ ଭିତରେ ସଂସାର ପ୍ରତି କିପରି ଗୋଟେ ବିମୁଖତାର ଭାବ ଆସୁଥାଏ । ମଣିଷ ଜୀବନ ଉପରେ ବା ଏଇ ପୃଥିବୀ ଉପରେ ମୋର କୌଣସି ଆସ୍ଥା ଆସୁ ନ ଥାଏ । ମତେ ଲାଗୁଥାଏ ସବୁ କିଛି ଏ ପୃଥିବୀରେ ଅସ୍ଥିର ଓ ନିରର୍ଥକ । ଏଠି ସବୁକିଛି କାଳର ଅଧୀନ ଓ ପ୍ରବହମାନ କାଳ ଏଠି ସବୁକିଛିକୁ ଭସାଇ ନେଉଛି । ଆମ ସମସ୍ତଙ୍କର ଅତୀତ କାଳ ସ୍ରୋତରେ ଭାସି ଯାଇଛି-। ବର୍ତ୍ତମାନଟି ମଧ୍ୟ କୌଣସି ବିନ୍ଦୁରେ ସ୍ଥିର ହୋଇ ରହୁନାହିଁ ଏବଂ ଭବିଷ୍ୟତ ମଧ୍ୟ ଘୋର ଅନିଶ୍ଚିତ । ଆମ ଜୀବନରେ ସତ୍ୟ କ’ଣ ତାହା ଆମକୁ କେହି ବତାଇ ଦେଇପାରିବେ ନାହିଁ । ଆମେ ମଧ୍ୟ କେବେ ବି ସତ୍ୟକୁ ଠିକ୍‍ ଭାବେ ବୁଝିପାରିବୁ ନାହିଁ । ତେଣୁ ମଣିଷ ଜୀବନ ଉପରେ ଏତେ ଗୁରୁତ୍ୱ ଦେବାର ବା କ’ଣ ଅଛି ?

 

ମୋର ଯେତେବେଳେ ମାନସିକ ଅବସ୍ଥା ଏଇପରି ଥିଲା–ସେତିକିବେଳେ ବାବା ଡହରାନନ୍ଦଙ୍କ ସହିତ ମୋର ସଂଯୋଗ ଘଟିଥିଲା । ନାନା କଥା ପଡ଼ୁ ପଡ଼ୁ ମୁଁ ସେଦିନ ତାଙ୍କୁ ପଚାରିଦେଲି–ଡହରାନନ୍ଦଜୀ ! ମୋତେ ଏ ଜୀବନ କିଛି ଭଲଲାଗୁ ନାହିଁ । ଯଦି ଏଠି ସବୁକିଛି କାଳସ୍ରୋତରେ ଭାସି ଯାଉଛି–ତେବେ ଏ ଜୀବନରେ ସ୍ଥାୟୀ ସତ୍ୟ ବୋଲି ଭଲା କ’ଣ ଅଛି ? ଯଦି ତାହା ନାହିଁ–ତେବେ ଏ ଜୀବନକୁ ଏତେ ଗୁରୁତ୍ୱ ଦିଆଯିବ କାହିଁକି ? ଜଣେ ତା’ ଜୀବନକୁ ନେଇ ଯାହା ଇଚ୍ଛା ତାହା କରିପାରେ । ଏପରିକି ଜଣେ ତା’ ଜୀବନକୁ ଶେଷ କରିଦେଲେ ବି କ୍ଷତି କ’ଣ !

 

ଡହରାନନ୍ଦ ମୋ କଥା ଶୁଣି ସାମାନ୍ୟ ହସିଲେ । କିନ୍ତୁ ଠିକ୍‍ ପରେ ପରେ ଗମ୍ଭୀର ହୋଇ ଯାଇ କହିଲେ–

 

ମୋ ମତରେ ଅବଶ୍ୟ ଜଣେ ତା’ ଜୀବନକୁ ନେଇ ମୁକ୍ତ ଭାବେ ବଞ୍ଚିପାରେ ଅଥବା ମରିପାରେ । କିନ୍ତୁ ଜୀବନର ସବୁକିଛି କାଳସ୍ରୋତରେ ଭାସିଯାଉଛି ବୋଲି ଏଠି ଆମର ସବୁକିଛି ନିରର୍ଥକ–ତାହା କହିହେବ ନାହିଁ । କୌଣସି କଥାର ଅର୍ଥ ତା’ର ରହିବା ବା ଯିବା ଉପରେ କେବେ ନିର୍ଭର କରେନାହିଁ । ଏ ସଂସାରରେ ସବୁକିଛି ଯଦି କାଳସ୍ରୋତରେ ଭାସି ନ ଯାଇ–ସେହିପରି ସବୁ ଦିନ ପାହାଡ଼ ଭଳି ସ୍ଥିର ହୋଇ ରହିଥାନ୍ତା–ତା’ହେଲେ ଯେ ସେଥିରୁ ଗୋଟାଏ ଚମତ୍କାର ଅର୍ଥ ବାହାରିପଡ଼ନ୍ତା, ତାହା ମଧ୍ୟ କେବେ ନୁହେଁ । ଅସଲ କଥା ହେଉଛି ଯେଉଁ ମଣିଷଟି ଏ ଜୀବନକୁ ସତକୁ ସତ ବଞ୍ଚୁଛି–ତା’ରି ପାଖରେ ଏକା ଏ ଜୀବନ ତା’ର ଅର୍ଥ ଖୋଲି ଧରିବ । ବହି ଯାଉଥିବା ନଈଟିରେ ଯେ ସ୍ରୋତ ମୁହଁରେ ଭାସି ଚାଲିଛି ବା ଡଙ୍ଗାରେ ବସି ଭାସି ଚାଲିଛି ତା’ ପାଖରେ ନଈଟି ଅର୍ଥପୂର୍ଣ୍ଣ ମନେହେବ । ସେହିପରି ସ୍ଥିର ଅଟଳ ପାହାଡ଼ଟି ଉପରେ ମଧ୍ୟ ଯେ ଅଟଳ ଭାବେ ସ୍ଥିର ଭାବେ ଧ୍ୟାନସ୍ଥ ହୋଇ ବସିରହିଛି ତା’ରି ପାଖରେ କେବଳ ପାହାଡ଼ଟି ତା’ର ଅର୍ଥ ଖୋଲି ଧରିବ । ଯେ ନଦୀସ୍ରୋତରେ ପଡ଼ୁନାହିଁ ବା ପାହାଡ଼ ଉପରେ ବସୁନାହିଁ–ତାକୁ ଅସ୍ଥିର ନଈ ବା ସ୍ଥିର ପାହାଡ଼ ଜୀବନର କି ଅର୍ଥ ବୁଝାଇବେ ? ଜୀବନ ଏଠି ସର୍ବଦା ଦୁଇଟି ପରସ୍ପର ବିପରୀତ ଅର୍ଥକୁ ନେଇ ରହୁଛି ଓ ବହୁଛି । ଯେ ଏହି ଜୀବନକୁ ଯଥାର୍ଥରେ ବଞ୍ଚୁଛି ସେହି କେବଳ ବୁଝିପାରିବ ଯେ ସେ ଗୋଟିଏ ମୁହୂର୍ତ୍ତରେ ଏକାବେଳକେ ସ୍ଥିର ହୋଇ ରହିଛି ଓ ବହି ମଧ୍ୟ ଯାଉଛି । ତୁମେ ନିଜେ ସ୍ଥିର ନ ରହିଲେ କୌଣସି ଜିନିଷ ବହି ଯାଉଥିବାର ଦେଖିପାରିବ ନାହିଁ କି ବୁଝିପାରିବ ନାହିଁ । ସେହିପରି ତୁମେ ନିଜେ ବହି ନଗଲେ କୌଣସି ଜିନିଷ ସ୍ଥିର ଅଛି ବୋଲି ଜାଣିପାରିବ ନାହିଁ କି ବୁଝିପାରିବ ନାହିଁ । ତୁମଭଳି ମଣିଷର ସମସ୍ୟା ହେଲା–ତୁମେ ସତକୁ ସତ ଜୀବନକୁ ବଞ୍ଚିବା ଲାଗି ପ୍ରସ୍ତୁତ ହେଉ ନାହିଁ । ଜୀବନ ପ୍ରତି ତୁମ ମନରେ ରହିଛି ଭୟ ଓ କୁଣ୍ଠା । ତୁମେ ଜୀବନକୁ ଏକ ଆହ୍ୱାନ ରୂପେ ନ ନେଇ ତୁମେ ଜୀବନକୁ ଏକ ଅଳସ ଭାବନାର ବିଷୟ ରୂପେ ନେଉଛ ଓ ଯାହା ଇଚ୍ଛା ଭାବି ଚାଲିଛି ।

 

ଡହରାନନ୍ଦଙ୍କ ମୁହଁରୁ ଏତିକି ଶୁଣି ମୁଁ ଟିକିଏ ଅପ୍ରତିଭ ହୋଇପଡ଼ିଲି । କିନ୍ତୁ ସାହସ ଧରି ପଚାରିଲି–ମହାଶୟ ! ଜୀବନର ସତ୍ୟକୁ ନବୁଝି ଜଣେ କିପରି ଭଲା ସତକୁ ସତ ଜୀବନକୁ ବଞ୍ଚିପାରିବ ? ତା’ହେଲେ, ଅଜ୍ଞାନ ଭଳି ବଞ୍ଚିବାଟାକୁ କ’ଣ ଆପଣ ସତକୁ ସତ ବଞ୍ଚିବା ବୋଲି କହୁଛନ୍ତି ? ସେମିତି ଅଜ୍ଞାନ ଜୀବନ ତ’ କୋଟି କୋଟି ମଣିଷ ବଞ୍ଚୁଛନ୍ତି । ଆପଣ ସ୍ପଷ୍ଟ ଭାବେ ଜୀବନର ସତ୍ୟଟି କ’ଣ, ତାହା ଗୋଟିଏ ବାକ୍ୟରେ ବୁଝାଇ ଦିଅନ୍ତୁ ।

 

ଡହରାନନ୍ଦଜୀ ଏଥର ଖୁବ୍‍ ଜୋରରେ ହସି ଉଠିଲେ । ତାଙ୍କ ମୁହଁରେ ଏକ ଚପଳ ସରସତା ଖେଳିଗଲା । ସେ ମୋ କାନ୍ଧରେ ହାତ ପକାଇ କହିଲେ–ବୁଝିଲ ବନ୍ଧୁ ! ଜୀବନର ଅର୍ଥ କ’ଣ ମୁଁ ନିଜେ ତାହା ଗୋଟିଏ ବାକ୍ୟରେ ବୁଝିନାହିଁ । କାରଣ ଗୋଟିଏ ବାକ୍ୟ କହିସାରିବା ମାତ୍ରେ ତାହା ଦ୍ଵିତୀୟ ବାକ୍ୟକୁ ଡାକି ଆଣିବ । ଏଇମିତି ଅସରନ୍ତି ବାକ୍ୟର ସ୍ରୋତ ଚାଲିଥିବ–କିନ୍ତୁ ଜୀବନର ଅର୍ଥ ଧରାପଡ଼ିବ ନାହିଁ । ତେବେ ଏ ସମ୍ବନ୍ଧେ ମୁଁ ଗପଟିଏ ଜାଣିଛି । ତାହା କହୁଛି ଶୁଣ-

 

ଚୀନ୍‍ ଦେଶରେ ଜେନ୍‍ ଧର୍ମର ଜଣେ ଋଷି ଥିଲେ । ସେ ଥିଲେ ମହାଜ୍ଞାନୀ । ସେ ସର୍ବଦା ଗୋଟିଏ ପାହାଡ଼ ଉପରେ ବସି ରହୁଥିଲେ ଏବଂ ତାଙ୍କ ପାଖରୁ ଜୀବନର ତତ୍ତ୍ୱଜ୍ଞାନ ପାଇବାପାଇଁ ବହୁ କଷ୍ଟକରି ଜନପଦମାନଙ୍କରୁ ଜିଜ୍ଞାସୁମାନେ ତାଙ୍କ ନିକଟରେ ଆସି ସମବେତ ହେଉଥିଲେ । ସେହି ଋଷିଙ୍କ ନାମ ରିଂଜାଇ । ଦିନେ ଜଣେ ଯୁବକ ରାଜଧାନୀ ପେକିଙ୍ଗ୍‌ରୁ ବହୁକଷ୍ଟରେ ତାଙ୍କ ପାଖକୁ ଆସି ପ୍ରଣିପାତ ପୂର୍ବକ ପ୍ରଶ୍ନକଲେ–ମହାଭାଗ ! ମୁଁ ଜୀବନର ସତ୍ୟ କ’ଣ ତାହା ଖୋଜି ବୁଲୁଛି । ବହୁ ସ୍ଥାନକୁ ଯାଇ ବହୁ ମୁନି ଋଷି ସାଧୁ ସନ୍ଥଙ୍କୁ ପଚାରି ସାରିଲିଣି । କିନ୍ତୁ ମତେ କାହାର ଉତ୍ତର ଠିକ୍‌ ବୋଲି ମନେ ହେଉନାହିଁ । ଆପଣ ମତେ କହନ୍ତୁ–ଜୀବନର ସତ୍ୟ କ’ଣ ?

 

ରିଂଜାଇ କହିଲେ–ଜୀବନର ସତ୍ୟ କ’ଣ–ଏକଥା ବର୍ତ୍ତମାନ ପାଇଁ ଥାଉ । ତୁମେ ପେକିଙ୍ଗ୍‌ରୁ ଆସିଛ । ମତେ କୁହ–ବର୍ତ୍ତମାନ ପେକିଙ୍ଗ୍‌ରେ ଧାନ ଦର କେତେ ? ଅଫିମ ସୁଲଭ ମୂଲ୍ୟରେ ମିଳୁଛି କି ନାହିଁ ? ପେକିଙ୍ଗ୍‌ରେ ବର୍ତ୍ତମାନ ମୂଷା ଓ ବେଙ୍ଗ ମାଂସ ପ୍ରଚୁର ମିଳୁଛି କି ? ତୁମ ବାପାଙ୍କର କେତୋଟି ସୁନ୍ଦରୀ ଯୁବତୀ ରକ୍ଷିତା ଅଛନ୍ତି ? ଏବଂ ତୁମେ ମଧ୍ୟ କେତୋଟି ସୁନ୍ଦରୀ ଯୁବତୀଙ୍କୁ ରକ୍ଷିତା କରି ରଖିଛ ?

 

ପ୍ରଖ୍ୟାତ ଋଷି ରିଂଜାଇଙ୍କ ମୁଖରୁ ଏଇସବୁ କୁତ୍ସିତ ପାର୍ଥିବ ପ୍ରଶ୍ନ ଶୁଣି ଯୁବକଟି ମନେ ମନେ ରୁକ୍ଷ ହୋଇ ଉଠିଲେ । କିନ୍ତୁ ଖୁବ୍‍ ବିନୀତ ଭାବରେ କହିଲେ, ହେ ମହାତ୍ମା ! ଆପଣଙ୍କ ଭଳି ଜଣେ ପ୍ରଖ୍ୟାତ ସାଧୁଙ୍କ ମୁହଁରୁ ମୁଁ ଜୀବନର ସତ୍ୟ କ’ଣ ତାହା ବୁଝିବାକୁ ଆସିଥିଲି । ମାତ୍ର ଆପଣଙ୍କ ତୁଣ୍ଡରୁ ଏହି ସବୁ କୁତ୍ସିତ ପାର୍ଥିବ କୌତୁହଳପୂର୍ଣ୍ଣ ପ୍ରଶ୍ନ ଶୁଣି ମତେ ବଡ଼ କଷ୍ଟ ଲାଗୁଛି । ହେ ମହାତ୍ମା ! ଏଇ ସବୁ କୁତ୍ସିତ ବିଷୟ ସହିତ ଆପଣଙ୍କର ଆଉ କି ସମ୍ପର୍କ ଥାଇପାରେ ?

 

ସନ୍ଥ ଶିରୋମଣି ରିଂଜାଇ ହସି ହସି ଉତ୍ତର ଦେଲେ–ହେ ଯୁବକ ! ଯେଉଁମାନେ ସତକୁ ସତ ଜୀବନର ଅର୍ଥ ଖୋଜନ୍ତି–ସେମାନଙ୍କୁ ସେହିସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବାକୁ ପଡ଼ିବ । କାରଣ ସେସବୁ ବିଷୟରେ ଉତ୍ତର ଜାଣି ନଥିଲେ ଜଣେ ସତ୍ୟ କ’ଣ ତାହା ସମ୍ପୂର୍ଣ୍ଣଭାବେ ଜାଣି ପାରିବ ନାହିଁ । ଏବେ ମୋର ପ୍ରଶ୍ନଗୁଡ଼ିକର ଉତ୍ତର ଶୀଘ୍ର ଦିଅ; ନତୁବା ଏ ସ୍ଥାନ ଶୀଘ୍ର ପରିତ୍ୟାଗ କର ।

 

ଏହା ଶୁଣି ଯୁବକଟି ମହାତ୍ମା ରିଂଜାଇଙ୍କ ଉତ୍‌ଫୁଲ୍ଲ ମୁହଁକୁ ଚାହିଁ କିଞ୍ଚିତ ବିଷାଦଭରା ସ୍ୱରରେ କହିଲେ ହେ ମହାତ୍ମା ! ଦୟାକରି ଆଉ ସେହିସବୁ ପ୍ରଶ୍ନର ଉତ୍ତର ମୋଠାରୁ ଦାବି କରନ୍ତୁ ନାହିଁ । କାରଣ ମୁଁ ସେସବୁ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି । ମୋର ଆଉ ଅତୀତ କଥା ମନେ ପଡ଼ୁ ନାହିଁ । ଯୋଉ ବାଟସବୁ ଦେଇ ମୁଁ ଆପଣଙ୍କ ପାଖକୁ ଛୁଟି ଆସିଛି–ସେସବୁ ବାଟ ମଧ୍ୟ ମୋର ଆଉ ମନେ ନାହିଁ । ମୁଁ ଯେ ଏଠାରୁ ସମତଳ ଅଞ୍ଚଳକୁ ଫେରିଯାଇପାରିବ ସେ ସମ୍ଭାବନା ମଧ୍ୟ ମତେ ଆଉ ଦିଶୁନାହିଁ । ସେସବୁ ମୋ ପାଇଁ ଅତୀତ ହୋଇଯାଇଛି । ମୋ ସ୍ମୃତିରେ ଅତୀତ ବୋଲି ଆଉ କିଛି ନାହିଁ ।

 

ଏହା ଶୁଣି ମହାତ୍ମା ରିଂଜାଇ ସାମାନ୍ୟ ଗମ୍ଭୀର ହୋଇଗଲେ । କିନ୍ତୁ କ୍ଷଣକ ପରେ ତାଙ୍କ ମୁହଁରେ ହଠାତ୍‍ ପୁଣି ଥରେ ହସର ବିଜୁଳି ଝଲମଲ କରି ଉଠିଲା । ସେ ହସି ହସି ପ୍ରଶ୍ନ କଲେ–ଠିକ୍‍ ଅଛି ଯୁବକ । ମୁଁ ଆଉ ତୁମକୁ ତୁମର ଛାଡ଼ି ଆସିଥିବା ବିଷୟ ସମ୍ବନ୍ଧେ ପଚାରିବି ନାହିଁ । କିନ୍ତୁ ଏବେ ମତେ କହ–ମୋଠାରୁ ଜୀବନର ସତ୍ୟ କ’ଣ ତାହା ଜାଣିବା ପରେ ତୁମେ ତାକୁ ନେଇ ଭବିଷ୍ୟତରେ କିଭଳି ଜୀବନ ବଞ୍ଚିବ ବୋଲି ଭାବୁଛ–ସେ କଥା ମତେ ସ୍ଥିର କରି କୁହ ।

 

ଯୁବକଟି ଏଥର ପ୍ରାୟ କାନ୍ଦ କାନ୍ଦ ହୋଇ କହି ଉଠିଲେ–ହେ ମହାତ୍ମା ! ମୋତେ ଆଉ ଏଣୁ ତେଣୁ ପଚାରି ବିବ୍ରତ କରନ୍ତୁ ନାହିଁ । ମୋର ଅତୀତ ନାହିଁ । ସେହିପରି ମଧ୍ୟ ମୋର ଭବିଷ୍ୟତ ନାହିଁ । ମୁଁ କେବେ କିଛି କରିଥିଲି ବୋଲି ମୋର–ମନେ ପଡ଼ୁନାହିଁ । ସେହିପରି ମୁଁ କେବେ କିଛି କରିବି ବୋଲି ମଧ୍ୟ ମୋର ମନ କିଛି ଭାବିପାରୁ ନାହିଁ । ମୋର କେବଳ ଏଇ ଗୋଟିଏ ବୋଧ ରହିଛି ତାହା ହେଲା–ମୁଁ ଏଇ ପାହାଡ଼ ଉପରେ ବର୍ତ୍ତମାନ ଅଛି–ଆପଣ ମୋ ଆଗରେ ବସିଛନ୍ତି ଓ ମୁଁ ଆପଣଙ୍କୁ ଜୀବନର ସତ୍ୟ କ’ଣ ତାହା ପଚାରୁଛି । ଏବେ ଦୟାକରି ମୋର ଏଇମାତ୍ର ପ୍ରଶ୍ନଟିର ଉତ୍ତର ଗୋଟିଏ ବାକ୍ୟରେ କହି ଦିଅନ୍ତୁ ।

 

ମହାତ୍ମା ରିଂଜାଇ ଏଥର ଯୁବକଟିର ପିଠିକୁ ଥପୁଡ଼ାଇ କହିଲେ–ସାବାସ୍‍ ଯୁବକ । ତୁମେ ହିଁ ଜୀବନର ସତ୍ୟ କ’ଣ ତାହା ବୁଝିବା ଲାଗି ଯୋଗ୍ୟତା ଅର୍ଜନ କରିଛ । କିନ୍ତୁ ତୁମେ ଆଉ ମୋତେ ଏ ପ୍ରଶ୍ନ ନପଚାରି ଏଣିକି ଏଇ ପାହାଡ଼କୁ ପଚାର ଓ ପାହାଡ଼ତଳେ ବହିଯାଉଥିବା ଏଇ ନଈଟିକୁ ମଧ୍ୟ ପଚାର । ସେମାନେ ତୁମକୁ ନିଶ୍ଚୟ ଜୀବନର ସତ୍ୟ କ’ଣ ତାହା ଗୋଟିଏ ବାକ୍ୟରେ କହିଦେବେ । କାରଣ ମୁଁ ନିଜେ ମଧ୍ୟ ଏହି ପାହାଡ଼ ଓ ଏଇ ନଦୀଠାରୁ ଜୀବନର ସତ୍ୟ ବୁଝିଛି । କୌଣସି ସାଧୁ ମହାତ୍ମା ବା ମୁନିଋଷି ମୋତେ ଜୀବନର ସତ୍ୟ କ’ଣ ତାହା ବୁଝାଇ ଦେଇ ପାରିନାହାନ୍ତି ।

 

...ଡହରାନନ୍ଦ ତାଙ୍କ କଥାଟିକୁ ଏହିଠାରେ ଶେଷକରି ମୋ ଆଡ଼କୁ କୌତୁହଳପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ ।

☆☆☆

 

ଉଚ୍ଚାକାଂକ୍ଷାର ଉତ୍‌ଥାନ ଓ ପତନ

 

ବାବା ଡହରାନନ୍ଦ କିଛି ଦିନପାଇଁ କଟକରେ ରହୁଥିଲା ବେଳେ ପ୍ରତିଦିନ କେତେକ ପୋଷ୍ଟ ଗ୍ରାଜୁଏଟ୍‍ ଛାତ୍ର ତାଙ୍କ ପାଖକୁ ନିୟମିତଭାବେ ଆସୁଥିଲେ ଓ ନାନାଦି ବିଷୟରେ ଗୁରୁ ଲଘୁ ଆଲୋଚନାରେ ସଂଧ୍ୟା ସମୟଟି କଟାଉ ଥିଲେ । ସେତେବେଳେ ଡହରାନନ୍ଦ ରହୁଥିଲେ କାଣ୍ଟନମେଣ୍ଟ ରୋଡ଼୍‌ରେ; ତାଙ୍କର ବଡ଼ ଝିଅ ପାଖରେ । ତେଣୁ ସେହି ଯୁବକମାନେ ଓ ଡହରାନନ୍ଦ ମହାନଦୀର ଗଡ଼ଗଡ଼ିଆ ଘାଟରେ ଯାଇ ସନ୍ଧ୍ୟା ପୂର୍ବରୁ ରାତି ପହରକ ଯାଏ ବସୁଥିଲେ । ଶରତ ଋତୁ–ଚନ୍ଦ୍ର ପକ୍ଷ । ମହାନଦୀର ଦିଗନ୍ତବିସ୍ତାରୀ ନୀଳ ଦର୍ପଣ ଭଳି ନିର୍ମଳ ଜଳରାଶି । ଶୀତଳ ସ୍ନିଗ୍‌ଧ ପରିବେଶ । ତେଣୁ ଆଲୋଚନାଗୁଡ଼ିକ ଖୁବ୍‍ ଜୀବନ୍ତ ଓ ଉପଭୋଗ୍ୟ ହେଉଥିଲା । ଦିନେ ଆଧୁନିକ ଯୁଗର ମଣିଷମାନଙ୍କ ଗତି ଓ ପ୍ରକୃତି ବିଷୟରେ ଆଲୋଚନା ହେଲାବେଳେ ଜଣେ ଯୁବକ କଥା ମଝିରେ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଆପଣ ଯେପରି ଭାବେ ଆଧୁନିକ ଓ ଆଧୁନିକ ମଣିଷର ପ୍ରକୃତି ଓ ବିବୃତି ଉପରେ ବିଶ୍ଳେଷଣ କରି କଥା କହୁଛନ୍ତି–ସେ ସବୁ ଆମକୁ ଖୁବ୍‍ ଭଲଲାଗୁଛି । ଗତକାଲି ସନ୍ଧ୍ୟାରେ ଆପଣ ଆମକୁ କହିଲେ ଯେ, ଆଧୁନିକ ଯୁଗର ମଣିଷ ସବୁବେଳେ ବ୍ୟସ୍ତ ଓ ତ୍ରସ୍ତ ହୋଇ ରହୁଛି । ଆଧୁନିକ ମଣିଷ ତା’ଜୀବନରେ କେବଳ ଉତ୍ତେଜନାକୁ ନେଇ ବଞ୍ଚୁଛି । ଆନନ୍ଦଉଲ୍ଲାସ କ’ଣ ତାକୁ ଜଣା ନାହିଁ । ପ୍ରଶାନ୍ତି କ’ଣ ତାକୁ ଜଣା ନାହିଁ । ସେ ବିଶ୍ରାମ ନେଇ ଜାଣେ ନାହିଁ । ବିଶ୍ରାମ ମଧ୍ୟ ପାଇପାରେ ନାହିଁ । ବିଶ୍ରାମ କଲାବେଳେ ବି ତା’ର ମନ ଦ୍ରୁତ ଗତିରେ ମେସିନ୍‍ ଭଳି ବୁଲୁଥାଏ ଓ ତା’ର ଛାତି ନାନା ଅଜଣା ଆଶଙ୍କାରେ ଦପ୍‍ ଦପ୍‍ ପଡ଼ୁଥାଏ ଉଠୁଥାଏ । ଡହରାନନ୍ଦଜୀ ! ଏ କଥା ନିଶ୍ଚୟ ସତ୍ୟ । ମାତ୍ର ଆପଣ କ’ଣ ଏଥିପାଇଁ ଆଧୁନିକ ମଣିଷଟିକୁ ଦୋଷ ଦେବେ ? ପୂର୍ବେ ମଣିଷଟିଏ କେବଳ ଖାଇପିଇ ବଞ୍ଚି ରହିବାକୁ ବିଶେଷ କିଛି ବ୍ୟସ୍ତ ହେବା ଦରକାର ପଡ଼ୁ ନ ଥିଲା । ମାତ୍ର କେବଳ ଖାଇପିଇ ବଞ୍ଚିରହିବାକୁ ଆଧୁନିକ ମଣିଷଟିକୁ ପ୍ରାଣାନ୍ତକ ହେବାକୁ ପଡ଼ୁଛି ।

 

ଏହା ଶୁଣି ଡହରାନନ୍ଦ କହିଲେ–ତୁମେ ଯାହା କହୁଛ ତାହା ଆଂଶିକ ଭାବେ ସତ୍ୟ । କାରଣ ଅଧିକ ଜନସଂଖ୍ୟା ବଢ଼ୁଥିବା ଦେଶରେ ଅବଶ୍ୟ ଏ ସମସ୍ୟାଟି ରହିଛି । କିନ୍ତୁ କଥା କେବଳ ସେଇଠି ନାହିଁ । ଆଧୁନିକ ମଣିଷ ବର୍ତ୍ତମାନ ଗୋଟିଏ ମାତ୍ର ମନସ୍ତାତ୍ତ୍ଵିକ ଓ ଆଧ୍ୟାତ୍ମିକ ରୋଗ ଭୋଗୁଛି । ତାହା ହେଲା ଦୁର୍ବାର ଉଚ୍ଚାକାଙ୍‌କ୍ଷା ଓ ଅଦମ୍ୟ ଅସଂଯତ ଭୋଗ ଲାଳସା । ଆଧୁନିକ ମଣିଷଟିଏ ପ୍ରକୃତରେ ଶାନ୍ତି ଓ ଆନନ୍ଦ ଚାହୁଁ ନାହିଁ । ସେ ଚାହୁଁଛି ସେ କ’ଣ ଗୋଟାଏ ଓ କିଛି ଗୋଟିଏ ହୋଇଯିବ–ଏବଂ ସାରା ପୃଥିବୀଟା ତା’ର ଅଧିକାରକୁ ଆସିଯିବ । ସେ ଚାହୁଁଛି–ସମସ୍ତଙ୍କଠାରୁ ସେ ଡେଙ୍ଗା ଦିଶିବ । ତା’ ସ୍ୱର ସବୁରି ସ୍ୱରକୁ ଚପାଇ ଦେବ । ଏ ଜଗତରେ ସବୁ ଭଲ ଜିନିଷ ତା’ ଘରକୁ ଆସିଯିବ । ସେ ସବୁ କିଛି ଭୋଗ କରିଯିବ ଓ ଅନ୍ୟମାନଙ୍କୁ ପଛକୁ ଠେଲି ଆଗକୁ ଚାଲିଯିବ । ସେ ନିଜ ଛଡ଼ା ଆଉ କାହାକୁ ଚାହୁଁ ନାହିଁ । ସାରା ପୃଥିବୀର ଜନସମାଜ ଲୋପ ପାଇଗଲେ ତା’ର କିଛି ଶୋଚନା ନାହିଁ । କିନ୍ତୁ ସେ ତା’ର ସମାଜକୁ ଖାତିର କରୁଛି–କାହିଁକି ନା ସମାଜ ଥିଲେ ତ’ ସେ ତା’ ଉପରେ ପ୍ରଭୁତ୍ୱ କରିବାର ସୁଯୋଗ ପାଇବ ! ସମାଜ ଥିଲେ ତ’ ତାକୁ ଭୋଗ୍ୟ ପଦାର୍ଥ ଯୋଗାଇବ ! ସେଇଥିପାଇଁ ମଣିଷ ଆଜି ବେଶି ସମାଜ ସମାଜ ହେଉଛି । କିନ୍ତୁ ଅସଲ କଥା ହେଲା ଆଧୁନିକ ମଣିଷ ସମାଜଟିଏ ଚାହୁଁଛି । ତା’ର ନିଜର ଅହଙ୍କାରୀ ବ୍ୟକ୍ତିତ୍ୱଟିକୁ ସାମାଜିକ ଅହଙ୍କାରୀ ବ୍ୟକ୍ତିତ୍ୱ ଉପରେ ଚାପିଦେଇ ସେଇ ବୃହତ୍ତର ଅହଙ୍କାରଟିର ଅଧିକାରୀ ହେବାକୁ । ଏଇଥିପାଇଁ ଏତେ ପ୍ରତିଦ୍ଵନ୍ଦିତା ଓ ଏଇଥିପାଇଁ ତୁମମାନଙ୍କର ଏତେ ବ୍ୟସ୍ତତା ଓ ଏତେ ତ୍ରସ୍ତତା ମଧ୍ୟ ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଏହି ବ୍ୟସ୍ତତା କ’ଣ ଆଗକାଳରେ ନ ଥିଲା ? ଆଜି କ’ଣ କେବଳ ମଣିଷ ଏମିତି ବ୍ୟସ୍ତ ଓ କ୍ଷିପ୍ର ହୋଇଉଠିଛି ?

 

ଡହରାନନ୍ଦ କହିଲେ–ନା, ନା ଏହିପରି ବ୍ୟସ୍ତତା ଆଗେ ମଧ୍ୟ ଥିଲା । ମଣିଷର ପ୍ରକୃତି ଭିତରେ ଏପରି କିଛି ଅଛି ଯାହାକି ତାକୁ ଏହି ବ୍ୟସ୍ତତାର ବିବୃତ୍ତି ଭିତରେ ପକାଇଦିଏ । କିନ୍ତୁ ଆଗକାଳ ଏ ବର୍ତ୍ତମାନ କାଳ ଭିତରେ ଏତିକି ପାର୍ଥକ୍ୟ ଯେ, ଆଗେ ଜଣେ ଜଣେ ଉଚ୍ଚାକାଙ୍‌କ୍ଷୀ ପାଗଳଙ୍କ କ୍ଷେତ୍ରରେ ଏହି ବ୍ୟସ୍ତତାର ରୋଗ ଦେଖାଯାଉଥିଲା । ମାତ୍ର ଏବେ ଗଣତନ୍ତ୍ର ଓ ସମାଜବାଦୀ ଯୁଗରେ ସର୍ବସାଧାରଣ ମଣିଷ ବି ଏହି ଦୁର୍ବାର ଉଚ୍ଚାକାଙ୍‌କ୍ଷା ଓ ଅସଂଯତ କାମନା ପ୍ରସୂତ ମନସ୍ତାତ୍ତ୍ଵିକ ରୋଗଟିକୁ ଭୋଗୁଛନ୍ତି । ପୂର୍ବକାଳରେ ଏହି ଭଳି ଲୋକଟିକୁ ଆମେ ଦିଗ୍‌ବିଜୟୀ ବୀର ପୁରୁଷ ରୂପେ ବହୁ ମାନ୍ୟତା ଦେଇ ଆସିଛୁ । ଆଲେକ୍‌ଜାଣ୍ଡାର, ମାମୁଦ, ତୈମୁରଲଙ୍ଗ, ଚେଙ୍ଗିଜ୍‍ ଖାଁ ପ୍ରଭୃତି ଐତିହାସିକ ବୀର ପୁରୁଷମାନେ ଏହି ରୋଗର ଜ୍ୱଳନ୍ତ ଉଦାହରଣ । ମୁଁ ବର୍ତ୍ତମାନ କାହାଣୀଟିଏ କହୁଛି ଶୁଣ–ସବୁ ବୁଝିପାରିବ ।

 

...ତୁମେମାନେ ଦିଗ୍‌ବିଜୟୀ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାର ଦି ଗ୍ରେଟ୍‌ଙ୍କ ନାମ ଶୁଣିଛ । ସେହି ଦୁର୍ବାର ଉଚ୍ଚାକାଙ୍‌କ୍ଷା ରୋଗଗ୍ରସ୍ତ ଯୁଦ୍ଧ ପାଗଳ ଆଲେକ୍‌ଜାଣ୍ଡାର ଯେତେବେଳେ ସମଗ୍ର ଏସିଆ ଓ ୟୁରୋପ ଜୟ କରିସାରି ଶେଷରେ ଭାରତବର୍ଷକୁ ଜୟ କରିବାକୁ ବାହାରିଲେ–ସେତେବେଳେ ବାଟରେ ତାଙ୍କର ଦେଖାହେଲା ସେହି ବିଖ୍ୟାତ ଦାର୍ଶନିକ ଓ ସନ୍ଥ ପୁରୁଷ ଡାଇଓଜିନିସ୍‌ଙ୍କ ସହିତ । ଡାଇଓଜିନିସ୍ ତାଙ୍କୁ ପ୍ରଶ୍ନ କଲେ–ତୁମେ ଏବେ ଏତେ ସୈନ୍ୟସାମନ୍ତ ଧରି କୁଆଡ଼େ ବାହାରିଲ ? ମୁଁ ଯାଉଛି ପ୍ରଥମେ ଏସିଆ ମାଇନର ଅଞ୍ଚଳକୁ ଯୁଦ୍ଧରେ ଜିଣି ଦଖଲ କରିବି-। ଡାଇଓଜିନିସ୍‍ ପୁନଶ୍ଚ ପଚାରିଲେ–ତାକୁ ଜିଣି ଦଖଲ କଲାପରେ ପୁଣି ତୁମେ କ’ଣ କରିବ-? ଆଲେକ୍‌ଜାଣ୍ଡାର ଉତ୍ତର ଦେଲେ–ତା’ ପରେ ମୁଁ ସେହି ସୁନାର ଦେଶ ଭାରତବର୍ଷକୁ ଜୟ କରିବି । ଡାଇଓଜିନିସ୍‍ ପୁନଶ୍ଚ ପ୍ରଶ୍ନ କଲେ–ତା’ପରେ ତୁମେ କ’ଣ କରିବ ? ଆଲେକ୍‌ଜାଣ୍ଡାର କହିଲେ–ତା’ପରେ ମୁଁ ବିଶ୍ୱ ବିଜୟୀ ରୂପେ ପରିଗଣିତ ହେବି ଓ ସାରା ବିଶ୍ୱ ମୋର ଅଧିକାରକୁ ଆସିଯିବ-

 

ଡାଇଓଜିନିସ୍‍ ସେତେବେଳେ ଉଲଗ୍ନ ହୋଇ ଗୋଟିଏ ନଦୀର ବାଲୁକା ଶଯ୍ୟା ଉପରକୁ ମୁହଁ କରି ଶୋଇଥିଲେ ଓ ତାଙ୍କ ଉପରେ ପଡ଼ୁଥିବା କୋମଳ ସ୍ୱର୍ଣ୍ଣଭ ସୂର୍ଯ୍ୟକିରଣକୁ ଉପଭୋଗ କରୁଥିଲେ । ସେହିପରି ସହଜ ଅବସ୍ଥାରେ ଥାଇ ସେ ପୁନଶ୍ଚ ପ୍ରଶ୍ନ କଲେ–ଆଲେକଜାଣ୍ଡାର ! ସମଗ୍ର ବିଶ୍ୱର ସମ୍ରାଟ ହେଲାପରେ ପୁଣି ତୁମେ କ’ଣ କରିବ ବୋଲି ଭାବୁଛ ? ଆଲେକ୍‌ଜାଣ୍ଡାର ସ୍ମିତହାସ୍ୟ କରି ଉତ୍ତର ଦେଲେ । ତା’ପରେ ମୁଁ ସମ୍ପୂର୍ଣ୍ଣ ବିଶ୍ରାମ ନେବି ଓ ଶାନ୍ତିରେ ଅବଶିଷ୍ଟ ଜୀବନ ବିତାଇବି ।

 

ଏହା ଶୁଣି ଡାଇଓଜିନିସ୍‍ ହୋ ହୋ କରି ଅଟ୍ଟହାସ୍ୟ କରି ଉଠିଲେ ଏବଂ ତାଙ୍କ ପାଖରେ ଶୋଇ ଲାଞ୍ଜ ହଲାଉଥିବା ତାଙ୍କ ପୋଷାକୁକୁରଟିକୁ ପାଖକୁ ଡାକିଲେ । କୁକୁରଟି ତାଙ୍କ ପାଖକୁ ଆସିଲା ମାତ୍ରେ–ତାକୁ ଲକ୍ଷ୍ୟ କରି ଡାଇଓଜିନିସ୍‍ କହିଲେ–ହେ ମୋର ପ୍ରିୟତମ ବୁଦ୍ଧିମାନ କୁକୁର ! ତୁ ଏବେ ଏହି ପାଗଳ ରାଜା ଯାହା କହିଗଲେ ଶୁଣିଲୁ ତ ? ଏହି ଅଧିକାର ଲୋଭି ଉଦଗ୍ର ଉଚ୍ଚାକାଙ୍‌କ୍ଷୀ ଯୁଦ୍ଧ ପାଗଳ ଲୋକଟି କହୁଛି ଯେ ସେ ବିଶ୍ୱକୁ ଜୟ କରି ସାରିଲେ ଯାଇ ସଂପୂର୍ଣ୍ଣ ବିଶ୍ରାମ ନେବ ଓ ପରମଶାନ୍ତି ଉପଭୋଗ କରିବ କିନ୍ତୁ ଏହି ମୂର୍ଖ ରାଜା ବୁଝିପାରୁ ନାହିଁ ଯେ, ସାରା ବିଶ୍ୱକୁ ଜୟ ନ କରି ମଧ୍ୟ ଆମ୍ଭେ ଦୁହେଁ ଏଇ କୋମଳ ନଈ ବାଲି ଉପରେ କୋମଳ ସୂର୍ଯ୍ୟାଲୋକ ଉପଭୋଗ କରୁଛୁ ଓ ପରମ ବିଶ୍ରାମ ଓ ପ୍ରଶାନ୍ତି ମଧ୍ୟ ଉପଭୋଗ କରୁଛୁ ।

 

ଏହାପରେ ଡାଇଓଜିନିସ୍‍ ଆଲେକଜାଣ୍ଡାରଙ୍କ ଉଦ୍ଦେଶ୍ୟରେ କହିଲେ–ହେ ମୂର୍ଖ ରାଜା ! ଯଦି ବିଶ୍ରାମ ଓ ପରମ ଶାନ୍ତି ଆନନ୍ଦ ତୁମର ପ୍ରକୃତ ଲକ୍ଷ୍ୟ ହୋଇଥାଏ–ତେବେ ତୁମେ ଏହିକ୍ଷଣି ଏହି ମୁହୂର୍ତ୍ତରେ ହିଁ ଏହିସବୁ ସୈନ୍ୟସାମନ୍ତଙ୍କୁ ବିଦାୟ ଦିଅ–ପୃଥିବୀ ଜୟ କରିବାର ଉଚ୍ଚାକାଙ୍‌କ୍ଷା ମଧ୍ୟ ପରିତ୍ୟାଗ କର ଏବଂ ମୁଁ ଓ ମୋର ଏହି ବୁଦ୍ଧିମାନ ପ୍ରିୟ ପୋଷା କୁକୁରଟି ସହିତ ଯୋଗ ଦେଇ ଆମମାନଙ୍କ ପରି ଏହି ନଦୀର ବାଲୁକା ଶଯ୍ୟାରେ ଚିତ୍‍ ହୋଇ ପଡ଼ିଯାଅ । ଏହି ସ୍ଥାନଟି ଖୁବ୍‍ ସୁନ୍ଦର ଓ ଶାନ୍ତିପ୍ରଦ ଏବଂ ତୁମପାଇଁ ମଧ୍ୟ ଏଠି ଯଥେଷ୍ଟ ସ୍ଥାନ ଅଛି । ଯଦି ଶାନ୍ତି, ବିଶ୍ରାମ ଓ ଆନନ୍ଦ ତୁମର ପ୍ରକୃତ ଶେଷ ଲକ୍ଷ୍ୟ ହୋଇଥାଏ–ତେବେ ଏଇ ମୁହୂର୍ତ୍ତରେ ଆମମାନଙ୍କ ସହିତ ଯୋଗ ନ ଦେଇ କାହିଁକି ତୁମେ ବୃଥାଟାରେ ଏତେ ଜନଜୀବନ ନଷ୍ଟ କରୁଛ ଓ ନିଜେ ଏତେ ବ୍ୟସ୍ତ ବିବ୍ରତ ଓ ବିକଳ ହୋଇ ମରୁଛ ?

 

ଏହା ଶୁଣି ଆଲେକଜାଣ୍ଡାର ସାମାନ୍ୟ ଅପ୍ରତିଭ ହୋଇ କହିଲେ–ହେ ମହାତ୍ମା ! ଆପଣ ଯାହା କହିଲେ ତାହା ସତ; ମାତ୍ର ମୁଁ ଯେତେବେଳେ ଏହି ଯୁଦ୍ଧଯାତ୍ରା ମୂଳରୁ ଆରମ୍ଭ କରିସାରିଛି–ମୋତେ ଶେଷ ପର୍ଯ୍ୟନ୍ତ ଯିବାକୁ ହିଁ ହେବ । ଅଧାବାଟରୁ ମୁଁ କିପରି ଫେରି ଯାଇ ପାରିବି ! ଆପଣ ମୋପାଇଁ ଅପେକ୍ଷା କରିଥାନ୍ତୁ । ମୁଁ ପୃଥିବୀ ଜୟ କରି ସାରି ନିଶ୍ଚୟ ଆପଣଙ୍କ ପାଖକୁ ଶେଷରେ ଫେରିଆସିବି । ଏହା ଶୁଣି ଡାଇଓଜିନିସ୍‍ ଉଚ୍ଚ ସ୍ୱରରେ ହସି ହସି କହିଲେ–ହେ ପାଗଳରାଜା ! ତୁମକୁ ଅଧବାଟରେ ହିଁ ଅଟକି ଯିବାକୁ ହେବ । ଅଧାବାଟରେ ହିଁ ତୁମେ ଥକି ପଡ଼ିବ ଓ ପରମ ଶାନ୍ତି, ଆନନ୍ଦ ଓ ବିଶ୍ରାମ ତୁମେ ଜୀବନରେ ଥାଇ ଲାଭ କରିପାରିବ ନାହିଁ । ମୃତ୍ୟୁରେହିଁ ତୁମେ ତାହା ପାଇପାର । ଆଲେକ୍‌ଜାଣ୍ଡାର ଏହା ଶୁଣି ଆଉ କିଛି ଉତ୍ତର ନ ଦେଇ ତାଙ୍କର ଯୁଦ୍ଧଯାତ୍ରା ଆରମ୍ଭ କରିଦେଲେ ଏବଂ ତୁମେମାନେ ତ’ ଜାଣ–ତାଙ୍କର ବିଶ୍ୱ ବିଜୟୀ ହେବାର ଉଚ୍ଚାକାଙ୍‌କ୍ଷା ପୂରଣ ହୋଇ ନ ଥିଲା । ସେ ଭାରତବର୍ଷକୁ ଜୟ କରିବା ପୂର୍ବରୁ ହିଁ ବେବିଲୋନ୍‌ଠାରେ ଅଣନିଃଶ୍ଵାସୀ ହୋଇ ପ୍ରାଣତ୍ୟାଗ କରିଥିଲେ ।

 

କଥାଟି ଏଇଠାରେ ଶେଷ କରି ଡହରାନନ୍ଦ ସାମାନ୍ୟ ହସି କହିଲେ–ବୁଝିଲ ବତ୍ସମାନେ-! ଆମ୍ଭମାନଙ୍କର ଉଚ୍ଚାକାଙ୍‌କ୍ଷାଗ୍ରସ୍ତ ଏହି ବ୍ୟସ୍ତତ୍ରସ୍ତ ଆଧୁନିକ ଯୁଗଟି ମଧ୍ୟ ଦିନେ ଏମିତି ଅଧାବାଟରେ ଅଣନିଃଶ୍ଵାସୀ ହୋଇ ଶେଷ ପାଇଯିବ । ତା’ପରେ ହୁଏତ ଆଉ ଗୋଟିଏ ଭଲ ଯୁଗ ଆସିବ–ଯେଉଁ ଯୁଗର ମଣିଷମାନେ ମଣିଷ ପ୍ରକୃତିର ଏହି ମହାବିକୃତିଟିକୁ ଭଲ ଭାବେ ବୁଝି ସାରିଥିବେ ।

☆☆☆

 

ନୃଶଂସ ରାଜା ଓ ହସୁକୁରା ସାଧୁ ସଂପାଦ

 

ସେହି କଟକ ସହରର କାଣ୍ଟନମେଣ୍ଟ ରୋଡ଼ରେ ବାବା ଡହରାନନ୍ଦ ତାଙ୍କ ବଡ଼ଝିଅ ଘରେ ଅବସ୍ଥାନ କରୁଥିଲାବେଳେ ଆଉ ଦିନକର ସନ୍ଧ୍ୟା ପୂର୍ବର ସେହି ଯୁବକମାନେ ଡହରାନନ୍ଦଙ୍କୁ ଘେରି ମହାନଦୀ କୂଳର ଗଡ଼ଗଡ଼ିଆ ଘାଟରେ ବସିଲେ । ଶାରଦୀୟ ପରିବେଶଟି ଥିଲା ଯେପରି ନିର୍ମଳ ସେହିପରି ଶୀତଳ ଓ ସଜୀବ । କିଛି ସମୟ ନୀରବରେ କଟିଗଲା ପରେ ପୂର୍ବଦିନର ଆଲୋଚନାରୁ ଖିଅଟିଏ ବାହାରକରି ଜଣେ ଯୁବକ ପ୍ରଶ୍ନକଲେ–

 

ଡହରାନନ୍ଦଜୀ ! କାଲି ଆପଣ କହିଲେ ଯେ ଆମର ଏହି ଆଧୁନିକ ଯୁଗଟି ଯେପରି ବ୍ୟସ୍ତ ସେହିପରି ବିବ୍ରତ ଓ ତା’ଠାରୁ ଅଧିକ ଭାବେ ତ୍ରସ୍ତ । ଆଧୁନିକ ଯୁଗର ବ୍ୟସ୍ତତା କଥା ଆମେ ବୁଝିପାରିଲୁ । କିନ୍ତୁ ଆଧୁନିକ ଯୁଗର ତ୍ରସ୍ତତା କ’ଣ ଓ ତାହା କେଉଁ କାରଣରୁ ହେଉଛି–ଦୟାକରି ଆମକୁ ବୁଝାଇ ଦିଅନ୍ତୁ । ପ୍ରଶ୍ନଟି ଶୁଣି ଡହରାନନ୍ଦ ହସି ହସି କହିଲେ–ବ୍ୟସ୍ତତା ଯେଉଁଠି ତ୍ରସ୍ତତା ମଧ୍ୟ ସେଇଠି । ତ୍ରସ୍ତତା ମାନେ ହେଲା ସର୍ବଦା ଭୟ ଓ ଆଶଙ୍କା ଭିତରେ ରହିବା । ସର୍ବଦା ଉଦ୍‌ବେଗ ଭିତରେ ରହିବା । ଯୋଉ ସମାଜରେ ମଣିଷଟିଏ ଅନ୍ୟ ମଣିଷଟିକୁ ତା’ର ପ୍ରତିନ୍ଦ୍ଵନ୍ଦୀ ବୋଲି ଭାବୁଛି–ସେଠାରେ ଏହି ଭୟ, ଆଶଙ୍କା ରହିବ ଇ ରହିବ । କାରଣ ମନରେ ପ୍ରତିନ୍ଦ୍ଵନ୍ଦୀଭାବ ଥିବା ଯୋଗୁଁ ସମସ୍ତେ ସମସ୍ତଙ୍କଠାରୁ ବିପଦ ମଧ୍ୟ ଆଶଙ୍କା କରୁଛନ୍ତି । ସତକୁ ସତ ମଧ୍ୟ ଆମେ ଅନ୍ୟ ବ୍ୟକ୍ତିଟିର ବିପଦର କାରଣ ହୋଇଉଠୁଛୁ । ଆମ ସାଙ୍ଗରେ ଦଉଡ଼ୁଥିବା ଲୋକଟିକୁ ଆମେ ପଛକୁ ଠେଲିଦେବୁ ବୋଲି ତା’ର ଆଶଙ୍କା । ଆମର ମଧ୍ୟ ତା’ ପ୍ରତି ସେହି ଆଶଙ୍କା । ଆଧୁନିକ ମଣିଷର କର୍ମକ୍ଷେତ୍ରର ପରିସର ବଢ଼ିଗଲାଣି । ଲୋକସଂଖ୍ୟା ମଧ୍ୟ ଆଶଙ୍କିତଭାବେ ବଢ଼ିଗଲାଣି । ତେଣୁ ପ୍ରତିଟି ମଣିଷ ତା’ର ପଡ଼ୋଶୀ ମଣିଷକୁ ବା ତା’ର ସହାଯାତ୍ରୀଟିକୁ ଅଜଣା ମଣିଷ ବୋଲି ଭାବୁଛି । ଏବଂ ତା’ଠାରୁ ମଧ୍ୟ ସେହିପରି ଅଜଣା ବିପଦର ଆଶଙ୍କା କରୁଛି । ସେଥିଲାଗି–ବର୍ତ୍ତମାନର ମଣିଷ ସବୁବେଳେ ଏକ ତ୍ରସ୍ତ ଜୀବନ ବଞ୍ଚୁଛି ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନକଲେ–ମହାଶୟ ! ପୂର୍ବକାଳରେ କ’ଣ ମଣିଷ ଖୁବ୍‍ ନିର୍ଭୟ ଥିଲା ? ନିଃଶଙ୍କ ଥିଲା ?

 

ଡହରାନନ୍ଦ କହିଲେ–ନା, ନା–ମୁଁ ପୂର୍ବଯୁଗକୁ କେବେ ବି ସୁବର୍ଣ୍ଣଯୁଗ ବୋଲି ଭାବେ ନାହିଁ । ଭୟ ମଧ୍ୟ ମଣିଷ ପ୍ରକୃତିର ଏକ ପ୍ରବୃତ୍ତି ଓ ଏହା ତା’ର ସହଜାତ । କିନ୍ତୁ ଆଧୁନିକ ମଣିଷ କେବଳ ଭୟ ଭୋଗନାହିଁ । ସେ ଏକ କଳ୍ପିତ ଅଜଣା ଆଶଙ୍କାରେ ସର୍ବଦା ତ୍ରସ୍ତ । ଏଇ ଆଶଙ୍କା ହେଲା–ମଣିଷ ମନର ଏକ ଆଧ୍ୟାତ୍ମିକ ବିକୃତି । ମଣିଷ ହୃଦୟରୁ ପ୍ରେମଭାବ ଓ ବିଶ୍ୱାସଭାବ କଟିଗଲେ ଏହି ଆଶଙ୍କା ବିକୃତଟି ଆସିଯାଏ । ତୁମେମାନେ ବର୍ତ୍ତମାନ ଯେଉଁଠି ବସିଛ–ସେଠି ହୁଏତ ହଜାରେ ବର୍ଷତଳେ ବା ଦୁଇହଜାର ବର୍ଷ ତଳେ ଏକ ଘନଅରଣ୍ୟ ଥିଲା ଏବଂ ସେଥିରେ ମାଳ ମାଳ ବାଘଭାଲୁ ଥିଲେ । ମଣିଷ କିନ୍ତୁ ସେମାନଙ୍କୁ ଜାଣିଥିଲା ଏବଂ ଯଦିଓ ସେହି ହିଂସ୍ରପ୍ରାଣୀଙ୍କୁ ମଣିଷ ଭୟ କରୁଥିଲା ତଥାପି ସେମାନଙ୍କ ପ୍ରତି ମଣିଷର କୌଣସି ଆଶଙ୍କା ନ ଥିଲା-। ସେଥିପାଇଁ ନିଆଁ ହୁଳା ବା ଅସ୍ତ୍ରଶସ୍ତ୍ର ଧରି ଅନ୍ଧାର ରାତିରେ ବି ମଣିଷ ଜଙ୍ଗଲ ପାରିହେଉଥିଲା କିନ୍ତୁ ବର୍ତ୍ତମାନ ? ତୁମେ ଏହି ମହା ଆଡ଼ମ୍ବରପୂର୍ଣ୍ଣ ସଭ୍ୟ ସହରରେ ରାତି ଆଠଟାରେ ବି ଘରୁ ବାହାରି ରାସ୍ତାରେ ବୁଲି ପାରିବ ନାହିଁ । କାରଣ ତୁମପାଇଁ ଏଠି ପ୍ରତି ଗଳିକନ୍ଦିରେ ଅଜଣା ଆଶଙ୍କା ସବୁ ରହିଛି । ମଣିଷଟିଏ କେତେବେଳେ ଅନ୍ୟ ମଣିଷର କ’ଣ କ୍ଷତି କରିବ ତାହା କେହି ଆଗରୁ ଜାଣିପାରିବ ନାହିଁ । ତୁମେ ଟ୍ରେନ୍‌ରେ ଯାଉଛ, କେତେବେଳେ କୋଉଠି କୋଉଁ କାରଣରୁ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହେବ ତାହା ତୁମକୁ ଜଣାନାହିଁ । ବ୍ୟାଙ୍କରୁ ଟଙ୍କାଧରି ଫେରିଲାବେଳେ ଦିନ ଦି’ପହରରେ ପୋଲିସ ଓ ଅନ୍ୟ ଲୋକମାନଙ୍କ ଆଗରେ କେତେବେଳେ କିଏ କେଉଁଠୁ ଆସି ତୁମ ଛାତିରେ ଛୁରୀ ଭୁସିଦେଇ ତୁମଠୁ ଟଙ୍କା ଛଡ଼ାଇ ନେବ ତାହା ତୁମକୁ ଜଣାନାହିଁ । ହୋଟେଲରେ ବା ବନ୍ଧୁର ପୁଅ ବାହାଘର ଭୋଜିରେ ଖାଉ ଖାଉ କିପରି ଯେ ତୁମେ ବିଷାକ୍ତ ଖାଦ୍ୟର ପ୍ରତିକ୍ରିୟାରେ ମରିବ–ତାହା ମଧ୍ୟ ତୁମକୁ ଜଣାନାହିଁ । ବାଟରେ କାହାଠାରୁ ପାଣି ଗ୍ଳାସେ ମାଗି ପିଉ ପିଉ ତୁମେ ଯେ ସେଇଠି ହଠାତ୍‍ ମୂର୍ଚ୍ଛା ହୋଇ ନ ପଡ଼ିବ ତା’ର କିଛି ଠିକଣା ନାହିଁ । ସେଇଥିପାଇଁ କହୁଛି ତୁମର ଏ ଯୁଗ ହେଲା ତ୍ରସ୍ତତା ଓ ଆଶଙ୍କାର ଯୁଗ । ଏଠି ଆମେ ସମସ୍ତେ ଏକ ଅଜଣା ଆଶଙ୍କାରେ କଂପୁଛୁ ଓ ଆମ ଛାତି ସବୁବେଳେ ଧଡ଼ପଡ଼ ହେବା ଅବସ୍ଥାରେ ଅଛି ।

 

ଏତିକି ଶୁଣିବା ପରେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ତାହାହେଲେ କ’ଣ ଏଇ ଆଶଙ୍କାଗ୍ରସ୍ତ ତ୍ରସ୍ତ ଭାବରୁ ଆମର ଆଉ ମୁକ୍ତି ନାହିଁ ? କିପରି ଭଲା ଆମେ ଏ ଯୁଗରେ ଏକ ନିଃସଙ୍ଗ ଜୀବନ ବଞ୍ଚିପାରିବୁ ?

 

ଡହରାନନ୍ଦ କହିଲେ–ଏ ଯୁଗରେ ଭୟଆଶଙ୍କା ଶୂନ୍ୟ ଓ ଉଦ୍‌ବେଗହୀନ ଜୀବନଟିଏ ବଞ୍ଚିବା ନିଶ୍ଚୟ ଖୁବ୍‍ ଦୁଃସାଧ୍ୟ ବ୍ୟାପାର । କିନ୍ତୁ ମୁଁ ତୁମକୁ କାହାଣୀଟିଏ କହୁଛି ଶୁଣ । ଯଦି ସେଥିରୁ ତୁମକୁ କିଛି ଉପାୟ ମିଳିଯାଏ !

 

ଗୋଟିଏ ରାଜ୍ୟରେ ଜଣେ ସାଧୁ ଥିଲେ । ସେ ରାଜଧାନୀ ଉପକଣ୍ଠରେ ଗୋଟିଏ ବିଶାଳ ବଟବୃକ୍ଷତଳେ ମଣ୍ଡପଟିଏ କରି ତା’ଉପରେ ରହୁଥିଲେ । ତାଙ୍କର ନାମ ଥିଲା ସ୍ୱାମୀ ପରିହାସାନନ୍ଦ । ସେ ହାସ୍ୟରସମାର୍ଗରେ ସାଧନା କରି ସିଦ୍ଧ ହୋଇଥିଲେ । ସେ ସର୍ବଦା ହସୁଥାନ୍ତି-। ଏପରି କି ଗାଢ଼ନିଦ୍ରାରେ ଶୋଇ ଥିଲାବେଳେ ବି ସେ ମଧ୍ୟେ ମଧ୍ୟେ ହସୁଥାନ୍ତି । ତାଙ୍କର ଦର୍ଶନ ଥିଲା–ଭଗବାନ ସ୍ୱୟଂ ପରମ ହାସ୍ୟରସିକ ଓ ଏ ସୃଷ୍ଟି ତାଙ୍କର ଏକ ହାସ ପରିହାସର ଲୀଳାଭୂମି-। ତାଙ୍କର ଶିଷ୍ୟମାନଙ୍କୁ ସେ ଏଇ ହାସ୍ୟରସମାର୍ଗର ସାଧନା ଶିକ୍ଷା ଦେଉଥିଲେ । ତାଙ୍କ ପାଖକୁ ଯେ ଯେଉଁ ଉଦ୍ଦେଶ୍ୟରେ ଆସୁଥିଲା ସେ ତାକୁ ହାସ୍ୟ ପରିହାସର ମାଧ୍ୟମରେ ଇ ସମାଧାନ କରିଦେଉଥିଲେ । ସେ କହୁଥିଲେ–ଏ ପୃଥିବୀରେ ସମସ୍ତଙ୍କୁ ଶଳାଶାଳୀ ବା ନାତିନାତୁଣୀ ବୋଲି ଭାବିବ । ସମସ୍ତଙ୍କୁ ସବୁବେଳେ ଥଟ୍ଟାନକଲ କରିବ ଓ ଅନ୍ୟକୁ ମଧ୍ୟ ତୁମକୁ ଥଟ୍ଟାନକଲ କରିବାର ସୁଯୋଗ ଦେବ । ଏପରି କି ଯଦି କେହି ତୁମ ଉପରେ ନିର୍ମମ ଅତ୍ୟାଚାର କରେ ବା ଅପମାନ କରେ ବା ତୁମର କିଛି ଲୁଣ୍ଠନ କରିନିଏ ତେବେ ସେ ସବୁକୁ ତୁମର ଶଳାଶାଳୀ ବା ନାତିନାତୁଣୀଙ୍କ ଗେଲଟାପରା ବୋଲି ଭାବି ଖୁସି ହେବ ଓ ଖୁବ୍‌ ଜୋର୍‌ରେ ହସିଉଠିବ । ଏ ଭାବରେ ସିଦ୍ଧହେଲେ ତୁମକୁ ଶାଶ୍ୱତ ଆନନ୍ଦ ଓ ଶାନ୍ତିପ୍ରାପ୍ତ ହେବ ଏବଂ ଶେଷରେ ସେଇ ପରମହାସ୍ୟ ରସିକ ଭଗବାନ ମଧ୍ୟ ତୁମକୁ ମିଳିଯାଇପାରନ୍ତି ।

 

ସ୍ୱାମୀ ପରିହାସାନନ୍ଦଙ୍କର ଏହି ଦର୍ଶନ ଲୋକଙ୍କୁ ଖୁବ୍‍ ଭଲଲାଗିଲା ଓ ତାଙ୍କର ବହୁତ ଶିଷ୍ୟଶିଷ୍ୟା ହେଲେ । ଫଳରେ ଦିନରାତି ସେହି ବରଗଛମୂଳଟି ତୁମୂଳ ହାସ୍ୟପରିହାସ କୋଳାହଳରେ ମୁଖରିତ ହୋଇଉଠିଲା ।

 

ସେ ରାଜ୍ୟରେ କିନ୍ତୁ ଜଣେ ରାଜା ଥିଲେ ଯେ କି ସ୍ଵଭାବରେ ଥିଲେ ଖୁବ୍‍ କ୍ରୁଦ୍ଧ, ରୁକ୍ଷ, ନୃଶଂସ ଓ ଅତ୍ୟାଚାରୀ । ସେ ଆଦୌ ହାସ୍ୟପରିହାସ ସହ୍ୟ କରିପାରୁନଥିଲେ । ତାଙ୍କର ପ୍ରଜାମାନେ କାନ୍ଦିଲେ ତାଙ୍କୁ ଖୁସି ଲାଗୁଥିଲା । ସେ ସେମାନଙ୍କୁ ବେଶି ବେଶି କନ୍ଦାଇବା ପାଇଁ ଯୋଜନା କରୁଥିଲେ । ବର୍ତ୍ତମାନ ତାଙ୍କ ରାଜଧାନୀରେ ସ୍ୱାମୀ ପରିହାସାନନ୍ଦ ନାମକ ଜଣେ ହସୁକୁରା ସାଧୁ ଆସି ଏଇ କେତୁଟା ଦିନରେ ତାଙ୍କ ପ୍ରଜାମାନଙ୍କୁ ଏମିତି ଦିନରାତି ହସୁକୁରା କରିଦେଲାଣି ବୋଲି କଟୁଆଳଠାରୁ ଶୁଣି ସେ ରାଗରେ ଅନ୍ଧ ହୋଇଗଲେ ଓ ସେହି ଭଣ୍ଡ ସାଧୁକୁ ସମୁଚିତ ଶିକ୍ଷାଦେବା ଲାଗି ନିଜେ ହତ୍ୟାକାରୀ କଟୁଆଳମାନଙ୍କୁ ସାଙ୍ଗରେ ଧରି ସେହି ବରଗଛ ମୂଳକୁ ଗଲେ ।

 

ରାଜା ସେଠାରେ ପହଞ୍ଚି ଦେଖିଲେ ଯେ ତାଙ୍କର ଶତ ଶତ ପ୍ରଜା ସେଠାରେ ସମବେତ ହୋଇ ସେହି ଭଣ୍ଡ ବାବାଙ୍କ ସହିତ ହସିହସି ଗଡ଼ୁଛନ୍ତି । ରାଜା ଅତ୍ୟନ୍ତ କ୍ରୁଦ୍ଧ ହୋଇ ସେହି ସାଧୁଙ୍କୁ ଚାବୁକରେ ଗୋଟେ ପ୍ରହାର ପକାଇ କହିଲେ–

 

ଆବେ ଶଳା ! ଏଠି ମୋ ରାଜ୍ୟରେ କି ଭଣ୍ଡ ତାମସା ଲଗାଇଛୁ ?

 

ସାଧୁଟି ଚାବୁକ୍‍ ପ୍ରହାର ଖାଇ ଖୁବ୍‌ ଜୋରରେ ହସିଉଠି କହିଲେ–ମଣିମା ! ଏ ପର୍ଯ୍ୟନ୍ତ ଆମ୍ଭେମାନେ ଏଠାରେ ଅଜାନାତି ତାମସା କରୁଥିଲୁ । ମଣିମା ଆସିଗଲେଣି । ଏଥର ଆମେ ଶଳାଭିଣୋଇ ତାମସା କରିବା । ରାଜା ଆହୁରି କ୍ରୁଦ୍ଧ ହୋଇ ଆଉ ଏକ ଚାବୁକ୍‍ ପ୍ରହାର କରି କହିଲେ–ଆବେ ଶଳା ! ଆମ୍ଭେ କ’ଣ ତୋରି ଭଉଣୀକୁ ବାହା ହୋଇଛୁ ଯେ ତୋର ଭିଣୋଇ ହେବୁ ? ସାଧୁ ହସିହସି କହିଲେ–ମଣିମା ! ଆମେ ସାଧୁ ଲୋକ । ଆମର ଭଉଣୀ କାହିଁ ? ତେବେ ଛାମୁଙ୍କୁ ଯଦି ଶଳା ଡାକିବାରୁ ସୁଖ ଲାଗୁଛି–ତେବେ ଛାମୁଙ୍କ ବଡ଼ଝିଅ ଜେମାମଣିଙ୍କୁ ମୁଁ ଆଜିଠାରୁ ଭଉଣୀ କରୁଛି । ମଣିମା ! ଆପଣ ଆମ ସମସ୍ତଙ୍କ ପିତା ସଦୃଶ । ମହାରାଣୀ ମାତା ସଦୃଶ ଓ ଜେମାମଣି ଆମର ଭଗ୍ନୀ ସଦୃଶ । ଛାମୁ ଏବେ ବିଚାର କରନ୍ତୁ ହେଃ ହେଃ–ହେ ! ସମେବେତ ଲୋକମାନେ ମଧ୍ୟ ଏ କଥାରେ ହେଃ ହେଃ ହୋଇ ହସିଉଠିଲେ ।

 

ସାଧୁଙ୍କ ମୁହଁରୁ ଏହି ପରିହାସ କଥା ଶୁଣି ରାଜା ଖୁବ୍‍ କ୍ରୋଧରେ ଅନ୍ଧହୋଇ ଗଲେ । ପାଖରେ ଖଣ୍ଡାଧରି ଠିଆହୋଇଥିବା କଟୁଆଳକୁ ଆଦେଶ ଦେଲେ–କଟୁଆଳ ! ଏ ଶଳା ଭଣ୍ଡସାଧୁକୁ ଖଣ୍ଡାରେ ହାଣି ଦି’ଗଡ଼ କରିଦେ । ଏ ଶଳା ଆମ୍ଭପରା ମାହାର୍ଯାଙ୍କୁ ଥଟ୍ଟାକରୁଛି । କଟୁଆଳ ଏକାଚୋଟେକେ ସାଧୁକୁ ମଝିରୁ ହାଣି ଦି’ଗଡ଼ କରିଦେଲା । ମାତ୍ର ଆଶ୍ଚର୍ଯ୍ୟ କଥା–ସାଧୁଙ୍କ ମୁହଁରୁ ତଥାପି ହାସ୍ୟରୋଳ ଛୁଟୁଥାଏ । ରାଜା ଏହା ଦେଖି ଆହୁରି ରାଗିଯାଇ କହିଲେ–କଟୁଆଳ ! ଏ ଶଳା ଭଣ୍ଡସାଧୁର ଜିଭ କାଟିଦେ । କଟୁଆଳ ସାଙ୍ଗେ ସାଙ୍ଗେ ସାଧୁର ଜିଭ କାଟିଦେଲା । ତା’ ପରେ ସାଧୁଙ୍କର ଦୁଇ ଆଖିରୁ ହସର ଝଡ଼ ବହିଗଲା । ସମବେତ ସହସ୍ର ସହସ୍ର ଲୋକ ପାଟିକରି ଉଠିଲେ–ଦେଖ ଦେଖ ! ସାଧୁଙ୍କ ଦୁଇଆଖି କିପରି ଠୋ ଠୋ କରି ହସୁଛନ୍ତି ! ରାଜା ଏହା ଶୁଣି ଆହୁରି ଆହୁରି ରାଗିଗଲେ ଓ କହିଲେ–କଟୁଆଳ ଏ ଶଳା ଭଣ୍ଡସାଧୁର ଆଖି ଦି’ଟା ତାଡ଼ିଦେ । କଟୁଆଳ ସାଧୁର ଆଖି ଦୁଇଟା ତାଡ଼ିଦେଲା । ଏହାପରେ ଦେଖାଗଲା ସାଧୁଙ୍କର କଟା ଗଣ୍ଡି ମୁଣ୍ଡର ସମସ୍ତ ମାଂସପେଶୀ ହସିବାକୁ ଲାଗିଲେ । ମଝିରୁ କଟାହୋଇଥିବା ସାଧୁଙ୍କର ସେହି ମୃତଶରୀରଟିର ଉଭୟ ଭାଗ ହସି ହସି ଡେଇଁବାକୁ ଲାଗିଲେ । ଏହା ଦେଖି ସମବେତ ଭକ୍ତମାନେ ସମସ୍ତେ ଏକାବେଳେ ହାଃ ହାଃ କରି ହସୁ ହସୁ ନାଚି ଲାଗିଲେ । ଏହାର ପ୍ରଭାବ ଏପରି ସଂକ୍ରାମକ ଥିଲା ଯେ, ରାଜାଙ୍କ କଟୁଆଳମାନେ ମଧ୍ୟ ସେଥିରେ ପ୍ରଭାବିତ ହୋଇ ହସି ଲାଗିଲେ ଓ ହସୁ ହସୁ ନାଚିଲାଗିଲେ । ଶେଷକୁ ରାଜା ଆଉ ସମ୍ଭାଳି ପାରିଲେ ନାହିଁ । ଏହି ଅଦ୍ଭୁତ ହାସ୍ୟୋନ୍ମାଦି ଦେଖି ରାଜାଙ୍କ ମୁଣ୍ଡ ଖରାପ ହୋଇଗଲା । ସେ ମଧ୍ୟ ପାଗଳ ଭଳି ହୋ ହୋ ହୋଇ ହସି ଉଠିଲେ ଓ ହସୁ ହସୁ ସମସ୍ତଙ୍କ ସହିତ ନାଚି ଲାଗିଲେ ।

 

ଡହରାନନ୍ଦ ଏଇଠି କଥାଟି ଶେଷକରି କହିଲେ–ବାବୁମାନେ ! କଥାଟିର ତାତ୍ପର୍ଯ୍ୟ ବୁଝିଲ ତ ? ତୁମର ଏ ଯୁଗରେ ହାସ୍ୟ ପରିହାସ କ୍ରମଶଃ ମରିଯାଉଛି । ତୁମେମାନେ ଯଦି ଏହାକୁ ବଞ୍ଚାଇ ରଖିପାରିବ–ତେବେ ତାରି ଲାଞ୍ଜ ଧରି ତୁମେମାନେ କେବଳ ଏହି ଆଧୁନିକ ଯୁଗଯନ୍ତ୍ରଣାର ତପ୍ତ ବୈତରଣୀଟିକୁ ପାରିହୋଇ ଯାଇପାରିବ । ହାସ୍ୟରସ ହିଁ ଏହି ଆଧୁନିକ କଳିଯୁଗର ଅପଘାତରୁ ବଞ୍ଚିବା ପାଇଁ ଏକମାତ୍ର ମହୌଷଧି ।

☆☆☆

 

ବିବ୍ରତ ଦରଜି ନା ବିବ୍ରତ ଯୁଗ ?

 

ତା’ପରଦିନ ସନ୍ଧ୍ୟାରେ ମଧ୍ୟ କଟକର ସେହି ଯୁବକମାନେ ବାବାଡହରାନନ୍ଦଙ୍କ ସହିତ ମହାନଦୀକୂଳସ୍ଥ ଗଡ଼ଗଡ଼ିଆ ଘାଟରେ ମିଳିତ ହୋଇଥିଲେ–ଏବଂ ସେମାନଙ୍କ ମଧ୍ୟରେ ପୂର୍ବ ସନ୍ଧ୍ୟାମାନଙ୍କ ଭଳି ଆଧୁନିକ ଯୁଗର ମଣିଷ ପ୍ରକୃତି ଉପରେ ଆଳାପ ଆଲୋଚନା ଚାଲିଥିଲା । ସେହି କଥା ପ୍ରସଙ୍ଗରେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜି ! ଆପଣ ଗତକାଲି ଓ ତା’ ପୂର୍ବଦିନ ସନ୍ଧ୍ୟାରେ ଆମକୁ ଆଧୁନିକ ଯୁଗର ମଣିଷମାନଙ୍କର ବ୍ୟସ୍ତତା ଓ ତ୍ରସ୍ତତା ବିଷୟରେ ଯାହା କହିଲେ ତାହା ଆମ୍ଭମାନଙ୍କ ଭାବନା ପାଇଁ ବହୁତ ଖୋରାକ ଯୋଗାଇଛି । କିନ୍ତୁ ଆପଣ ଆଧୁନିକ ବ୍ୟସ୍ତ ଓ ତ୍ରସ୍ତ ମଣିଷମାନଙ୍କ ମନସ୍ତତ୍ତ୍ୱ ବିଷୟ କହି ସାରିଛନ୍ତି । ଏବେ କହନ୍ତୁ–ଆଜିକାଲିର ମଣିଷ ସବୁବେଳେ ଏତେ ବିବ୍ରତ କାହିଁକି ବୋଧ କରୁଛି ? ଆମେ ମଧ୍ୟ ଆଜିଠାରୁ ସେହି ବିବ୍ରତ ରୋଗରେ ଆକ୍ରାନ୍ତ ହୋଇ ଉଠିଲୁଣି । ଆମକୁ ଲାଗୁଛି ସତେ କି ସବୁକିଛି କୋଉଠି ବିଗିଡ଼ି ଗଲାଣି ! ସତେ କି ଆଉ କିଛି ଭଲକଥା ଭବିଷ୍ୟତରେ ଘଟିବା ଭଳି ଲାଗୁନାହିଁ ! ସତେ କି ଆମ ସମସ୍ତଙ୍କର ଭବିଷ୍ୟତ ଘୋର ଅନ୍ଧକାରମୟ ! ସତେ କି ଯାହାସବୁ ହେବାକଥା ହୋଇନାହିଁ ଓ ଏବେ ମଧ୍ୟ ହେଲାଭଳି ଲାଗୁନାହିଁ-। ସତେ କି ଦିନକୁ ଦିନ ସବୁ ବିଗିଡ଼ି ବିଗିଡ଼ି ଯିବ ସିନା, ଆଉ ଆଦୌ ସଜାଡ଼ି ହେବ ନାହିଁ-। ସତେ କି ଆମେ ସମସ୍ତେ ମିଶି ଏପରି ସବୁ ଭୁଲ୍‍ କରିଦେଲୁଣି–ସେ ସବୁ ଭୁଲକୁ ଆଉ ଆମେ ବା ଆମର ଉତ୍ତରାଧିକାରୀମାନେ କେହି ସଂଶୋଧନ କରିପାରିବେ ନାହିଁ । ଡହରାନନ୍ଦଜି ! ଦୟାକରି ଏଇସବୁ ମାନସିକତାର କାରଣ ଓ ନିରାକରଣ କ’ଣ ହୋଇପାରେ ସେ କଥା ଆମକୁ କହିଦିଅନ୍ତୁ ।

 

ଡହରାନନ୍ଦ ଯୁବକଟିର ମୁହଁରୁ ଏକା ନିଃଶ୍ଵାସକେ ଏତେଗୁଡ଼ାଏ ବାକ୍ୟ ଶୁଣି ଯୁବକଟିର କାନ୍ଧରେ ହାତ ରଖି ତା’ର ଉଦ୍‌ବେଗକୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ–

 

ବାବୁଜି ! ତୁମେ ଯାହାସବୁ କହିଗଲ, ତାହା ହିଁ ଆଧୁନିକ ମଣିଷଟିର ଯଥାର୍ଥ ମନସ୍ତତ୍ତ୍ୱ । ଆଧୁନିକ ମଣିଷଟି ବହୁକାରଣରୁ ଏବଂ ବହୁ ସମୟରେ ବିନା କାରଣରେ ଏହିଭଳି ମାନସିକ ବିବ୍ରତତାର ଶିକାର ହୋଇଥାଏ । ଏପରି ମାନସିକତା ମୂଳରେ ରହିଛି ବୃଥା ଉଦ୍‌ବେଗ ଓ ଭବିଷ୍ୟତ ସମ୍ପର୍କରେ ଅତ୍ୟଧିକ ସଚେତନତା । ମଣିଷ ଯେତେବେଳେ କେବଳ ନିଜକୁ କେନ୍ଦ୍ରକରି ବଞ୍ଚୁଥାଏ–ଅନ୍ୟ ଭାଷାରେ ମଣିଷ ଯେତେ ଯେତେ ଅପର କଥା ନ ଭାବି କେବଳ ନିଜ କଥାଟିକୁ ହିଁ ପ୍ରାଧାନ୍ୟ ଦେଇ ଭାବୁଥାଏ–ତା’ର ଏହି ଉଦ୍‌ବେଗ ଭାବ ସେତିକି ବଢ଼ୁଥାଏ । ସ୍ୱାର୍ଥପର ମଣିଷମାନେ ହିଁ ବେଶୀ ଉଦ୍‍ବେଗ ଭୋଗନ୍ତି ଏବଂ ଏହି ଉଦ୍‌ବେଗର ମାତ୍ରା ବଢ଼ିଗଲେ ମଣିଷ ବିବ୍ରତ ବୋଧକରେ । ବିବ୍ରତ ମଣିଷ ବରାବର ଭୁଲ୍‍ କରିଚାଲିଥାଏ ଓ ଆପଣାର ଏହି ଭୁଲ–ସବୁ ଲାଗି ପୁଣି ତା’ର ବିବ୍ରତ ଭାବ ବଢ଼ି ଯାଉଥାଏ । ତା’ର ଆଉ କାହା ଉପରେ ବିଶ୍ଵାସ ବା ଆସ୍ଥା ନ ଥାଏ । ସେ ନିଜେ ସ୍ୱାର୍ଥପର ହୋଇଥିବାରୁ ଅନ୍ୟ କାହାର ନିଃସ୍ୱାର୍ଥପରତାକୁ ମଧ୍ୟ ବିଶ୍ଵାସ କରିପାରେ ନାହିଁ । ଏହି ବିବ୍ରତ ମଣିଷଟି ତା’ର ଅତୀତକୁ ନେଇ ସର୍ବଦା ଅସନ୍ତୁଷ୍ଟ ହେଉଥାଏ ଓ ତା’ର ଭବିଷ୍ୟତ କିପରି ସବୁଠାରୁ ବେଶି ସମୃଦ୍ଧିବନ୍ତ ହେବ ସେହି ଚିନ୍ତାରେ ବର୍ତ୍ତମାନ ଉଦ୍‌ବେଗଶୀଳ ହୋଇଉଠେ ଓ ଏହି ଉଦ୍‌ବେଗ‌ ଯୋଗୁଁ ସେ ଉପସ୍ଥିତ କାଳରେ ସବୁ କିଛି ଭୁଲ୍‍ କରିପକାଏ ଏବଂ ଏହି ଭୁଲ୍‍ ଯୋଗୁଁ ବିବ୍ରତ ହୋଇଉଠେ । ଆଧୁନିକ ଯୁଗର ସବୁ ମଣିଷ ଊଣା ଅଧିକେ ଏହି ମାନସିକ ରୋଗଟିକୁ ଭୋଗୁଥାନ୍ତି । ଜଣେ ଯୁବକ ଏହା ଶୁଣି ଖୁବ୍‍ ବିବ୍ରତ ହେଲାଭଳି ପଚାରିଦେଲେ–କିନ୍ତୁ ଏହି ବିବ୍ରତ ଭାବରୁ ମୁକ୍ତ ହେବାର ଉପାୟ କ’ଣ ଶୀଘ୍ର କହନ୍ତୁ । ଡହରାନନ୍ଦଜୀ ପାନଡ଼ିବାରୁ ଖଣ୍ଡିଏ ସୁବାସିତ ପାନ କାଢ଼ି ଖୁବ୍‍ ସ୍ଥିର ନିଶ୍ଚିତଭାବେ ପାଟିରେ ପୂରାଇଲେ ଏବଂ ହସି ହସି ବେଶ ଅବିଚଳିତ ସ୍ୱରରେ କହିଲେ–

 

ବାବୁଜି ! ବିବ୍ରତ ଭାବରୁ ଖୁବ୍‌ଶୀଘ୍ର ମୁକ୍ତ ହେବାପାଇଁ ତୁମେ ଯେପରି ବିବ୍ରତ ହୋଇ ପଡ଼ିଲଣି, ସେପରି ହେବା ଠିକ୍‍ ନୁହେଁ । ଅଧୀର ଓ ଅଥୟ ଲୋକ ହିଁ ବେଶି ବିବ୍ରତ ହୋଇ ପଡ଼ିଥାଏ । ତୁମେ ଆଗ ସବୁକଥାରେ ଥୟ ଧର । କେବେ ବି ଟଳମଳ ହୁଅ ନାହିଁ କି ବିପର୍ଯ୍ୟସ୍ତ ହୋଇ ପଡ଼ ନାହିଁ । ନିଜକୁ ସର୍ବଦା ସଂଗୃହୀତ କରି ରଖ ଓ ସବୁପ୍ରକାର ଭବିତବ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଥାଅ । ଯାହା କିଛି ତୁମପାଇଁ ଘଟୁଛି–ତାହା ମଧ୍ୟ ଦିନେ ସମସ୍ତଙ୍କ ପାଇଁ ଘଟିବ । ଅନ୍ୟପକ୍ଷରେ ମଣିଷପାଇଁ ଏମିତି ସବୁ ସମସ୍ୟା ଆସିବ ନାହିଁ, ଯାହାସବୁ ସେ ସମାଧାନ ନ କରିପାରିବ । ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ–ତୁମେ ଯେ ବିବ୍ରତ ହୋଇ ପଡ଼ିବା ଫଳରେ ତୁମର ସମସ୍ୟା ସବୁ ଶୀଘ୍ର ସମାଧାନ ହୋଇଯିବ, ତାହା ଆଦୌ ନୁହେଁ । ବରଂ ବିବ୍ରତ ମଣିଷ ଅଧିକ ଅଧିକ ସମସ୍ୟା ସୃଷ୍ଟି କରି ଚାଲିଥାଏ ଓ ସେଥିଯୋଗୁଁ ତା’ର ଆତ୍ମବିଶ୍ଵାସ ମଧ୍ୟ କମି କମି ଯାଉଥାଏ-। ବର୍ତ୍ତମାନ ମୁଁ ତୁମକୁ ପାଲଲହଡ଼ା ଗ୍ରାମ୍ୟ ବଜାରର ସେହି ହତଭାଗ୍ୟ ଦରଜିଟିର କାହାଣୀ କହୁଛି ଶୁଣ । ସେଇଥିରୁ ସବୁ କଥା ପରୋକ୍ଷରେ ବୁଝିପାରିବ ।

 

...ପାଲଲହଡ଼ା ଗ୍ରାମର ବଜାର ଭିତରେ ସେକ୍‍ ସଲିମ ନାମକ ଜଣେ ଯୁବକ ଦରଜି ସିଲାଇ ବ୍ୟବସାୟ କରି ଖୁବ୍ ପ୍ରତିଷ୍ଠା ପାଇଥିଲେ । ତାଙ୍କର ଥିଲା ଚାରୋଟି ସିଲାଇ ମେସିନ ଓ ତାଙ୍କର ପାଞ୍ଚଜଣ ସହକାରୀ ଦରଜି ମଧ୍ୟ ଥିଲେ । ସେକ୍‍ ସଲିମ ବହୁଦିନ ବମ୍ବେ, ଅହମ୍ମଦାବାଦ ପ୍ରଭୃତି ସହରରେ ରହି ରହି କାମଟି ଭଲଭାବେ ଶିଖିଥିଲେ । ତେଣୁ ପାଲଲହଡ଼ା ବଜାରରେ ତାଙ୍କର ଖ୍ୟାତି ଖୁବ୍‍ ବଢ଼ିଯିବାରୁ ନିକଟସ୍ଥ ଗ୍ରାମମାନଙ୍କରୁ ମଧ୍ୟ ଭଲ ପୋଷାକ ସିଲାଇ ନିମନ୍ତେ ତାଙ୍କ ପାଖକୁ ଗରାଖମାନଙ୍କର ସୁଅ ଛୁଟିଲା । ପାଞ୍ଚୋଟି ବର୍ଷ ଭିତରେ ସେକ୍‍ ସଲିମ ଏହି ପୋଷାକ ସିଲାଇ ବ୍ୟବସାୟରେ ବେଶ୍‍ ଧନୀ ହୋଇଗଲେ । ତାଙ୍କ ଦୋକାନରେ ଏତେ ଭିଡ଼ ହେଉଥିଲା ଯେ, ଦିନ ରାତି ତାଙ୍କର ସିଲାଇ ମେସିନଗୁଡ଼ିକ ଖଟ୍‍ ଖଟ୍‍ ହୋଇ ଚାଲିଥିଲା । ପ୍ରକୃତରେ ସେକ୍‍ ସଲିମ ମଧ୍ୟ ତାଙ୍କର ଏଇ ବ୍ୟବସାୟରେ ଦିନରାତି ପୋକ ପରି ଲାଗି ରହିଥିଲେ-। ତାଙ୍କୁ ମୁହୂର୍ତ୍ତେ ମଧ୍ୟ ନମାଜ ପଢ଼ିବାକୁ ସମୟ ହେଉ ନ ଥିଲା । ଏପରି କି ସେ ନିଜର ସ୍ତ୍ରୀ ଓ ପିଲାମାନଙ୍କ କଥା ମଧ୍ୟ ଭୁଲି ଯାଉଥିଲେ । ତାଙ୍କର ଆଉ କୌଣସି କଥାକୁ ନିଘା ନ ଥିଲା-। ଏହି ସିଲାଇ କାର୍ଯ୍ୟ ଓ ପଇସା ରୋଜଗାର କରିବାର ନିଶାରେ ସେ ପ୍ରାୟ ଚବିଶଘଣ୍ଟା ମସ୍‌ଗୁଲ ହୋଇ ରହୁଥିଲେ ।

 

ଦିନେ ହଠାତ୍‍ ତାଙ୍କ କାନରେ ପଡ଼ିଲା ଯେ ଦେଶର ସବୁ ଲୁଗାକଳଗୁଡ଼ିକରେ ଶ୍ରମିକ ଧର୍ମଘଟ ଆରମ୍ଭ ହୋଇଯାଇଛି । ସବୁ ଲୁଗାକଳଗୁଡ଼ିକ ସପ୍ତାହେହେଲା ବନ୍ଦ ହୋଇଯାଇଛି । କିନ୍ତୁ, ତଥାପି ମାଲିକମାନେ ଶ୍ରମିକମାନଙ୍କ ଦାବିକୁ ସ୍ୱୀକାର କରୁନାହାନ୍ତି । ଶ୍ରମିକମାନେ ମଧ୍ୟ ନଛୋଡ଼ବନ୍ଦା ହୋଇ ରହିଛନ୍ତି । ତେଣୁ ଏଇ ଧର୍ମଘଟ ମାସେ କି ଦି’ମାସ ଚାଲିବ । ତାହାର ଆଉ ଶୀଘ୍ର ସମାଧାନ ହେବାର ଆଶା ନାହିଁ ।

 

ଏହି ଖବରଟି ସେକ୍‍ ସଲିମଙ୍କର ଅନ୍ତର ଭିତରେ ପଶି ହଠାତ୍‍ ତାଙ୍କୁ ବିଚଳିତ କରିଦେଲା । ତାଙ୍କର ମନରେ ହଠାତ୍‍ ଗୋଟାଏ ଆଶଙ୍କା ପଶିଗଲା ଯେ ଲୁଗାକଳଗୁଡ଼ିକ ମାସେ ବନ୍ଦ ହୋଇଗଲେ ଦେଶରେ ବସ୍ତ୍ର ଉତ୍ପାଦନ ବନ୍ଦ ହୋଇଯିବ ଓ ବଜାରରେ କନା ଖଣ୍ଡେ ଆଉ ଦେଖିବାକୁ ମିଳିବ ନାହିଁ । ତା’ ଫଳରେ ତାଙ୍କର ସିଲାଇ ବେଉସା ବନ୍ଦ ହୋଇଯିବ ଓ ସେ ବେକାର ହୋଇ ବସିବେ ଏବଂ ତାଙ୍କର ରୋଜଗାର ବନ୍ଦ ହୋଇଯିବା ଫଳରେ ସେ ଓ ତାଙ୍କର ତିନୋଟି ସ୍ତ୍ରୀ ଏବଂ ଆଠ–ପୁଅ ଓ ତିନୋଟି ଝିଅ ଆଉ ଖାଇବାକୁ ନ ପାଇ ଦିନେ ଠୋ ଠୋ ପଡ଼ି ମରିଯିବେ ।

 

ସେକ୍‍ ସଲିମଙ୍କ ଛାତିରେ ଏହି ଅହେତୁକୀ ଛନକା ପଶିଯିବାରୁ ସେ ତାଙ୍କର ମୁଣ୍ଡର ଭାରସାମ୍ୟ ହରାଇ ବସିଲେ । ସେ କିନ୍ତୁ ଆଦୌ ଭାବି ପାରୁ ନ ଥିଲେ ଯେ ଲୁଗାକଳଗୁଡ଼ିକ ଆଠଦିନ ହେଲା ବନ୍ଦ ହୋଇ ଯାଇଥିଲେ ବି ତାଙ୍କ ଦୋକାନକୁ ପୋଷାକର ବରାଦ ସଂଖ୍ୟା ଗୋଟିଏ ବି କମି ନାହିଁ । ଆଉ ମଧ୍ୟ ସେ ଭାବି ପାରୁ ନ ଥିଲେ ସେ ତାଙ୍କ ସିଲାଇ ଦୋକାନ ବର୍ଷେକାଳ ବନ୍ଦ ହୋଇଗଲେ ବି ବ୍ୟାଙ୍କରେ ତାଙ୍କର ଯେତିକି ଟଙ୍କା ଜମା ଅଛି ସେଥିରେ ସେ ଖୁସିରେ ପାଞ୍ଚବର୍ଷ ନିଜ ପରିବାରକୁ ଚଳାଇ ପାରିବେ ।

 

ସେକ୍‍ ସଲିମ ଏତେ ଉଦ୍‌ବିଗ୍ନ ଓ ବିବ୍ରତ ହୋଇପଡ଼ିଲେ ଯେ ତାଙ୍କ ମସ୍ତିଷ୍କର ଭାରସାମ୍ୟ ହରାଇ ବସିଲେ । ଫଳରେ ତାଙ୍କର ପୋଷାକ ତିଆରି ଭୁଲ୍‍ ହେବାକୁ ଲାଗିଲା । କ୍ରମଶଃ ଦେଖାଗଲା ଯେ, ସେ ସାର୍ଟ କନାରେ ପ୍ୟାଣ୍ଟ ବନାଇଦେଲେଣି ଓ ପ୍ୟାଣ୍ଟ୍‍ କନାରେ ସାର୍ଟ ବନାଇ ଦେଲେଣି । ଏହି ଭୁଲ୍‍ ଆହୁରି ମାରାତ୍ମକ ସ୍ତରକୁ ଗଲା–ଯେତେବେଳେ ସେ ସ୍ତ୍ରୀଲୋକମାନଙ୍କର ବ୍ଳାଉଜ କନାଗୁଡ଼ିକ ଏକାଠି କରି ଚାନ୍ଦୁଆ ବନାଇ ଦେଲେ ଏବଂ ଶାୟା କନାଗୁଡ଼ିକରେ ସାଲୁଆର ପଞ୍ଜାବି ବନାଇ ଦେଲେ ।

 

ଏଇ ଭ୍ରମପ୍ରମାଦ ବଢ଼ିବାକୁ ଲାଗିଲା । ଲୋକମାନଙ୍କର ଅଭିଯୋଗ ଓ କ୍ରୋଧ ବିରକ୍ତି ମଧ୍ୟ ବଢ଼ିଚାଲିଲା । ଏଣେ ସଲିମ୍‍ ମଧ୍ୟ ଅଧିକରୁ ବିବ୍ରତ ହେଲେ । ଶେଷରେ ଦିନେ ଲୋକମାନେ ତାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ମାଡ଼ ଚଢ଼ାଇଲେ । ସଲିମ୍‍ ମାଡ଼ଖାଇ ଅଚେତ ହୋଇ ତଳେ ପଡ଼ିଗଲେ । ସେକ୍‍ ସଲିମ ମୁସଲମାନ୍‍ ଥିବାରୁ ଏହି ଖବର ହଠାତ୍‍ ମୁସଲମାନ ବସ୍ତିକୁ ଚାଲିଗଲା ଏବଂ ମୁସଲମାନମାନେ ଉତ୍ତ୍ୟକ୍ତ ହୋଇ ହଠାତ୍‍ ହିନ୍ଦୁବସ୍ତି ଉପରେ ଆକ୍ରମଣ କରିଦେଲେ ଏବଂ ଏହି ବ୍ୟାପାର ଅତି ଅଳ୍ପ ସମୟ ଭିତରେ ଏକ ପ୍ରବଳ ମାରାତ୍ମକ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇ ସରକାରଙ୍କୁ ମହାସଙ୍କଟରେ ପକାଇ ଦେଲା ।

 

ଡହରାନନ୍ଦ ଏଇଠାରେ କଥାଟି ଶେଷକରି କହିଲେ–ବାବୁମାନେ ! ଏବେ ଆଧୁନିକ ଯୁଗର ଏହି ବିବ୍ରତ ରୋଗ ସମ୍ବନ୍ଧେ ତୁମର କିଛି ଧାରଣା ହେଲା ତ ?

☆☆☆

 

ଜୀବନ ବୀମା କାହାପାଖେ ?

 

କଟକ ସହରର ମହାନଦୀ କୂଳରେ ପୂର୍ବ ପରିଚିତ ସେଇ ଗଡ଼ଗଡ଼ିଆ ଘାଟ । ପୂର୍ବ ଦିନମାନଙ୍କ ଭଳି ସେହି ଯୁବକମାନେ ଠିକ୍‍ ସନ୍ଧ୍ୟା ପୂର୍ବରୁ ସେଠାରେ ଆସି ପହଞ୍ଚିଲେ ଓ ବାବା ଡହରାନନ୍ଦଙ୍କୁ ଘେରିବସିଲେ । ସେଦିନ କିନ୍ତୁ ସେହି ଯୁବକମାନଙ୍କ ସହିତ ଜଣେ ମୁସଲମାନ୍‍ ଯୁବକ ନୂଆକରି ଆସିଥିଲେ । ସେ ଥିଲେ ଜୀବନ ବୀମା ଅନୁଷ୍ଠାନର ଜଣେ ପ୍ରଚାରକ କର୍ମଚାରୀ । ଶାରଦୀୟ ଗୋଧୂଳି କାଳରେ ମହାନଦୀର ନୀଳ ନିର୍ମଳ ଜଳ ଏକ ଲୀଳାୟିତ ମଧୁର ଛନ୍ଦରେ ଲହରୀ ତୋଳି ବହି ଯାଉଥିଲା । ସୁନୀଳ ଆକାଶରେ ପକ୍ଷୀମାନେ ରାବ କରି କରି ଉଡ଼ି ଯାଉଥିଲେ । ମହାନଦୀର ପଠାମାନଙ୍କରେ କାଶତଣ୍ଡୀ ଫୁଲମାନେ ଧଳା ଚଅଁର ଭଳି ଧୀର ପବନରେ ମଥା ହଲାଉଥିଲେ । ପଶ୍ଚିମାକାଶରେ କିଛି ମେଘ ସୂର୍ଯ୍ୟଙ୍କୁ ଘୋଡ଼ାଇ ପକାଇଥିବାରୁ ସେପଟର ଆକାଶ ରକ୍ତବର୍ଣ୍ଣ ଦିଶୁଥିଲା । ଜଣେ ଯୁବକ କଟକଚଣ୍ଡୀଙ୍କର ପେଡ଼ା ଭୋଗ ସାଙ୍ଗରେ ଆଣିଥିଲା । ସେ ସମସ୍ତଙ୍କ ହାତକୁ ଭୋଗ ବଢ଼ାଇଦେଲା । ସମସ୍ତେ ପେଡ଼ା ଖାଇ ଖୁବ୍‍ ଖୁସି ହେଲେ । ଏହି ସମୟରେ ଆଜି ନୂଆ ଆସିଥିବା ସେହି ମୁସଲମାନ ଯୁବକ କହିଲେ–

 

ଡହରାନନ୍ଦଜୀ ! ମୁଁ ଜୀବନବୀମା ବିଭାଗର ଜଣେ କର୍ମଚାରୀ । ମୁଁ ଆସିଥିଲି ମୋର ଏହି ବନ୍ଧୁମାନଙ୍କ ଭିତରୁ ଦୁଇଜଣଙ୍କ ଜୀବନବୀମା କରିବାପାଇଁ । ଏହି ଦୁଇଜଣ ବର୍ଷେ ହେଲା ବିବାହ କଲେଣି । ମୁଁ ସେମାନଙ୍କୁ ବିବାହ ପୂର୍ବରୁ ଜୀବନବୀମା କରି ନେବାକୁ ପ୍ରବର୍ତ୍ତାଉଛି; ମାତ୍ର ସେମାନେ ଆଜି କରିବେ, କାଲି କରିବେ କହି ଟାଳି ଲାଗିଛନ୍ତି । ଗତକାଲି ସେମାନେ ମୋତେ ପରିଷ୍କାର ମନା କରିଦେଲେ ଯେ ସେମାନେ ଜୀବନବୀମା କରିବେ ନାହିଁ । ଆଜିକାଲି ଯୋଉ ସମୟ ହେଲାଣି । ସବୁ କିଛି ଅନିଶ୍ଚିତ ବର୍ତ୍ତମାନ । କେତେବେଳେ କୋଉ କଥା ଘଟିବ କିଏ ଜାଣେ-? ସେତେବେଳେ ପରିବାରର କି ଅବସ୍ଥା ହେବ, ଏମାନେ ବର୍ତ୍ତମାନ ବୁଝି ପାରୁନାହାନ୍ତି-। ମୁଁ ଶୁଣିଲି–ଆପଣ ଏମାନଙ୍କର ଗୁରୁ । ଦୟାକରି ସେମାନଙ୍କୁ ଠିକ୍‍ ଭାବେ ବୁଝାଇ ଦିଅନ୍ତୁ-। ଏଇ ବିବାହିତ ଯୁବକ ଦୁଇଜଣ ବର୍ତ୍ତମାନ ଜୀବନବୀମା କରିବା ଉଚିତ୍‍ କି ନୁହେଁ–ଆପଣ ଫଇସଲା କରି ଦିଅନ୍ତୁ ।

 

ଡହରାନନ୍ଦ ସ୍ମିତହାସ୍ୟ କରି କହିଲେ–ବନ୍ଧୁ ! ମୁଁ କାହାରି ଗୁରୁ ଫୁରୁ ନୁହଁ କି ଏମାନେ ମଧ୍ୟ ମୋର ଶିଷ୍ୟ ଫିଷ୍ୟ ନୁହନ୍ତି । ମୁଁ ମଧ୍ୟ କାହାର ଉପଦେଷ୍ଟା ନୁହେଁ । ଏମାନେ ମୋର ବନ୍ଧୁ । ଆମେ ଏକାଠି ମିଶି ନାନା ବିଷୟରେ ଆଲୋଚନା କରୁ କେବଳ । କୌଣସି ନିଷ୍ପତ୍ତି ନେବାର ଦାୟିତ୍ୱ ମୁଁ କାହାରି ନିଏ ନାହିଁ । ତେବେ ଏ କ୍ଷେତ୍ରରେ ମୁଁ ଏତିକି କହିବି ଯେ, ଜଣେ ଯଦି ସଂସାର କରିଛି–ତେବେ ସେ ତା’ର ଦାୟିତ୍ୱ ନେବା ଉଚିତ୍‍ ।

 

ଜୀବନବୀମା କର୍ମଚାରୀ ସଙ୍ଗେ ସଙ୍ଗେ ଉଚ୍ଚସ୍ୱରରେ କହି ଉଠିଲେ–ସେହି କଥା ଆଜ୍ଞା ମୁଁ ମଧ୍ୟ କହୁଛି । ଦାୟିତ୍ୱ ନେବା ଉଚିତ । ଭବିଷ୍ୟତରେ କ’ଣ ଘଟିବ ଖୋଦା (ଭଗବାନଙ୍କୁ) ମାଲୁମ । ଧରନ୍ତୁ ଆଜି ମୁଁ ମଟର ଦୁର୍ଘଟଣାରେ ମରିଗଲି–କିମ୍ବା ଧରନ୍ତୁ ମୋର ହଠାତ୍‍ ଗୋଡ଼ ଛୋଟା ହୋଇଗଲା–କିମ୍ବା ଧରନ୍ତୁ ମୋର ହଠାତ୍‍ ପକ୍ଷାଘାତ ହୋଇଗଲା–କିମ୍ବା ଧରନ୍ତୁ ମୋର ଯାହା କିଛି ଗୋଟେ ଘଟିଗଲା–ତାହାହେଲେ ମୋ ସ୍ତ୍ରୀ ବିଚାରୀ କ’ଣ କରିବ କହିଲେ ? ଆଜିକାଲି ଯାହା ସମୟ ହୋଇଛି–ଏତେବେଳେ କାହାର ଯେ କେତେବେଳେ କ’ଣ ଦୁର୍ଭାଗ୍ୟ ଘଟିଯିବ ସେ କଥା କିଏ କହିବ ଆଜ୍ଞା ? ସବୁ ସେହି ଦିନ୍‌ ଦୁନିଆର ମାଲିକ୍‍ ଖୋଦା–ତୋଲ୍ଲା (ପରମେଶ୍ୱର ଭଗବାନ)ଙ୍କୁ ମାଲୁମ୍‍ ଆଜ୍ଞା । ପୂର୍ବକାଳରେ ତ’ ଜୀବନବୀମା ଅନୁଷ୍ଠାନ ନଥିଲା । ଲୋକମାନେ କି ଦୁଃଖରେ ଆଗେ ପଡ଼ୁଥିଲେ ସେକଥା ଭାବନ୍ତୁ ।

 

ଡହରାନନ୍ଦ ଖଣ୍ଡିଏ ପାନ ପାଟିକୁ ନେଇ କହିଲେ–ବାବୁଜୀ ! ତୁମେ ଦୁଇ ପ୍ରକାର କଥା କୁହ ନାହିଁ । ଜୀବନବୀମା କରିବା ସଙ୍ଗେ ବୃଥାରେ ଖୋଦାତାଲ୍ଲାଙ୍କୁ (ଭଗବାନଙ୍କୁ) ଯୋଡ଼ ନାହିଁ । ଜୀବନବୀମା କରୁଚ କର । ତା’ର ସ୍ୱତନ୍ତ୍ର ଆବଶ୍ୟକତା ଅଛି । ଖୋଦାତାଲ୍ଲାଙ୍କ ଉପରେ ମଧ୍ୟ ନିର୍ଭର କରିପାର । ତା’ର ମଧ୍ୟ ସ୍ୱତନ୍ତ୍ର ଆବଶ୍ୟକତା ଅଛି । ପୂର୍ବକାଳରେ ଜୀବନବୀମା ନଥିବାରୁ ଲୋକମାନେ ଘୋର ଦୁଃଖ ଦୁର୍ବିପାକରେ ପଡ଼ି ଯାଉଥିଲେ ଓ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଜୀବନବୀମା କରିଥିବାର ଲୋକେ ପରମାନନ୍ଦର ନିଶ୍ଚିନ୍ତତା ଭିତରେ ଅଛନ୍ତି–ଏକଥା ମଧ୍ୟ ସତ୍ୟ ନୁହଁ କି ବାସ୍ତବ ନୁହଁ । ଆଗେ ଏକାନ୍ନବର୍ତ୍ତୀ ପରିବାର ଥିଲା । କିଏ ମରିହଜି ଗଲେ ତା’ର ପିଲାମାନଙ୍କୁ ଅନ୍ୟ ଭାଇମାନେ ବା ଜ୍ଞାତିମାନେ ପରମକରୁଣାରେ ସମାଳି ନେଉଥିଲେ । ଏବେ ‘ଆମେ ଦୁଇ ଓ ଆମର ଦୁଇ ବା ଏକ’ ପରିବାରରେ ଜୀବନବୀମା ହୁଏତ ଦୁଇଲକ୍ଷ ଟଙ୍କା ଦେଇଦେବ । ମାତ୍ର ଏଇ ଟଙ୍କା ଦ୍ୱାରା କ’ଣ ଆଜିର ଅର୍କ୍ଷିତ ବା ଅସହାୟ ମଣିଷଟିଏ ନିଶ୍ଚିନ୍ତ ନିରାପଦ ହୋଇ ବଞ୍ଚିପାରୁଛି ? ମଣିଷ ଆଜିକାଲି ଟଙ୍କାକୁ ବଡ଼କରି ଧରିଛି । ମଣିଷ ନୁହଁ କି ଭଗବାନଙ୍କୁ ମଧ୍ୟ ନୁହଁ । ତୁମ ଜୀବନରେ ଯଦି ମଣିଷ ନାହିଁ କିମ୍ବା ଭଗବାନ ମଧ୍ୟ ନାହାନ୍ତି–ତେବେ ତୁମକୁ ଛାର ଟଙ୍କା କି ନିରାପଦ ଦେଇ ପାରିବ ? ତୁମେ କ’ଣ ଭାବୁଛ–ଆଧୁନିକ ମଣିଷ ଅତୀତର ମଣିଷଠାରୁ ଅଧିକ ନିରାପଦ । ଆଧୁନିକ ଯୁଗର ସମସ୍ତ ନିରାପତ୍ତା ବ୍ୟବସ୍ଥା ସତ୍ତ୍ୱେ ବର୍ତ୍ତମାନର ମଣିଷର ଜୀବନ ସବୁଯୁଗର ମଣିଷଙ୍କ ଜୀବନଠାରୁ ଅଧିକ ବିପଦପୂର୍ଣ୍ଣ ଓ ଆଶଙ୍କା ଜର୍ଜରିତ । ଯୋଉ ଜୀବନରେ ମଣିଷକୁ ଅପେକ୍ଷା ନାହିଁ କିମ୍ବା ଈଶ୍ୱରଙ୍କୁ ଅପେକ୍ଷା ନାହିଁ–ସେ ଜୀବନକୁ କ’ଣ କେବଳ ଟଙ୍କା ଇ ନିରାପତ୍ତା ଓ ସୁଖ ଆନନ୍ଦ ଯୋଗାଇ ଦେଇପାରିବ ?

 

ଏହାଶୁଣି ଜଣେ ଯୁବକ ପଚାରିଲେ ତା’ହେଲେ ଆପଣ କ’ଣ କହୁଛନ୍ତି ଯେ ଜୀବନରେ ଅର୍ଥ ସଞ୍ଚୟର କିଛି ମୂଲ୍ୟ ନାହିଁ ? ଗୁରୁତ୍ୱ ନାହିଁ ?

 

ଡହରାନନ୍ଦ କହିଲେ ମୁଁ ସଞ୍ଚୟର ବିରୋଧ କରୁନାହିଁ । ତୁମେ ଯେତେ ସଞ୍ଚୟ କରୁଛ କର, କିନ୍ତୁ ମଣିଷ ଜୀବନର ବର୍ତ୍ତମାନ ଓ ଭବିଷ୍ୟତର ସୁଖ ସମୃଦ୍ଧି ପାଇଁ କେବଳ ଅର୍ଥ ସଞ୍ଚୟ ଆଦୌ ବଡ଼ କଥା ନୁହଁ । ତୁମକୁ ମଣିଷ ଓ ଈଶ୍ୱରଙ୍କ ଉପରେ ଖୁବ୍‍ ବିଶ୍ଵାସ ରଖି ବଞ୍ଚିବାକୁ ପଡ଼ିବ । ମଣିଷ ଓ ଈଶ୍ୱରଙ୍କ ସହିତ ସବୁ ସମ୍ବନ୍ଧ କାଟିଦେଇ ତୁମେ କେବଳ ବ୍ୟାଙ୍କ ବାଲାନ୍ସ ଓ ଜୀବନ ବୀମା ସହିତ ଯୁକ୍ତ ହୋଇ ରହିଲେ ତୁମର ବର୍ତ୍ତମାନ ବା ଭବିଷ୍ୟତ କୋଉଟା ବି ସୁଖ ଆନନ୍ଦ ବା ନିରାପତ୍ତାଦାୟକ ହୋଇପାରିବ ନାହିଁ । ବର୍ତ୍ତମାନର ଏହିସବୁ ସାମାଜିକ ବ୍ୟବସ୍ଥା ମଣିଷକୁ ବିଚ୍ଛିନ୍ନ କରିଦେଲାଣି–ଏକୁଟିଆ କରିଦେଲାଣି । ଅବିଶ୍ଵାସୀ କରିଦେଲାଣି–ଆସ୍ଥାହୀନ କରିଦେଲାଣି–ଏକୁଟିଆ କରିଦେଲାଣି । ଅବିଶ୍ୱାସୀ କରିଦେଲାଣି–ଆସ୍ଥାହୀନ କରିଦେଲାଣି । ତୁମ ଜୀବନରେ ପ୍ରତିଶ୍ରୁତିବଦ୍ଧ ଭାଇଟିଏ ନାହିଁ–କି ମାମୁଁଟିଏ ନାହିଁ–କି ବନ୍ଧୁଟିଏ ନାହିଁ । କେବଳ ବ୍ୟାଙ୍କ ବାଲାନ୍ସ ଓ ଜୀବନବୀମା ତୁମକୁ କେବେ ବି ନିରାପଦ ସୁଖ ଆନନ୍ଦ ଦେଇ ପାରିବ ନାହିଁ । ଏ ପ୍ରସଙ୍ଗରେ ମୁଁ ଗପଟିଏ କହୁଛି ଶୁଣ–ହୁଏତ ତୁମମାନଙ୍କର ହୃଦୟରେ ଆଉ ଏକ ପ୍ରକାର ଆସ୍ଥା ଓ ବିଶ୍ଵାସ ଆସିପାରେ... ।

 

ମହାପୁରୁଷ ମହମ୍ମଦଙ୍କ ଜୀବନ ସମ୍ପର୍କରେ ଅନେକ ଚମତ୍କାର କାହାଣୀ ସବୁ ରହିଛି । ତାଙ୍କର ଜୀବନ ଥିଲା ତ୍ୟାଗ, ତପସ୍ୟା, ଆସ୍ଥା ଓ ବିଶ୍ଵାସର ଏକ ସାର୍ବଜନୀନ ଆଦର୍ଶର ଜୀବନ ।

 

ପ୍ରତିଦିନ ତାଙ୍କର ଶିଷ୍ୟମାନେ ପରମ ଶ୍ରଦ୍ଧାରେ ତାଙ୍କ ପାଖକୁ ଆସୁଥିଲେ । ତାଙ୍କର ଆଧ୍ୟାତ୍ମିକବାଣୀ ଶୁଣୁଥିଲେ ଓ ଅନେକ ଦ୍ରବ୍ୟ ମଧ୍ୟ ତାଙ୍କୁ ଉପହାର ଦେଉଥିଲେ । ଫଳରେ ତାଙ୍କ ପାଖେ ପ୍ରତିଦିନ ବହୁ ସୁସ୍ୱାଦୁ ଖାଦ୍ୟ ପଦାର୍ଥ, ପୋଷାକ ଓ ଟଙ୍କା ଜମା ହେଉଥିଲା । ମହମ୍ମଦ ସେହିସବୁ ପଦାର୍ଥ ନିଜର ଅନୁରକ୍ତ ଗରିବମାନଙ୍କ ଭିତରେ ବାଣ୍ଟିଦେଇ ଯାହା ଅବଶିଷ୍ଟ ରହୁଥିଲା ତାହା ନିଜେ ନିଜ ପରିବାର ସହିତ ବ୍ୟବହାର କରୁଥିଲେ । ଏହିଭାବେ ସେ ପ୍ରତିଦିନ ଦୀନ ଫକୀରଟିଏ ହୋଇ ରହୁଥିଲେ । ତାଙ୍କର ପ୍ରିୟତମା ପତ୍ନୀ ଦିନେ କହିଲେ–ତୁମେ ତ ସବୁ ଏହିପରି ବାଣ୍ଟି ଦେଉଛ । ଆସନ୍ତାକାଲି ପାଇଁ କିଛି ରଖୁନାହ । ତା’ହେଲେ ଆସନ୍ତାକାଲି ଭଲା ଆମେ କେମିତି ଚଳିବା ?

 

ମହାତ୍ମା ମହମ୍ମଦ ହସି ହସି କହିଲେ–ତୁମେ କ’ଣ ଭାବୁଛ ଆଜି ଆମ ପାଖରେ ଖୋଦା ଅଛନ୍ତି ଓ ଆସନ୍ତା କାଲି ଆମ ପାଖରେ ସଇତାନ ରହିବ ? ମୁଁ ପରମଦାତା ପରମେଶ୍ୱରଙ୍କର ଲୋକ । ତାଙ୍କ ଉପରେ ମୋର ବିଶ୍ୱାସ ଆଜି ଯେମିତି ଅଛି–ଆସନ୍ତାକାଲି ମଧ୍ୟ ସେମିତି ରହିବ । ସେହି ଦିନ୍‍ ଦୁନିଆର ମାଲିକ ଖୋଦା–ତାଲ୍ଲା ଆଜି ଆମକୁ ଯେମିତି ଅନୁଗ୍ରହ କରିଛନ୍ତି–ଆସନ୍ତାକାଲି ମଧ୍ୟ ସେମିତି ଆମକୁ ଅନୁଗ୍ରହ କରିବେ । ତୁମେ ନାସ୍ତିକ ଅବିଶ୍ୱାସୀଙ୍କ ଭଳି ଭବିଷ୍ୟତ ପାଇଁ ବୃଥା ଚିନ୍ତା ଓ ଉଦ୍‌ବେଗ ରଖନାହିଁ ।

 

ଏହିପରିଭାବେ ମହାତ୍ମା ମହମ୍ମଦ ଗୋଟିଏ ପଇସା ବି ନିଜପାଇଁ ସଞ୍ଚି ନରଖି ସବୁକିଛି ଅସହାୟ ଲୋକଙ୍କୁ ବାଣ୍ଟି ଦେଇ ନିଜେ ଫକୀରଟିଏ ଭଳି ଚଳୁଥିଲେ । ଦିନେ ମହମ୍ମଦ ଭୀଷଣଭାବେ ରୋଗାକ୍ରାନ୍ତ ହେଲେ ଏବଂ ବୈଦ୍ୟ କବିରାଜମାନଙ୍କର ସନ୍ଦେହ ହେଲା–ସେ ହୁଏତ ଆଉ ଦୁଇ ତିନୋଟି ଦିନରୁ ବେଶି ବଞ୍ଚି ନ ପାରନ୍ତି । ଏହା ବୁଝି ତାଙ୍କର ପତ୍ନୀ ଭବିଷ୍ୟତ ଆଶଙ୍କାରେ ଭକ୍ତମାନଙ୍କ ପ୍ରଦତ୍ତ ଉପହାର ଦ୍ରବ୍ୟ ଭିତରୁ ପାଞ୍ଚଟି ସ୍ୱର୍ଣ୍ଣମୁଦ୍ରା ତାଙ୍କ ବିଛଣା ତଳେ ଲୁଚାଇ ରଖିଲେ ।

 

ଠିକ୍‍ ଅଧରାତିରେ ମହମ୍ମଦଙ୍କ ନିଦ୍ରା ଭାଙ୍ଗିଗଲା ଏବଂ ସେ ଅସ୍ତବ୍ୟସ୍ତ ହୋଇ ବିଛଣା ଉପରେ ବାଡ଼େଇ କଚାଡ଼ି ହେଲେ ଏବଂ ତାଙ୍କର ସମସ୍ତ ଶରୀର ଜଳାପୋଡ଼ା କରିବାକୁ ଲାଗିଲା । ସେ ବାରମ୍ବାର ବିଛଣାକୁ ଏପଟସେପଟ କରିବାକୁ ଲାଗିଲେ । ହଠାତ୍‍ ତାଙ୍କ ଆଖିରେ ପଡ଼ିଲା ଯେ ପାଞ୍ଚଟି ସ୍ୱର୍ଣ୍ଣମୁଦ୍ରା ଗୋଟିଏ ମୁଣା ଭିତରେ ପଶି ବିଛଣାତଳେ ରଖାହୋଇଛି । ସେ ତାଙ୍କ ପତ୍ନୀଙ୍କୁ ଲକ୍ଷ୍ୟ କରି ସେହି ସ୍ୱର୍ଣ୍ଣମୁଦ୍ରାଗୁଡ଼ିକୁ ଦେଖାଇ କହିଲେ–ମୋର ହଠାତ୍‍ କେମିତି ମନେହେଲା ଯେ ଆଜି ମୋତେ କେହି ଫକୀର ହେବାରୁ ବଞ୍ଚିତ କରିଛି । ତେଣୁ ମୁଁ ବିଛଣାତଳ ଉଣ୍ଡାଳି ବସିଲି ଓ ଏହି ପାଞ୍ଚଟି ସ୍ୱର୍ଣ୍ଣମୁଦ୍ରା ପାଇଲି ।

 

ପତ୍ନୀ ପ୍ରଶ୍ନ କଲେ–ବର୍ତ୍ତମାନ ମୋର କର୍ତ୍ତବ୍ୟ କ’ଣ କୁହନ୍ତୁ ଓ ମୋର ଭୁଲ କ୍ଷମା କରନ୍ତୁ-

 

ଈଶ୍ୱରଦୂତ ମହମ୍ମଦ କହିଲେ–ଏହି ଅଧରାତିରେ ତୁମେ କାହାକୁ ଡାକି ଏଇ ସ୍ୱର୍ଣ୍ଣମୁଦ୍ରାତକ ଦାନ କରିଦିଅ । ତା’ହେଲେ ମୁଁ ଚିରଶାନ୍ତିରେ ଆଖିବୁଜି ପାରିବି ।

 

ମହମ୍ମଦଙ୍କ ପତ୍ନୀ ସେହି ଅଧରାତିରେ ବାହାରକୁ ଯାଇ ଦେଖିଲେ ଯେ ଜଣେ ଦରିଦ୍ରା ସ୍ତ୍ରୀ ଲୋକ ତାଙ୍କ ଦ୍ୱାରରେ ଅପେକ୍ଷା କରିଛି । ସେ ତାକୁ ସେହି ସ୍ୱର୍ଣ୍ଣମୁଦ୍ରାତକ ଦେଇଦେଲେ ।

 

ଏହାପରେ ମହାତ୍ମା ମହମ୍ମଦ ତାଙ୍କ ପତ୍ନୀଙ୍କୁ ଲକ୍ଷ୍ୟ କରି କହିଲେ–ପ୍ରିୟତମେ ! ଦେଖିଲତ ? ଈଶ୍ୱର ଅଧରାତିରେ ବି ଜାଗ୍ରତ ଥାନ୍ତି ଓ ତାଙ୍କର ବିଶ୍ଵାସୀମାନଙ୍କୁ ସାହାଯ୍ୟ କରୁଥାନ୍ତି-। ଯଦି ଆଜି ଅଧରାତିରେ କିଏ ତୁମ ପାଖକୁ ନେବାକୁ ଆସିଛି–ତେବେ ନିଶ୍ଚିତ ଥାଅ-। ଆସନ୍ତାକାଲି ଅଧରାତିରେ ବି କେହି ଜଣେ ତୁମକୁ ଦେବାକୁ ଆସିବ । ସେହି ପରମ ଭରସାଦାୟୀ ଈଶ୍ୱରଙ୍କ ଉପରେ ଆସ୍ଥା ରଖ । ପାଞ୍ଚଟି ବା ପାଞ୍ଚଲକ୍ଷ ସୂର୍ଣ୍ଣମୁଦ୍ରା ତୁମକୁ ଆସନ୍ତାକାଲି ପାଇଁ କୌଣସି ଭରସା ଦେଇପାରିବ ନାହିଁ ।

 

ଡହରାନନ୍ଦଜୀ ସେଦିନ ଏହିଠାରେ କଥାଟିକୁ ସମାପ୍ତ କରି ନୀରବ ହେଲେ ।

☆☆☆

 

ନ ଦେଖି ବିଶ୍ୱାସ ନା ଦେଖି ବିଶ୍ୱାସ ?

 

ତା’ପରଦିନ ମଧ୍ୟ ଡହରାନନ୍ଦଜୀଙ୍କ ସହିତ କଟକର ସେହି ଯୁବକମାନେ ସନ୍ଧ୍ୟାପୂର୍ବରୁ ମହାନଦୀକୂଳସ୍ଥ ଗଡ଼ଗଡ଼ିଆ ଘାଟଠାରେ ମିଳିତ ହୋଇଥିଲେ । କିନ୍ତୁ ସେଦିନ ସେମାନେ ସେଠାରେ ନ ବସି ମହାନଦୀ କୂଳେକୂଳେ ଚହଟାଘାଟ ପର୍ଯ୍ୟନ୍ତ ଚାଲିଚାଲି ଗଲେ ଏବଂ ସେହିଠାରେ ସୂର୍ଯ୍ୟାସ୍ତ ହୁଅନ୍ତେ ସେମାନେ ସେଠାରେ କିଛି ସମୟ ବସିଲେ । ସେଦିନ ମଧ୍ୟ ସେହି ଯୁବକମାନଙ୍କ ସହିତ ଗତକାଲିର ସେହି ଜୀବନବୀମା କର୍ମଚାରୀ ମୁସଲମାନ୍‍ ଯୁବକ ଜଣକ ଥିଲେ-। କାରଣ ଗତ ସନ୍ଧ୍ୟାରେ ଡହରାନନ୍ଦଜୀ ମହାପୁରୁଷ ମହମ୍ମଦଙ୍କ ସମ୍ବନ୍ଧେ ଯୋଉ କଥାଟି କହିଥିଲେ ତାହା ତାଙ୍କୁ ଖୁବ୍‍ ମୁଗ୍‌ଧ କରିଥିଲା । ଏବଂ ଡହରାନନ୍ଦଜୀଙ୍କର ଉଦାର, ସରଳ, ସହଜ, ସ୍ନେହୀ ବ୍ୟକ୍ତିତ୍ୱରେ ମଧ୍ୟ ସେ ଖୁବ୍‍ ଆକୃଷ୍ଟ ହୋଇଥିଲେ । ତାଙ୍କ ମନରେ ମଧ୍ୟ କେତେକ ପ୍ରଶ୍ନ ଓ ଜିଜ୍ଞାସା ରହିଥିଲା । ତେଣୁ ଆଜି ସେ ପ୍ରଥମରୁ ଆଉ କାହାକୁ କହିବାକୁ ନଦେଇ ହଠାତ୍‍ କହି ଉଠିଲେ–

 

ଡହରାନନ୍ଦଜୀ ! କାଲିସନ୍ଧ୍ୟାରେ ଆପଣ ଆସ୍ଥା, ବିଶ୍ଵାସ, ନିର୍ଭରତା ପ୍ରଭୃତି କଥା କହୁକହୁ ଦିବ୍ୟଦୂତ ମହମ୍ମଦଙ୍କ ଚରିତ୍ରରୁ ଯୋଉ ଆଖ୍ୟାନଟି କହିଲେ ତାହା ପ୍ରକୃତରେ ଖୁବ୍‍ ଗଭୀର ଭାବେ ମୋର ହୃଦୟକୁ ତରଳାଇ ଦେଲା । କିନ୍ତୁ କାଲି ରାତିରେ ମୋ ମନରେ ବହୁ ପ୍ରଶ୍ନ ମଧ୍ୟ ଉଠିଲା । ଆଚ୍ଛା ଡହରାନନ୍ଦଜୀ ! ଆପଣ କ’ଣ ମୁସଲମାନ ଧର୍ମ ଉପରେ ବିଶ୍ୱାସ କରନ୍ତି ?

 

ଡହରାନନ୍ଦଜୀଙ୍କ ଦୁଇ ଆଖିରେ ଖୁସୀ କୌତୁକ ଝଲମଲ କରିଉଠିଲା । କିନ୍ତୁ ସନ୍ଧ୍ୟା ହୋଇ ଆସିବାରୁ ତାହା କାହା ଦୃଷ୍ଟିରେ ପଡ଼ିଲାନାହିଁ । କିନ୍ତୁ ତାଙ୍କ କଣ୍ଠସ୍ୱରରେ ଏକ ଶିଶୁସୁଲଭ ସହଜ ସରଲସତତା ଫୁଟି ଉଠିଲା, ସେ କହିଲେ–ମିଆଁ ସାହେବ ! ମୁଁ କୌଣସି ଧର୍ମରେ ବିଶ୍ଵାସ କି ଆସ୍ଥାରଖି ନାହିଁ । କିନ୍ତୁ ସବୁ ଧାର୍ମିକମାନଙ୍କ ପ୍ରତି ମୋର ଖୁବ୍‍ ଆସ୍ଥା, ବିଶ୍ଵାସ ଓ ସମ୍ମାନ ରହିଛି । ଏ ପୃଥିବୀର ଆରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ଯେଉଁ କେତେକ ମୁଷ୍ଟିମେୟ ମହାମାନବ ବା ଦିବ୍ୟମାନବ ଜନ୍ମ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଫେଟ୍‍ ମହମ୍ମଦ ମୋ ଆଖିକୁ ସମାନ ଉଜ୍ଜ୍ୱଳ ହୋଇ ଦିଶନ୍ତି । କିନ୍ତୁ ଦୋସ୍ତ ! କେବେ ଭାବିବ ନାହିଁ ଯେ ମୁଁ ମହମ୍ମଦଙ୍କୁ ଭଲପାଏ ବୋଲି ଦିନେ ମୁସଲମାନ ଧର୍ମର ଜାଲ ଭିତରେ ପଡ଼ିଯିବି । ସେମିତି ମଧ୍ୟ କେବେ ଭାବିବ ନାହିଁ ଯେ ମୁଁ ଶ୍ରୀକୃଷ୍ଣଙ୍କୁ ଭଲ ପାଏ ବୋଲି ହିନ୍ଦୁଧର୍ମର ଜାଲ ଭିତରେ ବନ୍ଧା ହୋଇପଡ଼ିଛି । ମୋର କୌଣସି ଧର୍ମାଚାର ନାହିଁ । କିନ୍ତୁ ମୁଁ ସବୁ ଧର୍ମର ଦିବ୍ୟ ପୁରୁଷମାନଙ୍କୁ ଧରି ଖୁବ୍‍ ଆସ୍ଥା, ବିଶ୍ଵାସ ଓ ଆନନ୍ଦର ସହିତ ଜୀବନ ବଞ୍ଚୁ ଥାଏ ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନକଲେ–ମହାଶୟ ! ମହମ୍ମଦ ସିନା ଈଶ୍ୱରଙ୍କୁ ଦେଖିଥିଲେ ବୋଲି ତାଙ୍କର ତାଙ୍କ ଉପରେ ବିଶ୍ଵାସ ଓ ଆସ୍ଥା ଥିଲା । ଆମେତ ଈଶ୍ୱରଙ୍କୁ ଦେଖିନୁ, ଆମର ତାଙ୍କ ଉପରେ ଆସ୍ଥା ଓ ବିଶ୍ଵାସ କେମିତି ଆସିବ ଭଲା ?

 

ଡହରାନନ୍ଦ କହିଲେ–ତୁମେ ଯେମିତି ଈଶ୍ୱରଙ୍କୁ ଦେଖିନ କି ତାଙ୍କ ସ୍ୱର ଶୁଣିନ ମୁଁ ମଧ୍ୟ ସେମିତି ତାଙ୍କୁ ଦେଖିନି, ତାଙ୍କ ସ୍ୱର ଶୁଣିନି । କିନ୍ତୁ ତୁମେ କ’ଣ ମଣିଷକୁ ଦେଖିନ ? ମଣିଷର ସ୍ୱର ଶୁଣିନ ? ଈଶ୍ୱରଙ୍କୁ ଦେଖିଥିବା କୌଣସି ମଣିଷକୁ ବି ଦେଖିନାହଁ ? ଏ ପ୍ରଶ୍ନ ଶୁଣୁ ଶୁଣୁ ସବୁ ଯୁବକ ଏକାସ୍ୱରରେ କହି ଉଠିଲେ–ନା–ନା–ନା–ମହାଶୟ ! ଆମେ ଏ ପର୍ଯ୍ୟନ୍ତ ଏପରି ମଣିଷ ଦେଖିନାହୁଁ–ଯାହା ଉପରେ ଆମର ଆସ୍ଥା ଆଉ ବିଶ୍ଵାସ ହେବ । ଆମେ ଏ ପର୍ଯ୍ୟନ୍ତ ଏମିତି ମଣିଷ ସ୍ୱର ଶୁଣିନାହୁଁ ଯୋଉ ସ୍ୱର ଉପରେ ଆମର ପ୍ରତ୍ୟୟ ହୋଇଯିବ ।

 

ଡହରାନନ୍ଦ ଏଥର ହୋହୋ କରି ହସି ଉଠିଲେ । ତା’ ପରେ କିଛି ମୁହୂର୍ତ୍ତ ନୀରବ ରହି ପୁଣି କହିଲେ ତା’ହେଲେ ତୁମେମାନେ ନିଶ୍ଚିତଭାବେ ହତଭାଗ୍ୟ । ତୁମ କଥାରୁ ଜଣା ପଡ଼ୁଛି–ତୁମେମାନେ ତୁମର ବାପ ମାଆଙ୍କୁ ବି ବିଶ୍ଵାସ କରନାହିଁ । ତୁମ ସମସ୍ତଙ୍କ ବାପା ମାଆ କ’ଣ ଡାକୁ ବଦ୍‍ମାସ ?

 

ଯୁବକମାନେ ସମସ୍ତେ ସମସ୍ୱରରେ କହିଲେ–ନା ମହାଶୟ ନା । ଆମ ବାପାମାଆମାନେ କେହି ଅବଶ୍ୟ ଡାକୁ ବଦମାସ ନୁହନ୍ତି । କିନ୍ତୁ କେହି ମଧ୍ୟ ମହମ୍ମଦ, ଯୀଶୁଖ୍ରୀଷ୍ଟ, ବୁଦ୍ଧ ବା ଶ୍ରୀକୃଷ୍ଣଙ୍କ ପରି ଦିବ୍ୟ ମଣିଷ ନୁହନ୍ତି । ତେଣୁ ଆମେ କିପରି ଭଲା ଆମ ଜୀବନର ସବୁକଥା ଲାଗି ସେମାନଙ୍କ ଉପରେ ଆସ୍ଥା ଆଉ ବିଶ୍ୱାସ ରଖିପାରିବୁ ?

 

ଡହରାନନ୍ଦ ହଠାତ୍‍ କିଛି ଉତ୍ତର ନଦେଇ କେତୋଟି ମିନିଟ୍‍ ଖୁବ୍‍ ନୀରବ–ହୋଇ ବସିଲେ । ତା’ପରେ ଖୁବ୍‍ ସରସ ଓ ଲଘୁ ସ୍ୱରରେ କହିଲେ–

 

ବୁଝିଲ ବାବୁମାନେ ! ତୁମେ ଯେଉଁମାନଙ୍କ ନାମ କହିଗଲ ସେହି ଖ୍ରୀଷ୍ଟ ବୁଦ୍ଧ, ମହମ୍ମଦ ପ୍ରଭୃତି ଦିବ୍ୟମଣିଷମାନଙ୍କର ବାପାମାଆ ମଧ୍ୟ ତୁମ ବାପା ମାଆଙ୍କ ପରି ଖୁବ୍‍ ସାଧାରଣ ମଣିଷ ଥିଲେ । ପୃଥିବୀରେ ଏପରି ବହୁ ଦିବ୍ୟ ମଣିଷ ଜନ୍ମ ହୋଇଛନ୍ତି–ଯେଉଁମାନଙ୍କ ବାପା ମାଆ ପ୍ରହ୍ଲାଦଙ୍କ ବାପା ଅସୁର ହିରଣ୍ୟ କଶିପୁଙ୍କଠାରୁ ମଧ୍ୟ କଦର୍ଯ୍ୟ ପ୍ରକୃତିର ଥିଲେ । କଥାଟା ସେଠି ନାହିଁ । ଆସ୍ଥା ଓ ବିଶ୍ଵାସ ଗୋଟିଏ ମହାନ ମାନବୀୟ ଗୁଣ । କେତେକ ମଣିଷ ଅଛନ୍ତି ଯେଉଁମାନଙ୍କର ସହଜରେ ଗୋଟିଏ ଗୋଟିଏ ମୁହୂର୍ତ୍ତରେ ଆସ୍ଥା ଓ ବିଶ୍ୱାସ ଆସିଯାଏ । ଆଉ କେତେକ ତାଙ୍କ ମନଭିତରୁ ଅନାସ୍ଥାଭାବ ଓ ଅବିଶ୍ୱାସ ଭାବକୁ ପ୍ରତି ମୁହୂର୍ତ୍ତରେ ଦୂର କରିବାକୁ ଚେଷ୍ଟା କରୁ କରୁ ଦିନେ ତାଙ୍କ ଭିତରେ ଆସ୍ଥା ଓ ବିଶ୍ଵାସ ଭାବ ହଠାତ୍‍ ଉଦୟ ହୋଇଯାଏ । ଆସ୍ଥା ଓ ବିଶ୍ୱାସ ଭାବ ମଣିଷ ପାଇଁ ଏକ ଅସ୍ତିତ୍ୱମୂଳକ ମାନସିକ ବୃତ୍ତି ବା ହାର୍ଦ୍ଦିକ ବୃତ୍ତି । ଯାହାର ମନ ବା ହୃଦୟରେ ଏ ଦୁଇଟି ସଦ୍‌ଭାବ ଆସି ନାହିଁ–ତା’ ଜୀବନ କେବେ ବି ସୁଖମୟ ହୋଇ ପାରେନା–ଆପଦଶୂନ୍ୟ ହୋଇପାରେନା ।

 

ଏହା ଶୁଣି ଜଣେ ଯୁବକ କହିଲେ–ତା’ ହେଲେ କହନ୍ତୁ–ଆମେ କିପରି ସେହି ଦୁଇଟି ଗୁଣକୁ ଅର୍ଜନ କରି ପାରିବୁ ? ଡହରାନନ୍ଦ କହିଲେ–ସେପରି ଏକ ସୋଜା ମାର୍ଗ ମତେ ଜଣାନାହିଁ-। ତେବେ ଏ ସଂପର୍କରେ ମୁଁ ଗୋଟିଏ କଥା ଧ୍ରୁବ ଜାଣିଛି ଯେ, ତୁମ ହୃଦୟ ମନ ଯଦି ସବୁବେଳେ ସବୁ ପ୍ରତି ଓ ସମସ୍ତଙ୍କ ପ୍ରତି ସଦ୍ଦିଚ୍ଛା, ଶୁଭେଚ୍ଛା ଓ ପ୍ରୀତିଭାବରେ ପୂର୍ଣ୍ଣ ରହିବ, ତେବେ ତୁମର ସବୁ ପ୍ରତି ଓ ସମସ୍ତଙ୍କ ପ୍ରତି ଏକ ଶୁଭ ଆସ୍ଥା ଆଉ ବିଶ୍ଵାସ ଭାବ ମଧ୍ୟ ବଳେ ଆସିଯିବ । ତେଣିକି ତୁମେ ଈଶ୍ୱରଙ୍କୁ ବିଶ୍ଵାସ କର ବା ମଣିଷକୁ ବିଶ୍ଵାସକର ବା ପ୍ରାଣୀଟିକୁ ବିଶ୍ୱାସ କର ବା ଗଛଟିକୁ ବିଶ୍ଵାସ କର–ସେଥିରେ କିଛି ଯାଏ ନାହିଁ । ଯେ ପ୍ରକୃତରେ ଭଲପାଏ ସେ ହିଁ ପ୍ରକୃତରେ ବିଶ୍ଵାସ କରେ-। ପ୍ରକୃତ ବିଶ୍ୱାସ କୌଣସି ପ୍ରମାଣକୁ ଅପେକ୍ଷା ରଖେନାହିଁ । ଲାଭ କ୍ଷତିକୁ ମଧ୍ୟ ପରୁଆ କରେ ନାହିଁ-। ପ୍ରକୃତ ବିଶ୍ଵାସ ବା ଆସ୍ଥା ଆମର ଛୋଟ ଛୋଟ ଲାଭ କ୍ଷତିକୁ ଗଣନା ନକରି ଜୀବନର ପରିପୂର୍ଣ୍ଣତା ଆଡ଼କୁ ଆମକୁ ଟାଣିନିଏ । ଆସ୍ଥା ଓ ବିଶ୍ଵାସ ହିଁ ଦିଏ ଯଥାର୍ଥ ଆନନ୍ଦ । ଅନାସ୍ଥା ଓ ଅବିଶ୍ୱାସ ଜୀବନକୁ ଯନ୍ତ୍ରଣାରେ କଲବଲ କରିଥାଏ । ଏବେ ଗପଟିଏ କହୁଛି ଶୁଣ–

 

ଗୋଟିଏ ଗ୍ରାମରେ ଜଣେ ସନ୍ନ୍ୟାସୀ ଥିଲେ । ସେ ସର୍ବଦା ତାଙ୍କର ଭଗବାନଙ୍କୁ ନେଇ ମାତିଥାନ୍ତି । ପାଇଲେ ଖା’ନ୍ତି ନଇଲେ ନାହିଁ । ଯୋଉଠି ଇଚ୍ଛା ସେଠି ଶୋଇପଡ଼ନ୍ତି । ସବୁବେଳେ ଶ୍ରୀକୃଷ୍ଣଙ୍କ ଚରିତକୁ ନେଇ ଭଜନ କୀର୍ତ୍ତନରେ ମାତିଥାନ୍ତି । ଖରା, ବର୍ଷା, ଶୀତ, କାକର କୋଉଥିକି ତାଙ୍କର ଖାତିର ନଥାଏ । ଗାଁ ଶେଷ ବରଗଛ ମୂଳେ କୁଡ଼ିଆଟିଏ କରି ସେଠାରେ ରହୁଥାନ୍ତି ।

 

ଦିନେ ସେହି ଗ୍ରାମର ସବୁଠାରୁ ଧନୀ ଓ ପ୍ରତାପଶାଳୀ ଜମିଦାର ସେହି ସନ୍ନ୍ୟାସୀଙ୍କ ପାଖକୁ ଯାଇ ତାଙ୍କ ପ୍ରତି ଦୟାପରବଶ ହୋଇ କହିଲେ–

 

ହେ ବାବାଜୀ ! ଆପଣ ଏଠାରେ ଏପରି ଅଳସୁଆମୀ କରି ଏତେ କଷ୍ଟକର ଜୀବନ କାହିଁକି ବଞ୍ଚୁଛନ୍ତି ? ମୋ ଘରକୁ ଆସନ୍ତୁ । ମୁଁ ଆପଣଙ୍କୁ ଆପଣଙ୍କ ଉପଯୋଗୀ ଚାକିରୀଟିଏ ଦେବି-। ଏଣୁ ତେଣୁ ଚାକିରୀ ନୁହେଁ । ମୋ ଘରେ ଜଗନ୍ନାଥ ମନ୍ଦିର ଅଛି । ଆପଣ ସେହି ମନ୍ଦିରରେ ଠାକୁରଙ୍କୁ ପୂଜାଅର୍ଚ୍ଚନା କରିବେ ଏବଂ ମୁଁ ଆପଣଙ୍କର ସବୁ ସୁଖ ସୁବିଧା କଥା ବୁଝିବି ।

 

ଜମିଦାରଙ୍କ ମୁହଁରୁ ଏହି ପ୍ରସ୍ତାବ ଶୁଣି ସେହି ଅନିନେତ ଓ ଅବଧୂତ ବାବାଜୀ ହସିହସି ଖୁବ୍‍ ବିନୟରେ କହିଲେ–

 

ହେ ଦୟାଳୁ ଜମିଦାର ! ମୋତେ ଆପଣ କ୍ଷମା କରିବେ । ଆପଣଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ ଦେଉଛି । କିନ୍ତୁ ପାଞ୍ଚୋଟି କାରଣରୁ ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କରି ପାରିବି ନାହିଁ ।

 

ଜମିଦାର କିଞ୍ଚିତ୍‍ କ୍ଷୁର୍ଣ୍ଣ ହୋଇ କହିଲେ–ତାହାହେଲେ ପାଞ୍ଚଟିଯାକ କାରଣ ଆପଣ ପ୍ରକାଶ କରନ୍ତୁ । ସନ୍ନ୍ୟାସୀ କହିଲେ–ପ୍ରଥମଟି ହେଲା–ଭବିଷ୍ୟତରେ ଆପଣ ଆପଣଙ୍କ ସର୍ତ୍ତ ଭାଙ୍ଗି ଦେଇ ପାରନ୍ତି । ଦ୍ଵିତୀୟଟି ହେଲା–ଆପଣଙ୍କର ସମସ୍ତ ଧନ ଉପରେ ଡକାଏତି ହୋଇପାରେ ବା ଆପଣ ଜମିଦାରୀ ହରାଇ ପାରନ୍ତି । ତୃତୀୟରେ ଆପଣ ମତେ ବର୍ତ୍ତମାନ ଯାହାସବୁ ଦେବା ପାଇଁ କହୁଛନ୍ତି–ଭବିଷ୍ୟତରେ ଦିନେ ସେଥିପାଇଁ ଆପଣଙ୍କର କୁଣ୍ଠା ଆସିଯାଇ ପାରେ । ଚତୁର୍ଥରେ ଆପଣ ଯଦି କେବେ ମୋର କିଛି ଗୁରୁତର ଦୋଷ ଦେଖିବେ ତା’ହେଲେ ମୋ ପ୍ରତି ବିରକ୍ତ ହୋଇ ମତେ ଚାକିରୀରୁ ବାହାର କରି ଦେଇପାରନ୍ତି । ପଞ୍ଚମରେ ଯଦି ମୋ ପୂର୍ବରୁ ଆପଣଙ୍କର ମୃତ୍ୟୁ ହୁଏ [ଭଗବାନ ନ କରନ୍ତୁ] ତେବେ ଆପଣଙ୍କର ଉତ୍ତରାଧିକାରୀମାନେ ମୋତେ ଚାକିରୀରୁ ବାହାର କରି ଦେଇ ତାଙ୍କର ପ୍ରିୟଲୋକଙ୍କୁ ରଖିପାରନ୍ତି । ହେ ଜମିଦାର ମହାଶୟ ! ଆପଣ ଏବେ ଜାଣିରଖନ୍ତୁ–ମୋର ଏପରି ଜଣେ ପ୍ରଭୁ ଅଛନ୍ତି ଯାହାଙ୍କଠାରେ ମୁଁ ଆଶ୍ରୟ ନେଇଛି ତାଙ୍କଠାରେ ଏହି ପାଞ୍ଚଟିଯାକ ଦୋଷ ନାହିଁ । ଏବେ ବୁଝନ୍ତୁ ମୁଁ ମୋର ସଦାପ୍ରଭୁଙ୍କୁ ଛାଡ଼ି ଆପଣଙ୍କ ପାଖେ ଚାକିରୀ କରିବାକୁ ଯିବି କାହିଁକି ?

 

ଜମିଦାର ଖୁବ୍‍ ଅପ୍ରତିଭ ହୋଇ କହିଲେ–ହେ ସନ୍ନ୍ୟାସୀ ! ଆପଣ କ’ଣ ଆପଣଙ୍କ ପ୍ରଭୁଙ୍କୁ କେବେ ଦେଖିଛନ୍ତି ?

 

ସନ୍ନ୍ୟାସୀ ହସି ହସି କହିଲେ–ମୁଁ ତାଙ୍କୁ ଦେଖେ ନଦେଖେ, ମୋର ବିଶ୍ୱାସ ଦୃଢ଼ ଯେ ସେ ମତେ ପ୍ରତିମୁହୂର୍ତ୍ତରେ ଦେଖୁଛନ୍ତି । ଜମିଦାର ତଥାପି ପଚାରିଲେ–ଆଚ୍ଛା ଯଦି କେବେ କୌଣସି କାରଣରୁ ଆପଣଙ୍କର ଆପଣଙ୍କ ପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ଵାସ କଟିଯାଏ ?

 

ସନ୍ନ୍ୟାସୀ ଏଥର ହୋ ହୋ କରି ହସି ଉଠି କହିଲେ–ମୋର ସେହି ସଦାଶୟ କରୁଣାମୟ ପ୍ରଭୁ କ’ଣ କେବେ ମୋର ଆସ୍ଥା ଓ ବିଶ୍ଵାସକୁ ପରୁଆ କରନ୍ତି ? ମୋର ଦୃଢ଼ ବିଶ୍ଵାସ–ମୁଁ ତାଙ୍କୁ କେବେ ଛାଡ଼ି ଦେଲେ ବି ସେ ମତେ କେବେ ଛାଡ଼ିବେ ନାହିଁ....

 

ଡହରାନନ୍ଦଜୀ ଏହିଠାରେ କଥାଟିକୁ ଶେଷ କରି ହସି ହସି କହିଲେ–ବାବୁମାନେ ! ଏବେ ବୁଝିଲତ, ପ୍ରକୃତ ଆସ୍ଥା ଓ ବିଶ୍ୱାସ କାହାକୁ କୁହାଯାଏ ?

☆☆☆

 

Unknown

କିଏ କାହାର ଶତ୍ରୁ ?

 

ବାବା ଡହରାନନ୍ଦ କଟକରେ ରହିବାର ଶେଷ ଦିନର ସନ୍ଧ୍ୟା । ଏଇ ସନ୍ଧ୍ୟାରେ ମଧ୍ୟ ପୂର୍ବୋକ୍ତ ଯୁବକମାନେ ଡହରାନନ୍ଦଙ୍କୁ ଘେରି ମହାନଦୀକୂଳରେ ବସିଥିଲେ ଏବଂ ନାନାଦି ବିଷୟରେ ଆଳାପ ଆଲୋଚନା କରିଥିଲେ। । ତତ୍‌ପରଦିନ ଡହରାନନ୍ଦଜୀ କଟକ ଛାଡ଼ି ରାଜଧାନୀକୁ ଫେରି ଆସିବେ । ଯୁବକମାନେ ଏହା ଶୁଣି ଖୁବ୍‍ ଦୁଃଖିତ ହେଲେ ଏବଂ ଗତ ତିନି ଚାରିଦିନ ଧରି ତାଙ୍କର ସାନ୍ନିଧ୍ୟ ଓ ଆଳାପ ଆଲୋଚନା ପାଇଁ ଖୁବ୍‍ କୃତଜ୍ଞତା ଜଣାଇଲେ । କିଛି ସମୟ ଏଣୁ ତେଣୁ କଥାବାର୍ତ୍ତା ପରେ ଜଣେ ଯୁବକ ପ୍ରଶ୍ନକଲେ–ଡହରାନନ୍ଦ ଜୀ ! ଏଇ କେତେଦିନ ଆମେ ଆମର ଚିନ୍ତାପାଇଁ ଆପଣଙ୍କଠାରୁ ବହୁତ କିଛି ଖୋରାକ ପାଇଲୁ । ଆଜି ତ ଆପଣଙ୍କ ସହିତ ଆମର ଶେଷ ଦିନ । ଦୟାକରି ମୋର ଏଇ ଜିଜ୍ଞାସାଟିର କିଛି ସମାଧାନ ଦିଅନ୍ତୁ । ମୋର ପ୍ରଶ୍ନଟି ହେଲା–ମଣିଷ ତା’ ଜୀବନରେ ବଞ୍ଚିବାକୁ ହେଲେ ସବୁଆଡ଼କୁ ଚାହିଁ ବଞ୍ଚିବାକୁହେବ । କାରଣ ମଣିଷର ଶତ୍ରୁ ସଂଖ୍ୟା ଗଣିହେବ ନାହିଁ । ଦୃଶ୍ୟ ଅଦୃଶ୍ୟ ସବୁ ସ୍ଥାନୀୟ ମଣିଷର ଶତ୍ରୁ ଘେରି ରହିଛନ୍ତି । ଟିକିଏ ଅସାବଧାନ ହେଲେ ଆଉ ରକ୍ଷା ନାହିଁ । ସେଥିପାଇଁ ଆଧୁନିକ ମଣିଷ ସବୁଆଡ଼ୁ ଜଗିରଖି ଚଳିବାକୁ ପଡ଼େ ଏବଂ ସେଇଥି ପାଇଁ ଆମେ ଯେଉଁମାନେ ଏଇ ଆଧୁନିକ ଯୁଗରେ ବଞ୍ଚି ରହିଛୁ–ଆମର ମନରେ ସବୁବେଳେ ସମସ୍ତଙ୍କ ଉପରେ ସନ୍ଦେହ ଓ ସଂଶୟ ବଢ଼ି ବଢ଼ି ଚାଲିଛି । ଜଣେ ଯଦି ନିଜକୁ ସର୍ବଦା ଶତ୍ରୁଙ୍କ ଦ୍ୱାରା ସମାବୃତ୍ତ ବୋଲି ଭାବିବ, ସେତେବେଳେ ତା’ର ମନରେ ସବୁବେଳେ ଭୟ ଓ ଆଶଙ୍କା ନ ରହିବ ଭଲା କିପରି ?

 

ଡହରାନନ୍ଦଜୀ କହିଲେ–ତୁମେ ଯାହା କହୁଛ–ବାସ୍ତବରେ କିନ୍ତୁ ସେ କଥା ସତ ନୁହଁ । ମୁଁ ଏ ପ୍ରସଙ୍ଗରେ ଆଉ ଦିନେ ଆଲୋଚନା କରି ସାରିଛି । ଅସଲ କଥାଟି କ’ଣ ଜାଣ ? ତୁମେ ପିଲାଦିନୁଁ ସମସ୍ତଙ୍କ ମୁହଁରୁ ଗୋଟିଏ ଭୁଲ୍‍ କଥା ଓ ତଥ୍ୟ ଶୁଣି ଆସିଛ । ତୁମମାନଙ୍କୁ ସମସ୍ତେ ମିଶି ଗୋଟିଏ ଭୁଲ୍‍ ମନସ୍ତାତ୍ତ୍ଵିକ ଫାନ୍ଦ ଭିତରେ ପକାଇ ଦେଇଛନ୍ତି । ଅସଲ ଭୁଲ୍‍ଟି ହେଲା–ତୁମେ କିପରି ଜାଣିଲ ଯେ, ତୁମର ଚାରିପଟେ ଅସଂଖ୍ୟ ଅଜଣା ଶତ୍ରୁ ତୁମକୁ ଆକ୍ରମଣ କରିବେ ବୋଲି ଲୁଚି ରହିଛନ୍ତି ? ଏଇଟି ହେଲା ଏକ ମୌଳିକ ଆତ୍ମବିଶ୍ୱାସ ଓ ଏହା ହିଁ ତୁମ ହୃଦୟକୁ ଏପରି ଦୁର୍ବଳ ଓ ଛୋଟ କରିପକାଇଛି । ଆଧୁନିକ ମଣିଷ ମନରେ ମଧ୍ୟ ଏ ଗୋଟିଏ ରୋଗ । ମଣିଷ ଯେତେବେଳେ ଖୁବ୍‍ ସ୍ୱାର୍ଥପର ହୁଏ ଏବଂ ମଣିଷ ଯେତେବେଳେ ଅନ୍ୟମାନଙ୍କୁ ମାରି ନିଜେ କେବଳ ବଞ୍ଚିବାକୁ ଓ ସୁଖରେ ବଞ୍ଚିବାକୁ ଚାହେଁ–ସେତିକିବେଳେ ହିଁ ଏହି ବିକୃତ ସଂଶୟ ଭାବଟି ତା’ମୁଣ୍ଡରେ ବସା ବାନ୍ଧେ । ମୋର ଧାରଣା ଆଧୁନିକ ମଣିଷଟି ନିଜେ ହିଁ ଅନ୍ୟର ଶତ୍ରୁ ହୋଇ ଉଠିଛି । ଏ ଯୁଗର ସ୍ୱାର୍ଥାନ୍ଧ ମଣିଷ ଗଣତନ୍ତ୍ର, ସମାଜବାଦ, ସାମ୍ୟବାଦ ଆଦି ଯେତେ ବଡ଼ବଡ଼ କଥା କହୁ ପଛେ–ଅସଲରେ ସେ ଗୋଟିଏ କ୍ଷୁଦ୍ର ନିଚ୍ଚ ଓ ସ୍ୱାର୍ଥାନ୍ଧ ଜୀବ । ଆଧୁନିକ ମଣିଷର ଦାଉରେ ଆଜି ସୃଷ୍ଟିର ସବୁଜୀବ ତ୍ରସ୍ତ ଓ ବ୍ୟାକୁଳ । ଏପରିକି ବୃକ୍ଷଲତାମାନେ ମଧ୍ୟ ମଣିଷର ଦାଉରେ ତ୍ରାହି ତ୍ରାହି ଡାକିଲେଣି । ଅନ୍ୟାନ୍ୟ ଜୀବଜନ୍ତୁମାନେ କେବଳ ମଣିଷ ଛଡ଼ା ଆଉ କାହାକୁ ନିଜର ଶତ୍ରୁ ବୋଲି ଭାବୁନାହାନ୍ତି । ଆଧୁନିକ ମଣିଷ ଭାବୁଛି–ଏ ପୃଥିବୀ କେବଳ ତା’ରି ପାଇଁ ତିଆରି ହୋଇଛି । ସେଇ କେବଳ ଏଠି ରହିବ–ଆଉ କେହି ରହିବେ ନାହିଁ । ଯଦିବା କେହି ରହିବେ–ତେବେ ତାରି ବ୍ୟବହାର ଓ ସୁଖ ଭୋଗ ଲାଗି ହିଁ କେବଳ ରହିବେ । ମଣିଷ ଆଜି ନିଜକୁ ସମସ୍ତଙ୍କର ଶତ୍ରୁ କରିସାରି ଶେଷରେ ନିଜେ ହିଁ ନିଜର ଶତ୍ରୁ ହୋଇ ଉଠିଛି । ସାରା ଜଗତକୁ ତୁମେ ଭୟ ଓ ଉଦ୍‌ବେଗ ଭିତରେ ରଖିସାରି ଏବେ ତୁମେ ନିଜର ସେହି ଭୟ ଓ ଉଦ୍‌ବେଗର ଶିକାର ହେବାକୁ ବାଧ୍ୟ । କାରଣ, ତୁମରି ଭୟ ଓ ଉଦ୍‌ବେଗର ସ୍ପନ୍ଦନରେ ସାରା ପରିବେଶ ପରିପୂର୍ଣ୍ଣ । ଜଣେ ଯୁବକ କିଞ୍ଚିତ୍‍ ଉତ୍‌କ୍ଷିପ୍ତ ହୋଇ କହିଲେ–ଆଜ୍ଞା ! ମଣିଷ ହେଲା ପୃଥିବୀର ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ତେଣୁ ମଣିଷ ହିଁ ସମସ୍ତଙ୍କଠାରୁ ଶ୍ରେଷ୍ଠ ପ୍ରାଣୀ । ଆପଣ ତାହା ହେଲେ କହୁଛନ୍ତି–ମଣିଷର ସଂଖ୍ୟା ନ ବଢ଼ି ପୃଥିବୀ ସାରା ବାଘ, ବିଲୁଆ ଆଉ ଗରିଲାମାନଙ୍କ ସଂଖ୍ୟା ବଢ଼ି ଚାଲୁ ? ଚିଲ, ଶାଗୁଣା ପେଚାଙ୍କ ସଂଖ୍ୟା ବଢ଼ି ଚାଲୁ ? ତା’ ହେଲେ ମଣିଷର ସୃଷ୍ଟି ହେଲା କାହିଁକି-?

 

ଡହରାନନ୍ଦ ଏହା ଶୁଣି ହୋ ହୋ କରି ହସି ଉଠିଲେ । ତା’ପରେ ସେହି ଯୁବକର ପିଠିରେ ହାତ ଥାପୁଡ଼ାଇ କହିଲେ–ମଣିଷ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କି ନୁହେଁ ସେ କଥା ପରେ ବିଚାର କରିବା । ମାତ୍ର ଧରାଯାଉ ମଣିଷ ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ଏହାବୋଲି ସେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେବ କାହିଁକି ? ମୁଁ ଯଦି କହିବି ଯେ ତିମି ମାଛ ସବୁଠାରୁ ବିଶାଳଦେହୀ ପ୍ରାଣୀ ବା ହାତୀ ହିଁ ସବୁଠାରୁ ବଳବାନ ପ୍ରାଣୀ, ତେବେ ତୁମେ ତିମି ମାଛ ବା ହାତୀକୁ ଶ୍ରେଷ୍ଠ ପ୍ରାଣୀ ବୋଲି କାହିଁକି ନ କହିବ ? ତା’ଛଡ଼ା ବୁଦ୍ଧିମାନ ମଣିଷଟିଏ କ’ଣ ସବୁବେଳେ ମଣିଷ ପଦବାଚ୍ୟ ? ଯେଉଁସବୁ ମହତ୍‍ ଗୁଣର ଅଧିକାରୀ ହେଲେ ବୁଦ୍ଧିମାନ ମଣିଷଟିଏ ସତକୁ ସତ ମଣିଷଟିଏ ବୋଲି ଗଣ୍ୟହେବ–ସେସବୁ ସଦ୍‌ଗୁଣ ମଣିଷ ରୂପଧାରୀ କେତେ ଜଣଙ୍କର ଅଛି ? ମୋର ଧାରଣା ଲକ୍ଷ ଲକ୍ଷ ବୁଦ୍ଧିମାନ ମଣିଷ ରୂପଧାରୀ ପ୍ରାଣୀଙ୍କ ଭିତରେ ମୋଟ ଜଣେ ବା ଦୁଇଜଣ ପ୍ରକୃତ ମଣିଷ ରୂପେ ପରିଗଣିତ ହେବେ । ଦୟା, କ୍ଷମା, ସେବା, ସତ୍ୟ, ଅହିଂସା ଓ ତ୍ୟାଗ ପ୍ରଭୃତି ସଦ୍‌ଗୁଣ ଆମଭଳି ମଣିଷ ରୂପଧାରୀ ପ୍ରାଣୀଙ୍କ ଭିତରେ କେତେଜଣଙ୍କଠାରେ ଅଛି ଭଲା ? ମଣିଷର ବୁଦ୍ଧି ହିଁ ତା’ର ପ୍ରକୃତିକୁ ଆଜି ଏତେ ବିକୃତ କରି ଦେଇଛି । ଯେଉଁ ମଣିଷର ଆତ୍ମା ଉନ୍ନତ ସେ ହିଁ ଭାବେ ଜଗତରେ ସମସ୍ତେ ସୁଖୀ ହୁଅନ୍ତୁ । କେହି କାହାକୁ କଷ୍ଟ ନ ଦେଉ । କେହି କାହାଠୁଁ ଛଡ଼େଇ ନ ନେଉ । ସମସ୍ତେ ସବୁକଥା ବାଣ୍ଟି କରି ଭୋଗ କରନ୍ତୁ । କିନ୍ତୁ ଆଜି ମଣିଷ ରୂପଧାରୀ ଏହି ପ୍ରାଣୀମାନେ କ’ଣ କରୁଛନ୍ତି ? ଅନ୍ୟକୁ ମାରି ନିଜେ ବଞ୍ଚିବାକୁ ବସିଛନ୍ତି । ଫଳରେ ସମସ୍ତେ ପରସ୍ପରକୁ ମାରି ଲାଗିଛନ୍ତି ।

 

ଏତିକିବେଳେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଆପଣ ଯାହା କହିଲେ ସେ ସବୁ ସତ କଥା । ମାତ୍ର ଆପଣ କ’ଣ ଚାହାନ୍ତି–ମଣିଷ ତା’ର ଜୀବନକୁ ଅସତର୍କ ହୋଇ ବଞ୍ଚିବ ? ଜୀବନକୁ ବଞ୍ଚାଇ ରଖିବାକୁ ହେଲେ ସତର୍କତା କେତେ ଆବଶ୍ୟକ, ତାହା କ’ଣ ଆପଣ ସ୍ୱୀକାର କରିବେ ନାହିଁ ?

 

ଡହରାନନ୍ଦ କହିଲେ–ସତର୍କତାକୁ ମୁଁ ଅସ୍ୱୀକାର କରୁନାହିଁ । କିନ୍ତୁ ଆଧୁନିକ ମଣିଷ ଅନ୍ୟ ପ୍ରାଣୀକୁ ମାରିଲାବେଳେ ତା’ର ଅସତର୍କ ଅବସ୍ଥାର ସୁଯୋଗ ନେଇ ମାରେ । କିନ୍ତୁ ନିଜକୁ ବଞ୍ଚାଇ ରଖିବା ପାଇଁ ସବୁ ପ୍ରକାର ହୀନ ସତର୍କତାର ସାହାଯ୍ୟ ନେଇଥାଏ । ମଜା ଗପଟିଏ କହୁଛି ଶୁଣ । ତାହେଲେ ସ୍ୱାର୍ଥପର ମଣିଷର ହିସାବୀ ବୁଦ୍ଧିର ଛୋଟଲୋକୀ କେତେଦୂର ପର୍ଯ୍ୟନ୍ତ ଯାଇପାରେ ତାହା ବୁଝି ପାରିବ ।

 

...ୟୁରୋପରେ ଜଣେ ପ୍ରାଣୀ ବ୍ୟବସାୟୀ ଆଫ୍ରିକାରେ ଯାଇ ପହଞ୍ଚିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା କେତେକ ଜିଅନ୍ତା ଗରିଲା ଧରି ବିଭିନ୍ନ ଦେଶର ଚିଡ଼ିଆଖାନାକୁ ବିକ୍ରୀ କରିବା । କିନ୍ତୁ ଗରିଲାମାନଙ୍କୁ ଜିଅନ୍ତା ଧରିବା ବଡ଼ କଷ୍ଟକର ବ୍ୟାପାର । କିନ୍ତୁ ସେ କାର୍ଯ୍ୟ କରିବା ପାଇଁ କୌଶଳୀ ଶିକାରୀମାନେ ଥାନ୍ତି । ଏଇ ପ୍ରାଣୀ ବ୍ୟବସାୟୀଟି ଯାଇ ପହଞ୍ଚିଲେ ଜଣେ କୌଶଳୀ ଗୋରା ଶିକାରୀ ପାଖରେ । ତାକୁ ପଚାରିଲେ–ଗୋଟିଏ ଜୀଅନ୍ତା ଗରିଲା ପାଇଁ ତୁମେ କେତେ ଚାର୍ଜ କରୁଛ ? ଗୋରା ଶିକାରୀଟି କହିଲା–ମୋପାଇଁ ପାଞ୍ଚ ହଜାର ଡଲାର–ଏବଂ ହେଇ ସେଠି ଯେଉଁ ବାମନ ଆଦିବାସୀଟି ବନ୍ଧୁକ ଧରି ଠିଆ ହୋଇଛି ତା’ପାଇଁ ପାଞ୍ଚଶହ ଡଲାର ଏବଂ ମୋ ଶିକାରୀ କୁକୁର ପାଇଁ ପାଞ୍ଚଶହ ଡଲାର । ପ୍ରାଣୀ ବ୍ୟବସାୟୀଟି ସମୁଦାୟ ପାଞ୍ଚ ହଜାର ପାଞ୍ଚଶହ ଡଲାର ପାଇଁ ରାଜି ହେଲା । କିନ୍ତୁ କୁକୁର ପାଇଁ କାହିଁକି ପାଞ୍ଚ ଶହ ଡଲାର ସେ କଥା ବୁଝିପାରିଲା ନାହିଁ ।

 

ତା’ପରେ ସେମାନେ ଘନ ଜଙ୍ଗଲ ଭିତରେ ଗରିଲା ବସତିରେ ପହଞ୍ଚିଲେ । ଶିକାର ବେଳାରେ ଗୋରା ଶିକାରୀଟି ଦେଖିଲା ଯେ ଗରିଲାଟିଏ ଗୋଟିଏ ଗଛ ଉପରର ବସି ଆରାମରେ ଘୁମେଇ ପଡ଼ିଛି । ସେ ଲୁଚି ଲୁଚି ସେ ଗଛ ଉପରକୁ ଉଠି ଗରିଲାମୁଣ୍ଡକୁ କଷି କରି ପାହାରେ ପିଟି ଦେଲା । ଗରିଲାଟି ଚମକି ପଡ଼ି ଅତର୍ଚ୍ଛରେ ତଳକୁ ଖସିପଡ଼ିଲା । ଗରିଲାଟି ତଳେ ପଡ଼ିଲା ମାତ୍ରେ ଶିକାରୀର କୁକୁରଟି ବିଜୁଳି ମାର୍ଗେ ଛୁଟି ଯାଇ ଗରିଲାର ଅଣ୍ଡକୋଷକୁ କାମୁଡ଼ି ଧରିବା ଫଳରେ ଗରିଲାଟି ଅବଶ ଓ ନିଶ୍ଚଳ ହୋଇ ନିରୂପାୟ ଭାବେ ପଡ଼ିରହିଲା । ଏହି ଅବସରରେ ଗୋରା ଶିକାରୀ ଯନ୍ତାଟି ଆଣିଲା ଓ ଗରିଲାଟିକୁ ତା’ ଭିତରେ ପୂରାଇ ଦେଲା । ଏହାଦେଖି ଗରିଲା ବେପାରୀଟି ପଚାରିଲା–ମୁଁ ଏପରି ବ୍ୟାପାର କେଉଁଠି ଦେଖି ନାହିଁ । ତୁମେ ଯେଉଁ ଅସାଧ୍ୟ କର୍ମ କଲ ସେଥିପାଇଁ ପାଞ୍ଚହଜାର ଡଲାର ତୁମର ପ୍ରାପ୍ୟ । କୁକୁରଟି କଥା ଅବା କ’ଣ କହିବା ? ସେ ତୁମଠାରୁ ଅଧିକ ସାହସ ଓ କୌଶଳ ଦେଖାଇଲା । ତା’ପାଇଁ ହଜାରେ ଡଲାର ଦାବି କରିଥିଲେ ବି ଅନ୍ୟାୟ ହୁଅନ୍ତା ନାହିଁ କିନ୍ତୁ ସେହି ବୁଦ୍ଦୁ ବାମନ ନିଗ୍ରୋ ଲୋକଟା, ଯେକି ସେଠାରେ ନିର୍ଜୀବ କାଠ କୁଣ୍ଢେଇଟିଏ ଭଳି ବନ୍ଧୁକଧରି ଠିଆ ହୋଇଛି ସେ ଯେ କାହିଁକି ପାଞ୍ଚଶହ ଡଲାର ପାଇବ ମୁଁ ବୁଝିପାରୁ ନାହିଁ । ଗୋରା ଶିକାରୀଟି ଗମ୍ଭୀର ଭାବେ ଉତ୍ତର ଦେଲା–ସେ ଆଉ ଅଧିକ ପାଇବା ଉଚିତ । ତୁମକୁ କିଛି ଜଣା ନାହିଁ ।

 

ଏହା ପରେ ସେଇ ଗୋଟିଏ କୌଶଳରେ ଗୋଟିଏ ପରେ ଗୋଟିଏ ଗରିଲା ଧରାହେଲେ । ତା’ପରେ ବିଂଶତମ ଗରିଲା ଧରିବା ଲାଗି ସେମାନେ ଆଉ ଗୋଟିଏ ବଡ଼ ଗଛ ମୂଳକୁ ଗଲେ । ସେଠାରେ ସେମାନେ ଦେଖିଲେ ଯେ, ବିରାଟ ଏକ ଗରିଲା ଗୋଟେ ଡାଳକୁ ଆଉଜି ଘୁମାଉଛି ।

 

ପୂର୍ବ ରାତିରେ ଗୋରା ଶିକାରୀଟି ଛପି ଛପି ଯାଇ ପୂର୍ବବତ୍‍ ଗରିଲାଟିର ମୁଣ୍ଡରେ ପାହାରଟାଏ ପକାଇବା ପୂର୍ବରୁ ଗରିଲାଟି ତାକୁ ଗୋଟିଏ ଧକ୍‌କା ମାରି ଗଛ ଉପରୁ ତଳକୁ ପେଲିଦେଲା । ଗୋରା ଶିକାରୀଟି ହଠାତ୍‍ ତଳେ ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନିଗ୍ରୋ ବାମନଟିର ବନ୍ଧୁକ ଆବାଜ କରି ଉଠିଲା ଏବଂ ସଙ୍ଗେ ସଙ୍ଗେ ସେହି ଶିକାରୀ କୁକୁରଟି ବିକଳ ଚିତ୍କାର କରି ତଳେ ଗଡ଼ି ଗଡ଼ି ମରିଗଲା ।

 

ଏହାପରେ ଗୋରା ଶିକାରୀ ଭୂଇଁରୁ ଉଠି ଗରିଲା ବ୍ୟବସାୟୀକୁ ବୁଝେଇଦେଲା ଏବେ ବୁଝିଲତ ? କାହିଁକି ସେହି ବନ୍ଧୁକଧାରୀ ନିଗ୍ରୋବାମନଟି ସେଠି ଠିଆ ହୋଇଥାଏ ଓ କାହିଁକି ତାକୁ ପାଞ୍ଚଶହ ଡଲାର ଦେବାକୁ ପଡ଼େ...... ।

 

କଥାଟି ଏହିଠାରେ ଶେଷ କରି ଡହରାନନ୍ଦ କହିଲେ–ବାବୁମାନେ । ଏବେ ତୁମେ ସବୁ ବୁଝିଲତ ? ଆଜିର ମଣିଷ ତା’ର ସ୍ୱାର୍ଥ ରକ୍ଷା ପାଇଁ କିପରି ସବୁଆଡ଼ୁ ହିସାବ କରି ସତର୍କ ହୋଇ ରହିଥାଏ । ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ କାଳକୁ ମାପି ଚୁପି ହିସାବ କରି ନିଜ ପାଇଁ ସାବଧାନ ହୋଇ ରହିଥାଏ । କିନ୍ତୁ ଅନ୍ୟକୁ ତା’ର ଅସାବଧାନ ବେଳାରେ ନିଜ ସ୍ୱାର୍ଥପାଇଁ ମାରିଥାଏ କିମ୍ବା ଅନ୍ୟକୁ ଅସାବଧାନ କରି ମଧ୍ୟ ତାକୁ ମାରି ନିଜେ ବଞ୍ଚୁଥାଏ ।

☆☆☆

 

ଯମ ଓ ଚତୁରୀ ନାରୀ ପ୍ରହସନ

 

ଥରେ ବାବା ଡହରାନନ୍ଦ ଚାରି ପାଞ୍ଚମାସ କାଳ ଭୟଙ୍କର ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ହଠାତ୍‍ ଦିନେ ସେ ଏକାବେଳକେ କେତେଗୁଡ଼ିଏ ଟଙ୍କା ପାଇଗଲେ । ତାଙ୍କ ଗ୍ରାମସ୍ଥିତ କେତେକ ଜମି ବିକ୍ରୀ ବାବତକୁ କୋଡ଼ିଏ ହଜାର ଟଙ୍କା ସାଙ୍ଗକୁ ତାଙ୍କର ଜଣେ ବନ୍ଧୁ ଦଶବର୍ଷ ତଳେ ତାଙ୍କଠାରୁ ପନ୍ଦର ହଜାର ଟଙ୍କା ଧାର ଟଙ୍କା ମଧ୍ୟ ଆଣି ସେଇ ଦିନ ତାଙ୍କୁ ସୁଝିଦେଲେ । ଏତେଗୁଡ଼ିଏ ଟଙ୍କା ଅଚାନକ ପାଇଯିବାରୁ ସେ ଖୁବ୍‍ ନିଶ୍ଚିନ୍ତ ଅନୁଭବ କଲେ । କିନ୍ତୁ ସବୁଠାରୁ ଆନନ୍ଦର ବିଷୟ ହେଲା ଠିକ୍‍ ସେହିଦିନ ସନ୍ଧ୍ୟାବେଳେ ତାଙ୍କର ପ୍ରିୟତମା ଶାଳୀ ନିଜ କାର୍‌ରେ ତାଙ୍କ ଦୁଇଜଣ ସୁନ୍ଦରୀ ମଧ୍ୟବୟସ୍କା ବାନ୍ଧବୀଙ୍କ ସହ ତାଙ୍କ ଘରେ ଆସି ପହଞ୍ଚିଗଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା–ଭିଣୋଇଙ୍କ ଘରେ ପାଞ୍ଚ ଦିନ ରହିବେ ଓ ଏହି ଖ୍ୟାତନାମା ରସିକ ପ୍ରାଜ୍ଞ ପ୍ରିୟତମ ଭିଣୋଇଙ୍କୁ ଧରି ପୁରୀ, କୋଣାର୍କ, ନନ୍ଦନକାନନ ଓ ଭୁବନେଶ୍ୱରର ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖିବେ ।

 

ଡହରାନନ୍ଦଙ୍କର ଶ୍ୟାଳିକା–ପ୍ରୀତି କଥା ଏ ରାଜ୍ୟର ସମସ୍ତଙ୍କୁ ଜଣା । ବିଶେଷତଃ ଏହି ରାଉରକେଲା ବାସିନୀ ସୁନ୍ଦରୀ ରସବତୀ ଶ୍ୟାଳିକାଙ୍କ ସହିତ ତାଙ୍କର ସଂପର୍କକୁ ନେଇ ସାରା ରାଜ୍ୟରେ ଡହରାନନ୍ଦ–ବିଦ୍ୱେଷୀମାନେ ନାନା ଅଶ୍ଳିଳ କୁତ୍ସାବାଦ ରଟାଇଥିବା କଥା ମଧ୍ୟ ସମସ୍ତଙ୍କୁ ଜଣାଅଛି । ଡହରାନନ୍ଦ ଏଭଳି କୁତ୍ସାବାଦକୁ ଭ୍ରୂକ୍ଷେପ କରନ୍ତି ନାହିଁ । କାରଣ ତାଙ୍କର ଶ୍ୟାଳିକା–ପ୍ରୀତି ପଛରେ ତାଙ୍କର ଏକ ନିଜସ୍ୱ ପ୍ରୀତି–ତତ୍ତ୍ୱ ବା ପ୍ରୀତି–ଦର୍ଶନ ମଧ୍ୟ ରହିଛି । ସେ କହନ୍ତି–ଜଗତର ଯେତେ ପ୍ରକାର ନାରୀ–ପୁରୁଷ ସଂପର୍କ ରହିଛି ସବୁଠାରୁ ମଧୁର ହେଲା ଏହି ଶାଳୀ–ଭିଣୋଇ ସଂପର୍କ । ଅବଶ୍ୟ ଏ କ୍ଷେତ୍ରରେ ଦୁଇପକ୍ଷ ପ୍ରୀତିପଦ ହେବା ଉଚିତ । ଡହରାନନ୍ଦ କହନ୍ତି–ତାଙ୍କୁ ଯଦି ସୁଯୋଗ ବା ଅନୁମତି ମିଳନ୍ତା, ତେବେ ସେ ନିଜ ସ୍ତ୍ରୀ ସହିତ ଏତେ ସମୟ ନ ରହି ଶାଳୀ ପାଖରେ ଇ ଅଧିକ ସମୟ ରହନ୍ତେ । ମାତ୍ର ନିୟତିର ଏପରି ବିଧାନ ଯେ, ତୁମେ ଯଦି ତୁମ ପ୍ରିୟବତୀ ଶାଳୀ ପାଖେ ଅଳ୍ପ କିଛି ସମୟ କାଟିବାକୁ ଚାହଁ–ତେବେ ସାରାଜୀବନ ତୁମକୁ ତୁମ ସ୍ତ୍ରୀ ସହିତ କାଟିବାକୁ ପଡ଼ିବ । କାରଣ ଶାଳୀ ନ ଥାଇ ସ୍ତ୍ରୀ ଥାଇପାରେ । ମାତ୍ର ସ୍ତ୍ରୀ ନ ଥାଇ ଶାଳୀଟିଏ ପାଇବା କଦାଶ୍ଚନ ସମ୍ଭବ ନୁହେଁ । ତେଣୁ ସ୍ତ୍ରୀ ସହିତ ସାରାଜୀବନ କାଟିବାର ଦୁଃସହ ଭାଗ୍ୟ ସବୁ ଶାଳୀ–କାମା ପୁରୁଷମାନଙ୍କୁ ଭୋଗ କରିବାକୁ ପଡ଼ିଥାଏ ।

 

ସେଦିନ ଦିନବେଳେ ପଇଁତିରିଶ ହଜାର ଟଙ୍କା ଓ ସନ୍ଧ୍ୟାବେଳେ ନିଜର ପ୍ରିୟତମା ଶାଳୀ ସହିତ ତା’ର ଅନ୍ୟ ଦୁଇଜଣ ବାନ୍ଧବୀଙ୍କୁ ଦେଖି ଓ ସେମାନଙ୍କ ମଧୁର ପ୍ରସ୍ତାବ ଶୁଣି ଡହରାନନ୍ଦଙ୍କ ହୃଦୟ ଆନନ୍ଦ ଆହ୍ଲାଦରେ ଉତୁରି ଉଠିଲା । ସେଦିନ ରାତିସାରା ତାଙ୍କ ଘର ଖୁସି ଉଲ୍ଲାସରେ କଟିଗଲା । ସେମାନେ ସାରା ରାତି ଗପି ଚାଲିଲେ,ହସି ହସି ବେଦମ ହେଲେ ଓ ପାହାନ୍ତାବେଳକୁ ଶୋଇ ପଡ଼ିଲେ । ତା’ପରଦିନଠାରୁ ଚାରିଦିନ କାଳ ସେମାନେ କାର୍‌ରେ ଭୁବନେଶ୍ୱର ପୁରୀ, କୋଣାର୍କ ଓ ନନ୍ଦନକାନନ ଏକାଠି ବୁଲି ନାନା କଥା ଦେଖିଲେ ଓ ଅନବରତ ନାନା–ଗପ କରି ହସଖୁସିରେ ମାତି ରହିଲେ । ଡହରାନନ୍ଦଜୀ ତାଙ୍କର ପ୍ରିୟତମା ଶ୍ୟାଳିକା ଓ ବାନ୍ଧବୀ ଦୁହିଁଙ୍କୁ ସେଇ କେତେଦିନ ଅସଂଖ୍ୟ ରସରସିଆ ମଜା ଗପ ଶୁଣାଉଥିଲେ ଓ ସେମାନେ ଏହି ରସବନ୍ତ ଭିଣୋଇଟିର ପ୍ରଗଳ୍‌ଭ ମୁହଁରୁ ଯାହା ଶୁଣୁଥିଲେ ତାଙ୍କୁ ମହୁ ପରି ବା ମଦ୍ୟ ପରି ପିଇ ଯାଉଥିଲେ ଏବଂ ସାରାଦିନ ଓ ସାରା ରାତି ସେଥିରେ ମଜ୍ଜି ରହୁଥିଲେ ।

 

ପ୍ରଥମଦିନ ସେମାନେ ଭୁବନେଶ୍ୱରର ସବୁ ଦର୍ଶନୀୟ ମନ୍ଦିର ବୁଲିସାରି ଶେଷକୁ ସନ୍ଧ୍ୟାବେଳେ ଆସି କେଦାରଗୌରୀ ପାର୍କରେ ବସି ଚାହା ଖାଇଲେ ଓ କ୍ଳାନ୍ତି ଦୂର ହେଲାପରେ ଗପ ଆରମ୍ଭ କଲେ । ସେଦିନ ଥିଲା ପରିଷ୍କାର ଜହ୍ନରାତି । ଚାରିଆଡ଼ ଏକ ସ୍ୱପ୍ନିଳ ମାୟାମୟ ପରିବେଶ ସୃଷ୍ଟି ହୋଇଥାଏ । ଏହି ସମୟରେ ତାଙ୍କ ଶାଳୀର ଜଣେ ବାନ୍ଧବୀ ହସି ହସି କହିଲେ–ଡହରାନନ୍ଦଜୀ ! ଆପଣଙ୍କୁ ବୁଝିବା ଆମ ପକ୍ଷେ ମୁସ୍କିଲ । ବେଳେବେଳେ ଆପଣ ଆମର ମନେ ହେଉଛନ୍ତି ଜଣେ ଖୁବ୍‍ ପ୍ରାଜ୍ଞ ଋଷି ପ୍ରକୃତିର ମଣିଷ । ଫଳରେ ଆପଣଙ୍କ ପାଖରେ ବସିବାକୁ ମଧ୍ୟ ସଙ୍କୋଚ ଲାଗୁଛି । କିନ୍ତୁ ଫେର ବେଳେବେଳେ ଲାଗୁଛି–ଆପଣ କେତେ ଲଘୁ ରସ ଢୁଳୁଢ଼ୁଳୁ ମଧୁର ମଣିଷ । ଆଚ୍ଛା; ଆପଣଙ୍କର ସ୍ତ୍ରୀଲୋକଙ୍କ ଚରିତ୍ର ବା ପ୍ରକୃତି ସମ୍ବନ୍ଧେ କିଛି ଗଭୀର ଧାରଣା ଅଛି କି ? ଆଚ୍ଛା ‘ସ୍ତ୍ରୀୟାଂ’ ଚରିତ୍ରଂ ଦେବା ନ ଜାନାନ୍ତି, କୃତଃ ମନୁଷ୍ୟା ?’ –ଏହି ଉକ୍ତିର କିଛି ଯଥାର୍ଥତା ଅଛି କି ?

 

ଡହରାନନ୍ଦ କହିଲେ–କେବଳ ସ୍ତ୍ରୀଲୋକଙ୍କ ଚରିତ୍ର କାହିଁକି, ମଣିଷ ମାତ୍ରେଇ ଆମର ଏଇ ସବୁ ସ୍ୱର୍ଗବାସୀ ଦେବତାମାନଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ବୋଧ୍ୟ । ଦେବତାମାନେ ହେଲେ କେବଳ ଆତ୍ମା । ସେମାନଙ୍କର ବୁଦ୍ଧି ନାହିଁ କି ହୃଦୟ ନାହିଁ । କିନ୍ତୁ ମଣିଷର ଆତ୍ମାଥିଲେ ବି ତାହା ଲୁଚିକରି ଥାଏ ଓ ନିଷ୍କ୍ରିୟ ଥାଏ । ମଣିଷ ହେଲା ମୁଖ୍ୟତଃ ବୁଦ୍ଧିମାନ୍‍ ଆଉ ହୃଦୟବାନ୍‍ ପ୍ରାଣୀ କିନ୍ତୁ ବୁଦ୍ଧି ହେଲା ତା’ର ଅସଲ । ସବୁବେଳେ ମଣିଷର ହୃଦୟଟା ବି ତା’ର ବୁଦ୍ଧିର ନିର୍ଦ୍ଦେଶରେ ଚାଲେ । ସବୁ ପ୍ରାଣୀଙ୍କର ଊଣାଅଧିକେ କିଛି ବୁଦ୍ଧି ଅଛି । ମାତ୍ର ମଣିଷର ଏହି ବୁଦ୍ଧିର ଜଟିଳତାକୁ ଭେଦ କରିବା ସ୍ୱୟଂ ଭଗବାନଙ୍କ ପକ୍ଷରେ ବି ସାଧ୍ୟାତୀତ ହୋଇପଡ଼େ । ନରମାୟା ନାରାୟଣଙ୍କୁ ବି ଅଗୋଚର । ତେବେ ସେ କଥା ପରେ କଥାବାର୍ତ୍ତା ହେବା ଏବଂ ତିନୋଟି ସ୍ତ୍ରୀଲୋକ ଓ ଯମ ଦେବତାଙ୍କୁ ନେଇ ଯୋଉ କଥାଟି ମୁଁ ଜାଣିଛି–ତାହା କହୁଛି ଶୁଣ ।

 

......ଥରେ ମର୍ତ୍ତ୍ୟର ତିନିଜଣ ସ୍ତ୍ରୀଲୋକ ଗୋଟିଏ ଦିନରେ ଏବଂ ଗୋଟିଏ ମୁହୂର୍ତ୍ତରେ ମରିଗଲେ । ସେମାନେ ଥିଲେ ଖୁବ୍‍ ସୁନ୍ଦରୀ ଓ ଯୁବତୀ । ଏଇ ତିନିଜଣ ସୁନ୍ଦରୀ ଯୁବତୀଙ୍କୁ ଏତେ କମ୍‍ ବୟସରେ ଅସମୟରେ ଏକାଠି ଯମପୁରକୁ ତଲବ୍‍ କରି ନେବାରେ ଯମଙ୍କର କିଛି ଗୁପ୍ତ ଉଦ୍ଦେଶ୍ୟ ଥିଲା ବୋଲି ସନ୍ଦେହ କରାଯାଇପାରେ । କାରଣ ପ୍ରତିଦିନ ପ୍ରତିମୁହୂର୍ତ୍ତରେ ଏଇ ସବୁ ମରଣଜନିତ ଶ୍ମଶାନ ସୁଭଲ ଓ ଭୂତପ୍ରେତ ସମ୍ବନ୍ଧୀୟ କାମ କରିକରି ଯମଦେବ ଖୁବ୍‍ କ୍ଳାନ୍ତ ବିରକ୍ତ ଓ ନିରସ ବୋଧକଲେ । ତାଙ୍କର ମନ ବିକୃତ ହୋଇଗଲା ଓ ଶରୀର ମଧ୍ୟ କ୍ରମେ କ୍ରମେ ଶିଥିଳ ହୋଇଆସିଲା । କିଏ ପରାମର୍ଶ ଦେଲା କେଜାଣି, (ନାରଦ ନୁହେଁ ତ ?) ଯମ ସ୍ଥିର କଲେ ଯେ ମର୍ତ୍ତ୍ୟର ତିନିଜଣ ସୁନ୍ଦରୀ ଯୁବତୀଙ୍କ ସହିତ ଲାଗ୍‍ ଲାଗ୍‍ ତିନିମାସ ରାତ୍ରିଯାପନ କଲେ ତାଙ୍କର ଦେହ ଓ ମନ ସୁସ୍ଥ, ସହଜ ଓ ସରସ ହୋଇଯିବ । ସେଥିପାଇଁ ସେ ପୃଥିବୀର ତିନୋଟି ସୁନ୍ଦରୀ ଯୁବତୀଙ୍କୁ ବାଛି ବାଛି ଏକ ମୁହୂର୍ତ୍ତରେ ତାଙ୍କ ଦୂତମାନଙ୍କ ଦ୍ଵାରା ସଶରୀରରେ ବାନ୍ଧି ନେଇଗଲେ ।

 

ଯମଦେବଙ୍କ ଆଗରେ ସେହି ତିନୋଟି ମର୍ତ୍ତ୍ୟସୁନ୍ଦରୀ ଯୁବତୀଙ୍କୁ ଠିଆ କରାଗଲା । ସେ ପ୍ରଥମ ଯୁବତୀଙ୍କୁ ପ୍ରଶ୍ନ କଲେ– ।

 

ହେ ସୁନ୍ଦରୀ ! ମର୍ତ୍ତ୍ୟରେ ତୁମର କାର୍ଯ୍ୟାବଳୀ ଖୁବ୍‍ ସଂକ୍ଷେପରେ କହିଦିଅ । ତାହା ଶୁଣି ମୁଁ ତୁମକୁ ସ୍ୱର୍ଗ ବା ନରକ ଯୋଉଠିକି ତୁମେ ଯୋଗ୍ୟ ପଠାଇବି ।

 

ଏହା ଶୁଣି ପ୍ରଥମ ଯୁବତୀଟି କହିଲା–ହେ ଧର୍ମରାଜ ! ମୁଁ ବିବାହ କଲା ପର୍ଯ୍ୟନ୍ତ ଅକ୍ଷତଯୋନି ଥିଲି । ବିବାହ ପରେ ମୋର ସ୍ୱାମୀ ବ୍ୟତୀତ ଆଉ କାହା ପାଖେ ଉଲଗ୍ନ ହୋଇନାହିଁ-। ମୁଁ ମୋ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ସେବା ପରିଚର୍ଯ୍ୟା କରୁଥିଲି ଏବଂ ପ୍ରତିଦିନ ଦୁଇଘଣ୍ଟା ଶିବ ପୂଜା କରୁଥିଲି ।

 

ଯମ କହିଲେ–ଠିକ୍‍ ଅଛି । କିଏ ଅଛରେ ? ଏହାକୁ ସ୍ୱର୍ଗର ଏକ ପ୍ରଥମ ଶ୍ରେଣୀ କମରାରେ ହଜାରେ ବର୍ଷ ପର୍ଯ୍ୟନ୍ତ ରଖ ।

 

ଏହାପରେ ଦ୍ଵିତୀୟ ଯୁବତୀଙ୍କୁ ଯମଦେବ ସେହି ପ୍ରଶ୍ନ କଲାରୁ–ସେ କହିଲା–

 

ହେ ଧର୍ମଦେବତା !

 

ମୋର ପୂର୍ବବର୍ତ୍ତୀ ମହିଳାଙ୍କ ପରି ମୁଁ ଏତେ ପୁଣ୍ୟବ୍ରତା ନୁହେଁ–କି ଦେହ ବା ମନରେ ଏତେ ସତୀ ନୁହଁ । କାରଣ ମୋର ବିବାହ ପୂର୍ବରୁ ମୁଁ ଚାରିଜଣ ପୁରୁଷଙ୍କ ସହିତ ରାତ୍ରିଯାପନ କରିଥିଲି । ମାତ୍ର ବିବାହ ପରେ ମୋର ସ୍ୱାମୀଙ୍କ ବ୍ୟତୀତ ମୁଁ ଆଉ କୋଉ ପୁରୁଷର ମୁହଁ ମଧ୍ୟ ଚାହିଁନାହିଁ । ତା’ପରେ ମୋର ବିବାହ ପୂର୍ବରୁ ମୋର ଶାଶୁ ଶ୍ଵଶୁର ମରିଯାଇଥିଲେ । ମୋର ସ୍ୱାମୀ ମୋ ପ୍ରତି ସର୍ବଦା ସନ୍ତୁଷ୍ଟ ଥିଲେ ।

 

ଏହା ଶୁଣି ଯମ କହିଲେ–ଆରେ କିଏ ଅଛରେ ? ଏହି ମହିଳାଙ୍କୁ ସ୍ୱର୍ଗର ଏକ ଦ୍ଵିତୀୟ ଶ୍ରେଣୀ କମରାରେ ହଜାରେ ବର୍ଷ ପର୍ଯ୍ୟନ୍ତ ରଖ ।

 

ତା’ପରେ ପଡ଼ିଲା ତୃତୀୟ ସୁନ୍ଦରୀ ଯୁବତୀଟିର ପାଳି । ଯମଦେବ ତାକୁ ପୂର୍ବବତ୍‍ ପ୍ରଶ୍ନ କରନ୍ତେ, ସେହି ଚତୁରୀ ରମଣୀଟି ତାହା ଶୁଣି କିଛି ମୁହୂର୍ତ୍ତ ତଳକୁ ମୁହଁ ପୋତି ନାକ ସୁଁ ସୁଁ କରି କାନ୍ଦିଲା । ତା’ପରେ ଯମଦେବଙ୍କ ଆଡ଼କୁ ଏକ ତୀକ୍ଷଣ କଟାକ୍ଷ ନିକ୍ଷେପ କରି କଣ୍ଠରେ ସାମାନ୍ୟ ଭାବ–ତରଙ୍ଗ ସୃଷ୍ଟିକରି କାତର ସ୍ୱରରେ କହିଲା–

 

ହେ ଧର୍ମଦେବ ! ଆପଣଙ୍କ ଭଳି ଦୟାଳୁ, ସୁନ୍ଦର, ରସିକ ପୁରୁଷ ମୁଁ ଆମ ପୃଥିବୀରେ ଦେଖିନାହିଁ । ସ୍ତ୍ରୀଲୋକଙ୍କ ପ୍ରତି ଆପଣଙ୍କର ଏହି ସୁକୁମାର ସୁକୋମଳ ବ୍ୟବହାର ଦେଖି ମୋର ହୃଦୟ ଆପଣଙ୍କ ପ୍ରତି ସ୍ୱତଃ ପ୍ରେମ ପ୍ରଣୟରେ ଉଛୁଳି ପଡ଼ୁଛି । ହେ ପୁରୁଷୋତ୍ତମ ! ମୋର ଜୀବନ କଥା କାହିଁକି ପଚାରୁଛନ୍ତି ? ମୋ ଠାରୁ ବଳି ବିଚିତ୍ର ଜୀବନ ଏଇ ତିନିପୁରରେ କୌଣସି ଦୁଃଶ୍ଚରିତ୍ରା ନାରୀ ଭୋଗି ନ ଥିବେ । ବିବାହ ପୂର୍ବରୁ ମାନେ ମୋତେ ଦଶବର୍ଷ ବୟସରୁ ମୁଁ ବୟସ ନିର୍ବିଶେଷରେ ବହୁ ପୁରୁଷଙ୍କ ପ୍ରତି ଆକୃଷ୍ଟ ହୋଇଛି ଓ ସେମାନେ ମଧ୍ୟ ମୋତେ ନେଇ ପାଗଳ ହୋଇ ଉଠିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ମୁଁ ସର୍ବଦା ପାପଗର୍ଭକୁ ଏଡ଼ାଇ ଆସିଛି । ବିବାହ ପରେ ମଧ୍ୟ ସ୍ୱାମୀ ବ୍ୟତୀତ ବହୁ ପୁରୁଷ ମୋତେ ଆନନ୍ଦ ଦେଇ ଆସିଛନ୍ତି ଓ ମୁଁ ମଧ୍ୟ ସେମାନଙ୍କୁ ମୋ ପ୍ରତି ନିଶାଗ୍ରସ୍ତ କରି ରଖି ଆସିଛି । କିନ୍ତୁ ବିଶ୍ଵାସ କରନ୍ତୁ ମୋର ବିବାହିତ ସ୍ୱାମୀଙ୍କ ସନ୍ତାନ ବ୍ୟତୀତ ମୁଁ ଆଉ କାହାର ସନ୍ତାନକୁ ଗର୍ଭରେ ସ୍ଥାନ ଦେଇନାହିଁ । ମୋର ସ୍ୱାମୀ ମୋ ଉପରେ କେବେ ବିରକ୍ତ ହେବାରେ ମୁଁ ଦେଖିନାହିଁ । ମୋ ମଲାପରେ ସେ ମୋ ବିଚ୍ଛେଦରେ କିପରି ଦିନରାତି ନ ଖାଇ ନ ପିଇ କାନ୍ଦୁଛନ୍ତି–ତାହା ଆପଣ ବର୍ତ୍ତମାନ ମଧ୍ୟ ଦୂତ ପଠାଇ ଖବର ନେଇପାରିବେ । ମୋର ଶାଶୁ ଶ୍ଵଶୁର ମୋର ବିବାହର ଦୁଇବର୍ଷ ଭିତରେ ଏକତ୍ର ଆତ୍ମହତ୍ୟା କରିଛନ୍ତି–କିନ୍ତୁ ତାଙ୍କ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ଯାଇନାହାନ୍ତି । ମୋ ପାଇଁ ମୋ ସ୍ୱାମୀ ତାଙ୍କ ଚାକିରିରେ ବହୁ ଉପରକୁ ଉଠିଯାଇଛନ୍ତି ଓ ବହୁ ଧନସଂପତ୍ତିର ଅଧିକାରୀ ହୋଇପାରିଛନ୍ତି । ମୋ ଠାରୁ ପ୍ରେରଣା ପାଇ ପୃଥିବୀରେ ବହୁ କବି ଓ କଳାକାର ସେମାନଙ୍କ କୃତିତ୍ୱ ପାଇଁ ବହୁ ପୁରସ୍କାର ପାଇଆସିଛନ୍ତି । ମୋତେ ଦେଖିଲେ ପୁରୁଷମାନେ ପାଗଳ ହୋଇଯାନ୍ତି ଓ ମୁଁ ମଧ୍ୟ ବୟସ ନିର୍ବିଶେଷରେ ପୁରୁଷମାନଙ୍କୁ ଦେଖି ଉନ୍ମତ୍ତ ହୋଇଉଠେ । ପୁରୁଷମାନେ ମୋତେ ଦେଖିଲେ ସେମାନଙ୍କର କାଣ୍ଡଜ୍ଞାନ ଲୋପ ପାଇଯାଏ । କ୍ଷମା କରିବେ–ମୁଁ ମଲା ପରେ ମୋତେ ଆପଣଙ୍କ ନିକଟକୁ ଆଣୁଥିବା ଆପଣଙ୍କର ଦୂତମାନେ ମଧ୍ୟ ବାଟରେ ସଂଯମ ହରାଇ ମୋ ସହିତ କିଛି କିଛି ସ୍ୱର୍ଗୀୟ ରସିକତା କରି ଉଲ୍ଲସିତ ହେଉଥିଲେ । ମୁଁ ଭଗବାନ ଫଗବାନ ଜାଣିନାହିଁ । କେଉଁ ଦେବତା ମୋତେ କେବେ ଆକୃଷ୍ଟ କରିନାହାନ୍ତି । କିନ୍ତୁ ଆପଣଙ୍କୁ ଦେଖିଲାବେଳୁ–ମୋର ମନରେ ଏଇ ଶୋଚନା ଆସୁଛି ଯେ, ଯଦି ଶେଷରେ ମତେ ଆପଣଙ୍କ ଭଳି ଜଣେ ଦିବ୍ୟପୁରୁଷଙ୍କ ପାଖକୁ ଆସିବାକୁ ଥିଲା–ତେବେ ମୁଁ ମର୍ତ୍ତ୍ୟରେ ସେହି ସବୁ ଇତର ପୁରୁଷମାନଙ୍କ ସଂସର୍ଗରେ ଏତେ ଦିନ କାହିଁକି ବୃଥାରେ କଟାଇଦେଲି ?

 

ଯମଦେବ ଏହା ଶୁଣି କିଛି ମୁହୂର୍ତ୍ତ କିଂକର୍ତ୍ତବ୍ୟ ବିମୂଢ଼ ହେଲା ଭଳି ବୋଧକଲେ । ତାଙ୍କ ଭିତରେ କିଞ୍ଚିତ୍‍ ବିମର୍ଷତା ମଧ୍ୟ ଆସିଲା । ସେ କୋମଳ ସ୍ୱରରେ କହିଲେ–ଭଉଣୀ ! ତମେ ଯେଉଁ ବିଚିତ୍ର ପାପମୟ ଜୀବନର ବର୍ଣ୍ଣନା କଲ ତାହା ଶୁଣି ମୁଁ ଚକିତ ଓ ଦୁଃଖିତ ।

 

ଏହା ଶୁଣିବା ମାତ୍ରେ ସେହି ସୁନ୍ଦରୀ, ଚତୁରୀ ରସାତ୍ମକଂ ବାକ୍ୟଂ କୁଶଳା ସ୍ତ୍ରୀ ଲୋକଟି ତା’ର ରସାବିଷ୍ଟ କଣ୍ଠରେ କିଛି ମାଦକତା ସୃଷ୍ଟି କରି କହିଲା–

 

ହେ ଦିବ୍ୟପୁରୁଷ ! ମୋତେ ଆଉ ଯାହା ଡାକନ୍ତୁ ପଛକେ, କିନ୍ତୁ ଦୟାକରି ମୋତେ ଭଉଣୀ ବୋଲି କେବେ ସମ୍ବୋଧନ କରିବେ ନାହିଁ । ତଦ୍ଦ୍ୱାରା ଆପଣ ମୋର ଆପଣଙ୍କ ସହିତ ଅନ୍ୟ ସବୁପ୍ରକାର ସମ୍ବନ୍ଧ ଓ ସଂସର୍ଗର ସମ୍ଭାବନାକୁ ଏଡ଼ାଇ ଯାଉନାହାନ୍ତି କି ?

 

ଯମଦେବ ଏହା ଶୁଣିବା ମାତ୍ରେ ନିଜ ଭିତରେ ଏକ ଅଦ୍ଭୁତପୂର୍ବ ପୁଲକ, ଉଲ୍ଲାସ, ଉଚ୍ଛ୍ୱାସ, ପ୍ରେରଣା ଓ ଉତ୍ତେଜନା ହଠାତ୍‍ ଅନୁଭବ କଲେ । ସେ ସେହି ସ୍ତ୍ରୀଲୋକଟି ପ୍ରତି ଏକ ବିଲୋଳ କଟାକ୍ଷ କରି ବିଭୋଳିତ ସ୍ୱରରେ ଦୂତକୁ ଆଦେଶ ଦେଲେ–

 

କିଏ ଅଛରେ ? ଏହି ଭଦ୍ରମହିଳାଙ୍କୁ ଆଜି ରାତିଟା ଲାଗି ମୋର ଶୋଇବା ଘରକୁ ନେଇଯାଅ । ଏହାଙ୍କ ସମ୍ବନ୍ଧେ ମୋର କିଛି ପ୍ରତ୍ୟକ୍ଷ ଅଭିଜ୍ଞତା ହେଲାପରେ ଏହାଙ୍କ ବିଷୟରେ ବିଶଦ ଆଲୋଚନା କରି ଯାହା କିଛି ସିଦ୍ଧାନ୍ତ ନିଆଯିବ ।

 

ଏତିକି ଶୁଣୁ ଶୁଣୁ ଡହରାନନ୍ଦଙ୍କ ପ୍ରିୟତମା ଶାଳୀଙ୍କ ସମେତ ତାଙ୍କର ବାନ୍ଧବୀ ଦୁଇଜଣ ହସି ହସି ପରସ୍ପର ଉପରେ ଲୋଟି ପଡ଼ିଲେ ।

☆☆☆

 

ସତୀ ନାରୀ ଓ ସ୍ଵର୍ଗ, ନରକ ସମସ୍ୟା

 

ଏହି ଆଲୋଚନାଟି ଓ ଗଳ୍ପଟିକୁ ବାବା ଡହରାନନ୍ଦ ତାଙ୍କର ପ୍ରିୟତମା ଶ୍ୟାଳିକା ଓ ତା’ର ବାନ୍ଧବୀମାନଙ୍କୁ କୋଣାର୍କଠାରେ ବୟାନ କରିଥିଲେ । ସେଦିନ କୋଣାର୍କ ସୂର୍ଯ୍ୟମନ୍ଦିର ଓ ତା’ର ସୁନ୍ଦର କାରୁକାର୍ଯ୍ୟ ଦେଖିସାରି ସେମାନେ ମନ୍ଦିର ବାହାରକୁ ଆସି ଗୋଟିଏ ଛାୟା ଶୀତଳ ବୃକ୍ଷମୂଳେ ବସିଲେ ଓ ସାଙ୍ଗରେ ଆଣିଥିବା ଖାଦ୍ୟ ପାନୀୟର ସଦ୍‍ ବ୍ୟବହାର କରି ସେହି ଗଛ ଛାଇରେ କ୍ଳାନ୍ତି ଅପନୋଦନ କଲେ । ଯଦିଓ ସେଦିନ ମଧ୍ୟାହ୍ନରେ ଖରା ଖୁବ୍‍ ଟାଣ ଥିଲା । କିନ୍ତୁ ଶୀତଳ ସାମୁଦ୍ରିକ ପବନ ଦେହରେ ବାଜି ସମସ୍ତଙ୍କ ପ୍ରାଣକୁ ଖୁବ୍‍ ଉଲ୍ଲସିତ କରୁଥିଲା । ଏହି ସମୟରେ ତାଙ୍କର ପ୍ରିୟତମା ଶ୍ୟାଳିକା କହିଲେ–

 

ଡହରାନନ୍ଦଜୀ ! ସେଦିନ ତୁମେ କେଦାରଗୌରୀ ପାର୍କରେ ଯମଦେବତା ଓ ସେହି ଚତୁରୀ ନାରୀ ସଂପର୍କୀୟ ଯେଉଁ ଗପଟି କହିଲ, ଭାରି ଭଲ ଲାଗିଲା । ସେ ଗପଟି ଆମର ସବୁଦିନ ପାଇଁ ମନେ ରହିବ । କିନ୍ତୁ ମୋର ଇଚ୍ଛା–ତୁମେ ଆମକୁ ଆଜି ନାରୀର ସତୀତ୍ୱ ବିଷୟରେ କିଛି କୁହ । ସତୀତ୍ୱ ପ୍ରକୃତରେ କ’ଣ ? ଜଣେ ନାରୀ କ’ଣ ପୂର୍ଣ୍ଣଭାବରେ ସତୀ ହୋଇ ରହିପାରେ-? ଆମେ ସତୀତ୍ୱର ଯେଉଁ ପାରମ୍ପରିକ ଅର୍ଥ ଜାଣୁ–ଯଦି ନାରୀ ସେହିପରି ଭାବେ ପୂର୍ଣ୍ଣ ସତୀ ହୋଇରହେ, ତେବେ ସେ କ’ଣ ତା’ର ସ୍ୱାମୀକୁ ପ୍ରକୃତରେ ସନ୍ତୋଷ ଦେଇପାରିବ-? ସତୀତ୍ୱ କହିଲେ କ’ଣ ମାତ୍ର ଗୋଟିଏ ପୁରୁଷ ପ୍ରତି ଆଜୀବନ ଅନୁରକ୍ତ ଓ ସମର୍ପିତ ହୋଇ ରହିବାକୁ ହୁଏ-? ତାହା କ’ଣ ବାସ୍ତବରେ ସମ୍ଭବ ? ଅନ୍ୟ ପକ୍ଷରେ ଯେଉଁ ସ୍ତ୍ରୀଲୋକ କେବଳ ତା’ର ବିବାହିତ ସ୍ୱାମୀ ପାଖରେ ବାନ୍ଧିହୋଇ ରହେ–ତା’ର କ’ଣ ଅନ୍ୟ ପୁରୁଷକୁ ଆକର୍ଷଣ କରିବାର ଶକ୍ତି ବା ସାମର୍ଥ୍ୟ ଥାଏ ? କିମ୍ବା ସେଭଳି ଏକ ପୁରୁଷାନୁରକ୍ତ ସ୍ତ୍ରୀ’ ପ୍ରତି କ’ଣ ଅନ୍ୟ ପୁରୁଷମାନେ ଆକୃଷ୍ଟ ହୋଇପାରନ୍ତି ? ଆଚ୍ଛା ଏହିଭଳି ସତୀ ସ୍ତ୍ରୀମାନେ କ’ଣ ତାଙ୍କ ଜୀବନର ବା ତାଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ କରିପାରନ୍ତି ? ଶେଷରେ ସବୁ ପୁରୁଷ କ’ଣ ଏହିଭଳି ପୂର୍ଣ୍ଣ ସତୀ ସ୍ତ୍ରୀ ଲୋକଟିକୁ ନିଜର ପତ୍ନୀ ରୂପେ ପାଇବାକୁ ଆଶା କରନ୍ତି ? ସତୀତ୍ୱ କଥାଟି ଜଣେ ବିବାହିତା ସ୍ତ୍ରୀଲୋକ ପକ୍ଷରେ ଏକ ପତିବ୍ରତ ଭଳି ଏକ ମାନସିକ ଅବ୍‌ସେସନ୍‍ ହୋଇଉଠେ ନାହିଁ କି ? ଡହରାନନ୍ଦଜୀ ! ଦୟାକରି ଆମର ଏସବୁ ପ୍ରଶ୍ନର ଉତ୍ତର ଦିଅ । କିନ୍ତୁ ଆଲୋଚନାଟି ଯେପରି ଖୁବ୍‍ ଲଘୁ ହୁଏ ଏବଂ ଆଦୌ ଭାବ–ଗମ୍ଭୀର ନ ହୁଏ ।

ଡହରାନନ୍ଦ ପାଣି ବୋତଲରୁ କିଛି ଥଣ୍ଡାପାଣି କାଢ଼ି ପିଇଲେ ଓ ଖୁବ୍‍ ଆମୋଦିତ ଗଳାରେ କହିବାକୁ ଆରମ୍ଭ କଲେ–

ସତୀତ୍ୱ ସମ୍ବନ୍ଧେ ତୁମେ ଯେଉଁ ସବୁ ପ୍ରଶ୍ନ ପଚାରିଗଲ–ସେ ସବୁର ଉତ୍ତର ତୁମେମାନେ ଜାଣିଛ । ମୋ ବିଚାରରେ ନାରୀ ପୁରୁଷ ଭିତରେ ବା ନାରୀ ନାରୀ ଭିତରେ ବା ପୁରୁଷ ପୁରୁଷ ଭିତରେ ନାନାବିଧ ଭାବ–ସଂପର୍କ ଗଢ଼ି ଉଠିପାରେ ଏବଂ ସେଇ ସଂପର୍କ ସବୁ ପ୍ରଥମରୁ ସାଧାରଣ ଭଲଲାଗିବା ସ୍ତରର ଥାଏ । କିନ୍ତୁ ଉଭୟ ପକ୍ଷର ସାମର୍ଥ୍ୟ ଥିଲେ ତାହା ଗଭୀର ଓ ନିଷ୍ଠାପର ଶୁଦ୍ଧ ପ୍ରେମରେ ପରିଣତ ହୋଇପାରେ । ସ୍ୱାମୀ–ସ୍ତ୍ରୀ ସଂପର୍କ ହେଉ ବା ବନ୍ଧୁ–ବନ୍ଧୁ ସମ୍ପର୍କ ହେଉ ବା ପିତା–ପୁତ୍ରାଦି ସମ୍ପର୍କ ହେଉ–ସବୁ ସମ୍ପର୍କରେ ସୁଦୃଢ଼ ଭିତ୍ତି ଏହି ଗଭୀର ଶୁଦ୍ଧ ନିଷ୍ଠାପର ପ୍ରେମ ଉପରେ ଇ ପ୍ରତିଷ୍ଠିତ ହୋଇଥାଏ ଏବଂ ସବୁ ପ୍ରକାର ପ୍ରେମ ଭିତରେ ସତ୍ୟ ବା ସତତା ରହିଲେ ହିଁ ତାହା ସ୍ଥାୟୀ ଓ ଆନନ୍ଦପ୍ରଦ ହୋଇଥାଏ ।ଏହି ପ୍ରକାର ପ୍ରେମ ଆମ ମନରେ ଆସ୍ଥା, ବିଶ୍ଵାସ ଓ ପ୍ରତ୍ୟୟ ଆଣି ଦେଇଥାଏ । କିନ୍ତୁ ସତୀତ୍ୱ ବୋଲି ଆମ ପରମ୍ପରାକ୍ରମେ ଯାହା ବୁଝିଛୁ–ତାହା ସ୍ୱାର୍ଥପର ଅହଙ୍କାରୀ ପୁରୁଷମାନେ ନାରୀଜାତି ଉପରେ ଲଦି ଦେଇଛନ୍ତି ଏବଂ ବିଚିତ୍ର କଥା ହେଲା ଅଧିକାଂଶ ନାରୀ ନିଜର ସ୍ୱାର୍ଥ ଓ ନିରାପତ୍ତା ଦୃଷ୍ଟିରୁ ଓ ସେମାନଙ୍କର ଅନ୍ୟପୁରୁଷ ହୃଦୟ ଜୟ କରିବାକୁ ସାମର୍ଥ୍ୟ ନଥିବାରୁ ସେମାନେ ଏହି ତଥାକଥିତ ସତୀତ୍ୱଟିକୁ ସାରାଜୀବନ କେବଳ ପ୍ରଦର୍ଶନ କରୁଥାନ୍ତି ଏବଂ ତଦ୍ଦ୍ୱାରା ନିଜ ଜୀବନ ଓ ସ୍ୱାମୀର ଜୀବନକୁ ଜବରଦସ୍ତି ଗୋଟାଏ ଅଫିଟା ଗଣ୍ଠିରେ ବାନ୍ଧି ଦିଅନ୍ତି । ମୋ ବିଚାରରେ ଓ ଅଭିଜ୍ଞତାରେ କେହି ନାରୀ ବା ପୁରୁଷ ପୂର୍ଣ୍ଣ–ସତୀ ହୋଇ ରହିବା ଉଚିତ୍‍ ନୁହେଁ । ଗଣ୍ଠି ଟିକିଏ ହୁଗୁଳା ରହିଲେ–ବା ବନ୍ଧନ ଦଉଡ଼ି ଟିକିଏ ବେଶି ଲମ୍ବା ହେଲେ ଉଭୟଙ୍କ ଜୀବନ ବେଶ୍‍ ସହଣୀୟ ଓ ସୁଖପ୍ରଦ ହୋଇଥାଏ ଓ ଆତ୍ମବିକାଶ ଲାଗି ସୁବିଧା ହୁଏ । ମୁଁ ଏପରି ବହୁ ପୂର୍ଣ୍ଣ ସତୀରମଣୀ ଦେଖିଛି–ଯେଉଁମାନଙ୍କର ସତୀତ୍ୱ ଯୋଗୁଁ ମର୍ତ୍ତ୍ୟର ମଣିଷମାନେ ବଡ଼ ହଇରାଣରେ ପଡ଼ନ୍ତି । ଏ ସମ୍ବନ୍ଧେ ମୁଁ ଗପଟିଏ କହୁଛି ଶୁଣ–ସବୁ ବୁଝିପାରିବ ।

....ଦିନେ ଯମପୁରରେ ସ୍ୱୟଂ ମୃତ୍ୟୁଦେବ ଗୋଟିଏ ସ୍ୱର୍ଗୀୟ ଅଶ୍ୱତ୍ଥ ବୃକ୍ଷମୂଳେ ଏକୁଟିଆ ବସି ଭଗବାନଙ୍କ ସୃଷ୍ଟିର ବୈଚିତ୍ର୍ୟ ଓ ବିଡ଼ମ୍ବନା ଉପରେ ଚିନ୍ତା କରୁଥିଲେ । ଯୁଗ ଯୁଗ ଧରି ତାଙ୍କ ଉପରେ ଏହି ସୃଷ୍ଟିର ସଂହାର–ଦାୟିତ୍ୱ ପଡ଼ି ଆସିଛି । ଖାଲି ସେତିକି ନୁହେଁ–ମନୁଷ୍ୟମାନଙ୍କୁ ମର୍ତ୍ତ୍ୟଜନ୍ମରେ କର୍ମାକର୍ମର ହିସାବ ରଖି ସେଗୁଡ଼ିକୁ ବିଚାର କରି ଜୀବାତ୍ମାମାନଙ୍କୁ ସ୍ୱର୍ଗ ବା ନରକକୁ ପଠାଇବାର ମହାଦାୟିତ୍ୱ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ତୁଲାଇବାକୁ ପଡ଼ିଲାଣି । କିନ୍ତୁ ଏଣିକି ଏହି ସବୁ କାର୍ଯ୍ୟ କରିବାକୁ ତାଙ୍କୁ ବଡ଼ କ୍ଳାନ୍ତ ଓ ଶ୍ରାନ୍ତ ଲାଗିଲାଣି । ପୃଥିବୀରେ ପୁଣି ମନୁଷ୍ୟମାନଙ୍କ ଚରିତ୍ର ଏତେ ଜଟିଳ ଯେ, ସେସବୁକୁ ଆଉ ସ୍ୱର୍ଗୀୟ ଦୃଷ୍ଟିରେ ବିଚାର କରିବା ମଧ୍ୟ ସମ୍ଭବ ନୁହେଁ । ଯମଦେବ ପ୍ରକୃତରେ ଏଣିକି ବିଶ୍ରାମ ଚାହୁଁଥିଲେ ।

ଯମଦେବ ମନେ ମନେ ଏଭଳି ଚିନ୍ତା କରୁଛନ୍ତି ଓ ସେହି ଅଶ୍ୱତ୍ଥ ବୃକ୍ଷମୂଳକୁ ଆଉଜି ବସିଛନ୍ତି । ଏମନ୍ତ ସମୟରେ କେତେକ ଯମଦୂତ ସେଠାରେ ଧଇଁସଇଁ ହୋଇ ଆସି ପହଞ୍ଚିଲେ । ସେମାନଙ୍କୁ ଦେଖି ଯମଦେବ ମନେମନେ ଟିକେ ରୁଷ୍ଟ ହେଲେ ବି ସଂଯମ ରକ୍ଷା କରି ପଚାରିଲେ–

 

ହେ ଦୂତମାନେ ! ତୁମ୍ଭେମାନେ ଏହି ଅସମୟରେ ଓ ଅସ୍ଥାନରେ କିଂପାଇଁ ମୋ ପାଖକୁ ଆସି ଅଛ ? କେଉଁ ସମସ୍ୟା ତୁମମାନଙ୍କୁ ଏପରି ବିବ୍ରତ କଲା ?

 

ଜଣେ ଯମଦୂତ ଅଣନିଶ୍ଵାସୀ ହୋଇ ହାତଯୋଡ଼ି କହିଲା–ହେ ଦେବ ! ଆମ୍ଭେମାନେ ଗତକାଲି ରାତ୍ର ଦୁଇଦଣ୍ଡ ଚାରିଲତା ପାଞ୍ଚବିଲିତାରେ ମର୍ତ୍ତ୍ୟଭୂମିର ଗୋଟିଏ ସ୍ତ୍ରୀ ଲୋକର ଜୀବାତ୍ମାକୁ ଏଠାକୁ ବାନ୍ଧି ଆଣିଥିଲୁ । କିନ୍ତୁ ଅଧପଥରେ ବିଷ୍ଣୁ ଦୂତମାନେ ହଠାତ୍‍ ଆସି ଆମକୁ ମାରଧର କରି ଜବରଦସ୍ତି ସେହି ସ୍ତ୍ରୀଲୋକର ଜୀବାତ୍ମାକୁ ଆମ ହାତରୁ ଛଡ଼ାଇ ନେଇ ତାକୁ ଦିବ୍ୟରଥରେ ବସାଇ, ତା’ ବେକରେ ସ୍ୱର୍ଗର ପାରିଜାତ ମାଳା ଲମ୍ବାଇ ନାନାଦି କୀର୍ତ୍ତନ ଭଜନ ଓ ବାଦ୍ୟରୋଳ ଭିତରେ ତାକୁ ବିଷ୍ଣୁ ଲୋକକୁ ନେଇଗଲେ ।

 

ସେହି ଯମଦୂତମାନଙ୍କ ଭିତରେ ସ୍ୱୟଂ ଚିତ୍ରଗୁପ୍ତ ଥିବାରୁ ଯମଦେବ ତାଙ୍କୁ ପଚାରିଲେ–ହେ ଚିତ୍ରଗୁପ୍ତ ! ସେହି ସ୍ତ୍ରୀଲୋକଟି ମର୍ତ୍ତ୍ୟରେ କି ସବୁ ସତ୍‌କାର୍ଯ୍ୟ କରିଛି ଯେ ତାକୁ ବିଷ୍ଣୁ ଦୂତମାନେ ତୁମଠାରୁ ଛଡ଼ାଇ ସ୍ୱର୍ଗକୁ ନେଇଗଲେ ?

 

ଚିତ୍ରଗୁପ୍ତ କହିଲେ–ହେ ଧର୍ମରାଜ ! ସେହି ସ୍ତ୍ରୀଲୋକର ମର୍ତ୍ତ୍ୟ–ଜୀବନ ସମ୍ବନ୍ଧେ ମୁଁ ଯେଉଁସବୁ ଖବର ମୋ ଖାତାରେ ଟିପି ରଖିଛି; ସେଥିରୁ ଜଣାପଡ଼େ ଯେ, ସେହି ସ୍ତ୍ରୀଲୋକ ତାହାର ଦାମ୍ପତ୍ୟ ଜୀବନରେ ଅତ୍ୟନ୍ତ ପତିବ୍ରତା ରମଣୀ ଥିଲା । ସେ ତା’ର ପତିଙ୍କ ମୁଖ ବ୍ୟତୀତ ଅନ୍ୟପୁରୁଷର ମୁଖ ପର୍ଯ୍ୟନ୍ତ ଦର୍ଶନ କରୁନଥିଲା । ତା’ ପତିର ସ୍ୱର ବ୍ୟତୀତ ଅନ୍ୟ ପୁରୁଷର ସ୍ୱର ପ୍ରତି ତା’ର କାନ ବୁଜି ଦେଉଥିଲା । ନିଜ ସ୍ୱାମୀର ଶରୀର ବ୍ୟତୀତ ସେ ଅନ୍ୟ ପୁରୁଷର ଶରୀର ସ୍ପର୍ଶ କରୁନଥିଲା । ଆପଣା ପତିର ନାମକୁ ସେ ଅହରହ ତା’ର ହୃଦୟକମଳରେ ଜପ ଓ ଭଜନ କରୁଥିଲା । ଅନ୍ୟ ପୁରୁଷର ନାମ ଯଦି ଦୈବାତ୍‍ କେବେ ତା’ ପାଟିକୁ ଆସି ଯାଉଥିଲା ତେବେ ବାରମ୍ବାର ସେ ଗଙ୍ଗାଜଳରେ କୁଳି କରି ନିଜ ପାଟିକୁ ଶୁଦ୍ଧ କରୁଥିଲା । ଅନ୍ୟ ପୁରୁଷର ଦେହ ଦୈବାତ୍‍ ତା ଦେହରେ ବାଜିଗଲେ ସେ ପଞ୍ଚଗବ୍ୟ ଜଳରେ ନିଜ ଶରୀରକୁ ଧୌତକରି ତା’ର ସତୀ–ଶରୀରକୁ ପରିଶୁଦ୍ଧ କରୁଥିଲା । ହେ ଧର୍ମରାଜ ! ସେଇ ରମଣୀ ଏପରି କଠିଣ ପାତିବ୍ରତ୍ୟ ପାଳନ କରୁଥିଲା ଯେ ତା’ର ବିବାହପରେ ସେତାର ପିତା, ପୁତ୍ର, ଦେବର, ଜାମାତା, ମାମୁଁ ଓ ପିଇସା ମାଉସାଦି ଆତ୍ମୀୟ ପୁରୁଷମାନଙ୍କଠାରୁ ମଧ୍ୟ ସର୍ବଦା ତିନିମିଟର ଦୂରତା ରଖି ଚଳୁଥିଲା । ଏହି ଭାବେ ଦୀର୍ଘ ତିନି ଦଶନ୍ଧିକାଳ ପୁଣ୍ୟମୟ ଦାମ୍ପତ୍ୟ ଜୀବନ ଅତିବାହିତ କଲାପରେ ତା’ର ସ୍ୱାମୀ ଏହି ସତୀ ସ୍ତ୍ରୀ ଲୋକଟିର ସତୀତ୍ୱ ଭାର ଓ ସତୀତ୍ୱ ଜ୍ଵାଳା ସହ୍ୟ କରି ନପାରି ଅତିଷ୍ଠ ହୋଇ ହଠାତ୍‍ ଦିନେ ଟ୍ରେନ୍‍ ତଳେ ଆତ୍ମହତ୍ୟା କଲେ ଏବଂ ସେହି ଆତ୍ମହତ୍ୟା ଜନିତ ମହାପାପ ଫଳରେ ଆମେ ସେଇ ହତଭାଗା ସ୍ୱାମୀଟିର ଜୀବାତ୍ମାକୁ ଏଠାକୁ ଅଣାଇ ତାକୁ ଏକ ଦୁଃସହ ନରକରେ ପକାଇ ଶାସ୍ତି ଦେଉଅଛୁ । ତେଣେ ମର୍ତ୍ତ୍ୟରେ ତା’ର ସେହି ସତୀ ଶିରୋମଣୀ ସ୍ତ୍ରୀଲୋକଟି ପାଞ୍ଚ ବର୍ଷକାଳ କଠିଣ ବ୍ରହ୍ମଚର୍ଯ୍ୟ ଓ ବୈଧବ୍ୟ ବ୍ରତ ପାଳନ କଲା । ତା’ପରେ ତା’ର ପରମାୟୁ ଶେଷ ହୁଅନ୍ତେ ଆମ୍ଭେମାନେ ତାକୁ ଏଠାକୁ ନେଇ ଆସିଲୁ ଏବଂ ତା’ର ପାତିବ୍ରତ୍ୟ ପୁଣ୍ୟଫଳରୁ ବିଷ୍ଣୁଦୂତମାନେ ତାକୁ ଆମଠାରୁ ଛଡ଼ାଇ ସ୍ୱର୍ଗକୁ ନେଇଗଲେ ।

 

ଯମଦେବ ପ୍ରଶ୍ନକଲେ–ହେ ଚିତ୍ରଗୁପ୍ତ ! ତୁମ କଥା ବୁଝିଲି । ମାତ୍ର ତୁମେ ଯେ, କହିଲ ସେହି ପତିବ୍ରତା ରମଣୀର ସତୀତ୍ୱ–ଜ୍ଵାଳାରେ ଅତିଷ୍ଠ ହୋଇ ଓ ସତୀତ୍ୱ ଭାର ସହ୍ୟକରି ନପାରି ତା’ର ସ୍ୱାମୀ ତିରିଶବର୍ଷର ଦୁଃସହ–ଦାମ୍ପତ୍ୟ–ଜୀବନରୁ ରକ୍ଷା ପାଇବାକୁ ଆତ୍ମହତ୍ୟା କଲା–ତା’ର ଅର୍ଥ କ’ଣ ? ‘ସତୀତ୍ୱ–ଭାର’ ଓ ‘ସତୀତ୍ୱ–ଜ୍ଵାଳା’ କହିଲେ କ’ଣ ବୁଝାଏ ?

 

ଚିତ୍ରଗୁପ୍ତ କହିଲେ–ହେ ଯମଦେବ ! ଲକ୍ଷ ଲକ୍ଷ ବର୍ଷଧରି ମୁଁ ମାନବର ପ୍ରକୃତି ଓ କ୍ରିୟା ପ୍ରତିକ୍ରିୟାଗୁଡ଼ିକୁ ଘାଣ୍ଟି ଘାଣ୍ଟି ମୋର ଏହି ଧାରଣା ହୋଇଛି ଯେ, ପୂର୍ଣ୍ଣସତୀମାନଙ୍କ ଅପେକ୍ଷା ଆଂଶିକ ସତୀମାନଙ୍କ ସ୍ୱାମୀମାନେ ଜୀବନରେ ସୁଖୀ ହୋଇଥାନ୍ତି । କାରଣ ଏହି ପୂର୍ଣ୍ଣସତୀମାନେ ଅତ୍ୟନ୍ତ କଠୋର ହୃଦୟା ହୁଅନ୍ତି । ସେମାନେ ତାଙ୍କର ସତୀତ୍ୱ–ବଳରେ ତୃପ୍ତା ହୋଇ ସ୍ୱାମୀକୁ ସର୍ବଦା କାନିରେ ବାନ୍ଧି ରଖନ୍ତି । ଏବଂ ସ୍ୱାମୀ ଉପରେ ଏପରି ଅଧିକାର ସାବ୍ୟସ୍ତ କରନ୍ତି ଏବଂ ନିଜ ସତୀତ୍ୱର ଦ୍ୱାହିଦେଇ ସ୍ୱାମୀଠାରୁ ଏତେ କଥା ଦାବି କରନ୍ତି ଯେ ପ୍ରାୟ ସବୁ ସ୍ୱାମୀ ତା ସତୀ ସ୍ତ୍ରୀର ଅସମ୍ଭବ ଦାବିମାନ ପୂରଣ କରିନପାରି ଅଣନିଃଶ୍ଵାସୀ ହୋଇ ମରନ୍ତି ବା ଆତ୍ମହତ୍ୟା କରି ନରକ ପ୍ରାପ୍ତ ହୁଅନ୍ତି । ଏହି ପୂର୍ଣ୍ଣସତୀମାନେ ନିଜ ସତୀତ୍ୱ ଗର୍ବରେ ଓ ସତୀତ୍ୱ ଦ୍ୱାହି ଦେଖାଇ ଆଉ କୋଉ ପୁରୁଷ ସଙ୍ଗେ ଅନ୍ୟ କୋଉ ପ୍ରକାର ସମ୍ପର୍କ ସମ୍ବନ୍ଧ ରଖନ୍ତି ନାହିଁ । ଆଉ ମଧ୍ୟ ବିଶ୍ୱର ସବୁ ପୁରୁଷ ମିଶି ଯୋଉ କଥାଟିକୁ ଜଣେ ମାତ୍ର ସ୍ତ୍ରୀଲୋକକୁ ବି ଦେଇ ପାରିବେ ନାହିଁ; ସେତିକି କଥା ଏହି ପୂର୍ଣ୍ଣସତୀମାନେ ତାଙ୍କ ସ୍ଵାମୀ ବିଚାରିଟିଠାରୁ ଦାବି କରନ୍ତି । ସେମାନେ ଦାବିକରନ୍ତି ଯେ ତାଙ୍କର ସ୍ୱାମୀମାନେ ରାମଚନ୍ଦ୍ରଙ୍କ ପରି ହୁଅନ୍ତୁ–ନଳଙ୍କ ପରି ହୁଅନ୍ତୁ–ସତ୍ୟବାନଙ୍କପରି ହୁଅନ୍ତୁ । ସେମାନେ ଆଶାକରନ୍ତି ଯେ ତାଙ୍କର ସ୍ୱାମୀ ତାଙ୍କୁ ଏକାଧାରରେ ପୁତ୍ରସୁଖ, ପିତୃସୁଖ, ଶ୍ୱଶୁରସୁଖ, ଜାମାତା ସୁଖ ଓ ପ୍ରେମିକ ସୁଖ ପୂର୍ଣ୍ଣଭାବେ ଦିଅନ୍ତୁ । ଏହି ପୂର୍ଣ୍ଣସତୀମାନେ ଏହା ମଧ୍ୟ ଚାହାନ୍ତି ଯେ ତାଙ୍କର ସ୍ୱାମୀମାନେ ଗୋଟିଏ ଦେବତା ବା ଭଗବାନ ହୁଅନ୍ତୁ । କିନ୍ତୁ ହେ ଧର୍ମରାଜ । ଜଣେ ପୁରୁଷ ପକ୍ଷରେ ତା’ ସ୍ତ୍ରୀ ନିକଟରେ ଏତେବଡ଼ ଦାୟିତ୍ୱ ତୁଲାଇପାରିବା ସମ୍ଭବ କି ? ଏହି ପୂର୍ଣ୍ଣସତୀମାନଙ୍କ ସ୍ୱାମୀ ବିଚରାମାନେ ଏକାଧାରରେ ଏତେ ସଂଖ୍ୟକ ପୁରୁଷ ଭୂମିକାରେ ଓହ୍ଲାଇ ନପାରି ସେହି ସତୀ ସ୍ତ୍ରୀମାନଙ୍କ ଦ୍ୱାରା ଆଜୀବନ ନିର୍ଯ୍ୟାତିତ ହୋଇ ଶେଷରେ ପାଗଳ ଅଥବା ଆତ୍ମଘାତୀ ହୋଇଥାନ୍ତି । ହେ ଯମଦେବ ! ବର୍ତ୍ତମାନ ଏହି ସ୍ତ୍ରୀ ଲୋକଟି ଦ୍ୱାରା ତା’ର ସ୍ୱାମୀ ଏହିଭାବେ ନିର୍ଯ୍ୟାତିତ ହୋଇ ଆତ୍ମହତ୍ୟା କରିଛି ।

 

ଯମଦେବ ଏହାଶୁଣି କିଞ୍ଚିତ ବିଚଳିତ ଓ ବିରକ୍ତ ହୋଇ କହିଲେ–ହେ ଚିତ୍ରଗୁପ୍ତ ! ବର୍ତ୍ତମାନ ମୋର ବିଚାରରେ ଏହି ତଥାକଥିତ ପୂର୍ଣ୍ଣସତୀ ସ୍ତ୍ରୀଲୋକଟି ଅତ୍ୟନ୍ତ ନିଷ୍ଠୁରା, ଜିଦ୍‌ଖୋର, ଅଧିକାର ପ୍ରମତ୍ତା ଓ ପରୋକ୍ଷଭାବେ ସ୍ୱାମୀଘାତିନୀ ଅଟେ । ମୋର ବାର୍ତ୍ତା ବିଷ୍ଣୁଙ୍କ ଆଗରେ ପ୍ରକାଶ କରି ସେହି ପରୋକ୍ଷ ସ୍ୱାମୀଘାତିନୀକୁ ଶୀଘ୍ର ସ୍ୱର୍ଗଲୋକରୁ ଫେରାଇ ଆଣି ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ନରକ ଭିତରେ ପକାଇ ଦିଅ ।

 

ଚିତ୍ରଗୁପ୍ତ ଏକ ମୁହୂର୍ତ୍ତ ଭିତରେ ଯମଦେବଙ୍କ ଚିଠି ଧରି ବିଷ୍ଣୁଙ୍କ ପାଖକୁ ଯାଇ ଚିଠିଟି ଦେଲେ । ବିଷ୍ଣୁ ଚିଠିଟି ପଢ଼ି ଅତ୍ୟନ୍ତ ବିଚଳିତ ହୋଇଉଠିଲେ । ତା’ପରେ ଗମ୍ଭୀର ଭାବେ କହିଲେ–ହେ ଚିତ୍ରଗୁପ୍ତ ! ଯମଦେବଙ୍କ ଯୁକ୍ତି ଯଥାର୍ଥ ଓ ଅକାଟ୍ୟ । ତାଙ୍କ ସିଦ୍ଧାନ୍ତକୁ ମୁଁ ତୁରନ୍ତ କାର୍ଯ୍ୟକାରୀ କରିବି । କିନ୍ତୁ ମୋ ପକ୍ଷରେ ସମସ୍ୟାଟି ହେଲା–ମୁଁ ଯଦି ଏହି ପାପୀୟସୀ ପୂର୍ଣ୍ଣସତୀ ସ୍ତ୍ରୀ ଲୋକଟିକୁ ନରକକୁ ପଠାଏ, ତେବେ ସେ ସେଠାରେ ଆଗରୁ ରହିଥିବା ତା’ର ସ୍ୱାମୀ ସହିତ ଗୋପନରେ ମିଳିତ ହେବ ଏବଂ ସେଠାରେ ତାକୁ ତା’ର ସତୀତ୍ୱ–ଜ୍ଵଳାରେ ନିତ୍ୟ ଜଳିପୋଡ଼ି ମାରିବ ଓ ନିଜେ ନରକରେ ଥାଇ ମଧ୍ୟ ଆତ୍ମତୃପ୍ତି ଲାଭ କରିବ । ମୁଁ ବଡ଼ ଦୁଃଖିତ ଯେ, ଏହି ସ୍ତ୍ରୀଲୋକଟି ଦ୍ୱାରା ପ୍ରପୀଡ଼ିତ ହୋଇ ତା’ର ସ୍ୱାମୀ ଆତ୍ମହତ୍ୟା କରିଛି ବୋଲି ଜାଣିବା ସତ୍ତ୍ୱେ ବି ଆପଣମାନେ କିପରି ତାକୁ ଏତେଦିନ ନରକରେ ପକାଇ ଏତେ କଷ୍ଟ ଦେଉଛନ୍ତି ? ମୋ ବିଚାରରେ ବର୍ତ୍ତମାନ ହିଁ ଯମଦେବ ତାକୁ ନରକରୁ ମୁକ୍ତି ଦେଇ ଶୀଘ୍ର ସ୍ୱର୍ଗକୁ ପଠାଇ ଦିଅନ୍ତୁ ଏବଂ ବର୍ତ୍ତମାନ ହିଁ ଏହି ସ୍ତ୍ରୀଲୋକଟିକୁ ତାର ପୂର୍ଣ୍ଣସତୀ ସୁଲଭ କୃତକର୍ମର ପ୍ରାୟଶ୍ଚିତ ଲାଗି ମୁଁ ତାକୁ ପାଞ୍ଚବର୍ଷ ପାଇଁ ନରକରୁ ପଠାଇ ଦେଉଛି ।

 

ବିଷ୍ଣୁ ଯେତେବେଳେ ଚିତ୍ରଗୁପ୍ତଙ୍କୁ ଏହି କଥା କହୁଥିଲେ ସେତେବେଳେ ସମସ୍ତଙ୍କ ଅଜାଣତରେ ସେହି ପୂର୍ଣ୍ଣସତୀ ସ୍ତ୍ରୀଲୋକଟି ତାଙ୍କ ପଛରେ ରହି ସବୁକଥା ଶୁଣୁଥିଲା ଏବଂ ବିଷ୍ଣୁଙ୍କ କଥା ସମାପ୍ତ ନହେଉଣୁ ତାଙ୍କ ସମ୍ମୁଖକୁ ଆସି ସତୀତ୍ୱଦୃପ୍ତ ଓଜସ୍ୱିନୀ ଗଳାରେ ଚିତ୍କାର କରି କହିଲା–

 

ହେ ବିଷ୍ଣୁଦେବ ! ମୁଁ ପୂର୍ଣ୍ଣଭାବରେ ସତୀ ସ୍ତ୍ରୀ ଅଟେ । ମୃତ୍ୟୁପରେ ସତୀ ସ୍ତ୍ରୀମାନଙ୍କୁ ସ୍ୱର୍ଗସୁଖ ଦେବା ଆପଣଙ୍କର କର୍ତ୍ତବ୍ୟ ଅଟେ । ଆପଣ ଯଦି ଆପଣଙ୍କ ନିର୍ଦ୍ଧାରିତ ନୀତିନିୟମ ଲଂଘନ କରିବେ, ତେବେ ଜାଣିରଖନ୍ତୁ–ମୁଁ ସତୀ ନାରୀ ଅଟେ । ମୋର ଅଭିଶାପରେ ଆପଣଙ୍କ ସହିତ ଏହି ସ୍ୱର୍ଗଲୋକ ମଧ୍ୟ ମୋର ସତୀତ୍ୱ ତେଜରେ ଜଳିପୋଡ଼ି ଛାରଖାର ହୋଇଯିବ । ଯଦି ଆପଣଙ୍କର ସତ୍‍ ଉଦ୍ଦେଶ୍ୟ ଥାଏ–ତେବେ ଆପଣଙ୍କ ସିଦ୍ଧାନ୍ତ ବଦଳାଇ ମୋର ସ୍ୱାମୀ ଦେବତାଙ୍କୁ ତୁରନ୍ତ ନରକରୁ ଉଦ୍ଧାର କରି ସ୍ୱର୍ଗକୁ ପଠାଇ ଦିଅନ୍ତୁ । ଆମେ ଦୁହେଁ ଏହି ସ୍ୱର୍ଗଲୋକରେ ରହି ଚିରଦିନ ଦିବ୍ୟ–ଦାମ୍ପତ୍ୟ–ସୁଖ ଭୋଗ କରିବୁ ।

 

ଏହା ଶୁଣି ବିଷ୍ଣୁଙ୍କ ଶ୍ରୀବତ୍ସ–ଲାଞ୍ଛିତ ବକ୍ଷ ଥରି ଉଠିଲା । ତାଙ୍କ ପାଟିରୁ ଆଉ କଥା ବାହାରିଲା ନାହିଁ । ସେ ଥର ଥର ଗଳାରେ କହିଲେ–ହେ ସତୀକୂଳ ଶିରୋମଣୀ ! ଆପଣ ଆଉ ବେଶୀ ଚିଲାନ୍ତୁ ନାହିଁ । ଆପଣଙ୍କର ସତୀତ୍ୱଦୃପ୍ତ ଗଳାର ଆବାଜରେ ମୋର ବକ୍ଷ ସମେତ ସମଗ୍ର ସ୍ୱର୍ଗପୁରୀ ଥରି ଉଠୁଛି । ମୁଁ ଆପଣଙ୍କ ଆଦେଶକୁ ମାନି ନେଉଛି । ମୁଁ ବର୍ତ୍ତମାନ ହିଁ ତୁମ ସ୍ୱାମୀଙ୍କୁ ନରକରୁ ମୁକ୍ତ କରି ସ୍ୱର୍ଗକୁ ଘେନି ଆସୁଛି ଏବଂ ତୁମ ପ୍ରକୋଷ୍ଠ ଭିତରେ ତାଙ୍କୁ ରଖିଦେଉଛି ।

 

ବିଷ୍ଣୁଙ୍କ ଆଦେଶରେ ସ୍ୱର୍ଗଦୂତମାନେ ଯାଇ ସେହି ପୂର୍ଣ୍ଣସତୀର ସ୍ୱାମୀକୁ ନରକରୁ ନେଇ ଆସିଲେ ଓ ବିଷ୍ଣୁଙ୍କ ପାଖରେ ହାଜର କରିଲେ । ତାଙ୍କୁ ଦେଖି ବିଷ୍ଣୁ କହିଲେ–ହେ ସୌଭାଗ୍ୟବାନ୍‍ ଆତ୍ମା ! ଆମ୍ଭମାନଙ୍କର ସମସ୍ତ ଅପରାଧ ମାର୍ଜନା କରି ଏବେ ଆପଣଙ୍କର ଏହି ପରମ ପୁଣ୍ୟବତୀ ସ୍ୱାମୀଗତପ୍ରାଣା ସତୀ ଶିରୋମଣୀ ପତ୍ନୀଙ୍କ ସହିତ ଏକ ସ୍ୱର୍ଗୀୟ ପ୍ରକୋଷ୍ଠରେ ରହି ଚିରନ୍ତନ ସ୍ୱର୍ଗୀୟ ଦାମ୍ପତ୍ୟ ସୁଖ ବିଳାସ କରନ୍ତୁ ।

 

ବିଷ୍ଣୁଙ୍କ ମୁଖରୁ ଏହା ଶୁଣିବା ମାତ୍ରେ ସେହି ଜୀବାତ୍ମା ପୁରୁଷଟି ଥରିଥରି ହାତଯୋଡ଼ି କହିଲା–ହେ ଭଗବାନ ! ଏହି ପୂର୍ଣ୍ଣସତୀ ସ୍ତ୍ରୀଲୋକଟି ସହିତ ତିରିଶବର୍ଷ କାଳ ମୁଁ ଏପରି ନରକ–ଯନ୍ତ୍ରଣା ଭୋଗିଛି ଯେ–ବାଧ୍ୟ ହୋଇ ଟ୍ରେନ୍‍ ତଳେ ଆତ୍ମହତ୍ୟା କଲି ଓ ସେହିପାପରୁ ପାଞ୍ଚବର୍ଷ ହେଲା ନରକରେ ରହିଛି । କିନ୍ତୁ ସେହି ନରକ ବର୍ତ୍ତମାନ ମୋ ପାଇଁ ସ୍ୱର୍ଗଠାରୁ ଶତେଗୁଣ ସୁଖପ୍ରଦ ହୋଇଛି ।

 

ଏହି ସତୀ ସ୍ତ୍ରୀ ତାଙ୍କ ସତୀତ୍ୱ ପାଇଁ ଅନନ୍ତକାଳ ଏକୁଟିଆ ସ୍ଵର୍ଗସୁଖ ଭୋଗ କରନ୍ତୁ । ମୋତେ ଯଦି ଏହା ସଙ୍ଗେ ଗୋଟିଏ ଘଣ୍ଟା ମଧ୍ୟ ଏକତ୍ର ସ୍ଵର୍ଗରେ ରଖାଯାଏ ତେବେ ତାହା ମୋ ପାଇଁ କୋଟି କୋଟି ନରକର ଯନ୍ତ୍ରଣାଠାରୁ ମଧ୍ୟ ବଳିପଡ଼ିବ । ହେ ପରମ କାରୁଣିକ ! ଦୟାକରି ଏହି ସତୀ ସ୍ତ୍ରୀଲୋକଟିକୁ ଆଉ ଅଧିକ ପୁଣ୍ୟଫଳ ଦିଅନ୍ତୁ ନାହିଁ କି ମୋତେ ଏହା ସଙ୍ଗେ ସ୍ଵର୍ଗରେ ରଖି ଆପଣଙ୍କ ସ୍ୱର୍ଗକୁ ଘୋରତର ଦୁଃସହ ନରକରେ ପରିଣତ କରନ୍ତୁ ନାହିଁ ।

 

ଏହା ଶୁଣିବା କ୍ଷଣି ଭଗବାନ ବିଷ୍ଣୁ ହଠାତ୍‍ ଦାରୁଭୂତ ମୁରାରୀ ହୋଇ ରହିଗଲେ । ତାଙ୍କର ପାଟିରୁ ଆଉ କଥା ବାହାରିଲା ନାହିଁ ।

 

କଥାଟି ଏହିଠାରେ ଶେଷ କରି ଡହରାନନ୍ଦ ଗ୍ଳାସେ ଥଣ୍ଡାପାଣି ପିଇବା ପାଇଁ ବୋତଲ ଖୋଲିଲେ । ତାଙ୍କର ପ୍ରିୟତମା ଶାଳୀ ଓ ତାଙ୍କର ବାନ୍ଧବୀମାନେ ମଧ୍ୟ ଥକ୍‌କା ହୋଇ ବସି ରହିଲେ-। କିନ୍ତୁ ସେମାନଙ୍କ ରକ୍ତିମ ଅଧର ଗୁଡ଼ିକ ହସହସ ଦେଖା ଯାଉଥିଲା ।

☆☆☆

 

କର୍ମର ଚାପ ନା ଫଳର ଚାପ ?

 

ଏହି ଆଲୋଚନାଟି ଡହରାନନ୍ଦଜୀ ରାଉରକେଲା ସହରର କେତେକ ଯୁବକଙ୍କ ସହିତ କରିଥିଲେ । ରାଉରକେଲା ଜଗନ୍ନାଥ ମନ୍ଦିର ନିକଟସ୍ଥ ଜଣେ ବନ୍ଧୁଙ୍କ ଘରେ ସେ ରହୁଥିଲେ ଏବଂ କେତେକ ଯୁବକ ଦିନେ ଖବର ପାଇ ସେଠାରେ ତାଙ୍କୁ ଦେଖାକଲେ । ଡହରାନନ୍ଦଜୀ ସେମାନଙ୍କ ସହ ସନ୍ଧ୍ୟାବେଳେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ କୋଣରେ ବସି ବିଭିନ୍ନ ବିଷୟରେ ଏଣୁତେଣୁ ଆଳାପ ଆଲୋଚନା କରୁଥାନ୍ତି । ଜଣେ ଜିଜ୍ଞାସୁ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ଶ୍ରୀମଦ୍‌ଭଗବତ୍‍ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି–ନିଷ୍କାମ ଭାବେ କର୍ମକର । କର୍ମରେ କେବଳ ତୁମର ଅଧିକାର । ଫଳରେ ଆଶା ରଖ ନାହିଁ । ଫଳକୁ ଭଗବାନଙ୍କ ହାତରେ ଛାଡ଼ିଦିଅ । କିନ୍ତୁ ଏହା କ’ଣ ସମ୍ଭବ ? ଏହା କ’ଣ ସହଜ ? ଫଳରେ ଆଶା ନରଖି କ’ଣ ଜଣେ ମନଦେଇ କାମଟିଏ କରିପାରେ ? ତା’ ଛଡ଼ା ଭଗବାନ ଯଦି ଜଣେ ପ୍ରତ୍ୟକ୍ଷ ବ୍ୟକ୍ତି ହୋଇଥାନ୍ତେ ବା ତାଙ୍କ ସହ ଯଦି ପ୍ରତ୍ୟକ୍ଷ ଭାବେ ବ୍ୟକ୍ତିଗତ ସଂପର୍କ ସମ୍ଵନ୍ଧ ସ୍ଥାପନ କରାଯାଇ ପାରନ୍ତା–ତେବେ ଅବା ତାହା କରିହୁଅନ୍ତା । କିନ୍ତୁ ମୁଁ କାମରେ ଖଟୁଥିବି ଓ ମୋର କର୍ମର ଫଳ ମୋତେ ମିଳିପାରେ–ଏପରି ସନ୍ଦେହ ଯଦି ମୋ ମନରେ ରହେ, ତା’ ହେଲେ ମୁଁ କେତେଦିନ ସେହି କର୍ମଟିକୁ ମନପ୍ରାଣ ଦେଇ କରିପାରିବି ? ଏହି କଥାଟି କେବେ ମନସ୍ତାତ୍ତ୍ଵିକ ଦୃଷ୍ଟିରୁ ବା ନୈତିକତା ଦୃଷ୍ଟିରୁ ଗ୍ରହଣ କରାଯାଇ ନ ପାରେ । ମୁଁ ଆପଣଙ୍କ ବିଲରେ ଚାଷ କରିବି କିନ୍ତୁ ମୋର ଶ୍ରମମୂଲ୍ୟ ଆପଣ ମୋତେ ଦେଇପାରନ୍ତି–ନ ଦେଇ ବି ପାରନ୍ତି । ପିଲାଟି କଠିନ ପରିଶ୍ରମ କରି ପାଠପଢ଼ୁଛି ସେ ପାସ କରିପାରେ ବା ନ ପାରେ–ସେଥିରେ ମୁଣ୍ଡ ଖେଳେଇବା ଉଚିତ୍‍ ନୁହେଁ ବୋଲି ଆପଣ କିପରି କହିପାରିବେ ? ଏହା ଯଦି ନ୍ୟାୟ ସିଦ୍ଧାନ୍ତ ହୁଏ ତେବେ ମାଲିକମାନେ ଶ୍ରମିକମାନଙ୍କୁ ସେହି ବାହାନରେ ଶୋଷଣ କରିବାକୁ ନ୍ୟାୟ ବୋଲି ଭାବିବେ ନାହିଁ କି ? ଫଳ ନ ପାଇଲେ କାମ କରିବାକୁ ପ୍ରେରଣା ମିଳିବ କିପରି ?

 

ଡହରାନନ୍ଦଜୀ ହସିହସି କହିଲେ–ଗୀତାରେ ଶ୍ରୀକୃଷ୍ଣ ଯେଉଁ ନିଷ୍କାମ କର୍ମ କଥା କହିଛନ୍ତି ବା କର୍ମଫଳ ତ୍ୟାଗ କରିବା କଥା କହିଛନ୍ତି ତାହା ଏକ ଧାତ୍ମିକ ତତ୍ତ୍ୱ ବା ଆଚରଣ ମାତ୍ର ନୁହେଁ । ଏହା ଜୀବନକୁ ସୁନ୍ଦର ଭାବେ, ସାର୍ଥକ ଭାବେ ଓ ସଙ୍ଗତ ଭାବେ ବଞ୍ଚିବାପାଇଁ ଓ ଉପଭୋଗ କରିବାପାଇଁ ଏକ ନୈତିକ ଓ ମନସ୍ତାତ୍ତ୍ଵିକ ଜୀବନଦର୍ଶନ । ଏହା କେବଳ ଚାଷୀ ମୂଲିଆ ଚାକିରିଆମାନଙ୍କୁ କୁହାଯାଇ ନାହିଁ, ଏହା ଶ୍ରମିକକୁ କୁହାଯାଇଛି ଓ ମାଲିକକୁ ମଧ୍ୟ କୁହାଯାଇଛି । ଶ୍ରମିକ କର୍ମଫଳ ତ୍ୟାଗକରି କର୍ମ କରିବା ଉଚିତ ଏବଂ ମାଲିକ ମଧ୍ୟ କର୍ମଫଳ ତ୍ୟାଗକରି କର୍ମ କରିବା ଉଚିତ । ଶ୍ରୀକୃଷ୍ଣ କେବେ ଏ କଥା କହିନାହାନ୍ତି ଯେ, ତୁମେ କାମ କର କିନ୍ତୁ ତୁମର ପାଉଣା ଛାଡ଼ିଦିଅ । ପାଠପଢ଼ କିନ୍ତୁ ପାସ କରନାହିଁ । ଶ୍ରୀକୃଷ୍ଣ ଆହୁରି ଗଭୀର କଥା କହିଛନ୍ତି । ତାଙ୍କ କହିବାର ଅର୍ଥ ହେଲା–ଯେତେବେଳେ ତୁମେ କୌଣସି କର୍ମ କରୁଛ, ସେତେବେଳେ ସେହି କର୍ମ ସଙ୍ଗେ ତୁମେ ନିବିଡ଼ ଭାବେ ସଂପୃକ୍ତ ହୁଅ ଏବଂ ସହଜଭାବରେ ସେହି କର୍ମଟିକୁ କରିଯାଅ–ଯେପରି କି ସେହି କର୍ମଟି ଭିତରେ ତୁମର ଶକ୍ତି ଓ ସାମର୍ଥ୍ୟର ପ୍ରକାଶ ହେବ । ତୁମର ସ୍ୱପ୍ନ ଓ ସୃଜନଶୀଳ କଳ୍ପନାଟି ମଧ୍ୟ ବାସ୍ତବ ହେବ ଓ ତୁମେ ସେହି କର୍ମଟି କରିବା ଦ୍ୱାରା ଓ ତାକୁ ସୁସଂପନ୍ନ କରିବା ଦ୍ୱାରା ତୁମେ ତମ ଆତ୍ମାରେ ବା ମନରେ ବା ହୃଦୟରେ ଏକ ପରିପୂର୍ଣ୍ଣତା ଅନୁଭବ କରିବ ଓ ସ୍ଫୁର୍ତ୍ତି ଅନୁଭବ କରିବ । କିନ୍ତୁ ତୁମେ ଯଦି କର୍ମ କଲାବେଳେ ତା’ର ଫଳ କଥାଟି ଚିନ୍ତା କରୁଥାଅ, ତେବେ କେବେ ବି ସେହି କର୍ମଟିକୁ ଠିକ୍‍ଭାବେ କରିପାରିବ ନାହିଁ । ତୁମର ମନ ଫଳକଥା ଚିନ୍ତା କରୁ କରୁ ଚଞ୍ଚଳ ହେବ ଏବଂ ହଠାତ୍‍ ତୁମର ମନ ଅସ୍ତବ୍ୟସ୍ତ ହୋଇଉଠିବ । ତା’ ପରେ ତୁମେ ଉତ୍ସାହ ହରାଇ ବସିବ ଏବଂ ଶେଷରେ ସେ କାମରୁ ମନ ଛାଡ଼ିଯିବ ଓ ତୁମକୁ ହତାଶା ଘୋଟିଯିବ ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଆପଣ ମନଦେଇ କାରଖାନାଟିଏ କଲେ–କିନ୍ତୁ ସେଥିରୁ ଆଶାନୁରୂପକ ଉତ୍ପାଦନ ହୋଇପାରିଲା ନାହିଁ । ଉତ୍ପାଦନ ହେଲା–କିନ୍ତୁ ସେହି ଉତ୍ପାଦନକୁ ଆଶାନୁରୂପକ ମୂଲ୍ୟରେ ବିକ୍ରୟ କରିପାରିଲେ ନାହିଁ । ତା’ହେଲେ ଆପଣ ସେହି କର୍ମରେ କ’ଣ ସବୁବେଳେ ମାତିଥିବେ ? ଲାଗ ଲାଗ ତିନିବର୍ଷ ଜମି ଚାଷ କଲେ–କିନ୍ତୁ ଫସଲ ସବୁ ବାରମ୍ବାର ନଷ୍ଟ ହୋଇଗଲା–ଅଥବା ବହୁତ ଫସଲ ହେଲା–କିନ୍ତୁ ସେଗୁଡ଼ିକ ଉପଯୁକ୍ତ ମୂଲ୍ୟରେ ବିକ୍ରୀ ହୋଇପାରିଲା ନାହିଁ–ତା’ହେଲେ ଆପଣ କ’ଣ କରିବେ ?

 

ଡହରାନନ୍ଦଜୀ କହିଲେ–ତୁମେ ଠିକ୍‍ କଥାଟିଏ କହିଛ । ତୁମ କଥାରୁ ଜଣାପଡ଼ୁଛି ଯେ କୌଣସି କର୍ମର ଫଳ ତୁମ ହାତରେ ନାହିଁ । ତୁମେ ତୁମ କର୍ମର ଫଳ ଯେତେ ଚାହିଁଲେ ବି ତାହା ତୁମ ଆୟତ୍ତର ବାହାରେ । କାରଣ, କୌଣସି କର୍ମଫଳ କେବଳ ତୁମରି କର୍ମ ଯୋଗୁଁ ଫଳୁନାହିଁ । କୃଷି ଉତ୍ପାଦନ ଓ ବିକ୍ରୀ ବ୍ୟାପାରଟି କେବଳ କୃଷକର ଚାଷ ଉପରେ ନିର୍ଭର କରେନା । ନାନାଦି ପ୍ରାକୃତିକ ଓ ଅପ୍ରାକୃତିକ କାରଣମାନଙ୍କ ଉପରେ ତାହା ନିର୍ଭର କରେ । ବନ୍ୟା, ମରୁଡ଼ି, କୀଟପତଙ୍ଗଠାରୁ ଆରମ୍ଭ କରି ସରବରାହ ବ୍ୟବସ୍ଥା ଓ ବିକ୍ରୀ ବ୍ୟବସ୍ଥା ଉପରେ କୃଷକର କର୍ମଫଳ ନିର୍ଭର କରେ । ସେହିପରି ସବୁକଥା । ତେଣୁ ତୁମେ ଯଦି ସୁସ୍ଥ ମନ ଓ ସୁସ୍ଥ ଶରୀର ନେଇ ବଞ୍ଚିବାକୁ ଚାହଁ, ତେବେ ଶୁଦ୍ଧ ବୁଦ୍ଧିବିଚାର ଦ୍ୱାରା ସବୁ କଥାକୁ ବୁଝିବା ଉଚିତ । ଅର୍ଜ୍ଜୁନଙ୍କର ପାଖରେ ଭଗବାନ ବୋଲି ଜଣେ ଥିଲେ । ସେ ତାଙ୍କ ଉପରେ କର୍ମଫଳ ଛାଡ଼ିଦେଲେ । ତୁମ ପାଖରେ ଯଦି ଭଗବାନ ବୋଲି କେହି ପ୍ରତ୍ୟକ୍ଷ ବନ୍ଧୁ ନାହାନ୍ତି, ତେବେ ତୁମେ ତୁମର ଶୁଦ୍ଧବିଚାର ଓ ଶୁଭବୁଦ୍ଧିକୁ ନେଇ ବଞ୍ଚ ।

 

ଜଣେ ଯୁବକ କହିଲେ–ମହାଶୟ ! ଆପଣ ଯୁକ୍ତିଯୁକ୍ତ କଥା ଇ କହୁଛନ୍ତି । କିନ୍ତୁ ସବୁକଥା ବୁଝି ମଧ୍ୟ ଆମର କିପରି କାମ କରିବାକୁ ପ୍ରେରଣା ଓ ଶ୍ରଦ୍ଧା ଆସିବ, ସେକଥା ବତାଇ ଦିଅନ୍ତୁ ।

 

ଡହରାନନ୍ଦଜୀ କହିଲେ–ଈଶ୍ୱରପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ଏହି ମର୍ମରେ ମଧ୍ୟ ଉପଦେଶଟିଏ ଅଛି । ଶୁଣ ! ଥରେ ଯୀଶୁଖ୍ରୀଷ୍ଟ ତାଙ୍କର ଅନୁରକ୍ତମାନଙ୍କ ସହ ଗୋଟିଏ ଗ୍ରାମ ଭିତରଦେଇ ଯାଉଥିଲେ । ଗ୍ରାମ ଶେଷରେ ଗୋଟିଏ ଜଳାଭୂଇଁ ପଡ଼ିଲା । ତା’ ଭିତରେ ଖୁବ୍‍ ସୁନ୍ଦର କଇଁଫୁଲଗୁଡ଼ିଏ ଫୁଟିଥିଲେ । ରାସ୍ତାର ଦୁଇପାର୍ଶ୍ଵରେ ଅସଂଖ୍ୟ ଧଳା, ନାଲି ଓ ନୀଳକଇଁଗୁଡ଼ିଏ ଫୁଟିଥିବାରୁ ଚାରିଆଡ଼ ଖୁବ୍‍ ସୁନ୍ଦର ଦିଶୁଥିଲା ଓ ପରିପୂର୍ଣ୍ଣ ଦିଶୁଥିଲା । ଯୀଶୁ ତାହା ଦେଖି ଖୁବ୍‍ ଆନନ୍ଦିତ ହୋଇ କହିଲେ–ବନ୍ଧୁଗଣ ! ଏହି ସୁନ୍ଦର କଇଁଫୁଲଗୁଡ଼ିକ ଦେଖୁଛ ତ ? ଶିଷ୍ୟମାନେ ପ୍ରଥମେ କିଛି କହିଲେ ନାହିଁ । ଦ୍ଵିତୀୟଥର ମଧ୍ୟ ଯୀଶୁ ଆଉ ଟିକିଏ ଉଚ୍ଚସ୍ୱରରେ ପ୍ରଶ୍ନ କଲେ–ଆହେ ବନ୍ଧୁଗଣ ! ରାସ୍ତା ଦୁଇକଡ଼ରେ ଏଇସବୁ ସୁନ୍ଦର କଇଁଫୁଲ ଦେଖୁଛ ତ’ ?

 

ଏହା ଶୁଣି ଜଣେ ଶିଷ୍ୟ କହିଲେ–ପ୍ରଭୁ ! ଆପଣ ଆମ୍ଭମାନଙ୍କୁ କୋଉ କଇଁଫୁଲମାନଙ୍କ କଥା କହୁଛନ୍ତି ? ଏବଂ କୋଉ ରାସ୍ତାର କଡ଼ରେ ସେମାନେ ଫୁଟିଛନ୍ତି ?

 

ଯୀଶୁ ତାଙ୍କ ଚାରିପଟେ ଘେରିଥିବା ଜଳାଭୁଇଁକୁ ଦେଖାଇଲେ ଏବଂ ଚାଲୁଥିବା ରାସ୍ତାକୁ ଦେଖାଇ କହିଲେ–ମୁଁ ଏହି ରାସ୍ତାକଥା କହୁଛି ଓ ଏହାରି ଦୁଇପାର୍ଶ୍ୱରେ ଫୁଟିଥିବା ଏହିସବୁ କଇଁଫୁଲମାନଙ୍କ କଥା କହୁଛି ।

 

ଜଣେ ଶିଷ୍ୟ କହିଲେ–ପ୍ରଭୁ ! ଆପଣ ଯେତେବେଳେ ‘ରାସ୍ତା’ କଥା କହିଲେ, ଆମେ ସେତେବେଳେ ଆକାଶକୁ ଚାହିଁଲୁ । ଭାବିଲୁ–ଆପଣ ସ୍ୱର୍ଗକୁ ରାସ୍ତା–କଥା କହୁଛନ୍ତି ଏବଂ ଆପଣ ଯେତେବେଳେ କଇଁଫୁଲ କଥା କହିଲେ, ଆମେ ମଧ୍ୟ ଆକାଶ ଆଡ଼କୁ ଚାହିଁଲୁ । ଭାବିଲୁ–ଆପଣ ସ୍ୱର୍ଗର ଫୁଲମାନଙ୍କ କଥା କହୁଛନ୍ତି ।

 

ଯୀଶୁ ହସିହସି ଉତ୍ତର ଦେଲେ–ବନ୍ଧୁଗଣ ! ବେଳେବେଳେ ସ୍ୱର୍ଗର ରାସ୍ତା ଆମ ମର୍ତ୍ତ୍ୟର ରାସ୍ତାକୁ ଓହ୍ଲାଇ ଆସେ ଏବଂ ସ୍ୱର୍ଗର ଫୁଲମାନେ ମଧ୍ୟ ଆମ ମର୍ତ୍ତ୍ୟର ଫୁଲ ଭିତରକୁ ଓହ୍ଲାଇ ଆସନ୍ତି । କିନ୍ତୁ ତୁମମାନଙ୍କର ସେ ଦୃଷ୍ଟି ନାହିଁ । ଏବେ ଏହି କଇଁଫୁଲମାନଙ୍କୁ ଦେଖ, ସେଗୁଡ଼ିକ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ରାଜା ସଲେମନଙ୍କ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟକୁ ପରାଭୂତ କରୁଛନ୍ତି । ରାଜା ସଲେମନ ବିରାଟ ସାମ୍ରାଜ୍ୟର ସାମ୍ରାଟ । ତାଙ୍କର ଐଶ୍ୱର୍ଯ୍ୟର ତୁଳନା ନାହିଁ । ମାତ୍ର ଏହି କଇଁଫୁଲମାନଙ୍କ ଆଗରେ ତାଙ୍କର ମହିମା କେତେ ମଳିନ !

 

ଶିଷ୍ୟମାନେ ପଚାରିଲେ–ପ୍ରଭୁ ! ଏଇ ସାମାନ୍ୟ କଇଁଫୁଲମାନଙ୍କର କି ଐଶ୍ୱର୍ଯ୍ୟ ରହିଛି ଆମେ ବୁଝି ପାରୁନାହୁଁ ।

 

ଯୀଶୁ କହିଲେ–ବନ୍ଧୁଗଣ ! ଏହି କଇଁଫୁଲ ଗୁଡ଼ିକ ଏଇଠି ଫୁଟିଛନ୍ତି ଓ ବର୍ତ୍ତମାନ ଫୁଟିଛନ୍ତି । ସେମାନେ ଏହି ସମୟ ଭିତରେ ବଞ୍ଚିଛନ୍ତି ଓ ଏହି ସମୟରେ ହିଁ ଫୁଟିବା କ୍ରିୟାଟିକୁ କରୁଛନ୍ତି । ସେମାନେ ଭବିଷ୍ୟତର ଆଶାରେ ଫୁଟୁନାହାନ୍ତି । କିନ୍ତୁ ସମ୍ରାଟ ସଲେମନ ବର୍ତ୍ତମାନ ବଞ୍ଚିଥିଲେ ବି ବର୍ତ୍ତମାନରେ ବଞ୍ଚୁ ନାହାନ୍ତି । ତାଙ୍କ ମନରେ ଭବିଷ୍ୟତ ମାଡ଼ିବସିଛି । ସେ ଭବିଷ୍ୟତ ପାଇଁ ବଞ୍ଚୁଛନ୍ତି । ଭବିଷ୍ୟତରେ ସେ ଆଉ ଅଧିକ ରାଜ୍ୟ ଜୟ କରିବେ କି ନିଜ ରାଜ୍ୟରୁ କିଛି ହରାଇବେ ଏହି ଚିନ୍ତାରେ ସେ ସର୍ବଦା ଘାରି ହେଉଛନ୍ତି । ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏଇ ଯେ ଚିନ୍ତାର ଚାପ ତାହା ତାଙ୍କ ଜୀବନକୁ କୁତ୍ସିତ ଓ ପୀଡ଼ିତ କରିଦେଇଛି । କିନ୍ତୁ ଏହି କଇଁଫୁଲମାନଙ୍କର ଭବିଷ୍ୟତ ପାଇଁ କିଛି ଚିନ୍ତା ନାହିଁ । ସେମାନେ ଏହି ମୁହୂର୍ତ୍ତ ଭିତରେ ଓ ସ୍ୱୟଂସଂପୂର୍ଣ୍ଣ ହୋଇ ବଞ୍ଚିଛନ୍ତି । ଯେତିକି ଜାଗାରେ ସେମାନେ ଫୁଟିଛନ୍ତି ସେତିକି ଜାଗା ପାଇ ସେମାନେ ସନ୍ତୁଷ୍ଟ । ସେମାନେ ଆଉ ବେଶି ଜାଗା ଚାହୁଁନାହାନ୍ତି କି ଆଉ ବେଶି ସମୟ ମଧ୍ୟ ବଞ୍ଚିବାକୁ ଚାହୁଁନାହାନ୍ତି । ଉପରୁ ସୂର୍ଯ୍ୟାଲୋକ ପାଇ ସେମାନେ ଖୁସି । ଚାରିପଟେ ଧୀରପବନକୁ ସ୍ପର୍ଶକରି ସେମାନେ ଖୁସି । ପାଣି ଓ ପଙ୍କ ଭିତରେ ସେମାନେ ଖୁବ୍‍ ଆନନ୍ଦରେ ଫୁଟି ଚାଲିଛନ୍ତି ଓ ମଉଳିଯିବା ପର୍ଯ୍ୟନ୍ତ ଫୁଟି ଚାଲିଛନ୍ତି । ତାଙ୍କ ଉପରେ ଯେଉଁ ମହୁମାଛି ଓ ଭ୍ରମରମାନେ ଗୁଣୁଗୁଣୁ ହୋଇ ବୁଲୁଛନ୍ତି ଓ ସେମାନଙ୍କ ଭିତରୁ ମଧୁଶୋଷଣ କରୁଛନ୍ତି–ସେଥିରେ ସେମାନଙ୍କର ଫୁଟିବାର ଆନନ୍ଦ ଉଚ୍ଛୁଳି ଉଠୁଛି । ସେମାନେ ଯାହା ହୋଇଛନ୍ତି ତାହା ହେବାରେ ସେମାନଙ୍କର ଆନନ୍ଦ । ସେମାନେ ଆଉ କିଛି ହେବାକୁ ଚାହାନ୍ତି ନାହିଁ । କିନ୍ତୁ ତା’ମାନେ ନୁହଁ ଯେ ସେମାନଙ୍କ ପାଖକୁ ତାଙ୍କର ଭବିତବ୍ୟ ଆସିବ ନାହିଁ । ସେମାନଙ୍କ ଭବିତବ୍ୟ ସେମାନଙ୍କ ପାଖକୁ ନିଶ୍ଚୟ ଆସିବ । ଯେତେବେଳେ ତାହା ଆସିବ, ସେମାନେ ତାକୁ ମଧ୍ୟ ସହଜରେ ଓ ଆନନ୍ଦରେ ଗ୍ରହଣ କରିନେବେ-। ଏହି ଫୁଲଗୁଡ଼ିକ ଦୁଇଦିନ ପରେ ମଉଳିଯିବେ ଓ ସେମାନଙ୍କର ଫଳ ମଧ୍ୟ ହେବ-। କିନ୍ତୁ ଯାହାସବୁ ଘଟିବ ତାହା ସ୍ୱାଭାବିକ ଭାବେ ଘଟିବ ଓ ଏଇ ଫୁଲମାନେ ସେଥିରେ ଆଦୌ ଉଦବିଗ୍ନ ହେଉନାହାନ୍ତି । କିନ୍ତୁ ସମ୍ରାଟ ସଲେମନଙ୍କ ଭଳି ମଣିଷମାନେ ସର୍ବଦା ଭବିଷ୍ୟତକୁ ନେଇ ବ୍ୟସ୍ତ ଓ ଉଦ୍‌ବିଗ୍ନ । ସେଥିପାଇଁ ମଣିଷମାନଙ୍କ ଜୀବନ ଏତେ ରୁକ୍ଷ, ଚାପଗ୍ରସ୍ତ, ବିବ୍ରତ ଓ ଧୂସର ।

 

ଡହରାନନ୍ଦ ଏତିକି କହି କିଛି ସମୟ ଚୁପ ରହିଲେ । ତା’ପରେ ପାଟିରେ ଖଣ୍ଡିଏ ପାନ ପୂରାଇ ଖୁବ୍‍ ଧୀରସ୍ୱରରେ କହିଲେ–ନିଷ୍କାମ କର୍ମ ହେଲା ତୁମକୁ ଯେଉଁ କର୍ମ ଭଲଲାଗୁଛି–ତୁମେ ସେହି କର୍ମକୁ ଖୁବ୍‍ ଆନନ୍ଦରେ କରିଯାଅ । ସହଜ ମନନେଇ କରିଯାଅ । ସେଇ କର୍ମ କରୁ କରୁ ତାରି ଭିତରେ ତୁମର ଶକ୍ତି, ସାମର୍ଥ୍ୟ, ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟ ବିକଶି ଉଠିବ । ତୁମର ସହଜ କର୍ମର ଫଳ ଆପେ ଆସିବ ଏବଂ ଯାହା ଆସିବ, ତାହା ତୁମ ପାଇଁ ଖୁବ୍‍ ସ୍ୱାଭାବିକ ଆନନ୍ଦପ୍ରଦ ହେବ । ତାହା ନ ହୋଇ ତୁମେ ଯଦି କର୍ମ ଆରମ୍ଭ କରୁ କରୁ ତା’ର ଫଳ କଥା ଚିନ୍ତା କରିବସିବ ତେବେ କର୍ମଟି ସୁରୁଖୁରୁରେ ସମାପନ ହେବନାହିଁ । କିନ୍ତୁ ତୁମର ମାନସିକ ଚାପ ବଢ଼ି ଚାଲିବ ଓ ତୁମେ ଏକ ଅସୁଖୀ ମଣିଷରେ ପରିଣତ ହେବ ।

 

ଡହରାନନ୍ଦ ଏତିକି କହି ସେଦିନ ନୀରବ ହେଲେ ।

☆☆☆

 

ପାଗଳୀ ବୁଢ଼ୀ ଓ ଧର୍ମଦେବତା

 

ବାବା ଡହରାନନ୍ଦ ରାଉରକେଲାରେ ରହିବାର ଦ୍ଵିତୀୟଦିନ ସନ୍ଧ୍ୟାରେ ମଧ୍ୟ ପୂର୍ବୋକ୍ତ ଯୁବକମାନେ ତାଙ୍କୁ ସେହି ସ୍ଥାନରେ ଭେଟିଥିଲେ ଓ ତାଙ୍କ ସହିତ କର୍ମ ଓ କର୍ମଫଳ ସମ୍ପର୍କରେ ପୁନର୍ବାର ଆଲୋଚନା କରିଥିଲେ । ନିଷ୍କାମ କର୍ମ ଓ କର୍ମଫଳରେ କିପରି ଆଶା ରଖି କାର୍ଯ୍ୟ କରିବାକୁ ହୁଏ–ସେ କଥା ଗତକାଲି ସନ୍ଧ୍ୟାରେ ଆଲୋଚନା ହୋଇଥିଲା । ଆଜି ସନ୍ଧ୍ୟାରେ କଥା ପ୍ରସଙ୍ଗରେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ଗତକାଲି ଆପଣ ଆମକୁ ଯାହା ସବୁ କହିଲେ–ତାହା ଆମ୍ଭମାନଙ୍କର ହୃଦ୍‌ବୋଧ ହେଲା । କିନ୍ତୁ ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି । ତା’ହେଲା–ମଣିଷ ଯଦି କାର୍ଯ୍ୟ କଲାବେଳେ ନିଜେ କିଛି ଆଶା ନ କରିବ, ସଂକଳ୍ପ ନ କରିବ ତେବେ ଭବିଷ୍ୟତକୁ ବଦଳାଇବାର ଅଧିକାର ତା’ର ନାହିଁ । ଯଦି ମନୁଷ୍ୟ ତା’ର ବର୍ତ୍ତମାନର କର୍ମ ଦ୍ୱାରା ତା’ର ଭବିଷ୍ୟତର ଦୁର୍ଗତି ବା ଆପଦ ବିପଦକୁ ଏଡ଼ାଇ ନ ପାରିବ, ତେବେ ମନୁଷ୍ୟ ଜୀବନର ଗୁରୁତ୍ୱ ଆଉ କ’ଣ ଅଛି ?

 

ଡହରାନନ୍ଦ କିଛି ସମୟ ଚୁପ୍‍ ରହିଲା ପରେ କହିଲେ–

 

ବନ୍ଧୁ ! ମୁଁ ଯେଉଁ କଥା କହୁଛି–ତାକୁ ପରମସତ୍ୟ ବୋଲି ବା ସଂପୂର୍ଣ୍ଣ ସମଗ୍ର ସତ୍ୟ ବୋଲି ଗ୍ରହଣ କରି ନିଅନାହିଁ । ମୁଁ କେବଳ ତୁମକୁ ଗୋଟିଏ ଶୁଦ୍ଧ ବିବେକଚାଳିତ ବିଚାର ଦେଲି । ମୋର ଉଦ୍ଦେଶ୍ୟ, ତୁମ ଭିତରେ ଆଗ ସତ୍ୟକୁ ଆବିଷ୍କାର କରିବା ପାଇଁ ବା ହିତାହିତ ଜ୍ଞାନ ଆସିବା ପାଇଁ ଏକ ନିରପେକ୍ଷ ଉଜ୍ଜ୍ୱଳ ମନୋଭାବର ସୃଷ୍ଟି ହେଉ । ପ୍ରତ୍ୟେକ ସୁସ୍ଥ ମସ୍ତିଷ୍କ ବ୍ୟକ୍ତି ଜାଣିବା ଉଚିତ ଯେ, ଜୀବନର ପ୍ରତ୍ୟେକ ବ୍ୟାପାରରେ ସେ କେତେ ପରିମାଣରେ ଲିପ୍ତ ରହିବ ଓ କେତେ ପରିମାଣରେ ନିର୍ଲିପ୍ତ ରହିବ । ଗୋଟିଏ କାର୍ଯ୍ୟକୁ ଭଲଭାବରେ କରିବାକୁ ହେଲେ, ସୁସମ୍ପନ୍ନ କରିବାକୁ ହେଲେ ତୁମକୁ ସେଥିରେ ଲିପ୍ତ ହେବାକୁ ପଡ଼ିବ ଏବଂ ନିଶ୍ଚିତଭାବେ ଅଙ୍ଗୀକୃତ ହେବାକୁ ପଡ଼ିବ । କିନ୍ତୁ ଲିପ୍ତ ହେବା ବା ଅଙ୍ଗୀକୃତ ହେବା ମାନେ ନୁହେଁ ଯେ, ତୁମେ ସେ କାର୍ଯ୍ୟଟି ଉପରେ ପୁରା କୁଢ଼େଇ ହୋଇପଡ଼ିବ । କିମ୍ବା ସେ କାର୍ଯ୍ୟଟି ମଧ୍ୟ ତୁମ ଉପରେ ପୂରା କୁଢ଼େଇ ହୋଇ ପଡ଼ିବ-। ସମଗ୍ର ଲିପ୍ତତା ଭିତରେ ଯଦି ତୁମ ମନୋଭାବରେ ସାମାନ୍ୟ ନିର୍ଲିପ୍ତତା ନ ଥାଏ–ତେବେ ତୁମେ ସେ କାର୍ଯ୍ୟର ପ୍ରଣାଳୀ ଓ ଗତି ବିଷୟରେ ମଧ୍ୟ କିଛି କଳନା କରିପାରିବ ନାହିଁ । ଲଗାଲଗି ହୋଇ ରହିବା ମାନେ ନୁହେଁ ଯେ, ତୁମେ ଜାକିଜୁକି ହୋଇ ରହିବ ବା ବନ୍ଧାବନ୍ଧି ହୋଇ ରହିବ-। ଅନ୍ୟ ବ୍ୟକ୍ତି ସହିତ ବା ଅନ୍ୟ ବିଷୟ ସହିତ ତୁମେ ଯଦି ସତକୁ ସତ ଲିପ୍ତ ବା ଅଙ୍ଗୀକୃତ ରହିବାକୁ ଚାହୁଁଥାଅ–ତେବେ ତୁମ ଦୁହିଁଙ୍କ ଭିତରେ ସାମାନ୍ୟ ଫାଙ୍କ ରହିବା ଉଚିତ । ସେହି ସାମାନ୍ୟ ଫାଙ୍କଟି ହେଲା ତୁମ ଦୁହିଁଙ୍କ ଭିତରେ ଥିବା ଆକାଶ ଏବଂ ସେହି ଆକାଶ ହେଉଛି ତୁମର ନିର୍ଲିପ୍ତତା-। ସେତକ ଥିଲେ ଯାଇ ତୁମେ ମୁକ୍ତ ଅନୁଭବ କରିବ ଓ ମୁକ୍ତ ଅନୁଭବ କଲେ ଇ ତୁମର ଚିନ୍ତା ଓ ଅନୁଭବ ନିର୍ମଳ ହେବ ଓ ପ୍ରସାରିତ ହେବ ।

 

ଏତିକିବେଳେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଏକଥା ବୁଝାଗଲା । ମାତ୍ର ଆମେ କ’ଣ ଆଶାନୁଯାୟୀ ଭବିଷ୍ୟତଟିଏ ପାଇବୁ ବୋଲି ଚିନ୍ତା କରିବୁନାହିଁ ?

 

ଡହରାନନ୍ଦ ହସି ହସି କହିଲେ–ତୁମେ ଉଜ୍ଜ୍ୱଳ ଭବିଷ୍ୟତଟିଏ ବା ସୁନେଲୀ ଆସନ୍ତା କାଲିଟିଏ ଚାହିଁବ ନାହିଁ ବୋଲି ମୁଁ ଭଲା କେତେବେଳେ କହିଲି ? ଏପରିକି ମୁଁ ଏକଥା ମଧ୍ୟ ଦୃଢ଼ଭାବେ କହୁଛି ଯେ,–ଅନ୍ଧନିୟତି ଦ୍ୱାରା ତୁମ ଉପରେ ଲଦି ଦିଆଯାଇଥିବା କୌଣସି ମନ୍ଦ ଭାଗ୍ୟକୁ ତୁମେ ଦୁର୍ବଳ ଅସହାୟ ଭାବେ ସ୍ୱୀକାର କରି ଯାଅନାହିଁ । ତୀବ୍ର ଅଭୀପ୍ସା, ଦୃଢ଼ ସଂକଳ୍ପ, ନିଷ୍ଠାପର ଅଧ୍ୟବସାୟ ଓ ଏକ ଗଭୀର ହୃଦୟର ଶୁଦ୍ଧ ପ୍ରାର୍ଥନା ଦ୍ୱାରା ମଣିଷ ତା’ର ଭାଗ୍ୟକୁ ନିଶ୍ଚୟ ବଦଳାଇ ଆସିଛି ଓ ଭବିଷ୍ୟତରେ ମଧ୍ୟ ବଦଳାଇ ଚାଲିବ । ତୁମେମାନେ କେହି ଭାଗ୍ୟ ହାତରେ ଅସହାୟ, ଅକୃତକାର୍ଯ୍ୟ, କ୍ରୀଡ଼ନକ ହୋଇ ରହିବା ଉଚିତ ନୁହେଁ । ମଣିଷ ପକ୍ଷେ ଏହାଠାରୁ ବଳି ଅପମାନ ଆଉ କିଛି ନାହିଁ । କିନ୍ତୁ ମୁଁ ଯୋଉ ନିର୍ଲିପ୍ତତାର କଥା କହୁଛି–ତାହା ତୁମକୁ ଯେପରି ଏକ ନାସ୍ତିକବାଚକ ସ୍ମୃତି ଭିତରକୁ ନେଇ ନ ଯାଏ । ନିର୍ଲିପ୍ତ ହେବା ମାନେ ନୁହଁ ଯେ ତୁମେ ଜୀବନ ସହିତ ବା ଜୀବନର ସବୁ କିଛି ପରିସ୍ଥିତି ସହିତ ସମ୍ମୁଖୀନ ହେବନାହିଁ । ନିର୍ଲିପ୍ତତା ଏକ ଦାର୍ଶନିକ ଦୃଷ୍ଟିକୋଣ । ମନର ଏକ ସୁସ୍ଥ ସହଜ ଭାବ । ସାମାନ୍ୟ ନିର୍ଲିପ୍ତଭାବ ରହିଲେ କୋଉକଥା ତୁମକୁ ବୋଝ ଭଳି ଲାଗିବ ନାହିଁ । କିମ୍ବା ତୁମର ମାନସିକ ଭାରସାମ୍ୟ ଦୋହଲି ଯିବ ନାହିଁ । ତୁମେ ଏକ ଲକ୍ଷ୍ୟରଖି କାମ କରିବ ନିଶ୍ଚୟ ଏବଂ କ୍ଷତିରେ କେବେ ବଣିଜ କରିବ ନାହିଁ । କିନ୍ତୁ ତୁମେ ଏକଥା ମଧ୍ୟ ଦୃଢ଼ଭାବେ ଜାଣି ରଖିବ ଯେ, ତୁମେ ଯେତେ ଯାହା ଶ୍ରମ କଲେ ବି, ଯେତେ ମାନଯୋଗ ଦେଇ ଯେତେ ନିଷ୍ଠାପର ଭାବେ ଯେ କୌଣସି କାର୍ଯ୍ୟ କଲେ ବି–ସବୁବେଳେ ଯେ ତୁମ କାର୍ଯ୍ୟର ସୁଫଳ ଫଳିବ ତା’ ନୁହେଁ । କୁଫଳ ମଧ୍ୟ ଫଳିପାରେ । କିମ୍ବା ତୁମେ ଯେତିକି ଚାହିଁଥିଲ–ତାହା ତେତିକି ମିଳି ନ ପାରେ ଏବଂ ଏକଥା ମନେରଖ ଯେ, ଏହି କଥାଟି କେବଳ ତୁମପାଇଁ ଘଟେ ନାହିଁ-। ସମସ୍ତଙ୍କ ପାଇଁ ମଧ୍ୟ ଘଟେ ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନ କଲେ–ମହାଶୟ ! ଭବିଷ୍ୟତ ପ୍ରତି ଆମର ମନୋଭାବ କ’ଣ ହେବ–ତାହା ନିର୍ଦ୍ଦିଷ୍ଟ ଭାବେ ବୁଝାଇ ଦିଅନ୍ତୁ ।

 

ଡହରାନନ୍ଦ କହିଲେ–ଭବିଷ୍ୟତ ଅବଶ୍ୟ ଆସିବ । କିନ୍ତୁ ଯୋଉ ଭବିଷ୍ୟତ ଆସିବ ତାହା କେବଳ ତୁମ ପାଇଁ ଆସିବ ନାହିଁ । ତାହା ସମସ୍ତଙ୍କ ପାଇଁ ଆସିବ । ପୁଣି ଯୋଉ ଭବିଷ୍ୟତଟି ଆସିବ ତାହା କେବଳ ତୁମରି କର୍ମ ଦ୍ୱାରା ତିଆରି ହୋଇନାହିଁ । ବହୁ ବହୁ ଲୋକଙ୍କ କର୍ମଦ୍ୱାରା ତାହା ତିଆରି ହୋଇଛି । ତେଣୁ ଯୋଉ ଭବିଷ୍ୟତ ଆସିବ ତାହା ଏକ ସାମୂହିକ ଭବିଷ୍ୟତ । ସେଥିରୁ ତୁମର ଯେତିକି ଅଂଶ ତୁମେ କେବଳ ସେତିକି ଆନନ୍ଦ ଗ୍ରହଣ କରିବ । ସମୁଦାୟ ଭବିଷ୍ୟତଟିକୁ କେବଳ ତୁମରିପାଇଁ ଉଦ୍ଦିଷ୍ଟ ବୋଲି କେବେ ଭାବିବ ନାହିଁ ଏବଂ ଏକଥା ମଧ୍ୟ ଜାଣିବ ଯେ,–ଯୋଉ ଭବିଷ୍ୟତଟି ଏଇ ମୁହୂର୍ତ୍ତରେ ଆସୁଛି ବା ଆସନ୍ତାକାଲି ଆସିବ ତାହା ସମଗ୍ର ପୃଥିବୀ ବିଶ୍ୱ ସଂସାର ପାଇଁ ଆସୁଛି । ଏ ସମ୍ବନ୍ଧେ ମୁଁ ଗପଟିଏ କହୁଛି ଶୁଣ । ଗଳ୍ପଟି ଅବଶ୍ୟ ପିଲାଙ୍କ ପାଇଁ । ମାତ୍ର ଆମେ ସାରା ଜୀବନ ପିଲା ଭଳି ରହିଥାଉ ଓ ସେହି ପିଲାଙ୍କ ଗଳ୍ପ ହିଁ ଆମକୁ ସାରା ଜୀବନ ଶିକ୍ଷା ଦେଉଥାଏ । ଏବେ ଶୁଣ !

 

ଗୋଟିଏ ଗାଁରେ ବୁଢ଼ୀଟିଏ ଥାଏ । ସେ ପିଲାବେଳେ ବାହା ହୋଇଥିଲା ଏବଂ ବିବାହର ଦୁଇବର୍ଷ ପରେ ବିଧବା ହୋଇଗଲା । ସେହିଦିନୁଁ ସେ କଠିଣ ବୈଧବ୍ୟବ୍ରତ ପାଳନ କଲା-। ଗାଁରେ ସେ କାହା ସହିତ ମିଶେ ନାହିଁ । କାହାକୁ ଭଲ ପାଏ ନାହିଁ । ସମସ୍ତଙ୍କୁ ଅବିଶ୍ୱାସ କରେ ଏବଂ ପ୍ରତିଦିନ ରାତି ପାହିଲାବେଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗାଁରେ ସମସ୍ତଙ୍କ ସହିତ କଳିକଜିଆ କରେ ଓ ସମସ୍ତଙ୍କୁ ନିଦାରୁଣ ଭାବେ ଅଭିସଂପାତ ଦେଇ ଚାଲିଥାଏ । ତା’ର ଧାରଣା ଯେ, ସେ ଗାଁ’ର ସବୁ ସ୍ତ୍ରୀଲୋକ ଅସତୀ ଦୋଚାରୁଣୀ ଓ ସବୁ ପୁରୁଷମାନେ ଲମ୍ପଟ ଓ ଚୋର ଏବଂ ସବୁ ପିଲାମାନେ ବାଳୁଙ୍ଗା । ସେ ଭାବେ–ସେ ହିଁ କେବଳ ଭଲ ଓ ଧର୍ମପରାୟଣା ଏବଂ ସେ ପିଲାକାଳୁ ବିଧବା ହେଲେ ମଧ୍ୟ ସାରାଜୀବନ ସତୀ ଭାବେ ବଞ୍ଚିବାର ସାଧନା କରିଛି । ତେଣୁ ତା’ ପୁଣ୍ୟ ଫଳରେ ଗ୍ରାମବାସୀମାନେ ବଞ୍ଚିଛନ୍ତି । ନ ହେଲେ କୋଉଦିନୁଁ ଏ ଗ୍ରାମବାସୀମାନେ ବଢ଼ି, ମରୁଡ଼ି, ହଇଜା କିମ୍ୱା ଭୂମିକମ୍ପରେ ମରି ଯାଆନ୍ତେଣି । ସେ ବୁଢ଼ୀଟି ଏମିତି ନିଜ ଉପରେ ଖୁବ୍‍ ଗୁରୁତ୍ୱ ଦେଇ ଓ ଅନ୍ୟମାନଙ୍କୁ ଘୃଣା ଓ ଅବିଶ୍ୱାସ କରି କରି ବୁଢ଼ୀବେଳକୁ ପ୍ରାୟ ଅଧାପାଗଳୀ ହୋଇଗଲା ଏବଂ ଦିନକୁ ଦିନ ବେଶି କଜିଆଖୋରଣୀ ହେଲା । ତା’ ଅତ୍ୟାଚାରରେ ଗ୍ରାମବାସୀମାନେ ଅତିଷ୍ଠ ହୋଇପଡ଼ିଲେ ଏବଂ ସେମାନେ ମଧ୍ୟ ଆଉ ବୁଢ଼ୀଟି ପ୍ରତି ବିଶେଷ ଦୟା ନ କରି ତାକୁ ଗାଳିଗୁଲଜ କରିବାକୁ ଆରମ୍ଭ କଲେ । କେହି କେହି ରାତିରେ ଲୁଚି ଲୁଚି ଯାଇ ତା’ ଘରଦୁଆର ମୁହଁରେ ମାଛକାତି, କଣ୍ଟା ଓ ମରା ଛେଳି, ମେଣ୍ଢାଙ୍କ ଅନ୍ତବୁଜୁଳାମାନ ପକାଇ ତାକୁ ଅଧିକ ଉତ୍ତ୍ୟକ୍ତ କଲେ-। କେହି କେହି ଦୁଷ୍ଟ ପିଲା ରାତିରେ ଲୁଚି ଲୁଚି ଯାଇ ତା’ ଘରଚାଳରେ କଇଁଫୁଲ ଟାଙ୍ଗିଲା ପରି ବେଙ୍ଗମାନଙ୍କ ଗୋଡ଼ରେ ଦଉଡ଼ି ବାନ୍ଧି ଟାଙ୍ଗି ଦେଇ ଆସିଲେ ଏବଂ ଏହି ଭଳି ନାନା କୌତୁହଳପୂର୍ଣ୍ଣ ଅତ୍ୟାଚାର ଆରମ୍ଭ କରିଦେଲେ ।

 

ବୁଢ଼ୀଟି ଦିନେ ଏଥିରେ ଖୁବ୍‍ ଉତ୍‌କ୍ଷିପ୍ତ ହୋଇ ପେଡ଼ିପୁଟୁଳା ବାନ୍ଧି ସେ ଗ୍ରାମ ଛାଡ଼ି ଅନ୍ୟଗ୍ରାମକୁ ଚାଲିଯିବାକୁ ବସିଲା । ତାହା ଦେଖି କେତେକ ଗ୍ରାମବାସୀ ତା’ ପାଖକୁ ଆସି ପଚାରିଲେ–ମାଉସୀ ! ନିଜର ଘର ଛାଡ଼ି ଓ ନିଜ ଗାଁ ଛାଡ଼ି ତୁମେ କାହିଁକି ଓ କୁଆଡ଼େ ପଳାଇ ଯାଉଛ ?

 

ବୁଢ଼ୀଟି ଖୁବ୍‍ ରାଗିଯାଇ କହିଲା–ଆରେ ପାପୀମାନେ ! ମୁଁ ସତୀ ନାରୀ । ସାରା ଜୀବନ ଧର୍ମରେ ଚଳିଛି । ମୁଁ ଏ ଗାଁରେ ଥିଲିବୋଲି ଏ ଗାଁରେ ଧର୍ମଥିଲା । ମୁଁ ପ୍ରତିଦିନ ପାଞ୍ଚଥର ଗାଧାଉଥିଲି । ଓଳିଏ ରାନ୍ଧି ହବିଷ ଖାଉଥିଲି । ପ୍ରତିଦିନ ପାଞ୍ଚଘଣ୍ଟା ଧର୍ମଦେବତାଙ୍କ ପାଖେ ପୂଜା ଉପାସନା କରୁଥିଲି । ଆମିଷ ଖାଉ ନଥିଲି । ମିଛ କହୁ ନଥିଲି । କାହାକୁ ଠକୁ ନଥିଲି । ପରପୁରୁଷର ମୁହଁ ପର୍ଯ୍ୟନ୍ତ ଦେଖୁ ନଥିଲି । ମୋର ଏସବୁ ବ୍ରତ ଓପାସ ଧର୍ମ ପୁଣ୍ୟ ଯୋଗୁଁ ତୁମ ଗ୍ରାମରେ ସବୁଦିନେ ସକାଳେ ସୂର୍ଯ୍ୟଦେବତା ଉଦିତ ହେଉଥିଲେ । ପବନ ବହୁଥିଲା । ଫସଲ ହେଉଥିଲା । ଗାଈମାନେ ଦୁଧ ଦେଉଥିଲେ । ଏ ଗାଁରେ ସ୍ତ୍ରୀ ଲୋକମାନେ ବାଞ୍ଝ ହେଉ ନ ଥିଲେ । ଏବେ ଦେଖ–ମୁଁ ଆଜି ଏ ଗ୍ରାମଛାଡ଼ି ଚାଲିଯାଉଛି । କାଲି ସକାଳେ ଦେଖିବ ତୁମର ଏ ଗାଁରେ ଆଉ ସୂର୍ଯ୍ୟ ଉଇଁବେ ନାହିଁ । ଅନ୍ଧାର ଘୋଟିଯିବ । ପବନ ବୋହିବ ନାହିଁ । ତୁମେ ସବୁ ଅଣନିଃଶ୍ଵାସୀ ହୋଇ ମରିଯିବ ।

 

ଏତିକି କହି ବୁଢ଼ୀଟି ତା’ ପେଡ଼ି ପେଟରା ମୁଣ୍ଡେଇ ସେ ଗାଁ ଛାଡ଼ି ଚାଲିଗଲା ଅନ୍ୟ ଗୋଟିଏ ଗ୍ରାମକୁ । ସେ ଗ୍ରାମଟି ଅବଶ୍ୟ ବେଶି ଦୂରରେ ନଥିଲା । ଛୋଟ ଗହୀରଟିଏ ଓ ତା’ ଭିତରେ ବହି ଯାଉଥିବା ସାନ ନଈଟିଏ । ସେଇ ନଈ ପାରି ହୋଇ ବୁଢ଼ୀଟି ଆର ଗାଁରେ ପହଁଚିଗଲା ଏବଂ ସେଇ ଗାଁର ମନ୍ଦିର ପାଖ ଗୋଟିଏ ଗଛମୂଳେ ପେଡ଼ିପେଟରା ଥୋଇ ବିଶ୍ରାମ ନେଲା । କିଛି ସମୟ ପରେ ବୁଢ଼ୀ ଦେଖିଲା ଯେ ଗହୀର ଆରପଟେ ତା’ ନିଜ ଗାଁରେ ଅନ୍ଧାର ଘୋଟି ଆସିଲାଣି ଓ ରାତି ହେଲାଣି । ବୁଢ଼ୀ ମନେ ମନେ ଭାବି ଖୁସି ହେଲା ଯେ, ଯା,ହେଉ ଏଣିକି ତା’ ଗାଁ ବାଲାଏ ଆଚ୍ଛାପାନେ ପାଇବେ । ଏଇ ଯେ, ରାତି ଘୋଟିଆସିଛି ତାହା ଆଉ ସେ ଗାଁରେ ପାହିବ ନାହିଁ କି ସେ ଗାଁରେ ସୂର୍ଯ୍ୟ ଆଉ ଉଇଁବେ ନାହିଁ । ଏହା ଭାବି ଭାବି କ୍ଳାନ୍ତ ବୁଢ଼ୀଟି ସେଇ ଗଛ ମୂଳେ ରାତିଟା ପାଇଁ ଘୋର ନିଦରେ ଶୋଇଗଲା ।

 

ସକାଳ ହେଲା । କୁଆମାନଙ୍କ ରଡ଼ିରେ ବୁଢ଼ୀର ନିଦ ଭାଙ୍ଗିଗଲା । ସେ ନିଦରୁ ଉଠି ତରବର ହୋଇ ନଈକୂଳକୁ ଧାଇଁଲା । ନଈବନ୍ଧ ଉପରେ ଠିଆ ହୋଇ ସେ ନିଜ ଗାଁ ଆଡ଼କୁ ଚାହିଁଲା–ସେ ଗାଁରେ ରାତି ପାହି ସୂର୍ଯ୍ୟ ଉଇଁଛନ୍ତି କି ନାହିଁ । ସେ ଗାଁଟି ଥିଲା ପୂର୍ବଦିଗରେ ! ବୁଢ଼ୀ ଦେଖିଲା–ହଠାତ୍‍ ତାରି ଗାଁ ଆଡ଼ୁ ସୂର୍ଯ୍ୟଦେବତା ହସି ହସି ଆକାଶ ଭିତରକୁ ଉଠି ଆସିଲେ । ଏହା ଦେଖି ଭୀଷଣ କ୍ରୋଧରେ ବୁଢ଼ୀ ଥରି ଉଠିଲା । ତା’ର ରକ୍ତଚାପ ଉଠିଗଲା । ସେ ହାତ ଉପରକୁ ଟେକି ଖୁବ୍‍ ଉଚ୍ଚ ସ୍ୱରରେ ଚିତ୍କାର କରି କହିଲା–ହେ ଧର୍ମଦେବତା ! ତୁ ବି ଶେଷକୁ ସେଇ ଧର୍ମଛଡ଼ା ଗାଁ ବାଲାଙ୍କ ସପକ୍ଷରେ ଗଲୁ ? ସାରା ଜୀବନଟା ମୁଁ ଏତେ କଷ୍ଟରେ ଧର୍ମ ପଥରେ ବଞ୍ଚିଲି । ମୋ ଧର୍ମକର୍ମ ସବୁ ବୃଥା ଗଲା ? ତା’ହେଲେ ଆଉ ମୁଁ ଜୀବନରେ ରହି ଲାଭ କ’ଣ ?

 

ଏତିକି କହି ବୁଢ଼ୀଟି ସେଇ ନଈର ଗଭୀର ଗଣ୍ଡ ଭିତରକୁ ଡେଇଁ ପଡ଼ିଲା ।

 

କଥାଟି ଏଇଠାରେ ଶେଷକରି ଡହରାନନ୍ଦ କହିଲେ–ବନ୍ଧୁଗଣ ! ଏବେ ବୁଝିଲ ତ ? ଏହି ସୂର୍ଯ୍ୟ ହେଲେ ଭବିଷ୍ୟତର ପ୍ରତୀକ । ସେ ତାଙ୍କ ନିୟମରେ ଉଦୟ ଅସ୍ତ ହେଉଛନ୍ତି । ସ୍ୱୟଂ ମହାକାଳ ତାଙ୍କ ନୀତିରେ ଏ ବିଶ୍ୱକୁ ପରିଚାଳିତ କରୁଛନ୍ତି । ତୁମର କର୍ମ ବା ଅକର୍ମ ଏତେ ବଳଶାଳୀ ନୁହେଁ ଯେ, ତାହା ସେହି ନିୟମକୁ ବଦଳାଇ ଦେବ । ମୋର କହିବାର କଥା ହେଲା–ଭବିଷ୍ୟତକୁ ବଦଳାଇ ଦେବାପାଇଁ ସେହି ବୋକୀ ପାଗଳୀ ବୁଢ଼ୀ ଭଳି ବ୍ୟବହାର କର ନାହିଁ ।

☆☆☆

 

ଶିବଙ୍କର ମଦ୍ୟାଭିଷେକ

 

ଏହି ସମ୍ବାଦଟି ଡହରାନନ୍ଦ ଭୁବନେଶ୍ୱରର କେତେଜଣ ଯୁବକଙ୍କ ସହିତ ଆଲୋଚନା କରିଥିଲେ । ସେଦିନ ଡହରାନନ୍ଦ ତାଙ୍କର ଜଣେ ପୁରାତନ ବନ୍ଧୁଙ୍କୁ ଧରି ରାଜରାଣୀ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ମନ୍ଦିର ଦେହରେ ନାନାଦି ଅପରୂପ କାରୁକାର୍ଯ୍ୟ ସମ୍ବନ୍ଧେ ସେ ତାଙ୍କର ବନ୍ଧୁଙ୍କ ସହିତ ସେଠାରେ ବସି ଆଲୋଚନା କଲେ । ସେତେବେଳକୁ ସନ୍ଧ୍ୟା ସମାଗତ ପ୍ରାୟ । ଏତିକିବେଳେ କେତେକ ଯୁବକ ତାଙ୍କୁ ସେଠାରେ ଦେଖି ଚିହ୍ନି ପାରିଲେ ଓ ପାଖକୁ ଆସି ନମସ୍କାର କଲେ । ଡହରାନନ୍ଦ ସେମାନଙ୍କୁ ପାଖରେ ବସାଇ ନାନା ବିଷୟରେ ଗପସପ କରୁକରୁ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ରାଜରାଣୀ ମନ୍ଦିରରେ କୌଣସି ଦେବଦେବୀ ନାହାନ୍ତି । ଏହାର ନାମକରଣ ଦ୍ୱାରା ମଧ୍ୟ ଜଣାପଡ଼ୁନାହିଁ ଯେ ଏହା କୋଉ ଦେବତାଙ୍କ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା । ଏହା କ’ଣ ମୂଳରୁ ଦେବ–ବିଗ୍ରହ–ଶୂନ୍ୟ ଥିଲା ନା କୋଉ କାଳର ଦୁବୃର୍ତ୍ତ ମୂର୍ତ୍ତିଚୋରମାନେ ଏହାର ଦେବ–ବିଗ୍ରହକୁ ଏଠାରୁ ଚୋରିକରି ନେଇ ବିଦେଶୀ ବେପାରୀଙ୍କୁ ବିକ୍ରୀ କରି ଦେଇଛନ୍ତି ?

 

ଡହରାନନ୍ଦ କହିଲେ–ମୋର ଏହି ମନ୍ଦିର ସମ୍ବନ୍ଧେ କୌଣସି ଐତିହାସିକ ଜ୍ଞାନ ନାହିଁ କିମ୍ବା ମନ୍ଦିରର ଦେବଦେବୀଙ୍କ ସମ୍ବନ୍ଧେ ବି ମୋର କିଛି ଆଗ୍ରହ ନାହିଁ । ମୁଁ କେବଳ ମନ୍ଦିରର କାରୁକାର୍ଯ୍ୟ ଦେଖିବାକୁ ଆସେ । ମୋର ଏଇ ସବୁ କାରୁକାର୍ଯ୍ୟ ସମ୍ବନ୍ଧେ କିଛି ଧାରଣା ଓ ଜ୍ଞାନ ଅଛି-

 

ଜଣେ ଯୁବକ ପ୍ରଶ୍ନ କଲେ–ମୂର୍ତ୍ତିପୂଜା ସମ୍ବନ୍ଧେ ଆପଣଙ୍କ ମତ କ’ଣ ? ଆପଣ କୋଉ ଦେବତାକୁ ପୂଜା କରନ୍ତି ?

 

ଡହରାନନ୍ଦ କହିଲେ–ବିଶିଷ୍ଟ ସାଧୁସନ୍ଥମାନେ ଦେବତାମାନଙ୍କର ସୂକ୍ଷ୍ମ ଅସ୍ତିତ୍ୱ ଅଛି ବୋଲି କହିଛନ୍ତି ଓ ସେମାନେ ସେହି ସୂକ୍ଷ୍ମ ଜଗତରେ ଦେବଦେବୀଙ୍କୁ ପ୍ରତ୍ୟକ୍ଷ କରିଛନ୍ତି । ମୁଁ ନିଜେ କିନ୍ତୁ ସେପରି କିଛି ଅଭିଜ୍ଞତା ପାଇ ନାହିଁ । ତା’ଛଡ଼ା ମୁଁ କୌଣସି ଦେବଦେବୀଙ୍କର ଆବଶ୍ୟକତା ମଧ୍ୟ ଅନୁଭବ କରିନାହିଁ । ତେବେ ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, ଶିବ ପ୍ରଭୃତି ଦେବଦେବୀଙ୍କ ସମ୍ବନ୍ଧେ ମୁଁ ଯାହା ସବୁ ପଢ଼ିଛି–ତାହା ମତେ ଖୁବ୍‍ ଭଲ ଲାଗେ । ସେମାନଙ୍କ ବ୍ୟତୀତ ରାମ, କୃଷ୍ଣ, ଖ୍ରୀଷ୍ଟ,ବୁଦ୍ଧ, ରାମକୃଷ୍ଣ, ବିବେକାନନ୍ଦ, ଶ୍ରୀଅରବିନ୍ଦ ପ୍ରଭୃତି ଦିବ୍ୟ–ମାନବମାନଙ୍କୁ ମୁଁ ଖୁବ୍‍ ଶ୍ରଦ୍ଧାକରେ ଓ ବିଶ୍ୱାସ କରେ । କିନ୍ତୁ କାହାକୁ ପୂଜା ଧୂଜା ମୁଁ କେବେ କରେ–ନାହିଁ କି ସେ ପ୍ରବଣତା ମଧ୍ୟ ମୋର ନାହିଁ । ମୁଁ ଯେଉଁମାନଙ୍କ ନାମ କହିଲି ସେମାନେ ଓ ସେହିପରି ଆଉ ଅନେକ ମହାତ୍ମା, ମହାପୁରୁଷ, ଯୋଗୀ, ମୁନି, ସାଧୁସନ୍ଥମାନଙ୍କୁ ମୁଁ ଖୁବ୍‍ ଭଲପାଏ ଓ ସେମାନଙ୍କ ଅଭିଜ୍ଞତା ସହିତ ସାମିଲ ହେବାକୁ ମଧ୍ୟ ମୋର ଖୁବ୍‍ ଆଗ୍ରହ ଥାଏ । କିନ୍ତୁ ପୂଜା, ଉପାସନା, ଭୋଗରାଗ ଇତ୍ୟାଦି ପ୍ରତି ମୋର ଘୋରତର ବିରାଗ ରହିଛି ।

 

ଜଣେ ଯୁବକ ପ୍ରଶ୍ନ କଲେ–କୌଣସି ଆପଦ ବିପଦ ପଡ଼ିଲେ ବା କୌଣସି ମାନସିକ ସଙ୍କଟ ବା ଦୁଃଖରେ ପଡ଼ିଲେ ଆପଣ ଦେବଦେବୀଙ୍କ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି ନାହିଁ ?

 

ଡହରାନନ୍ଦ କହିଲେ–ନା ! ମୁଁ ସେପରି କରେ ନାହିଁ । କୌଣସି ଆପଦ ବିପଦରେ ପଡ଼ିଲେ ମୁଁ ମୋର ନିଜ ବୁଦ୍ଧିରେ ଓ ମୋର ବନ୍ଧୁମାନଙ୍କ ସାହାଯ୍ୟ ପରାମର୍ଶରେ ସେଥିରୁ ଉଧୁରୀ ଯିବାକୁ ଚେଷ୍ଟା କରେ ଏବଂ କୌଣସି ମାନସିକ ସଙ୍କଟରେ ପଡ଼ିଲେ ମୁଁ ସେହି ସବୁ ମହାତ୍ମା ମହାପୁରୁଷମାନଙ୍କ ଜୀବନୀ ଓ ସେମାନଙ୍କ ଉପଦେଶକୁ ବାରମ୍ବାର ପାଠକରେ–ସ୍ମରଣକରେ ଓ ସେଥିରୁ ମୋ’ର ମାନସିକ ସଙ୍କଟରୁ ତ୍ରାହି ପାଇବାର ଉପାୟ ପାଇଯାଏ ।

 

ଜଣେ ଯୁବକ ପଚାରିଲେ–ଆପଣ ଶିବ ଦେବତାଙ୍କ ଉପରେ ବିଶ୍ୱାସ ରଖନ୍ତି ? ଡହରାନନ୍ଦ କହିଲେ–ହଁ । କିନ୍ତୁ ମନ୍ଦିରରେ କୌଣସି ଶିବପ୍ରତିମା ବା ଲିଙ୍ଗ ପ୍ରତୀକ ମତେ ବିଶେଷ ଅନୁପ୍ରାଣିତ କରେନାହିଁ । ମୁଁ ଶିବଙ୍କ ସମ୍ବନ୍ଧେ ଯାହା ଶୁଣିଛି ବା ପଢ଼ିଛି ତଦ୍ଦ୍ୱାରା ମୋ ମନ ଭିତରେ ମଙ୍ଗଳମୟ ଶିବଙ୍କ ସମ୍ବନ୍ଧେ ଗୋଟିଏ ଭାବରୂପ ଗଠିତ ହୋଇଯାଇଛି । ମୁଁ ତାକୁଇ ସ୍ମରଣ କରେ, ଧ୍ୟାନ କରେ ଓ ସେଥିରୁ ମୋତେ ଖୁବ୍‍ କଲ୍ୟାଣ ଭାବ ଓ ଆନନ୍ଦ ମଧ୍ୟ ମିଳିଥାଏ ।

 

ସେହି ଯୁବକ କହିଲେ–ଆମ ଶିବମନ୍ଦିରରେ ଶିବଙ୍କର ମୂର୍ତ୍ତି ନ ଥାଏ । ଥାଏ ତାଙ୍କର ଏକ ପ୍ରତୀକ । ଲିଙ୍ଗ ଓ ଶକ୍ତି ।

 

ଡହରାନନ୍ଦ କହିଲେ–ହଁ, ସେହି ପ୍ରତୀକଟିର କଳାତ୍ମକ ଅର୍ଥ ମଧ୍ୟ ଖୁବ୍‍ ଚମତ୍କାର । ଶିବ ହେଲେ ନିର୍ଗୁଣ ପୁରୁଷ ଏବଂ ଶକ୍ତି ହେଲେ ସଗୁଣା ପ୍ରକୃତି । ଏହି ଦୁହିଁଙ୍କର ପବିତ୍ର ଓ ଗଭୀର ମିଳନର ଆନନ୍ଦ ଭିତରୁ ଏ ସୃଷ୍ଟି ସମ୍ଭବ ହୋଇଛି । ତେଣୁ ମଙ୍ଗଳଭାବ ମଧ୍ୟ ଏହି ମିଳନ ଭିତରେ ନିହିତ ହୋଇଛି । ଶିବ ମଧ୍ୟ ଆଶୁତୋଷ । ଅର୍ଥାତ୍‍ ଅନ୍ୟର ସାମାନ୍ୟ ଆବେଗ ଓ ସମର୍ପଣ ଭାବ ଦେଖିଲେ ସେ ଖୁସି ହୋଇଯା’ନ୍ତି । ସେ ମଧ୍ୟ ନୀଳକଣ୍ଠ । ଅର୍ଥାତ୍‍ ଏ ଜଗତର ସମସ୍ତ ଦୁଃଖ ଓ ପାପର ଗରଳକୁ ସେ ନିଜେ ପାନକରି ସେହି ବିଷର ଜ୍ଵାଳାକୁ ନିଜ ଦେହରେ ଭୋଗ କରନ୍ତି । ସେ ମଧ୍ୟ ମୃତ୍ୟୁଞ୍ଜୟ । ତା’ମାନେ ସେ ମୃତ୍ୟୁକୁ ବା ଯେ କୌଣସି ନାସ୍ତିକତାକୁ ସ୍ୱୀକାର କରନ୍ତି ନାହିଁ । ସେ ମଧ୍ୟ ପରମ ଯୋଗୀ ଓ ତ୍ୟାଗୀ । ଏ ଜଗତର ସମସ୍ତ ଐଶ୍ୱର୍ଯ୍ୟ ଉପରେ ପ୍ରଭୃତ୍ୱ ଅର୍ଜନ କରିଛନ୍ତି । ସତ କହୁଛି–ମତେ ହିନ୍ଦୁଧର୍ମର ଏହି ମହାନ୍‍ ଦେବତାଟି ଖୁବ୍‍ ଭଲ ଲାଗନ୍ତି । ଶିବ ପାବର୍ତୀଙ୍କର ପ୍ରେମ ମଧ୍ୟ ମୋ ମନରେ ଅପୂର୍ବଭାବ ସୃଷ୍ଟିକରେ । ଶିବ ପୁଣି ଇନ୍ଦ୍ରିୟମାନଙ୍କୁ ଜୟକରି ଆଉ ଏକ ଗଭୀର ଆନନ୍ଦ ଭିତରେ ସର୍ବଦା ମସ୍‌ଗୁଲ ରହିଥାନ୍ତି । ତାଙ୍କ ବିଷୟରେ ଧ୍ୟାନସ୍ଥ ହୋଇ ଭାବିଲେ ମନ ଏକ ଉଦାର ମଙ୍ଗଳମୟ ଶୁଦ୍ଧ ଭାବନାରେ ପରିପୂର୍ଣ୍ଣ ହୋଇଯାଏ ।

 

ଏହି ସମୟରେ ଜଣେ ଯୁବକ ପ୍ରଶ୍ନକଲେ–ମହାଶୟ ଶିବ କୁଆଡ଼େ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଦେବତା ?

 

ଡହରାନନ୍ଦ କହିଲେ–ହଁ । ଏହି ଅନନ୍ତ ଓ ଅସୀମ ବିଶ୍ୱଲୀଳାରେ ଶିବ ହେଲେ ପରମ ଛନ୍ଦ ସ୍ରଷ୍ଟା । ତାଙ୍କର ତାଣ୍ଡବ ନୃତ୍ୟ କଥା ତୁମେମାନେ ନିଶ୍ଚୟ ଜାଣିଥିବ ।

 

ଏହି ସମୟରେ ଜଣେ ଯୁବକ କହିଲେ–ଆଜ୍ଞା ! ଏବେ ଆମ ଓଡ଼ିଶାରେ ଗୋଟିଏ ଶିବ ମନ୍ଦିରରେ ଦୁଇଜଣ ଯୁବକ ଯେଉଁ କାଣ୍ଡଘଟାଇଛନ୍ତି, ତାହା ଆପଣ ଶୁଣିଛନ୍ତି କି ?

 

ଡହରାନନ୍ଦ ତାହା ଶୁଣି ହସିହସି କହିଲେ–ହଁ, ମୁଁ ଶୁଣିଛି ଓ ଘଟଣାଟି ସମ୍ବନ୍ଧେ ମଧ୍ୟ କିଛି ଜାଣିଛି । କଥା ହେଲା–ଜଣେ ଯୁବକ ସଉକରେ ମଦ ପିଉ ପିଉ ମଦୁଆ ସାଙ୍ଗଙ୍କ ପାଲରେ ପଡ଼ି ଦିନରାତି ମଦ ପିଇବାକୁ ଲାଗିଲେ ଓ ତାଙ୍କର ଅବସ୍ଥା ଦିନକୁ ଦିନ ଅସମ୍ଭାଳ ହୋଇଉଠିଲା । ତାଙ୍କର ବାପାମାଆ ଏଥିପାଇଁ ଖୁବ୍‍ ଚିନ୍ତିତ ହୋଇପଡ଼ିଲେ ଏବଂ ସେହି ଗ୍ରାମର ମହାଦେବଙ୍କ ପାଖରେ ଅଧିଆ ପଡ଼ିଲେ । ଶିବ କୁଆଡ଼େ ତାଙ୍କୁ ସ୍ୱପ୍ନରେ କହିଲେ ଯେ, ଯଦି ତାଙ୍କର ପୁଅ ସେ ପିଉଥିବା ମଦ୍ୟରେ ତାଙ୍କୁ ଅଭିଷେକ କରିବ ତେବେ ସେ ତା’ ମନରେ ମଦ୍ୟ ପ୍ରତି ବିରକ୍ତି ଓ ଅନାସକ୍ତି ସୃଷ୍ଟିକରି ତା’ଠାରୁ ମଦ ଅଭ୍ୟାସ ଛଡ଼ାଇଦେବେ । ସ୍ୱପ୍ନାଦେଶ ଶୁଣି ପୁଅର ମଙ୍ଗଳ କାମନାରେ ଅତ୍ୟନ୍ତ ବ୍ୟାକୁଳ ହୋଇ ସେମାନେ ପୁଅକୁ କୌଣସି ପ୍ରକାରେ ପ୍ରଭାବିତ କରି ଗୋଟିଏ ବିଅର ବୋତଲ ସହ ତାକୁ ଶିବମନ୍ଦିରକୁ ପଠାଇଲେ । ମନ୍ଦିରର ପୂଜାରୀ ପ୍ରଥମେ ଏହାଶୁଣି ଖୁବ୍‍ ରାଗିଗଲେ । ମାତ୍ର ତାଙ୍କ ହାତରେ ପାଞ୍ଚ ଶହ ଟଙ୍କା ଗୁଞ୍ଜି ଦେବା ପରେ ତାଙ୍କର ମତ ବଦଳି ଗଲା ଏବଂ ସେ ହସିହସି କହିଲେ–ଏଥିରେ କିଛି ଦୋଷ ନାହିଁ । ଶିବ ହେଲେ ସବୁ ପ୍ରକାର ନିଶା ଦ୍ରବ୍ୟର ମଧ୍ୟଦେବତା । ସେ ସର୍ବଦା ନିଶାରେ ଭୋଳ ହୋଇ ରହିବାକୁ ଭଲପା’ନ୍ତି । ତାଙ୍କୁ ସବୁଦିନ ଗଞ୍ଜାଇ, ଭାଙ୍ଗ ଇତ୍ୟାଦି ଭୋଗ ଦିଆଯାଏ । ତେଣୁ ବିଅରରେ ଅଭିଷେକ କଲେ ସେ ବହୁତ ଖୁସୀ ହେବେ । ଏହାପରେ ସେହି ଯୁବକ ବିଅର ବୋତଲ ଫିଟାଇ ସେହି ଫେନାୟିତ ବିଅରକୁ ଶିବଲିଙ୍ଗ ଉପରେ ଢାଳି ଶିବଙ୍କୁ ମଦ୍ୟାଭିଷେକ କଲେ ।

 

ଏତିକିବେଳେ ଜଣେ ଯୁବକ ପଚାରିଲେ–ମହାଶୟ ! ଅନ୍ୟ ଯୁବକଟି ମଧ୍ୟ କୋଉ ଉଦ୍ଦେଶ୍ୟରେ ଶିବଲିଙ୍ଗ ଉପରେ ମଦ ଢାଳିଲେ, ତାହା ଯଦି ଜାଣିଥାନ୍ତି କହନ୍ତୁ ।

 

ଡହରାନନ୍ଦ ଏହା ଶୁଣି ଖୁବ୍‍ ଆମୋଦରେ ହସି ଉଠିଲେ । ତା’ପରେ କହିଲେ–ହଁ, ସେ ବୃତ୍ତାନ୍ତ ମଧ୍ୟ ମୁଁ ଜାଣିଛି । ଏହି ଯୁବକ ଶୁଣିଥିଲେ ଯେ, ମହାଦେବ ଯଦିଓ ଖୁବ୍‍ ବଡ଼ ଦେବତା, ତଥାପି ସେ ଭକ୍ତର ଅଳ୍ପ କାକୁତି ମିନତି ଶୁଣିଲେ ବି ତରଳି ଯାଇ ବର ଦେଇପକାନ୍ତି । କାରଣ, ସେ ଆଶୁତୋଷ ଓ ଭାରୀ ଦୟାଳୁ । ସେ ଯୁବକଟି ଏହା ମଧ୍ୟ ଶୁଣିଥିଲା ଯେ–ଶିବ ଯଦିଓ ଖୁବ୍‍ ବଡ଼ ଦେବତା, ଏବଂ ସେ ନିଜେ ରୁଦ୍ର ଓ ଭୟଙ୍କର ତଥାପି ସେ ଭକ୍ତକୁ ଖୁବ୍‍ ଭୟ କରନ୍ତି ଓ କୌଣସି ଭକ୍ତ ତାଙ୍କ ଉପରେ ରାଗିଲେ ସେ ଖୁବ୍‍ ଶୀଘ୍ର ତାଙ୍କୁ ପ୍ରାର୍ଥିତ ବର ଦେଇଦିଅନ୍ତି ।

 

ଏହା ଜାଣିଥିବାରୁ ସେହି ଯୁବକଟି ଦିନେ ଭାବିଲା–ପାଞ୍ଚବର୍ଷ ହେଲା ବେକାର ହୋଇ ବୁଲୁଛି । ଇଣ୍ଟରଭିଉମାନଙ୍କରେ ଭଲ କରିଥିଲେ ବି ଉପର ସ୍ତରରେ ଦୁର୍ନୀତି ଥିବାରୁ ଚାକିରୀ ମିଳିଲା ନାହିଁ । ଲାଞ୍ଚ ଦେବାକୁ ମଧ୍ୟ ଏତେ ଟଙ୍କା ନାହିଁ । ସ୍ୱାଧୀନ ଭାବରେ ବ୍ୟବସାୟଟିଏ କରିବାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ । ମନ୍ତ୍ରୀ,ଏମ୍‍.ଏଲ୍‍.ଏ.–ମାନଙ୍କ ପାଦସେବା କରି କରି ମଧ୍ୟ ପାଞ୍ଚବର୍ଷ ଯାକ ଏମିତି ବେକାରିରେ କଟିଲା । ଯୁବକଟି ଭାବିଲା–ମହାଦେବଙ୍କୁ ପୂଜା ଉପାସନା କରି ସନ୍ତୁଷ୍ଟ କରିବ ଓ ତାଙ୍କଠାରୁ ଚାକିରୀ ପାଇବାର ପ୍ରତିଶ୍ରୁତି ପାଇବ । ଏହାଭାବି ସେହି ଯୁବକ ନଖାଇ ନପିଇ ଶିବମନ୍ଦିରରେ ତାଙ୍କ ବୃଷଭ ପଛପଟେ ତିନିଦିନ ତିନିରାତି ଅଧିଆ ପଡ଼ିଲା । ମାତ୍ର ସେଥିରେ ବି ଆଶୁତୋଷ ମହାଦେବ ତାଙ୍କୁ କିଛି ବର ଦେଲେନାହିଁ । ଯୁବକଟି ମହାଦେବଙ୍କ ସମ୍ବନ୍ଧେ ଆଉ ଗୋଟିଏ କଥା ମଧ୍ୟ ଶୁଣିଥିଲା । ଥରେ ଜଣେ ମତ୍ସ୍ୟ ଜୀବନୀ ସ୍ତ୍ରୀଲୋକ ମହାଦେବଙ୍କଠାରୁ ତା’ର ବାଞ୍ଛିତ ଫଳ ନ ପାଇବାରୁ ତାଙ୍କ ଉପରେ ଖୁବ୍‍ ରାଗିଗଲା ଓ ଦିନେ ତାଙ୍କ ଉପରେ ଟୋକେଇଏ ଶୁଖୁଆ ଅଜାଡ଼ି ଦେଲା । ଫଳରେ ମହାଦେବ ଖୁବ୍‍ ବ୍ୟସ୍ତ ଓ ବିବ୍ରତ ହୋଇ ସଙ୍ଗେ ସଙ୍ଗେ ତା୍‍ର ମନସ୍କାମନା ପୂର୍ଣ୍ଣ କରିବାକୁ ବର ଦେଇଦେଲେ । ଏକଥା ଶୁଣିଥିବାରୁ ସେହି ବେକାର ଯୁବକ ଗୋଟିଏ ସାଂପେନ୍‍ ହୁଇସ୍କି ଯୋଗାଡ଼ କରି ଶିବ ମନ୍ଦିରକୁ ଗଲା ଓ ପୂଜାରୀକୁ ନିଜ ଅଭିପ୍ରାୟ ଜଣାଇଲା । ପୂଜାରୀ ପ୍ରଥମେ ପ୍ରସ୍ତାବଟି ଶୁଣି ଖୁବ୍‍ ରାଗି ଉଠିଲେ । କିନ୍ତୁ ତାଙ୍କ ହାତରେ ପାଞ୍ଚଶତ ଟଙ୍କା ଗୁଞ୍ଜି ଦେବାରୁ ସେ ଖୁବ୍‍ ପ୍ରୀତ ହୋଇ କହିଲେ–ଠିକ୍‍ ଅଛି ବାବୁ । ଶିବଠାକୁର ହେଲେ ଭୋଳାନାଥ । ସେ ସର୍ବଦା ଗଞ୍ଜେଇ ଓ କାରଣବାରି ସେବନ କରି ନିଶାରେ ଚୂର୍‍ ହୋଇ ଥା’ନ୍ତି । କିନ୍ତୁ ତୁମର ଏଇ ବିଲାତି ମଦକୁ ସେ କଦାପି ଗ୍ରହଣ କରିବେ ନାହିଁ । ଯୁବକଟି ପୂଜାରୀକୁ ଆଲିଙ୍ଗନ କରି କହିଲା–ନନା ! ତୁମେ ହେଲ ଶିବଙ୍କର ଜଣେ ଗଣସେବକ ଅର୍ଥାତ୍‍ ତାଙ୍କର ପ୍ରତିନିଧି । ତୁମେ ଏତକ ପିଇଦିଅ । ମୋର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ । ପୂଜାରୀଟି ଅତ୍ୟନ୍ତ ଖୁସି ହୋଇ ବୋତଲଟିକୁ ଏକା ନିଶ୍ଵାସକେ ପିଇ ଶେଷ କରିଦେଲା ଓ ତିନି ମିନିଟ ପରେ ସଂଜ୍ଞାହୀନ ହୋଇ ଶିବଲିଙ୍ଗକୁ ଧରି ତାଙ୍କ ଉପରେ ଟଳିପଡ଼ିଲା । ତା’ପରେ ଯୁବକଟି ଆର ହୁଇସ୍କି ବୋତଲଟି ବ୍ୟାଗ୍‌ରୁ ଖୋଲିଲା ଓ ସାଙ୍ଗେ ସାଙ୍ଗେ ତା’ର ଠିପିଖୋଲି ଶିବଲିଙ୍ଗ ଉପରେ ଢାଳି ଢାଳି କହିଲା–ହେ ଆଶୁତୋଷ ଭୋଳାନାଥ ! ଯଦି ପ୍ରକୃତରେ ତୁମେ ଭକ୍ତର କୋପକୁ ଭୟ କରୁଥାଅ ଏବଂ ବିଲାତିମଦକୁ ଘୃଣା କରୁଥାଅ–ତେବେ ଶୀଘ୍ର ମତେ ବର ପ୍ରଦାନ କର ଓ ତିନିଦିନ ଭିତରେ ମୋତେ ଗୋଟେ ଚାକିରୀ ମିଳିଯାଉ । ତା’ ନ ହେଲେ ତିନିଦିନ ପରେ ତୁମ ଉପରେ ବିଲାତିମଦର ବର୍ଷା କରାଇ ଦେବି । ଏହା କହି ଯୁବକଟି ମନ୍ଦିରରୁ ବାହାରି ଗଲା । ସେହି ଅଜ୍ଞାନ ଲୋଭୀ ପୂଜକଟି ଭୟଙ୍କର ନିଶାରେ ଚୈତନ୍ୟ ହରାଇ ଶିବଲିଙ୍ଗକୁ ଧରି ସେଠି ଶୋଇ ଯାଇଥାଏ । ଏହାପରର ଘଟଣା ତ ତୁମ୍ଭେମାନେ ଜାଣିଛ–!

 

ଏହା ଶୁଣି ଯୁବକମାନେ ଖୁବ୍‍ ଉତ୍ସୁକ ହୋଇ ପଚାରିଲେ–ମହାଶୟ ! ସେହି ଯୁବକ ଦୁହିଁଙ୍କର ଏହା ଫଳରେ କିଛି ଉପକାର ହେଲା କି ? ଏବଂ ମହାଦେବଙ୍କର ମଧ୍ୟ କ’ଣ ହେଲା ?

 

ହୋ ହୋ କରି ଡହରାନନ୍ଦ ହସି ଉଠିଲେ ଏବଂ କହିଲେ–ଏ ଘଟଣାରେ ମହାଦେବଙ୍କର କିଛି କ୍ଷତି ହେଲା ନାହିଁ କି ସେହି ମଦ୍ୟପ ଯୁବକ ଦୁହିଁଙ୍କର ମଧ୍ୟ କିଛି ଲାଭ ହେଲାନାହିଁ । କେବଳ ମହାଦେବଙ୍କର ସେହି ପୂଜାରୀଟିର କିଛି ଆର୍ଥିକ ଲାଭ ହୋଇଥିଲା ।

☆☆☆

 

ନରେ ବା ବାନରେ ବା

 

ଏହି ସମ୍ବାଦଟି ବାବା ଡହରାନନ୍ଦ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ସେହି ବିଖ୍ୟାତ ବକୂଳବନରେ କେତେକ ଅନୁରାଗୀ ଯୁବକଙ୍କ ଆଗରେ କହିଥିଲେ । ଯୁବକମାନେ ଏକ ଗ୍ରୀଷ୍ମକାଳୀନ ଅପରାହ୍ନରେ ବକୂଳବନର ଶୀତଳ ଛାଇତଳେ ଡହରାନନ୍ଦଙ୍କୁ ଏକ ବଣଭୋଜିରେ ଆପ୍ୟାୟିତ କରିଥିଲେ । ଭୋଜନ ପରେ ସେହି ବକୂଳଫୁଲ ସୁରଭିତ ଶୀତଳ ଦକ୍ଷିଣାପବନ ଉପଭୋଗ କରୁ କରୁ ନାନା କଥା ଆଲୋଚନା ହେଲା । ଏତିକିବେଳେ ଜଣେ ଯୁବକ ପ୍ରଶ୍ନ କଲେ–

 

ଡହରାନନ୍ଦଜୀ ! ମଣିଷ କ’ଣ ପ୍ରକୃତରେ ଇତର ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ନୁହେଁ ? ଏ ପୃଥିବୀ ପ୍ରକୃତରେ କାହାପାଇଁ ସୃଷ୍ଟି ହୋଇଛି ? ଏ ପୃଥିବୀ ଉପରେ ମଣିଷର ଭୋଗାଧିକାର ବେଶୀ ନା ଇତର ଜନ୍ତୁଙ୍କ ଭୋଗାଧିକାର ବେଶି ? ଆଜିକାଲି ‘ବଣ୍ୟଜନ୍ତୁ ସଂରକ୍ଷଣ’, ‘ପ୍ରାଣୀ ନିର୍ଯ୍ୟାତନା ନିରୋଧ’ ଇତ୍ୟାଦି ଯୋଉସବୁ ଡୁହା ଉଠିଛି ତାହା ବିରୁଦ୍ଧରେ ଅବଶ୍ୟ ମୁଁ କିଛି କହୁନାହିଁ-। ପ୍ରାଣୀମାନଙ୍କ ପ୍ରତି ଆମର ଦୟା ଅନୁକମ୍ପା ମଧ୍ୟ ରହିବା ଉଚିତ । ମାତ୍ର ମଣିଷପାଇଁ ଏତେ ସମସ୍ୟା ଥାଉ–ଥାଉ ଇତର ପ୍ରାଣୀଙ୍କ ପାଇଁ ଏତେ ଜ୍ଵର ମୁଣ୍ଡ ବଥାଇବାକୁ ଆମର ମୁଣ୍ଡ ନାହିଁ-। ଆଚ୍ଛା, ଆପଣ କ’ଣ ଭାବୁଛନ୍ତି ଏ ପୃଥିବୀରେ ମଣିଷଙ୍କ ଅପେକ୍ଷା ବାଘ, ଭାଲୁ, ଠେକୁଆ, ସାପ, ହାତୀ, ମାଙ୍କଡ଼, ହରିଣ, ବିଲୁଆଙ୍କ ସଂଖ୍ୟା ବଢ଼ିଚାଲୁ ? ବର୍ତ୍ତମାନ ମଣିଷଙ୍କ ରହିବା ପାଇଁ ଓ ଚଳପ୍ରଚଳ ହେବାପାଇଁ ପୃଥିବୀରେ ଜାଗା ଅଣ୍ଟୁ ନାହିଁ । ମଣିଷଙ୍କ ପାଇଁ ମଧ୍ୟ ଯଥେଷ୍ଟ ଖାଦ୍ୟ ଯୋଗାଯାଇ ପାରୁନାହିଁ । ଏ ସ୍ଥଳେ ଜନ୍ତୁଜୁନ୍ତାଙ୍କ ସଂରକ୍ଷଣ ଓ ବର୍ଦ୍ଧନ ପାଇଁ ହଟ୍ଟଗୋଳ କରିବା କ’ଣ ଯୁକ୍ତି ସଙ୍ଗତ ? ଆମ ଗାଁରେ ବର୍ତ୍ତମାନ ଶହଶହ ମାଙ୍କଡ଼ଙ୍କର ଉପଦ୍ରବ ବଢ଼ିଚାଲିଛି-। ଆପଣ କହନ୍ତୁ–ଆମ ଗାଁରେ ଆମେ ରହିବୁ ନାଁ ମାଙ୍କଡ଼ମାନେ ରହିବେ ?

 

ଡହରାନନ୍ଦ ତୃପ୍ତି କର ଭୁରିଭୋଜନ ପରେ ଖଣ୍ଡିଏ ସୁବାସିତ ପାନ ପାଟିରେ ପୂରାଇ ତା’ରି ଦିବ୍ୟରସ ଉପଭୋଗ କରୁଥିଲେ । ପ୍ରଶ୍ନଟି ଶୁଣି ସେ ଛେପକାଢ଼ି ସାରି ହସି ହସି କହିଲେ–

 

ବନ୍ଧୁ ! ମଣିଷ ଶ୍ରେଷ୍ଠ, ମଣିଷ ଶ୍ରେଷ୍ଠ ବୋଲି ଏତେ ଜୋର୍‌ରେ ଚିତ୍କାର କରି କହୁଛ । କିନ୍ତୁ ମତେ ଆଗ କହ, ମଣିଷ କାହାକୁ କହନ୍ତି ? ପ୍ରକୃତ ମଣିଷ କେତେ ଅଛନ୍ତି ? ଓ କୋଉଠି ଅଛନ୍ତି ପ୍ରକୃତରେ ମଣିଷମାନଙ୍କ ବଂଶବୃଦ୍ଧି ଘଟୁଛି, ନା ଅମଣିଷ ମାନଙ୍କର ବଂଶ ବଢ଼ି ଚାଲିଛି ? ବଣଜନ୍ତୁଙ୍କ ବଂଶ ଆଗେ ବଢ଼ୁଥିଲା । କିନ୍ତୁ ବର୍ତ୍ତମାନ ଛିଡ଼ି ଚାଲିଛି । ତେବେ ବାଘଙ୍କଠାରୁ ଅବାଘ, ଭାଲୁଙ୍କଠାରୁ ଅଭାଲୁ କି ମାଙ୍କଡ଼ଙ୍କଠାରୁ ଅମାଙ୍କଡ଼ କେବେ ଜନ୍ମ ହୁଅନ୍ତି ନାହିଁ । କିନ୍ତୁ ମଣିଷ ଏପରି ଏକ ଜନ୍ତୁ, କି ନିଜେ ଅମଣିଷ ହୋଇ ଯାଇପାରେ ଓ ଅମଣିଷ ସବୁ ଜନ୍ମ କରିପାରେ । ମଣିଷଠାରୁ ମଧ୍ୟ ଅମଣିଷମାନେ ଜନ୍ମ ହୋଇଥାନ୍ତି । ତୁମେ କୁହ, ବର୍ତ୍ତମାନ ପୃଥିବୀରେ ମଣିଷଙ୍କ ସଂଖ୍ୟା ବଢ଼ୁଛି ନା ଅମଣିଷଙ୍କ ସଂଖ୍ୟା ବଢ଼ୁଛି ?

 

ଜଣେ ଯୁବକ କହିଲେ–ମହାଶୟ ! ଆପଣ ଯାହା କହିଲେ ତାହା ଗୁଣାତ୍ମକ ଦୃଷ୍ଟିରୁ ସତ୍ୟ ହୋଇପାରେ । କିନ୍ତୁ ଏଇ ମଣିଷ ଭିତରୁ ତ ପୁଣି ଅତିମାନବ ବା ମହାମାନବମାନେ ବାହାରିଛନ୍ତି ? କିନ୍ତୁ ବାଘ, ଭାଲୁ, ମାଙ୍କଡ଼ଙ୍କ ଭିତରେ କ’ଣ ଏମିତି ମହାତ୍ମାମାନେ କେବେ ଜନ୍ମ ହୋଇଛନ୍ତି ବା ହେବେ ?

 

ଡହରାନନ୍ଦ କହିଲେ–ତୁମକଥା ସତ । କିନ୍ତୁ ସେହି ମହାମାନବ, ଅତିମାନବ ବା ଦେବମାନବଙ୍କ ସଂଖ୍ୟା ଖୁବ୍‍ ନଗଣ୍ୟ ଏବଂ ସେମାନଙ୍କ କଥା ପ୍ରତି ମଧ୍ୟ ଏହି କୋଟି କୋଟି ଅମଣିଷ କେବେ କର୍ଣ୍ଣପାତ ନ କରନ୍ତି ନାହିଁ–ବରଂ ଅନ୍ୟ ପକ୍ଷରେ ସେମାନଙ୍କୁ ଫାଶିଦେଇ, ବିଷ ପିଆଇ ବା ଗୁଳିକରି ହତ୍ୟା କରନ୍ତି । ସେପରି ନକଲେ ବି ସେମାନଙ୍କୁ ମହାତ୍ମା ଆସନେ ବସାଇ ସେମାନଙ୍କ ମୂର୍ତ୍ତିରେ ଫୁଲମାଳ ପକାଇ, ସେମାନଙ୍କ ନାଁ ଧରି ଏଇ କୋଟି କୋଟି ଅମଣିଷମାନେ ନିଜର ଅମଣିଷପଣିଆକୁ ଚରିତାର୍ଥ କରୁଥାନ୍ତି । ସେଇଥିପାଇଁ ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହି କ୍ରମ ବର୍ଦ୍ଧମାନ ଜନଗୋଷ୍ଠୀ ପ୍ରତି ସାମାନ୍ୟ ମାନବତାର ଦ୍ୱାହି ଦେଇ କୌଣସି ସ୍ୱତନ୍ତ୍ର ଦୟାମାୟା ବା ସମ୍ଭ୍ରମବୋଧ ରଖିବା ନିଶ୍ଚୟ ଅବାନ୍ତର । ଏଇ କ୍ରମବର୍ଦ୍ଧମାନ ଅମଣିଷ ଗୋଷ୍ଠୀ ବର୍ତ୍ତମାନ ପୃଥିବୀର ଧ୍ଵଂସର କାରଣ ହୋଇ ଉଠିଲେଣି । ଗ୍ରାମଠାରୁ ମହାଦେଶ ପର୍ଯ୍ୟନ୍ତ ସର୍ବତ୍ର ଏହି ବିପୁଳ ସଂଖ୍ୟକ ଅମଣିଷ ଗୋଷ୍ଠୀଙ୍କ ଅତ୍ୟାଚାର ବଢ଼ି ଚାଲିଛି ଓ ପୃଥିବୀ ଏମାନଙ୍କ ଦାଉରେ ଥରହର ହେଲାଣି । ଆଉ ଅଳ୍ପଦିନ ଭିତରେ ଏହା କୋଲାପ୍ସ (ଧ୍ୱଂସ) କରିଯିବ ।

 

ଏହି ସମୟରେ ଜଣେ ପ୍ରଗଳ୍‍ଭ ଯୁବକ ଥଟ୍ଟା କଲାପରି କହିଲେ–ତା’ହେଲେ ଡହରାନନ୍ଦଜୀ ! ଆପଣ କହୁଛନ୍ତି ଆମ ଗାଁରେ କେବଳ ମାଙ୍କଡ଼ ରହନ୍ତୁ ଆଉ ଆମେ ସବୁ ବଙ୍ଗୋପସାଗରରେ ଝାସ ଦେଇ ଗଣ ଆତ୍ମହତ୍ୟା କରୁଁ ?

 

ଡହରାନନ୍ଦ ହସି ହସି କହିଲେ–ମୁଁ ପ୍ରକୃତରେ ସେ କଥା ଆଦୌ କହୁନାହିଁ । କିମ୍ବା ମୋର ମନ ଭିତରେ ମାଙ୍କଡ଼ଙ୍କ ପ୍ରତି କିଛି ଘୃଣା ବା ବିରକ୍ତି ନାହିଁ କିମ୍ବା ଏଇ ଅମଣିଷ ଗୋଷ୍ଠୀ ପ୍ରତି ମଧ୍ୟ କିଛି ପକ୍ଷପାତ ସ୍ନେହ ବା ଅନୁରକ୍ତି ନାହିଁ । ଏବେ ତୁମକୁ ଘଟଣାଟିଏ ବର୍ଣ୍ଣନା କରୁଛି ଶୁଣ–ସବୁକଥା ବୁଝି ପାରିବ ।

 

....ଥରେ ଗୋଟିଏ ଗ୍ରାମରେ ବଣରୁ କେତୋଟି ମାଙ୍କଡ଼ ଆସି ପହୁଞ୍ଚିଲେ । କାରଣ ସେହି ଗ୍ରାମବାସୀମାନେ ନିକଟସ୍ଥ ବଣବୁଦା ହାଣି ପଦା କରି ଦେଇଥିଲେ ଏବଂ ସର୍ବତ୍ର ଘର ଓ ଚାଷଜମି ବିସ୍ତାର କରି ଯାଇଥିଲେ । ବଣରେ ସ୍ଥାନାଭାବ ଓ ଖାଦ୍ୟାଭାବ ହେବାରୁ ମାଙ୍କଡ଼ମାନେ ଗ୍ରାମରୁ ଆସି ନଡ଼ିଆ, ତାଳ, ଆମ୍ବ, ପଣସାଦି ଗଛରେ ଚଢ଼ି ଫଳ ତୋଳି ଖାଇଲେ ଓ କ୍ରମେ ହୃଷ୍ଟପୁଷ୍ଟ ହୋଇ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲାଗିଲେ । ତା’ପରେ ସେମାନଙ୍କ ଖାଦ୍ୟାଭାବ ହେବାରୁ ସେମାନେ ଚାଷଜମିକୁ ମଧ୍ୟ ଆକ୍ରମଣ କରି ସବୁ ପରିବାପତ୍ର ଖାଇଗଲେ । ଏପରିକି ଭୂମି ଭିତରେ ଫଳିଥିବା ଆଳୁ କନ୍ଦମୂଳଗୁଡ଼ାକ ମଧ୍ୟ ଖୋଳି ଖାଇ ଚାଲିଲେ । ଏହି ଭାବେ ସେମାନଙ୍କ ବଂଶବୃଦ୍ଧି ଆଶାତୀତ ଭାବେ ଘଟିଲା । ସେହି ଗ୍ରାମର ଲୋକସଂଖ୍ୟା ଥିଲା ଆଠ ହଜାର+ଏବେ ମାଙ୍କଡ଼ଙ୍କ ସଂଖ୍ୟା ହୋଇଗଲା ଦୁଇହଜାର । ତା’ପରେ ସେମାନେ ପେଟ ବିକଳରେ ଘରେ ଘରେ ପଶି ଘରୁ ମଧ୍ୟ ଖାଦ୍ୟଦ୍ରବ୍ୟ ଅପହରଣ କରି ଖାଇଲେ ଓ ମଣିଷମାନେ ବାଧା ଦିଅନ୍ତେ ସେମାନଙ୍କୁ ଆକ୍ରମଣ କଲେ ।

 

ମାଙ୍କଡ଼ମାନଙ୍କର ଏହି ଅତ୍ୟାଚାର ସହି ନ ପାରି ଗ୍ରାମବାସୀମାନେ ବାଟୁଳିଖଡ଼ା, ବନ୍ଧୁକ ଓ ତୀରଧନୁ ଦ୍ୱାରା କେତୋଟି ମାଙ୍କଡ଼ଙ୍କୁ ବଧ କଲେ । ଫଳରେ ତିନିଚାରିଦିନ ମାତ୍ର ମାଙ୍କଡ଼ମାନେ ଚୁପ୍‌ଚାପ୍‍ ରହିଲେ । ମାତ୍ର ପରେ ପରେ ସେମାନଙ୍କ ଆକ୍ରମଣ ତୀବ୍ରତର ହେଲା ଏବଂ ସେମାନେ ମଧ୍ୟ ମଣିଷମାନଙ୍କୁ ଆକ୍ରମଣ କରି ଦୁଇଜଣଙ୍କୁ ଜୀବନରେ ମାରିଦେଲେ । ବଜାର ହାଟରେ ପଶି ଦଳବଦ୍ଧ ଭାବେ ମିଷ୍ଟାନ୍ନ ଭଣ୍ଡାରଗୁଡ଼ିକ ଭିତରେ ପଶି ରସଗୋଲା, ମିଠେଇ, ଜିଲିପି, ବରା, ଗୁଳୁଗୁଲା ଇତ୍ୟାଦି ମନଭରି ଖାଇଚାଲିଲେ ।

 

ଏହାଦ୍ୱାରା ଗ୍ରାମଲୋକେ ଆତଙ୍କିତ ହୋଇ ସେମାନଙ୍କର ସରପଞ୍ଚ, ଚେୟାରମ୍ୟାନ, ଏମ୍‍. ଏଲ୍‍. ଏ. ଓ ମନ୍ତ୍ରୀମାନଙ୍କୁ ଗୁହାରୀ କଲେ । ସେମାନେ ପ୍ରଶାସକମାନଙ୍କୁ ଆଦେଶ ଦେଲେ–ଶୀଘ୍ର ଆମର ଭୋଟରମାନଙ୍କ କଥା ବୁଝ ଓ ମାଙ୍କଡ଼ମାନଙ୍କୁ ଦୂର କର । ପ୍ରଶାସକ କର୍ତ୍ତୃପକ୍ଷ କହିଲେ ଆମେ କ’ଣ କରିବୁ ? ଗ୍ରାମଲୋକେ ଜଙ୍ଗଲ ହାଣି ପଦା କରିଦେଲେ । ବନବାସୀ ମର୍କଟମାନେ ଆଉ ରହିବେ କେଉଁଠି ? ଖାଇବେ କ’ଣ ? ଏଣେ ପୁଣି ସାରା ପୃଥିବୀରେ ବଣ୍ୟଜନ୍ତୁ ସଂରକ୍ଷଣ ଆନ୍ଦୋଳନ ଖୁବ୍ ତେଜି ଉଠିଛି । ସେଥିପାଇଁ ଆନ୍ତର୍ଜାତୀୟ ଆଇନ ମଧ୍ୟ ପ୍ରଣୟନ କରିଯିବାର ପ୍ରସ୍ତାବ ଉଠିଲାଣି । ତେଣୁ ମାଙ୍କଡ଼ମାନଙ୍କ ସହିତ ଗ୍ରାମବାସୀ ମନୁଷ୍ୟମାନଙ୍କର ଏକ ଆପୋଷ ବୁଝାମଣା ଉଦ୍ୟମ ଆରମ୍ଭ ହେଉ ।

 

ଅଗତ୍ୟା ଗ୍ରାମବାସୀମାନେ ମହାଚିନ୍ତାରେ ପତିତ ହେଲେ । ଏଣେ ମାଙ୍କଡ଼ମାନଙ୍କର ସଂଖ୍ୟା ମଧ୍ୟ ବଢ଼ିବଢ଼ି ଚାଲିଥାଏ ଓ ସେମାନଙ୍କ ଉପଦ୍ରବ ମଧ୍ୟ ଦିନୁଦିନ ଅସହ୍ୟ ହୋଇଉଠୁଥାଏ ।

 

ସେହି ଗ୍ରାମର ଉପକଣ୍ଠରେ ରହୁଥିଲେ ଜଣେ ଲଙ୍ଗୁଳୀ ସନ୍ନ୍ୟାସୀ । ସେ ଖଣ୍ଡିଏ ବକଳ ପିନ୍ଧୁଥିଲେ । ସେ ଥିଲେ ଖୁବ୍‍ ହୃଷ୍ଟପୁଷ୍ଟ ଓ ତାଙ୍କର ଥିଲା କିଛି ଅଲୌକିକ ସିଦ୍ଧି । ସେ ହନୁମାନଙ୍କର ଭକ୍ତ ଥିଲେ ଓ ହନୁମାନ ସାଧନା କରି ନାନା ଅଦ୍ଭୂତ କ୍ରିୟା ଦେଖାଉଥିଲେ । ସେ ସର୍ବଦା ଫଳମୂଳ ଆହାର କରୁଥିଲେ ଓ ନଡ଼ିଆ ସଢ଼େଇ ବଜାଇ ରାମଧୁନ୍‍ ଗାନ କରୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ ହେଲା ପ୍ରାଣୀମାନେ ତାଙ୍କୁ ଖୁବ୍‍ ଭଲପାଉଥିଲେ ଓ ବିଶ୍ଵାସ କରୁଥିଲେ । ତାଙ୍କ ଚାରିପଟେ, ସର୍ବଦା ବିଲୁଆ, କୁକୁର, ମାଙ୍କଡ଼, ଗୁଣ୍ଡୁଚିମୂଷା, ନେଉଳ ଏପରିକି ସର୍ପମାନେ ମଧ୍ୟ ଘେରି ରହୁଥିଲେ । ବିଶେଷତଃ ମାଙ୍କଡ଼ମାନେ ଏହି ହନୁମାନଭକ୍ତ ସାଧକଙ୍କୁ ସର୍ବଦା ଘେରି ରହୁଥିଲେ । ତାଙ୍କ ସହିତ ନାନାଦି ଖେଳ ଓ ଆମୋଦ ପ୍ରମୋଦାଦି ମଧ୍ୟ କରୁଥିଲେ । ମାଙ୍କଡ଼ମାନେ ତାଙ୍କୁ ଶ୍ରଦ୍ଧାରେ ଫଳମୂଳ ଆଣି ଉପହାର ଦେଉଥିଲେ ଏବଂ ସେହି ସନ୍ନ୍ୟାସୀ ମଧ୍ୟ ପ୍ରତିଦିନ କେତେକ ମାଙ୍କଡ଼ଙ୍କୁ ଖେଚୁଡ଼ି ଓ ପାୟସ ପ୍ରସାଦ ଖୁଆଉଥିଲେ ।

 

ଗ୍ରାମବାସୀମାନେ ଦିନେ ସେହି ସିଦ୍ଧପୁରୁଷଙ୍କ ପାଖକୁ ଯାଇ ହାତଯୋଡ଼ି କହିଲେ–ହେ ମହାତ୍ମା ! ଆପଣ ମହାବୀର ରାମଦାସ ବଜରଙ୍ଗବାଲି ହନୁମାନଜୀଙ୍କ ବରଲାଭ କରିଛନ୍ତି । ସେଥିଯୋଗୁଁ ମର୍କଟମାନେ ଆପଣଙ୍କୁ ଖୁବ୍‍ ଶ୍ରଦ୍ଧା ଭକ୍ତି କରୁଥିବାର ଆମେ ପ୍ରତ୍ୟକ୍ଷ କରିଛୁ । କିନ୍ତୁ ହେ ମହାତ୍ମା ! ଆମ୍ଭେମାନେ ମହାବୀରଙ୍କ ଅନୁଚରମାନଙ୍କ ଦାଉରେ ଅତ୍ୟନ୍ତ କଷ୍ଟ ପାଇଲୁଣି । ସେମାନଙ୍କ ଦୌରାତ୍ମ୍ୟରେ ଆମ୍ଭମାନଙ୍କ ଘର ଗୁଡ଼ିକର ଛପର ନଷ୍ଟ ହୋଇଗଲାଣି । କ୍ଷେତ ମାନଙ୍କରେ ଆଉ ଶସ୍ୟ ନାହିଁ । ବୃକ୍ଷମାନଙ୍କରେ ଫଳଫୁଲୁରୀ କଷିଟିଏ ବି ରହୁ ନାହିଁ । ବଜାରରେ ମିଷ୍ଟାନ୍ନ ଭଣ୍ଡାରମାନ ସେମାନଙ୍କ ଦ୍ଵାରା ବାରମ୍ବାର ଲୁଣ୍ଠିତ ହେଉଛି । ଏପରିକି ସେମାନେ ଆମର ରୋଷେଇ ଘରେ ପଶି ଆମ ରନ୍ଧାଖାଦ୍ୟସବୁ ଖାଇ ସାଫ କରି ଦେଉଛନ୍ତି ।

 

ଆଉଜଣେ ଗ୍ରାମବାସୀ କାନ୍ଦ କାନ୍ଦ ହୋଇ ଉଦ୍‌ବେଗପୂର୍ଣ୍ଣ ସ୍ୱରରେ କହିଲେ–ହେ ମହାତ୍ମା ! କେବଳ ସେତିକି ନୁହଁ, ଅନେକ ବଳବାନ୍‍ କାମୁକ ଲମ୍ପଟ ମର୍କଟଙ୍କ ପାଶବିକ ଅତ୍ୟାଚାର ଫଳରେ ଆମର ଝିଅ ବୋହୂମାନେ ମଧ୍ୟ ଆଉ ପଦାକୁ ବାହାରି ପାରୁ ନାହାନ୍ତି । ଏପରିକି ସେମାନେ ବିବାହିତା ଅବିବାହିତାର ଭେଦବିଚାର ମଧ୍ୟ ରଖୁନାହାନ୍ତି । ଶିଶୁକନ୍ୟାମାନେ ମଧ୍ୟ ସେମାନଙ୍କ ଭୟରେ ଆଉ ସ୍କୁଲକୁ ଯାଉନାହାନ୍ତି । ଆମ୍ଭେମାନେ ବର୍ତ୍ତମାନ ଆପଣଙ୍କ ଶରଣାପନ୍ନ ହେଲୁ । ଆପଣ ବର୍ତ୍ତମାନ ମହାବୀର ହନୁମାନଜୀଙ୍କୁ କହି ଏହି ଦୁଷ୍ଟ ବାନରମାନଙ୍କୁ ଏ ଗ୍ରାମ ଛାଡ଼ିଯିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ତା’ ନ ହେଲେ, ସେମାନଙ୍କ ସହ ଆମର ଘୋରତର ସଂଗ୍ରାମ ଆରମ୍ଭ ହୋଇଯିବ । ଧନୁଶର ଓ ବନ୍ଧୁକ ଭଳି ମାରଣାସ୍ତ୍ର ବ୍ୟବହାର କରି ଏହି ଦୁଷ୍ଟ ବାନରମାନଙ୍କ ବଂଶ ନାଶ କରିବାକୁ ଆମ୍ଭେମାନେ ନିଶ୍ଚୟ ବାଧ୍ୟହେବୁ । ଏହା ଶୁଣି ସେହି ହନୁମାନ ସାଧନାସିଦ୍ଧ ସନ୍ନ୍ୟାସୀ ଖୁବ୍‍ ଗମ୍ଭୀରଭାବେ ବଜ୍ର ସ୍ୱରରେ କହିଲେ–

 

ହେ ମନୁଷ୍ୟମାନେ ! ତୁମ୍ଭେମାନେ ବାନରମାନଙ୍କ ବିପକ୍ଷରେ ଯାହା କହିଲ ତାହା ମିଥ୍ୟା ବୋଲି ମୁଁ କହୁନାହିଁ । କିନ୍ତୁ ମର୍କଟମାନଙ୍କର ଏହି ଅପକର୍ମ ପାଇଁ କିଏ ଦାୟୀ ! ତୁମ୍ଭେମାନେ ନୁହଁ କି ? ତୁମ୍ଭେମାନେ ତୁମମାନଙ୍କ ଅଯଥା ବଂଶବୃଦ୍ଧି କରି ସେମାନଙ୍କ ବାସସ୍ଥାନ ବନଉପବନ ତୋଟାମାଳ କାଟି ସେମାନଙ୍କ ସ୍ଥାନ ଅଧିକାର କରିଗଲ । ସେମାନେ ଏବେ ତୁମମାନଙ୍କ ସ୍ଥାନ ଅଧିକାର କରିବାକୁ ବସିଛନ୍ତି । ତୁମ୍ଭେମାନେ କୋଉଗୁଣରେ ସେମାନଙ୍କଠାରୁ ବଡ଼ ? ତୁମ୍ଭେମାନେ ଅନ୍ୟର ଶସ୍ୟକ୍ଷେତ୍ର ଲୁଣ୍ଠନ କରୁନାହଁ ? ତୁମ୍ଭେମାନେ ଧର୍ମ ଆଉ ରାଜନୀତିର ଦ୍ୱାହି ଦେଇ ଦୋକାନବଜାର ଲୁଣ୍ଠନ କରୁନାହଁ ? ବସ୍‌ଟ୍ରେନ୍‌ରେ ପଶି ଡକାଏତି କରୁନାହଁ ? ପିଲାମାନଙ୍କୁ ହରଣଚାଲ କରିନେଇ ସେମାନଙ୍କୁ ମାରି ସେମାନଙ୍କ ଆଖି ଆଉ କିଡ଼୍‌ନୀ ବିକ୍ରୀ କରୁନାହଁ ? ତୁମ୍ଭେମାନେ ଅନ୍ୟର ଝିଅବୋହୂଙ୍କ ଧର୍ଷଣ କରୁନାହଁ ? ନିରୀହ ଲୋକଙ୍କୁ ହତ୍ୟା କିମ୍ବା ଅପମାନ କରୁନାହଁ ? କୋଉ ହିସାବରେ ତୁମ୍ଭେମାନେ ଏହି ମର୍କଟମାନଙ୍କଠାରୁ ନିଜକୁ ଉନ୍ନତତର ମନେକର-? ଯୋଗ୍ୟତର ମନେକର ?

 

ଏହି ସମୟରେ ଜଣେ ଗ୍ରାମବାସୀ ଉତ୍ତ୍ୟକ୍ତ ସ୍ୱରରେ କହିଲା–ତା’ହେଲେ କ’ଣ ଆପଣ କହୁଛନ୍ତି ଏଇ ମାଙ୍କଡ଼ମାନେ ଏ ଗ୍ରାମରେ ରହିବେ ଓ ଆମେ ଏ ଗାଁ ଛାଡ଼ି ପଳେଇଯିବୁ ! ସନ୍ନ୍ୟାସୀ ହସି ହସି କହିଲେ–କୁଆଡ଼େ ଆଉ ତୁମ୍ଭେମାନେ ରହିବ । ମିଳିମିଶି ରହିବ–ଚଳିବ । ଏପରିକି ସେମାନଙ୍କ ସହ ବୈବାହିକ ସମ୍ପର୍କ ବି ସ୍ଥାପନ କରିବ । କାରଣ ବର୍ତ୍ତମାନ ସେମାନଙ୍କ ଭିତରେ ଓ ତୁମମାନଙ୍କଭିତରେ ଆଉ କୌଣସି ବିଶେଷ ପ୍ରଭେଦ ନାହିଁ । ମାଙ୍କଡ଼ମାନଙ୍କୁ ମୋର କିଛି ଉପଦେଶ ଦେବାର ନାହିଁ । ସେମାନେ ସମସ୍ତେ ଜଣେ ଜଣେ ପରିପୂର୍ଣ୍ଣଭାବେ ମାଙ୍କଡ଼ । କିନ୍ତୁ ତୁମ୍ଭେମାନେ କ’ଣ କେହି ସାମାନ୍ୟ ଅଂଶରେ ବି ମଣିଷ ହୋଇ ରହିଛ ? ମୁଁ ତେଣୁ ଆଉ କିଛି କରିପାରିବି ନାହିଁ ।

 

ଏହାଶୁଣି ଜଣେ ରାଜନୀତିବାଲା ଗ୍ରାମବାସୀ କହିଲା–ଠିକ୍‍ ଅଛି । କାଲି–ସକାଳୁ ଆମେ ବଜାତ ମାଙ୍କଡ଼ଙ୍କ ବିରୋଧରେ ମାରାତ୍ମକ ସଂଗ୍ରାମ ଆରମ୍ଭ କରିଦେବା । ବନ୍ଧୁକ ଆଉ ଧନୁଶର ମାରି ସବୁ ମାଙ୍କଡ଼ଙ୍କୁ ଯମପୁରକୁ ପଠାଇଦେବା । ଦେଖିବା କିଏ ଆମର କ’ଣ କରିବ । ଶଳା, ଏଇ ମାଙ୍କଡ଼ପଲ ପୁଣି ଆମକୁ ଏମିତି ଜବତ କରିବେ ?

 

ହନୁମାନ ସାଧକ ସିଦ୍ଧ ସନ୍ନ୍ୟାସୀ ଏହା ଶୁଣି ତାଙ୍କର ଦକ୍ଷିଣ ହସ୍ତ ଉତ୍ତୋଳନ କରି ଅଟ୍ଟହାସ୍ୟ କରି କହିଲେ–ହାଃ ହାଃ ହାଃ...ମୁଁ ତାହା ହିଁ ଦେଖିବାକୁ ଅପେକ୍ଷା କରି ରହିଛି । ପୁରାଣ ଆଉ ଇତିହାସରେ ମର୍କଟମାନଙ୍କ ସହିତ ମଣିଷମାନଙ୍କ ସଂଗ୍ରାମର ଥରେ ମାତ୍ର ଉଲ୍ଲେଖ ନାହିଁ । ରାମାୟଣ ଯୁଗରେ ମର୍କଟ ଓ ରାକ୍ଷସମାନଙ୍କ ଭିତରେ ସଂଗ୍ରାମ ହୋଇଥିଲା । ଏବେ ଯଦି ତାହା ପୁନର୍ବାର ସଂଘଟିତ ହେବାକୁ ଯାଉଛି–ତେବେ ତାହା ହେଉ । କିନ୍ତୁ ମନେରଖ ବର୍ତ୍ତମାନ ଏହି ସଂଗ୍ରାମରେ ମଧ୍ୟ ସେହି ମର୍କଟମାନଙ୍କର ହିଁ ଜୟହେବ । ଏହାଦ୍ୱାରା ଭଲହିଁ ହେବ । ରାକ୍ଷସକୁଳ ବିନଷ୍ଟ ହେବେ । ସୀତାଙ୍କର ଉଦ୍ଧାର ହେବ ଓ ରାମରାଜ୍ୟ ପ୍ରତିଷ୍ଠିତ ହେବ । କାରଣ ଏବେ ପୃଥିବୀରେ ରାକ୍ଷସମାନଙ୍କର ହିଁ ବଂଶ ବୃଦ୍ଧି ଘଟିଛି । ପୃଥିବୀ ଆଉ ତାଙ୍କ ଭାରା ସହିପାରିବ ନାହିଁ । ମର୍କଟମାନେ ହିଁ ସେମାନଙ୍କୁ ବିନାଶ କରିବେ ।

 

ଏତିକି କହି ସନ୍ନ୍ୟାସୀ ନୀରବ ରହିଲେ ଓ ଗ୍ରାମବାସୀମାନେ ମୁହଁ ତଳକୁ କରି ନୀରବରେ ଯେଝା ଘରକୁ ଫେରିଗଲେ । ବାବା ଡହରାନନ୍ଦ ମଧ୍ୟ ଏତିକିରେ ଏହି ସମ୍ବାଦଟିକୁ ଶେଷ କରି ଚୁପ୍‍ ରହିଲେ ।

 

ଆମ ସାହିତ୍ୟରେ ବିପୁଳ ଆଲୋଡ଼ନ ସୃଷ୍ଟି କରିଥିବା ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନ ମାଳାର ଏହା ଶେଷତମ ଲେଖା । ଏତେ ପଢ଼ି ସାରିବା ପରେ ବି ଡହରାନନ୍ଦ ଏବେ ମଧ୍ୟ ପ୍ରଶ୍ନର କୁହେଳୀ ଭିତରେ ରହିଛନ୍ତି । ତାଙ୍କର ଅସଲ ପରିଚୟ କ’ଣ ? ସେ କାହିଁକି ଏହି ଧାରାବାହିକର ପ୍ରବଚକ ? ଏହି ପ୍ରଶ୍ନର ଉତ୍ତର ଦେଇ ଡହରାନନ୍ଦଙ୍କ ସ୍ୱରୂପ ଉଦ୍‌ଘାଟନ କରାଯିବ ଆସନ୍ତା ସଂଖ୍ୟାରେ । ଧରିତ୍ରୀର ପ୍ରିୟ ପାଠକଙ୍କ ପାଇଁ ସ୍ୱରୂପ ଉଦ୍‌ଘାଟନ କରିବେ ଗାଳ୍ପିକ ନିଜେ । (ଧରିତ୍ରୀ)

☆☆☆

 

ବାବା ଡହରାନନ୍ଦଙ୍କ ଆତ୍ମ-ପରିଚୟ

 

ପ୍ରିୟ ପାଠକେ ! ଗତ ଦୁଇବର୍ଷ ଧରି ଧରିତ୍ରୀର ରବିବାର ପୃଷ୍ଠାରେ ମୁଁ ଆପଣମାନଙ୍କୁ ମୋର ପ୍ରିୟ ବନ୍ଧୁ ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନ ମାଳାରୁ ଆପଣମାନଙ୍କୁ ମାତ୍ର ସତଷଠୀଟି ବିଷୟ ଶୁଣାଇ ଆସିଲି ଏବଂ ମୁଁ ଖୁସୀ ଯେ ଧରିତ୍ରୀର ବହୁ ଗ୍ରାହକ ଏହି ପ୍ରବଚନଗୁଡ଼ିକ ପଢ଼ି ଆନନ୍ଦ ଲାଭ କରିଛନ୍ତି । ଏହି ବିଷୟ ଆରମ୍ଭ କଲାବେଳେ ମୁଁ ବାବା ଡହରାନନ୍ଦଙ୍କର ପରିଚୟ ଓ ଜୀବନଚର୍ଯ୍ୟା ସମେତ ତାଙ୍କର ଜୀବନଦର୍ଶନ ସମ୍ବନ୍ଧେ ସ୍ପଷ୍ଟ ଭାବେ ଲେଖିଥିଲି । ତେବେ ଅନେକ ପାଠକପାଠିକା ତାଙ୍କ ସମ୍ବନ୍ଧେ ଆଉ ଟିକିଏ ପରିଚୟ ଦେବାକୁ ମୋତେ ଅନୁରୋଧ କରିଛନ୍ତି । ତେଣୁ ଉପସଂହାରରେ ସେତେକ କହି ମୁଁ ଆପଣମାନଙ୍କଠାରୁ ଏ ସଂକ୍ରାନ୍ତରେ ବିଦାୟ ନେଉଛି ।

 

ବାବା ଡହରାନନ୍ଦ ନାମରେ ସତକୁ ସତ ଜଣେ ବ୍ୟକ୍ତି ଅଛନ୍ତି ଏବଂ ଓଡ଼ିଶାର ସବୁ ପୁରପଲ୍ଲୀରେ ମଧ୍ୟ ତାଙ୍କର ବହୁ ଅନୁରକ୍ତ, ଅନୁଗତ ଶିଷ୍ୟ ଶିଷ୍ୟା ଅଛନ୍ତି । କିନ୍ତୁ ଆଧୁନିକ ଯୁଗର ଗଣମାଧ୍ୟମଗୁଡ଼ିକ ତାଙ୍କୁ ଜାଣନ୍ତି ନାହିଁ ଏବଂ ସେ ମଧ୍ୟ ଏ ଗୁଡ଼ିକ ମାଧ୍ୟମରେ ଆତ୍ମ–ପ୍ରଚାର ଓ ଆତ୍ମପ୍ରକାଶ କରିବାକୁ କେବେ ଚାହାନ୍ତି ନାହିଁ । ତାଙ୍କ ମତ ହେଲା–ବୁଦ୍ଧ, ଶଙ୍କରାଚାର୍ଯ୍ୟ ରାମାନୁଜ, ଶ୍ରୀଚୈତନ୍ୟ, ସକ୍ରେଟିସ୍‍, ଯୀଶୁଖ୍ରୀଷ୍ଟ, ମହମ୍ମଦ ଓ ମହିମା ଗୋସାଇଁ ପ୍ରମୁଖ ସତ୍ୟଦ୍ରଷ୍ଟାମାନେ ଗଣମାଧ୍ୟମର ସାହାଯ୍ୟ ନେଇ ନଥିଲେ । ସେମାନେ ଲୋକଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସୁଥିଲେ । ସତ୍ୟାନୁସନ୍ଧିତ୍ସୁ ଲୋକମାନଙ୍କୁ ଭଲପାଉଥିଲେ ଓ ଆଲୋଚନା ମାଧ୍ୟମରେ ସେମାନଙ୍କୁ ସତ୍ୟ ସହିତ ପରିଚୟ କରାଉଥିଲେ । ତେଣୁ ସେମାନଙ୍କ ମତାଦର୍ଶ ଆଜି ପର୍ଯ୍ୟନ୍ତ ବଞ୍ଚିରହିଚି । ସେହି ମାର୍ଗରେ ଡହରାନନ୍ଦ ସାରା ଓଡ଼ିଶା ଭ୍ରମଣ କରନ୍ତି ଓ ତାଙ୍କୁ ଭଲପାଉଥିବା ନରନାରୀଙ୍କ ସହିତ ଜୀବନର ବିଭିନ୍ନ ସମସ୍ୟା ସମ୍ବନ୍ଧେ ଆଳାପ ଆଲୋଚନା କରନ୍ତି । ତାଙ୍କ ଧାରଣା ଯେ, ଏହା ଦ୍ୱାରା ହିଁ ଲୋକେ ନିର୍ମଳ ଚିତ୍ତରେ ସତ୍ୟ ଆବିଷ୍କାର କରିବାକୁ ସକ୍ଷମ ହେବେ ।

 

ଡହରାନନ୍ଦ ନିଜ ଫଟୋ ଚିତ୍ର କେଉଁ କାଗଜରେ ପ୍ରକାଶ କରିବାକୁ ରାଜି ହୁଅନ୍ତି ନାହିଁ । ସେ କହନ୍ତି ଯେ, ସେ ପ୍ରକୃତରେ ତାଙ୍କ ଦୈହିକ ଆକୃତି ଯାହା ଏବଂ ଫଟୋଚିତ୍ରଗୁଡ଼ିକ କେବେ ବି ତାହା ଠିକ୍‍ ଭାବେ ପ୍ରକାଶ କରିପାରନ୍ତିନାହିଁ । ନିଜର କେତେକ ଫଟୋଚିତ୍ର ଦେଖି ସେ କହନ୍ତି–ତାଙ୍କ ଫଟୋଗୁଡ଼ିକ ଯେତେ ଅସୁନ୍ଦର ଦିଶୁଛନ୍ତି ସେ ପ୍ରକୃତରେ ଏତେ ଅସୁନ୍ଦର ନୁହନ୍ତି ।

 

ଡହରାନନ୍ଦଙ୍କର ନିଜସ୍ୱ ଏକ ଭଲ ନାମ ମଧ୍ୟ ଅଛି । ସେ ଯେତେବେଳେ ଜଣେ ପ୍ରବଚନକାରୀ ଭୂମିକାରେ ଓହ୍ଲାଇବାକୁ ବସିଲେ–ନିଜପାଇଁ ସେ ତିନୋଟି ଛଦ୍ମନାମ ବାଛିଥିଲେ । ଯଥା–କାଣ୍ଡବିଜ୍ଞାନନନ୍ଦ, ହାସ୍ୟାନନ୍ଦ ଓ ବୋଝହୀନାନନ୍ଦ । କିନ୍ତୁ ତାଙ୍କର ଜଣେ ଅନ୍ତରଙ୍ଗ ରାଜନୀତିକ ବନ୍ଧୁ ଗୋଟିଏ ସାନ ଚାହା ଆସରରେ ତାଙ୍କୁ ଶ୍ରଦ୍ଧାରେ ଏହି ଡହରାନନ୍ଦ ନାମଟି ଉପହାର ଦେଇଥିଲେ ଏବଂ ସେ ତାକୁ ଖୁବ୍‍ ଆନନ୍ଦରେ ଗ୍ରହଣ କରିଥିଲେ ।

 

ଏକାଡ଼େମିକ୍‍ ଦୃଷ୍ଟିରୁ ପ୍ରଫେସରୀୟ ଅର୍ଥରେ ବା ଜଣେ ବ୍ରହ୍ମବିଦ୍‍ ଭାବରେ ସେ ଆଦୌ ଜ୍ଞାନୀ ବା ପ୍ରାଜ୍ଞବ୍ୟକ୍ତି ନୁହନ୍ତି । କିନ୍ତୁ ସେ ଜଣେ ବିଜ୍ଞ ବ୍ୟକ୍ତି ଏଥିରେ ସନ୍ଦେହ ନାହିଁ । ତାଙ୍କୁ ବହୁ ବିଷୟ ଜଣାଅଛି । ଜୀବନ ସଂପର୍କରେ ଓ ତା’ର ବାସ୍ତବ ଅବାସ୍ତବ ସମସ୍ୟା ଓ ସମାଧାନ ସଂପର୍କରେ ତାଙ୍କର ବହୁ କିଛି ତଥ୍ୟ ଓ ତତ୍ତ୍ୱଗତଜ୍ଞାନ ତ’ ନିଶ୍ଚୟ ଅଛି । ମାତ୍ର ତା’ ଅପେକ୍ଷା ତାଙ୍କର କାଣ୍ଡଜ୍ଞାନ ଓ ସଙ୍ଗତିବୋଧ ଖୁବଖୁବ୍‍ ବେଶୀ ଓ ଗଭୀର । ଅନୁଭବରେ, ଚିନ୍ତାରେ, କାର୍ଯ୍ୟ କର୍ମାଦିରେ, କଥାବାର୍ତ୍ତାରେ ଏବଂ ଅନ୍ୟ ସହିତ ସମ୍ବନ୍ଧ ସଂପର୍କ କ୍ଷେତ୍ରରେ ସେ ଖୁବ୍‍ ସଙ୍ଗତି ରକ୍ଷା କରିଥାନ୍ତି । ଏକପାଖିଆ ବା ଏକରାହିୟା ଜୀବନ ତାଙ୍କୁ ଭଲ ଲାଗେ ନାହିଁ । ତାଙ୍କୁ ସ୍ୱାତନ୍ତ୍ର୍ୟ ଭଲ ଲାଗେ–ମାତ୍ର ସଙ୍ଗତି ସମନ୍ଵୟ ବିହୀନ ସ୍ୱାତନ୍ତ୍ର୍ୟବାଦକୁ ସେ ସ୍ୱୀକାର କରନ୍ତି ନାହିଁ ।

 

ତାଙ୍କୁ ଅନେକ କଥା ଜଣା । ଶୁଖୁଆ ଚଟଣୀ ବା ଛତୁ ଚଡ଼ଚଡ଼ି ରାନ୍ଧିବାଠାରୁ ଆରମ୍ଭ କରି, କବିତାର ଛନ୍ଦ, ସଙ୍ଗୀତର ରାଗ ରାଗିଣୀ, ଦେଶ ବିଦେଶର ରାଜନୀତି, ଅସ୍ତିତ୍ୱବାଦୀ କି ଅଦ୍ଵୈତବାଦୀ ଦର୍ଶନ, ମନସ୍ତାତ୍ତ୍ଵିକ ସମାଜବିଜ୍ଞାନ, ନୃତ୍ୟକଳା ବା ସ୍ଥାପତ୍ୟକଳା, ଆଖୁଚାଷ କି ଚିନାବାଦାମ ଚାଷ ଏହିପରି ଜୀବନର ହରେକ ବିଷୟରେ ତାଙ୍କର ଆଗ୍ରହ ଯେମିତି ପ୍ରଚୁର, ଜ୍ଞାନ ବି ସେମିତି ଉଦାର ଓ ଆନ୍ତରିକ ।

 

ଡହରାନନ୍ଦ ଜୀବନକୁ ଭଲପାନ୍ତି । ପୃଥିବୀକୁ ଭଲପାନ୍ତି । ନିଜକୁ ମଧ୍ୟ ଖୁବ୍‍ ଭଲପାନ୍ତି । ଭଲପାଇବାରେ ଦାୟିତ୍ୱ ମଧ୍ୟ ନିଅନ୍ତି । କିନ୍ତୁ ଦାୟିତ୍ୱ ବାହାନାରେ ନିଜର ବା ଆଉ କାହାର ବୋଝ ବୋହିଲେ ବି ବୋଝିଆଟିଏ ହେବାକୁ ପସନ୍ଦ କରନ୍ତି ନାହିଁ ।

 

ତାଙ୍କର ଅନ୍ୟତମ ଜୀବନଦର୍ଶନଟି ହେଲା–ଜୀବନକୁ ଉପଭୋଗ କର, ଜୀବନର ରସକୁ ଆକଣ୍ଠ ପାନକର, ଜୀବନରୁ ଅମୃତ ପାନକରି ପ୍ରମୁଦିତ ହୁଅ, କିନ୍ତୁ ନିଷ୍କରୁଣ ହୁଅ ନାହିଁ । ଜୀବନର ମଦିରା ପାନ କରି ହର୍ଷୋତ୍‌ଫୁଲ୍ଲ ହୁଅ, କିନ୍ତୁ ବେତାଳିଆ ହୁଅ ନାହିଁ, ବିଭୋଳ ହୁଅ ନାହିଁ, ହୋସ ହରାଅ ନାହିଁ । ଏ ଜୀବନ ନାନାଦି କାରଣରୁ ଦୁଃଖଯାତନାପୂର୍ଣ୍ଣ ଏବଂ ଏକଥା ସତ ଯେ, ଆମେ ମନୁଷ୍ୟମାନେ ସମସ୍ତେ ମିଳିମିଶି ଏହି ପୃଥିବୀକୁ ଏପରି ଦୁଃଖ ଯନ୍ତ୍ରଣାମୟ କରି ରଖିଛୁ । କିନ୍ତୁ ଆମେ ଇଚ୍ଛା କଲେ ଏହାକୁ ଅନେକ ପରିମାଣରେ ସୁଖମୟ କରିପାରିବା । ଏଥିପାଇଁ ଦରକାର ଜୀବନର ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହିତ ବିବେକ ଦ୍ୱାରା ବିଶ୍ଳେଷଣ କରି ଗଭୀର ଉଦାର ଭାବେ ବୁଝିବା ଓ ତଦନୁଯାୟୀ ନିଜକୁ ଓ ପରିସ୍ଥିତିକୁ ସଜାଡ଼ିବାକୁ ଚେଷ୍ଟା କରିବା । ଆମ ଜୀବନର ଦୁଃଖପାଇଁ ଆମେ ପ୍ରଥମେ ନିଜକୁ ଦାୟୀ ନ କରି ଭାଗ୍ୟକୁ, ଭଗବାନଙ୍କୁ, ସମାଜକୁ ଓ ଅନ୍ୟକାହାକୁ ଦାୟୀ କରିବା ଉଚିତ ନୁହେଁ । ନିଜକୁ ସଜାଡ଼ିବାର ସାମର୍ଥ୍ୟ ଆମ ସମସ୍ତଙ୍କର ରହିଛି-। କିନ୍ତୁ ଅନ୍ୟକୁ ଆମେ ସଜାଡ଼ି ଦେଇପାରିବା ବୋଲି କେବେ ବି ବେଶି ଆଶା ରଖିବା ଉଚିତ ନୁହେଁ-

 

ଡହରାନନ୍ଦଙ୍କ ସର୍ବଶେଷ ଦର୍ଶନ ହେଲା–ନିଜେ ସବୁବେଳେ ହସ ହସ ରୁହ–ଓ ଅନ୍ୟକୁ ମଧ୍ୟ ସର୍ବଦା ହସ ହସ ରଖିବାକୁ ଚେଷ୍ଟାକର । ନିଜକୁ ନେଇ ଯଥେଷ୍ଟ ହସ ଏବଂ ଥଟ୍ଟାତାମ୍‌ସା କର-। କିନ୍ତୁ ଅନ୍ୟକୁ ନେଇ ହସିପାର; ମାତ୍ର ଅନ୍ୟକୁ ଥଟ୍ଟା ପରିହାସ କରନାହିଁ କି ତାକୁ କଷ୍ଟ ଦିଅ ନାହିଁ-। କାରଣ ଯେଉଁ ଦୋଷଟି ଆମେ ଅନ୍ୟଠାରୁ ଦେଖୁ ଆମ ଭିତରେ ବି ସେ ଦୋଷଟି ନଥିବ ବୋଲି କହିହେବ ନାହିଁ । ବେଳ ପଡ଼ିଲେ ଆମେ ନିଜେ ଯେ କ’ଣ କରି ବସିବା ତା’ର ଠିକଣା ନାହିଁ-। ଗୋଟିଏ କଥା ମନେରଖ ଯେ, ସ୍ଥାନକାଳ ପାତ୍ର ସବୁ କିଛି ଅସ୍ଥାୟୀ ଓ ପରିବର୍ତ୍ତନଶୀଳ । କୌଣସି ବିଷୟ ବର୍ତ୍ତମାନ ହୁଏତ ତୁମକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି–କିନ୍ତୁ ଦିନେ ଦେଖିବ,ତାହାଠାରୁ ବଳି ଲଘୁ ବିଷୟ ଆଉ ନାହିଁ । ତେଣୁ କୋଉ କଥା ପ୍ରତି ପରୁଆ କରନାହିଁ । ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହି ପୃଥିବୀ ଏକ ବିରାଟ ଅନନ୍ତ ରଙ୍ଗମଞ୍ଚ ଏବଂ ଏହି ରଙ୍ଗମଞ୍ଚ ଉପରେ କେବଳ ଫାର୍ସ, ପ୍ରହସନ ଓ ତାମ୍‌ସାମାନ ଅଭିନୀତ ହୋଇ ଚାଲିଛି । ଏଠି ସବୁ ଚରିତ୍ର ଜଣେ ଜଣେ ଜୋକର୍‍ ଏବଂ ତୁମେ ନିଜେ ମଧ୍ୟ ଜଣେ ମହାଭଣ୍ଡ ଓ ମୁଁ ମଧ୍ୟ ଜଣେ ମୂର୍ଖ ବିଦୂଷକ ।

 

ବାବା ଡହରାନନ୍ଦ ଈଶ୍ୱରଙ୍କ ସମ୍ବନ୍ଧେ ନୀରବ । ରାଜନୀତି ସମ୍ବନ୍ଧେ ବି ଉଦାସୀନ । ସେ କୌଣସି ଧର୍ମଧାରାର ବି ଧାର ଧାରନ୍ତି ନାହିଁ । ତାଙ୍କ ମତରେ ଈଶ୍ୱରଙ୍କ ଅପେକ୍ଷା, ତାଙ୍କର ପ୍ରକୃତ ଭକ୍ତ ଓ ପ୍ରେମିକମାନେ ହିଁ ତାଙ୍କ ଆଗରେ ବେଶି ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ । ରାଜନୀତି ସଂପୂର୍ଣ୍ଣ ମିଥ୍ୟା ଓ ପ୍ରବଞ୍ଚନା ଉପରେ ଚାଲିଛି ଏବଂ ଧର୍ମ ସଂପ୍ରଦାୟଗୁଡ଼ିକ ଲୋପ ପାଇଗଲେ ଯାଇ ଲୋକମାନେ ସତକୁ ସତ ଧର୍ମ ପଥରେ ସ୍ୱାଭାବିକ ଭାବେ ଚାଲିପାରିବେ ।

 

ବାବା ଡହରାନନ୍ଦ କହନ୍ତି–ଗଣତନ୍ତ୍ର, ସାମ୍ୟବାଦ, ସମାଜବାଦ ପ୍ରଭୃତି କେବଳ ରାଜନୀତିକ ଠକାମି; ପ୍ରକୃତରେ କିନ୍ତୁ ଆବଶ୍ୟକ ଏକ ଭଦ୍ର ଓ ସୁସଙ୍ଗତ ମାନବ ସମାଜ ବା ଗୋଷ୍ଠୀ । ଭଦ୍ର ସଂହିତ ମଣିଷଟିଏ ମାନସିକ ବିକୃତିରୁ ମୁକ୍ତ । ତା’ ଚିନ୍ତା ସଂଯୁକ୍ତିଚାଳିତ ଓ ହୃଦୟ ସହାନୁଭୂତିଶୀଳ । ତା’ର ବ୍ୟବହାର ମାର୍ଜିତ । ଜଣେ ଭଦ୍ର ମଣିଷ ନିଜେ ବଞ୍ଚେ ଓ ଅନ୍ୟକୁ ବଞ୍ଚିବାକୁ ଦିଏ । ସେ ମୁକ୍ତ ମନରେ ସବୁକଥାକୁ ବିଚାର କରେ ଗ୍ରହଣ କରେ ଓ ବର୍ଜନ ମଧ୍ୟ କରେ-। ଯାହା କିଛି ସ୍ଥୂଳ, କର୍କଶ, ଅଶ୍ଳୀଳ, କପଟତାପୂର୍ଣ୍ଣ ଓ ପ୍ରତାରଣା ପ୍ରବଞ୍ଚନାୟ ତାହାଠାରୁ ସେ ଦୂରେଇ ରହେ ।

 

ଏହିପରି ଏକ ଜୀବନ ବଞ୍ଚିଛନ୍ତି ବାବା ଡହରାନନ୍ଦ । ସାରା ଓଡ଼ିଶାରେ ତାଙ୍କର ଶତ ଶତ ଅନୁଗତ ଶିଷ୍ୟ ଶିଷ୍ୟା ଅଛନ୍ତି । କିନ୍ତୁ ସାଧରଣତଃ ସେ ସର୍ବଦା ନିଜକୁ ଲୁଚାଇ ରଖନ୍ତି । ଏକ ମୁକ୍ତ ମନ, ମୁକ୍ତ ହୃଦୟ ନେଇ ମୁକ୍ତ ବିଚାରଟିଏ ପ୍ରଚାର କରିବା ତାଙ୍କ ଜୀବନର ଏକ ବ୍ରତ । ତା’ ଫଳରେ ଏକ ନୂତନ ନୈତିକତା ମଧ୍ୟ ସେ ତାଙ୍କ ବ୍ୟାଗରେ ବିନା କୋଳାହଳରେ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ତା’ ହେଲେ ବି ସେ ଗୁରୁଗିରି କରିବାକୁ ଚାହାନ୍ତି ନାହିଁ । ସେ କୌଣସି ଗୋଷ୍ଠୀ ବା ଦଳ ଗଠନ କରି ନାହାନ୍ତି । କିମ୍ବା ତାଙ୍କ ମତ ଓ ବିଚାରକୁ ସେ ଧ୍ରୁବ ବୋଲି କାହା ଉପରେ ଲଦିଦେବାକୁ ଚାହାନ୍ତି ନାହିଁ ।

 

କେତେକ ଅନୁରାଗୀପାଠକ କହନ୍ତି ଯେ ବାବା ଡହରାନନ୍ଦ ବୋଲି ପ୍ରକୃତରେ ଆଉ କେହି ନାହାନ୍ତି । ସେ କୁଆଡ଼େ ମୁଁ ନିଜେ ମହାପାତ୍ର ନୀଳମଣି ସାହୁ ଓ ମୋର ଏକ ଛଦ୍ମନାମରେ ମୁଁ ନିଜେ ଆତ୍ମପ୍ରକାଶ କରିଛି । ମୁଁ ମୋର ପାଠକପାଠିକାଙ୍କୁ ନିରାଶ କରିବାକୁ ଚାହେଁ ନାହିଁ । କିମ୍ବା ସେମାନେ ଯଦି ମୋତେ ଦେଖି ମୋ ଭିତରେ ବାବା ଡହରାନନ୍ଦଙ୍କୁ ଦେଖିଛନ୍ତି ବୋଲି କହୁଛନ୍ତି–ତେବେ ମୋର ଦୃଢ଼ ବିଶ୍ଵାସ ଯେ, ସେମାନେ ଯୋଉଦିନ ସତକୁ ସତ କେଉଁଦିନ ଦୈବାତ୍‍ ବାବା ଡହରାନନ୍ଦଙ୍କୁ ରାସ୍ତା ଉପରେ କି ଆଉ କୋଉଠି ଦେଖିବେ, ତେବେ ତାଙ୍କ ଭିତରେ ସେମାନେ ମୋତେ ମଧ୍ୟ ଦେଖିବାକୁ ପାଇବେ । ଧରିତ୍ରୀ କାଗଜରେ ଡହରାନନ୍ଦଙ୍କ ଛବି ଦେଖି–ମତେ ଅନେକ କହିଲେ ଯେ, ଅବିକଳ ସେ ଛବିଟି ଭଳି ମୁଁ ଦିଶୁଛି ତାଙ୍କ ଆଖିକି । ଏହା ଶୁଣି ମତେ ବଡ଼ କୌତୁକ ଲାଗୁଛି ଏବଂ ଏକଥା ମୁଁ ଡହରାନନ୍ଦଙ୍କୁ ଜଣାଇବାରୁ ସେ ମଧ୍ୟ ହସି ହସି ଗଡ଼ିଗଲେ ।

 

‘ଡହରାନନ୍ଦଙ୍କ ଅଭିନବ ପ୍ରବଚନ ମାଳା’ ଲେଖାଗୁଡ଼ିକ ବୌଦ୍ଧଜାତକ ଗଳ୍ପର କଥନ–ପଦ୍ଧତିକୁ କେତେକାଂଶରେ ଅନୁସରଣ କରି ଲିଖିତ । ଉପନିଷଦର ରଚନା ଶୈଳୀ ମଧ୍ୟ ଠାଏ ଠାଏ ଅନୁସୃତ ହୋଇଛି । ଏହାର ଭାଷା ଶୈଳୀ କଥୋପକଥନମୂଳକ–ଡାଏଲଗ୍‍ ରୀତି କଠିଣ ଓ ମୌଳିକ ସମସ୍ୟାଗୁଡ଼ିକ କିଞ୍ଚିତ ଲଘୁ ଓ ରସିକତାପୂର୍ଣ୍ଣ ସ୍ୱରରେ ଆଲୋଚନା କରାଯାଇଛି । ବିଭିନ୍ନ ଗୋଷ୍ଠୀର ଓ ବିଭିନ୍ନ ମାନସିକତା ସଂପନ୍ନ ଲୋକଙ୍କ ସହିତ ଆଲୋଚନା କଲାବେଳେ ଆଲୋଚନାର ସ୍ୱର ଆବଶ୍ୟକାନୁସାରେ ଗୁରୁ ଲଘୁ ହୋଇଛି । କିନ୍ତୁ ସବୁବେଳେ ଏକ ବିଦଗ୍ଧତା ବା ରସିକତାର ପରିବେଶ ଯେମିତି ଅଯଥା ଗାମ୍ଭୀର୍ଯ୍ୟରେ ନଷ୍ଟ ହୋଇ ନଯାଏ, ସେଥିପ୍ରତି ଖୁବ୍‍ ସଚେତନ ରହିବାକୁ ପଡ଼ିଛି ।

 

ମୋର ଏ ସମ୍ବନ୍ଧେ ଆଉ ବିଶେଷ କିଛି କହିବାକୁ ନାହିଁ । ଧରିତ୍ରୀ କର୍ତ୍ତୃପକ୍ଷଙ୍କ ସେମାନଙ୍କଠାରୁ ଉତ୍ସାହ ପାଇ ନଥିଲେ ମୁଁ ଏତେକ ଲେଖିପାରିନଥାନ୍ତି । କିନ୍ତୁ ଏଠି ଏତକ କହି ରଖୁଛି, ମୋର ଲେଖା ସିରିଜ୍‍ ଏତିକିରେ ଶେଷ ହେଲା ସତ, ମାତ୍ର ମୋର ପ୍ରିୟ ଚରିତ୍ର ବାବା ଡହରାନନ୍ଦ ତାଙ୍କ ପ୍ରବଚନ ଅଦ୍ୟାବଧି ଶେଷ କରିନାହାନ୍ତି । ମୁଁ ସେଗୁଡ଼ିକୁ ପୁନର୍ବାର ସଂଗ୍ରହ କରୁଛି ଓ ସୁଯୋଗ ମିଳିଲେ ପରେ ସେଗୁଡ଼ିକୁ ପ୍ରକାଶ କରିବି ।–ଧନ୍ୟବାଦ ॥

 

ପୁସ୍ତକ ପ୍ରକାଶିତ । ତାଙ୍କର ସାହିତ୍ୟକୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ସାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ସମେତ ଆହୁରି ବହୁ ପୁରସ୍କାର ଓ ଉପାୟନ ଲାଭ କରିଛନ୍ତି । ଓଡ଼ିଆ ଗଦ୍ୟ–ଶୈଳୀରେ ଏକ ବର୍ଣ୍ଣାଢ଼୍ୟ ବୈଚିତ୍ର୍ୟ ତାଙ୍କର ବିଶେଷତ୍ୱ । ସେ ଜଣେ ଶୁଭକାମୀ ଲେଖକ । ହାସ୍ୟ, ବ୍ୟଙ୍ଗ, ବିଦ୍ରୂପ ସହିତ ଗଭୀର କାରୁଣ୍ୟ–ବୋଧ, ସମ୍ବେଦନଶୀଳତା, ଉଦାରତା ଏବଂ ସମୁନ୍ନତ ଭାବ, ଚିନ୍ତା ଓ ଅଭୀପ୍ସା ତାଙ୍କ ସାହିତ୍ୟକୁ ଏକ ଅନନ୍ୟ ମର୍ଯ୍ୟାଦା ଦେଇଅଛି ।

Image